Categories
ଆଜିର ଖବର ଜାତୀୟ ଖବର

ଭାରତରେ କୃଷି ବ୍ୟବସାୟ ସମ୍ଭାବନାକୁ ଉନ୍ମୋଚନ କରିବା ଉପରେ ଜାତୀୟ କର୍ମଶାଳା ଆୟୋଜନ

ନୂଆଦିଲ୍ଲୀ: କୃଷି ଓ କୃଷକ କଲ୍ୟାଣ ବିଭାଗ (ଡିଏଆଣ୍ଡଏଫ୍ ଡବ୍ଲୁ ) ପକ୍ଷରୁ ୨୭ ଜୁନ୍ ୨୦୨୪ରେ ନୂଆଦିଲ୍ଲୀଠାରେ “ଅଭିନବ କୃଷି ମୂଲ୍ୟ ଶୃଙ୍ଖଳା ଆର୍ଥିକ ସହାୟତା ମାଧ୍ୟମରେ ଭାରତର କୃଷି ବ୍ୟବସାୟ ସମ୍ଭାବନାକୁ ଉନ୍ମୋଚନ” ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଶେଷଜ୍ଞ ଏବଂ ଅଂଶୀଦାରମାନେ ଏକାଠି ହୋଇ କୃଷି ଅର୍ଥ ସମ୍ବନ୍ଧିତ ଗତିବିଧି ଉପରେ ଆଲୋଚନା କରିଥିଲେ।

କୃଷି ଏବଂ କୃଷକ କଲ୍ୟାଣ ବିଭାଗ ସଚିବ ମନୋଜ ଆହୁଜା ମୂଲ୍ୟ ଶୃଙ୍ଖଳାରେ କୃଷି ଅର୍ଥର ଗୁରୁତ୍ୱ ଉପରେ ଆଲୋକପାତ କରି ଉତ୍ପାଦନ କେନ୍ଦ୍ରୀତ ଆଭିମୁଖ୍ୟରୁ ଚାହିଦା ଭିତ୍ତିକ ଆଭିମୁଖ୍ୟକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କୃଷି ମୂଲ୍ୟ ଶୃଙ୍ଖଳା (ଏଭିସି)କୁ ଅଧିକ ସାମଗ୍ରିକ ଭାବରେ ବିକଶିତ କରିବା ଏବଂ ବିଶ୍ୱ ବଜାର ସହିତ ଏହାକୁ ଯୋଡ଼ିବା ପାଇଁ ଆମକୁ କେବଳ ଯୋଗାଣ କ୍ଷେତ୍ରରେ ଥିବା ଅଭାବଦୂର କରିବା ପରିବର୍ତ୍ତେ ବଜାର ଚାହିଦା ପୂରଣ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ପ୍ରଭାବଶାଳୀ ଏଭିସି ବିକାଶ ପାଇଁ ଉତ୍ତରଦାୟୀ ଏବଂ ଡିଜିଟାଲ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ର ଗୁରୁତ୍ୱ ଉପରେ ଶ୍ରୀ ଆହୁଜା ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ନୀତି ଢାଞ୍ଚାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଶ୍ରୀ ଆହୁଜା ଏହା ମଧ୍ୟ କହିଥିଲେ ଯେ ପରିଶୋଧର କ୍ଷମତା ଏବଂ ଅର୍ଥନୈତିକ ସ୍ଥିରତା ରେ ଉନ୍ନତି ଆଣିବା ପାଇଁ ବିଲ୍ ଡିସକାଉଣ୍ଟିଂ, ବ୍ରିଜ୍ ଫାଇନାନ୍ସିଂ ଏବଂ ରିସ୍କ ହେଜିଂ ଭଳି ଆର୍ଥିକ ଉପକରଣ ପ୍ରଚଳନ କରିବାକୁ ଶ୍ରୀ ଆହୁଜା ପରାମର୍ଶ ଦେଇଥିଲେ। ଏହି ଉପକରଣଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସରଳ ପ୍ରୟୋଗ ପ୍ରକ୍ରିୟା ଏବଂ ଅମଲାତାନ୍ତ୍ରିକ ପ୍ରତିବନ୍ଧକ ହ୍ରାସ ସହିତ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ଅର୍ଥନୀତିକ ସେବା ବିଭାଗର ସଚିବ କୃଷି ଋଣ ଉପଲବ୍ଧତାରେ ଉଲ୍ଲେଖନୀୟ ବୃଦ୍ଧି ଘଟି କୃଷି ମୂଲ୍ୟ ଶୃଙ୍ଖଳା ଫାଇନାନ୍ସିଂ (ଏଭିସିଏଫ୍) ଢାଞ୍ଚା ମଧ୍ୟରେ ଠିକ୍ ସମୟରେ ଋଣ ପ୍ରଦାନ କରିବାରେ ଡିଜିଟାଲ୍ ଆର୍ଥିକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆର୍ଥିକ ସେବା ବିଭାଗର ସଚିବ ଡ. ବିବେକ ଯୋଶୀ ଗୁରୁତ୍ୱାରୋପ କରିଥିଲେ। ସମଗ୍ର ମୂଲ୍ୟ ଶୃଙ୍ଖଳାରେ କୃଷକମାନଙ୍କୁ ସହାୟତା କରିବା ପାଇଁ ଋଣ ର ଅବାଧ ଏବଂ ସୁଲଭ ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ଆମର ଧ୍ୟାନ ରହିଛି ବୋଲି ସେ କହିଛନ୍ତି। ବିଶେଷ କରି ଉଚ୍ଚ ମୂଲ୍ୟର କୃଷି ବଜାରରେ ଶେଷ ମାଇଲ ଋଣ ଉପଲବ୍ଧତା ଏବଂ ସ୍ୱତନ୍ତ୍ର ଆର୍ଥିକ ଉତ୍ପାଦ ଯୋଗାଇବାରେ ଏନବିଏଫସି, ଫିନଟେକ୍ ଏବଂ ଷ୍ଟାର୍ଟଅପ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ ସଚେତନତା ସୃଷ୍ଟି କରିବା ସହଯୋଗକୁ ସୁଗମ କରିବା, ସମାଧାନର ଅନୁସନ୍ଧାନ ଏବଂ ଅଭିନବ କୃଷି ଆର୍ଥିକ ସମାଧାନ ସହିତ ଅଂଶଗ୍ରହଣକାରୀଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ାରୋପ କରାଯାଇଥିଲା । ଏହି କର୍ମଶାଳାରେ ଶିକ୍ଷାନୁଷ୍ଠାନ, ଶିଳ୍ପ, ଫାଇନାନ୍ସିଂ ଏଜେନ୍ସି, ସୁବିଧା ପ୍ରଦାନକାରୀ ସଂସ୍ଥା ଏବଂ ବିଭିନ୍ନ ସରକାରୀ ବିଭାଗର ଦୃଢ଼ ଅଂଶଗ୍ରହଣ ହୋଇଥିଲା। ଏହା ସହଯୋଗ ଏବଂ ଭାଗିଦାରୀ ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା, ଯାହା ଭାରତର କୃଷି କ୍ଷେତ୍ରରେ ପରିବର୍ତନମୂଳକ ପଦକ୍ଷେପ ପାଇଁ ପଥ ପ୍ରଶସ୍ତ କରିଥିଲା । ଏଥିରେ ଆଇସିଆରଆଇଇଆରର ପ୍ରତିହତ ବିଶିଷ୍ଟ ପ୍ରଫେସର ଅଶୋକ ଗୁଲାଟିଙ୍କ ଭଳି ବିଶିଷ୍ଟ ବକ୍ତାମାନଙ୍କୁ ନେଇ ଉଚ୍ଚସ୍ତରୀୟ ରଣନୈତିକ ଆଲୋଚନା କରାଯାଇଥିଲା, ଯେଉଁମାନେ କୃଷକଙ୍କ ଆୟରେ ଉନ୍ନତି ଆଣିବା ପାଇଁ କୃଷିକ୍ଷେତ୍ରରେ ଚାହିଦା ଭିତ୍ତିକ ଆଭିମୁଖ୍ୟକୁ ପରିବର୍ତ୍ତନ କରିବାର ଗୁରୁତ୍ୱ, ଖାଦ୍ୟ ଶୃଙ୍ଖଳାରେ ପୋଷଣ ଦିଗ ଉପରେ ଧ୍ୟାନ ଦେବା ଏବଂ କୃଷିରେ ଜଳବାୟୁ ସ୍ଥିରତା ବିକଶିତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରି ଡି ଏ ଆଣ୍ଡ ଏଫ ଡବ୍ଲ୍ୟୁର ଯୁଗ୍ମ ସଚିବ (କ୍ରେଡିଟ୍) ଶ୍ରୀ ଅଜିତ କୁମାର ସାହୁ ପ୍ରାରମ୍ଭରେ କୃଷି ମୂଲ୍ୟ ଶୃଙ୍ଖଳା ଫାଇନାନ୍ସିଂ (ଏଭିସିଏଫ୍) ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟର ଆବଶ୍ୟକତା ଉପରେ ଆଲୋକପାତ କରି କହିଥିଲେ ଯେ ୨୦୩୦ ସୁଦ୍ଧା କୃଷି ମୋଟ ମୂଲ୍ୟ ସଂଯୋଜିତ (ଜିଭିଏ) ୧୦୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ।

ନାବାର୍ଡର ଅଧ୍ୟକ୍ଷ ଶ୍ରୀ କେ. ଭି ଶାଜି କୃଷକମାନଙ୍କ ଆର୍ଥିକ ଉପଲବ୍ଧତାରେ ଉନ୍ନତି ଆଣିବା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଏଫପିଓମାନଙ୍କ ପାଇଁ ବିଶ୍ୱସନୀୟ ଡାଟା ଉପଲବ୍ଧତା ସୁନିଶ୍ଚିତ କରିବା ର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, କାରଣ ବ୍ୟାଙ୍କଗୁଡିକ ସଚେତନ ନିଷ୍ପତ୍ତି ନେବା ଏବଂ ପ୍ରଭାବଶାଳୀ ମୂଲ୍ୟ ଶୃଙ୍ଖଳା ଆର୍ଥିକ ପ୍ରଦାନ କରିବା ପାଇଁ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଗ୍ରାମାଞ୍ଚଳରେ ସାର୍ବଜନୀନ ଭିତ୍ତିଭୂମିର ବିକାଶ ପାଇଁ ସେ ପରାମର୍ଶ ଦେଇଥିଲେ, ଯେଉଁଥିରେ କୃଷି ଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, ବ୍ରାଣ୍ଡିଂ ଏବଂ ମାର୍କେଟିଂ ର ସୁବିଧା ରହିଛି। ଗ୍ରାମାଞ୍ଚଳରେ ସମବାୟ ସମିତିର ପ୍ରଶାସନିକ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ଏହା ସମନ୍ୱିତ ମୂଲ୍ୟ ଶୃଙ୍ଖଳା ଆର୍ଥିକ ସହାୟତା କୁ ଆଗେଇ ନେବ ।

ବୀମା ଏବଂ ପିଏମ୍‌ଏଫବିୱାଇ ର ସିଇଓ ରିତେଶ ଚୌହ୍ୱାନ ପ୍ରଧାନମନ୍ତ୍ରୀ ଫସଲ ବୀମା (ପିଏମଏଫବିୱାଇ) ନାମକ ଯୋଜନା ମାଧ୍ୟମରେ କୃଷିକ୍ଷେତ୍ରରେ ଆର୍ଥିକ ସ୍ଥିରତା ବୃଦ୍ଧି ଉପରେ ଏକ ଉପସ୍ଥାପନା କରିଥିଲେ। ଶ୍ରୀ ଚୌହାନ କୃଷି-ମୂଲ୍ୟ ଶୃଙ୍ଖଳା ଆର୍ଥିକ କ୍ଷେତ୍ରରେ ସରକାରଙ୍କ ସାମଗ୍ରିକ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ସମଗ୍ର କୃଷି ମୂଲ୍ୟ ଶୃଙ୍ଖଳାରେ ବ୍ୟାପକ ବିପଦ ସୁରକ୍ଷା ଏବଂ ଆର୍ଥିକ ସହାୟତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଋଣ ଉପଲବ୍ଧତାକୁ ସୁବ୍ୟବସ୍ଥିତ କରିବା ଏବଂ କୃଷି କ୍ଷେତ୍ରରେ ସହାୟକତା ବୃଦ୍ଧି କରିବା ପାଇଁ ସାରଥୀ, ଏଆଇଡିଇ, କିଷାନ ଋଣ ପୋର୍ଟାଲ ଏବଂ ଆଗ୍ରିଷ୍ଟାକ୍ ଭଳି ପ୍ଲାଟଫର୍ମ ମାଧ୍ୟମରେ ଟେକ୍ନୋଲୋଜିର ଉପଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କ୍ଲଷ୍ଟର ଭିତ୍ତିକ ଆଭିମୁଖ୍ୟ, ଅଭିନବ ଆର୍ଥିକ ବ୍ୟବସ୍ଥା ଏବଂ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ଙ୍କୁ ମୂଲ୍ୟ ଶୃଙ୍ଖଳାରେ ସମନ୍ୱିତ କରିବା ସମେତ କୃଷି ମୂଲ୍ୟ ଶୃଙ୍ଖଳା ଆର୍ଥିକ ସହାୟତାର ବିଭିନ୍ନ ଦିଗ ଉପରେ ପ୍ୟାନେଲ ଆଲୋଚନା ହୋଇଥିଲା। ବିଭିନ୍ନ ପୃଷ୍ଠଭୂମିର ବିଶେଷଜ୍ଞମାନେ ବୁଝାମଣା ଏବଂ ଅନୁଭୂତି ବାଣ୍ଟି ବାର୍ତ୍ତାଳାପକୁ ସମୃଦ୍ଧ କରିଥିଲେ।

ଦଳଗତ ଆଲୋଚନାରେ କୃଷି ମୂଲ୍ୟ ଶୃଙ୍ଖଳା ସମ୍ବନ୍ଧିତ ଆର୍ଥିକ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ, ଯେଉଁଥିରେ କ୍ଲଷ୍ଟର-ଆଧାରିତ ଦୃଷ୍ଟିକୋଣ, ନବୀନ ବିତ୍ତପୋଷଣ ପ୍ରଣାଳୀ ଏକ କୃଷକ ଉତ୍ପାଦକ ସଂଗଠନଗୁଡିକ (ଏଫବିଓ)ର ମୂଲ୍ୟ ଶୃଙ୍ଖଳା ଏକୀକୃତ କରିବା ସାମିଲ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଅର୍ଜୁନ ମୁଣ୍ଡାଙ୍କୁ ମିଳିଲା କୃଷି ମନ୍ତ୍ରଣାଳୟର ଦାୟିତ୍ୱ, ରାଜୀବ ଚନ୍ଦ୍ରଶେଖର ପାଇଲେ ଏହି ବିଭାଗ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ପ୍ରହ୍ଲାଦ ସିଂ ପଟେଲ ଏବଂ ରେଣୁକା ସିଂ ସରୁତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ବର୍ତ୍ତମାନ ନରେନ୍ଦ୍ର ସିଂ ତୋମରଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ରାଜ୍ୟ ମନ୍ତ୍ରୀର ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି। ଜଳ ଶକ୍ତି ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଅତିରିକ୍ତ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାରଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ଅର୍ଜୁନ ମୁଣ୍ଡା ପୂର୍ବରୁ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବାବେଳେ ଶୋଭା କରନ୍ଦଲାଜେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅଟନ୍ତି। ଏହା ବ୍ୟତୀତ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଅଟନ୍ତି। ଏହା ବ୍ୟତୀତ ଭାରତ ପ୍ରବୀଣ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ରାଜ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପିକ୍ସେଲ ସ୍ପେସ୍ ଇଣ୍ଡିଆ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କଲା କୃଷି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ପିକ୍ସେଲ ସ୍ପେସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ଡିଆଣ୍ଡଏଫଡବ୍ଲ୍ୟୁ ସଚିବ ମନୋଜ ଅହୁଜା, ଡିଆଣ୍ଡଏଫଡବ୍ଲ୍ୟୁ ଉପସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର ହୋଇଛି।

ଏମଏନସିଏଫସି ନିର୍ଦ୍ଦେଶକ ସିଏସ୍ ମୁର୍ତ୍ତୀ ଭାରତ ସରକାରଙ୍କ ତରଫରୁ ଏବଂ ପିକ୍ସେଲ ସ୍ପେସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପ୍ରମୁଖ ଅଧିକାରୀ ଅଭିଷେକ କୃଷ୍ଣନ୍ ଏମଓୟୁ ସ୍ୱାକ୍ଷର କରିଥିଲେ। ଏହାର ଲକ୍ଷ୍ୟ ହେଉଛି ପିକ୍ସେଲର ହାଇପରସ୍ପେକ୍ଟ୍ରାଲ୍ ଡାଟା ସେଟର ବ୍ୟବହାର କରି ଭାରତୀୟ କୃଷି ଇକୋସିଷ୍ଟମ୍ ତନ୍ତ୍ର ପାଇଁ ବିନା ମୂଲ୍ୟରେ ବିଭିନ୍ନ ଭୌଗୋଳିକ ସମାଧାନର ବିକାଶ କରିବା। ଏହି ପ୍ରକଳ୍ପ ଫସଲର ମ୍ୟାପିଂ କରିବା, ମୂଲ୍ୟ ନିର୍ଦ୍ଧାରଣ, ବିଭିନ୍ନ ପର୍ଯ୍ୟାୟ ଫସଲ ମଧ୍ୟରେ ବ୍ୟବଧାନ, ଫସଲ ସ୍ୱାସ୍ଥ୍ୟ ନୀରିକ୍ଷଣ ଏବଂ ମୃତ୍ତିକାରେ ଜୈଜ ଅଙ୍ଗାରକାମ୍ଳ ଆକଳନ ଉପରେ ଧ୍ୟାନ ରଖି ବିଶ୍ଲେଷଣାତ୍ମକ ମଡେଲ ଗୁଡିକ ବିକଶିତ କରିବା ପାଇଁ ପିକ୍ସେଲର ପଥ ଖୋଜୁଥିବା ଉପଗ୍ରହରୁ ପ୍ରାପ୍ତ ହାଇପରସ୍ପେକ୍ଟ୍ରାଲ୍ ଡାଟା ନମୁନାର ଲାଭ ଉଠାଇବା ଉପରେ କେନ୍ଦ୍ରୀତ। ସରକାରଙ୍କୁ ପିକ୍ସେଲ ଦ୍ବାରା ଉବଲବ୍ଧ ହାଇପରସ୍ପେକ୍ଟ୍ରାଲ୍ ତଥ୍ୟ ବ୍ୟବହାର ପଦ୍ଧତି ବିକାଶିତ କରିବାରେ ସକ୍ଷମ କରିବ। ଡିଆଣ୍ଡଏଫଡବ୍ଲ୍ୟୁ ତରଫରୁ ଏମଏନସିଏଫସି ଉପଯୁକ୍ତ ପଦ୍ଧତିର ବିକଶିତ କରିବା ଏବଂ କାର୍ଯ୍ୟକାରୀ କରିବା ପାଇଁ ପିକ୍ସେଲ ଟିମ୍ ସହିତ ସହଯୋଗ କରିବ।

ହାଇପରସ୍ପେକ୍ଟ୍ରାଲ୍ ରିମୋଟ ସେନ୍ସିଂ କୌଶଳରେ ଉପଗ୍ରହ ଦ୍ବାରା ସଂକୀର୍ଣ୍ଣ ତରଙ୍ଗ ଦୈର୍ଘ୍ୟ ବ୍ୟାଣ୍ଡର ସ୍ପେକ୍ଟ୍ରାଲ୍ ମାପ ଅନ୍ତର୍ଭୁକ୍ତ ଏବଂ ଏହି ମାପ ଫସଲ ଏବଂ ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖିବା ଏବଂ ଆକଳନ କରିବା ପାଇଁ କିଛି ଅନନ୍ୟ ସୂଚକାଙ୍କ ପ୍ରଦାନ କରିଥାଏ। ଏହା ହେଉଛି କୃଷି ଉପରେ ଦୃଷ୍ଟି ରଖିବା ପାଇଁ ଅନନ୍ୟ ସାମର୍ଥ୍ୟ ସହିତ ଏକ ବିକଶିତ ପ୍ରଯୁକ୍ତିବିଦ୍ୟା। ହାଇପରସ୍ପେକ୍ଟ୍ରାଲ୍ ତଥ୍ୟ ବ୍ୟବହାର କରି କ୍ଲୋରୋଫିଲ୍ ଏବଂ ଫସଲର ଆର୍ଦ୍ରତା ସ୍ଥିତିରେ ପରିବର୍ତ୍ତନ ଚିହ୍ନଟ କରି ଫସଲ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖିବା ଓ ଫସଲର ସଂକଟ ପରିଚାଳନା ସମାଧାନ ଖୋଜିବାରେ କୃଷକମାନଙ୍କ ପାଇଁ ଲାଭଦାୟକ ହେବ।

ମୃତ୍ତିକାର ଜୈବ ମୂଲ୍ୟାଙ୍କନ ସହିତ ମୃତ୍ତିକାର ପୋଷକ ତତ୍ତ୍ବ ମ୍ୟାପିଂ, ହାଇପରସ୍ପେକ୍ଟ୍ରାଲ୍ ଟେକ୍ନୋଲୋଜିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ। ସେନ୍ସର ଦ୍ୱାରା ମାପ କରାଯାଇଥିବା ମୃତ୍ତିକାର ପ୍ରତିଫଳନ, ମୃତ୍ତିକାର ଜୈବ ଅଙ୍ଗାରକାମ୍ଳର ଆକଳନ ପାଇଁ ଅଧିକ ପ୍ରତ୍ୟକ୍ଷ ଏବଂ ପ୍ରଭାବଶାଳୀ ତଥ୍ୟ ପ୍ରଦାନ କରିଥାଏ। ଏହା ହାଇପରସ୍ପେକ୍ଟ୍ରାଲ୍ ବ୍ୟବହାର କରି ଫସଲ ଉପରେ ପଡୁଥିବା ଚାପର ଶୀଘ୍ର ଚିହ୍ନଟ କରିବାରେ, କୀଟନାଶକ/ରୋଗ କିମ୍ବା ଜଳ କାରଣରୁ ଫସଲ ସଂକଟର ସଠିକ୍ ନିରାକରଣରେ ସାହାଯ୍ୟ କରିବ। ଲକ୍ଷ ଲକ୍ଷ ଚାଷୀଙ୍କୁ ଉପକୃତ କରୁଥିବା ସରକାରଙ୍କ ବର୍ତ୍ତମାନର ପରାମର୍ଶ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ହାଇପରସ୍ପେକ୍ଟ୍ରାଲ୍ ତଥ୍ୟ ଅନେକ ସୁଯୋଗ ପ୍ରଦାନ କରିଥାଏ।

ଡିଆଣ୍ଡଏଫଡବ୍ଲ୍ୟୁର ସଚିବ, କହିଛନ୍ତି ଯେ ଯୁବ ଷ୍ଟାର୍ଟଅପ୍ କମ୍ପାନୀ ସହିତ ଏହିପରି ସହଯୋଗ ଓ ସମନ୍ବୟ ଦ୍ବାରା ଉନ୍ନତ ଉପଗ୍ରହ ଇମେଜିଙ୍ଗ ଟେକ୍ନୋଲୋଜିର ବ୍ୟବହାର କରି ଏକ ଅଭିନବ ଗୌଗୋଳିକ ସମାଧାନର ବିକଶିତ କରିବା​‌​‌ରେ ବହୁତ ସହାୟତା ମିଳିବ। ଏହି ନୂତନ ପ୍ରଯୁକ୍ତି ବିଦ୍ୟା ମାନୁଆଲ ସର୍ବେକ୍ଷଣ ଏବଂ ମାପ ଉପରେ ନିର୍ଭରଶୀଳତା ହ୍ରାସ କରିବ, ଯାହା ସମୟ ସାପେକ୍ଷ ଏବଂ ଏଥିରେ ତ୍ରୁଟି ରହିବାର ସମ୍ଭାବନା ବହୁତ କମ୍ ଥାଏ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବର୍ତ୍ତମାନ କୃଷକମାନେ ଅନଲାଇନରୁ କିଣି ପାରିବେ କୀଟନାଶକ: ଅନୁମୋଦନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ମୋଦୀ ସରକାର ଚାଷୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କୃଷକମାନେ ନିଜ କ୍ଷେତରେ ବ୍ୟବହୃତ କୀଟନାଶକକୁ ଘରେ ବସି ଅର୍ଡର କରିପାରିବେ। ନିୟମ ପରିବର୍ତ୍ତନ କରି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।

କୀଟନାଶକ ନିୟମ, ୧୯୭୧ ରେ କୃଷି ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ମନ୍ତ୍ରଣାଳୟ ଦ୍ଵାରା ଜାରି ବିଜ୍ଞପ୍ତିରେ ୧୯୭୧ର ନିୟମ ପରିବର୍ତ୍ତନ କରାଯାଇଛି ଏବଂ କୁହାଯାଇଛି ଯେ, କୀଟନାଶକ ବାଣିଜ୍ୟ ପାଇଁ ଲାଇସେନ୍ସପ୍ରାପ୍ତ କମ୍ପାନୀଗୁଡିକ ବର୍ତ୍ତମାନ ସମସ୍ତ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ କୃଷକମାନଙ୍କୁ କୀଟନାଶକ ବିକ୍ରି କରିପାରିବେ। ଏଥିପାଇଁ କେବଳ ସର୍ତ୍ତ ରଖାଯାଇଛି ଯେ, ଲାଇସେନ୍ସପ୍ରାପ୍ତ କମ୍ପାନୀଗୁଡିକର ବୈଧତା ସ୍ଥିର କରିବା ଇ-କମର୍ସ ପ୍ଲାଟଫର୍ମର ଦାୟିତ୍ଵ ହେବ।

ଦୀର୍ଘ ଦିନ ଧରି କୀଟନାଶକ ବ୍ୟବସାୟରେ ନିୟୋଜିତ କମ୍ପାନୀଗୁଡିକର ଚାହିଦା ରହିଆସିଛି ଯେ, କୀଟନାଶକକୁ ସିଧାସଳଖ ଚାଷୀଙ୍କ ଦ୍ୱାର ଦେଶରେ ପହଞ୍ଚାଇବାକୁ ଦିଆଯାଉ। କମ୍ପାନୀଗୁଡିକ ଯୁକ୍ତି କରିଛନ୍ତି ଯେ, ଏହା କରିବା ଦ୍ୱାରା କୀଟନାଶକ ଉତ୍ପାଦନକାରୀ କମ୍ପାନୀ ଏବଂ କୃଷି କ୍ଷେତ୍ର ସହ ଜଡିତ ବ୍ୟବସାୟର ବିସ୍ତାରରେ ମଧ୍ୟ ସହାୟକ ହେବ।

କୃଷକ ସଂଗଠନଗୁଡିକ ମଧ୍ୟ ବିଶ୍ୱାସ କରିଆସୁଛନ୍ତି ଯେ, କୀଟନାଶକ ଔଷଧକୁ ସିଧାସଳଖ କୃଷକଙ୍କ ଦ୍ୱାରରେ ପହଞ୍ଚାଇବା ଦ୍ୱାରା କୃଷକମାନେ ମଧ୍ୟ ପ୍ରାମାଣିକ କୀଟନାଶକ ପାଇବେ। ଏହି କାରଣରୁ ଚାଷୀଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡ଼ିବ ନାହିଁ, ସେମାନେ ଘରେ କୀଟନାଶକ ପାଇବେ। ଭାରତରେ ମୁଖ୍ୟ ଇ-କମର୍ସ କମ୍ପାନୀ ଆମାଜନ ଏବଂ ଫ୍ଲିପକାର୍ଟ ସମେତ ଅନେକ କମ୍ପାନୀରେ କୀଟନାଶକ ଉପଲବ୍ଧ ହେବ। ଏଭଳି ପରିସ୍ଥିତିରେ କୃଷକମାନେ ଏହା ଦ୍ୱାରା ବହୁ ଉପକୃତ ହେବେ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

କୃଷି ମନ୍ତ୍ରଣାଳୟ ଓ ଆଇସିଆରଆଇଏସଏଟିର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର: ପତିତ ଜମିର ପୁନରୁଦ୍ଧାର କରି ତାହାକୁ ଚାଷ ଉପଯୋଗୀ କରିବା ସହ ଆଧୁନିକ ପ୍ରଣାଳିରେ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରଣାଳୟ ଓ ଅନ୍ତରାଷ୍ଟ୍ରୀୟ ଫସଲ ଅନୁସନ୍ଧାନ ସଂସ୍ଥାନ(ଆଇସିଆରଆଇଏସଏଟି)ର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

ଓଡ଼ିଶାର ଖଣି ବହୁଳ ଅଞ୍ଚଳ ଗୁଡ଼ିକରେ ପୁରୁଣା ଖଣି ଓ ଖାଦାନ, ବର୍ତ୍ତମାନର ପାଉଁଶ ଗଦା ଏବଂ ପ୍ରଦୂଷଣ ଯୋଗୁଁ ବହୁ ଜମି ଯାହା ପୂର୍ବରୁ ଚାଷ ଉପଯୋଗୀ ଥିଲା ବର୍ତ୍ତମାନ ସମୟରେ ପତିତ ଜମିରେ ପରିବର୍ତ୍ତିତ ହୋଇଛି। ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ, କୃଷି ମନ୍ତ୍ରଣାଳୟ ତଥା ଆଇସିଆରଆଇଏସଏଟିର ଧ୍ୟାନ ଆକର୍ଷଣ କରିଥିଲେ। ପରୀକ୍ଷାମୂଳକ ଭାବେ ଏହି ଗବେଷଣା କେନ୍ଦ୍ର ଅନୁଗୋଳ ଜିଲ୍ଲାର ତାଳଚେର ବଲଣ୍ଡା ଅଞ୍ଚଳରେ ପତିତ ଜମି ପୁନରୁଦ୍ଧାର ପ୍ରକଳ୍ପ ହାତକୁ ନେବା ଦିଗରେ ଆଲୋଚନା କରାଯାଇଛି।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ତାଳଚେରର ବଲଣ୍ଡା ଅଂଚଳରେ ବୈଜ୍ଞାନିକ ପଦ୍ଧତିରେ ପତିତ ଜମିର ପୁନରୁଦ୍ଧାର କରି ତାହାକୁ ଚାଷ ଉପଯୋଗୀ କରିବା ଦିଗରେ ବୈଠକରେ ଆଲୋଚନା କରାଯାଇଛି। ଏହି ବୈଠକରେ ଆଇସିଆରଆଇଏସଏଟି ଦ୍ୱାରା ବୈଜ୍ଞାନିକ ଉପାୟରେ ଚାଷ କାର୍ଯ୍ୟ କରିବା ଦିଗରେ ଏକ ପ୍ରେଜେଂଟେସନ ମଧ୍ୟ ଦିଆଯାଇଥିଲା ଦୀର୍ଘ ଦିନ ର କୋଇଲା ଉତ୍ତୋଳନ ଏବଂ ବର୍ତ୍ତମାନର ପାଉଁଶ ପୋଖରୀ ଜନିତ ପ୍ରଦୂଷଣ ର ସମସ୍ୟାକୁ ସମାଧାନ ସହ ଜମି କୁ ବର୍ତ୍ତମାନ ଚାଷ ଉପଯୋଗୀ କରିବା ପାଇଁ ଏହି ପ୍ରକଳ୍ପ ଏକ ନୂତନ ପଦକ୍ଷେପ। ଏହାସହ ଚାଷ ସହ ଜଡ଼ିତ ଆନୁଷଙ୍ଗିକ କାର୍ଯ୍ୟର ବିକାଶ ତଥା ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ଗୁରୁତ୍ୱ ଦିଆଯାଇଛି।

ପତିତ ଜମି ପୁନରୁଦ୍ଧାର ସହ ସ୍ଥାନୀୟ ଅଂଚଳରେ ଚାଷ ଏବଂ ଚାଷ ସାମଗ୍ରୀର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଯୋଜନା କରାଯିବ। ଜଙ୍ଗଲଜାତ ଦ୍ରବ୍ୟର ବିକାଶ, ଚାଷୀଙ୍କ ସହ ବଜାର ସଂଯୋଗୀକରଣ, ଚାଷୀଙ୍କ ଜୀବିକାକୁ ଉନ୍ନତ କରିବା ତଥା କୃଷି ଉତ୍ପାଦକ ସଂଗଠନ(ଏଫପିଓ) ମାଧ୍ୟମରେ ଚାଷୀ ମାନଙ୍କୁ କୁଶଳୀ କରିବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ମଧ୍ୟ ଉକ୍ତ ଆଲୋଚନା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।