ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ସୁନ୍ଦର ନର୍ସରୀ ଠାରେ ନୂଆ ରୂପରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା(ପିପିସି)- ୨୦୨୫ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଭାରତବର୍ଷରୁ ବଛା ହୋଇ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କରିବା ସହ ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ପରୀକ୍ଷା ପ୍ରସ୍ତୁତି, ପରୀକ୍ଷାରୁ ଚାପ କମ କରିବା ତଥା ଆଗାମୀ ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ଓ ‘ଏଗଜାମ ଓ୍ୱାରିୟର୍ସ’ଙ୍କୁ ଦେଇଥିବା ଉପାଦେୟ ପରାମର୍ଶ ସେମାନଙ୍କ ମନୋବଳକୁ ଅଧିକ ଦୃଢ କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ସୋମବାର ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରୁ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ସିଧା ପ୍ରସାରଣ ଦେଖିଥିଲେ। ସେ କହିଛନ୍ତି ଯେ ଦେଶର କୋଣ ଅନୁକୋଣରୁ ବଛା ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଜି ଆଲୋଚନା କରିଛନ୍ତି। ଜଣେ ବନ୍ଧୁ, ଅଭିଭାବକ ବା ପରିବାରର ସଦସ୍ୟ ଭଳି ସେ ବିଦ୍ୟାର୍ଥୀମାନଙ୍କ ସହ କଥା ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ମନରେ ଥିବା ଅନେକ ଅସମାହିତ ପ୍ରଶ୍ନର ସେ ଉତ୍ତର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟବ୍ୟସ୍ତତାରେ ଥାଇ ମଧ୍ୟ ସେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଥିବା ପରୀକ୍ଷା ଯୋଦ୍ଧାଙ୍କ ସହ ଆଲୋଚନା କରି ସେମାନଙ୍କୁ ପରୀକ୍ଷାରୁ ଚାପମୁକ୍ତ ହେବାର ମନ୍ତ୍ର ଦେଉଛନ୍ତି, ଯାହା ବହୁତ ଗୁରୁତ୍ୱ ରଖୁଛି। ପରୀକ୍ଷା ପୂର୍ବରୁ ଏହି ଆଲୋଚନା ଛାତ୍ରଛାତ୍ରୀ ଓ ପରୀକ୍ଷା ଯୋଦ୍ଧାଙ୍କୁ ଅନୁପ୍ରାଣିତ କରିଛି।
ଦେଶର ପରୀକ୍ଷା ଯୋଦ୍ଧାଙ୍କୁ ମାର୍ଗଦର୍ଶନ, ପ୍ରେରଣା ଏବଂ ସମର୍ଥନ ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ପରୀକ୍ଷା ପେ ଚର୍ଚ୍ଚା ଏବେ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଶୁଣିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବହୁତ ଉତ୍କଣ୍ଠା ଓ ଆଗ୍ରହର ସହ ଅପେକ୍ଷା କରିଥା’ନ୍ତି। ଚଳିତ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଦେଶର କଳା, ସାମାଜିକ ଏବଂ ବିଭିନ୍ନ କ୍ଷେତ୍ରର ୭ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ମାନସିକ ସ୍ୱାସ୍ଥ୍ୟ ଓ ଗୋଟିଏ ବିଷୟରେ ଧ୍ୟାନ ଦେବା ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବେ। ଆଗାମୀ ଦିନରେ ଏହାର ଆହୁରି ଏପିସୋଡ୍ ବା ଅଧ୍ୟାୟ ଆସିବ ବୋଲି ସେ କହିଛନ୍ତି।