Categories
ବିଶେଷ ଖବର ମତାମତ

ଚିଟଫଣ୍ଡ କେଳେଙ୍କାରିରେ ସାଧାରଣ ନିର୍ବାଚନ ପୂର୍ବର ସିବିଆଇ ନୋଟିସ ଗଲା କୁଆଡେ?

କେଦାର ମିଶ୍ର

ଆଜିକାଲି ବିଜେପି ଭକ୍ତମାନଙ୍କର ଗୋଟେ ନୂଆ ରୋଗ ବାହାରିଛି। ଯଦି ଆପଣ ବିଜେପି ରାଜନୀତି ବିଷୟରେ କିଛି ଲେଖିବେ, ଭକ୍ତମାନେ ତୁରନ୍ତ ପ୍ରଶ୍ନ କରୁଛନ୍ତି- ତମେ ଚିଟ ଫଣ୍ଡ ସ୍କାମ କିମ୍ବା ଖଣି ଦୁର୍ନୀତି ବିଷୟରେ କିଛି ଲେଖୁ ନ  କାହିଁକି? ଭକ୍ତମାନେ ଜାଣନ୍ତି ନାହିଁ ଯେ, ୨୦୧୨ ରୁ ୨୦୧୯ ଭିତରେ ଚିଟ ଫଣ୍ଡ ସ୍କାମ, କଟକ –ଭୁବନେଶ୍ଵର ଜମି ଆବଣ୍ଟନ ସ୍କାମ,ଖଣି ଦୁର୍ନୀତି ସମ୍ପର୍କରେ ଏମ.ବି. ଶାହ କମିଶନଙ୍କ ରିପୋର୍ଟ, ତତ୍କାଳୀନ ଏଜି ଅମର ପଟ୍ଟନାୟକ ଦେଇଥିବା ଜମି ଦୁର୍ନୀତି ରିପୋର୍ଟ ଉପରେ ଅନ୍ତତଃ ମୁଁ ପଚାଶରୁ ଅଧିକ ଲେଖା ଲେଖିଥିବି। ଭକ୍ତମାନେ ଚାହିଁଲେ ସେଥିରୁ ଅନେକ ଲେଖା ଏବେ ମଧ୍ୟ ମୋ ଫେସବୁକ ଟାଇମଲାଇନରେ ପଢିପାରିବେ। ତେବେ ଭକ୍ତମାନେ କଣ ପଢିପାରନ୍ତି!!  ନା, ସେମାନେ କେବଳ ଗାଳି କରିବା ଓ ହୋ ହୋ ହେବା ଛଡା ଅଧିକ କିଛି ଜାଣନ୍ତି ନାହିଁ। ତେଣୁ ଭକ୍ତଙ୍କ ଅବଗତି ନିମନ୍ତେ ଆମେ ଆଜି ପୁଣିଥରେ ଚିଟଫଣ୍ଡ କେଳେଙ୍କାରି ବିଷୟରେ ଚର୍ଚ୍ଚା କରିବା। ଏହି ଚର୍ଚ୍ଚା ର ପୃଷ୍ଠଭୂମିରେ ୧୩, ମାର୍ଚ୍ଚ, ୨୦୧୫ରେ ଦୈନିକ “ସଂଚାର” ରେ ପ୍ରକାଶିତ  ମୋର ଏକ ଲେଖା ରହିଛି, ଯାହାର ଶୀର୍ଷକ ଥିଲା- “ନବୀନ ଓ ନରେନ୍ଦ୍ର ମୋଦୀ ଗୋପନ ଅଭିସାର”।

୮ ମାର୍ଚ୍ଚ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ପରେ ଓଡିଶାରେ ଚିଟ ଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା ସିବିଆଇ ଏକ ପ୍ରକାର ଅଥର୍ବ ହୋଇ ବସି ରହିଲା। ଏକଥା କାହାର ମନେ ଅଛି ନା ନାହିଁ। ୨୦୧୫ ରୁ ୨୦୧୯ ଯାଏଁ ପ୍ରଧାନମନ୍ତ୍ରୀ, ସିବିଆଇ ଓ ବିଜେପି ଏ ପ୍ରସଙ୍ଗରେ ଚୁପ ମାରି ବସିବା ପରେ ହଠାତ ନିର୍ବାଚନ ପୂର୍ବରୁ ବିଜେଡ଼ି ନେତାଙ୍କର ଚିଟ ଫଣ୍ଡ କେଳେଙ୍କାରି ପ୍ରସଙ୍ଗ ଉଠିଲା। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କର ସୋସିଆଲ ମିଡିଆର ସିପାହୀମାନେ ନିର୍ବାଚନ ସମୟରେ ଖାଲି ଚିଟ ଫଣ୍ଡ ଦୁର୍ନୀତି କଥା କହିଲେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ପୋଷା ଶୁଆ ସିବିଆଇ ହଠାତ ଟୁଇଟ କରି ଜଣାଇଲା ଯେ, ସିବିଆଇ କୁଆଡେ ବିଜେଡ଼ିର ଦୁଇଜଣ ବରିଷ୍ଠ ନେତାଙ୍କୁ ଚିଟ ଫଣ୍ଡ ମାମଲାରେ ନୋଟିସ କରିଛି। ଯେଉଁମାନଙ୍କ ନାଁରେ ନୋଟିସ ହୋଇଥିବାର ଶୁଣାଗଲା, ସେମାନେ କହିଲେ – କାଇଁ ସେମିତି କିଛି ନୋଟିସ ଆସିନାହିଁ ତ!

ତେବେ ସେ ଆସିନଥିବା ନୋଟିସକୁ ନେଇ ଆମର ଗଣମାଧ୍ୟମ ପଡିଲା ଆଉ ଉଠିଲା। କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ କହିଲେ- ଯେ ଚୋର ସେ ନିଶ୍ଚୟ ବନ୍ଧା ହେବ। ଏମିତି କଥା କଥାରେ ନିର୍ବାଚନ ଆସିଲା ଓ ସରିଗଲା। ନବୀନ ବାବୁ ଇତିହାସ ସୃଷ୍ଟି କରି ପଞ୍ଚମଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିରଙ୍କୁଶ ଜନ ସମର୍ଥନ ପାଇଲେ। ଏବେ ପୁଣିଥରେ ମୋଦୀ-ନବୀନ ସାକ୍ଷାତ ଘଟିଲାଣି। ଉଭୟଙ୍କ ଭେଟଘାଟ ବେଳର ଚେହେରା ଦେଖି ମନେହେଉଛି, ବନ୍ଧୁତା ଏବେ ବଡ ନିବିଡ। ତେବେ ଏଇ ନିବିଡ ସମ୍ପର୍କ ଭିତରେ ଆମକୁ କାଇଁ ପଚରା ଯାଉଛି ଯେ,ଚିଟଫଣ୍ଡ କେଲେଙ୍କାରି କଥା ଆମେ କାଇଁ ଲେଖୁନୁ ବୋଲି। ଭାଇ! ଆମେ ତ ଲେଖି ଲେଖି ଥକା ହୋଇ ବସିଛୁ। ଆପଣମାନେ ଟିକେ ଆପଣଙ୍କ ଭଗବାନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଟିକେ ପଚାରନ୍ତେନି, ଆଜ୍ଞା! ଚିଟଫଣ୍ଡ ଘୋଟାଲାବାଜମାନଙ୍କୁ ଦାନାପାଣି ଦେଉଛି କିଏ? କେହି ଜଣେ ସିବିଆଇ କୁ ପଚାରିବା ଉଚିତ ନୁହଁ କି, ଆଚ୍ଛା, ସେ ଯେଉଁ ନୋଟିସ ପଠେଇଥିଲ, ସେଟା କଣ ମାଟି ଖାଇଗଲା ନା ତାକୁ ଆକାଶ ଗିଳିଦେଲା? ଧର୍ମେନ୍ଦ୍ର ବାବୁ ଯେଉଁ ମାନଙ୍କୁ ଚୋରା ବୋଲି କହୁଥିଲେ, ସେମାନଙ୍କ ଭିତରୁ ଜଣେ ଅଧେ ନୂଆ ନବୀନ ସରକାରରେ ମନ୍ତ୍ରୀ ହେଲେଣି। ସେମାନଙ୍କ ବିରୋଧରେ ସାମାନ୍ୟ ପ୍ରେସ ରିଲିଜ ଟିଏ ବିଜେପି ଦେଇଛି କି?

ନିରାଟ ସତକଥା ହେଉଛି, ଚିଟଫଣ୍ଡ କେଳେଙ୍କାରୀର ତଦନ୍ତ ସିବିଆଇ ସଠିକ ଢଙ୍ଗରେ କରିନାହିଁ। ଏହାକୁ ମୋଦୀ ସରକାର ନିଜର ପ୍ରତିପକ୍ଷଙ୍କୁ ସାବାଡ କରିବା ଅଥବା ପ୍ରଲୋଭିତ କରିବା ପାଇଁ ବ୍ୟବହାର କରିଛନ୍ତି। ଏହି ବିରାଟ ଦୁର୍ନୀତି ପଛରେ ରହିଥିବା ରାଜନୈତିକ ପୃଷ୍ଠପୋଷକତାର ପର୍ଦ୍ଦାଫାସ ଆଉ କେବେବି ହୋଇ ପାରିବ ନାହିଁ। ରାଜନୈତିକ ସୁଆଙ୍ଗ କଳା ଭଳି ମଝିରେ ମଝିରେ ସିବିଆଇ ଏମିତି କିଛି ଗୋଟେ ନୋଟିସ ପଠେଇ ବା ଜେରା କରିବାକୁ ଡାକିଦେଇ, ଘଟଣାଟିକୁ ବଞ୍ଚାଇ ରଖିଥିବ।

ଏଥିରୁ ଅଧିକ କିଛି ଘଟିନାହିଁ, କି ଆଗକୁ ଅଧିକ କିଛି ଘଟିବାର ନାହିଁ !!

Categories
ବିଶେଷ ଖବର

ଭାରତର ସବୁଠୁ ଦ୍ରୁତ ଧାବିକା ଦୁତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆମର ଏତେ ମୁଣ୍ଡ ବିନ୍ଧୁଛି କାହିଁକି ?

କେଦାର ମିଶ୍ର

ଦୁତୀ ଚାନ୍ଦଙ୍କ ସହିତ ଆମର ପରିଚୟ କଣ? ଜଣେ ନିହାତି ସାଧାରଣ ପରିବାରର ଝିଅ ଯେତେବେଳେ ପୃଥିବୀର ବହୁ ଆଥଲେଟିକ୍ସ ମିଟରେ ଭାରତ ଲାଗି ପଦକ ଜିତିଛନ୍ତି, ସେଥିରେ ଆମେ ଗର୍ବିତ ହୋଇଛୁ। ତାଙ୍କର ପ୍ରତିଭା ଆମକୁ ଗୌରବ ଆଣି ଦେଇଛି। ବିଭିନ୍ନ ପ୍ରକାର ସଂଘର୍ଷ ଦେଇ ଦୁତୀଙ୍କ ଜୀବନ ଗତିଶୀଳ ହୋଇଛି। କ୍ରୀଡା ଜଗତର ବହୁ ଉଦ୍ଭଟ ରାଜନୀତିର ଶିକାର ହେବାପରେ ମଧ୍ୟ ଦୁତୀ ନିଜର ସାଧନା ଜାରି ରଖିଛନ୍ତି। ୨୦୧୩ ରୁ ୧୯ ମାତ୍ର ୬ ବର୍ଷର ଆଥଲେଟିକ ଜୀବନରେ ବହୁ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ଦୁତୀ ଦେଶ ଲାଗି ପଦକ ଜିଣିଛନ୍ତି। ତେଣୁ ତାଙ୍କ ସହିତ ଜେନ ସାଧାରଣ ଓଡିଆ ଭାବରେ ଆମର ସମ୍ପର୍କ ହେଉଛି ଗୌରବବୋଧର। ଦୁତୀଙ୍କ ବ୍ୟକ୍ତିଗତ ଜୀବନ ଅପେକ୍ଷା ତାଙ୍କର ପ୍ରତିଭା କୁ ଆମେ ବେଶୀ ଜାଣିଛୁ। ବାସ୍ତବରେ ଆମ ଲାଗି ତାହା ହିଁ ଗୁରୁତ୍ୱପୂର୍ଣ୍ଣ।

ତେବେ କ୍ରୀଡା ଜଗତରେ ତାଙ୍କର ସଫଳତା ସହିତ କିଛି ବିବାଦ ଓ ବିସମ୍ବାଦ ମଧ୍ୟ ଚର୍ଚ୍ଚାରେ ରହିଛି। ହାଇପର ଆଣ୍ଡ୍ରୋଜେନିଜମ ବା ଲିଙ୍ଗଗତ ପ୍ରଶ୍ନକୁ ନେଇ ଏକଦା ରାଜ୍ୟ ଗୋଷ୍ଠୀ କ୍ରୀଡାରୁ ଦୁତୀଙ୍କୁ ବାଦ ଦିଆ ଯାଇଥିଲା। ଏ କ୍ଷେତ୍ରରେ ଦୁତୀଙ୍କର ସଂଘର୍ଷ ଓ କ୍ରୀଡାବିତ ଭାବରେ ବିଜର ଅଧିକାର ଫେରି ପାଇବା ଲାଗି ତାଙ୍କର ଲଢେଇ ଏକ ଉଦାହରଣ ପାଲଟିଥିଲା। ବିଭିନ୍ନ କ୍ଷେତ୍ରରେ ସଙ୍ଗର୍ଷ କରି ଦୁତୀ ପୁଣିଥରେ ଟ୍ରାକ କୁ ଫେରିଥିଲେ ଓ ଅଲିମ୍ପିକ ଖେଳିବାର ସୁଯୋଗ ପାଇଥିଲେ। ନିଜର ଗତ ୬ ବର୍ଷର ସଙ୍ଘର୍ଷପୂର୍ଣ୍ଣ ଜୀବନରେ ଦୁତୀ ଜାକର୍ତ୍ତା ରେ ଅନୁଷ୍ଠିତ ୨୦୧୮ ଏସିଆଡ ଗେମ୍ସ ରେ ଦୁଇଟି ରୌପ୍ୟ ପଦକ, ଏସିଆନ ଚମ୍ପିୟାନସିପ, ଭୁବନେଶ୍ୱର, ୨୦୧୭ରେ ଦୁଇଟି କାଂସ୍ୟ ପଦକ,  ଏସିଆନ ଚମ୍ପିୟାନସିପ, ଦୋହା, ୨୦୧୯ରେ କାଂସ୍ୟ ପଦକ, ଏସିଆନ ଜୁନିଅର ଆଠଲେଟିକସ ଚମ୍ପିୟାନସିପ, ତାଇପେଇରେ ଦୁଇଟି ସ୍ଵର୍ଣ୍ଣ ପଦକ ପାଇଛନ୍ତି। ଦୁତୀଙ୍କ ପରିଚୟ ଲାଗି ଏହା ହିଁ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ।

ତେବେ ଗତ କିଛିଦିନ ହେଲା ଦୁତୀ ଚାନ୍ଦଙ୍କୁ ନେଇ ଆମର ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଗୋଟେ ଅବାଞ୍ଛିତ ଚର୍ଚ୍ଚା ବଢି ଚାଲିଛି। ଇଣ୍ଡିଆନ ଏକ୍ସପ୍ରେସ ଖବର କାଗଜକୁ ଏକ ସାକ୍ଷତକାର ଦେଇ ଦୁତୀ କହିଥିଲେ ଯେ ସେ ସମଲିଙ୍ଗି ବିବାହ କରିବାକୁ ଚାହୁଁଛନ୍ତି। ସେପ୍ଟେମ୍ବର ୨୦୧୮ରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଭାରତୀୟ ପିଙ୍ଗଳ କୋଡର ଦଫା ୩୭୭ କୁ ଅସାମ୍ବିଧାନିକ ଘୋଷଣା କଲାପରେ ଜଣେ ଭାରତୀୟ ନାଗରିକ ଭାବରେ ଦୁତୀ ନିଜର ନିଷ୍ପତ୍ତି ନେବା ଲାଗି ସ୍ଵାଧୀନ। ସେ କାହାକୁ ବିବାହ କରିବେ ବା କାହା ସଙ୍ଗେ ରହିବେ ସେଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ସେଥିରେ ଆମର, ଗଣମାଧ୍ୟମ ବା ତଥାକଥିତ ସମାଜର କିଛି କହିବାର ନାହିଁ। ଏ ସମ୍ପର୍କିତ ରାୟ ଲେଖିଲା ବେଳେ ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଜଷ୍ଟିସ ଖାଂବାଲିକର ବିଶିଷ୍ଟ ଜର୍ମାନ ଦାର୍ଶନିକ ଓ କବି ଗେଟେଙ୍କ ଉକ୍ତି ଉଦ୍ଧାର କରି ଲେଖିଥିଲେ- “I am what I am, so take me as I am” । ନାଗରିକକୁ ନିଜର ଯୌନ ଜୀବନ ବାଛିବାର ସ୍ଵାଧୀନତା ମିଳିଛି। ତେଣୁ ଦୁତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଯେଉଁ ପ୍ରକାର ଅପଚର୍ଚ୍ଚା ବର୍ତ୍ତମାନ ଗଣମାଧ୍ୟମରେ ଚାଲିଛି, ଏହା କେବଳ ଅରୁଚିକର ନୁହେଁ, ମାନବ ଅଧିକାରର ବିରୋଧୀ ମଧ୍ୟ।

ସମଲିଙ୍ଗି ବିବାହକୁ ହୁଏତ ଦୁତୀଙ୍କ ରକ୍ଷଣଶୀଳ ପରିବାର ଗ୍ରହଣ କରୁନଥିବେ। ପରିବାର ଭିତରେ ଏମିତି ନୈତିକ ପ୍ରସଙ୍ଗକୁ ନେଇ ବହୁ ବାଦ ବିବାଦ ହୋଇଥାଏ। ଏଥିରେ ଦୁତୀଙ୍କ ମା ଓ ଭଉଣୀ ହୁଏତ ଆହତ ହୋଇଛନ୍ତି। ତେବେ ଏହା ଦୁତୀଙ୍କ ପାରିବାରିକ ସମସ୍ୟା ଓ ସମୟକ୍ରମେ ଏହାର ସମାଧାନ ପରିବାର ଭିତରେ ହିଁ ହେବ। ସେଥିରେ ଆମର ମୁଣ୍ଡ ବିନ୍ଧୁଛି କାହିଁକି? ଦୁତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏତେ ଖବର ଓ ସ୍ଵତନ୍ତ୍ର ପ୍ୟାକେଜର ମାନେ କଣ? ପାରିବାରିକ କଳହକୁ ଗୋଟେ ପ୍ରକାର ନାଟକ ଭଳି ପରିବେଷଣ କରି ଆମେ ଦୁତୀଙ୍କ ମର୍ଯାଦାର ସହିତ ବଞ୍ଚିବାର ଅଧିକାରକୁ କ୍ଷୁଣ୍ଣ କରୁନାହୁଁ କି? ଗୋଟେ ପକ୍ଷରେ ଦୁତୀଙ୍କ ପାରିବାରିକ ଜୀବନକୁ ନେଇ ରୋଚକ ଖବର ମୁଖ୍ୟଧାରାର ଗଣମାଧ୍ୟମରେ ଚାଲିଥିବା ବେଳେ ସୋସିଆଲ ମିଡିଆରେ ଦୁତୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ଦିଆ ଚାଲିଛି।

ବ୍ୟକ୍ତଗତ ଜୀବନର ସ୍ଵାଧୀନତା ଲାଗି ଯେଉଁ ସମାଜ ସମ୍ମାନଜନକ ପରିବେଶ ସୃଷ୍ଟି କରିପାରେ ନାହିଁ, ସେ ସମାଜ କେବେହେଲେ ମାନବୀୟ ହୋଇ ପାରିବ ନାହିଁ। ଯେଉଁ ମହାପୁରୁଷମାନେ ଦୁତୀଙ୍କୁ ମନ ଇଚ୍ଛା ସୋସିଆଲ ମିଡିଆରେ ଗାଳି କରୁଛନ୍ତି, ସେମାନେ ଆଜି  ବି ବୋଧହୁଏ  ମଧ୍ୟଯୁଗରେ ବସବାସ କରୁଛନ୍ତି। କେହି କେହି ତ ଦୁତୀଙ୍କୁ ସରକାର ଦେଇଥିବା ପୁରଷ୍କାର ରାଶି ଫେରାଇ ଆଣିବାକୁ ଦାବି କଲେଣି। ଦୁତୀଙ୍କୁ ତାଙ୍କ ପ୍ରତିଭା ଲାଗି ପୁରଷ୍କାର ମିଳିଛି। ତାଙ୍କ ବ୍ୟକ୍ତିଗତ ଜୀବନ ଦେଖି ଯଦି କାହାର ମୁଣ୍ଡ ବିନ୍ଧୁଛି, ସେ ଆରମରେ ଔଷଧ ଖାଇ ଘରେ ରୁହନ୍ତୁ। ଅଯଥା ବ୍ୟକ୍ତିଗତ ଚର୍ଚ୍ଚାରୁ ଓ ଜଣେ ପ୍ରତିଭାମୟୀ କ୍ରୀଡାବିତଙ୍କ ବ୍ୟକ୍ତିଗତ ସ୍ଵାଧୀନତା ଅପହରଣ କରିବାର ଷଡଯନ୍ତ୍ରରୁ ବିରତ ରହିବା ଗଣମାଧ୍ୟମର କର୍ତ୍ତବ୍ୟ ହେବା ଉଚିତ।