Categories
ଆଜିର ଖବର ଜାତୀୟ ଖବର

ମାସିକ ମୁଣ୍ଡପିଛା ଉପଯୋଗ ବ୍ୟୟ ଗ୍ରାମାଞ୍ଚଳରେ ୧୮୮% ଏବଂ ସହରାଞ୍ଚଳରେ ୧୬୬% ବୃଦ୍ଧି: ସର୍ବେକ୍ଷଣ ରିପୋର୍ଟ

ନୂଆଦିଲ୍ଲୀ: ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ମାସିକ ମୁଣ୍ଡପିଛା ଉପଯୋଗ ବ୍ୟୟ (ଏମପିସିଇ) ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୨୦୧୧ ତୁଳନାରେ ୨୦୨୩-୨୪ରେ ଭାରତର ଗ୍ରାମାଞ୍ଚଳରେ ୧୮୮% ଏବଂ ୧୬୬% ବୃଦ୍ଧି ପାଇଥିବା ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ଏଚସିଇଏସ୍) ୨୦୨୩-୨୪ରୁ ସୂଚନା ମିଳିଛି। ବର୍ତ୍ତମାନ ଭାରତର ଗ୍ରାମାଞ୍ଚଳରେ ଏମପିସିଇ ହାର ୪,୧୨୨ ଟଙ୍କା ଥିବା ବେଳେ ସହରାଞ୍ଚଳରେ ୬,୯୯୬ ଟଙ୍କା ରହିଛି। ଗତ ଏକ ଦଶନ୍ଧି ଉପଯୋଗ ବ୍ୟୟରେ ସୁଧାରକୁ ନେଇ ସକାରାତ୍ମକ ଧାରା ଦେଖିବାକୁ ମିଳିଥିବା ସର୍ବେକ୍ଷଣରେ ଆଲୋକପାତ କରାଯାଇଛି।

ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ଏଚସିଇଏସ୍) ପରିବାରଗୁଡ଼ିକ ଦ୍ୱାରା ଦ୍ରବ୍ୟ ଏବଂ ସେବାର ମୁଣ୍ଡପିଛା ଉପଯୋଗ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ପ୍ରସ୍ତୁତ କରାଯାଇଥାଏ। ଏଚସିଇଏସରେ ସଂଗୃହୀତ ସୂଚନା ପରିବାରର ଉପଯୋଗ ଏବଂ ବ୍ୟୟ ଢାଞ୍ଚା, ଜୀବନଧାରଣର ମାନ ଓ କଲ୍ୟାଣ ବୁଝିବାରେ ସହାୟକ ହୋଇଥାଏ।

ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଆର୍ଥିକ ପରିଦୃଶ୍ୟରେ ଦ୍ରବ୍ୟ ଓ ସେବାର ଉପଯୋଗ କ୍ଷେତ୍ରରେ ରୂପାନ୍ତରଣକାରୀ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦୧୧-୧୨ ତୁଳନାରେ ୨୦୨୩-୨୪ ଏଚସିଇଏସରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବର୍ତ୍ତମାନର ଦରଦାମରେ ଦ୍ରବ୍ୟ ଓ ସେବା ଉପଯୋଗ ବାବଦ ବ୍ୟୟ ତିନିଗୁଣ ବୃଦ୍ଧି ପାଇଛି। ଏହି ଉଲ୍ଲେଖନୀୟ ବୃଦ୍ଧି ଆର୍ଥିକ ସଶକ୍ତିକରଣ ଏବଂ ସାରା ଦେଶରେ ଭାରତୀୟ ଉପଭୋକ୍ତାଙ୍କର କ୍ରୟ ଶକ୍ତି ସୁଦୃଢ଼ ହେବାକୁ ଦର୍ଶାଉଛି ।

କେବଳ ସେତିକି ନୁହେଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଥିବା ଏମପିସିଇ ବ୍ୟବଧାନ ୨୦୧୧-୧୨ରେ ୮୪% ଥିବା ବେଳେ ୨୦୨୩-୨୪ରେ ଏହା ୭୦%କୁ ହ୍ରାସ ପାଇଛି। ଏଥିରେ ୧୬% ହ୍ରାସ ଦେଖିବାକୁ ମିଳିଛି। ୨୦୨୨-୨୩ରେ ସହରାଞ୍ଚଳ-ଗ୍ରାମାଞ୍ଚଳ ଏମପିସିଇ ବ୍ୟବଧାନ ୭୧% ଥିଲା। ଏହା ଗ୍ରାମାଞ୍ଚଳରେ ଉପଭୋକ୍ତା ଅଭିବୃଦ୍ଧିର ନିରନ୍ତର ପ୍ରଗତିକୁ ପ୍ରତିଫଳିତ କରେ।

ଆୟ ଅସମାନତାକୁ ମାପିବା ପାଇଁ ବ୍ୟବହାର କରାଯାଉଥିବା ଏକ ମାପକ ‘ଗିନି କୋଏଫିସିଏଣ୍ଟ’କୁ ଆଧାର କରି ଦେଖିଲେ ଭାରତରେ ଉପଯୋଗ ବ୍ୟୟ କ୍ଷେତ୍ରରେ ଅସମାନତା ମଧ୍ୟ ହ୍ରାସ ପାଇଥିବା ଜଣାପଡ଼ିଥାଏ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅଧିକ ସମାନତାପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ପ୍ରଗତି କରିଥିବା ଜଣାପଡ଼ିଥାଏ। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଗିନି କୋଏଫିସିଏଣ୍ଟ ବିଶେଷ ଭାବେ ହ୍ରାସ ପାଇଥିବା ଏଚସିଇଏସ:୨୦୨୩-୨୪ରେ ଜଣାପଡ଼ିଥାଏ। ଗତ ଦଶନ୍ଧି ମଧ୍ୟରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଫଳ ପଦକ୍ଷେପର ପ୍ରତ୍ୟକ୍ଷ ପ୍ରତିଫଳନ ସ୍ୱରୂପ ଉପଭୋକ୍ତା ଅସମାନତା ହ୍ରାସ ହେଉଛି। ଲକ୍ଷ୍ୟ ଆଧାରିତ କଲ୍ୟାଣକାରୀ ଯୋଜନା, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟକ୍ରମ ଏବଂ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ନୀତି ପ୍ରଣୟନ ଦ୍ୱାରା ସମ୍ପତ୍ତି ଓ ଉପଯୋଗ ବ୍ୟୟରେ ଅଧିକ ସନ୍ତୁଳନ ଆସିଛି। ଦେଶର ଗ୍ରାମାଞ୍ଚଳରେ ଗିନି କୋଏଫିସିଏଣ୍ଟ ୨୦୧୧-୧୨ରେ ୦.୨୮୩ ଥିବା ବେଳେ ଏହା ୨୦୨୩-୨୪ରେ ୦.୨୮୩କୁ ହ୍ରାସ ପାଇଛି। ସେହିପରି ସହରୀ ଭାରତରେ ଏହା ୨୦୧୧-୧୨ରେ ୦.୩୬୩ରୁ ୨୦୨୩-୨୪ରେ ୦.୨୮୪କୁ ଖସି ଆସିଛି।

ଉପଭୋକ୍ତାମାନେ ମୌଳିକ ଆବଶ୍ୟକତା ପାଇଁ ବ୍ୟୟ ଠାରୁ ଆଗକୁ ବଢ଼ି ଅଣଖାଦ୍ୟ ସାମଗ୍ରୀ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଗ୍ରାମୀଣ ଭାରତ ୨୦୨୨-୨୩ରେ ଏହାର ବ୍ୟୟ ଅଭ୍ୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ସୀମା ଅତିକ୍ରମ କରିଛି। ୨୦୨୨-୨୩ରେ ଘରୋଇ ବଜେଟରେ ଅଣ-ଖାଦ୍ୟ ଖର୍ଚ୍ଚର ଅଂଶ ୫୦% ଅତିକ୍ରମ କରିଛି, ଯାହା ଜୀବିକା ନିର୍ବାହରୁ ଆକାଂକ୍ଷା-ପରିଚାଳିତ ବ୍ୟବହାର ଦିଗରେ ଏକ ବଡ଼ ପରିବର୍ତ୍ତନକୁ ଦର୍ଶାଉଛି। ଏହାର ଅର୍ଥ ହେଉଛି ଗ୍ରାମାଞ୍ଚଳର ଲୋକମାନେ ଖାଦ୍ୟ ଭଳି ମୌଳିକ ଆବଶ୍ୟକତା ପାଇଁ ଖର୍ଚ୍ଚ କରିବା ପରେ ନିଜ ଇଚ୍ଛା ମୁତାବକ ଅନ୍ୟ ବାବଦରେ ଖର୍ଚ୍ଚ କରିପାରୁଛନ୍ତି। ଗ୍ରାମୀଣ ବ୍ୟୟ ଶୈଳୀରେ ଅଣ-ଖାଦ୍ୟ ବ୍ୟୟର ପ୍ରାଧାନ୍ୟ ବୃଦ୍ଧି ପାଇଛି।

ବିଶେଷ କରି ଅଣଖାଦ୍ୟ ସାମଗ୍ରୀ ଉପରେ ବଢ଼ୁଥିବା ଗୁରୁତ୍ୱ, ବ୍ୟବହାର ଶୈଳୀରେ ଏହି ପରିବର୍ତ୍ତନ ସରକାରଙ୍କ ସଫଳ ନୀତି ଓ ପଦକ୍ଷେପର ପ୍ରତ୍ୟକ୍ଷ ପ୍ରତିଫଳନ। ଗ୍ରାମୀଣ ଆୟ ବୃଦ୍ଧି, ଋଣ ଉପଲବ୍ଧତାରେ ଉନ୍ନତି, ଭିତ୍ତିଭୂମି ବିକାଶ ଏବଂ ସାମାଜିକ ନିରାପତ୍ତା ପ୍ରଦାନ କରିବା ପାଇଁ ପରିକଳ୍ପିତ କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମୀଣ ପରିବାରଗୁଡ଼ିକୁ ମୌଳିକ ଆବଶ୍ୟକତା ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ସଶକ୍ତ କରିବାରେ ଭୂମିକା ଗ୍ରହଣ କରିଛି। ଫଳସ୍ୱରୂପ, ଗ୍ରାମୀଣ ଭାରତର ଲୋକମାନେ ବର୍ତ୍ତମାନ ଏକ ଉଚ୍ଚ ମାନର ଜୀବନଧାରଣ ଉପଭୋଗ କରୁଛନ୍ତି। ସେମାନଙ୍କର କ୍ରୟ ଶକ୍ତି ବୃଦ୍ଧି ପାଇଛି ଏବଂ ସେମାନେ ବିଭିନ୍ନ ସାମଗ୍ରୀ ଏବଂ ସେବା ପାଇପାରୁଛନ୍ତି।

୨୦୧୧-୧୨ ସହିତ ୨୦୨୩-୨୪ ସମୟକୁ ତୁଳନା କଲେ ଅଣ ଖାଦ୍ୟ ସାମଗ୍ରୀ ବ୍ୟୟ ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯଥାକ୍ରମେ ୪୭.୧%ରୁ ୫୩% ଏବଂ ୫୭.୩୮%ରୁ ୬୦%କୁ ବୃଦ୍ଧି ପାଇଛି।

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୃଦୁ ପାନୀୟ, ଜଳଖିଆ ଓ ପ୍ରକ୍ରିୟାକରଣ ଖାଦ୍ୟ ପାଇଁ ଲୋକମାନେ ଅଧିକ ବ୍ୟୟ କରୁଥିବା ୨୦୨୩-୨୪ ସର୍ବେକ୍ଷଣରେ କୁହାଯାଇଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପରିବାରଗୁଡ଼ିକ ଅଣଖାଦ୍ୟ ଖର୍ଚ୍ଚ ବାବଦରେ ପରିବହନ, ପୋଷାକ, ଶଯ୍ୟା, ଜୋତା, ବିବିଧ ସାମଗ୍ରୀ ଏବଂ ମନୋରଞ୍ଜନ ଓ ଦୀର୍ଘସ୍ଥାୟୀ ସାମଗ୍ରୀ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଘର, ଗ୍ୟାରେଜ୍‌ ଭଡ଼ା ଏବଂ ହୋଟେଲ ରହଣି ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର

ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣ ହାର ବଢ଼ୁଛି: ଗ୍ରାମାଞ୍ଚଳରେ ୬୯% ଏବଂ ସହରାଞ୍ଚଳରେ ୨୫% ବୃଦ୍ଧି

ଭୁବନେଶ୍ୱର: ଦେଶରେ ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣ ହାର (ଏଲଏଫପିଆର) ବୃଦ୍ଧି ପାଉଛି। ବିଶେଷ କରି ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ଏହି ହାରରେ ଉଲ୍ଲେଖନୀୟ ପ୍ରଗତି ଦେଖିବାକୁ ମିଳିଛି ବୋଲି ଅବଧିକାଳୀନ ଶ୍ରମ ଶକ୍ତି ସର୍ବେକ୍ଷଣ ତଥ୍ୟରୁ ଜଣାପଡ଼ିଛି। ଏଲଏଫପିଆର ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଏବଂ ସାମଗ୍ରିକ ଆର୍ଥିକ ଅନ୍ତର୍ଭୂକ୍ତୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ଅଟେ।

ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ଡକ୍ଟର ଶମିକା ରବି ଏବଂ ଦିଲ୍ଲୀର ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ଗବେଷକ ଡକ୍ଟର ମୁଦିତ କପୁରଙ୍କ ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଜାତୀୟ ସ୍ତରରେ ଗ୍ରାମୀଣ ମହିଳା ଏଲଏଫପିଆର ୨୪.୬%ରୁ ୪୧.୫% (~୬୯%) କୁ ବଢ଼ିଛି। ସେହିପରି ସହରାଞ୍ଚଳ ଏଲଏଫପିଆର ସାମାନ୍ୟ ବୃଦ୍ଧି ପାଇ ୨୦.୪% ରୁ ୨୫.୪% (~୨୫%) ହୋଇଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ପାର୍ଥକ୍ୟ ରହିଛି। ଗ୍ରାମାଞ୍ଚଳରେ ଝାଡ଼ଖଣ୍ଡ (~୨୩୩% ଅଭିବୃଦ୍ଧି) ଏବଂ ବିହାର (~୬ ଗୁଣ ଅଭିବୃଦ୍ଧି) ଭଳି ରାଜ୍ୟରେ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଛି। ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖାଇଛନ୍ତି (ଉଦାହରଣ ସ୍ୱରୂପ, ନାଗାଲାଣ୍ଡ: ୧୫.୭% ରୁ ୭୧.୧%)। ଜାତୀୟ ସ୍ତରରେ ସହରାଞ୍ଚଳରେ ସାମଗ୍ରିକ ଭାବେ ସାମାନ୍ୟ ଅଭିବୃଦ୍ଧି ଘଟିଛି। ତେବେ ସହରାଞ୍ଚଳ ଗୁଜରାଟରେ ଉଲ୍ଲେଖନୀୟ ଅଭିବୃଦ୍ଧି (୧୬.୨%ରୁ ୨୬.୪%, ~୬୩% ଅଭିବୃଦ୍ଧି) ହୋଇଛି କିନ୍ତୁ ସହରାଞ୍ଚଳ ତାମିଲନାଡ଼ୁରେ ସାମାନ୍ୟ ପରିବର୍ତ୍ତନ (୨୭.୬%ରୁ ୨୮.୮%) ଆସିଛି।

ପ୍ରାୟ ସବୁ ରାଜ୍ୟରେ ମହିଳା ଏଲଏଫପିଆର ବୃଦ୍ଧି ପାଇଛି, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ଲାଭ ଦେଖିବାକୁ ମିଳିଛି। ଅବିବାହିତ ମହିଳାଙ୍କ ତୁଳନାରେ ଗ୍ରାମାଞ୍ଚଳରେ ବିବାହିତ ମହିଳାମାନେ ଅଧିକ ଅଂଶଗ୍ରହଣ ଅଭିବୃଦ୍ଧି ଦେଖାଇଛନ୍ତି।

ରାଜସ୍ଥାନ ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ବିଶେଷ କରି ବିବାହିତ ମହିଳାଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ତେବେ ଆଞ୍ଚଳିକ ଓ ଆନ୍ତଃରାଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଭିନ୍ନତା ରହିଛି। ଉତ୍ତର ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ ଏବଂ ହରିୟାଣାରେ ମହିଳା ଏଲଏଫପିଆର କମ୍ ରହିଛି। ପୂର୍ବ ରାଜ୍ୟ ଗୁଡ଼ିକ ମଧ୍ୟରେ, ଗ୍ରାମୀଣ ବିହାରରେ ଦେଶର ସର୍ବନିମ୍ନ ଏଲଏଫପିଆର ଥିଲା, କିନ୍ତୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ଉନ୍ନତି ଦେଖାଯାଇଛି – ବିଶେଷକରି ଗ୍ରାମୀଣ ବିବାହିତ ମହିଳାଙ୍କ କ୍ଷେତ୍ରରେ। ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ମଧ୍ୟରେ ଗ୍ରାମାଞ୍ଚଳରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ଏବଂ ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଆଗୁଆ ରହିଛନ୍ତି। ଉତ୍ତର-ପୂର୍ବାଞ୍ଚଳର ସହରାଞ୍ଚଳରେ ବିବାହିତ ମହିଳାଙ୍କ ମଧ୍ୟରେ ମଧ୍ୟମ ଧରଣର ବୃଦ୍ଧି ଘଟିଥିବା ବେଳେ ସହରାଞ୍ଚଳରେ ବିବାହିତ ମହିଳାଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ପଶ୍ଚିମ ଏବଂ ଦକ୍ଷିଣ ରାଜ୍ୟରେ ଏଲଏଫପିଆରର ଅଭିବୃଦ୍ଧି ମୁଖ୍ୟତଃ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ସହରାଞ୍ଚଳରେ ସାମାନ୍ୟ ବୃଦ୍ଧି ଘଟିଛି।

ଭାରତରେ ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ବିଶେଷ କରି ଗ୍ରାମାଞ୍ଚଳରେ ମହିଳା ଏଲଏଫପିଆରରେ ଯଥେଷ୍ଟ ବୃଦ୍ଧି ଘଟିଛି। ବିଗତ ଦଶ ବର୍ଷ ମଧ୍ୟରେ ସରକାରଙ୍କ ଅନେକ ଯୋଜନା, ବିଶେଷ କରି ଗ୍ରାମୀଣ ମହିଳାମାନଙ୍କୁ ଲକ୍ଷ୍ୟ କରି କାର୍ଯ୍ୟକାରୀ କରାଯାଇଥିବାରୁ ସେସବୁର ସୁଫଳ ପ୍ରତିଫଳିତ ହୋଇଛି। ଗ୍ରାମୀଣ ମହିଳାଙ୍କ ପାଇଁ ଯୋଜନା ଗୁଡ଼ିକ ମଧ୍ୟରେ ମୁଦ୍ରା ଋଣ, ‘ଡ୍ରୋନ ଦିଦି’ ଯୋଜନା ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଅଧୀନରେ ସଂଗଠିତ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସୁଦୃଢ଼ କରିବା ଦ୍ୱାରା ଏ କ୍ଷେତ୍ରରେ ସଫଳତା ମିଳିଛି । ସମଗ୍ର ଭାରତରେ ମହିଳାଙ୍କ ନେତୃତ୍ବାଧୀନ ବିକାଶର ଦୃଷ୍ଟିକୋଣ ସହିତ ଆହୁରି ଅନେକ ପଦକ୍ଷେପ ଯୋଡ଼ି ହୋଇଛି ଯାହା ମହିଳାଙ୍କ ସଶକ୍ତିକରଣକୁ ସକ୍ଷମ କରିଛି।

ସୂଚନାଯୋଗ୍ୟ, ଗବେଷଣା ପତ୍ରରେ ୨୦୧୭-୧୮ ପରଠାରୁ ଭାରତୀୟ ରାଜ୍ୟଗୁଡ଼ିକରେ, ବିଶେଷକରି ଗ୍ରାମାଞ୍ଚଳରେ ମହିଳା ଏଲଏଫପିଆରରେ ଉଲ୍ଲେଖନୀୟ ପୁନରୁଦ୍ଧାର ଉପରେ ଆଲୋକପାତ କରି ବିସ୍ତୃତ ଆର୍ଥିକ ବିଶ୍ଳେଷଣ ଉପସ୍ଥାପନ କରାଯାଇଛି। ଏହି ଅଧ୍ୟୟନରେ ବ୍ୟବହୃତ ତଥ୍ୟ ସମସ୍ତ ଉପଲବ୍ଧ ରାଉଣ୍ଡ (୨୦୧୭-୧୮ରୁ ୨୦୨୨-୨୦୨୩)ରେ ଅବଧିକାଳୀନ ଶ୍ରମଶକ୍ତି ସର୍ବେକ୍ଷଣ (ପିଏଲ୍ଏଫ୍ଏସ୍)ରୁ ଆସିଛି। ପିଏଲଏଫଏସ ୨.୫ ନିୟୁତରୁ ଅଧିକ ବ୍ୟକ୍ତିଙ୍କ ପାଇଁ ବିସ୍ତୃତ ନିଯୁକ୍ତି ଏବଂ ଜନସଂଖ୍ୟାଗତ ତଥ୍ୟ ପ୍ରଦାନ କରିଥାଏ, ଯାହା ଜାତୀୟ, ରାଜ୍ୟ ଏବଂ ଗ୍ରାମୀଣ / ସହରାଞ୍ଚଳ ସ୍ତରରେ ଧାରା ଏବଂ ଭିନ୍ନତାର ବିଶ୍ଳେଷଣକୁ ସକ୍ଷମ କରିଥାଏ। ଏଲଏଫପିଆରକୁ ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ମୋଟ ଜନସଂଖ୍ୟା ତୁଳନାରେ ନିୟୋଜିତ ଏବଂ ବେକାର ବ୍ୟକ୍ତି (କାମ ପାଇଁ ଚାହୁଁଥିବା କିମ୍ବା ଉପଲବ୍ଧ) ପ୍ରତିଶତ ଭାବରେ ଗଣନା କରାଯାଏ।

Categories
ଆଜିର ଖବର ଜାତୀୟ ଖବର

ସହରାଞ୍ଚଳ ଗରିବ ମହିଳାଙ୍କ ପାଇଁ ଆର୍ଥିକ ସଶକ୍ତିକରଣର ମାଧ୍ୟମ ପାଲଟିଛି ଜାତୀୟ ସହରାଞ୍ଚଳ ଜୀବିକା ମିଶନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୀନଦୟାଲ ଉପାଧ୍ୟାୟ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ସହରର ମହିଳାଙ୍କ ପାଇଁ ଆର୍ଥିକ ସଶକ୍ତିକରଣ ଓ ଆତ୍ମସମ୍ମାନର ମାଧ୍ୟମ ପାଲଟିଛି। ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ରୋଜଗାର ଓ ସ୍ୱରୋଜଗାର ପନ୍ଥା ମିଳିପାରିଛି ଫଳରେ ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଚୌଦ୍ୱାର ଅଞ୍ଚଳରେ। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ମାଧ୍ୟମରେ ବ୍ୟାଙ୍କ ଋଣ ଓ ଅନ୍ୟାନ୍ୟ ସହାୟତା ପାଇବା ପରେ ସେମାନଙ୍କର ଜୀବନରେ ସୁଧାର ଆସିଛି। ଏହି ମହିଳାମାନେ ମେଢ଼ ତିଆରି, ଜରି କାମ, ସିଲେଇ କାମ ଜରିଆରେ ଅର୍ଥ ରୋଜଗାର କରିପାରୁଛନ୍ତି।

ଏହାବ୍ୟତୀତ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଏଫଏସଟିପି ବର୍ଜ୍ୟ ଜଳ ପରିଚାଳନା ପ୍ଲାଣ୍ଟ ପରିଚାଳନା କରୁଛନ୍ତି। ପୂର୍ବରୁ ଅବହେଳିତ ଜୀବନଯାପନ କରୁଥିବା ଏହି ମହିଳାମାନେ ଏବେ ସ୍ୱରୋଜଗାରକ୍ଷମ ଓ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବା ଦ୍ୱାରା ସେମାନଙ୍କ ପରିବାରର ଜୀବନଧାରଣରେ ସୁଧାର ଆସିଛି। ନିକଟରେ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ ମିଳିଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ମିଶନ୍‌ ଅଧୀନରେ ଦେଶର ୪ହଜାର ସହରରେ ୮ ଲକ୍ଷ ୩୧ ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ଏହାଦ୍ୱାରା ୮୪ ଲକ୍ଷରୁ ଅଧିକ ସହରାଞ୍ଚଳ ଗରିବ ମହିଳା ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଏସସି/ଏସଟି, ସଂଖ୍ୟାଲଘୁ, ପରିବାରର ମହିଳା ମୁଖ୍ୟ, ଉଠାଦୋକାନୀ ମହିଳା ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଷ୍ଟାଣ୍ଡ-ଅପ୍‌ ଇଣ୍ଡିଆ ଯୋଜନା ଅଧୀନରେ ୭ ବର୍ଷରେ ୪୦,୭୦୦ କୋଟି ଟଙ୍କାରୁ ଅଧିକ ଋଣ ଅର୍ଥରାଶି ମଞ୍ଜୁର

ନୂଆଦିଲ୍ଲୀ: ଆର୍ଥିକ ସଶକ୍ତିକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେଇ ତୃଣମୂଳସ୍ତରରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୫ ଏପ୍ରିଲ ୨୦୧୬ରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ଶୁଭାରମ୍ଭ କରାଯାଇଥିଲା।  ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର କାର୍ଯ୍ୟକାଳକୁ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ସମ୍ପ୍ରଦାୟର ଆକାଂକ୍ଷୀ ଉଦ୍ୟୋଗୀମାନେ ସମ୍ମୁଖିନ ହେଉଥିବା ସମସ୍ୟାକୁ ଆଖି ଆଗରେ ରଖି ସେମାନଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ଲାଗି ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ମହିଳା ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କୁ ଉତ୍ପାଦନ, ସେବା କିମ୍ବା ବ୍ୟବସାୟିକ ଏବଂ କୃଷି ଆନୁସଙ୍ଗିକ କାର୍ଯ୍ୟକଳାପ କ୍ଷେତ୍ରରେ ନୂଆ ଉଦ୍ୟୋଗ ପ୍ରତିଷ୍ଠାରେ ସହାୟକ ହୋଇଥାଏ।

ଏହି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧.୮ ଲକ୍ଷ ମହିଳା ଓ ଏସସି/ଏସଟି ଉଦ୍ୟୋଗୀଙ୍କୁ ୪୦,୬୦୦ କୋଟି ଟଙ୍କା ମଞ୍ଜୁର କରାଯିବା ଆମ ପାଇଁ ଗର୍ବ ଓ ସନ୍ତୋଷର ବିଷୟ।

ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ୭ ବର୍ଷ ପୂର୍ତ୍ତି ଅବସରରେ ଅର୍ଥ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଏପରି ଏକ ଇକୋସିଷ୍ଟମ ସୃଷ୍ଟି କରିଛି ଯାହାକି ସବୁ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇ ଦେଇ ନୂଆ ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି ଏକ ଅନୁକୂଳ ପରିବେଶ ଯୋଗାଇ ଦେଉଛି ଏବଂ ଆଗକୁ ମଧ୍ୟ ଏହା ଏପରି ପରିବେଶ ଯୋଗାଇ ଦେବ। ଏସସିଏସଟି ଓ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦିଗରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାରେ ବଞ୍ଚିତ/ଅବହେଳିତ ବର୍ଗର ଉଦ୍ୟୋଗୀମାନଙ୍କୁ ବାଧାମୁକ୍ତ ଶସ୍ତା କ୍ରେଡିଟ୍‌ ସୁବିଧା ଯୋଗାଇ ଦେଇ ସଂଖ୍ୟାଧିକ ଲୋକଙ୍କ ଆଶାଆକାଂକ୍ଷା ପୂରଣ କରୁଛି। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଉଦ୍ୟମଶୀଳତା କୌଶଳ ପ୍ରଦର୍ଶନ କରିବା ଓ ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ଆର୍ଥିକ ବିକାଶକୁ ଆଗେଇ ନେବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏକ ଦୃଢ଼ ଇକୋସିଷ୍ଟମ ନିର୍ମାଣ କରିବାକୁ ପ୍ରୋତ୍ସାହନ ଦେଉଛି।

ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ସାତ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନ ରାଓ କରାଡ଼ କହିଛନ୍ତି ଯେ, ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତିକରଣ ବିଶନର ତୃତୀୟ ସ୍ତମ୍ଭ ଉପରେ ଆଧାରିତ ଯାହାକି ‘‘ପାଣ୍ଠିରୁ ବଞ୍ଚିତକୁ ପାଣ୍ଠିଯୋଗାଣ’’ ଉପରେ ଧ୍ୟାନ ଦେଇଥାଏ। ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଜରିଆରେ ଏସସି/ଏସଟି ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ବାଧାମୁକ୍ତ ଋଣ ଯୋଗାଇ ଦେଇ ଉଦ୍ୟୋଗୀ, ସେମାନଙ୍କ କର୍ମଚାରୀ ଓ ପରିବାରର ଜୀବନଧାରଣ ମାନରେ ସୁଧାର ଆଣିବା କ୍ଷେତ୍ରରେ ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଡକ୍ଟର କରାଡ଼ କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଗତ ୭ ବର୍ଷ ମଧ୍ୟରେ ୧.୮ ଲକ୍ଷ ଉଦ୍ୟୋଗୀ ଲାଭାନ୍ୱିତ ହୋଇଛନ୍ତି। ଏବେ ସୁଦ୍ଧା ୮୦% ଋଣ ମହିଳାମାନଙ୍କୁ ଯୋଗାଇ ଦିଆଯିବା ଖୁସିର ବିଷୟ ବୋଲି ଡକ୍ଟର କରାଡ଼ କହିଛନ୍ତି।

ଆମେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ। ଏ ପରିପ୍ରେକ୍ଷୀରେ ଯୋଜନାର ବୈଶିଷ୍ଟ୍ୟ ଓ ସଫଳତା ଉପରେ ଆସନ୍ତୁ ଦୃଷ୍ଟି ପକାଇବା।

ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ଉଦ୍ଦେଶ୍ୟ:

ମହିଳା ଏବଂ ଏସସି ଓ ଏସଟି ସମୁଦାୟରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା :

ଉତ୍ପାଦନ, ସେବା ଓ ବ୍ୟବସାୟ କ୍ଷେତ୍ର ଏବଂ କୃଷି ଆନୁସଙ୍ଗିକ ଗତିବିଧି କ୍ଷେତ୍ରରେ ଗ୍ରୀନଫିଲ୍ଡ ଉଦ୍ୟୋଗରେ ଋଣ ପ୍ରଦାନ କରିବା;

ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ପ୍ରତ୍ୟେକ ବ୍ୟାଙ୍କ ଶାଖାରେ ଅତିକମରେ ଜଣେ ଏସସି/ଏସଟି ଏବଂ ଜଣେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ମଧ୍ୟରେ ବ୍ୟାଙ୍କ ଋଣ ଉପଲବ୍ଧ କରାଇବାର ବ୍ୟବସ୍ଥା ରହିଛି

ଷ୍ଟାଣ୍ଡ ଅପ୍ଇଣ୍ଡିଆ କାହିଁକି?

ବ୍ୟବସାୟରେ ସଫଳ ହେବା ଲାଗି ଉଦ୍ୟୋଗ ପ୍ରତିଷ୍ଠା କରିବା, ଋଣ ହାସଲ କରିବା ଏବଂ ସମୟ ସମୟରେ ଅନ୍ୟ ସହାୟତା ହାସଲ କରିବାରେ ମହିଳା, ଏସସି/ଏସଟି ସମ୍ପ୍ରଦାୟଙ୍କ ପାଇଁ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଚିହ୍ନଟ କରିବା ଉପରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା; ଆଧାରିତ। ସେଥିପାଇଁ ଏହି ଯୋଜନା ଏପରି ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ଲାଗି ପ୍ରୟାସ କରିଥାଏ, ଯାହା ବ୍ୟବସାୟ କରିବା ଲାଗି ସୁବିଧାଜନକ ତଥା ସହାୟକ ବାତାବରଣ ପ୍ରଦାନ କରିଥାଏ ଏବଂ ଏହାକୁ ବଜାୟ ରଖିଥାଏ। ଏସସି, ଏସଟି ଓ ମହିଳା ଋଣଗ୍ରହିତାମାନଙ୍କୁ ଋଣ ସୁବିଧା ଯୋଗାଇ ଦେବା ପାଇଁ ଏହି ଯୋଜନା ସବୁ ବ୍ୟାଙ୍କ ଶାଖାକୁ ପ୍ରୋତ୍ସାହିତ କରିଥାଏ । ଆଗ୍ରହୀ ଆବେଦନକାରୀ ଏହି ଯୋଜନାରେ ଆବେଦନ କରିପାରିବେ:

ସିଧାସଳଖ ବ୍ୟାଙ୍କ ଶାଖାକୁ ଯାଇ କିମ୍ବା,

ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ପୋର୍ଟାଲ (standupmitra.in) ମାଧ୍ୟମରେ କିମ୍ବା,

ଅଗ୍ରଣୀ ଜିଲ୍ଲା ପରିଚାଳକ (ଏଲଡିଏମ)ଙ୍କ ମାଧ୍ୟମରେ।

କେଉଁମାନେ ଋଣ ପାଇବା ଲାଗି ଯୋଗ୍ୟ?

ଅନୁସୂଚିତ ଜାତି/ଜନଜାତି ଏବଂ/କିମ୍ବା ମହିଳା ଉଦ୍ୟୋଗ, ଯେଉଁମାନଙ୍କର ବୟସ ୧୮ ବର୍ଷରୁ ଅଧିକ;

ଯୋଜନା ଅଧୀନରେ ଋଣ କେବଳ ପ୍ରକଳ୍ପ ପାଇଁ ଉପଲବ୍ଧ। ଏ ସନ୍ଦର୍ଭରେ ଗ୍ରୀନଫିଲ୍ଡର ଅର୍ଥ ହେଉଛି : ଉତ୍ପାଦନ, ସେବା କିମ୍ବା ବ୍ୟବସାୟ କ୍ଷେତ୍ର ଏବଂ କୃଷି ସହ ଜଡ଼ିତ ଗତିବିଧରେ ହିତାଧିକାରୀଙ୍କର ପ୍ରଥମ ଉଦ୍ୟୋଗ;

ଅଣ ବ୍ୟକ୍ତିଗତ ଉଦ୍ୟୋଗ କ୍ଷେତ୍ରରେ, ୫୧ ପ୍ରତିଶତ ଅଂଶଧନ ଏବଂ ନିୟନ୍ତ୍ରଣ ଭାଗିଦାରୀ ଏସସି/ଏସଟି ବ୍ୟକ୍ତି ଏବଂ/କିମ୍ବା ମହିଳା ଉଦ୍ୟୋଗୀଙ୍କ ପାଖରେ ରହିବା ଉଚିତ୍;

ଋଣ ନେଉଥିବା ବ୍ୟକ୍ତି ଋଣ ପରିଶୋଧ ନକରିବା ପାଇଁ କୌଣସି ବ୍ୟାଙ୍କ/ଆର୍ଥିକ ସଂସ୍ଥାନରେ ଦୋଷୀ (ଡିଫଲ୍ଟର) ହୋଇଥିବା ଉଚିତ୍‌ ନୁହେଁ ।

ଏହି ଯୋଜନାରେ କେନ୍ଦ୍ର/ରାଜ୍ୟ ଯୋଜନାର ବ୍ୟବସ୍ଥା ଅନୁରୂପ ପ୍ରକଳ୍ପ ବ୍ୟୟର ୧୫ ପ୍ରତିଶତ ପର୍ଯ୍ୟନ୍ତ ମାର୍ଜିନ ମନି (ଅଗ୍ରୀମ ଜମା ଅର୍ଥରାଶି) ଜମା କରିବା ଲାଗି ପରିକଳ୍ପନା କରାଯାଇଛି। ଏପରି ଯୋଜନାର ଲାଭ ମଞ୍ଜୁରିପ୍ରାପ୍ତ ସବସିଡି ଲାଭ କରିବା କିମ୍ବା ଅଗ୍ରମୀ ଜମ ଅର୍ଥରାଶି ଆବଶ୍ୟକତାକୁ ପୂରଣ କରିବା ଲାଗି କରାଯାଇପାରିବ। କିନ୍ତୁ ସବୁ ଯୋଜନାର ଋଣ ନେଉଥିବା ବ୍ୟକ୍ତିଙ୍କୁ ନିଜ ଆଡ଼ୁ ପ୍ରକଳ୍ପ ବ୍ୟୟର ସର୍ବନିମ୍ନ ୧୦ ପ୍ରତିଶତ ବିନିଯୋଗ କରିବାକୁ ପଡ଼ିବ।

ସମର୍ଥନ ଏବଂ ମାର୍ଗଦର୍ଶନ (ହ୍ୟାଣ୍ଡ ହୋଲ୍ଡିଂ ସହାୟତା)

ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ (ସିଡବୀ) ଦ୍ବାରା ଅନଲାଇନ୍‌ ପୋର୍ଟାଲ www.standupmitra.in  ବିକଶିତ କରାଯାଇଛି, ଯାହାକି ଋଣ ପାଇଁ ଇଚ୍ଛକୁ ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ବ୍ୟତୀତ, ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ବ୍ୟବସାୟିକ ଉଦ୍ୟୋଗ ପ୍ରତିଷ୍ଠା କରିବା ଏବଂ ଏହାର ପ୍ରୟାସରେ ମାର୍ଗଦର୍ଶନ ପ୍ରଦାନ କରିତାଏ। ଏଥିରେ ପ୍ରଶିକ୍ଷଣ ସୁବିଧା ଠାରୁ ଆରମ୍ଭ କରି ବ୍ୟାଙ୍କର ଆବଶ୍ୟକତା ଅନୁଯାୟୀ ଋଣ ଆବେଦନ ପୂରଣ କରିବା ପର୍ଯ୍ୟନ୍ତ କାର୍ଯ୍ୟ ସାମିଲ ରହିଛି। ୮,୦୦୦ ଅଧିକ ସମର୍ଥନ ତଥା ମାର୍ଗଦର୍ଶନ (ହ୍ୟାଣ୍ଡହୋଲ୍ଡିଂ) ଏଜେନ୍ସିର ନେଟୱର୍କ ମାଧ୍ୟମରେ, ଏହି ପୋର୍ଟାଲ ଋଣ ନେବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ବିଶେଷଜ୍ଞ ଏଜେନ୍ସିମାନଙ୍କ ସହିତ ଯୋଡ଼ିବା ଲାଗି ପର୍ଯ୍ୟାୟ ଆଧାରିତ ମାର୍ଗଦର୍ଶନ ସୁବିଧା ପ୍ରଦାନ କରିଥାଏ। ଏଥିରେ କୌଶଳ ବିକାଶ କେନ୍ଦ୍ର, ସମର୍ଥନ ଏବଂ ମାର୍ଗଦର୍ଶନ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ କେନ୍ଦ୍ର, ଜିଲ୍ଲା ଉଦ୍ୟୋଗ କେନ୍ଦ୍ର ଆଦିର ଠିକଣା ଓ ଫୋନନମ୍ବର ପ୍ରଦାନ କରିବା ଆଦି କାର୍ଯ୍ୟ ସାମିଲ ରହିଛି।

୨୧ ମାର୍ଚ୍ଚ ୨୦୨ ସୁଦ୍ଧା ଯୋଜନାର ଉପଲବ୍ଧି

ଯୋଜନା ଆରମ୍ଭ ହେବା ପର ଠାରୁ ୨୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା ଅଧୀନରେ ୧,୮୦,୬୩୬ଟି ବ୍ୟାଙ୍କ ଆକାଉଣ୍ଟରେ ୪୦,୭୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।