Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାଇଁ ରିଲାଏନ୍ସ ଏବଂ ଏନଭିଡିଆ ଚୁକ୍ତିନାମା

ମୁମ୍ବାଇ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ କମ୍ପାନୀ ଏନଭିଡିଆର ମୁଖ୍ୟ ଜେନସେଙ୍ଗ ହୁଆଙ୍ଗ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ ଉଭୟ କମ୍ପାନୀ ଭାରତରେ ଏଆଇ ଆଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଉଭୟ ଏହି ଘୋଷଣା କରିଛନ୍ତି ଯେଉଁଠାରେ ଅକ୍ଟୋବର ୨୩ ରୁ ୨୫ ପର୍ଯ୍ୟନ୍ତ ‘ଏନଭିଡିଆ ସମିଟ ଇଣ୍ଡିଆ’ କାର୍ଯ୍ୟକ୍ରମ ଚାଲିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ) ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ବର୍ତ୍ତମାନ ବିଶ୍ୱର ସର୍ବବୃହତ ଡାଟା କମ୍ପାନୀରେ ପରିଣତ ହୋଇଛି। ଏନଭିଡିଆ ପ୍ରତିଷ୍ଠାତା ତଥା ସିଇଓ ଜେନସେଙ୍ଗ ହୁଆଙ୍ଗ ଘୋଷଣା କରିଛନ୍ତି ଯେ ରିଲାଏନ୍ସ ଏବଂ ଏନଭିଡିଆ ମିଳିତ ଭାବେ ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଭିତ୍ତିଭୂମି ସୃଷ୍ଟି କରୁଛନ୍ତି। ଏହି ସହଭାଗିତା ଭାରତକୁ ଏଆଇ କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ଜେନସେଙ୍ଗ ହୁଆଙ୍ଗଙ୍କୁ ଭାରତକୁ ସ୍ୱାଗତ କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଭାରତର ବଡ଼ ସ୍ୱପ୍ନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଭାରତ ଡିଜିଟାଲ ବିପ୍ଳବର ଏକ ନୂଆ ଯୁଗରେ ପ୍ରବେଶ କରୁଛି। ଭାରତକୁ ଏକ ଡିପ୍ ଟେକ୍ନୋଲୋଜି ହବ୍ କରିବା ଦିଗରେ ମୁକେଶ ଅମ୍ବାନୀଙ୍କ ଉଦ୍ୟମକୁ ଏନଭିଡିଆ ପ୍ରତିଷ୍ଠାତା ତଥା ସିଇଓ ଜେନସେଙ୍ଗ ହୁଆଙ୍ଗ ପ୍ରଶଂସା କରିଛନ୍ତି। ହୁଆଙ୍ଗ ଭାରତର ଆଇଟି କ୍ଷେତ୍ରର ସମ୍ଭାବନାକୁ ପ୍ରଶଂସା କରି କହିଛନ୍ତି, “ଦୁନିଆରେ ବହୁତ କମ୍ ଦେଶ ଅଛି ଯେଉଁଠାରେ କମ୍ପ୍ୟୁଟର ସାଇନ୍ସ ଏବଂ ଆଇଟି କ୍ଷେତ୍ରରେ ଅନେକ ତାଲିମପ୍ରାପ୍ତ ଲୋକ ଅଛନ୍ତି।” ଜେନସେଙ୍ଗ ହୁଆଙ୍ଗ କହିଛନ୍ତି, “ଏହା ଏକ ଅସାଧାରଣ ସମୟ, ଯେଉଁଠାରେ ଭାରତରେ ବହୁସଂଖ୍ୟକ କମ୍ପ୍ୟୁଟର ଇଞ୍ଜିନିୟର ଏବଂ ଏକ ବିଶାଳ ଜନସଂଖ୍ୟା ରହିଛି। ଏହି ସହଭାଗିତା ଯୋଗୁଁ ମୁକେଶ ଅମ୍ବାନୀଙ୍କ ସହିତ କାମ କରିବା ନେଇ ମୁଁ ଗର୍ବିତ ଅନୁଭବ କରୁଛି।”

ମୁକେଶ ଅମ୍ବାନୀ ଜେନସେଙ୍ଗଙ୍କ ସହ ଏହି ବାର୍ତ୍ତାଳାପରେ କହିଛନ୍ତି ଯେ ଆମକୁ ମନେ ରଖିବାକୁ ହେବ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଲାଭ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହଞ୍ଚିବା ସହିତ ଏହା ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଉଚିତ। ମୁକେଶ ଅମ୍ବାନୀ କହିଛନ୍ତି ଯେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଲୋକମାନେ ନିଜ ଫୋନ୍ ଏବଂ କମ୍ପ୍ୟୁଟରରେ ଏଆଇ ପାଇପାରିବେ। ଏହି ନୂତନ ଟେକ୍ନୋଲୋଜିକୁ ଲୋକଙ୍କ ନିକଟରେ ସହଜରେ ଉପଲବ୍ଧ କରାଇବା ଆମର ଦାଇତ୍ୱ ଏବଂ ଆମକୁ ଏହାକୁ ମିଳିତ ଭାବରେ କରିବାକୁ ହେବ।

ମୁକେଶ ଅମ୍ବାନୀ କହିଛନ୍ତି ଯେ ଏଆଇ ହେଉଛି ଏକ ଜ୍ଞାନ କ୍ରାନ୍ତି ଯାହା ବିଶ୍ୱସ୍ତରରେ ସମୃଦ୍ଧିର ପଥ ଖୋଲିଥାଏ। ସେ କହିଛନ୍ତି ଯେ ଭାରତର ଯୁବ ଜନସଂଖ୍ୟା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଦେଶକୁ ଡିଜିଟାଲ ସମାଜରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଅମ୍ବାନୀ କହିଛନ୍ତି ଯେ, ଭାରତ ହେଉଛି ବିଶ୍ୱର ଅନ୍ୟତମ ସବୁଠାରୁ ଯୁବବହୁଳ ଦେଶ। ଭାରତ ଦ୍ରୁତ ଗତିରେ ବିଶ୍ୱର ନବସୃଜନ ବା ଇନୋଭେସନ ହବରେ ପରିଣତ ହେଉଛି ଏବଂ ଆମ ପାଖରେ ବିଶ୍ୱର ସର୍ବୋତ୍ତମ ଡିଜିଟାଲ୍ ସଂଯୋଗୀକରଣ ଭିତ୍ତିଭୂମି ରହିଛି।

ସେ କହିଛନ୍ତି ଯେ ରିଲାଏନ୍ସ ଜିଓ ବିଶ୍ୱସ୍ତରରେ ସବୁଠାରୁ ବଡ ଡାଟା କମ୍ପାନୀ ଅଟେ। ଏହା ଜିବି ପିଛା ୧୫ ସେଣ୍ଟ ଭଳି କମ୍ ମୂଲ୍ୟରେ ଡାଟା ପ୍ରଦାନ କରୁଥିବାବେଳେ ଆମେରିକାରେ ଏହା ଜିବି ପିଛା ପାଞ୍ଚ ଡଲାର ରହିଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ଜିଓ ଯେପରି ଡାଟା କ୍ଷେତ୍ରରେ କ୍ରାନ୍ତି ଆଣିଥିଲା ସେହିଭଳି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ମଧ୍ୟ ସମାନ ଧରଣର ବିପ୍ଳବ ଆଣିବାର ଆବଶ୍ୟକତା ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରୟୋଗ କ୍ଷେତ୍ରରେ ତାଇୱାନ ବିଶ୍ୱବିଦ୍ୟାଳୟ ସହିତ କାର୍ଯ୍ୟ କରିବ ଏମ୍ସ

ଭୁବନେଶ୍ୱର: ଜରୁରୀକାଳୀନ କ୍ଷେତ୍ରରେ ତ୍ବରିତ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ରୋଗର ଶୀଘ୍ର ଚିହ୍ନଟ କରିବା ବେଶ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ କର୍କଟ କିମ୍ବା ପକ୍ଷାଘାତ (ପାରାଲିସିସ୍/ବ୍ରେନ୍ ଷ୍ଟ୍ରୋକ୍) ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ସବୁବେଳେ ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ଅଟେ। ତେଣୁ ରୋଗର ତ୍ବରିତ ଚିହ୍ନଟ ତଥା ଡାକ୍ତରୀ ତଥ୍ୟ ବିଶ୍ଳେଷଣରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ର ପ୍ରୟୋଗ ସମୟର ବଡ଼ ଆବଶ୍ୟକତା ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ) ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ତାଇୱାନର ଚାଙ୍ଗ ଗୁଙ୍ଗ ବିଶ୍ୱବିଦ୍ୟାଳୟର ସୂଚନା ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ର ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ସାହୁଙ୍କ ସହିତ ସାକ୍ଷାତ ପରେ ଏପରି ମତ ରଖିଛନ୍ତି ଡ. ବିଶ୍ବାସ। ରୋଗ ନିରାକରଣ, ଚିକିତ୍ସା ଏବଂ ପରିଚାଳନା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟାପକ ବ୍ୟବହାର ନେଇ ଏହି ବିଦେଶୀ ବିଶ୍ବବିଦ୍ୟାଳୟ ସହିତ ଏମ୍ସ ଭୁବନେଶ୍ୱର ମିଳିତ ଭାବେ କାର୍ଯ୍ୟ କରିବା ନେଇ ସୂଚନା ଦେଇଛନ୍ତି ଡ. ବିଶ୍ବାସ। ନିକଟ ଭବିଷ୍ୟତରେ ଏନେଇ ତାଇୱାନର ଏହି ସମ୍ମାନଜନକ ବିଶ୍ୱବିଦ୍ୟାଳୟ ସହିତ ଗବେଷଣା ଏବଂ ତାଲିମ କାର୍ଯ୍ୟକ୍ରମ କ୍ଷେତ୍ରରେ ବୁଝାମଣାପତ୍ର ସ୍ବାକ୍ଷର ହେବାର ଯୋଜନା ରହିଥିବା ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ସୂଚନା ଦେଇଛନ୍ତି।

ତାଇୱାନର ଚାଙ୍ଗ୍ ଗୁଙ୍ଗ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ସାହୁ ଗତକାଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିବା ସହିତ ଏହି ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନର ଅଧ୍ୟାପକ/ଅଧ୍ୟାପିକାଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରୟୋଗ ନେଇ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଯେତେବେଳେ କର୍କଟ କିମ୍ବା ମସ୍ତିଷ୍କାଘାତ/ପକ୍ଷାଘାତ ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ସେତେବେଳେ ବହୁ ପରିମାଣର ଚିତ୍ର ଏବଂ କ୍ଲିନିକାଲ୍ ତଥ୍ୟ ସୃଷ୍ଟି ହୁଏ। ରୋଗର ନିରାକରଣ ପାଇଁ ଡାକ୍ତରମାନେ ହିଷ୍ଟୋପାଥୋଲୋଜିକାଲ୍, ସିଟି, ସିଟିଏ ଏବଂ ଏମ୍ଆରଆଇ ଭଳି ବିଭିନ୍ନ ପ୍ରକାରର ଚିତ୍ର ବ୍ୟବହାର କରନ୍ତି। ଉକ୍ତ ପ୍ରତିଛବିଗୁଡ଼ିକ ବିଭିନ୍ନ ଫର୍ମାଟରେ ଗଚ୍ଛିତ ଥାଏ। ଉକ୍ତ ବୈଷୟିକ ଛବିକୁ ଗଭୀର ଭାବେ ଅନୁଧ୍ୟାନ କରି ବିଶ୍ଳେଷଣ କରିବା ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏକ ଅଂଶ।

ଏହି ଉକ୍ତ ଡାକ୍ତରୀ ଚିତ୍ରଗୁଡ଼ିକୁ ବର୍ଗୀକରଣ, ଚିହ୍ନଟ ଏବଂ ବିଭିନ୍ନ ବିଭାଗରେ ବ୍ୟବହାର ପାଇଁ ଚିତ୍ର ତଥ୍ୟର ବିଭିନ୍ନ ଫର୍ମାଟକୁ ବିଶ୍ଳେଷଣ କରିବାରେ ଏଆଇ ମାନବ ମସ୍ତିଷ୍କର କାର୍ଯ୍ୟକୁ ଅନୁକରଣ କରିଥାଏ ବୋଲି ପ୍ରଫେସର ସାହୁ ପ୍ରକାଶ କରିଛନ୍ତି। ଇସ୍କେମିକ୍ ଷ୍ଟ୍ରୋକ୍, ଇଣ୍ଟାକ୍ରାନିଆଲ୍ ଷ୍ଟେନୋସିସ୍, କଲୋରେକ୍ଟାଲ୍ କର୍କଟ ଏବଂ ଫୁସଫୁସ କର୍କଟ ଭଳି ରୋଗୀଙ୍କ ପ୍ରତିଛବି ତଥ୍ୟକୁ ବିଶ୍ଳେଷଣ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପଯୋଗୀ ହେବ ବୋଲି ପ୍ରଫେସର ସାହୁ ସୂଚନା ଦେଇଛନ୍ତି। ଏନେଇ ଅଧିକ ଗବେଷଣା ପାଇଁ ଏମ୍ସ ଭୁବନେଶ୍ୱର ଭଳି ଖ୍ୟାତିସମ୍ପନ୍ନ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଚାଙ୍ଗ୍ ଗୁଙ୍ଗ୍ ବିଶ୍ୱବିଦ୍ୟାଳୟ ପାଇଁ ନିଶ୍ଚିତ ପକ୍ଷେ ଏକ ଆନନ୍ଦର ବିଷୟ। ଉନ୍ନତ ରୋଗୀ ସେବା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପରିଚାଳନା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ହେବ ବୋଲି ପ୍ରଫେସର ସାହୁ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ତାଇୱାନ୍ ର ଚାଙ୍ଗ୍ ଗୁଙ୍ଗ୍ ୟୁନିଭରସିଟି, ଚାଙ୍ଗ୍ ଗୁଙ୍ଗ୍ ମେମୋରିଆଲ ହସ୍ପିଟାଲ କ୍ଲିନିକାଲ ଏବଂ ମେଡିକାଲ ଚିତ୍ରର ତଥ୍ୟ ବିଶ୍ଳେଷଣ କ୍ଷେତ୍ରରେ ଦୀର୍ଘ ବର୍ଷ ହେବ ନିଷ୍ଠାର ସହିତ ନିରନ୍ତର କାର୍ଯ୍ୟ କରିଆସୁଛି। ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଦିଲ୍ଲୀପ କୁମାର ପରିଡା ଏହି ଅବସରରେ ଉପସ୍ଥିତ ଥିଲେ।