ନୂଆଦିଲ୍ଲୀ/ଭୁବନେଶ୍ୱର: ପାରାଦୀପ ପ୍ଲାଷ୍ଟିକ୍ ପାର୍କର ବିକାଶ ପାଇଁ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ଡେଭଲପମେଂଟ୍ କର୍ପୋରେସନ(ଇଡକୋ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ନିର୍ମାଣ ହେବାକୁ ଥିବା ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ସମ୍ଭାବନା ଆଣିବ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟ ସରକାର ସଂଘୀୟ ଢାଂଚାରେ କେନ୍ଦ୍ର ସରକାରଙ୍କ ସହଯୋଗ ତଥା ନିଜ ଦାୟିତ୍ୱ ନେଇ ପୂରଣ କଲେ ଓଡିଶାର ସର୍ବାଙ୍ଗୀନ ବିକାଶ ହେବ।
ସେହିପରି ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଓଡିଶାରେ ଯୁବକ ଯୁବତୀଙ୍କ ରୋଜଗାର ପାଇଁ ଶିଳ୍ପାୟନର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ରାଜ୍ୟ ସରକାରଙ୍କ ଠାରୁ ପାରାଦୀପ ବିଶୋଧନାଗରର ସମ୍ପ୍ରସାରଣ, ଟେକ୍ସଟାଇଲ ଶିଳ୍ପ ସ୍ଥାପନ ତଥା ରାଜ୍ୟରେ ବିଭିନ୍ନ ପେଟ୍ରୋକେମିକାଲ ଓ ଅନ୍ୟାନ୍ୟ ଶିଳ୍ପାୟନର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅପେକ୍ଷା ରଖିଛନ୍ତି। ପାରାଦୀପ ରିଫାଇନାରୀର କ୍ଷମତା ୧୫ରୁ ୨୫ ମିଲିୟନ ଟନ ବୃଦ୍ଧି କରିବା ତଥା ପାରାଦୀପରେ ବିଶୋଧନାଗାରର ସମ୍ପ୍ରସାରଣ ଏବଂ ନାପତା କ୍ରାକର ପ୍ରକଳ୍ପ ପାଇଁ ଜାଗା ଯୋଗାଇ ଦେବା, ବୟନ ଶିଳ୍ପର ପ୍ରତିଷ୍ଠା, ପେଟ୍ରୋକେମିକାଲ ଶିଳ୍ପର ଅଭିବୃଦ୍ଧି ଏବଂ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ସ୍ଥାପନା ପାଇଁ ରାଜ୍ୟ ସରକାର ସହଯୋଗୀ ହେବାକୁ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।
ପାରାଦୀପ ପ୍ଲାଷ୍ଟିକ୍ ପାର୍କ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପ ଠାରେ ୧୦୬.୭୮ କୋଟି ଟଙ୍କା ବ୍ୟୟରେ ୧୨୦ ଏକର ଜମିରେ ୮୦ଟି ଶିଳ୍ପଭିତିକ ୟୁନିଟ୍ ତଥା ଇଣ୍ଡିଆନ ଅଏଲ ଏବଂ ଇଡକୋର ମିଳିତ ଉଦ୍ୟୋଗରେ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ। ଏହା ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଭାରତରେ ପ୍ରଥମ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ପାରାଦୀପ ପ୍ଲାଷ୍ଟିକ ପାର୍କ। ଏହା ପ୍ଲାଷ୍ଟିକର ଆମଦାନୀକୁ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବ। ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ସେହିପରି ଇଣ୍ଡିଆନ ଅଏଲ ୪୦ କୋଟି ଟଙ୍କା ଖର୍ଚ୍ଚ କରି ସେଠାରେ ଏକ ବିକାଶ ସଂସ୍ଥା ତିଆରି କରିଛି । ଯଦ୍ୱାରା ଏଠାରେ କାରଖାନା ପ୍ରତିଷ୍ଠା କରିବା ପାଇଁ ଆସୁଥିବା ଶିଳ୍ପସଂସ୍ଥାମାନେ ବୈଷୟିକ ଓ ଆନୁଷଙ୍ଗିକ ସହୟତା ପାଇପାରିବେ। ରାଜ୍ୟର ଶିଳ୍ପାୟନ ଓ ରାଜସ୍ୱ ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ଭଲ ଉଦ୍ୟମ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରଛନ୍ତି।
ପାରାଦୀପ ସମେତ ଓଡିଶାର ଖୋର୍ଦ୍ଧା ବାଲେଶ୍ୱର, ବ୍ରହ୍ମପୁର, କଟକ ଜିଲ୍ଲାରେ ପ୍ଲାଷ୍ଟିକ ଆଧାରିତ ଶିଳ୍ପ ସମୂହ ଗଢି ଉଠିଥିବା ବେଳେ ରାଜ୍ୟରେ ଏହି ଶିଳ୍ପର ସ୍ଥାପନା ନିମନ୍ତେ ଇନସିଏଟିଭ୍ ଦେବା ପାଇଁ ଇଣ୍ଡିଆନ ଅଏଲକୁ ଦାୟିତ୍ୱ ଦିଆଯାଇଛି। ଯଦ୍ୱାରା ପ୍ଲାଷ୍ଟିକ୍ ପାର୍କ ପାଇଁ ଶସ୍ତାରେ କଂଚାମାଲ ମିଳିଲେ ବିଶେଷ ଭାବରେ ଓଡିଆ ଯୁବକମାନେ ଉଦମୀ ହେବାର ପ୍ରଚେଷ୍ଟା କରିବେ। ତେଣୁ ଇଣ୍ଡିଆନ ଅଏଲ ଜାତୀୟ ବଜାରରୁ ମେଟ୍ରିକ୍ ଟନ୍ ପିଛା ୨ ହଜାର ଟଙ୍କାରେ କଂଚାମାଲ କିଣି ଓଡିଶାର ଶିଳ୍ପ ସଂସ୍ଥାକୁ ଯୋଗାଇବ। ଏହା ଦ୍ୱାରା ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଅନେକ ସମ୍ଭାବନା ତିଆରି ହେବ।
ବିଗତ ୪ ବର୍ଷ ହେଲା ପାରାଦୀପ ରିଫାଇନାରୀ ୧୫ ମିଲିୟନ ଟନ୍ର ଅତ୍ୟାଧୁନିକ ରିଫାଇନାରୀ ଭାବରେ କାର୍ଯ୍ୟକ୍ଷମ। ଏହି ୧୫ ମିଲିୟନ ଟନ୍କୁ ୨୫ ମିଲିୟନ ଟନ୍ କରିବାର ଇଣ୍ଡିଆନ ଅଏଲର ଲକ୍ଷ୍ୟ ରହିଛି। ଏଥିପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ ହେବ। ଓଡିଶାରେ ପ୍ଲାଷ୍ଟିକ୍ ଶିଳ୍ପ ଓ ବୟନ ଶିଳ୍ପ ପାଇଁ ଇସ୍ପାତ୍ ଶିଳ୍ପର ମିଡିଲ ହୁକ୍ ପାଇଁ ଏବେ ଇଣ୍ଡିଆନ ଇଏଲ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି। ପାରାଦୀପ ଓ ଭଦ୍ରକ ଅଂଚଳରେ ୨୬ ହଜାର ଟଙ୍କାର ପ୍ରକଳ୍ପ ଯଥା ପଲିପ୍ରପିଲିନ୍ ପ୍ଲାଂଟ୍ ସମେତ ଅନ୍ୟାନ୍ୟ କାମ ୨୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଆଗାମୀ ୨ ବର୍ଷ ଭିତରେ ସମାପ୍ତ ହେବ।
ଓଡିଶା ସରକାରଙ୍କ ନାପତା କ୍ରାକର ପାଇଁ ଦାବୀ ରହୁଥିଲା। ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଚେନ୍ନାଇର ସିପିସିଏଲ, ହଳଦିଆ, ଏବଂ ପାରାଦୀପ ରିଫାଇନାରୀର ନାଫତାକୁ ଉପଯୋଗ କରିବା ନେଇ ଆଇସି ନୀତିଗତ ଭାବେ ସହମତି ହୋଇଛି। ନାପତା କ୍ରାକର ୟୁନିଟ୍ ଓ ପାରାଦୀପ ବିଶୋଧନାଗାର ସମ୍ପ୍ରସାରଣ ୨ଟି ପ୍ରକଳ୍ପ ଖୁବ ଶୀଘ୍ର ଭାରତଙ୍କ ଦ୍ୱାରା ନୀତିଗତ ଅନୁମୋଦନ ପ୍ରାପ୍ତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ଅଢେଇ ହଜାର ଏକର ଜାଗାର ଆବଶ୍ୟକତା ରହିଛି।
ଓଡିଶାରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ପାଇଁ ଚଣ୍ଡିଖୋଲ ଅଂଚଳରେ ପାଖାପାଖି ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ୪ ମିଲିୟନ ଟନର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ବନାଇବା ପାଇଁ ଭାରତ ସରକାର ନୀତିଗତ ନିଷ୍ପତି ନେଇଛନ୍ତି। ଏହା ବିଶ୍ୱ ବାଣିଜ୍ୟ ତଥା ତୈଳ ଅର୍ଥନୀତି ଓ ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।