Categories
ଆଜିର ଖବର ରାଜ୍ୟ ଖବର

ଟାଏକୋଣ୍ଡ ପ୍ରତିଯୋଗୀତା ପାଇଁ ଦମ୍ଭ ସାଜିଲ ଓମ୍‌ଫେଡ୍‌

ଭୁବନେଶ୍ୱର: ୧୨ ତମ ଓପନ ଇଂଟରନାସନାଲ ଫୁଜୈରାହ ଜି-୨ ଟାଏକୋଣ୍ଡ ପ୍ରତିଯୋଗିତାରେ ଭାଗନେବ ଓଡିଶା। ଭାରତୀୟ ଟାଏକୋଣ୍ଡ ଦଳରେ ଓଡିଶାରୁ ୫ ଜଣିଆ ଟିମ୍ ଅଂଶ ଗ୍ରହଣ କରିବା ପାଇଁ ଗୁରୁବାର ଦିନ ୟୁଏଇ ଅଭିମୁଖେ  ଯାତ୍ରା ଆରମ୍ଭ କରିଛନ୍ତି।

ଏହି ପ୍ରତିଯୋଗିତାରେ ପୁରୁଷ ବିଭାଗର ୫୮ କେଜିରୁ କମ୍ ବର୍ଗରେ ଜଗନ୍ନାଥ ବେହେରା, ୫୪ କେଜିରୁ କମ୍ ବର୍ଗରେ ସାହିଲ ସୌରଭ ସିଂ, ୫୭ କେଜିରୁ କମ୍ ବର୍ଗରେ ଆହନ ୱାସିମ ନାୟାର୍‌, ୪୯କେଜିରୁ କମ୍ ବାଳକ ବର୍ଗରେ ବଳରାଜ୍ ସିଂ ଭାରତରୁ ପ୍ରତିନିଧିତ୍ୱ କରିବେ। ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଓଡିଶା ଟାଏକୋଣ୍ଡ ଟିମ୍‌ର ଅନ୍ତର୍ଜାତୀୟ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଛନ୍ତି। ଆଗକୁ କିପରି ଓଡିଶାରେ ଟାଏକୋଣ୍ଡ କ୍ରୀଡାକୁ ଅଧିକରୁ ଅଧିକ ଲୋକପ୍ରିୟ କରାଇବା ସହ କ୍ରୀଡାବିତ୍ ବିଶ୍ୱ ରାଙ୍କିଙ୍ଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିବେ ସେଥିପାଇଁ ଓମ୍‌ଫେଡ୍ ତରଫରୁ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ପରିଚାଳନା ନିର୍ଦେଶକ।

ରାଜ୍ୟରେ କ୍ରୀଡାବିତମାନଙ୍କର ଉନ୍ନତି ହେଲେ, କ୍ରୀଡାର ଉନ୍ନତି ହେବ। ସେଥିପାଇଁ ଓମ୍‌ଫେଡ୍ ପକ୍ଷରୁ କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରାଯିବ। ପୂର୍ବରୁ ରାଜ୍ୟ ଟାଏକୋଣ୍ଡ କ୍ରୀଡାବିତ୍ ଅନ୍ତର୍ଜାତୀୟ ରାଙ୍କିଙ୍ଗରେ ଖେଳିବାରୁ ବଂଚିତ ହେଉଥିବା ବେଳେ, ଏବେ ଟାଏକୋଣ୍ଡ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓମ୍‌ଫେଡ୍ ଆଗେଇ ଆସିଛି। ଓଡିଶା ଟାଏକୋଣ୍ଡର ବିକାଶ ଦିଗରେ ଓମ୍‌ଫେଡ୍ ସହାୟକ ହେବ ବୋଲି କହିଛନ୍ତି ବିଜୟ ଅମୃତା କୁଲାଙ୍ଗେ।

ଓଡିଶା ଟାଏକୋଣ୍ଡ ରାଜ୍ୟର ଏକମାତ୍ର ସଂଘ ଯାହା ଜାତୀୟ ଟାଏକୋଣ୍ଡ ସଂଘର ସ୍ୱୀକୃତି ପାଇଛି। ଏହି ସଂଘ ଜରିଆରେ କ୍ରୀଡାବିତମାନେ ଏସିଆନ୍ ଗେମ୍ସ, ଏସିଆନ୍ ଚାମ୍ପିୟନସିପ୍‌, ଅଲମ୍ପିକ୍‌ସ ଏବଂ ବିଶ୍ୱ ଟାଏକୋଣ୍ଡ ପ୍ରତିଯୋଗୀତାରେ ଭାରତର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି ରାଜ୍ୟ ଟାଏକୋଣ୍ଡ ସଂଘର ସମ୍ପାଦକ ଚିନ୍ମୟ ବେହେରା।