Categories
ବିଶେଷ ଖବର ରାଜ୍ୟ ଖବର

ସହରାଞ୍ଚଳରେ ରାସ୍ତାଘାଟ ଓ ଜଳଯୋଗାଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ଦିଆଗଲା ଏହି ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ ସିଂ, ଗୃହନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ସମେତ ବିଭିନ୍ନ ଜିଲ୍ଲା ତଥା ବିଭାଗୀୟ ପଦାଧିକାରୀବୃନ୍ଦ ଯୋଗଦେଇଥିଲେ।

ବୈଠକରେ ବିଭିନ୍ନ ଜିଲ୍ଲା ତଥା ମୁନିସିପାଲିଟିରୁ ଆସିଥିବା ବ୍ୟକ୍ତିବିଶେଷ ନିଜ ନିଜ ଅଞ୍ଚଳର ସମସ୍ୟା ଯଥା-ରାସ୍ତାଘାଟ, ଜଳଯୋଗାଣ ସମସ୍ୟା ବିଷୟରେ ମନ୍ତ୍ରୀମାନଙ୍କୁ ଜଣାଇଥିଲେ। ଏହିସବୁ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ବୈଠକରେ ନିଷ୍କର୍ଷ ବାହାର କରାଯାଇଥିଲା। ସଂପୃକ୍ତ ବିଭାଗୀୟ ଅଧିକାରୀ ଏ ବାବଦରେ କାର୍ଯ୍ୟର ଅଗ୍ରଗତି ନେଇ ତଥ୍ୟ ପ୍ରଦାନ କରିଥିଲେ। ଏହି ତଥ୍ୟକୁ ଆଧାର କରି ସଂପୃକ୍ତ ବିଭାଗକୁ କାର୍ଯ୍ୟ ଶେଷ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଠିକ୍‌ ସମୟରେ କାର୍ଯ୍ୟ ସମାପ୍ତି ନ ଘଟିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଝାରସୁଗୁଡ଼ା ଓ ବ୍ରଜରାଜନଗର ସହରାଞ୍ଚଳର ସାମୂହିକ ବିକାଶ ସଂପର୍କରେ ଆଲୋଚନା କରାଯାଇ ଉଭୟ ସହରାଞ୍ଚଳରେ ଜିଲ୍ଲା ଖଣିଜ ପାଣ୍ଠିରୁ ଚାଲୁରହିଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ବ୍ୟତୀତ ୨୪ ଘଣ୍ଟିଆ ଜଳଯୋଗାଣ ସୁନିଶ୍ଚିତ କରିବା ପାଇଁ ଡିଏମ୍‌ଏଫ୍‌ (ଜିଲ୍ଲା ଖଣିଜ ପାଣ୍ଠି) ବ୍ୟତୀତ ସରକାରଙ୍କଠାରୁ ଆବଶ୍ୟକ ଅର୍ଥ ମଞ୍ଜୁର କରିବା ନେଇ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟ ଆଗାମୀ ନଭେମ୍ବର ୩୦ ତାରିଖ ସୁଦ୍ଧା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏଥିସହ ଉଭୟ ସହରରେ ବସ୍ତିବାସିନ୍ଦାମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଜାଗା ଯୋଗାଇଦେବା ପାଇଁ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ପ୍ରକଳ୍ପିତ ନୂତନ ବସ୍‌ଷ୍ଟାଣ୍ଡର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ଓବିସିସିଏଲ୍‌ ହାତକୁ ନେଇଥିବାବେଳେ ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବସ୍‌ ରହଣି ସୁବ୍ୟବସ୍ଥିତ କରିବା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଦିଗରେ ମଧ୍ୟ ଆଲୋଚନା ହୋଇଥିଲା। ବିଭାଗ ପକ୍ଷରୁ ଏ ନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବୈଠକରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠିତ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

ଏହି ଟାସ୍କ ଫୋର୍ସରେ ରହିଥିବା ୮ ଜଣ ସଦସ୍ୟ ଅଛନ୍ତି। ଏହି ସଦସ୍ୟ ମାନେ ହେଲେ
ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ବ୍ୟବସାୟ ରାଜ୍ୟ ଖବର

ଆହାର କେନ୍ଦ୍ରର ନାମ ହେବ ପରିବର୍ତ୍ତନ, ଅଚାନକ ପରିଦର୍ଶନ କରି କହିଲେ ମନ୍ତ୍ରୀ

ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କ୍ୟାପିଟାଲ ହସପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ମନ୍ତ୍ରୀ ଡାଃ ମହାପାତ୍ର ଆହାର କେନ୍ଦ୍ରରେ ପହଂଚିବା ପରେ ଧାଡିରେ ରହି କୁପନ କିଣି ଲୋକଙ୍କ ସହ ବସି ଭୋଜନ କରିଥିଲେ।

ଏହି ଅବସରରେ ଭୋଜନ କରୁଥିବା ଲୋକମାନଙ୍କ ସହ ଖାଦ୍ୟର ଗୁଣବତା ସଂପର୍କରେ ପଚାରି ବୁଝିଥିଲେ ଓ ଆହାର କେନ୍ଦ୍ର ସଂପର୍କରେ ସେମାନଙ୍କର ମତାମତ ପଚାରିଥିଲେ। ଆହାର କେନ୍ଦ୍ରର ପରିସ୍କାର ପରିଚ୍ଛନତା ଓ ଖାଦ୍ୟର ଗୁଣବତା ଉପରେ ଗୁରୁତ୍ୱ ଦେବା ସହ ଖରାପ ହୋଇ ଯାଇଥିବା ବାସନ ସଫାକରିବା ଯନ୍ତ୍ର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଥିଲେ କି ବନ୍ଦ ହେବନି ଆହାର ଯୋଜନା. କାରଣ ଲୋକଙ୍କ ଆଗ୍ରହ ଅଛି ଗୁରୁତ୍ୱ ଦିଆଯାଉଛି। ଆହାର ନାମ ପରିବର୍ତ୍ତନ ନେଇ ପରବର୍ତୀ ସମୟରେ ସମୀକ୍ଷା କରାଯିବ। କ୍ୟାପିଟାଲ ହସ୍ପିଟାଲ ଆହର ପରିଦର୍ଶନ ସମୟରେ ଏହି ମତ ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର।

ସୁସ୍ଥ ଓ ପରିଷ୍କାର ପରିସ୍ଥିତିରେ ଗରିବ ଲୋକଙ୍କୁ ପୁଷ୍ଟିକର ଖାଦ୍ୟକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର. ଖାଦ୍ୟ ଲୋକଙ୍କ ସେବା ଉଦେଶ୍ୟରେ ଦିଆଯାଇଛି। ତେଣୁ ଉନ୍ନତ ମାନର ଖାଦ୍ୟ ଯୋଗାଇବାକୁ ପ୍ରାଥମିକତା ରହୁଛି। କୌଣସି ଅଭିଯୋଗ ରହିଲେ, ବିଏମସି କି ଜିଲ୍ଲପାଳଙ୍କୁ ଜଣାନ୍ତୁ. ଖାଦ୍ୟରେ ପରିବା କମ ଥିବା ଅନୁଭବ କଲେ ମନ୍ତ୍ରୀ। ଯେଉଁଥି ପାଇଁ ସ୍ୱୟଂ ସହାୟକ ମାଆ ମାନଙ୍କୁ ସେବା ଉଦେଶ୍ୟରେ ଶ୍ରଦ୍ଧା ଦେଇ ଖାଦ୍ୟ ପରିବେଷଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଦରଦାମ ବୃଦ୍ଧି ଵି ଏହାର କାରଣ ହୋଇପାରେ. କଣ କଲେ ଭଲ ହୋଇ ପାରିବ, ସେ ଦିଗରେ ବିଚାର ହେଉଛି। ରାଜ୍ୟ ସରକାର ୨୩ ଟଙ୍କା ଓ ଲୋକ ୫ ଟଙ୍କା ଦେଉଛନ୍ତି. ଗରିବଙ୍କ ସେବା ଭାବି ଖାଦ୍ୟ ଯୋଗାଇଲେ ଆହୁରି ଭଲ ଖାଦ୍ୟ ମିଳି ପାରିବ। ଏ ନେଇ ସ୍ୱୟଂ ସହାୟକ ମାଆ ମାନଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ। ଆଜି ମନ୍ତ୍ରୀ ନିଜେ ଟୋକନ କାଟି ଆହାର ଖାଦ୍ୟ ଖାଇଥିଲେ। ଡଷ୍ଟ ବିନ ଠିକ ସ୍ଥାନରେ ରହିବା ସହ ପରିଷ୍କାର ପରିବେଶ ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଵି ନଗର ଉନ୍ନୟନ ମନ୍ତ୍ରୀ ତାଗିଦ କରିଛନ୍ତି।

ପ୍ରକାଶ ଥାଉକି ୨୦୧୫ ମସିହା ଅପ୍ରେଲ ପହିଲା ପବିତ୍ର ଉତ୍କଳ ଦିବସ ଦିନ ଏହି ସୁଲଭ ରନ୍ଧା ଖାଦ୍ୟ ଯୋଜନା ଆହାର ଆରମ୍ଭ ହୋଇଥିଲା। ବର୍ତମାନ ରାଜ୍ୟର ୧୧୫ ଟି ସହରାଂଚଳରେ ୧୬୮ ଗୋଟି ଆହାର କେନ୍ଦ୍ର ରହିଛି। ସମସ୍ତ ଆହାର କେନ୍ଦ୍ର ଏବଂ କିଚେନ୍ ଆଇ.ଏସ୍‌.ଓ ପ୍ରମାଣପତ୍ର ହାସଲ କରିବା ସହିତ ଜିଇଓ ସଂଯୁକ୍ତ କରାଯାଇଛି। ୧୬୮ ଆହାର କେନ୍ଦ୍ର ମଧ୍ୟରୁ ୬୧ ଗୋଟି କେନ୍ଦ୍ରରେ ରାତ୍ରିକାଳୀନ ଭୋଜନ ବ୍ୟବସ୍ଥା ରହିଛି। ଦୈନିକ ଏକ ଲକ୍ଷ ମିଲ୍ ଯୋଗାଇ ଦିଆ ଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ବରର ଆନନ୍ଦବନ ସହ ବିଭିନ୍ନ ପାର୍କ କଲେ ପରିଦର୍ଶନ

ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ପାର୍କ ଓ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆନନ୍ଦବନ, ଘାଟିକିଆସ୍ଥିତ ରାଜ୍ୟ ସିଲଭିକଲ୍ଚର ଗାର୍ଡେନ୍, କଳିଙ୍ଗ ନଗରର ଡ. ଏପିଜେ ଅବଦୁଲ କଲାମ ପାର୍କ ଏବଂ କଳିଙ୍ଗ ନଗରର କେ-୭ରେ ଥିବା ୱେଷ୍ଟ ଟୁ ଆର୍ଟ ପାର୍କ ପରିଦର୍ଶନ କରିଥିଲେ।

ଭୁବନେଶ୍ୱରର ପ୍ରମୁଖ ସହରାଞ୍ଚଳ ଫରେଷ୍ଟ ପାର୍କ ଆନନ୍ଦବନରେ ମନ୍ତ୍ରୀ ସମୟ ଅତିବାହିତ କରିଥିଲେ। ସ୍ୱର୍ଣ୍ଣ ଚମ୍ପା ଚାରା ରୋପଣ କରିବା ସହ ଖୋଲା ପାଠାଗାର, ଆମ୍ଫିଥିଏଟର, ପାର୍କିଂ ସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପରିଦର୍ଶନ କରିଥିଲେ। ସ୍ଥାନୀୟ ଜୀବିକାକୁ ସମର୍ଥନ କରିବା ପାଇଁ ସେ ଆନନ୍ଦବନ ମଧ୍ୟରେ ଏକ ଫୁଲ ବଗିଚା ବିକଶିତ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମଗ୍ର ସହରରେ ଅନୁରୂପ ପାର୍କ ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

୮୯.୦୫ ଏକର ପରିମିତ ଏହି ଆନନ୍ଦବନରେ ପର୍ଯ୍ୟାପ୍ତ ପାର୍କିଂ, ବେଞ୍ଚ, ଗଜେବୋ, ବର୍ଷା ଆଶ୍ରୟସ୍ଥଳୀ, ପିଲାଙ୍କ ଖେଳ ପଡ଼ିଆ, ସର୍ବସାଧାରଣ ସୁବିଧା ସମେତ ବିଭିନ୍ନ ସୁବିଧା ସୁଯୋଗ ରହିଛି।

କେ-୭, କଳିଙ୍ଗ ନଗରରେ ଥିବା ୱେଷ୍ଟ ଟୁ ଆର୍ଟ ପାର୍କରେ ପୁନଃନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଢ଼େ ୪ ଏକର ପରିମିତ ଏହି ପାର୍କରେ ରୋଲ୍ ବଲ୍, ସ୍କେଟିଂ ଓ ବାସ୍କେଟବଲ୍ ଭଳି କ୍ରୀଡ଼ା ସୁବିଧା ଉପଲବ୍ଧ ହେବ। ଏହାବ୍ୟତୀତ ଏଥିରେ ଫୁଲ ଶଯ୍ୟା ପଥ, ବିଭିନ୍ନ ଲ୍ୟାଣ୍ଡସ୍କେପିଂ ଉପାଦାନ ଏବଂ ମୂର୍ତ୍ତି ଅନ୍ତର୍ଭୁକ୍ତ ହେବ। ବିଡିଏ ପକ୍ଷରୁ ଏହି ପାର୍କର ବିକାଶ କରାଯାଉଛି।

ଡ. ଏପି.ଜେ ଅବଦୁଲ କଲାମ ପାର୍କ ପରିଦର୍ଶନ ସମୟରେ ମନ୍ତ୍ରୀ ଅଧିକାରୀମାନଙ୍କୁ ବର୍ତ୍ତମାନ ଚାଲିଥିବା ପୁନଃବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ । ବିଡିଏ ଓ ବନ ବିଭାଗ ପକ୍ଷରୁ ବିକଶିତ ହେଉଥିବା ରାଜ୍ୟ ସିଲଭିକଲ୍ଚର ଗାର୍ଡେନରେ ଚାଲିଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରି ଜନସାଧାରଣଙ୍କ ପାଇଁ ଏହି ସୁବିଧା ଖୋଲିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।