Categories
ଜାତୀୟ ଖବର ବିଶେଷ ଖବର

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହରେ ଉପରାଷ୍ଟ୍ରପତି କହିଲେ ଏପରି କଥା

ନୂଆଦିଲ୍ଲୀ: ରାଷ୍ଟ୍ରର ବିକାଶ ପାଇଁ ଶିକ୍ଷା ହେଉଛି ସବୁଠୁ ଶକ୍ତିଶାଳୀ ମାଧ୍ୟମ। ଉଚ୍ଚ ଶିକ୍ଷା ଯଦି ଗୁଣାତ୍ମକ ମାନର ହେବ ତେବେ ଦେଶର ବିକାଶ ପଥକୁ ପରିବର୍ତନ କରିପାରିବ ବୋଲି ରବିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହକୁ ଉଦଘାଟନ କରିବା ଅବସରରେ ମାନ୍ୟବର ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡ଼ୁ କହିଛନ୍ତି ।

ତୃଣମୂଳ ସ୍ତର ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାକୁ ପହଁଚାଯାଇ ଶିକ୍ଷାକୁ ସର୍ବବ୍ୟାପୀ ଓ ସମାବେଶୀ କରିବା ପାଇଁ ଉପରାଷ୍ଟ୍ରପତି ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ଗ୍ରାମାଂଚଳର ଯୁବପିଢିଙ୍କୁ ସମାନ ଶିକ୍ଷା ସୁଯୋଗ ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ମାନବ ବିକାଶ, ରାଷ୍ଟ୍ର ନିର୍ମାଣ ତଥା ବିଶ୍ୱ ପାଇଁ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ନିର୍ମାଣ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱବିଦ୍ୟାଳୟ ନୂଆ ଆଇଡ଼ିଆ ଦ୍ୱାରା ସମାଜର ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବା ଦରକାର ବୋଲି ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ।

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ଲାଭ ସହ ଶିକ୍ଷାର ସବୁ ଦିଗକୁ ପ୍ରାଧନ୍ୟ ଦିଆଯାଇଛି । ଭାରତର ଶିକ୍ଷା ବ୍ୟବସ୍ଥା ଆମର ସଂସ୍କୃତି ଓ ଐତିହ୍ୟ ସହ ଯୋଡ଼ି ହୋଇ ରହିବ। ଭାରତୀୟ ଶିକ୍ଷା ଆଧୁନିକ ହେବ ଏବଂ ବୈଶ୍ୱିକ ନାଗରିକ ତିଆରି କରାଯିବ।

ଏହି ମର୍ମରେ ଜାତୀୟ ପାଠ୍ୟକ୍ରମ ରୂପରେଖର(ଏନସିଏଫ)ର ଆଧିକାରିକ ନିର୍ଦ୍ଦେଶ ପତ୍ର ପ୍ରସ୍ତୁତ କରାଯାଇଛି । ଜାତୀୟ ଶିକ୍ଷା ନୀତିର ସମସ୍ତ ଉପକ୍ରମକୁ କାର୍ଯ୍ୟକାରୀ କରିବାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଗ୍ରଣୀ ଭୂମିକା ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବିଶ୍ୱର ସମସ୍ୟାର ସମାଧାନର ସୂତ୍ର ବାହାର କରିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିବା ସହ ଏହି ବିଶ୍ୱବିଦ୍ୟାଳୟ ବିଶ୍ୱରେ ଇନକ୍ୟୁବେଟର ଭାବରେ ଉଭା ହୋଇଛି ବୋଲି କହିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ଏହା ଲୋକମାନଙ୍କ ଭାବାବେଗ ସହ ଜଡ଼ିତ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଲୁମିନିକୁ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଆଗକୁ ଆସି ଦେଶ ପାଇଁ ଏକ ମଡ଼େଲ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଯୁବକଙ୍କୁ ଶିକ୍ଷାନୁଷ୍ଠାନ କେବଳ ଡିଗ୍ରୀ ପ୍ରଦାନ କରୁଥିବା ବେଳେ ରୋଜଗାର ଲୁକ୍କାୟିତ ହୋଇ ରହୁଛି । ଦକ୍ଷତା ଏକ ଅଭିନ୍ନ ଅଙ୍ଗ ଭାବେ ସମସ୍ତଙ୍କ ସହ ଯୋଡ଼ି ହୋଇଛି । ତେଣୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏହାର ଦାୟିତ୍ୱ ନେଉ। ଦକ୍ଷତା ବିକାଶ ଏବଂ ଶିକ୍ଷାର ପରିଧିକୁ ବ୍ୟାପକ କରିବା ସହ ନିଯୁକ୍ତିଦାତାଙ୍କୁ ସୃଷ୍ଟି କରିବାରେ ବିଶ୍ୱବିଦ୍ୟାଳୟ ଲକ୍ଷ୍ୟ ରଖିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ।

୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ସୁଦ୍ଧା ବିଶ୍ୱର ଗରିବ, ବଂଚିତ, ସାଧାରଣ ଲୋକଙ୍କ ମଡ଼େଲ୍ ଅଫ୍ ଲାଇଫ ଷ୍ଟାଇଲ ବା ଜୈବନଶୈଳି ପରବର୍ତନ କରିବାର କଳ୍ପନା ରହିଛି । ଏହା ଭାରତର ଦାୟିତ୍ୱ । ବିଶ୍ୱକୁ ଏକ ପରିବାର ଭାବେ ଭାବୁଥିବା ତଥା ‘ବସୁଧୈବ କୁଟୁମ୍ବକମ’ରେ ବିଶ୍ୱାସ ରଖୁଥିବା ଭାରତ ବିଶ୍ୱର କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ମହାମହିମ ଉପରାଷ୍ଟ୍ରପତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଅବସରରେ ଏକ ସ୍ମାରକୀ ଷ୍ଟାମ୍ପ, ସ୍ମାରକୀ ମୁଦ୍ରା, ଏକ ପୁସ୍ତକ ସମେତ ହିନ୍ଦି, ସଂସ୍କୃତ ଓ ତେଲୁଗୁ ଭାଷାରେ ଦିଲ୍ଲୀ ୟୁନିଭରସିଟି ଅଣ୍ଡର ଗ୍ରାଜୁଏଟ କରିକୁଲମ ଫ୍ରେମୱାର୍କ -୨୦୨୨ର ଉନ୍ମୋଚନ ସହ ବିଶ୍ୱବିଦ୍ୟାଳୟର ସେଂଟିନାରୀ ୱେବସାଇଟର ଶୁଭାରମ୍ଭ କରିଥିଲେ।

Categories
ଫଟୋ ଖବର

ଦୁଇ ଦିନିଆ ଓଡିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ଫେରିଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

ଦୁଇ ଦିନିଆ ଓଡିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ଫେରିଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

Categories
ଜାତୀୟ ଖବର ବିଶେଷ ଖବର

ଉତ୍କଳ ବିଶ୍ବବିଦ୍ୟାଳୟକୁ ଦୁଇଟି ପରାମର୍ଶ ଦେଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ, ଜାଣନ୍ତୁ କଣ

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର 50ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦୁଇଟି ପରମର୍ଶ ଦେଇଛନ୍ତି। ସେହି ଦୁଇଟି ପରାମର୍ଶକୁ ଉତ୍କଳ ବିଶ୍ବବିଦ୍ୟାଳୟ କାର୍ଯ୍ୟକାରୀ କରୁ ବୋଲି ଉପରାଷ୍ଟ୍ରପତି ଆସା କରିଛନ୍ତି। ତାଙ୍କ ଅଭିଭାଷଣରେ ସେ ଏହି ଦୁଇଟି ପ୍ରସ୍ତାବ ସଂପର୍କରେ ଯାହା କହିଲେ ତାହା ହେଲା..

” ଓଡ଼ିଶାର ଏକ ବିଶେଷତ୍ୱ ହେଉଛି ଏଠାରେ ଆଦିବାସୀମାନେ ଅଧିକ ସଂଖ୍ୟାରେ ବାସ କରନ୍ତି । ଏଠାରେ ୬୨ ପ୍ରକାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକ ଅଛନ୍ତି । ଓଡ଼ିଶାର ମୋଟ ଜନସଂଖ୍ୟାର ୨୩ ଶତାଂଶ ଆଦିବାସୀ । ଭାରତର ମୋଟ ଆଦିବାସୀ ଜନସଂଖ୍ୟାର ୯.୧୭ ଶତାଂଶ ଲୋକ ଓଡ଼ିଶାରେ ବାସ କରନ୍ତି । ତେଣୁ ଏହି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ଓ କଲ୍ୟାଣ ଆମର ପ୍ରାଥମିକତା ହେବା ଉଚିତ।

ଏଠାରେ ମୁଁ ଯୋରଦେଇ ସହ କହିବାକୁ ଚାହେଁ ଯେ ଆଦିବାସୀଙ୍କ ପ୍ରତି ଆମର ଦୃଷ୍ଟିକୋଣରେ ସମ୍ମାନବୋଧ ଏବଂ ସମ୍ବେଦନଶୀଳତା ରହିବା ଆବଶ୍ୟକ । ଏ କ୍ଷେତ୍ରରେ ପୈତୃକ ଦୃଷ୍ଟିକୋଣ ଠିକ୍ ନୁହେଁ ସତକଥା ହେଲା ଆଦିବାସୀ ସମ୍ପ୍ରଦାୟଙ୍କ ଠାରୁ ଆମର ଅନେକ କିଛି ଶିଖିବାର ଅଛି। ସେମାନେ ପ୍ରକୃତି ସହ ସଦ୍ଭାବ ଓ ସମନ୍ୱୟ ରଖି ଅତି ସରଳ ଜୀବନଯାପନ କରନ୍ତି ।

ତଫସିଲଭୁକ୍ତ ଜାତି ଓ ଉପଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନର ଏକ ଅଧ୍ୟୟନ ଅନୁସାରେ ଓଡ଼ିଶାର ଆଦିବାସୀ ଜନସଂଖ୍ୟା ଉପରେ କୋଭିଡ୍ ମହାମାରୀର ପ୍ରାୟ କୌଣସି ପ୍ରଭାବ ପଡ଼ିନାହିଁ । ସେମାନେ ନିଜର ଅନୁପମ ରୀତିନୀତି ଓ ପରମ୍ପରା ପାଳନ କରି ସଂକ୍ରମଣକୁ ଦୂରେଇ ରଖିବାରେ ସଫଳ ହୋଇଛନ୍ତି । ଏହି ଅଧ୍ୟୟନ ଅନୁସାରେ ଆଦିବାସୀମାନେ ଅଭ୍ୟାସତଃ ସଂଘବଦ୍ଧ ବା ଗୋଷ୍ଠୀରେ ନ ଯାଇ ଧାଡ଼ିରେ ଯାଆନ୍ତି । ଚାଲିବାବେଳେ ସେମାନେ ପରସ୍ପର ଠାରୁ ଉପଯୁକ୍ତ ଦୂରତ୍ୱ ରକ୍ଷା କରନ୍ତି । ଏଭଳି ନିରାପଦ ଦୂରତ୍ୱ ରକ୍ଷା ଓ ସ୍ୱାସ୍ଥ୍ୟଗତ ନୀତି ପାଳନ କରିବା ଆଦିବାସୀ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଛଡ଼ା ସେମାନେ ପ୍ରାକୃତିକ ଖାଦ୍ୟ ଖାଇଥାଆନ୍ତି । ଏହା ଫଳରେ ମହାମାରୀ ସମୟରେ ସେମାନେ ନିରାପଦ ରହିଛନ୍ତି ।

ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଦିବାସୀ ସମୁଦାୟଙ୍କ ଏଭଳି ସକାରାତ୍ମକ ଦିଗ ସମ୍ପର୍କରେ ଧ୍ୟାନ କେନ୍ଦ୍ରିତ କରିବାକୁ ମୁଁ ପ୍ରସ୍ତାବ ଦେଉଛି । ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଏକଥା ସ୍ଥାନ ପାଇବା ଆବଶ୍ୟକ । ମୁଁ ଚାହେଁ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାବଳୀ ଉପରେ ଗବେଷଣା କରି ଏହି ସମୁଦାୟର ବିକାଶ ପାଇଁ ନୀତି ନିର୍ଦ୍ଧାରଣରେ ସହଯୋଗ କରିବା ଉଚିତ ।

ଓଡ଼ିଶା ଭଳି ରାଜ୍ୟପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବିପର‌୍ୟ୍ୟୟ ପରିଚାଳନା । ଏହି ରାଜ୍ୟ ନିୟମିତ ଭାବେ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ହେଉଛି । ତେଣୁ ଆମ ଶିକ୍ଷାର ଆରମ୍ଭ କାଳରୁ ବିପର‌୍ୟ୍ୟୟ ପରିଚାଳନାକୁ ଏକ ଅବିଚ୍ଛେଦ୍ୟ ଅଂଶ କରିବାର ବିଶେଷ ଆବଶ୍ୟକତା ରହିଛି । ଏହା ଦ୍ୱାରା ଭବିଷ୍ୟତରେ ବିପର‌୍ୟ୍ୟୟ ମୁକାବିଲା କରିବାକୁ ଆମେ ଭଲଭାବେ ପ୍ରସ୍ତୁତ ହୋଇପାରିବା। ମୋର ଆଶା ଉତ୍କଳ ବିଶ୍ୱବିଦ୍ୟାଳୟ ଏ ଦିଗରେ ନେତୃତ୍ୱ ନେବ ।”

Categories
ଜାତୀୟ ଖବର ବିଶେଷ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ କଣ କହିଲେ ଉପରାଷ୍ଟ୍ରପତି !

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର 50 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ତେବେ ପ୍ରଥମ କେତେ ଧାଡି ସେ ଓଡିଆରେ ଅଭିଭାଷଣ ରଖିଥିଲେ। ଏହି ଅବସରରେ ସେ ଯାହା କହିଲେ ତାହା ହେଲା..

ମନୋରମ ମନ୍ଦିର ନଗରୀ ଭୁବନେଶ୍ୱରରେ ଅବସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମୁଁ ବିଶେଷ ଆନନ୍ଦିତ । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ତଥା ଅବିଭକ୍ତ ଭାରତର ସପ୍ତଦଶ ବିଶ୍ୱବିଦ୍ୟାଳୟ ହୋଇଥିବା ଜାଣି ଖୁସି ହେଲି । ମୋଟ ୨୭ଟି ସ୍ନାତକୋତ୍ତର ବିଭାଗ, ୮ଟି ସେଣ୍ଟର ଅଫ ଏକ୍ସଲେନ୍ସ ଓ ଗୋଟିଏ ଇଣ୍ଟର ନ୍ୟାସନାଲ ସେଲ୍ ସହିତ ଏହି ବିଶ୍ୱବିଦ୍ୟାଳୟ ଯଥାର୍ଥରେ ଓଡ଼ିଶାର ଶିକ୍ଷା କ୍ଷେତ୍ରର ଏକ ଆକର୍ଷଣ । ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ ବା ‘ନ୍ୟାକ୍‌’ ଦ୍ୱାରା ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏ+ ଗ୍ରେଡ୍ ମାନ୍ୟତା ପାଇଥିବାରୁ ମୁଁ ଏହି ଶିକ୍ଷାନୁଷ୍ଠାନକୁ ଅଭିନନ୍ଦନ ଜଣାଉଛି । ଏହି ମାନ୍ୟତା ଉତ୍କଳ ବିଶ୍ୱବିଦ୍ୟାଳୟର ଉଚ୍ଚଶିକ୍ଷାର ମାନ ଏବଂ ଉତ୍କର୍ଷ ପାଇଁ ସାଲିସହୀନ ନୀତିର ଅନୁପାଳନକୁ ପ୍ରତିଫଳିତ କରୁଛି ।

ପ୍ରିୟ ଛାତ୍ରଛାତ୍ରୀ,

କହିବା ଅନାବଶ୍ୟକ ଯେ ସମାବର୍ତ୍ତନ ଆପଣମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ତଥାପି ଏହି ମାଇଲଖୁଣ୍ଟ ଏକ ଯାତ୍ରାର ଆରମ୍ଭ ମାତ୍ର ।

ଏ ପର୍ଯ୍ୟନ୍ତ ପହଞ୍ଚି ପାରିବା ସ୍ୱୟଂ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ସେଥିପାଇଁ ଆପଣମାନଙ୍କୁ ଅଭିନନ୍ଦନ । ଉତ୍ସାହ, ଅଧ୍ୟବସାୟ, ତପସ୍ୟା ଏବଂ ଶିଖିବା ପାଇଁ ମୁକ୍ତ ମନ ଭଳି ବ୍ୟକ୍ତିଗତ ଯୋଗ୍ୟତା ଯାହା ସବୁ ଆପଣମାନେ ଏଠାରେ ଅର୍ଜନ କରିଛନ୍ତି ସେ ସବୁ ସାରା ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ । ସେହିସବୁ ଉପଲବ୍ଧିକୁ ଅବ୍ୟାହତ ରଖିବାର ଆବଶ୍ୟକତା ରହିଛି। ସେସବୁ ଗୁଣ ଆପଣମାନଙ୍କୁ ଜୀବନବ୍ୟାପି ଦିଗ୍‌ଦର୍ଶନ ଦେବ ।

ଆପଣମାନଙ୍କ ମଧ୍ୟରୁ ଅନେକ ବିଶ୍ୱବିଦ୍ୟାଳୟର ସୀମିତ ପରିସରରୁ ବାହାରି ନୂଆ ଦୁନିଆରେ ପ୍ରବେଶ କରିବେ; ଯେଉଁଠି ଅନେକ ସମସ୍ୟା ଓ ଆହ୍ଵାନ ରହିଛି ।

ଏହି ପରିବର୍ତ୍ତନ ସହଜ ନୁହେଁ । ମୁଁ କିନ୍ତୁ ନିଶ୍ଚିତ ଯେ ଆପଣମାନେ ବିଶ୍ୱବିଦ୍ୟାଳୟରୁ ଯେଉଁ ମୂଲ୍ୟବୋଧ ଓ ତାଲିମ ପାଇଛନ୍ତି ତାହା ଦ୍ୱାରା ଆତ୍ମବିଶ୍ୱାସର ସହିତ ଦୁନିଆର ମୁକାବିଲା କରିପାରିବେ । “ଆତ୍ମବିଶ୍ୱାସର ସହ ବିଶ୍ଵର ସମ୍ମୁଖୀନ ହୁଅ” – ଏହି ବିଚାର ଓ ସାମର୍ଥ୍ୟ ଆମର ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବେଶ କରାଇବା ନୂଆ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ । ଶିକ୍ଷାର ଲକ୍ଷ୍ୟ କେବଳ ବୌଦ୍ଧିକ ବିକାଶରେ ସୀମିତ ନୁହେଁ । ଏହା ମଧ୍ୟ ଚରିତ୍ର ନିର୍ମାଣ ଏବଂ ଏକବିଂଶ ଶତାବ୍ଦୀର ଦକ୍ଷତାରେ ଭୂଷିତ ତଥା ଏକ ସାମଗ୍ରିକ ସ୍ୱୟଂ ସମ୍ପୂର୍ଣ୍ଣ ବ୍ୟକ୍ତି ଗଢ଼ିବା ପାଇଁ ଉଦ୍ଦିଷ୍ଟ ।

ପ୍ରିୟ ବନ୍ଧୁଗଣ,

ଆନ୍ତର୍ଜାତିକ ଶିକ୍ଷା କ୍ଷେତ୍ରରେ ଭାରତର ଗୌରବମୟ ପରମ୍ପରାକୁ ଆମେ ଭୁଲିଯିବା ଅନୁଚିତ। ତକ୍ଷଶୀଳା, ନାଳନ୍ଦା, ବଲ୍ଲଭି ଓ ବିକ୍ରମଶୀଳା ଭଳି ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟରେ ଏକଦା ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ବିଦ୍ୟାର୍ଥୀ ବହୁବିଷୟକ ଓ ଜୀବନ୍ତ ପରିବେଶରେ ଅଧ୍ୟୟନ କରୁଥିଲେ ।

ପରିପୂର୍ଣ୍ଣ ଓ ସୃଜନଶୀଳ ବ୍ୟକ୍ତିବିଶେଷ ସୃଷ୍ଟି କରିବାକୁ ଆମକୁ ସେହି ମହାନ ଭାରତୀୟ ପରମ୍ପରାକୁ ପୁନଃସ୍ଥାପିତ କରିବାକୁ ପଡ଼ିବ । ଦେଶକୁ ଉଭୟ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପରିବର୍ତ୍ତନ କରିବାର ବିଶେଷ ଦକ୍ଷତା ସେହିଭଳି ବ୍ୟକ୍ତି ବିଶେଷଙ୍କର ରହିବ ।

ଓଡ଼ିଶାର ଇତିହାସ ସମୃଦ୍ଧ ଓ ପ୍ରେରଣାଦାୟୀ । ଏହି ମହାନ କଳିଙ୍ଗଭୂମି ସମ୍ରାଟ ଅଶୋକଙ୍କୁ ଶାନ୍ତିର ଶିକ୍ଷା ଦେଇଥିଲା; ଯାହା ଫଳରେ ସେ ଧର୍ମବିଜୟ ନୀତି ଅନୁସରଣ କରିଥିଲେ । ଓଡ଼ିଶାର ନରପତିମାନେ ଦକ୍ଷିଣ ପୂର୍ବ ଏସିଆ ସହିତ ସାଂସ୍କୃତିକ ସମ୍ପର୍କ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ସେଠାରେ ହିନ୍ଦୁ ଧର୍ମ ଓ ବୌଦ୍ଧଧର୍ମର ପ୍ରଚାର ପ୍ରସାର କରାଇଥିଲେ ।

କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ତାହାର ଗୌରବମୟ ସାମୁଦ୍ରିକ ପରମ୍ପରା ପାଇଁ ଖ୍ୟାତ । କାଳିଦାସ ତାଙ୍କର ପ୍ରସିଦ୍ଧ କୃତି ରଘୁବଂଶରେ କଳିଙ୍ଗ ନୃପତିଙ୍କୁ ସାଗରାଧିପତି ଭାବେ ବର୍ଣ୍ଣନା କରିଛନ୍ତି । ଏଥିରୁ ସାଗର ଉପରେ କଳିଙ୍ଗର ପ୍ରଭାବର ସୂଚନା ମିଳେ । କଳିଙ୍ଗର ଦୁଃସାହସୀ ସାଧବମାନେ ଶ୍ରୀଲଙ୍କା, ଜାଭା, ବୋର୍ଣ୍ଣିଓ, ବାଲି ଓ ବର୍ମା ସହିତ ବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ । ବିଭିନ୍ନ ସ୍ଥାନରେ ହୋଇଥିବା ଉତ୍‌ଖନନରୁ ମିଳିଥିବା ବହୁସଂଖ୍ୟକ ମୁଦ୍ରା, କଳାକୃତି ଓ ରୋମାନ ସାମଗ୍ରୀ ଆଦିରୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ବାଣିଜ୍ୟିକ ସମାଜର ପରିଚୟ ମିଳେ ।

ଏବେ ମଧ୍ୟ ଏଠାକାର ଲୋକେ ସେମାନଙ୍କ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଧବଙ୍କ ସ୍ମୃତିରେ ବାଲିଯାତ୍ରା ପାଳନ କରୁଛନ୍ତି । ସେହି ସାଧବମାନଙ୍କ ଦକ୍ଷତା, ଉଦ୍ୟମିତା ଓ ସାହସିକତା ଦ୍ୱାରା କଳିଙ୍ଗ ଏକଦା ଏକ ସମୃଦ୍ଧ ସାମ୍ରାଜ୍ୟରେ ପରିଣତ ହୋଇଥିଲା ।

ପ୍ରିୟ ଛାତ୍ରଛାତ୍ରୀ,

ମୁଁ ଚାହେଁ ଆପଣମାନେ ସେମାନଙ୍କ କାହାଣୀରୁ ପ୍ରେରଣା ନେଇ ଉଦ୍ୟମିତା ଓ ନବସୃଜନର ଆଗ୍ରହ ନିଜ ଭିତରେ ସୃଷ୍ଟି କରନ୍ତୁ । ଆମର ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସମୂହର ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ବିଦ୍ୟାର୍ଥୀଙ୍କୁ ଆବଶ୍ୟକ କୌଶଳ ଓ ଦକ୍ଷତା ଯୋଗାଇ ସମର୍ଥ କରିବା ଆବଶ୍ୟକ । ଏହା ଦ୍ୱାରା ସେମାନେ କେବଳ ନିଯୁକ୍ତି ଆଶାୟୀ ନ ହୋଇ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ ।

ମୁଁ ମଧ୍ୟ ଆପଣମାନଙ୍କୁ ଓଡ଼ିଶାର ଭୌମକର ବଂଶର ବିଶେଷତ୍ୱ ସମ୍ପର୍କରେ ସ୍ମରଣ କରାଇଦେବାକୁ ଚାହେଁ । ଏହି ରାଜବଂଶର ଅନେକ ମହିଳା ଶାସକ କ୍ରମାଗତ ଭାବେ ନବମରୁ ଦଶମ ଶତାବ୍ଦୀ ଯାଏ ଶାସନ କରିଥିଲେ । ଭୌମକର ରାଣୀମାନେ ପୁରୁଷ ପ୍ରଧାନ ଶାସନ ବ୍ୟବସ୍ଥାକୁ ଭାଙ୍ଗି ପ୍ରାୟ ୨୦୦ବର୍ଷ ଯାଏ ରାଜ୍ୟ ଶାସନ କରିବାରେ ସଫଳ ହୋଇଥିଲେ । ଏହି ଉଜ୍ଜ୍ୱଳ ଉଦାହରଣ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଆବଶ୍ୟକ । ମୁଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଉଛି ସେମାନେ ଏହି କାହାଣୀ ସବୁ ପଢ଼ନ୍ତୁ ଏବଂ ଲିଙ୍ଗଗତ ପାତର ଅନ୍ତର ବିରୋଧରେ ଲଢ଼ିବାକୁ ଶପଥ ନିଅନ୍ତୁ । ବାସ୍ତବରେ ଜାତିବାଦ, ସାମ୍ପ୍ରଦାୟିକତା, ଦୁର୍ନୀତି ଓ ହିଂସା ବିରୋଧରେ ଲଢ଼େଇ କରିବା ପାଇଁ ଆମ ଯୁବ ସମାଜ ସର୍ବଦା ଆଗରେ ରହିବା ଆବଶ୍ୟକ ।

Categories
ଫଟୋ ଖବର

କଟକରେ ଆୟୋଜିତ ସାରଳା ସାହିତ୍ୟ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ସହ ଆନ୍ଧ୍ର ଏବଂ ଓଡିଶା ରାଜ୍ୟପାଳ

କଟକରେ ଆୟୋଜିତ ସାରଳା ସାହିତ୍ୟ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ସହିତ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଂସଦ ଡ.ଅଚ୍ୟୁତ ସମାନ୍ତଙ୍କ ଲିଖିତ ପୁସ୍ତକଙ୍କୁ ଉନ୍ମୋଚନ କଲେ ଉପରାଷ୍ଟ୍ରପତି ଭେଙ୍କେୟାନାଇଡୁ

ଭୁବନେଶ୍ବର, ଆଜି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାଜଭବନରେ ପହଞ୍ଚିବା ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜଭବନ ଅଭିଷେକ ହଲରେ ଆୟୋଜିତ ଏହି ଉତ୍ସବରେ ସାଂସଦ ଡ ଅଚ୍ୟୁତ ସାମନ୍ତଙ୍କ ଲିଖିତ ପୁସ୍ତକକୁ ସେ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକର ନାମ ରହିଛି ନୀଳିମାରାଣୀ- ମାଇଁ ମଦର, ମାଇଁ ହିରୋ। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଯୋଗ ଦେଇଥିବା ବେଳେ କାଦମ୍ବିନୀ ପତ୍ରିକାର ସଂପାଦିକା ଇତିରାଣୀ ସାମନ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ

ଭୁବନେଶ୍ବର, ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ। ସେ ପୂର୍ବାହ୍ନ 11 ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ। ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ।

ସେଠାରୁ ଉପରାଷ୍ଟ୍ରପତି ଅପରାହ୍ନ 4 ଟା 45ରୁ ରାଜଭବନରୁ ବାହାରି କାରକେଡରେ କଟକ ଯିବେ। ସେଠାରେ ସାରଳ ଭବନରେ ଆୟୋଜିତ ଆଦିକବି ସାରାଳ ଦାସଙ୍କ 6ଶହତମ ଜନ୍ମ ବାର୍ଷିକୀରେ ଯୋଗଦେବେ। ଏଥିସହିତ ସେଠାରେ ସାରଳା ସାହିତ୍ୟ ସଂସଦର 30ତମ ବାର୍ଷିକ ଉତ୍ସବରେ ମଧ୍ୟ ଅଭିଭାଷଣ ରଖିବେ।

ଏହାପରେ ଉପରାଷ୍ଟ୍ରପତି କଟକରୁ ସଂଧ୍ୟା 6ଟା 30 ମିନଟରେ ବାହାରି ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ପରଦିନ ଅର୍ଥାତ ଶନିବାର ଦିନ ଉପରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସେ ରାଜଭବନରୁ ଦିନ 10ଟା 10 ରେ ରାଜଭବନ ବାହାରି ବାଣୀବିହାରରେ 10ଟା 20 ରେ ପହଁଞ୍ଚିବେ। ସେଠାରେ ସେ 10ଟା 30 ରୁ 11 ଟା 30 ପର୍ଯ୍ୟନ୍ତ ରହିବେ। ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ ଉପରାଷ୍ଟ୍ରପତି ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିବେ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ଉପରାଷ୍ଟ୍ରପତି ଦିନ 11 ଟା 40 ମିନିଟରୁ ବାହାରି ରାଜଭବନ ଯିବେ। ସେଠାରେ ସେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ 4ଟା 40 ମିନଟରେ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବେ। ସେଠାରୁ ସେ ଅପରହ୍ନ 5ଟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଫଟୋ ଖବର

ଚେନ୍ନାଇର ଏକ ସରକାରୀ ଡାକ୍ତରଖାନାରେ କରୋନା ଟିକା ଗ୍ରହଣ କଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

ଚେନ୍ନାଇର ଏକ ସରକାରୀ ଡାକ୍ତରଖାନାରେ କରୋନା ଟିକା ଗ୍ରହଣ କଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ