ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥିକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ପାଳନ କରିଆସୁଛି। ଚଳିତ ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ ଫେବ୍ରୁଆରି ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଯାହା କି ଏହି ଅଭିଯାନର ଦଶମ ସଂସ୍କରଣ ଅଟେ। ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିଚାରକୁ ନେଇ ଏଫଏଲଡବ୍ଲୁ ୨୦୨୫ ର ବିଷୟବସ୍ତୁ ” ଆର୍ଥିକ ବୁଦ୍ଧିମତା ଯାହାରି, ସେ ସମୃଦ୍ଧ ନାରୀ” ରଖାଯାଇଛି। ଏହି ଅଭିଯାନରେ ଗୃହିଣୀ, କର୍ମଜୀବୀ ମହିଳା ଏବଂ ମହିଳା ଉଦ୍ୟୋଗୀଙ୍କ ଉପରେ ବିଶେଷ ଧ୍ୟାନ ଦେଇ “ଆର୍ଥିକ ଯୋଜନା”, “ସଞ୍ଚୟ ଏବଂ ରିସ୍କ ପରିଚାଳନା” ଏବଂ “ଅଭିବୃଦ୍ଧି ପାଇଁ ଋଣ ନେବା ” ଉପରେ ଗୁରୁତ୍ୱ ଦିଆଯାଇଛି। ଆରବିଆଇ ପ୍ରମୁଖ ଟେଲିଭିଜନ, ରେଡିଓ ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଏଫଏଲଡବ୍ଲୁ ୨୦୨୫ ର ବାର୍ତ୍ତା ଉପରେ ଏକ କେନ୍ଦ୍ରୀଭୂତ ଗଣମାଧ୍ୟମ ଅଭିଯାନ କରୁଅଛି।
ଆରବିଆଇ ଭୁବନେଶ୍ୱର ପକ୍ଷରୁ ଏଫଏଲଡବ୍ଲ୍ୟୁ ୨୦୨୫ ର ଉଦଘାଟନୀ ଉତ୍ସବ ୨୪ ଫେବୃଆରୀ ୨୦୨୫ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ଆରବିଆଇ ଭୁବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ ଡ. ସାରଦା ପ୍ରସନ ମହାନ୍ତି ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ନିଜ ଅଭିଭାଷଣରେ ସେ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଆର୍ଥିକ ଅନ୍ତର୍ଭୂକ୍ତିକରଣ ରେ ମହିଳାଙ୍କ ବହୁମୁଖୀ ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କ ଆର୍ଥିକ ସାକ୍ଷରତାର ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ। ଆରବିଆଇର ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ସମାବେଶକୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଏସ୍ କେ ତାଲୁକଦାର; ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଡିଆଇଏଫ୍ ଡ. ପ୍ରଜ୍ଞାସ୍ମିତା ସାହୁ ଏବଂ ମହାପ୍ରବନ୍ଧକ ତଥା ଏସଏଲବିସି ଆବାହକ ଗୌତମ ପାତ୍ର ମଧ୍ୟ ଉପସ୍ଥିତ ଥିଲେ।
ଉଦଘାଟନୀ ଉତ୍ସବରେ ରିଜର୍ଭ ବ୍ୟାଙ୍କ, ରାଜ୍ୟ ସରକାର, ନାବାର୍ଡ, ସିଡ଼ବି ଏବଂ ବିଭିନ୍ନ ବ୍ୟାଙ୍କ ର ବରିଷ୍ଠ ଅଧିକାରୀ ତଥା ପ୍ରତ୍ୟେକ ଟାର୍ଗେଟ୍ ଗୃପ (ଗୃହିଣୀ, କର୍ମଜୀବୀ ମହିଳା ଓ ମହିଳା ଉଦ୍ୟୋଗୀ) ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।। ଏହି କାର୍ଯ୍ୟକ୍ରମରେ ମହିଳା ଟାର୍ଗେଟ ଗୃପ ଗୁଡ଼ିକ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବାର ବିଷୟବସ୍ତୁ ଏବଂ ଉପାୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଫଏଲଡବ୍ଲୁ ୨୦୨୫ ର ବିଷୟବସ୍ତୁ ଏବଂ ଉପ-ବିଷୟବସ୍ତୁ ଉପରେ ଆଲୋକପାତ କରି ଏକ ନୁକ୍କଡ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା।
ଏହି ସପ୍ତାହରେ ଆରବିଆଇ ଭୁବନେଶ୍ୱର ବିଭିନ୍ନ ବ୍ୟାଙ୍କ ଏବଂ ଅନ୍ୟ ଅଂଶୀଦାରଙ୍କ ସହଯୋଗରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଆର୍ଥିକ ସାକ୍ଷରତା ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବ।