Categories
ଆଜିର ଖବର ରାଜ୍ୟ ଖବର

ଓୟୁଏଟିର‌ ଭିତ୍ତିଭୂମି ପ୍ରକଳ୍ପର ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ: ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ

ଭୁବନେଶ୍ବର: ଆଜି କୃଷିଭବନ ଠାରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ କାର୍ଯ୍ୟନିର୍ବାହୀ ସଂସ୍ଥା ସହିତ ଓୟୁଏଟିର‌ ଭିତ୍ତିଭୂମି ପ୍ରକଳ୍ପର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଏହି ବୈଠକରେ ଓୟୁଏଟି ପରିସରରେ ନିର୍ମାଣଧିନ ୫୦୦ ସିଟ୍ ବିଶିଷ୍ଟ ଛାତ୍ର ନିବାସ, ନିର୍ମାଣଧିନ ୨୦୦ ସିଟ୍ ବିଶିଷ୍ଟ ଶ୍ରମିକ ନିବାସ ନିର୍ମାଣ, ଛାତ୍ରୀ ନିବାସର ୧୦ ଟା କୋଠରୀର ନବୀକରଣ, ନିର୍ମାଣଧିନ ପ୍ରଶାସନିକ ଭବନ, ନିର୍ମାଣଧିନ ଚ଼ିପିଲିମା ଠାରେ କଲେଜ୍ ଅଫ୍ ଏଗ୍ରିକଲ୍ଟଚ଼ର ଠାରେ ହୋଇଥିବା ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ ହଲ୍ ଆଦିର ସ୍ଥିତି ବିଷୟରେ କାର୍ଯ୍ୟନିର୍ବାହୀ ସଂସ୍ଥାର ଅଧିକାରୀ ମାନେ ଅବଗତ କରାଇଥିଲେ। ଚାଲୁଥିବା ସମସ୍ତ କାର୍ଯ୍ୟକୁ ସମାପ୍ତ କରି ଖୁବଶୀଘ୍ର ହସ୍ତାନ୍ତର କରିବାପାଇଁ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ‌ ଦିଆଯାଇଥିଲା।

ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ଆରକ୍ଷୀ ମହାନିର୍ଦ୍ଦେଶକ (ଅତ୍ୟାଧୁନିକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଓୟୁଏଟି କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ, କୃଷି ବିଭାଗର ୫ ଅଧିକାରୀ ଓ କର୍ମଚାରୀ ବହିଷ୍କୃତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ ସହନଶୀଳତା ଆଭିମୁଖ୍ୟ ଅନୁଯାୟୀ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍‌ସ କୋର୍ଟ ଦ୍ୱାରା ଦଣ୍ଡିତ ଏବଂ କାର୍ଯ୍ୟରେ ଖିଲାପ ଓ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ବହିଷ୍କୃତ କିମ୍ବା ବାଧ୍ୟତାମୂଳକ ଅବସର ଦିଆଯାଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ ପୂର୍ବତନ ସହକାରୀ କୃଷି ଯନ୍ତ୍ରୀ, ଜଣେ ପୂର୍ବତନ ଉଦ୍ୟାନକୃଷିର ଉପ ନିର୍ଦ୍ଦେଶକ, ଜଣେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିଅର ଏବଂ ଦୁଇଜଣ ପୂର୍ବତନ ଚତୁର୍ଥଶ୍ରେଣୀ କର୍ମଚାରୀ ଅନ୍ତର୍ଭୁକ୍ତ।

ଭିଜିଲାନ୍‌ସ କୋର୍ଟ ଦ୍ୱାରା ଦଣ୍ଡିତ ସହକାରୀ କୃଷି ଯନ୍ତ୍ରୀ ଏବଂ ଗୁରୁତର ଅସଦାଚରଣ ଅଭିଯୋଗରେ ବିଭାଗୀୟ ଶୃଙ୍ଖଳା କମିଟିର ସୁପାରିଶ କ୍ରମେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ସେହିପରି ପୂର୍ବତନ ଉଦ୍ୟାନକୃଷି ଉପ ନିର୍ଦ୍ଦେଶକଙ୍କୁ ସରକାରୀ ଅର୍ଥର ଅପବ୍ୟବହାର ଓ ଅସଦାଚରଣ ଅଭିଯୋଗରେ ଏବଂ ଆଉ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଅସଦାଚରଣ ଓ କାର୍ଯ୍ୟରେ ଖିଲାପ ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିଅରଙ୍କୁ ଭିଜିଲାନ୍‌ସ ଟ୍ରାପ୍‌ କେଶ୍‌ ଅଭିଯୋଗରେ ଆଗୁଆ ଅବସର ଦିଆଯାଇଛି।