Categories
ଆଜିର ଖବର ଜାତୀୟ ଖବର

ଭାରତୀୟ କୃଷି କ୍ଷେତ୍ର ଏକ ସଫଳ କାହାଣୀ: ଅର୍ଥନୈତିକ ସର୍ବେକ୍ଷଣ ୨୦୨୩-୨୪

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପିତ କରିଥିବା ୨୦୨୩-୨୪ ଅର୍ଥନୈତିକ ସର୍ବେକ୍ଷଣରେ ଆଲୋକପାତ କରି କହିଛନ୍ତି ଯେ, ୧୯୬୦ ଦଶକରେ ଦେଶ ଏକ ଖାଦ୍ୟ ନିଅଣ୍ଟ ଏବଂ ଆମଦାନୀକାରୀ ଦେଶ ହେବାଠାରୁ ଆରମ୍ଭ କରି କୃଷି ଜାତ ଦ୍ରବ୍ୟର ନେଟ୍ ରପ୍ତାନିକାରୀ ହେବା ପର୍ଯ୍ୟନ୍ତ ବହୁ ଆଗକୁ ଯାଇଛି।

ମୌଳିକ ଖାଦ୍ୟ ନିରାପତ୍ତାରୁ ପୋଷଣ ନିରାପତ୍ତା ଆଡକୁ ଯିବା ସମୟର ଆବଶ୍ୟକତା ବୋଲି ସର୍ଭେରେ ଦର୍ଶାଯାଇଛି। ସର୍ବେକ୍ଷଣରେ ଆହୁରି କୁହାଯାଇଛି ଯେ, ଆମକୁ ଅଧିକ ଡାଲି, ବାଜରା, ଫଳ ଏବଂ ପନିପରିବା, କ୍ଷୀର, ମାଂସ ଆବଶ୍ୟକ ଏବଂ ସେମାନଙ୍କର ଚାହିଦା ମୌଳିକ ଖାଦ୍ୟ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେଣୁ କୃଷି କ୍ଷେତ୍ରର ନୀତିଗୁଡ଼ିକ ‘ଚାହିଦା ଭିତ୍ତିକ ଖାଦ୍ୟ ବ୍ୟବସ୍ଥା’ ସହିତ ଅଧିକ ସମନ୍ୱିତ ହେବା ଉଚିତ, ଯାହା ଅଧିକ ପୁଷ୍ଟିକର ଏବଂ ପ୍ରକୃତିର ସମ୍ବଳ ସଂରକ୍ଷଣ ସହିତ ସଂଯୁକ୍ତ ହେବା ଉଚିତ ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି।

ଅର୍ଥନୈତିକ ସର୍ବେକ୍ଷଣରେ ପାଞ୍ଚଟି ନୀତିଗତ ସୁପାରିଶ ଦିଆଯାଇଛି, ଯାହା ସରକାରମାନେ କୃଷକଙ୍କ ହିତରେ ବଜାରକୁ ସଂଚାଳନ କରିବା ପାଇଁ ଆପଣାଇ ପାରିବେ। ପ୍ରଥମ ପଦକ୍ଷେପରେ ଦର ବୃଦ୍ଧିର ପ୍ରଥମ ସଙ୍କେତ ମିଳିଲେ ଭବିଷ୍ୟତ କିମ୍ବା ବିକଳ୍ପ ଉପରେ ପ୍ରତିବନ୍ଧ ନ ଲଗାଇବାକୁ କୁହାଯାଇଛି। ଏଭଳି ବଜାରର ବୁଦ୍ଧିମାନ ନିୟାମକ ଡିଜାଇନ କୃଷିଜାତ ଦ୍ରବ୍ୟର ଭବିଷ୍ୟତ ବଜାର ଉପରେ ପ୍ରଶାସନିକ ହସ୍ତକ୍ଷେପର ଆବଶ୍ୟକତାକୁ କମାଇପାରିବ ବୋଲି ଏହି ସର୍ବେକ୍ଷଣରେ କୁହାଯାଇଛି।

ସର୍ବେକ୍ଷଣର ଦ୍ବିତୀୟ ସୁପାରିସରେ କେବଳ ବ୍ୟତିକ୍ରମିକ ପରିସ୍ଥିତିରେ ରପ୍ତାନି ନିଷେଧାଦେଶ ଲାଗୁ କରିବା ଏବଂ ଘରୋଇ ଉପଭୋକ୍ତାଙ୍କୁ ବିକଳ୍ପ କରିବାକୁ ଅନୁମତି ଦେବା ବିଷୟରେ କୁହାଯାଇଛି, ବିଶେଷକରି ଯଦି ସମ୍ପୃକ୍ତ କୃଷି ଜାତ ଦ୍ରବ୍ୟ ଖାଦ୍ୟଶସ୍ୟ ପରି ଅତ୍ୟାବଶ୍ୟକ ଉପଭୋକ୍ତା ସାମଗ୍ରୀ ନୁହେଁ। ଆନ୍ତର୍ଜାତିକ ବଜାରରେ ଅଧିକ ଦର ରୁ କୃଷକମାନେ ଲାଭବାନ ହୋଇପାରିବେ ବୋଲି ସର୍ଭେରେ ଦର୍ଶାଯାଇଛି।

ତୃତୀୟ ପଦକ୍ଷେପ ଭାବେ ଏହି ସର୍ଭେରେ ମୁଦ୍ରାସ୍ଫୀତି ଟାର୍ଗେଟିଂ ଫ୍ରେମୱାର୍କକୁ ପୁନଃ ଯାଞ୍ଚ କରିବାକୁ କୁହାଯାଇଛି। ଏଥିରେ କୁହାଯାଇଛି ଯେ ଭାରତର ମୁଦ୍ରାସ୍ଫୀତି ଟାର୍ଗେଟିଂ ଫ୍ରେମୱାର୍କ ଖାଦ୍ୟକୁ ବାଦ୍ ଦେଇ ମୁଦ୍ରାସ୍ଫୀତିକୁ ଟାର୍ଗେଟ କରିବା ଉପରେ ବିଚାର କରିବା ଉଚିତ। ଅଧିକ ଖାଦ୍ୟ ଦର ଅଧିକାଂଶ ସମୟରେ ଚାହିଦା ଜନିତ ନୁହେଁ ବରଂ ଯୋଗାଣ ଜନିତ ହଇଥାଏ। ଭାରତର ମୁଦ୍ରାସ୍ଫୀତି ଟାର୍ଗେଟ ଫ୍ରେମୱାର୍କ ଖାଦ୍ୟବ୍ୟତୀତ ମୁଦ୍ରାସ୍ଫୀତି ହାରକୁ ଟାର୍ଗେଟ କରିବା ଉଚିତ କି ନାହିଁ ତାହା ଅନୁସନ୍ଧାନ କରିବା ଉଚିତ” ବୋଲି ସର୍ଭେରେ ଉଲ୍ଲେଖ କରାଯାଇଛି।

ସର୍ଭେରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଗରିବ ଏବଂ ନିମ୍ନ ଆୟକାରୀ ଉପଭୋକ୍ତାଙ୍କ ପାଇଁ ଖାଦ୍ୟ ମୂଲ୍ୟ ବୃଦ୍ଧି ଯୋଗୁଁ ସୃଷ୍ଟି ହେଉଥିବା ଅସୁବିଧାକୁ ଉପଯୁକ୍ତ ଅବଧି ପାଇଁ ବୈଧ ନିର୍ଦ୍ଦିଷ୍ଟ କ୍ରୟ ପାଇଁ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର କିମ୍ବା କୁପନ୍ ମାଧ୍ୟମରେ ପରିଚାଳନା କରାଯାଇପାରିବ।

ଚତୁର୍ଥ ସୁପାରିସରେ ମୋଟ ନେଟ୍ ଜଳସେଚିତ ଅଞ୍ଚଳକୁ ବୃଦ୍ଧି କରିବାର ଆବଶ୍ୟକତା ବିଷୟରେ କୁହାଯାଇଛି। ଅନେକ ରାଜ୍ୟ ଜାତୀୟ ହାରାହାରି ଠାରୁ ବହୁତ କମ୍ ଏବଂ ଭୂପୃଷ୍ଠ ଜଳ ପାଇଁ ଭାରତର ଜଳସେଚନ ଦକ୍ଷତା ମାତ୍ର ୩୦-୪୦ ପ୍ରତିଶତ ଏବଂ ଭୂତଳ ଜଳ ପାଇଁ ୫୦-୬୦ ପ୍ରତିଶତ ବୋଲି ସର୍ଭେରେ ଦର୍ଶାଯାଇଛି। ଏହି ସର୍ବେକ୍ଷଣରେ ଉନ୍ନତ ଜଳ ବ୍ୟବହାର କୃଷି ପଦ୍ଧତି ଏବଂ ଡ୍ରିପ୍ ଏବଂ ଫର୍ଟିଗେସନ୍ ଭଳି ଜ୍ଞାନକୌଶଳର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଛି।

ଏହି ସର୍ବେକ୍ଷଣର ପଞ୍ଚମ ଏବଂ ଅନ୍ତିମ ପରାମର୍ଶ ହେଉଛି ଚାଷକୁ ଜଳବାୟୁ ଦୃଷ୍ଟିକୋଣ ସହିତ ସୁସଙ୍ଗତ କରିବା। ଧାନ ଓ ଆଖୁ ଭଳି ଶସ୍ୟ ଜଳ ପ୍ରବାହିତ ଫସଲ ଏବଂ ଧାନ ଚାଷ କଲେ ମିଥେନ୍ ନିର୍ଗମନ ହୋଇଥାଏ। ଫସଲ ନିରପେକ୍ଷ ପ୍ରୋତ୍ସାହନ ଢାଞ୍ଚାକୁ ପ୍ରୋତ୍ସାହିତ କରିବାର ସମୟ ଆସିଛି ବୋଲି ସର୍ଭେରେ କୁହାଯାଇଛି।

ଏକବିଂଶ ଶତାବ୍ଦୀର ତିନୋଟି ବଡ଼ ଆହ୍ୱାନର ସଙ୍ଗମରେ କୃଷି ରହିଛି- ଖାଦ୍ୟ ଓ ପୋଷଣ ନିରାପତ୍ତା ବଜାୟ ରଖିବା, ଜଳବାୟୁ ପରିବର୍ତ୍ତନର ଅନୁକୂଳତା ଏବଂ ପ୍ରଶମନ ତଥା ଜଳ, ଶକ୍ତି ଏବଂ ଜମି ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ବଳର ସ୍ଥାୟୀ ବ୍ୟବହାର। ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଯଦିଓ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଲାଭଦାୟକ ନିଯୁକ୍ତିର ଯଥେଷ୍ଟ  ସମ୍ଭାବନା ରହିଛି, ତଥାପି ଭାରତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିରେ ଯୋଗଦାନ କରିବା ପାଇଁ କୃଷିର ସମ୍ଭାବନାକୁ ସମ୍ପୂର୍ଣ୍ଣ ଉପଯୋଗ କରିପାରିନାହିଁ।

ଜଳ ଅଭାବ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନ ଯୋଗୁଁ କୃଷି କ୍ଷେତ୍ରରେ ଏକ ଗମ୍ଭୀର ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସର୍ଭେରେ କୁହାଯାଇଛ। ବିପରୀତ ସ୍ଥାନାନ୍ତର କାରଣରୁ କୋଭିଡ୍ ବର୍ଷଗୁଡ଼ିକରେ କୃଷି ନିଯୁକ୍ତିରେ ବୃଦ୍ଧି, ଆର୍ଥିକ ବର୍ଷ ୨୪ରେ କୃଷିକ୍ଷେତ୍ରରେ ମୂଲ୍ୟ ବୃଦ୍ଧି ହାର ହ୍ରାସ ଏବଂ ୨୦୨୪ ଗ୍ରୀଷ୍ମଋତୁରେ ଦେଶର ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ଅତ୍ୟଧିକ ଗରମ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳ ଚାପ ଏବଂ ଶକ୍ତି ବ୍ୟବହାର ବୃଦ୍ଧି ଭାରତର କୃଷି କ୍ଷେତ୍ର ନୀତିଗୁଡ଼ିକର ଗମ୍ଭୀର ଏବଂ ଉତ୍ତମ ସମୀକ୍ଷା ଜରୁରୀ ହୋଇପଡ଼ିଛି ବୋଲି ସର୍ବେକ୍ଷଣରେ ଦର୍ଶା ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି: ଓୟୁଏଟି କୁଳପତି

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ସାମ୍ନାକୁ ଆଣି ଏହାର ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିବାର ସମୟ ଆସିଛି ବୋଲି ମଙ୍ଗଳବାର କହିଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆୟୋଜିତ ୩ ଦିନିଆ ‘ସୋଆ ଏଗ୍ରି କନ୍‌ଫ୍ଲୁଏନ୍ସ’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ରାଉଳ କହିଛନ୍ତି ଯେ କୃଷି ଉତ୍ପାଦନ କ୍ଷେତ୍ରରେ ବିଭିନ୍ନ ସମସ୍ୟା କୁ ଅନୁଧ୍ୟାନ କରି ଏହାର ସମାଧାନର ବାଟ ବାହାର କରିବାର ଦରକାର। ମୃତ୍ତିକା କ୍ଷୟ ହେଉଛି। ଜଳସ୍ତରର ପତ୍ତନ ଏବଂ ବାୟୂ ପ୍ରଦୂଷଣ ଯୋଗୁଁ କୃଷି କ୍ଷେତ୍ରରେ ଅବକ୍ଷୟ ଘଟୁଛି ବୋଲି ପ୍ରଫେସର ରାଉଳ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଅନେକ ସଂଖ୍ୟକ କୃଷକ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଥିଲା ‘ସଷ୍ଟେନେବଲ ଏଗ୍ରିକଲ୍‌ଚର ଆଣ୍ଡ ଲାଇଭଲିହୁଡ ସିକ୍ୟୁରିଟି’।

କୌଣସି ଶିଳ୍ପ ସମସ୍ତଙ୍କୁ ନିଯୁକ୍ତି ଦେଇପାରିବ ନାହିଁ ବୋଲି ମତ ରଖି ପ୍ରଫେସର ରାଉଳ କହିଛନ୍ତି ଯେ କୃଷି କ୍ଷେତ୍ରରେ ବିଭକ୍ତିକରଣର ଆବଶ୍ୟକତା ରହିଛି।

କୃଷି କ୍ଷେତ୍ର ଉଭୟ ଖାଦ୍ୟ ଓ ଜୀବିକାକୁ ବୁଝାଉଥିବା ବେଳେ ଏହା ମାଟି, ପାଣି, ପବନ ଓ ପରିବେଶ ଉପରେ ନିର୍ଭର କରିଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ ବାର୍ଷିକ ବର୍ଷାର ଅନୁପାତ ୧୫୦୦ ମିଲିମିଟରରୁ ପ୍ରାୟ ୧୩୦୦ -୧୩୫୦ ମିମିକୁ କମି ଆସିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ପ୍ଲାଂଟ ଫିଜିଓଲୋଜି ବିଭାଗର ପ୍ରଫେସର ତଥା କାର୍ଯ୍ୟକ୍ରମର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ସମସ୍ତ ଗବେଷଣା ସମାଜର ହିତ ପାଇଁ କରାଯାଇଥାଏ ଏବଂ ସୋଆ ଏହି ଲକ୍ଷ୍ୟ ପଥରେ ରହିଛି। ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ବିଭିନ୍ନ ବିଭାଗରେ ଗବେଷଣା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସୋଆ ନିକଟରେ ସମସ୍ତ ଭିତିଭୂମି ରହିଥିବା ସେ କହିଛନ୍ତି।

କାର୍ଯ୍ୟକ୍ରମରେ ବିଭିନ୍ନ ଆଲୋଚନା, ପୋଷ୍ଟର ପ୍ରଦର୍ଶନୀ, ବିଭିନ୍ନ କୃଷକ ଏବଂ କୃଷି ବିଶେଷଜ୍ଞଙ୍କ ସହ ଆଲୋଚନା, କୃଷି ପ୍ରଦର୍ଶନୀ, କୃଷି ଷ୍ଟାଟ୍‌ଅପ୍ ସମ୍ମିଳନୀ ଓ ବୈଷୟିକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏତଦ୍ ବ୍ୟତୀତ ବକ୍ତୃତା, କୃଷି କୁଇଜ୍‌, ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଡକ୍ଟର ଅଂଶୁମାନ ଜେନା ସଂଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଡ୍ରୋନ୍‌ ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଆସୁଛି ଯୁଗାନ୍ତକାରୀ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରର ବିକାଶ ଏବଂ କୃଷକଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ୍ରୋନ୍‌ ପ୍ରଯୁକ୍ତିର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ଡ୍ରୋନ୍‌ ମିଶନର ଶୁଭାରମ୍ଭ କରାଯିବା ସହିତ କୃଷି କ୍ଷେତ୍ରରେ ଡ୍ରୋନର ବହୁଳ ବ୍ୟବହାର ପାଇଁ ସରକାର ସବସିଡି ମଧ୍ୟ ଯୋଗାଇ ଦେଉଛନ୍ତି। ଡ୍ରୋନ୍‌ ଜରିଆରେ ଚାଷ ଜମିରେ କୀଟନାଶକ ସିଞ୍ଚନ କରିବା ଏବେ ସହଜ ହୋଇଥିବାରୁ ଚାଷୀଙ୍କ ପରିଶ୍ରମ କମିଛି ଏବଂ ସେମାନଙ୍କୁ ଅଧିକ ଲାଭ ମିଳିପାରୁଛି। ଏହି ଆଧୁନିକ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି।

ଏହି କ୍ରମରେ ସମ୍ପ୍ରତି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର କିଭଳି କରାଯାଇପାରିବ ସେ ସମ୍ପର୍କରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଚେତନତା ପ୍ରଦର୍ଶନୀମାନ ଆୟୋଜନ କରାଯାଇଛି। ରାଜ୍ୟର ୭ଟି ଆଦିବାସୀ ବହୁଳ ଜିଲ୍ଲାରେ ମୋଟ୍‌ ୬୦ ରୁ ଊର୍ଦ୍ଧ୍ବ ଡ୍ରୋନ୍‌ ବ୍ୟବହାର ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏଥିରେ ହଜାର ହଜାର ଚାଷୀ ଭାଗ ନେଇ ଡ୍ରୋନ୍‌ ବ୍ୟବହାର କୌଶଳ ଶିଖିଛନ୍ତି।  ମୟୂରଭଞ୍ଜ ଜିଲ୍ଲାର ବାରିପଦା ସମେତ କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଚାଷ ଜମିରେ ଡ୍ରୋନ୍‌ ପ୍ରୟୋଗ କରି କୀଟନାଶକ ସିଞ୍ଚନ ପ୍ରଦର୍ଶନ କରାଯାଇଥିଲା।

ଫର୍ଟିଲାଇଜର୍ସ ଏଣ୍ଡ କେମିକାଲ୍ସ ଟ୍ରାଭାଙ୍କୋର୍‌ ଲିମିଟେଡ୍‌ (ଏଫଏସିଟି) ପକ୍ଷରୁ ଡ୍ରୋନ୍‌ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ବିଶେଷଜ୍ଞମାନେ ଡ୍ରୋନରେ କୀଟନାଶକ ସିଞ୍ଚନ ଉପକରଣ ଲଗାଇ ଚାଷୀଙ୍କୁ ଫସଲରେ କୀଟନାଶକ ପ୍ରୟୋଗ ଶିଖାଇ ଦେଇଥିଲେ। ଚାଷୀମାନେ ଏସବୁ ଡ୍ରୋନ୍‌ କିଣିବାକୁ ଚାହିଁଲେ କେନ୍ଦ୍ର ସରକାର ସବସିଡି ବ୍ୟବସ୍ଥା ମଧ୍ୟ କରିଛନ୍ତି। ଡ୍ରୋନ୍‌ ବ୍ୟବହାର ପାଇଁ ଚାଷୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ହାତରେ କୀଟନାଶକ ସିଞ୍ଚନ କରିବା ଦ୍ୱାରା ଚାଷୀଙ୍କ ଶରୀର ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। କିନ୍ତୁ ଡ୍ରୋନ୍‌ ବ୍ୟବହାର ଦ୍ୱାରା ଚାଷୀମାନେ ଚାଷ ଜମି ଭିତରକୁ ପ୍ରବେଶ ନକରି ସାର ଓ କୀଟନାଶକ ପ୍ରୟୋଗ କରିପାରିବେ ଓ ଏହାଦ୍ୱାରା ସେମାନଙ୍କ ଶରୀର ଉପରେ କୌଣସି ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିବ ନାହିଁ।

Categories
ଆଜିର ଖବର

କୃଷକମାନେ ଏକତ୍ରିତ ଭାବେ ଉତ୍ପାଦିତ ଫସଲକୁ ବଜାରକୁ ଆଣିଲେ ହିଁ କୃଷି କ୍ଷେତ୍ରରେ ଉନ୍ନତି ଘଟିବ: ଡବ୍ଲୁଓଡିସି ଅଧ୍ୟକ୍ଷ

ଭୁବନେଶ୍ୱର: ଆମ ଦେଶରେ କୃଷକମାନେ ବଜାରକୁ ଦୃଷ୍ଟିରେ ରଖି ଫସଲ ଉତ୍ପାଦନ କରିବା ଉଚିତ୍। ସେମାନେ ନିଜର ପଡୋଶୀ ସହର, ରାଜ୍ୟ ଓ ବିଦେଶକୁ ନଜରରେ ରଖି ଫସଲ ଉତ୍ପାଦନ କଲେ ହିଁ କୃଷି କ୍ଷେତ୍ରରେ ଉନ୍ନତି ଘଟିବ ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ।

ଓଡିଶାରେ କୃଷି ଭିତିକ ଉଦ୍ୟୋଗର ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆୟୋଜିତ “ସୋଆ ଏଗ୍ରି କନ୍‌ଫ୍‌ଲୁଏନ୍ସ ୨୦୨୨”ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, କୃଷକମାନେ ଯେଉଁ ଫସଲ ଉତ୍ପାଦନ କରୁଛନ୍ତି ତାହା ବଜାରରେ ତାହା ଏକତ୍ରିତ ଭାବେ ବଜାରକୁ ଆଣିଲେ ହିଁ ସେମାନଙ୍କର ଭଲ ରୋଜଗାର ହୋଇପାରିବ ଏବଂ ଆମ ଦେଶର କୃଷି କ୍ଷେତ୍ର ମଧ୍ୟ ଉନ୍ନତ ହେବ। ଏ ଦିଗରେ କୃଷି ଉଦ୍ୟୋଗୀ ମାନେ ମଧ୍ୟ ସାମିଲ ହେବା ଉଚିତ୍ ବୋଲି ସେ କହିଛନ୍ତି।

ସେହିପରି ଶିକ୍ଷିତ ଛାତ୍ରଛାତ୍ରୀମାନେ ସରକାରୀ କିମ୍ବା ବେସରକାରୀ ଚାକିରୀ ପ୍ରତି ଅଧିକ ଆକୃଷ୍ଟ ନ ହୋଇ କୃଷି କ୍ଷେତ୍ରରେ ମନୋନିବେଶ କରି ନିଜର କୃଷି ଷ୍ଟାର୍ଟଅଫ୍ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ତ୍ରିପାଠୀ।

ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ କହିଥିଲେ ଯେ ଗବେଷକ ଏବଂ କୃଷି ବିଜ୍ଞାନୀମାନେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଚାଷ କାର୍ଯ୍ୟ କଲେ କୃଷି କ୍ଷେତ୍ରରେ ଅଗ୍ରଗତି ହୋଇପାରିବ।

ସୋଆରେ ଆରମ୍ଭ ହୋଇଥିବା ଏହି ଏଗ୍ରି କନ୍‌ଫ୍ଲୁଏନ୍ସ ଆଗାମୀ ବର୍ଷରେ କିଭଳି ଅଧିକ ଗୁରୁତ୍ୱ ବହନ କରିବ ସେ ନେଇ ଆଶା ବ୍ୟକ୍ତ କରିଥିଲେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ।

ଏହି କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ପ୍ରଫେସର ପି.କେ. ନନ୍ଦ ବକ୍ତବ୍ୟ ରଖିଥିଲେ। ସେହିପରି କୋକନ୍‌ଭେନର୍ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମାବେଶର ଅନ୍ୟତମ ଆକର୍ଷଣ ଥିଲା କୃଷି ପ୍ରଦର୍ଶନୀ। ପ୍ରଦର୍ଶନୀରେ ୩୦ରୁ ଊର୍ଦ୍ଧ୍ୱ ବିଭିନ୍ନ କୃଷି ଭିତିକ ଅନୁଷ୍ଠାନ ଓ ଜାତୀୟ ସ୍ତରର ଗବେଷଣା ପ୍ରତିଷ୍ଠାନ ମାନେ ଯୋଗ ଦେଇ ସେମାନଙ୍କର ଆଧୁନିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଥିଲେ। ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ବୁଲି ଦେଖିବା ସହ ଛାତ୍ରଛାତ୍ରୀ, କୃଷକ ଏବଂ କୃଷି ଉଦ୍ୟୋଗୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ପୁରସ୍କୃତ କରିଥିଲେ। ଏହି ତିନି ଦିନ ବ୍ୟାପୀ ଆୟୋଜିତ ହୋଇଥିବା ସମାବେଶରେ ରାଜ୍ୟ ତଥା ଦେଶର ଶତାଧିକ ଅଗ୍ରଣୀ କୃଷକଙ୍କ ସମେତ ଜାତୀୟ ସ୍ତରରେ ସୁଖ୍ୟାତି ପାଇଥିବା ବିଶିଷ୍ଟ ବୈଜ୍ଞାନିକ, ପ୍ରଶାସକ ତଥା ସଫଳ କୃଷି ଉଦ୍ୟୋଗୀମାନେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଇଏଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଲାଇଭଲିହୁଡ୍ ଅଲ୍ଟରନେଟିଭ୍ ମିଶନ୍‌ର ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ ଏବଂ
ଆଏଏସ୍‌ର ଓଏସ୍‌ଡି ତଥା ସୋଆର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।