Categories
ଆଜିର ଖବର ରାଜ୍ୟ ଖବର

ଘୂର୍ଣ୍ଣିବଳୟ ପ୍ରଭାବରେ ଦୁଇ ଦିନ ହେବ ବର୍ଷା: ୨୨ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ଓ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଓଡିଶାରେ ଦୁଇ ଦିନ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ଦୁଇ ଦିନ ଯାଏଁ ଉତ୍ତର ଓଡିଶା ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି।

ତେବେ ଏନେଇ ଓଡିଶାର ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ପାଇଁ ଖର୍ଚ୍ଚ ହେବ ୫୮, ୭୦୦ କୋଟି

ନୂଆଦିଲ୍ଳୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, ସାଗରମାଳା ପ୍ରକଳ୍ପର ସଫଳତା ଆଧାରରେ ତାଙ୍କ ମନ୍ତ୍ରଣାଳୟ ଦେଶର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଏହି କାର୍ଯ୍ୟକ୍ରମ ସାଗରମାଳା ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ।

ଜାତୀୟ ସାଗରମାଳା ଶୀର୍ଷ କମିଟି (ଏନ୍‌ଏସ୍‌ଏସି)ର ଏକ ବୈଠକ ପରେ ମନ୍ତ୍ରୀ ଶ୍ରୀ ସୋନୋୱାଲ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ଏକାଧିବାର ଆଲୋଚନା ଓ ବିଚାର ବିମର୍ଶ ପରେ ଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୫୬୭ଟି ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚିହ୍ନଟ ହୋଇଥିବା ଏହି ପ୍ରକଳ୍ପଗୁଡିକ କନ୍‌ଭରଜେନ୍ସ ମୋଡ୍ (କେନ୍ଦ୍ରାଭିମୁଖୀ ବ୍ୟବସ୍ଥା)ରେ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ୫୮,୭୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ସେ କହିଛନ୍ତି ଯେ ସାଗରମାଳା ଯୋଜନାରେ ବନ୍ଦର ଓ ବନ୍ଦର ସଂଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇ ପରିବହନ ଓ ରପ୍ତାନୀ ଆମଦାନୀ ଖର୍ଚ୍ଚ ଯଥେଷ୍ଟ କମାଇବାକୁ ଗୁରୁତ୍ୱ ଦିଆଯାଉଛି। ତେବେ ଉପକୂଳ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ଯୋଜନାର ଲକ୍ଷ୍ୟ ହେଲା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମୌଳିକ ଭିତ୍ତିଭୂମିର ଯେଉଁ ଅଭାବ ରହିଛି  ତାହାକୁ ଦୂର କରିବା ଏବଂ ଏହା ମାଧ୍ୟମରେ ଅର୍ଥନୀତିକ ସୁବିଧା ସୁଯୋଗ ସୃଷ୍ଟି କରିବା। ଏଥିପାଇଁ ଚିହ୍ନଟ ହୋଇଥିବା ପ୍ରକଳ୍ପ ଏବଂ ସାଗରମାଳା କାର୍ଯ୍ୟକ୍ରମରେ ଆସୁଥିବା ପ୍ରକଳ୍ପର ମୋଟ ସଂଖ୍ୟା ୧୫୩୭ରେ ପହଞ୍ôଚିଛି। ଏ ସମସ୍ତ ପ୍ରକଳ୍ପର ବ୍ୟୟ ଅଟକଳ ୬. ୫ ଲକ୍ଷ  କୋଟି ଟଙ୍କା  ବୋଲି ମନ୍ତ୍ରୀ ଶ୍ରୀ ସୋନୋୱାଲ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ କମିଟି ଦେଶରେ ଚାଲିଥିବା ସାଗରମାଳା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ସହ ତତ୍‌ସଂକ୍ରାନ୍ତ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ବିଚାର ଆଲୋଚନା କରିଛି।

ସେ କହିଛନ୍ତି ଯେ ସାଗରମାଳା ଯୋଜନା ଅଧୀନରେ ୫.୫ ଲକ୍ଷ କୋଟି ଟଙ୍କାର ୫୦୨ ଟି ପ୍ରକଳ୍ପକୁ ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୯୯.୨୮୧ କୋଟି ଟଙ୍କାର ୨୦୨ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆହୁରି ମଧ୍ୟ ଏହି ଯୋଜନାରେ ସରକାରୀ-ଘରୋଇ (ପିପିପି) ସହଭାଗିତାରେ ୪୫ହଜାର କୋଟି ଟଙ୍କାର ୨୯ଟି ପ୍ରକଳ୍ପକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇପାରିଛି। ଏହା ଫଳରେ ସରକାରୀ ତହବିଲ ଉପରୁ ଚାପ ହ୍ରାସ ପାଇଛି। ଅତିରିକ୍ତ ୩୨ଟି ପ୍ରକଳ୍ପ ପିପିପି ଢାଞ୍ଚାରେ ଏବେ କାର୍ଯ୍ୟକାରୀ ହେଉଛି ଏବଂ ଏହାର ମୋଟ ବ୍ୟୟ ପରିମାଣ ୫୧ହଜାର କୋଟି ଟଙ୍କା। ଏହା ବ୍ୟତୀତ ୨. ୧୨ଲକ୍ଷ କୋଟି ଟଙ୍କାରେ ଏବେ କାର୍ଯ୍ୟକାରୀ ହେଉଥିବା ୨୦୦ରୁ ଅଧିକ ପ୍ରକଳ୍ପ ଦୁଇବର୍ଷ ମଧ୍ୟରେ  ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି।

ଜାତୀୟ ସାଗରମାଳା ଶୀଷ କମିଟିର ବୈଠକ ଆଜି ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ, ବାଣିଜ୍ୟ, ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ତଥା ବୟନ ମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ରଶିକ୍ଷା ତଥା ଉଦ୍ୟମିତା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ, ରେଳବାଇ, ଯୋଗାଯୋଗ, ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଜଙ୍ଗଲ, ପରିବେଶ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ସଂସ୍କୃତି ପର୍ଯ୍ୟଟନ ତଥା ଉତ୍ତର ପୂର୍ବାଞ୍ଚଳ ବିକାଶମନ୍ତ୍ରୀ ଜି. କିଷନ ରେଡ୍ଡୀ, ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଦେଶର ଅନ୍ୟାନ୍ୟ ସମୁଦ୍ର ତଟବର୍ତ୍ତୀର ରାଜ୍ୟର ମନ୍ତ୍ରୀମାନେ ଯୋଗଦେଇଥିଲେ।

କେନ୍ଦ୍ର ବନ୍ଦର, ଜଳପଥ ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ   ଏପର୍ଯ୍ୟନ୍ତ ୧୪୦ଟି ପ୍ରକଳ୍ପକୁ ୮୭୪୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ବିଭିିନ୍ନ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣ ବାବଦରେ ଆଉ ଯେଉଁ ସବୁ ଅତିରିକ୍ତ ପ୍ରସ୍ତାବ ପଠାଇଛନ୍ତି ମନ୍ତ୍ରଣାଳୟ ସେସବୁର ସମୀକ୍ଷା କରୁଛି। ଭାସମାନ ଜେଟି ନିର୍ମାଣ ପାଇଁ ଦେଶର ୨୦୦ରୁ ଅଧିକ ସ୍ଥାନକୁ ଚିହ୍ନଟ କରାଯାଇଛି। ସେଥିରୁ ୫୦ଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ ଜେଟି ନିର୍ମାଣ ଓ ବିକାଶ କାମ ହାତକୁ ନିଆଯିବ। ବୈଠକରୁ ଆହୁରି ଜଣାପଡିଥିଲା ଯେ ଦେଶର ବିିଭିନ୍ନ ରାଜ୍ୟରେ ୩୩ଟି ମାଛଧରା ବନ୍ଦର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିରୁ ୨୨ଟି ପ୍ରକଳ୍ପ ପାଇଁ ୨୪୦୦କୋଟି ଟଙ୍କା ଅଂଶଭିତ୍ତିକ ସହାୟତା ଆକାରରେ ଯୋଗାଇ ଦେବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଦେଶରେ ଚାଲିଥିବା ଜାତୀୟ ଧ୍ୱଜାଧାରୀ କାର୍ଯ୍ୟକ୍ରମ ସାଗରମାଳା ପ୍ରକଳ୍ପ ସଫତଳାର ସହିତ ସାତବର୍ଷ ପୂରଣ କରିଛି। ଏହା ଫଳରେ ଦେଶର ସାମୁଦ୍ରିକ ବାଣିଜ୍ୟ କାରବାରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିବା ସହିତ ଦେଶରେ ଅର୍ଥନୀତିକ କାର୍ଯ୍ୟକଳାପ ବଢିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୃହତ୍ ପ୍ରକଳ୍ପମାନ ନିର୍ମିତ ହେଉଛି। ଏଥିରେ ବନ୍ଦରର ଆଧୁନିକୀକରଣ, ରେଳ, ସଡକ ଓ ଜଳସଂଯୋଗ ପଥର ଉନ୍ନତି, ନୂଆ ଶିଳ୍ପାଂଚଳ ପ୍ରତିଷ୍ଠା ସହ ବନ୍ଦରଭିତିକ ଶିଳ୍ପାଂଚଳର ବିକାଶ, ଗୋଷ୍ଠୀ ଉନ୍ନୟନ, ଉପକୂଳ ଜାହାଜ ଚଳାଚଳ ଓ ଅନ୍ତର୍ଦେଶୀୟ ଜଳପଥର ଉନ୍ନତି ଆଦି କାମ କରାଯାଇଛି। ସାମର୍ଥ୍ୟ ବିକାଶ ଘଟିଛି, କର୍ମନିଯୁକ୍ତି ସୃଷ୍ଟି ହେଉଛି, ଘରୋଇ ସହଯୋଗ ବଢୁଛି, ପରିବହନ ଓ ଗମନାଗମନ ସମୟ କମୁଛି। ସାମଗ୍ରୀ ବା ରସଦ ଯୋଗାଣ ବାବଦ ଖର୍ଚ୍ଚ ହ୍ରାସ ପାଉଛି, ବେପାର ବଣିଜ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି ତଥା ସର୍ବୋପରି ଭାରତକୁ ଏହି ଯୋଜନା ବିଶ୍ୱ ସାମୁଦ୍ରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ଅଗ୍ରଣୀ ସ୍ଥାନରେ ପହଂଚାଇବାରେ ସଫଳ ହୋଇଛି।

ବନ୍ଦରଗୁଡିକର କାରବାରକୁ ସୁଗମ ଓ ଦକ୍ଷ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସେଥିରେ ଆଧୁନିକୀକରଣ, ମେକାନାଇଜେସନ ଓ ଡିଜିଟାଇଜେସନଙ୍କୁ ଅଗ୍ରାଧିକାର ଭିତିରେ କାର୍ଯ୍ୟକାରୀ କରାଯାଉଛି। ଏହା ଫଳରେ  ଆନ୍ତର୍ଜାତିକ ବାଣିଜ୍ୟରେ ଖର୍ଚ୍ଚ ଓ ସମୟ ଯଥେଷ୍ଟ କମିଛି। ବନ୍ଦରଗୁଡିକରେ ଡାଇରେକ୍ଟ ପୋର୍ଟ ଡେଲିଭେରି, ଡାଇରେକ୍ଟ ପୋର୍ଟ ଏଣ୍ଟ୍ରି ବ୍ୟବସ୍ଥା ସହିତ କଣ୍ଟେନର ସ୍କାନର ଓ ରେଡିଓ ଫ୍ରିକ୍ୟୁଏନି୍ସ  ଆଇଡେଣ୍ଟିଫିକେସନ ସୁବିଧା କରାଯାଇଛି। ଏହାଛଡା ପୋର୍ଟ କମ୍ୟୁନିଟି ସିଷ୍ଟମ ମାଧ୍ୟମରେ ସିଧାସଳଖ ବାଣିଜ୍ୟ ସୁବିଧା ବିଭିନ୍ନ ରାଷ୍ଟ୍ରକୁ ଯୋଗାଇ ଦିଆଯାଉଛି।

ଦେଶର ରପ୍ତାନୀ ଆମଦାନୀରେ ବନ୍ଦରଗୁଡିକରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସରକାର ବନ୍ଦର ସମୂହର ବିକାଶ, ଆଧୁନିକୀକରଣ ଓ କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ଅଗ୍ରାଧିକପାର ଭିତିରେ କାର୍ଯ୍ୟକାରୀ କରୁଛନ୍ତି। ଏହା ଫଳରେ ଦେଶର କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟ ଚାହିଦା ପୂରଣ କରିବାକୁ ବନ୍ଦରଗୁଡିକ ସମର୍ଥ ହେଉଛନ୍ତି। ୨୦୧୪-୧୫ରେ ଦେଶର ବନ୍ଦର ସମୂହର ମୋଟ କାରବାର କ୍ଷମତା ଥିଲା ବାର୍ଷିକ ୧୫୩୧ମେଟ୍ରିକ ଟନ। ୨୦୨୦-୨୧ରେ ଏହି କ୍ଷମତା ୨୫୫୪.୬୧ ମେଟ୍ରିକ ଟନକୁ ବୃଦ୍ଧି ପାଇଥିଲା।

ସେହିଭଳି ୨୦୨୧-୨୨ରେ ଦେଶର ପ୍ରମୁଖ ବନ୍ଦରଗୁଡିକରେ ଟ୍ରାଫିକ କାରବାର ପୂର୍ବ ବର୍ଷ ତୁଳନାରେ ୬.୯୪ ଶତାଂଶ ବଢିଥିଲା। କାମରାଜର, ଜେଏନପିଟି, ଦୀନଦୟାଲ, ମୁମ୍ବାଇ ଓ କୋଚିନ – ଏହି ପାଂଚଟି ପ୍ରମୁଖ ବନ୍ଦରର କାରବାର ଏହି ସମୟରେ ବେଶ ଉଲ୍ଲେଖନୀୟ ରହିଥିଲା।

ବନ୍ଦରର  ଭିତ୍ତିଭୂମି ବୃଦ୍ଧି ପାଇଁ ସାଗରମାଳା ଯୋଜନାରେ ବିଭିନ୍ନ କାର୍ଯ୍ୟ କରାଯାଉଛି। ସେଥିରେ ବନ୍ଦରର ଗଭୀରତା ବୃଦ୍ଧି, ନୂଆ ବର୍ଥ ଓ ଟର୍ମିନାଲ ନିର୍ମାଣ, ଡ୍ରୋଜିଂ, ବୃହତ ଜାହାଜର ପ୍ରବେଶ ପାଇଁ ଚାନେଲର ଗଭୀରତା ଓ ପ୍ରଶସ୍ତତା ବୃଦ୍ଧି, ମାଲ୍‌ବୋଝେଇ ଓ ଖଲାସ ପାଇଁ ଆଧୁନିକ ଯାନ୍ତ୍ରିକ ବ୍ୟବସ୍ଥାର ପ୍ରୟୋଗ ଆଦି ଅନ୍ତର୍ଭୁକ୍ତ। ଏସବୁ ଫଳରେ ବନ୍ଦରରେ ଜାହାଜରେ ହାରାହାରି ବୋଝେଇ ଓ ଖଲାସ ସମୟ ୨୦୨୧-୨୨ ରେ ୫୨.୮୦ ଘଣ୍ଟା ଥିଲା। ୨୦୧୪-୧୫ରେ ଏହି ସମୟ ଥିଲା ୯୬ ଘଣ୍ଟା। ସେହଭଳି କଣ୍ଟେନର ବୋଝେଇ ଓ ଖଲାସର ହାରାହାରି ସମୟ ୨୦୧୪-୧୬ରେ ୩୫.୨୧ ଘଣ୍ଟା ଥିବାବେଳେ ୨୦୨୧-୨୨ରେ ୨୭.୨୨ ଘଣ୍ଟାକୁ ହ୍ରାସ ପାଇଛି।

ମନ୍ତ୍ରଣାଳୟରେ ମଧ୍ୟ ସାଗରମାଳା କାର୍ଯ୍ୟକ୍ରମରେ ମୁମ୍ବାଇ ଓ ମର୍ମୁଗାଁଓ   ବନ୍ଦରରେ ଦୁଇଟି ବୃହତ କ୍ରୁଜ ଟର୍ମିନାଲ ନିର୍ମାଣ କରୁଛି। ମୁମ୍ବାଇରେ ଏହା ୩୦୩ କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ୭୦ ଶତାଂଶରେ ପହଞ୍ଚିଲାଣି। ମନ୍ତ୍ରଣାଳୟ ମଧ୍ୟ ଆର୍‌ଓଆରଓ ଏବଂ ରୋପାକ୍ସ ସୁବିଧା ଉପେରେ ଗୁରୁତ୍ୱ ଦେଉଛି ଏବଂ ଏହା ଫଳରେ ଯାତ୍ରା ସମୟ ଯଥେଷ୍ଟ ହାସ ପାଉଛି। ଉଭୟଯାତ୍ରୀ ଓ ମାଲପରିବହନରେ ଘରୋଇ ଉଦ୍ୟୋଗକୁ ସରକାର ମଧ୍ୟ ପ୍ରୋତ୍ସାହନ ଯୋଗାଉଛନ୍ତି। ଏବେ ମନ୍ତ୍ରଣାଳୟ ଜାଣିବାକୁ ପାଉଛିି ଯେ ବନ୍ଦରଗୁଡିକରେ ଡ୍ରେଜିଂ ବାବଦ ଖର୍ଚ୍ଚ ଅଧିକ ହେଉଛି  ଏବଂ ମିଳୁଥିବା ରାଜସ୍ୱ ତୁଳନାରେ ଏହା ଅତି ଅଧିକ। ତେଣୁ ଏ ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଆଧାରରେ ସାଗରମାଳା ଯୋଜନାରେ ଦେଶର ବନ୍ଦରଗୁଡିକର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇ କାମ ହେଉଛି। ଏଥିରେ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଥିବା ସବୁ ଅଭାବ ଦୂର କରାଯାଉଛି। ସେହିଭଳି ପ୍ରମୁଖ ବନ୍ଦରଗୁଡିକକୁ ଉତ୍ତମ ସଂଯୋଗ ଯୋଗାଇ ଦେବାକୁ ଅବଶିଷ୍ଟ ବାକି କାମ  ଶୀଘ୍ର  ଶେଷ କରିବାକୁ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ସହ ପରାମର୍ଶ ଜାରି ରହିଛି।

ଏହି ବୈଠକରେ ବିଭିନ୍ନ ରାଜ୍ୟର ମନ୍ତ୍ରୀମାନେ ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସାଗରମାଳା କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ତଥ୍ୟ ପ୍ରକାଶ କରିଥିଲେ। କେବକ ରାଜ୍ୟ  ମଧ୍ୟ ଏଥିପାଇଁ ଅତିରିକ୍ତ ପ୍ରକଳ୍ପ ପ୍ରସ୍ତାବ ଦେଇ କେନ୍ଦ୍ରଠାରୁ ଆର୍ଥିକ ସହାୟତା ଲୋଡିଥିଲେ। ଜାତୀୟ ସାଗରମାଳା ଶୀର୍ଷ କମିଟି ୨୦୧୫ ମେ ୧୩ରେ ଗଠିତ ହୋଇଥିଲା। ସାଗରମାଳା ପ୍ରକଳ୍ପର ନିର୍ମାଣ, କାର୍ଯ୍ୟକାରିତା ଓ ନୀତି ନିର୍ଦ୍ଧାରଣ କରିବାରେ ଏହା ଶୀର୍ଷ ସଂସ୍ଥା । କେନ୍ଦ୍ର ଜାହାଜ ଚଳାଚଳ, ବନ୍ଦର ଓ ଜଳପଥ ମନ୍ତ୍ରୀ ଏହାର ଅଧ୍ୟକ୍ଷ। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ସଦସ୍ୟ ଅଛନ୍ତି । (ପିଆଇବି)