Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ଗାଁର ଶ୍ରୀରଘୁନାଥଜୀଉ ଏବଂ କଣ୍ଟିଲୋର ନୀଳମାଧବଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ

ଭୁବନେଶ୍ଵର: ପବିତ୍ର ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାବେଳେ ପରମ୍ପରା ଅନୁସାରେ ବର୍ଷର ଏଇ ଗୋଟିଏ ଦିନ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶ୍ରୀରଘୁନାଥଜୀଉଙ୍କର ଦିବା ପହୁଡ଼ ପଡ଼ି ନଥାଏ। ମକର ସଂକ୍ରାନ୍ତି ଅବସରରେ ଦିନସାରା ପ୍ରଭୁଙ୍କର ଦର୍ଶନ କରିବାର ସୌଭାଗ୍ୟ ମିଳୁଥିବାରୁ ବହୁଦୂରରୁ ଶ୍ରଦ୍ଧାଳୁମାନେ ଆସି ପ୍ରଭୁଙ୍କୁ ଦର୍ଶନ କରିଥାନ୍ତି।

ସୂର୍ଯ୍ୟଙ୍କ କିରଣକୁ ଆଡ଼ କରିବା ପାଇଁ ମନ୍ଦିରର ଚତୁଃପାର୍ଶ୍ବରେ ଛତି, ତ୍ରାସ ବନ୍ଧା ଯାଇଥିଲା। ଭୋର ସାଢେ ୪ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନର ସୁଯୋଗ ପାଇଥିଲେ। ମକର ପର୍ବ ନୀତି ଅନୁସାରେ ଭୋର ସାଢେ ୪ଟାରେ ଦ୍ବାର ଫିଟା ନୀତି ଆରମ୍ଭ ହୋଇ ୫ଟାରେ ମଙ୍ଗଳଆଳତୀ, ପଞ୍ଚାମୃତସ୍ନାନ, ମହାସ୍ନାନ, ତଡପଲାଗି, ମଇଲମ, ଖଟଣୀ ନୀତି କରାଯାଇ ଶ୍ରୀଜିଉମାନଙ୍କୁ ମଣ୍ଡମାଳ ଲାଗି କରାଯାଇ ମକର ବେଶରେ ସଜ୍ଜିତ କରାଯାଇଥିଲା।

ସକାଳ ୬ଟାରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶ୍ରୀଭାଗବତ ଜୀଉ ପୂଜା ପରେ ବଲ୍ଲଭ ନୀତି ଲାଗି ହୋଇଥିଲା। ପରେ ଖେଚୁଡି ଧୂପ, କପୂର ଆଳତୀ, ମହାଆଳତୀ, ଚାମର ସେବା ନୀତି ସମାପନ ହୋଇଥିଲା। ୩ଜଣ ପୂଜା ପଣ୍ଡା ନିଷ୍ଠାର ସହ ଶ୍ରୀଜିଉଙ୍କ ଆଜ୍ଞାମାଳ ପାଇ ମାଟିର ସରା ପାତ୍ରରେ ମକର, ସାକର, ଦହି ଓ ପାନକୁ ଯୋଡ ହସ୍ତରେ ଧରି ପାଟବସ୍ତ୍ର ଘୋଡାଇ ଏକ ସ୍ବତନ୍ତ୍ର ପଟୁଆରରେ ଘଣ୍ଟ, କାହାଳୀ, ତ୍ରାସ, ଛତି, ସଂକର୍ତନ ସହ ୩ ବେଢା ମନ୍ଦିର ପରିକ୍ରମା କରି ଶ୍ରୀଜିଉଙ୍କୁ ଲାଗି କରିଥିଲେ। ପାଳିଆ ପଣ୍ଡା, ମନ୍ଦିର ପରିଚାଳକ, ପୂଜ ପୂଜକ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ନୀତିକାର୍ଯ୍ୟ ସମ୍ପାଦନ ହୋଇଥିଲା।

ସେହିଭଳି ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋରେ ବିଜେ କରିଥିବା ନୀଳମାଧବଙ୍କର ଆଜି ମକରସଂକ୍ରାନ୍ତି ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର: ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାଣପୁର: ବାଣପୁର ସ୍ଥିତ ଓଡଗାଁ ସନସାଇନ ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି। ଏଗାରଦିନ ବ୍ୟାପି ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଟିମ ସାମିଲ ହୋଇଥିଲେ।

ଆଜିର ଉଦଯାପନ ଦିବସ ଫାଇନାଲ ମ୍ୟାଚ ଟାଙ୍ଗୀ ବଡ଼ପାରି ହର ହର ହିଟର କ୍ଲବ ଏବଂ ସନସାଇନ ସ୍ପୋର୍ଟିଙ୍ଗ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସନସାଇନ କ୍ଲବ ମ୍ୟାଚ ଜିତିଥିଲା। ହର ହର ହିଟର କ୍ଲବ ରନର୍ସରେ ସନ୍ତୁଷ୍ଟ ହୋଇଥିଲା।

ଫାଇନାଲ ମ୍ୟାଚରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ଯୁବନେତା କାଁହୁଚରଣ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କର ମନୋବଳ ବଢାଇବା ସହ ପୁରସ୍କାର ବିତରଣ କରିଥିଲେ। ଜିତିଥିବା ଦଳକୁ ଟ୍ରଫି ସହ ୨୨୦୦୦ଟଙ୍କା ପୁରସ୍କାର ମିଳିଥିବା ବେଳେ ରନର୍ସ ଦଳକୁ ୧୫୦୦୦ ଟଙ୍କାର ସାନ୍ତ୍ୱନା ମୂଳକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଦେଖିବାକୁ ଅଞ୍ଚଳର ଯୁବକ ମାନଙ୍କ ମଧରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଅତିଥିମାନେ ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ବହୁ ଯୁବ ପ୍ରତିଭାର ବିକଶିତ ହୋଇପାରିବ ବୋଲି ମତ ରଖିଥିଲେ।