Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ଆରମ୍ଭ ହେଲା ପଂଜୀକରଣ, ଜାଣନ୍ତୁ କଣ କରିବେ

ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ପଂଜୀକରଣ ପ୍ରକି୍ରୟା ଗତ ୦୧/୧୧/୨୦୨୩ଠାରୁ ଆରମ୍ଭ ହୋଇଯାଇଅଛି।

ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ www.oav.edu.in ରେ ନାମ ପଂଜୀକରଣ କରିପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନାମ ପଂଜୀକରଣ ଶେଷ ତାରିଖ ୨୦ ନଭେମ୍ବରକୁ ଧାର୍ଯ୍ୟ କରାଯାଇଅଛି।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୧୫/୦୧/୨୦୨୪ ସୁଦ୍ଧା କରାଯିବା ପାଇଁ ଧାର୍ଯ୍ୟ କରାଯାଇଅଛି। ପଂଜୀକରଣ ନିମନ୍ତେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସୂଚନା ପୁସ୍ତିକା ସମସ୍ତ ଜିଲ୍ଲା ଓ ବ୍ଲକ୍‌ର ପଦାଧିକାରୀଙ୍କୁ ପ୍ରେରଣ କରାଯାଇଛି।

ଉପରୋକ୍ତ ସମସ୍ତ ବିଦ୍ୟାଳୟରେ ୫୦% ସ୍ଥାନ ଛାତ୍ରୀମାନଙ୍କ ନିମନ୍ତେ ଏବଂ ବ୍ଲକ୍‌ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଜନସଂଖ୍ୟାର ପ୍ରତିଶତ ଅନୁସାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରାଯାଇଅଛି। ପଂଜୀକରଣ ନିମନ୍ତେ କୌଣସି ସହଯୋଗ ପାଇଁ ପିତାମାତା କିମ୍ବା ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ନିକଟସ୍ଥ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିପାରିବେ।

କାର୍ଯ୍ୟସୂଚୀ ତାରିଖ

ପଂଜୀକରଣ ଆରମ୍ଭ ୦୧/୧୧/୨୦୨୩
ପଂଜୀକରଣ ଶେଷ ୨୦/୧୧/୨୦୨୩
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପରୀକ୍ଷା ୧୫/୦୧/୨୦୨୪ ସୁଦ୍ଧା
ପରୀକ୍ଷା ଫଳ ପ୍ରକାଶନ ୧୫/୦୨/୨୦୨୪
ଆଡ୍‌ମିଶନ୍‌ ନିମନ୍ତେ ତାଲିକା ଅନୁମୋଦନ ୧୫/୦୩/୨୦୨୪
ଆଡ୍‌ମିଶନ୍‌ ଆରମ୍ଭ ୦୨/୦୪/୨୦୨୪
ଆଡ୍‌ମିଶନ୍‌ ଶେଷ ୩୦/୦୪/୨୦୨୪

Categories
ବିଶେଷ ଖବର

ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷର ଗ୍ରାମ୍ୟ ଉନ୍ନୟନ ବିଭାଗର ସଫଳତା ଏବଂ ନିର୍ବାଚନ ଇସ୍ତାହାରରେ ଦିଆ ଯାଇଥିବା ପ୍ରତିଶ୍ରୁତି ଏବଂ ପଦକ୍ଷେପ ବିଷୟରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭାଗ ଦ୍ୱାରା ନିଆ ଯାଇଥିବା ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ମନ୍ତ୍ରୀ ଶ୍ରୀ ଘଡାଇ ପ୍ରକାଶ କରିଛନ୍ତି ଯେ ଆର୍ଥିକ ବର୍ଷ ୨୦୦୦-୨୦୦୧ ତୁଳନାରେ ବିଭାଗର ବଜେଟ୍‌ ୨୫ ଗୁଣ ବୃଦ୍ଧି ପାଇଛି। ୨୦୦୦-୦୧ ମସିହାରେ ବିଭାଗର ବଜେଟ୍‌ ୩୦୫ କୋଟି ଥିଲାବେଳେ ଏହା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୭୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଜି ପର୍ଯ୍ୟନ୍ତ ବିଭାଗ ବିଭିନ୍ନ ଯୋଜନା ଅଧୀନରେ ୨୨୪୧ ଗୋଟି ସେତୁ ନିର୍ମାଣ କରିଛି ଏବଂ ଅନ୍ୟ ୧୩୦୪ ଟି ସେତୁ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଅଛି। ସଡକ କ୍ଷେତ୍ରରେ ବିଭାଗ ଦ୍ୱାରା ୧,୦୩,୭୩୧ କିମି ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କରାଯାଇ ୧୮୧୬୧ ଟି ଗ୍ରାମବସତିକୁ ସବୁଦିନିଆ ରାସ୍ତା ସଂଯୋଗ ପ୍ରଦାନ କରାଯାଇଛି।

ଗ୍ରୀନ୍‌ ଟେକ୍ନୋଲୋଜି ବ୍ୟବହାର କରି ୧୦,୦୦୦ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି। ଗ୍ରାମାଞ୍ଚଳରେ କୋଠାବାଡି ଭିତ୍ତିଭୂମିର ବିକାଶ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ, ଆଇ.ଟି.ଆଇ କଲେଜ ଏବଂ ସ୍କୁଲ୍‌ କୋଠା, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ରାଜସ୍ୱ ବିଭାଗ ଆଦିରେ ୮୭୦୦ ଟି କୋଠାବାଡି ନିର୍ମାଣ କରି ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିପାରିଛି।

ବିଜୁ ସେତୁ ଯୋଜନା ଅଧୀନରେ ୭୫୦ ଟି ପ୍ରସ୍ତାବିତ ସେତୁର ଲକ୍ଷ୍ୟ ପୂରଣ ଦିଗରେ ବିଭାଗ ଆଜି ପର୍ଯ୍ୟନ୍ତ ୬୭୯ ଟି ସେତୁ ନିର୍ମାଣ ସମ୍ପୁର୍ଣ୍ଣ କରିଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ମୋଟ ୯୦୦ ଟି ସେତୁ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେବ। ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଏବଂ ଅନ୍ୟାନ୍ୟ ରାଜ୍ୟ ଯୋଜନା ଅଧୀନରେ ୩୦୦୦ କିଲୋମିଟର ସଡକ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲାବେଳେ ଅଦ୍ୟାବଧି ୬୨୪୭ କିମି ଦ୍ରଘ୍ୟ ରାସ୍ତା ନିର୍ମାଣ କରାଯାଇଛି।

ମାର୍ଚ୍ଚ ୨୦୨୪ ସୁଦ୍ଧା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଆଉ ୬୦୦୦ କିଲୋମିଟର ରାସ୍ତା ନିର୍ମାଣ କରି ସମୁଦାୟ ୧୨,୨୪୭ କିମି ସମ୍ପୁର୍ଣ୍ଣ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ୨୭୦୭୯ କିମି ରାସ୍ତା ନିର୍ମାଣ କରାଯାଇଛି।

ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ଆଉ ୭୬୪୩ କିମି ନିର୍ମାଣ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ଯାହା ସମୁଦାୟ ୩୪୭୨୨ କିମି ଅଟେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମୀଣ ଭିତ୍ତିଭୂମି ବିକାଶ ଲକ୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଏବଂ ରାଜସ୍ୱ ବିଭାଗ ଆଦିରେ ୧୬୪ ଟି କୋଠାବାଡି ନିର୍ମାଣ କରିଛି ଏବଂ
ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ୧୮୬ ଟି କୋଠାବାଡି ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।

ଗତ ୫ ବର୍ଷ ମଧ୍ୟରେ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟକୁ ୧୧୫୮ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି।

ସର୍ବାଧିକ ଲମ୍ବା ସଡ଼କ ନିର୍ମାଣ ଏବଂ ସବୁଜ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ରାସ୍ତା ନିର୍ମାଣପୂର୍ବକ ସଂଯୋଗବିହୀନ ବସତି ଅଞ୍ଚଳରେ ଗମନାଗମନ ସଂଯୋଗ ପ୍ରଦାନ ପାଇଁ ଗ୍ରାମ ଉନ୍ନୟନ ବିଭାଗକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି।

୨୦୦୦ ମସିହା ପର୍ଯ୍ୟନ୍ତ ବିଭାଗ କେବଳ ୫୮ ଟି ସେତୁ ନିର୍ମାଣ କରିଥିଲା। ବର୍ତ୍ତମାନ ସୁଦ୍ଧା ବିଭାଗ ୨୨୪୧ ସେତୁ ନିର୍ମାଣ ସମ୍ପୁର୍ଣ୍ଣ କରିସାରି ଥିବାବେଳେ ଅନ୍ୟ ୧୩୦୪ ଟି ସେତୁର ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଅଛି। ଉପରୋକ୍ତ ସେତୁ ମଧ୍ୟରୁ ମହାନଦୀ, ଋଷିକୁଲ୍ୟା, ବ୍ରାହ୍ମଣୀ, ବୈତରଣୀ, ତେଲ ନଦୀ, ଇନ୍ଦ୍ରାବତୀ ଏବଂ ଜିରା ଭଳି ବିଭିନ୍ନ ପ୍ରମୁଖ ନଦୀ ଉପରେ ୫୨ ଟି ସେତୁ ନିର୍ମାଣ କରାଯାଇଛି ଯାହାର ହାରାହାରି ଲମ୍ବ ୫୦୦ ମିଟର ରହିଛି।

ଗ୍ରାମ ଉନ୍ନୟନ ବିଭାଗ ହେଉଛି ପ୍ରଥମ ବିଭାଗ ଯିଏ ସ୍ୱୟଂଚାଳିତ କାର୍ଯ୍ୟ ଏବଂ ଆକାଉଣ୍ଟ୍‌
ମ୍ୟାନେଜମେଣ୍ଟ ପାଇଁ WAMIS ପ୍ରଣୟନ କରିଛି ଯାହା ରାଜ୍ୟର ଅନ୍ୟ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଗ୍ରହଣ କରାଯାଇଛି। ସାମ୍ପ୍ରତିକ ବର୍ଷମାନଙ୍କରେ ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ସମୁହ ODR ମାନକ ହେବା ସହିତ ଗ୍ରାମାଞ୍ଚଳରେ ଅଧିକ ଯାନବାହନ ଚଳାଚଳ ପାଇଁ ବ୍ୟବସ୍ଥା ହୋଇ ପାରିଛି । ୨୦୨୪ ମାର୍ଚ୍ଚ ସୁଧା ଖାଲଖମାମୁକ୍ତ ରାସ୍ତା ଏବଂ ଅବାଧ ଗମନାଗମନକୁ ସୁନିଶ୍ଚିତ କରିବାକୁ ବିଭାଗ ୫୦,୦୦୦ କିଲୋମିଟରରୁ ଅଧିକ ରାସ୍ତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ଯୋଜନା କରୁଛି।

ବିଭାଗ ପରବର୍ତ୍ତି ୫ ବର୍ଷରେ ବିଜୁ ସେତୁ ଯୋଜନା ଅଧୀନରେ ୬୦୦୦ କୋଟି ବ୍ୟୟରେ ୧୫୦୦ ଟି ନୂତନ ସେତୁ ନିର୍ମାଣ କରିବ ଯାହା ଗ୍ରାମାଞ୍ଚଳର ସଂଯୋଗ ନେଟାର୍କକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ ମୁଖ୍ୟମନ୍ତ୍ରୀ ସାଡକ ଯୋଜନା ଅଧୀନରେ ୧୫,୦୦୦ କିଲୋମିଟର ରାସ୍ତା ୧୨,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଯୋଜନାୱାରି ବିଭାଗର ସବିଶେଷ ତଥ୍ୟ ଉପସ୍ଥାପନପୂର୍ବକ ସାମ୍ବାଦିକମାନଙ୍କର ବଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ଓ ସଫଳତା ନେଇ ଏକ କ୍ଷୁଦ୍ର ବୃତ୍ତିଚିତ୍ର ପ୍ରଦର୍ଶିତ ହୋଇଥିଲା।

Categories
ବିଶେଷ ଖବର

ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ହାସଲ କରିଛନ୍ତି। ଏହି ପରୀକ୍ଷାରେ ୫୪ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୧ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏହି ସଫଳତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଓ ପରିଚାଳକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସିବିଏସ୍‌ଇ ପାଠ୍ୟକ୍ରମ ଅନୁଯାୟୀ ରାଜ୍ୟର ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷାର ବିକାଶ ସହ ମେଧାବୀ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ବୃଦ୍ଧି କରିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ଛାତ୍ରଛାତ୍ରୀମାନଙ୍କ ଏହି ସଫଳତା ପାଇଁ ୫-‘ଟି’ ସଚିବ ଭି.କେ. ପାଣ୍ଡିଆନ୍‌, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍‌ ଅଭିନନ୍ଦନ ଜଣାଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ପରୀକ୍ଷା ଫଳ ଖୁବ୍‌ ଉତ୍ସାହଜନକ ବୋଲି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାସନର ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ: ସଠିକ ଉତ୍ତର ଦେଇଥିବା ଛାତ୍ରୀଙ୍କୁ ମିଳିଲା ପୁରସ୍କାର

କନ୍ଦର୍ପ ବେହେରା
ନାକଟିଦେଉଳ: ନାକଟିଦେଉଳ ବ୍ଲକ୍ ପେଣ୍ଠବାହାଳ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟକୁ ପ୍ରଶାସନ ତରଫରୁ ଅଚାନକ ପରିଦର୍ଶନ ଏବଂ ନାକଟିଦେଉଳ ତହସିଲ୍‌ଦାର୍ ଇଂ ସୁକାନ୍ତ କୁମାର ନାଏକ ଛାତ୍ରଛାତ୍ରୀମାନଙ୍କୁ ଜୁଡିସିଆଲ୍ ବିଷୟରେ ପ୍ରଶ୍ନ ପଚାରିବା ସହ ସଠିକ୍ ଉତ୍ତର ଦାତାଙ୍କୁ ପୁରସ୍କାର ପ୍ରଦାନ କରିଥିବା ଖବର ହସ୍ତଗତ ହୋଇଛି।

ସରକାର ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେବା ସହ ପ୍ରତି ବ୍ଲକ୍‌ରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି। ଏହି ବିଦ୍ୟାଳୟରେ ବଛା ବଛା ଛାତ୍ରଛାତ୍ରୀ ପାଠ ପଢିବାର ସୁଯୋଗ ପାଇଛନ୍ତି। ହେଲେ କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ପାଚେରି ନି ର୍ମାଣ ହୋଇନାହିଁ। ଏଭଳି ଏକ ବିଦ୍ୟାଲୟ ନାକଟିଦେଉଳ ବ୍ଲକ୍ ପେଣ୍ଠବାହାଳଠାରେ ସରକାର ଖୋଲିଛନ୍ତି। ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟଟି ଥିବାରୁ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ଏହି ବିଦ୍ୟାଳୟଟି ୨୦୨୦-୨୧ ଶିକ୍ଷା ବର୍ଷରେ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ,ଜଗନ୍ନାଥପ୍ରସାଦ ଠାରେ ଆରମ୍ଭ ହୋଇଥିଲା। ୨୦୨୧-୨୨ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟଟି ନିଜସ୍ୱ କୋଠାରେ ପାଠ ପଢା ଆରମ୍ଭ କରିଛି। ବର୍ତ୍ତମାନ ବିଦ୍ୟାଳୟରେ ମୋଟ ୨୩୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏହାକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ଆଜି ଓଡିଶା ଆଦର୍ଶ ବିଦ୍ୟାଳୟକୁ ନାକଟିଦେଉଳ ବିଡିଓ ସୁକାନ୍ତ କୁମାର ନାଏକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପରିଦର୍ଶନ କରିଥିଲେ।

ତହସିଲ୍‌ଦାର୍ ସୁକାନ୍ତ କୁମାର ନାଏକ ଆଦର୍ଶ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ରୀ ଦେବଜାନୀ ପ୍ରଧାନଙ୍କୁ ଜୁଡିସିଆଲ୍ ସଂପର୍କରେ ପ୍ରଶ୍ନ ପଚାରିବାରୁ ଛାତ୍ରୀ ଜଣଙ୍କ ସଠିକ୍ ଉତ୍ତର ଦେଇଥିବାରୁ ତହସିଲ୍‌ଦାର୍ ସୁକାନ୍ତ କୁମାର ନାଏକ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟରେ ହିନ୍ଦି, ସଂସ୍କୃତ, ବିଜ୍ଞାନ ଶିକ୍ଷକ ଅଭାବ, ଖେଳପଡିଆର ଅଭାବ, ବିଦ୍ୟାଳୟ ଦେଇ ଯାଇଥିବା ୩୩ କେଭି ଓ ୧୧ କେଭି ବିଦ୍ୟୁତ୍ ତାରକୁ ହଟାଇବା, ବିଦ୍ୟାଳୟର ସୀମା ଚିହ୍ନଟ, ଶିକ୍ଷକ ସମସ୍ୟା, ବିଶ୍ରାମାଗାର ସଂପର୍କରେ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରତିଶୃତି ଦେଇଥିବା ଜଣା ପଡିଛି। ଏପରିକି ପରୁଷ ଏବଂ ମହିଳା ଛାତ୍ରାବାସ ଖୋଲିବା ସଂପର୍କରେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଅବଗତ ଥିବା ବେଳେ ଶିଘ୍ର କେମିତି ଛାତ୍ରାବାସ ଖୋଲାଯିବ ସରକାରଙ୍କୁ ଜଣାଇବେ ବୋଲି ଜଣା ପଡିଛି।

ଏହି ପରିଦର୍ଶନରେ ନାକଟିଦେଉଳ ତହସିଲ୍‌ଦାର୍ ସୁକାନ୍ତ କୁମାର ନାଏକ, ଏଡିଇଓ ମୁରଲୀଧର ବେହେରା, ବିଇଓ ବିଜୟ କୁମାର ପାତ୍ର, ବିଦ୍ୟୁତ୍ ବିଭାଗର ଏସ୍‌ଡିଓ, ସେକ୍ସନ୍ ଅଫିସର ସତ୍ୟଜିତ୍ ସାମଲ୍, ବନବିଭାଗର କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ, ପିଡବ୍ଲୁଡିର ବରିଷ୍ଠ ଅଧିକାରୀ ପ୍ରମୁଖ ପରିଦର୍ଶନ ରେ ସାମିଲ୍ ହୋଇଥିଲେ।

Categories
ବିଶେଷ ଖବର

ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପାଇଁ ଭିତ୍ତି ପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୨୫ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମନ୍ତ ବିହାର ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୩୦୦ ଶିକ୍ଷକଙ୍କ ଟ୍ରେନିଂ ପାଇଁ ଅଡିଟରିୟମ, ୧୦୦ ଜଣ ଶିକ୍ଷକଙ୍କ ରହିବା ପାଇଁ ବ୍ୟବସ୍ଥା ସହିତ ୧୦ ଟି କର୍ମଶାଳା କେନ୍ଦ୍ର ନିର୍ମାଣ କରାଯିବ।

ଶିକ୍ଷକ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ବଜ୍ର ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ।
ଏହି ଯୋଜନାରେ ଶିକ୍ଷକ ମାନେ ଶିକ୍ଷକ ମାନେ ସେମାନଙ୍କର ଦିନକର ଦରମା ଏହି କଲ୍ୟାଣ ପାଣ୍ଠିକୁ ଦାନ କରିବେ ଏବଂ ଏହି ପାଣ୍ଠିରୁ ସେମାନଙ୍କ ବିଭିନ୍ନ ଆର୍ଥିକ ସମସ୍ୟା ସମୟରେ ସହାୟତା ଯୋଗାଇ ଦିଆଯିବ।

ଏହି ଅବସରରେ ୫ଟି ଶ୍ରେଷ୍ଠ ଆଦର୍ଶ ବିଦ୍ୟାଳୟ, ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୫ ଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା (ଶିକ୍ଷା) ଉପେନ୍ଦ୍ର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ, ବିଭାଗୀୟ ସଚିବ ଅଶ୍ଵଥୀ ଏସ., OAV ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାଳିତ ହେଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଶୁଭ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ରତ୍ୟେକ ବ୍ଲକ୍‌ ସ୍ତରରେ ଆଦର୍ଶ ବିଦ୍ୟାଳୟମାନ ସ୍ଥାପନା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଏହି ବିଦ୍ୟାଳୟମାନଙ୍କରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୯୩୪୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଚଳିତ ବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୧୨୪୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନକୁ ସୂଚାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପେଦେଷ୍ଟା(ଶିକ୍ଷା) ଶ୍ରୀ ଉପେନ୍ଦ୍ର ତ୍ରିପାଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ ଅଶ୍ୱଥୀ ଏସ୍‌, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଯୁଗ୍ମ ନିର୍ଦ୍ଦେଶିକା ବନ୍ଦନା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ବିଶେଷ ଖବର

ଦ୍ବାଦଶ, ଦଶମ ତଥା ଜେଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ

ଭୁବନେଶ୍ଵର: ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଅନୁଷ୍ଟିତ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ।

ଓଡିଶାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତି ବ୍ଲକ୍‌ରେ ତଥା ଭୁବନେଶ୍ବରରେ ଗୋଟିଏ Iconic ଆଦର୍ଶ ସ୍କୁଲ ରହିଛି। CBSE ଢାଞ୍ଚାରେ ଏହି ସ୍କୁଲ ମାନଙ୍କରେ ହଷ୍ଟେଲ ସୁବିଧା ସହିତ ପାଠ ପାଢାଯାଉଛି।

ଆଜି ସମ୍ବର୍ଦ୍ଧିତ ହୋଇଥିବା କୃତୀ ଛାତ୍ରଛାତ୍ରୀ ମାନେ ହେଲେ ମୟୁରଭଂଜ ଜିଲ୍ଲାର ଝରଗାଁ ଆଦର୍ଶ ବିଦ୍ୟାଳୟର ଆଦର୍ଶ ସାହୁ, କୋରାପୁଟ ଜିଲ୍ଲାର କୋଟପାଡ ଆଦର୍ଶ ବିଦ୍ୟାଳୟର ଓମ୍‌ ଆର୍‌ୟାନ ବିଶ୍ବାଳ, ଗଞ୍ଜାମ ଜିଲ୍ଲାର ପିତାପଲ୍ଲୀ ଆଦର୍ଶ ବିଦ୍ୟାଳୟର ଉତ୍କଳ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲାର ମଶାଣିମୁଣ୍ଡା ଆଦର୍ଶ ବିଦ୍ୟାଳୟର ଦିବେନ୍ଦୁ ସାହାନାଇ, କେନ୍ଦୁଜର ଜିଲ୍ଲାର ସାଳପଡା ଆଦର୍ଶ ବିଦ୍ୟାଳୟର ହେମନ୍ତ ବେହେରା, ଗଞ୍ଜାମ ଜିଲ୍ଲାର ସୋରଡା ଆଦର୍ଶ ବିଦ୍ୟାଳୟର ଶୁଭମ ପ୍ରସାହ ଗୌଡ, ଗଞ୍ଜାମ ଜିଲ୍ଲାର ଶାସନମା ଗାଁ ଆଦର୍ଶ ବିଦ୍ୟାଳୟର ସୁମନ କୁମାରୀ ମହାରଣା, ମୟୁରଭଂଜ ଜିଲ୍ଲାର ଝରଗାଁ ଆଦର୍ଶ ବିଦ୍ୟାଳୟର ସରିତା ମାର୍ଡି, ମୟୁରଭଂଜ ଜିଲ୍ଲାର ରାଣିଭୋଳ ଆଦର୍ଶ ବିଦ୍ୟାଳୟର ମାନସ ମହୋଦଧି ପୁର୍ତ୍ତି, କୋରାପୁଟ ଜିଲ୍ଲାର ମାଛରା ଆଦର୍ଶ ବିଦ୍ୟାଳୟର ସ୍ବସ୍ତିକ ଆଦିତ୍ୟ ରଞ୍ଜନ। ଏମାନେ ସମସ୍ତେ ଜେଇଇ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ସେହିପରି CBSE Class-12 ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ବ ହାସଲ କରିଥିବା ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀମାନେ ହେଲେ – କେନ୍ଦୁଝର ଜିଲ୍ଲାର ସାଳପଡା ଆଦର୍ଶ ବିଦ୍ୟାଳୟର ଇଶାନୀ ବିଶୋଇ, ଗଞ୍ଜାମ ଜିଲ୍ଲାର ସିଦ୍ଧେଶ୍ବର ଆଦର୍ଶ ବିଦ୍ୟାଳୟର ଏସ୍‌ ଅନୁଭବ ଦୋରା, ଗଞ୍ଜାମ ଜିଲ୍ଲାର କରାପଲ୍ଲୀ ଆଦର୍ଶ ବିଦ୍ୟାଳୟର ଏମ୍‌ ମୋହିତ ରେଡ୍ଡୀ, କୋରାପୁଟ ଜିଲ୍ଲାର କୋଟପାଡ ଆଦର୍ଶ ବିଦ୍ୟାଳୟର ଓମ୍‌ ଆର୍‌ୟାନ ବିଶ୍ବାଳ, ଗଞ୍ଜାମ ଜିଲ୍ଲାର ସିଦ୍ଧେଶ୍ବର ଆଦର୍ଶ ବିଦ୍ୟାଳୟର ସିପଦ ଯଜ୍ଞ ପ୍ରସାଦ ଆଚାରୀ।

ସେହିପରି CBSE ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାମାନେ ହେଲେ – କଳାହାଣ୍ଡି ଜିଲ୍ଲାର ମୁଷିଗୁଡା ଆଦର୍ଶ ବିଦ୍ୟାଳୟର ସୁଧନ୍ୟା ପତି, ମୟୁରଭଂଜ ଜିଲ୍ଲାର ଗରୁଡବସା ଆଦର୍ଶ ବିଦ୍ୟାଳୟର ବୈବଶ୍ବେତା ଆଚାର୍ଯ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ଅନୁଭୂତି ସଂପର୍କରେ ପିଲାମାନଙ୍କୁ ପଚାରି ବୁଝିଥିଲେ ଏବଂ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ପିଲାମାନଙ୍କ ସହ ମତ ବିନିୟମ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଦର୍ଶ ବିଦ୍ୟାଳୟରେ କିପରି ଆହୁରି ପ୍ରଭାବଶାଳୀ ଶିକ୍ଷାଦାନ କରାଯାଇପାରିବ ସେ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କ ମତାମତ ଲୋଡିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ବିଭାଗୀୟ ସଚିବ ଅଶ୍ବଥି ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ବରିଷ୍ଠ ଅଧିକାରୀ ଏବଂ ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜୀବନ ଶୈଳୀ ରାଜ୍ୟ ଖବର

ଏଣିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରଚଳନ କରାଯିବ ଏନ୍‌ସିସି

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧୀନରେ ପରିଚାଳିତ ୩୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରଚଳନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ପ୍ରତି ଜିଲ୍ଲାରୁ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପ୍ରଚଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଅନ୍ଧାରୁଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉପକଣ୍ଠର ଅନ୍ଧାରୁଆ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଗ୍ରାମାଂଚଳର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ସ୍କୁଲ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ଏକ ନୂତନ ମାଇଲ ଖୁଣ୍ଟ ହେବ। ଏହି ସ୍କୁଲରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ୫୦୦ ଲେଖାଏ, ସମୁଦାୟ ୧୦୦୦ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିପାରିବେ।

୫-ଟି କାର୍ଯ୍ୟକ୍ରମ ଅଧୀନରେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ ଉପକ୍ରମ ସଂପର୍କରେ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହା ସାରା ରାଜ୍ୟରେ ପର୍ଯ୍ୟାୟକ୍ରମେ କରାଯିବ। ଏହି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, ଗଣିତ ଓ ଭାଷା ପ୍ରୟୋଗଶାଳା, ଉଚ୍ଚ ପ୍ରଯୁକ୍ତି ବିଦ୍ୟା ସଂପନ୍ନ କମ୍ପ୍ୟୁଟର ପ୍ରୟୋଗଶାଳା ପ୍ରତିଷ୍ଠା ହେବା ସହିତ ସମଗ୍ର ବିଶ୍ବର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କ ସହିତ ଜ୍ଞାନ ଆଦାନପ୍ରଦାନ କରାଯିବ। ଗୁଣାତ୍ମକ ଶିକ୍ଷା ସହିତ ଜଣେ ଟିମ୍‌ ଲିଡରଙ୍କ ଅଧୀନରେ ମେଧାବୀ ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀତାରେ ସଫଳତା ପାଇଁ ସହାୟତା କରିବେ।

ଏହି ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ସମସ୍ତ ଅନ୍ତର୍ନିହିତ ଗୁଣର ବିକାଶ କରି ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଦର୍ଶ ବିଦ୍ୟାଳୟ ସଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଗୁରୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ, ଓଡିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେଲେ ଚାରି ଶହ ଶିକ୍ଷକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନର କନ୍ଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରs ଚାରି ଶହ ତେୟାଳଶୀ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଏହି ଅବସରରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଓଡିଶା ଆଦର୍ଶ ବିଦ୍ୟାଳୟ ଜରିଆରେ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଂଚଳର ମେଧାବୀ ଛାତ୍ରଛାତ୍ରୀମାନେ ଏହାଦ୍ବାରା ଉପକୃତ ହେଉଛନ୍ତି ।

ଗୁଣାତ୍ମକ ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସାରା ଦେଶରେ ଆଦର୍ଶ ବିଦ୍ୟାଳୟ ଗୁଡିକ ଏକ ରୋଲ ମଡେଲ ହେଉ ବୋଲି ସେ ଚାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହି ଅବସରରେ ଦେଶର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ସ୍ତରର ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ ଏହି ବିଦ୍ୟାଳୟ ଗୁଡିକୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ।

ପିଲାମାନଙ୍କ ମନରେ ଯେପରି ଆଶା ଓ ଆତ୍ମବିଶ୍ବାସ ବୃଦ୍ଧି ହେବ ଏବଂ ସେମାନେ ଏହି ପ୍ରତିଯୋଗୀତାମୂଳକ ଦୁନିଆରେ ସବୁପ୍ରକାର ବାଧାବିଘ୍ନକୁ ଅତିକ୍ରାନ୍ତ କରି ସଫଳତାର ପାହାଚ ଚଢିପାରିବେ ତାହା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ପିଲାମାନଙ୍କୁ ଭବିଷ୍ୟତର ସଫଳତା ପାଇଁ ଠିକ୍‌ ଭାବରେ ଗାଇଡ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରତି ଛାତ୍ରଛାତ୍ରୀ ଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ଆମର ଉଦ୍ୟମ ହେବ ନୂଆ ଓ ରୂପାନ୍ତରିତ ଓଡଶା ଗଠନରେ ବଳିଷ୍ଠ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏବଂ ଏଦିଗରେ ଶିକ୍ଷକ ମାନେ ସେମାନଙ୍କ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆଗେଇ ଆସିବାକୁ ଆହ୍ଵାନ ଜଣାଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଗୁଡିକ ପାଇଁ ଏକ ଦଶ ସୂତ୍ରୀ ଲକ୍ଷ୍ୟ ଘୋଷଣା କରିଥିଲେ ।ଏଥିରେ ପିଲାମାନଙ୍କୁ ରକ୍ତଦାନ, ପରିବେଶ ସୁରକ୍ଷା ,ସହିତ ସାକ୍ଷରତା ଅଭିଯାନରେ ସାମିଲ କରିବା ଯୋଗ ,କ୍ରୀଡା ଓ ସୁସ୍ଥ ଜୀବନଶୈଳୀ ଆଦି ପାଇଁ ଉତ୍ସାହିତ କରିବା ଜାତୀୟ ଅନ୍ତଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ,ସ୍କୁଲ ସମୟରୁ ଦକ୍ଷତା ର ବିକାଶ ପ୍ରତି ଯତ୍ନବାନ ହେବା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଏତଦବ୍ୟତୀତ ପ୍ରତି ଆଦର୍ଶ ବିଦ୍ୟାଳୟ କୁ ଏକ ଦଶ ବର୍ଷିଆ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ଅବସରରେ ୨୦୨୧ର ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେମାନେ ହେଲେ – ଭଦ୍ରକ ଜିଲ୍ଲା ସ୍କୁଲର ସହକାରୀ ଶିକ୍ଷକ ଶ୍ରୀ ଅଶୋକ କୁମାର ତ୍ରିପାଠୀ ଓ ଛତ୍ରପୁର ୟୁ.ପି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅଜିତ କୁମାର ସେଠୀ ।

ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ସମୀର ଦାଶ ,ଓଡ଼ିଶା ଆଦର୍ଶ ଵିଦ୍ୟା ଳୟ ସଗଠନର ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉଦ୍ ବୋଧନ ଦେଇ ଆଦର୍ଶ ବିଦ୍ୟାଳୟ ପିଲାଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନବନିଯୁକ୍ତ ଅଧ୍ୟକ୍ଷ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରି ପାଣ୍ଡିଆନ୍ ସେମାନଙ୍କୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟମ ରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥବାରୂ ଏ ଲକ୍ଷ୍ୟ ପୂରଣ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ,ଉନ୍ନୟନ କମିଶନର ଶ୍ରୀ ପି କେ ଜେନା ,ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୂ ସ୍ବାଗତ ଭାଷଣ ଦେଇ ଥିଲେ । ସୂଚନାଯୋଗ୍ୟ ଯେ ଆଦର୍ଶ ବିଦ୍ୟାଳୟ ପାଇଁ 443 ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ସୋମାନଙ୍କ ମଧ୍ୟରେ 156 ଜଣ ଶିକ୍ଷୟତ୍ରୀ ଅଛନ୍ତି ।