Categories
ବିଶେଷ ଖବର

ସେ ଭାଇରସ ହେଉ କି ଭୋକ, ସେ ଲକ ଡାଉନ ହେଉ କି ରେଳ ଦୁର୍ଘଟଣା,  ଗରିବ ଇ ସବୁବେଳେ ମରିବ

କେଦାର ମିଶ୍ର

ଆଜି ସକାଳର ସବୁଠୁ ବଡ ଖବର ଥିଲା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଏକ ରେଳ ଧାରଣାରେ ଶୋଇ ପଡିଥିବା ୧୫ ଜଣ ଶ୍ରମିକଙ୍କ ଉପରେ ରେଳଗାଡି ମାଡି ଗଲା। ସେଥିରେ ସେମାନେ ପ୍ରାଣ ହରାଇଛନ୍ତି। ରେଳଗାଡି କୁ ଦୋଷ ଦେଇ ଲାଭ ନାହିଁ। ସେ ତ ଲୁହାରେ ତିଆରି ମେସିନ। ହେଲେ ଏ ଦେଶରେ ଚାଲିଥିବା ସରକାର ବି ଲୁଆରେ ତିଆରି ମେସିନ କି? ମଣିଷମାନେ ଆମ ଦେଶର ସରକାର ଚଳାଉଛନ୍ତି ନା ମେସିନ ମାଧ୍ୟମରେ ଆମର ସରକାର ଚାଲିଛି? ରେଳ ଧାରଣାରେ ଶୋଇ ପଡିଥିବା ଏ ଶ୍ରମିକମାନଙ୍କର ଏକମାତ୍ର ଦୋଷ ହେଉଛି ଏମାନେ ଗରିବ ଓ ନିରକ୍ଷର। ଏମାନେ ଭାବିଲେ ରେଳ ଚାଲୁନି, ତେଣୁ ରେଳ ଧାରଣାରେ ଶୋଇପଡିଲେ।

ମଣିଷ କେତେ ଅସହାୟ ହେଲେ ଯାଇ ରେଳ ଧାରଣାରେ ଶୋଇପଡେ? ଗତ ମାର୍ଚ୍ଚ ୨୪ ତାରିଖରୁ ହଜାର ହଜାର ଶ୍ରମିକ ଏମିତି ବାଟ ଚାଲୁଛନ୍ତି। ସେମାନଙ୍କ ପାଇଁ ମା ବାପ କେହି ନାହାନ୍ତି। ରାସ୍ତାରେ ଚାଲି ଚାଲି ଗଲାବେଳେ ସେମାନେ ଖାଇବାକୁ ନ ପାଇ ମରୁଛନ୍ତି। ଅନେକ ଜାଗାରେ ପୋଲିସ ହାତରୁ ମାଡ ଖାଇ ବେହୋଶ ହୋଇ ପଡ଼ୁଛନ୍ତି। ରାସ୍ତାରେ ପୋଲିସ ବାଡଉଥିବାରୁ ଅନେକ ସମୟରେ ସେମାନେ ରେଳଧାରଣା କଡେ କଡେ କିମ୍ବା ଜଙ୍ଗଲ ବାଟ ଦେଇ ଆସୁଛନ୍ତି।

ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ଫେରୁଥିବା ଏହି ଶ୍ରମିକମାନେ ଚାଲି ଚାଲି ଏତେ ଥକି ପଡିଥିଲେ ଯେ, ସେମାନେ ରେଳଧାରଣା ଉପରେ ହିଁ ଶୋଇ ପଡିଥିଲେ ଆଉ ସେଠାରେ ମୃତ୍ୟୁ ସେମାନଙ୍କୁ ଉଠେଇ ନେଇଗଲା। ଗତ ୪୫ ଦିନ ହେଲା ଏମିତି ଦୃଶ୍ୟ ସବୁ ଆମେ ପ୍ରତିଦିନ ଦେଖୁଛୁ। ସେମାନଙ୍କୁ ବଞ୍ଚାଇବାକୁ ବା ଆହା ପଦେ କହିବାକୁ କେହି ନାହାନ୍ତି। ବର୍ତ୍ତମାନ ସମୟରେ କରୋନା ଭୂତାଣୁ ଅପେକ୍ଷା ଭୋକର ଭୟ ଓ ଦାରିଦ୍ର୍ୟ ଏ ଦେଶର କୋଟି କୋଟି ଶ୍ରମିକଙ୍କର ମେରୁଦଣ୍ଡ ଭାଙ୍ଗି ସାରିଲାଣି।

ସେମାନେ ଜାଣନ୍ତି ନାହିଁ, ସେମାନଙ୍କର ଭବିଷ୍ୟତ କଣ? ସେମାନେ କେଉଁଠି ରହିବେ? ପ୍ରଧାନମନ୍ତ୍ରୀଙ୍କ କଥା ମାନି ଯେଉଁଠି ଅଛନ୍ତି ସେଠି ରହିଲେ,  ନା ଖାଇବାକୁ ମିଳିବ, ନା ଘରମାଲିକ ବାହାରକୁ ଯିବାକୁ ଦେବ। ଏବେ ଦେଖାଯାଉଛି ଅହମଦାବାଦ, ସୁରତ, ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା ଭଳି ସହରରେ ଯେଉଁ ଶ୍ରମିକମାନେ ରହିଥିଲେ, ସେମାନଙ୍କ ମଧ୍ୟରୁ ଅନେକ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇସାରିଛନ୍ତି। ସେମାନେ ରହୁଥିବା ରାଜ୍ୟର ସରକାରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁନାହାନ୍ତି। ଏବେ ଭାଇରସ ଓ ଭୋକ, ଦୁଇଟି ଭୟଙ୍କର ବନ୍ଧନୀରେ ସେମାନଙ୍କର ଜୀବନ ଅସହାୟ ହୋଇ ପଡିଛି।

ଲକ ଡାଉନର ପ୍ରଥମ ସୋପାନ ବେଳୁ, ଶ୍ରମିକମାନଙ୍କର ସମସ୍ୟା ଯେ ଉଗ୍ର ହେବାକୁ ଯାଉଛି, ସେକଥା ସ୍ପଷ୍ଟ ହୋଇ ସାରିଥିଲା। ଏହାରି ଭିତରେ ଲକ ଡାଉନ ର ଦୁଇଟି ସୋପାନ ଯାଇ ଏବେ ତୃତୀୟ ସୋପାନ ଚାଲୁଛି। ସରକାର କହୁଛନ୍ତି, ଅର୍ଥନୀତିକୁ ଚଳ ଚଞ୍ଚଳ କରିବାକୁ ଏବେ କଳ କାରଖାନା ଖୋଲାଯିବ। ହେଲେ କାରଖାନା ଖୋଲା ହେବା ବେଳକୁ ଅନେକ ଶ୍ରମିକ ଏବେ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ଗତ ୪୫ ଦିନ ଭିତରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କଥା ରାଜ୍ୟ ସରକାରମାନେ ଚିନ୍ତା କରିନାହାନ୍ତି।

ଅନିର୍ଦ୍ଦିଷ୍ଟ ଭବିଷ୍ୟତକୁ ଆଖିରେ ରଖି ଲକ୍ଷ ଲକ୍ଷ ଭାରତୀୟ ଶ୍ରମିକ ଆଜି ବାଟ ଚାଲୁଛନ୍ତି ଓ ବାଟରେ ମରୁଛନ୍ତି। ସେମାନଙ୍କର ହିସାବ ସରକାରଙ୍କ ପାଖରେ ନାହିଁ। ଏପଟେ ନିଜ ରାଜ୍ୟକୁ ଫେରିବାକୁ ଚେଷ୍ଟା କଲାବେଳେ, ସେଠି ମଧ୍ୟ ହଜାର ପ୍ରତିବନ୍ଧକ। ଅନ୍ୟ ରାଜ୍ୟରୁ ଆସିବା ସେମାନଙ୍କ ଜରିଆରେ ସଂକ୍ରମଣ ବ୍ୟାପୁଛି ବୋଲି ଗଣମାଧ୍ୟମ ଜରିଆରେ ଏମିତି ପ୍ରଚାର ଚାଲିଛି ଯେ, ସେମାନେ ଏବେ ନିଜ ଘରେ ପହଞ୍ଚିବା ମୁସ୍କିଲ। ଓଡିଶାରେ ସେମାନଙ୍କର ବିକଳ ଅବସ୍ଥା ଆମେ ଦେଖୁଛୁ।

ଗୁଜରାଟରୁ ଫେରୁଥିବା ପାଖାପାଖି ୫୦ ଜଣ ଓଡିଆ ଶ୍ରମିକଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଏବେ ଘୋର ଘୃଣାର ବାତାବରଣ ବଢିଛି। ସେମାନଙ୍କୁ ବିନା ପରୀକ୍ଷାରେ ରାଜ୍ୟକୁ ନ ଆଣିବା ଲାଗି ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ସ୍ଥିତି ଆହୁରି ଜଟିଳ ହୋଇ ପଡିଛି। ହାଇକୋର୍ଟଙ୍କ ଉଦ୍ଦେଶ୍ୟ ହୁଏତ ଭଲ, ହେଲେ ଏହା ପଛରେ ବାସ୍ତବତା କଣ ସେ କଥା ବୋଧହୁଏ ମାନ୍ୟବର ହାଇକୋର୍ଟ ବିଚାର କରିନାହାନ୍ତି।

ଆଜି ପର୍ୟନ୍ତ ସାରା ଦେଶରେ ମାତ୍ର ୧୪ ଲକ୍ଷ କରୋନା ପରୀକ୍ଷା ସମ୍ଭବ ହୋଇଛି। ପୂରା ରାଜ୍ୟରେ ଏ ପର୍ୟନ୍ତ ୫୦,୫୦୦ ପରୀକ୍ଷା ସମ୍ଭବ ହୋଇଛି। ସେଥିରେ ୫-୭ ଲକ୍ଷ ପ୍ରବାସୀ ଓଡିଆ ଶ୍ରମିକଙ୍କର ପରୀକ୍ଷା ସମ୍ଭବ କି? ପୁନଶ୍ଚ କରୋନା ପରୀକ୍ଷା ଅତ୍ୟନ୍ତ ବ୍ୟୟ ତଥା ସମୟ ସାପେକ୍ଷ। ପାଞ୍ଚ ଲକ୍ଷ ଲୋକଙ୍କ ପରୀକ୍ଷା ପାଇଁ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟ ହୋଇପାରେ। ସବୁଠୁ ବଡ ପ୍ରଶ୍ନ ହେଉଛି, ସମସ୍ତଙ୍କର କରୋନା ପରୀକ୍ଷା ଜରୁରୀ କି? କେବଳ କିଛି ନିର୍ଦ୍ଦିଷ୍ଟ ପ୍ରତିଶତ ନମୂନା ପରୀକ୍ଷା କଥା ହୁଏତ ବିଚାରଯୋଗ୍ୟ। ହେଲେ ସମସ୍ତଙ୍କର ପରୀକ୍ଷା ପରେ ଯାଇ ରାଜ୍ୟକୁ ପ୍ରବେଶ ଅନୁମତି ଦେବା, ଏକ ଅବାସ୍ତବ ଚିନ୍ତା।

ସବୁ ଅନୁଷ୍ଠାନ ତଥା କେନ୍ଦ୍ର ଓ ରାଜ୍ୟ ସରକାରମାନେ ଦେଶର ଗରୀବ ଶ୍ରମିକମାନଙ୍କୁ ଫୁଟବଲ ଭଳି ଖେଳି ଚାଲିଛନ୍ତି। ବୋଧେ ଗରିବ ହେବା, ଦେଶର ସବୁଠୁ ବଡ ଅପରାଧ ପାଲଟି ଯାଇଛି। ଲକ ଡାଉନ କରୋନା ଭୂତାଣୁ କୁ ରୋକିବାରେ ସମର୍ଥ ହୋଇନାହିଁ, ହେଲେ ଏହା ଦେଶର ଗରିବ ଶ୍ରମିକ,କୃଷକ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି ସବୁଠୁ ବଡ ଅଭିଶାପ ପାଲଟି ଯାଉଛି।

Categories
ବିଶେଷ ଖବର ମତାମତ

ପୁରୀରେ ମଠ ଉଚ୍ଛେଦ ପ୍ରସଙ୍ଗ, ଐତିହ୍ୟ ସଂରକ୍ଷଣ ପରିବର୍ତ୍ତେ ଏହା ଏବେ ସାମ୍ପ୍ରଦାୟିକ ରାଜନୀତିର ଅଂଶ ହେବା ଆରମ୍ଭ କରିଛି

କେଦାର ମିଶ୍ର

ଯେତେବେଳେ ପୁରୀ ମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ ରହିଥିବା ମଠ ଓ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ଏହା ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଅନାବଶ୍ୟକ ବୋଲି ଆମେ କହିଥିଲୁ। ମନ୍ଦିର ସହିତ ମଠ ଗୁଡିକର ନିବିଡ ସମ୍ପର୍କ ରହିଥିବାରୁ ମଠ ଭାଙ୍ଗିବା ଏକ ଅନାବଶ୍ୟକ ପଦକ୍ଷେପ ବୋଲି ଆମେ ଆଜି ମଧ୍ୟ ମତ ରଖୁଛୁ। ହେଲେ ମଠ ଗୁଡିକ ବ୍ୟବସାୟିକ ପ୍ରତିଷ୍ଠାନ ରୂପେ ବ୍ୟବସାୟ କରିବା କଥାକୁ ଆମେ ସମର୍ଥନ କରୁନାହୁଁ। ପୁରୀ ସିଂହଦ୍ଵାରକୁ ଲାଗି ରହିଥିବା ରାମାନୁଜ ସଂପ୍ରଦାୟର ପ୍ରସିଦ୍ଧ ଏମାର ମଠ ଭାଙ୍ଗିବା ପ୍ରକ୍ରିୟା ଅତ୍ୟନ୍ତ ଦୁଃଖଦାୟକ ଥିଲା। ଏହି ମଠ ସହିତ ଓଡିଶା ଇତିହାସର ବହୁ ଅମ୍ଳାନ ସ୍ମୃତି ଜଡିତ ରହିଥିଲା। ମଠ ଭାଙ୍ଗିବା ସହିତ ସେ ସ୍ମୃତି ମଧ୍ୟ ବିଲୟ ହୋଇଗଲା। ଏପରିକି ଓଡିଶାର ସର୍ବ ପ୍ରାଚୀନ ଲାଇବ୍ରେରୀ ରଘୁନନ୍ଦନ ପାଠାଗାର ମଧ୍ୟ ମାଟିରେ ମିଶିଗଲା। ଯଦିଓ ରଘୁନନ୍ଦନ ପାଠାଗାର ନିର୍ମାଣ ଲାଗି ରାଜ୍ୟ ସରକାର ତିନି କୋଟି ଟଙ୍କା ମଞ୍ଜୁର କରିଛନ୍ତି, ତଥାପି ବିକଳ୍ପ ବ୍ୟବସ୍ଥା ନକରି ଏହାକୁ ଭାଙ୍ଗିବା ଆଦୌ ଉଚିତ ହୋଇନାହିଁ । ତେବେ ସରକାରଙ୍କ ମଠ ଭଙ୍ଗା ନିଷ୍ପତ୍ତିକୁ ପୁରୀବାସୀଙ୍କର ନୀରବ ସମର୍ଥନ ମିଳିଛି। ପ୍ରଥମ ପର୍ୟାୟର ଉଚ୍ଛେଦ ପ୍ରକ୍ରିୟାକୁ କେହି ବିରୋଧ କରିବାର ଦେଖା ଯାଇନଥିଲା। ତେବେ ଉଚ୍ଛେଦ ପ୍ରକ୍ରିୟା ସରି ଆସିଲା ବେଳକୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି।

ଗତ ୪୮ ଘଣ୍ଟା ଭିତରେ ମଠ ଭଙ୍ଗା ରାଜନୀତିକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ଲାଗି ବିଜେପି ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ପୁରୀର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରଥମରୁ ଉଚ୍ଛେଦ ପ୍ରକ୍ରିୟାକୁ ଆଦୌ ବିରୋଧ କରିନଥିଲେ। ଏପରିକି ପୁରୀ ବିଜେପି କର୍ମକର୍ତ୍ତା, ରାଜ୍ୟ ବିଜେପି, ସଂଘ ପରିବାର ପ୍ରମୁଖ ଏ ପ୍ରସଙ୍ଗରେ ପୂରା ଚୁପ ହୋଇ ବସିଥିଲେ। ଗତ ସୋମବାର ପରଠୁ ବିଜେପି ଏହି ଘଟଣାରେ ରାଜନୀତି ପୂରେଇବା ଆରମ୍ଭ କରିଛି। ପ୍ରଥମେ ପୁରୀ ଶଙ୍କରାଚାର୍ୟ ଏହାକୁ ବିରୋଧ କରିବା ପରେ  ପୁରୀ ବିଧାୟକ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ବିରୋଧ ପ୍ରଦର୍ଶନ କଲେ। ତାଙ୍କ ପରେ ବିଭିନ୍ନ ମଠର ମହନ୍ତ ଓ ସାଧୁ ମିଶି ତୀବ୍ର ବିରୋଧ ଆରମ୍ଭ କଲେ।

ଏଠି ପ୍ରଶ୍ନ ଉଠୁଛି, ଏମାର ମଠ ଭାଙ୍ଗିଲା ବେଳେ ଏମାନେ ସମସ୍ତେ ନୀରବ ଥିଲେ କାହିଁକି? ଆରମ୍ଭରୁ ବିଜେପି ନେତା ବିଜୟ ମହାପାତ୍ରଙ୍କର ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ନଥିବା ବେଳେ, ହଠାତ ତାଙ୍କୁ ଶ୍ରୀକ୍ଷେତ୍ର ପାଞ୍ଚ ପ୍ଲାଟୁନ ପୋଲିସ ଓ ୨୨ ବୁଲାଡୋଜର ର କୁରୁକ୍ଷେତ୍ର ଭଳି ଲାଗିଲା କାହିଁକି? ଏମାନେ ସମସ୍ତେ ଏମାର ମଠ ଭାଙ୍ଗିଲା ପରେ ସଚେତନ ହେବାର କାରଣ କଣ? ମଠ ଭାଙ୍ଗିବାକୁ ନେଇ ପୁରୀ ଲୋକଙ୍କର ଓ ଅନେକାଂଶରେ ରାଜ୍ୟବାସୀଙ୍କ ସମର୍ଥନ ରହିଛି ବୋଲି ଭାବି ବିଜେପି ଚୁପ ରହିଥିଲା। ସମୟକ୍ରମେ ଏହାର ଐତିହ୍ୟ ଓ ଆଧ୍ୟାତ୍ମିକ ସଂସ୍କୃତି ନଷ୍ଟ ହେଉଥିବାର ଦେଖି ଯେଉଁ କିଛି ପ୍ରତିକ୍ରିୟା ଆସିଲା, ସେଥିରୁ ଫାଇଦା ଉଠାଇବାକୁ ବିଜେପି ଏବେ ତତ୍ପର ହୋଇ ଉଠିଛି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତରେ ଯିବାର ସମ୍ଭାବନା ରହିଛି। ପୁରୀରେ ଧର୍ମେନ୍ଦ୍ର କଣ କହୁଛନ୍ତି ଓ ତାଙ୍କ ଆଭିମୁଖ୍ୟ କଣ ରହୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ। ବିଭିନ୍ନ ଟେଲିଭିଜନ ଚାନେଲରେ ମତ ରଖିଲା ବେଳେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମର୍ଥନ ଦେଉଥିବାର ସ୍ପଷ୍ଟ ଜଣାପଡୁଛି। ତେବେ ରାଜନୈତିକ ବାଧ୍ୟ ବାଧକତା କାରଣରୁ ଓ ଗୋଳିଆ ପାଣିରୁ ଫାଇଦା ଉଠାଇବାର ପ୍ରବୃତ୍ତିରୁ ବିଜେପିର ରଣନୀତି ପୁରୀରେ ବଦଳିପାରେ।

ଇତି ମଧ୍ୟରେ ବିଜେପିର ପୋଷ୍ୟ ଚାନେଲ ଭାବରେ ପରିଚିତ ଦୁଇଟି ଇଂରାଜୀ ଟେଲିଭିଜନ ଚାନେଲରେ ମଠ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ହୋ ହଲ୍ଲା ଆରମ୍ଭ ହେଲାଣି। ସେହି ଦୃଷ୍ଟିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ ଯେ ବିଜେପି ଆଗାମୀ ଦିନରେ ପୁରୀ ମଇଦାନକୁ ରାଜନୀତି ଓ ସାମ୍ପ୍ରଦାୟିକତାର ପ୍ରୟୋଗଶାଳା କରିବାର ସମ୍ଭାବନା ଅଧିକ। ରାଜ୍ୟ ସରକାର ଏହି ସମ୍ଭାବନା ପ୍ରତି ଅବଗତ ରହିଥିବେ ବୋଲି ହୁଏତ ଆଶା କରାଯାଇ ପାରେ। ମଠ ଉଚ୍ଛେଦ ପ୍ରକ୍ରିୟାରେ ମହନ୍ତ ଓ ମଠାଧୀଶମାନଙ୍କ ସହିତ ସ୍ପଷ୍ଟ ଆଲୋଚନା କରିବାରେ ଜିଲା ପ୍ରଶାସନ ବୋଧହୁଏ ବିଳମ୍ବ କରିଛି। ସେହିପରି ବାସଗୃହ ଓ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ କରିବା ଆଗରୁ ଜନ ଶୁଣାଣୀ ଏକ ସାମ୍ବିଧାନିକ ବ୍ୟବସ୍ଥା। ଜିଲ୍ଲା ପ୍ରଶାସନ ତାହା କରି ନାହାନ୍ତି।

ବିଜେପିର ତତ୍ପରତା ଓ ସମ୍ପ୍ରଦାୟିକ ଶକ୍ତିମାନଙ୍କର ସମ୍ପୃକ୍ତି ମଠ ଉଚ୍ଛେଦ ପ୍ରକ୍ରିୟାକୁ ରାଜନୈତିକ ରଣକ୍ଷେତ୍ର କରିବାର ସମ୍ଭାବନା, ଏବେ ରାଜ୍ୟ ସରକାରଙ୍କ ଲାଗି ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ହୋଇପାରେ।

 

ପଢିଲେ ଜାଣିବେ-ଦାମୋଦର ରାଉତଙ୍କୁ ଓଡିଶା ବିଜେପି ଗୁରୁତ୍ଵ ଦେବାର କୌଣସି ରାଜନୈତିକ ଆବଶ୍ୟକତା ରହିଛି କି?

Categories
ବିଶେଷ ଖବର

ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥାକୁ ବିଜେଡ଼ିର ସମର୍ଥନ, ଭବିଷ୍ୟତ ଲାଗି ଏକ ମାରାତ୍ମକ ଭୁଲ

କେଦାର ମିଶ୍ର

ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ର ସମ୍ପର୍କ ଟେଲିଭିଜନ ପରଦାରେ ଯେତେ ତିକ୍ତ ଜଣାପଡୁଥାଏ, ବାସ୍ତବ କ୍ଷେତ୍ରରେ ଏ ଦୁଇ ଦଳର ସମ୍ପର୍କ ମାତ୍ରାଧିକ ମଧୁର। ୨୦୧୪ ରୁ ଆଜି ପର୍ଯ୍ୟନ୍ତ ସଂସଦ ଭିତରେ ବିଜେଡି ବିଜେପିକୁ ନିଜର ଆନ୍ତରିକ ସମର୍ଥନ ଦେଇ ଆସିଛି। ବିଜେପି ସରକାରର ଦୁଇଟି ପ୍ରମୁଖ ଜନବିରୋଧୀ ନୀତି- ବିମୁଦ୍ରାକରଣ ଓ ପରିବର୍ତ୍ତିତ ଭୂମି ଅଧିଗ୍ରହଣ ବିଲ ସପକ୍ଷରେ ବିଜେଡି ଠିଆ ହୋଇଛି। ତେବେ ୨୦୧୯ ନିର୍ବାଚନ ବିଜେଡି ମୁଖ୍ୟତଃ ବିଜେପି ବିରୋଧରେ ହିଁ ଜିତିଛି। ୨୦୧୭ ପଞ୍ଚାଯତ ନିର୍ବାଚନ ପରଠାରୁ ବିଜେପି ଓ ବିଜେଡି ଭିତରେ ସମ୍ପର୍କ ଅତି ତିକ୍ତ ଅବସ୍ଥାକୁ ଚାଲି ଆସିଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳକୁ ବିଜେଡି ର ଏକନମ୍ବର ଶତ୍ରୁ ଭାବରେ ବିଜେପି ଉଭା ହେଲା। ନିର୍ବାଚନ ସମୟରେ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅତ୍ୟନ୍ତ ଆକ୍ରାମକ ଭାଷାର ବ୍ୟବହାର କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ବିଜେପି ବିରୋଧରେ ନିଜର ସ୍ପଷ୍ଟ ମତ ରଖିଥିଲେ। ତେବେ ନିର୍ବାଚନ ପରେ ପରେ, ନବୀନ ବାବୁଙ୍କ ପ୍ରତି ବିଜେପିର ପ୍ରେମ ଉଛୁଳିବା ଆରମ୍ଭ କରିଥିଲା ଓ ଏହାର ପ୍ରତି ଜବାବରେ ନବୀନ ବାବୁ ବିଜେପି ପ୍ରତି ନିଜର ଅକୁଣ୍ଠ ସମର୍ଥନ ଜାହିର କରୁଛନ୍ତି।

ବିଜେଡି ବିଜେପି ପ୍ରତି ନିଜର ସମର୍ଥନ ଦେବାବେଳେ ଏକଥା ଭଲ ଭାବରେ ଜାଣେ ଯେ, ଆଗାମୀ ଦିନରେ ବିଜେପି ଓଡିଶାରେ ନରମ ଆଭିମୁଖ୍ୟ ଗ୍ରହଣ କରିବ ନାହିଁ। କେବଳ ସାମୟିକ ଭାବରେ ଏ ପ୍ରେମ ଦିଆନିଆ ଚାଲିବ ଓ ଆବଶ୍ୟକତା ଅନୁଯାୟୀ ଉଭୟ ଦଳ ପରଷ୍ପରକୁ ସହଯୋଗ କରିବେ। ତେବେ ବିଜେପିର ଦୀର୍ଘସ୍ଥାୟୀ ଯୋଜନା ହେବ, ବିଜେଡ଼ିର ବିନାଶ। ଓଡିଶାରେ କ୍ଷମତା ଦଖଲ କରିବାକୁ ହେଲେ ବିଜେଡ଼ିକୁ  ଦୁର୍ବଳ କରିବା ବିଜେପିର ପ୍ରାଥମିକ ଲକ୍ଷ୍ୟ। ବିଜେପି ସେ ଲକ୍ଷ୍ୟରୁ ଅଲଗା ହେବନାହିଁ। ସେହି ପୃଷ୍ଟଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ଦେଶ- ଏକ ନିର୍ବାଚନ” ପ୍ରତି ବିଜେଡ଼ିର ସମର୍ଥନ କୁ ଆଲୋଚନା କରିବାକୁ ପଡିବ।

ଏକ ଦେଶ- ଏକ ନିର୍ବାଚନ ଆମ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ଏହାକୁ ସମର୍ଥନ କଲାବେଳେ ବିଜେଡି ନିଜର ସଙ୍ଘୀୟ ଦାୟିତ୍ଵ ପ୍ରତି ସଚେତନ ଥିବା ପରି ଲାଗୁନାହିଁ। ଯେହେତୁ ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେଉଛି, ସେଥିଲାଗି ଏ ବ୍ୟବସ୍ଥା ପ୍ରତି ଆମର ସ୍ଵାଭାବିକ ସମର୍ଥନ ରହିଛି ବୋଲି ବିଜେଡି କହୁଛି। ହେଲେ ସଙ୍ଘୀୟ ବ୍ୟବସ୍ଥାରେ ବିଧାନସଭା ଭାଙ୍ଗିବାର ଅଧିକାର କେବଳ ବିଧାନସଭାର ରହିଛି। ପାଞ୍ଚ ବର୍ଷ ପୂରିବା ଆଗରୁ କୌଣସି ବିଧାନସଭାକୁ ଭାଙ୍ଗିବା ଲାଗି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ପ୍ରସିଦ୍ଧ କେଶବାନନ୍ଦ ଭାରତୀ ବନାମ ଭାରତ ସରକାର ରାୟ ଅନୁସାରେ ଏହା ଗ୍ରହଣୀୟ ନୁହେଁ। ପାଞ୍ଚ ବର୍ଷ ପୂର୍ବରୁ ଯଦି ସରକାର ଭାଙ୍ଗିଯାଏ ତାହେଲେ, ବାକି ଥିବା ସମୟ ଲାଗି ନିର୍ବାଚନ ମଧ୍ୟ ଏକ ପିଲାଳିଆ ବ୍ୟବସ୍ଥା।

ବିଜେଡି ମୁଖ୍ୟତଃ ଏକ ଆଞ୍ଚଳିକ ଦଳ ଓ ସଙ୍ଘୀୟ ବ୍ୟବସ୍ଥାର ସୁରକ୍ଷା ଲାଗି ଏହାର ଗୁରୁ ଦାୟିତ୍ଵ ରହିଛି। ସେହି ଦାୟିତ୍ଵ ପ୍ରତି ଆଖି ବୁଜି ଦେଇ ଏକ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧୀ ବ୍ୟବସ୍ଥାକୁ ବିଜେଡ଼ିର ସମର୍ଥନ, ଏହି ଦଳର ମୌଳିକ ଆଦର୍ଶ ବିରୋଧରେ ଯାଉଛି। ନିର୍ବାଚନ ସମୟରେ ଅର୍ଥନୈତିକ ସ୍ଵାୟତ୍ତତାର ପ୍ରସଙ୍ଗ ଉଠାଉଥିବା ମୁଖ୍ୟମନ୍ତ୍ରୀ ଏବେ ବିଜେପିର କେନ୍ଦ୍ରୀୟ ବର୍ଚ୍ଚସ୍ଵବାଦକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ହେଲେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମର  ଆବଶ୍ୟକତା ରହିଛି। ସବୁ ରାଜନୈତିକ ଦଳ ଓ ସବୁ ବିଧାନସଭାର ସହମତି ଏଥିଲାଗି ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ପ୍ରମୁଖ ଜାତୀୟ ଦଳ ଗୁଡିକ ବିରୋଧ କରୁଥିବାବେଳେ କେବଳ ବିଜେଡି ଉପରେ ପଡି ଏହି ବ୍ୟବସ୍ଥାକୁ ସମର୍ଥନ କରୁଛି।

ଆଞ୍ଚଳିକ ଅସ୍ମିତା ଓ ଆଞ୍ଚଳିକ ଦଳମାନଙ୍କ ବିରୋଧରେ ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା ଯେ ଏକ ସୁଚିନ୍ତିତ ଷଡଯନ୍ତ୍ର, ଏକଥା ବିଜେଡି ବୁଝୁନାହିଁ ନା ବୁଝି ମଧ୍ୟ ଅବୁଝା ହେବାର ନାଟକ କରୁଛି, ତାହା ସମୟକ୍ରମେ ସ୍ପଷ୍ଟ ହେବ। ଏହି ପ୍ରସଙ୍ଗରେ ବିଜେଡି ଯଦି ବିଜେପିର ଗୋଡାଣିଆଁ ହେବାର ପ୍ରବୃତ୍ତି ନ ଛାଡେ, ତାହେଲେ ଭବିଷ୍ୟତରେ ଏହା ବିଜେଡି ଭିତରେ ଅସ୍ତିତ୍ଵ ସଙ୍କଟ ସୃଷ୍ଟି କରିବ। ବିରୋଧ କରି ବିଜେଡ଼ିକୁ ଧ୍ଵଂସ କରିବାରେ ବିଜେପି ସମର୍ଥ ହୋଇନାହିଁ, ହେଲେ ସମର୍ଥନ ଦେବା ଆଳରେ ହେଉ ବା ସହଯୋଗୀ ସଙ୍ଘୀୟ ବ୍ୟବସ୍ଥା ନାଁରେ ବିଜେଡ଼ିକୁ ଖତମ କରିବାର ରଣନୀତି ବିଜେପିର ପ୍ରଚ୍ଛନ୍ନ ଭାବରେ ରହିଛି।

Categories
ବିଶେଷ ଖବର

ଲୋକସଭାର ପ୍ରଥମ ଅଧିବେଶନ-ଲୋକତନ୍ତ୍ରର ମନ୍ଦିରରେ ଜୟ ଶ୍ରୀରାମ,ଜୟ ମା କାଳୀ ଓ ଆଲ୍ଲା ହୁ ଆକବର

କେଦାର ମିଶ୍ର 

ଲୋକସଭା ରେ କୀର୍ତ୍ତନ ହୁଏନାହିଁ କି ନମାଜ ପାଠ ହୁଏନାହିଁ। ତଥାପି ଆମର ସାଂସଦମାନେ ଶପଥ ଗ୍ରହଣ କଲାବେଳେ “ଜୟ ଶ୍ରୀରାମ”, “ଜୟ ମା କାଳୀ”, “ଆଲ୍ଲା ହୁ ଆକବର” ଧ୍ବନୀ ଦେବାର ମାନେ କଣ? ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଦେଶର ସମ୍ବିଧାନ ଅନୁସାରେ ସମସ୍ତଙ୍କ ପାଇଁ ନ୍ୟାୟ କରିବାକୁ ଶପଥ ନେଉଥିବା ମାନ୍ୟବର ଲୋକସଭା ସଦସ୍ୟମାନେ ପରଷ୍ପରର ଧର୍ମକୁ ନେଇ ଲୋକସଭାରେ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ବୋଧହୁଏ ଆମ ଲୋକତନ୍ତ୍ର ଲାଗି ସବୁଠୁ ଲଜ୍ଯାକର ଦୃଶ୍ୟ ହୋଇ ରହିବ। ଦ୍ଵିତୀୟ ଥର ଜିତିବା ପରେ ଭାରତୀୟ ଜନତା ପାର୍ଟି ଖୋଲାଖୋଲି ନିଜର ସାମ୍ପ୍ରଦାୟିକ ଚରିତ୍ରକୁ ଏଥର ସଂସଦ ଭିତରେ ଜାହିର କରୁଛି। ବିରୋଧୀ ଦଳର ସଦସ୍ୟ ଓ ସଂଖ୍ୟାଲଘୁ ବର୍ଗର ନିର୍ବାଚିତ ସଦସ୍ୟମାନଙ୍କୁ ଅତି ନିକୃଷ୍ଟ ଭାବରେ ଅପମାନିତ କରାଯାଉଛି।ବିରୋଧୀଙ୍କୁ ଚିଡାଇବା ଲାଗି “ଜୟ ଶ୍ରୀରାମ” ନାରା ଲଗାଯାଉଛି।  “ଜୟ ଶ୍ରୀରାମ” ଆଜି ଆଉ ଏକ ଧାର୍ମିକ ଧ୍ୱନି ହୋଇ ରହିନାହିଁ। ରାଜନୈତିକ ପ୍ରତିଯୋଗୀଙ୍କୁ ଅପମାନିତ କରିବାଲାଗି ବିଜେପି ସଦସ୍ୟମାନେ “ଜୟ ଶ୍ରୀରାମ” ଧ୍ବନିର ଦୁର୍ବ୍ୟବହାର କରୁଛନ୍ତି। ପ୍ରଥମତଃ ସମ୍ବିଧାନର ଶପଥ ନେଉଥିବା ଆମର ଲୋକପ୍ରତିନିଧି ମାନେ ନିଜର ଧାର୍ମିକ ପରିଚୟକୁ ସଂସଦ ଗୃହ ବାହାରେ ଛାଡି ଆସିବା କଥା। ସମ୍ବିଧାନ ଓ ଆଇନର ଶାସନରେ ଆପଣ ସାରା ଭାରତର ପ୍ରତିନିଧି। ଗଣତନ୍ତ୍ରର ଏଇ ସାଧାରଣ ଶିଷ୍ଟାଚାର ବୋଧହୁଏ ଶାସକ ଦଳଠାରୁ ଆଶା କରିବା ବୃଥା!

ଶପଥ ଗ୍ରହଣ ସମୟରେ ବିଜେପି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବରେ ବିରୋଧୀଙ୍କୁ ଅପମାନିତ କରୁଥିବାର ଦୃଶ୍ୟ, ଆମର ଗଣତନ୍ତ୍ର ଲାଗି ଏକ ଭୟଙ୍କର କଳାଦିନର ସଙ୍କେତ ଦେଉଛି। ପ୍ରଧାନମନ୍ତ୍ରୀ ସମ୍ବିଧାନ ଆଗରେ ମୁଣ୍ଡିଆ ମାରୁଥିବାବେଳେ ତାଙ୍କ ଦଳର ପ୍ରତିନିଧିମାନେ ସମ୍ବିଧାନ ଦ୍ଵାରା ପ୍ରତିଷ୍ଠିତ ଆମର ସଂସଦୀୟ ପରମ୍ପରାକୁ ପଦାଘାତ କରୁଛନ୍ତି। ସଂସଦର ଅନ୍ୟତମ ବରିଷ୍ଠ ସଦସ୍ୟା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଶପଥ ଗ୍ରହଣ କରିବା ସମୟରେ ଶାସକ ଦଳର ଆଚରଣ ଅତ୍ୟନ୍ତ ଲଜ୍ଜାଜନକ ରହିଥିଲା। ଲୋକସଭାର  ଶପଥ ଗ୍ରହଣ ଉତ୍ସବ ଏକ ସୌହାର୍ଦ୍ଦ୍ୟ ଓ ସଦ୍ଭାବନାମୂଳକ ପରିବେଶରେ ଯଦି ହୋଇ ପାରୁନାହିଁ, ତାହେଲେ ଆଗାମୀ ଦିନରେ ଲୋକସଭା କେମିତି ଚାଲିବ, ତାର ସ୍ପଷ୍ଟ ସଙ୍କେତ ଏଥିରୁ ମିଳିଯାଉଛି।

ଏହି ପୃଷ୍ଠଭୂମିରେ ଆଜି ଆମଲାଗି ସବୁଠୁ ଚିନ୍ତାର ବିଷୟ ହେଉଛି, ଧାର୍ମିକତାର ଆଧାରରେ ଆମେ ସତରେ ବିଭାଜିତ ହୋଇ ସାରିଛୁ କି? ଦେଶର ଶାସକ ଦଳ ନିଜକୁ ହିନ୍ଦୁ ମାନଙ୍କର ପ୍ରତିନିଧି ବୋଲି ଖୋଲାଖୋଲି ଘୋଷଣା କରିବା ଓ ବିରୋଧୀଙ୍କୁ ସଙ୍ଖ୍ୟାଲଘୁଙ୍କ ସମର୍ଥକ ବୋଲି କହିବାର ପ୍ରକ୍ରିୟାରୁ ଏକଥା ତ ସ୍ପଷ୍ଟ ହୋଇ ଯାଉଛି। ଲୋକସଭା ଭିତରେ ତୃଣମୂଳ ଓ ବିଜେପି ମଧ୍ୟରେ ଯେଉଁ ଯୁଦ୍ଧ ଦେଖିବାକୁ ମିଳିଥିଲା, ସେଥିରେ ହିନ୍ଦୁ ଧର୍ମ ଭିତରେ ମଧ୍ୟ ବିଭାଜନର ଏକ ଭୟଙ୍କର ଆଭାସ ମିଳୁଥିଲା। ବିଜେପିର “ଜୟ ଶ୍ରୀରାମ” ନାରା କୁ ଖର୍ବ କରିବାକୁ ତୃଣମୂଳ ସଦସ୍ୟମାନେ “ଜୟ ମା କାଳୀ” ନାରା ଦେଇଥିଲେ। ଇତିହାସରେ ଏକଦା ଶୈବ ଓ ବୈଷ୍ଣବମାନଙ୍କ ଭିତରେ ଯେଉଁ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ତାହାର ପୁରାବୃତ୍ତିର ଏ ସୂଚନା ନୁହେଁ ତ!

ଆମେ ଯେଉଁମାନେ ୧୯୮୯ ମସିହାରୁ ଲୋକସଭା ବିତର୍କ ଓ ଲୋକସଭାର କାର୍ୟକ୍ରମ ଦେଖି ଆସୁଛୁ, ଆମ ଲାଗି ଏହି ଲୋକସଭାର ପ୍ରଥମ ଅଧିବେଶନ ସବୁଠୁ ବେଶୀ ଅପମାନଜନକ ଓ ଚିନ୍ତାଜନକ। ଧାର୍ମିକ ଉନ୍ମାଦର ଏତେ ବେଶୀ ଭୟଙ୍କର ପ୍ରଦର୍ଶନ କେବେ ବି କୌଣସି ଲୋକସଭାରେ ଦେଖିବାକୁ ମିଳିନଥିଲା। ଧାର୍ମିକ ପରିଚୟ ଆଧାରରେ ସଭ୍ୟମାନେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିବାରେ, ସାମାନ୍ୟତମ ଲଜା ଅନୁଭବ କରୁନାହାନ୍ତି। ଆମ ଲୋକ ପ୍ରତିନିଧିଙ୍କ ଆଚରଣରୁ ଯାହା ମନେହେଉଛି, ଆମେ ବୋଧହୁଏ ଏକ ଭୟଙ୍କର ସାଂସ୍କୃତିକ ବିଭାଜନ ଆଡକୁ ମୁହାଁଉଛୁ। ଭାରତୀୟ ନାଗରିକ ଓ ସମ୍ବିଧାନର ଅନୁରକ୍ତ ପ୍ରତିନିଧି ଅପେକ୍ଷା ନିଜ ନିଜର ଧାର୍ମିକ ପରିଚୟକୁ ନେଇ ସଭ୍ୟମାନେ ଅତ୍ୟନ୍ତ ନିକୃଷ୍ଟ ଆଚରଣ ପ୍ରଦର୍ଶନ କରୁଛନ୍ତି। ଶାସକ ଦଳର ପ୍ରରୋଚନାରେ ଏବେ ଲୋକସଭା ଧର୍ମସଭା ପରି ଲାଗୁଛି। ଏକବିଂଶ ଶତାବ୍ଦୀରେ ପୃଥିବୀର ସର୍ବ ବୃହତ ଗାଣତାନ୍ତ୍ରିକ ରାଷ୍ଟ୍ର ଧାର୍ମିକ ଉନ୍ମାଦନାର ରାଷ୍ଟ୍ର ପରି ଦୃଶ୍ୟମାନ ହେବା, ଗଭୀର କ୍ଷୋଭ ଓ ଚିନ୍ତାର ବିଷୟ।

Categories
ବିଶେଷ ଖବର

ସଂଗଠନ ବା ସରକାର ନୁହେଁ, ବରଂ ବିଜେଡି ପାଇଁ ସବୁଠୁ ବଡ ସମସ୍ୟା ହେଉଛନ୍ତି ବିଜେଡ଼ିର ନେତା

କେଦାର ମିଶ୍ର

ନବୀନ ପଟ୍ଟନାୟକ ସରକାର ପାଞ୍ଚଥର ଲୋକଙ୍କ ଦ୍ଵାରା  ନିର୍ବାଚିତ ହେବା ପଛରେ ଗୋଟେ ବଡ କାରଣ ହେଉଛି, ଗତ ୨୦ ବର୍ଷ ଭିତରେ ସରକାର ବିରୋଧରେ ବଡ ଦୁର୍ନୀତି ବା ଭ୍ରଷ୍ଟାଚାରର ଅଭିଯୋଗ ଆସିନାହିଁ। ତେବେ ଏହାର ଅର୍ଥ କଣ ଓଡିଶାରେ ଏକ ଦୁର୍ନୀତିମୁକ୍ତ ସରକାର ଚାଲିଛି? ଏ ପ୍ରମାଣପତ୍ର ଦେବା ମଧ୍ୟ ସହଜ ନୁହେଁ। ଗତ ୨୦ ବର୍ଷ ଭିତରେ ବିଭିନ୍ନ ପର୍ଯ୍ୟାୟରେ ସରକାରରେ ଥିବା ଲୋକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଖୋଦ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଦୁର୍ନୀତି ଅଭିଯୋଗରେ ନିଜର ମନ୍ତ୍ରୀମାନଙ୍କୁ ବିଦା କରିଛନ୍ତି। ତେବେ ସରକାରରେ ଥିବା ଲୋକ ଦୁର୍ନୀତି କରିବା ଓ ସରକାର ଦୁର୍ନୀତିଗ୍ରସ୍ତ ହେବା ଦୁଇଟି ଅଲଗା ଜିନିଷ ବୋଲି ଲୋକେ ବିଶ୍ଵାସ କରିଛନ୍ତି। କୌଣସି ଭ୍ରଷ୍ଟାଚାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଠି ଉଠି ପାରିନାହିଁ। ଚିଟ ଫଣ୍ଡ ଓ ଖଣି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟକୁ ଯୋଡିବାର ପ୍ରୟାସ ଯଦିଓ ହୋଇଛି, ସେଥିରେ କୌଣସି ତଦନ୍ତକାରୀ ସଂସ୍ଥା ସଫଳ ହୋଇନାହାନ୍ତି। ବିରୋଧୀ ଦଳ ମଧ୍ୟ ନବୀନଙ୍କୁ ଭ୍ରଷ୍ଟାଚାରୀ ବୋଲି କହିବାର ସାହସ ଏଯାଏ ଦେଖାଇ ପାରିନାହାନ୍ତି। ଯାହା ଫଳରେ ନବୀନ ନିରନ୍ତର ନିଜର ନିର୍ମଳ ଭାବମୂର୍ତ୍ତି ବଜାୟ ରଖିଛନ୍ତି।

ନବୀନ ସରକାରରେ ଅତି କମରେ ଦୁଇ ଡଜନ ମନ୍ତ୍ରୀ ଥିଲେ ବା ଅଛନ୍ତି, ଯେଉଁ ମାନଙ୍କ ନାଁରେ ଭ୍ରଷ୍ଟାଚାରର ଆରୋପ ଆସିଛି। ଯେଉଁଠି ଆରୋପ, ଅଭିଯୋଗ ବା ସନ୍ଦେହ ଆସିଛି, ସେଠି ଅଭିଯୁକ୍ତଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବିଦା କରା ଯାଇଛି। ନବୀନଙ୍କ ନେତୃତ୍ଵରେ  ବିଜୁ ଜନତା ଦଳର ସରକାର ସବୁବେଳେ ଦୁର୍ନୀତି ଆରୋପକୁ ବ୍ୟକ୍ତିଗତ ବୋଲି ପ୍ରମାଣିତ କରିବାରେ ସଫଳ ହୋଇଛି। ଡାଲି ଦୁର୍ନୀତିରେ ପ୍ରମିଳା ମଲ୍ଲିକଙ୍କ ଠୁ ଆରମ୍ଭ କରି ବେବିନା ମାମଲାରେ ପ୍ରଦୀପ ମହାରଥିଙ୍କ ଦାୟିତ୍ଵହୀନ ମନ୍ତବ୍ୟ ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ନିଜର ଭୁଲ ଲାଗି ନେତାମାନଙ୍କୁ ବ୍ୟକ୍ତିଗତ ସ୍ତରରେ ନିନ୍ଦିତ ବା ଦଣ୍ଡିତ କରାଯାଇଛି। ସରକାର ଉପରେ ସେଥିପାଇଁ କୌଣସି କଳଙ୍କ ଏ ଯାଏଁ ଲାଗି ପାରିନାହିଁ।

ଚିଟ ଫଣ୍ଡ ମାମଲାରେ ବିଜେଡ଼ିର ଏକ ବଡ ନେତୃ ମଣ୍ଡଳୀ ସମ୍ପୃକ୍ତ ଥିବା ଯୋଗୁଁ ବିଭିନ୍ନ ସମୟରେ ବିଜେଡ଼ିର କିଛି ସାଂସଦ ଓ ବିଧାୟକ ଗିରଫ ହୋଇଥିଲେ ଓ ଆଉ କିଛିଙ୍କୁ  ସିବିଆଇ ଜେରା କରିଥିଲା। ଏହା ବୋଧହୁଏ ନବୀନ ବାବୁଙ୍କ ଲାଗି ସବୁଠୁ ବଡ ଆହ୍ଵାନ ଥିଲା। ଏପରିକି ନବୀନ ନିବାସର ଜଣେ କର୍ମଚାରୀଙ୍କୁ ଏଥିପାଇଁ ଜେରା କରାଯାଇଥିଲା। ତେବେ ଏହି ଆହ୍ଵାନକୁ ବିଜେଡି ସଫଳତାର ସହ ମୁକାବିଲା କରିଥିବା ବେଳେ ବିରୋଧୀ ଏହି ପ୍ରସଙ୍ଗରେ ସରକାରକୁ ୨୦୧୪ ଓ ୨୦୧୯ ନିର୍ବାଚନରେ ଘେରିବାରେ ବିଫଳ ହୋଇଛନ୍ତି। ଗତ ୨୦ ବର୍ଷ ଭିତରେ ଅନେକ କଥା ଘଟିଛି, ଯେଉଁଥିରେ ନବୀନ ସରକାରକୁ ଜନତାଙ୍କ କାଠଗଡାକୁ ଟଣା ଯାଇପାରିଥାନ୍ତା। ରାଇଘର ଓ କଳିଙ୍ଗ ନଗର ପୋଲିସ ଗୁଳିକାଣ୍ଡ, କନ୍ଧମାଳ ଓ ଭଦ୍ରଖ ଦଙ୍ଗା, ଡାଲି ଯୋଗାଣ ଦୁର୍ନୀତି, ଚିଟ ଫଣ୍ଡ କେଳେଙ୍କାରି, କଟକ ଓ ଭୁବନେଶ୍ବରରେ ଜମି ତଥା ଗୃହ ଆବଣ୍ଟନ ଦୁର୍ନୀତି, ଖଣି ଦୁର୍ନୀତି, ରାୟଗଡାରେ ଇତିଶ୍ରୀ ହତ୍ୟା ମାମଲାରେ ତତ୍କାଳୀନ ବିଜେଡି ସାଂସଦ ଜୟରାମ ପାଙ୍ଗିଙ୍କ ସମ୍ପୃକ୍ତି, ବେବିନା ହତ୍ୟା ମାମଲାରେ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ନାଁ ଆସିବା ଇତ୍ୟାଦି ବହୁ ଘଟଣାକୁ ବିରୋଧୀ ବଡ ରାଜନୈତିକ ପ୍ରସଙ୍ଗ ଭାବରେ ଲୋକଙ୍କ ପାଖକୁ ନେଇ ପାରିନାହାନ୍ତି।

ପାଞ୍ଚଥର ଲୋକଙ୍କ ଦ୍ଵାରା ନିର୍ବାଚିତ ହେବା ପରେ ନବୀନ ସରକାରର ଆତ୍ମବିଶ୍ଵାସ ଯଥେଷ୍ଟ ବଢିଛି। ଆଜି ସରକାର ବା ବିଜେଡି ସଙ୍ଗଠନ କୁ ଲୋକେ ବିଶ୍ବାସକୁ ନେଉଛନ୍ତି। ହେଲେ ଆଜି ମଧ୍ୟ ବିଜେଡ଼ିର ନେତାମାନେ ବିଜେଡି ଲାଗି ସବୁଠୁ ବଡ ଅଡୁଆ ସୃଷ୍ଟି କରୁଛନ୍ତି। ସରକାର ଗଠନର ପ୍ରଥମ ପନ୍ଦର ଦିନ ଭିତରେ ପାଟଣାଗଡ ବିଧାୟକ ସରୋଜ ମେହେର ଓ କେନ୍ଦ୍ରାପଡା ଲୋକସଭା ସଦସ୍ୟ ଅନୁଭବ ମହାନ୍ତିଙ୍କ ପାଇଁ ବିଜେଡି ଗଣମାଧ୍ୟମରେ ବିତର୍କ ଭିତରକୁ ଟାଣି ହୋଇ ଆସିଛି। ଲୋକ ପ୍ରତିନିଧିମାନଙ୍କ ସାଧାରଣ ଜୀବନରେ ଆଚରଣକୁ ନେଇ ପ୍ରଶ୍ନ ଯେମିତି ନ ଉଠେ ସେଥିପ୍ରତି ବିଜେଡି ସତର୍କ ନ ରହିଲେ, ଆଗକୁ ଏହା ବିଜେଡ଼ିର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇବ। ଯଦିଓ ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ବ୍ୟବହାର ଅତ୍ୟନ୍ତ ମାର୍ଜିତ, ତଥାପି ତାଙ୍କ ଭାଇମାନଙ୍କ ନାଁ ରେ କିଛି କିଛି ସ୍ଥାନୀୟ ଅଭିଯୋଗ ରହିଛି। ସରୋଜ ମେହେରଙ୍କ କ୍ଷେତ୍ରରେ ମଧ୍ୟ ବିଜେଡ଼ିକୁ କିଛିଟା କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ। ବଲାଙ୍ଗୀର ଜିଲାରେ ଏହାକୁ ନେଇ ଆଦିବାସୀଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି।

ଏକ ବେଦାଗ ସରକାର ଗଢିବା ହୁଏତ ସହଜ, ହେଲେ ଦଳ ଭିତରେ ଥିବା ବିଭିନ୍ନ ପରସ୍ପର ବିରୋଧୀ ତତ୍ତ୍ଵଙ୍କୁ ନିୟନ୍ତ୍ରଣ କରିବା ବଡ କଠିନ ବ୍ୟାପାର। ରାଜନୈତିକ ଦଳ ଭାବରେ ବିଜେଡି ଏ ପ୍ରକାର “ନୁଇସେନ୍ସ” ମାନଙ୍କୁ କେମିତି ପରିଚାଳିତ କରୁଛି, ତାରି ଉପରେ ଦଳ ଓ ଦଳ ମୁଖିଆଙ୍କ ଭାବମୂର୍ତ୍ତି ନିର୍ଭର କରିବ।

Categories
ବିଶେଷ ଖବର

ବିଜେଡ଼ି ଓ ବିଜେପି- ବାପ ପୁଅ ରାଜନୀତିର ମହାନ ରାଜନୈତିକ ଟେଲି ଧାରାବାହିକ

କେଦାର ମିଶ୍ର

 ପୁଅ କହୁଛନ୍ତି- ବାପା ବିଜେପି ରେ ଖୁସି ନାହାନ୍ତି।

ମିଡ଼ିଆ ଅନୁମାନ କରୁଛି- ବାପା ବୋଧହୁଏ ବିଜେପି ଛାଡ଼ି ନିଜର ପୁରୁଣା ଦଳ ବିଜେଡ଼ି କୁ ଫେରିବେ।

ଏପଟେ ବାପା କହିଛନ୍ତି- ମୋତେ ତ ବିଜେଡ଼ି ତଡିଦେବାରୁ ବିଜେପି ସମ୍ମାନ ର ସହ କୋଳେଇ ନେଇଛନ୍ତି। ମୁଁ ବିଜେଡ଼ି କୁ କାଇଁ ଫେରିବି।

ଏକଥା ଯେ କହୁଛି, ସେ ମୋ ପୁଅ ନୁହଁ, ସେ ବିଜେଡି ର ଜଣେ ବିଧାୟକ।

ଏ ସବୁ କୌଣସି ପାରିବାରିକ ଟିଭି ସିରିଆଲ ର ଡାଇଲଗ ଭଳି ଶୁଭୁନାଇ କି? ଦାମ ବାବୁ ଯେତେବେଳେ ବିଜେପି ରେ ଯୋଗ ଦେଲେ ସେତେବେଳେ ସମବେତ ବିଜେପି କର୍ମୀଙ୍କୁ ପଚାରିଥିଲେ- ଆପଣମାନେ ଖୁସି ତ! ତେବେ ସେ ନିଜେ ଆଜି ଖୁସି ନାହାନ୍ତି ବୋଲି ତାଙ୍କ ପୁଅ କହୁଛନ୍ତି କାହିଁକି? ନିର୍ବାଚନ ପୂର୍ବରୁ ଦାମ ବାବୁ ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଯାଇ ଲୋକହସା ହୋଇ ସାରିଛନ୍ତି। ଲୁଣିପାଣି ରେ ପଦ୍ମ ଫୁଟିବ ବୋଲି ସେ ଯେଉଁ ଦମ୍ଭ ଦେଖାଉଥିଲେ, ତାହା ବି ଆଜି ଭାଙ୍ଗି ସାରିଛି। ନିଜେ ଦାମ ବାବୁ ଶୋଚନୀୟ ଭାବରେ, ତୃତୀୟ ସ୍ଥାନ ରେ ରହି ପରାସ୍ତ ହୋଇଛନ୍ତି। ତେବେ ପରାଜୟ ପରେ ମଧ୍ୟ ଦାମଙ୍କ ତୁଣ୍ଡରେ ଲଗାମ ଲାଗିନାଇଁ। ଅବଶ୍ୟ ଦାମଙ୍କର ଏକମାତ୍ର ସମ୍ପତ୍ତି ହେଉଛି ତାଙ୍କ ତୁଣ୍ଡ ଖଣ୍ଡକ। କଥା କହିବାରେ ତାଙ୍କ ପରି ଦ୍ଵିତୀୟ ନେତା ଓଡିଶାରେ ନାହାନ୍ତି।

ତେବେ କଥା କହି ଗଣମାଧ୍ୟମର କ୍ୟାମେରା ଆଗରେ ନିଜର ଛବି ଜମେଇ ଦେବାର କଳା ଦାମ ବାବୁ ଜାଣନ୍ତି। ସେଇ କଳାରେ ତାଙ୍କର ସଫଳତା ଓ ସିଦ୍ଧି। ହେଲେ ତାଙ୍କ ନିଜ ଗାଁ ଓ ନିର୍ବାଚନ ମଣ୍ଡଳୀ ଲୋକେ ତାଙ୍କ କଥା ଉପରେ ଆସ୍ଥା ରଖିଲେ ନାଇଁ। ଏତେ ବଡ ନେତା, ଯିଏ ନିଜକୁ ବିଜୁ ବାବୁଙ୍କ ଯୋଗ୍ୟ ଉତ୍ତରାଧିକାରୀ ବୋଲି ଭାବୁଥିଲେ, ସେ ଏମିତି ଶୋଚନୀୟ ଭାବେ ହାରିଲେ କାହିଁକି? ଅବଶ୍ୟ କେହି କେହି କହିଲେ, ପୁଅ ସମ୍ବିତ ରାଉତରାୟ ବିଜେଡି ଟିକଟ ପାଇଲା ପରେ ଦାମ ବାବୁ ଆଉ ନିଜର ଟାଣପଣ ଦେଖେଇଲେ ନାହିଁ। ଶୁଣାଗଲା ଯେ ଦାମ ବାବୁ କୁଆଡେ ପାରାଦୀପର ପୁରୁଣା ବିଜେଡି କର୍ମୀଙ୍କୁ ଡାକି କହିଲେ- ମୋ ପୁଅ ତମକୁ ଲାଗିଲା। ଏ କଥା କେତେ ସତ କେତେ ମିଛ ଆମକୁ ଜଣାନାଇଁ। ହେଲେ ପାରାଦୀପରେ ବିଜେଡି ପ୍ରାର୍ଥୀ ଭାବରେ ସମ୍ବିତ ବିଜୟ ଓ ଏରସମାରେ ଦାମୋଦରଙ୍କ ଶୋଚନୀୟ ପରାଜୟ ଅନେକଟା କାହାଣୀ କହୁଛି।

ନିର୍ବାଚନ ପରେ ଏବେ ହଠାତ ବାପା ଖୁସି ନାହାନ୍ତି ଓ ବିଜେଡି ସୁପ୍ରିମୋ ଚାହିଁଲେ ସେ ଦଳକୁ ଫେରି ପାରିବେ ବୋଲି ସମ୍ବିତ ରାଉତରାୟ କହିବା ପଛରେ ଇଙ୍ଗିତ ଅତ୍ୟନ୍ତ ସ୍ପଷ୍ଟ। ଦାମ ବାବୁ ବିଜେପିର ଉପାଦାନ ନୁହନ୍ତି। ବିଜେପିର ନିୟମ ଓ ଶୃଙ୍ଖଳା ଭିତରେ ବନ୍ଧା ହୋଇ ସେ ରହିପାରିବେ ନାଇଁ। ନିର୍ବାଚନ ପରେ ବିଜେପି ପାଇଁ ତାଙ୍କର ଆଉ ବିଶେଷ ଆବଶ୍ୟକତା ମଧ୍ୟ ନାଇଁ। ବିଜେପିରେ ନିଶିବା ଆଗରୁ ସେ ଓଡିଶାର ଆନ୍ନା ହଜାରେ ହୋଇ ଦୁର୍ନୀତି ବିରୋଧୀ ଆନ୍ଦୋଳନ କରିବେ ବୋଲି ଯାହା କହିଥିଲେ, ତାହା ମଧ୍ୟ ପାଣିର ଗାର ବୋଲି ଲୋକ ଜାଣି ଗଲେଣି। ଅଗତ୍ୟା ରାଜନୀତିରେ ବଞ୍ଚିବାକୁ ହେଲେ ଘରବାହୁଡା ହିଁ ଏକମାତ୍ର ବାଟ! ସେଥିଲାଗି ବାପ ଓ ପୁଅ ହଠାତ ଗଣମାଧ୍ୟମ ଆଗରେ ନିଜର ଭାବପ୍ରବଣ ଡାଇଲଗ ମାରିବା ଆରମ୍ଭ କରିଛନ୍ତି।

ତେବେ ଦାମଙ୍କ ଘରବାହୁଡା ନାଟକରେ, ଘରର ସେଟିଂ ଠିକ ଅଛି ତ! ବିଜେପିରେ ଯେମିତି ତାଙ୍କର କାମ ସରିଯାଇଛି, ବିଜେଡିରେ ମଧ୍ୟ ସେ କେବଳ ବୋଝ ହୋଇ ରହିଥିଲେ। ସରକାରରେ ଥିବାବେଳେ ଓ ସରକାରରୁ ଗଲାପରେ ସେ ବିଜେଡ଼ିର ସବୁଠୁ ବଡ ବିପଦ ହୋଇ କାମ କରିଛନ୍ତି। ବିଜେଡି ଛାଡିଥିବା କୌଣସି ନେତା ଦାମଙ୍କ ପରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବ୍ୟକ୍ତିଗତ ସ୍ତରର ଆକ୍ଷେପ କରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅତ୍ୟନ୍ତ କଟୁ ସମାଲୋଚନା କଲାପରେ ମଧ୍ୟ ଦାମଙ୍କ ପୁଅକୁ ଟିକଟ ଦେଇ ଓ ଦାମଙ୍କ ପତ୍ନୀଙ୍କ ମୃତ୍ୟୁପରେ ତାଙ୍କ ଘରେ ପହଞ୍ଚି ନବୀନ ବାବୁ ବହୁତ ବଡ ହୋଇଗଲେ। ଦାମ ବାବୁ ନବୀନଙ୍କ ବିରୋଧରେ କହିବା ଲାଗି ଆଉ ବିଶେଷ କିଛି ରହିଲା ନାଇଁ। ତେବେ ସେଇ କଥାରୁ ଦାମଙ୍କ ବିଜେଡି ଘର ବାହୁଡା ସହଜ ହେବ ବୋଲି ଭାବିବା ନିର୍ବୋଧତା ହେବ। ବିଜେଡ଼ିରୁ ବିଦା ହେବା ପରେ ଆଉ ଥରେ କେହି ଫେରି ନାହାନ୍ତି। ଏକମାତ୍ର ବ୍ୟତିକ୍ରମ ହେଉଛନ୍ତି ପ୍ରଫୁଲ୍ଲ ଘଡେଇ। ପ୍ରଫୁଲ୍ଲ ବାବୁ ବିଜେଡ଼ିରୁ ନିଲମ୍ବିତ ହେବାର ବହୁ ବର୍ଷ ପରେ ମଧ୍ୟ ବିଜେଡି ବିରୋଧରେ ବା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଶବ୍ଦଟିଏ ମଧ୍ୟ ଉଚ୍ଚାରଣ କରିନାହାନ୍ତି। ସେଥିଲାଗି ଘଡାଇଙ୍କୁ ଗତ ନିର୍ବାଚନ ପୂର୍ବରୁ ପୁଣି ଥରେ ଦଳକୁ ଫେରାଇ ଅଣା ଯାଇଥିଲା। ଦାମଙ୍କ କ୍ଷେତ୍ରରେ ତାହା ଘଟିବାର ସମ୍ଭାବନା କ୍ଷୀଣ। ପିତା ଓ ପୁତ୍ରଙ୍କ ଏ ଧାରାବାହିକ ଭାବପ୍ରବଣ ନାଟକ, ବିଜେଡି ଶିବିରରେ ବିଶେଷ କିଛି ଆଗ୍ରହ ସୃଷ୍ଟି କରୁଥିବାର ଦେଖିବାକୁ ମିଳୁନାଇଁ।

Categories
ବିଶେଷ ଖବର

କଂଗ୍ରେସ ର ମୃତ୍ୟୁ କାମନା କରୁଥିବା ବୁଦ୍ଧିଜୀବୀ କହିବେ କି କଂଗ୍ରେସର ମୃତ୍ୟୁରେ କାହାର ଲାଭ?

କେଦାର ମିଶ୍ର

ଆଜି ୧୭ଦଶ ଲୋକସଭା ପାଇଁ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ବାହାରିବ। ଫଳ ବାହାରିବା ଆଗରୁ ସରକାର ଗଢା ସରିଲାଣି ଓ ବିରୋଧୀ ଦଳର ଶ୍ରାଦ୍ଧ ଆରମ୍ଭ ହୋଇଗଲାଣି। ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବରେ ପରାଜିତ ହୋଇଛି ବୋଲି ଏକ୍ଜିଟ ପୋଲର ଘୋଷଣା ପରେ, ବିଜେପି ତ ସ୍ଵାଭାବିକ ଭାବରେ ଉଲ୍ଲସିତ, କିନ୍ତୁ ବିଜେପି ବିରୋଧୀ ଭାବରେ ଜଣାଶୁଣା କେତେଜଣ ବୁଦ୍ଧିଜୀବୀ ଓ ରାଜନେତା ହଠାତ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଉପରେ ବହୁତ ରାଗି ଯାଇଛନ୍ତି। ସେମାନଙ୍କ କହିବା କଥା ନରେନ୍ଦ୍ର ମୋଦୀ ପୁଣିଥରେ ଜିତିବା ଲାଗି କେବଳ କଂଗ୍ରେସ ଇ ଦାୟୀ। ବିଶେଷ କରି ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଜଣାଶୁଣା ଦୁଇଜଣ ବିଶିଷ୍ଟ ଲେଖକ ଯୋଗେନ୍ଦ୍ର ଯାଦବ ଓ ରାମଚନ୍ଦ୍ର ଗୂହା କଂଗ୍ରେସକୁ ଭାରତର ମାନଚିତ୍ରରୁ ସବୁଦିନ ପାଇଁ ଲିଭାଇଦେବାର ଇଚ୍ଛା ପୋଷଣ କରିଛନ୍ତି। ଯୋଗେନ୍ଦ୍ର ଯାଦବ ପାଦେ ଆଗକୁ ଯାଇ ଲେଖିଛନ୍ତି, “କଂଗ୍ରେସର ମରଣ ନିହାତି ଜରୁରୀ। କଂଗ୍ରେସ ଏ ଦେଶରେ ବିକଳ୍ପ ରାଜନୀତି ନିର୍ମାଣରେ ସବୁଠୁ ବଡ ପ୍ରତିବନ୍ଧକ ହୋଇ ଠିଆ ହୋଇଛି।“ ମୋଦୀଙ୍କ ବିଜୟରେ ଯୋଗେନ୍ଦ୍ର ଯାଦବ ଉଲ୍ଲସିତ ନା ଦୁଃଖି ସେକଥା ବୁଝି ହେଉନାହିଁ। ଆମର ମାନେ ହେଉଛି, ଯୋଗେନ୍ଦ୍ର ଯାଦବ ବୋଧେ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ “କଂଗ୍ରେସ ମୁକ୍ତ ଭାରତ”ର ଆଉ ଏକ ସଂସ୍କରଣ କଥା କହୁଛନ୍ତି!

କଂଗ୍ରେସ ଯଦି ହାରିବ, ସେ ହାରର ଉତ୍ତରଦାୟିତ୍ଵ କଂଗ୍ରେସ ନେତୃତ୍ୱ ନେବାକୁ ବାଧ୍ୟ। ତେବେ ଜୟ ପରାଜୟକୁ ନେଇ ଗୋଟେ ଦଳର ମୃତ୍ୟୁ କାମନା କାହିଁକି? ଏଠି ହୁଏତ ଯୋଗେନ୍ଦ୍ର ଯାଦବ ମୃତ୍ୟୁକୁ ଗୋଟେ ପ୍ରତୀକ ଭାବରେ ନେଇ ଥାଇ ପାରନ୍ତି। ତେବେ କଂଗ୍ରେସ ହିଁ କଣ ବିଜେପିକୁ ପରାସ୍ତ କରିବା ପାଇଁ ଏକମାତ୍ର ମାଧ୍ୟମ? ବିଜେପିର ସାମ୍ପ୍ରଦାୟିକ ରାଜନୀତିକୁ  ହରାଇପାରୁନାହିଁ ବୋଲି ଆମେ ଯେଉଁମାନେ ଆଜି କଂଗ୍ରେସକୁ ଅଭିଶାପ ଦେଉଛୁ, ଆମେ କେବେ କଂଗ୍ରେସକୁ ସମର୍ଥନ ଦେଇଛୁ କି? ଯୋଗେନ୍ଦ୍ର ଯାଦବ ସାରା ଜୀବନ ସମାଜବାଦୀ ରାଜନୀତିର କଥା କହି ଆସିଛନ୍ତି ଓ ଭାରତର ସମାଜବାଦୀ ରାଜନୀତିରେ କଂଗ୍ରେସ ବିରୋଧ ହିଁ ସବୁଠୁ ବଡ କଥା। କଂଗ୍ରେସକୁ ବିରୋଧ କରିବାକୁ ଯାଇ ସମାଜବାଦୀମାନେ ହିଁ ଗୋଟେ ସମୟରେ ଜନସଙ୍ଘ, ସଂଘ ପରିବାର ଓ ପରବର୍ତ୍ତୀ ସମୟରେ ବିଜେପିକୁ ସମର୍ଥନ କରି ଆସିଛନ୍ତି। ଏକଦା ସମାଜବାଦୀ ରାଜନୀତିର ମହାରଥୀ ଜର୍ଜ ଫର୍ନ୍ନାଣ୍ଡେଜ ଓ ଆଜିର ତଥାକଥିତ ସମାଜବାଦୀ ନେତା ନୀତିଶ କୁମାର ତ ସାମ୍ପ୍ରଦାୟିକ ରାଜନୀତିର କୋଳରେ ବସି ଦୋଳି ଖେଳୁଛନ୍ତି। ଏଠି ମନେ ପକେଇଦେବା ଉଚିତ ହେବ ଯେ ରାମଚନ୍ଦ୍ର ଗୁହା ନୀତିଶ କୁମାରଙ୍କର ବଡ ପ୍ରଶଂସକ। ସୁବିଧାବାଦ ଓ ସମାଜବାଦକୁ ଏକା ସାଙ୍ଗରେ ନେଇ ଚାଲୁଥିବା ନୀତିଶ କୁମାରଙ୍କ ତୁଳନାରେ ରାହୁଲ ଗାନ୍ଧୀ ଯଥେଷ୍ଟ ଭଲ ନେତା।

ତେବେ କଂଗ୍ରେସର ପ୍ରଦର୍ଶନ ସତରେ ଯଦି ଖରାପ ହୋଇଥାଏ ସେଥିରେ ଖାଲି ବଂଶବାଦ ଯେ ଦାୟୀ ସେ କଥା କହିବା ଗୋଟେ ସରଳ ସମୀକ୍ଷା ହେବ। ଏକ୍ଜିଟ ପୋଲର ତଥ୍ୟ ଅନୁସାରେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଏ ନିର୍ବାଚନରେ ୨୦୧୪ ପରି ଖରାପ ପ୍ରଦର୍ଶନ କରିବ। ୨୦୧୪ ରେ ଅହି ଦୁଇ ରାଜ୍ୟରେ ବିଜେପିର ସରକାର ମାତ୍ର ୬ ମାସ ଆଗରୁ ଗଠିତ ହୋଇଥିଲା। କିନ୍ତୁ ଏ ବର୍ଷ ପାଞ୍ଚ ମାସ ଆଗରୁ ଏଠାରେ କଂଗ୍ରେସ ସରକାର ଗଠନ କରିଛି। କମଳନାଥ ଓ ଅଶୋକ ଗେହେଲୋଟଙ୍କ ପରି ଅଭିଜ୍ଞ  ନେତାଙ୍କୁ କଂଗ୍ରେସ ଏ ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ କରିଛି। ଅଭିଜ୍ଞତାକୁ ଗୁରୁତ୍ଵ ଦେବାକୁ ଯାଇ ସଚିନ ପାଇଲଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରାଯାଇଛି। ତା ସତ୍ତ୍ୱେ ବି ସେଠାରେ ଯଦି କଂଗ୍ରେସ ହାରୁଛି, ସେଥିଲାଗି ଖାଲି ରାହୁଲ ବା କାହିଁକି ଦାୟୀ ହେବେ? ଏବେ ପୂରା କଂଗ୍ରେସ ନିଜକୁ ଯଦି ନ ସଜାଡେ ତାହେଲେ କଂଗ୍ରେସ ଆହୁରି ଭଙ୍ଗାରୁଜାର ସାମ୍ନା କରିବ। ସୂତା ଖିଅରେ ଝୁଳୁଥିବା ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ଭାଙ୍ଗିବାକୁ ମୋଦୀ-ଶାହ ଏହା ପରେ ଚେଷ୍ଟା କରିବେ। ସେହିପରି କର୍ଣ୍ଣାଟକରେ ମଧ୍ୟ କଂଗ୍ରେସ ଓ ଧର୍ମନିରପେକ୍ଷ  ଜନତା ଦଳର ସରକାର ସଙ୍କଟରେ ପଡିବ।

କଂଗ୍ରେସର ପରାଜୟ କଂଗ୍ରେସକୁ ଆହୁରି ତଳିତଳାନ୍ତ କରିବ। ଆଉ ସେତେବେଳେ ଆମର ବୁଦ୍ଧିଜୀବୀ ମାନେ କଂଗ୍ରେସର ମରଣ କାମନା କରିବେ। କଂଗ୍ରେସ ମରିଗଲେ ବିକଳ୍ପ ତିଆରି କରିବ କିଏ? ଯୋଗେନ୍ଦ୍ର ଯାଦବଙ୍କ ବିକଳ୍ପ ରାଜନୀତି କଣ ହେଲା, ସେକଥା ଆମେ ଆମ ଆଦମୀ ପାର୍ଟିରୁ ସ୍ଵରାଜ ଇଣ୍ଡିଆ ଯାଏଁ ଦେଖୁଛୁ।

ନିର୍ବାଚନୀ ରାଜନୀତିରେ ବିଜେପି ଅଶି ଦଶକର କଂଗ୍ରେସ ପାଲଟି ଯାଇଛି। ଏବେ ବିଜେପି ପାଖରେ ସବୁ ସାଧନ ଓ ସବୁ ଅନୁଷ୍ଠାନ ରହିଛି। ତାଙ୍କୁ ନିର୍ବାଚନୀ ରାଜନୀତିରେ ମୁକାବିଲା କରିବାଲାଗି ସେଇ ସ୍ତରର ସମର୍ଥନ ଆବଶ୍ୟକ। ତେଣୁ ପ୍ରଚାର ଓ ବୈଚାରିକ ରାଜନୀତିରେ ବିଜେପିକୁ ଏବେ ପରାସ୍ତ କରିବା ସହଜ ନୁହଁ। ବିଜେପିର ସାମ୍ପ୍ରଦାୟିକ ରାଜନୀତି ବିରୋଧରେ ଏକ ଜାତୀୟ ଜଣ ସଂଘର୍ଷ ଗଢିଉଠିବାର ସମୟ ଏବେ ଆସିଛି। ଏ ସଂଘର୍ଷ କେହି ଏକାକୀ ଲଢି ପାରିବେ ନାଇଁ। ଏଥିଲାଗି କଂଗ୍ରେସ ବଞ୍ଚିବା ଯେତିକି ଜରୁରୀ, କଂଗ୍ରେସ ସହିତ ବାକି ସମସ୍ତେ ଏକାଠି ହେବା ମଧ୍ୟ ସେତିକି ଜରୁରୀ।

Categories
ବିଶେଷ ଖବର

ନିର୍ବାଚନ ପ୍ରକ୍ରିୟା ସନ୍ଦେହ ଓ ଅବିଶ୍ବାସର ଉର୍ଦ୍ଧ୍ଵରେ ନ ରହିଲେ ଗଣତନ୍ତ୍ର ଅନ୍ଧକାରଆଡକୁ ଚାଲିଯିବ ନିଶ୍ଚୟ

କେଦାର ମିଶ୍ର

ଯେତେବେଳେ ପରାଜୟ ନିଶ୍ଚିତ ବୋଲି ଜଣାପଡେ, ସେତେବେଳେ ରାଜନୈତିକ ଦଳଗୁଡିକ ଭୋଟିଂ ମେସିନ ଓ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥାନ୍ତି- ଏହା ହେଉଛି ଆମ ଗଣମାଧ୍ୟମର ଏକ ସୁଚିନ୍ତିତ ସିଦ୍ଧାନ୍ତ। ନିଜ ପରାଜୟକୁ ସ୍ଵୀକାର କରିବା ପରିବର୍ତ୍ତେ ଭୋଟିଂ ମେସିନ କୁ ଦୋଷ ନଦେବାକୁ ଉପଦେଶ ଓ ପରାମର୍ଶ ମଧ୍ୟ  ଦିଆଯାଏ। ତେବେ ବିରୋଧୀ କଣ ସତରେ ଔଷଧ ରାଗରେ ତାଟିଆ କାମୁଡିବା ନ୍ୟାୟରେ କେବଳ ଭୋଟିଂ ମେସିନ ଓ ନିର୍ବାଚନ କମିଶନକୁ ଦୋଷ ଦେଉଛନ୍ତି। ଆଜି ଯେତେବେଳେ ଦେଶର ସବୁ ଗଣମାଧ୍ୟମ ଘୋଷଣା କରିସାରିଛନ୍ତି ଯେ, ନରେନ୍ଦ୍ର ମୋଦୀ ବିପୁଳ ଆସନ ପାଇ ଜୟଯୁକ୍ତ ହୋଇସାରିଛନ୍ତି, ସେତେବେଳେ ବିରୋଧୀ ହାରି ସାରିଛନ୍ତି ଓ ହାରିବାର ପ୍ରତିକ୍ରିୟାରେ ଭୋଟିଂ ମେସିନ ଉପରେ ରାଗ ଅଜାଡୁଛନ୍ତି ବୋଲି ମାନିନେବା ଛଡା ଆଉ ବା ବାଟ କଣ ଅଛି? ୨୩ ତାରିଖ ଫଳାଫଳ ଘୋଷଣା ହେବା ପୂର୍ବରୁ ବିଜେପିରେ ଭୋଜିଭାତ ଆରମ୍ଭ ହୋଇଗଲାଣି। କଂଗ୍ରେସ ଶିବିର ନୀରବ। ତୃତୀୟ ସାମ୍ମୁଖ୍ୟ ଏବେ ହଜିଯାଇଛି। ଏବେ ଲାଗୁଛି, ଆଉ ୨୩ ରେ ଫଳ ଘୋଷଣା କରିବାର ଆବଶ୍ୟକତା କଣ? ଏକଜିଟ ପୋଲ କହିଛି, ମୋଦୀ ଜିତିଛନ୍ତି ମାନେ, ସେ ଜିତିଛନ୍ତି। ଶୁଣିବାକୁ ମିଳୁଛି, ମଇ ୨୬ ରେ କୁଆଡେ ନରେନ୍ଦ୍ର ମୋଦୀ ନିଜର “ମନ କି ବାତ” କହିବେ ଓ ୨୮ ତାରିଖରେ ଶପଥ ନେବେ। ଫଳ ବାହାରିବା ପୂର୍ବରୁ ଫଳ ପ୍ରଘଟ ହୋଇ ସାରିଛି।

ଜଣେ ନାଗରିକ ଭାବରେ ଏହା ହିଁ ଆମ ଲାଗି ଚିନ୍ତାର ବିଷୟ। ଶାସନରେ ଥିବା ଦଳ ଯେତେବେଳେ ଫଳ ବାହାରିବା ଆଗରୁ ଫଳ ଜାଣିଯିବାର ସୂଚନା ଦିଏ, ସେଠି ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ଉଠିବା ସ୍ଵାଭାବିକ। ଯଦି ନିର୍ବାଚନ ପ୍ରକ୍ରିୟା ଏତେ ଗୋପନୀୟ, ତେବେ ଶାସକ ଦଳ ହଠାତ ଏକ୍ଜିଟ ପୋଲ କୁ ନେଇ ଏତେ ଉଲ୍ଲସିତ କେମିତି? ତା ସହିତ ଆଉ ଗୋଟେ କଥା ମଧ୍ୟ କହିବା ଉଚିତ, ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଜିତିବା ପରେ ମଧ୍ୟ କଂଗ୍ରେସ ଭୋଟିଂ ମେସିନ ଓ ନିର୍ବାଚନ କମିଶନଙ୍କ ପକ୍ଷପାତିତା ଉପରେ ପ୍ରଶ୍ନ ଉଠାଇଛି। ଚଳିତ ନିର୍ବାଚନ ତାରିଖ ଘୋଷଣାରେ ଅହେତୁକ ବିଳମ୍ବ କରିବାଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ସେନାବାହିନୀର ନିର୍ବାଚନୀ ବ୍ୟବହାର କରିବା ଉପରେ କମିଶନଙ୍କ ନୀରବତା, ଅନେକଙ୍କୁ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏପରିକି ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ପ୍ରତିବାଦ ଓ ଭିନ୍ନମତକୁ କମିଶନ ରେକର୍ଡ କରିନାହାନ୍ତି।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପରେ ପ୍ରଧାନମନ୍ତ୍ରୀ ଉପଗ୍ରହ ନଷ୍ଟ କରିପାରୁଥିବା କ୍ଷେପଣାସ୍ତ ର ପ୍ରୟୋଗ କୁ ନେଇ ନିଜର ପ୍ରଥମ ନାଟକ ଆରମ୍ଭ କଲେ। ପାଞ୍ଚ ବର୍ଷ ଭିତରେ ଆମର ବୈଜ୍ଞାନିକ ସଫଳତା ବିଷୟରେ କହିବାକୁ ନିର୍ବାଚନ ସମୟରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବାକୁ ସୁଯୋଗ ଦେଲା। ମାଗଣାରେ ଓ ଲୋକଙ୍କ ଖର୍ଚ୍ଚ ରେ ମୋଦୀ ନିଜ ଦଳର ପ୍ରଚାର କଲେ। ସେଇଠୁ ନିର୍ବାଚନ କମିଶନଙ୍କ ଧୃତରାଷ୍ଟ୍ର ଭୂମିକା ଆମେ ଦେଖି ଆସୁଛୁ। ଖୋଦ ପ୍ରଧାନମନ୍ତ୍ରୀ ବାରମ୍ବାର ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଥିବା ବେଳେ ତାଙ୍କୁ ନିର୍ବାଚନ କମିଶନ ହାତ ଯୋଡି ବସି ରହିଲେ। ଏହାର ପରିଣତିରେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ରର ନିର୍ବାଚନ ପ୍ରକ୍ରିୟା ସନ୍ଦେହ ଘେରକୁ ଚାଲିଆସିଲା।

ଏକ୍ଜିଟ ପୋଲ ଘୋଷଣା ହେବା ପରେ ପରେ ହଠାତ ଅନେକ ଗୁଡିଏ ଭୋଟିଂ ମେସିନ ରାସ୍ତା ଘାଟରେ ବୁହା ହେଉଥିବାର ଦେଖିବାକୁ ମିଳିଲା। ଏହାର ସ୍ପଷ୍ଟୀକରଣ ଦେଇ କମିଶନ କହିଲେ, ସେ ସବୁ ଅବ୍ୟବହୃତ ମେସିନ। ତେବେ ଅବ୍ୟବହୃତ ମେସିନ କୁ କେମିତି ରଖାଯିବ ଓ ତାର ପରିବହନ କେମିତି କରାଯିବ, ତାହାର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ସଶସ୍ତ୍ର ପୋଲିସର ଷ୍ଟ୍ରଙ୍ଗ ରୁମରେ ଅବ୍ୟବହୃତ ମେସିନ ରହିବା କଥା। ବେସରକାରୀ ଗାଡିରେ ଏ ସବୁ ମେସିନ ହଠାତ ଆବିର୍ଭୂତ ହେଲେ କାହିଁକି? ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ମୋଦୀ ଯେହେତୁ ଜିତି ସାରିଛନ୍ତି, ଆଉ କାହାକୁ କିଛି ପ୍ରଶ୍ନ କରିବା ଆଉ ସମ୍ଭବ ନୁହେଁ। ବିଜେପିର ମୁଖପାତ୍ର ଅର୍ଣ୍ଣବ ଗୋସ୍ଵାମୀଙ୍କ “ରିପବ୍ଲିକ” ଚାନେଲ ଏବେ କହିଲାଣି, ସାରା ଭାରତ କୁଆଡେ ନିର୍ବାଚନ କମିଶନଙ୍କ ସାଙ୍ଗରେ ଠିଆ ହୋଇଛି। ତେବେ ଭାରତ କହିଲେ, ଭାରତରେ ବିରୋଧୀ ଦଳ ବି ଅଛନ୍ତି, ଏ କଥା ଭକ୍ତମାନଙ୍କୁ ଆଉ ବୁଝାଇ ହେବନାହିଁ।

ପୃଥିବୀର ସବୁଠୁ ଉନ୍ନତ ଦେଶ ଆମେରିକା ସମେତ ୟୁରୋପରେ ମଧ୍ୟ ବାଲାଟ କାଗଜରେ ଆଜି ମଧ୍ୟ ଭୋଟଦାନ ହେଉଛି। କେବଳ ଭାରତ ନିଜକୁ ଅତ୍ୟନ୍ତ ଚତୁର ଓ  କୁଶଳୀ ଭାବି ଆମ ନିର୍ବାଚନର ସବୁଠୁ ମୁଖ୍ୟ ବ୍ୟବସ୍ଥାକୁ ଭୟଙ୍କର ଅବିଶ୍ଵାସ ଓ ସନ୍ଦେହ ଘେରରେ ରଖିଛି। ଏଠି କହିରଖିବା ଉଚିତ ହେବ ଯେ, ବର୍ଷ ବର୍ଷ ଧରି ଭୋଟିଂ ମେସିନ ଉପରେ ଯେଉଁ ସନ୍ଦେହର କଳା ବାଦଲ ରହିଛି, ତାହାର ପ୍ରତିକ୍ରିୟା ଆଦୌ ଶୁଭଂକର ହେବନାହିଁ। ପ୍ରତ୍ୟେକ ନିର୍ବାଚିତ ସରକାର ସନ୍ଦେହ ଓ ଅବିଶ୍ବାସର ଘେରରେ ରହିବେ। ତୁରନ୍ତ ଯଦି ଏହାର ସମାଧାନ ସୂତ୍ର ନ ବାହାରେ, ଗୋଟେ ସମୟରେ ଏହା ଆମର ଗଣତନ୍ତ୍ର ପାଇଁ ସବୁଠୁ ବଡ ବିପଦ ହୋଇ ଠିଆ ହେବ।

ଭୋଟ ଗଣତିର ଆଗୁଆ ସୂଚନା ପାଇଁ ଲଗ ଅନ କରନ୍ତୁ   https://thesamikhsya.com , ଆସନ୍ତାକାଲି ସକାଳ 8 ଟାରୁ

 

Categories
ବିଶେଷ ଖବର

ବାତ୍ୟା ବେଳେ ବି ରାଜନୀତି ଜରୁରୀ ! ବାତ୍ୟା ଆଖିରେ ପାଟକୁରା ଓ ବେଚାରା ନିର୍ବାଚନ ଅଧିକାରୀ

 କେଦାର ମିଶ୍ର

ନିର୍ବାଚନ ସରୁ ସରୁ ଓଡିଶାର ସାମାଜିକ ପରିମଣ୍ଡଳ ଟିକେ ଶାନ୍ତ ରହିବା ବୋଲି ଆମେ ବିଚାର କରୁଥିଲୁ। ହେଲେ ଠିକ ସେଇ ସମୟରେ ଗୋଟେ ଦିଗରୁ ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳକୁ ମାଡି ଆସୁଛି ଓ ବାତ୍ୟାକୁ କେନ୍ଦ୍ର କରି ଓଡିଶା ରାଜନୀତିର ଘୂର୍ଣ୍ଣି ଆହୁରି ଭୟଙ୍କର ଲାଗୁଛି। ଆପାତତଃ ଶାନ୍ତିପୂର୍ଣ୍ଣ ଭାବରେ ଓଡିଶାର ଚାରୋଟି ଯାକ ପର୍ୟାୟ ନିର୍ବାଚନ ସମାହିତ କରିଥିବାରୁ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଧନ୍ୟବାଦ ପାଇବା ପରିବର୍ତ୍ତେ ଭାରତୀୟ ଜନତା ପାର୍ଟି ଓ ଏହାର ସଦା କ୍ରୋଧିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଶର ଶିକାର ହୋଇଛନ୍ତି। ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜଣେ ଭ୍ରଷ୍ଟ ଅଧିକାରୀ ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଏ ପ୍ରକାର ଅଭିଯୋଗର ଆଧାର କଣ, ସେ କଥା କାହାକୁ ଜଣାନାହିଁ। ଓଡିଶା ଯେତେବେଳେ ଏକ ବିରାଟ ପ୍ରାକୃତିକ ବିପର୍ୟୟକୁ ମୁକାବିଲା କରିବାକୁ ଯାଉଛି ସେତେବେଳେ ଏ ପ୍ରକାର ରାଜନୈତିକ ଆକ୍ଷେପ ପ୍ରତି ଆକ୍ଷେପ ବଡ ଦୁର୍ଭାଗ୍ୟଜନକ। ନିର୍ବାଚନ ଏବେ ସରିଯାଇଛି। ଆସନ୍ତା ୧୯ ତାରିଖରେ ପାଟକୁରା ଉପ ନିର୍ବାଚନ ହେବା କଥା। ତାକୁ ନେଇ ଏ ସବୁ ନାଟକ।

ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳରେ କେଉଁଠି ସ୍ଥଳଭାଗ ଛୁଇଁବ ସେ କଥା ଏଯାଏ ସ୍ପଷ୍ଟ ହୋଇନି। ତେବେ ପୁରୀରୁ ଦୀଘା ମଝିରେ ଏହା କେଉଁଠି ହେଲେ ସ୍ଥଳଭାଗକୁ ପ୍ରବେଶ କରିପାରେ। ବାତ୍ୟା ମୁକାବିଲା ବର୍ତ୍ତମାନ ସମୟର ସବୁଠୁ ବଡ ଚିନ୍ତା। ସେତେବେଳେ ପାଟକୁରା ନିର୍ବାଚନ ହେବା ନହେବା, ଖୁବ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ। ତେବେ ପାଟକୁରାକୁ ନେଇ ଗତ ମାସେ ହେଲା ଅନେକ ରୋଚକ ରାଜନୈତିକ ମୋଡ ଆସିଛି। ପ୍ରଥମେ ବିଜୟ ମହାପାତ୍ର ବର୍ଷାଧିକ କାଳ ବିଜେପିଠାରୁ ଅଭିମାନ କରି ଦୂରରେ ରହିଲେ। ତାଙ୍କୁ ବିଜେପି ପୁରୁଣା ଆସବାବ ଭଳି ବ୍ୟବହାର କରୁଛି ବୋଲି କହି ସେ ବିଜେପିରୁ ଇସ୍ତଫା ଦେଇ ଚାଲିଆସିଥିଲେ। ତେବେ ହଠାତ ତାଙ୍କର ମାନଭଞ୍ଜନ ହେଲା। ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦାନ କରିବା ପରେ ସେ ପ୍ରଥମେ ବିଜୟଙ୍କୁ ନିଜ ପାଖକୁ ନେଇ ଆସିଲେ। ପୁରୁଣା ଆସବାବ ପୁଣି ଥରେ ନିଜ ଜାଗାକୁ ଫେରି ଆସିଲା। ତେବେ ପୁରୁଣା ଜାଗା କହିଲେ, ସେଇ ପାଟକୁରା। ବିଜୟଙ୍କୁ ବିଜେପି ପାଟକୁରାର ପ୍ରାର୍ଥୀ କଲା।

ବିଜୟଙ୍କ ପ୍ରତିଦ୍ବନ୍ଦ୍ବୀ ଭାବରେ ବିଜେଡି ନିଜର ବର୍ଷିୟାନ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲାପରେ ବେଦୁ ବାବୁଙ୍କ ଦେହାନ୍ତ ହେଲା। ଆମ ଜାଣିବାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତକୁ ଆମେ  ଆମ ସମୟର ସବୁଠୁ ବଡ ରାଜନୈତିକ ମୃତ୍ୟୁ ବୋଲି କହିପାରିବା। ବିଜେପି ଓ ବିଜୟ ଅଭିଯୋଗ କଲେ ଯେ ଜାଣିଶୁଣି ନିର୍ବାଚନ ଘୁଞ୍ଚାଇବାକୁ ଏଠାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କୁ ବିଜେଡି ଟିକଟ ଦେଇଥିଲା। ଏହାର ସିଧା ଅର୍ଥ ହେଉଛି, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମତେ ବୋଧହୁଏ ଯମରାଜା ବେଦପ୍ରକାଶଙ୍କୁ ଇହ ଧାମରୁ ନେଇଗଲେ! ବିଜୟଙ୍କୁ ହଇରାଣ କରିବା ଲାଗି ଖୋଦ ଯମରାଜ ମଧ୍ୟ ନବୀନଙ୍କ ସହ ଷଡଯନ୍ତ୍ରରେ ସାମିଲ ବୋଲି ଆମେ ମାନିବାକୁ ବାଧ୍ୟ!

ତେବେ ଯମରାଜା ତାଙ୍କ କାମ କରିବା ପରେ ଏବେ ଇନ୍ଦ୍ର ମଧ୍ୟ ନବୀନଙ୍କ ସହ ମିଶି ବିଜୟ ଓ ବିଜେପି ବିରୋଧରେ ଷଡଯନ୍ତ୍ର ଆରମ୍ଭ କରିଛନ୍ତି। ପାଟକୁରା ନିର୍ବାଚନ ଆସନ୍ତା ମେ ୧୯ ରେ ହେବା ପୂର୍ବରୁ ଏବେ ବାତ୍ୟା “ଫନୀ” ଆସି ପହଞ୍ଚି ଯାଇଛି। ବାତ୍ୟାକୁ ଆଳ କରି ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି ଦରଖାସ୍ତ କରିଛି ଓ ଏହା ବିରୋଧରେ ବିଜେପି ଠିଆ ହୋଇଛି। ଶେଷ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ହେଲେ ସାଧାରଣ ଓଡିଆ ଭାବରେ ଆମର ପ୍ରଶ୍ନ ହେଲା, ଆଜ୍ଞାମାନେ! ୧୪୬ ଟି ବିଧାନସଭା ନିର୍ବାଚନ ସରି ତ ଗଲାଣି। ବାତ୍ୟାର କ୍ଷୟକ୍ଷତି ଭିତରେ ଆଉ ଗୋଟେ ବିଧାନସଭା ନିର୍ବାଚନ ଯଦି କିଛି ଦିନ ଘୁଞ୍ଚିଯାଏ, ତାହେଲେ କଣ ବା ଅସୁବିଧା ହେବ କି ? ହୁଏତ ଏଥିଲାଗି ଶାସକ ଦଳ ଟିକେ ଅଧିକ ସମୟ ପାଇଯିବ। ତେବେ ମେ ୨୩ ପରେ ବିଜେଡି କଣ ଶାସକ ଦଳ ହୋଇ ରହିବ ବୋଲି ବିଜେପି ମାନି ନେଇ ସାରିଛି ?

ଅସଲ କଥା ହେଉଛି, ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ତା ପୂର୍ବରୁ ପୂର୍ବରୁ ବିଜେପିର ବିଳିବିଳା ବଡ ଅରୁଚିକର ଲାଗୁଛି। ନିର୍ବାଚନ କମିଶନଙ୍କୁ ଭେଟି ଧର୍ମେନ୍ଦ୍ର କହିଛନ୍ତି- “ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି କଟକଣା ହଟାଇବା ନେଇ ମୁଖ୍ୟଶାସନ ସଚିବଙ୍କ ସ୍କ୍ରିନିଂ କମିଟି ତରଫରୁ ଅନୁରୋଧ କରାଯାଇଥିଲା। ଯାହାକୁ କମିଶନ ଗ୍ରହଣ କରି ନିର୍ବାଚନ ଆଚରଣ ବିଧି କୋହଳ କରିଛନ୍ତି। ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକ ପରିପ୍ରେକ୍ଷୀରେ କେବଳ ବାତ୍ୟା ମୁକାବିଲା ଜନିତ ଆବଶ୍ୟକୀୟ ପଦକ୍ଷେପ ପାଇଁ ନିର୍ବାଚନ ଆଚରଣ ବିଧିକୁ କୋହଳ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। କିନ୍ତୁ ଆଚରଣ ବିଧି ହଟିବା ଆଳରେ ରାଜ୍ୟର ବିଜେଡି ସରକାର ୧୦୦୦ କୋଟି ଟଙ୍କାର ମିଛ ବିଲ୍ ଅନୁମୋଦନ କରି ଦଳୀୟ କର୍ମୀଙ୍କୁ ମାଲେମାଲ୍ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ରାଜ୍ୟରେ ନିର୍ବାଚନ ସରିଛି। ଜନାଦେଶ ବିଜେପି ସପକ୍ଷରେ ଯାଇ ସାରିଛି। ନବୀନବାବୁ ଦୀର୍ଘ ୧୯ ବର୍ଷ ଧରି ଓଡି଼ଶାକୁ ଲୁଟ୍ କରିଛନ୍ତି, ଆଉ ଓଡ଼ିଶା ଲୋକଙ୍କ ଝାଳବୁହା ଅର୍ଥକୁ ତାଙ୍କୁ ଲୁଟ୍ କରିବାକୁ ଦିଆଯାଇ ପାରିବ ନାହିଁ।

ଏ କଥାର କିଛି ଅର୍ଥ ସତରେ ଅଛି କି ? ବାତ୍ୟା ସମୟରେ ୧୧ ଟି ଜିଲ୍ଲାରୁ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ହଟାଇ ଦେଇଛନ୍ତି। ବାତ୍ୟା ସହାୟତା ଓ ରିଲିଫ କାମ ଲାଗି ତାହା ଜରୁରୀ। ତେବେ ଏଥିରୁ ହଜାରେ କୋଟି ବିଜେଡି ସରକାର କେମିତି ଓ କେଉଁ ବାଗରେ ହଡପ କରିବେ, ଆମେ ତାହା ବୁଝି ପାରୁନାହୁଁ ? ତା ପରେ ମନ୍ତ୍ରୀଙ୍କ କଥା ମୁତାବକ ଯଦି ତାଙ୍କ ସରକାର ଆସୁଛି, ତାହେଲେ ଏ ସରକାର ଯଦି କିଛି ଗଫଲତି କରେ, ତାର ବିଲ ଅଟକା ଯାଇପାରିବ ଓ ଦୋଷୀମାନଙ୍କୁ ବନ୍ଧା ଯାଇପାରିବ।

ଦୁର୍ଦ୍ଦିନ ସମୟରେ ସବୁ ରାଜନୈତିକ ଦଳ ହାତକୁ ହାତ ମିଳାଇ ଏବେ ଲୋକଙ୍କ ସେବା କରିବାର ସମୟ ଆସିଛି। ନିର୍ବାଚନ ସରିଗଲାଣି। ଭାଷଣ ଓ ବୟାନବାଜିରେ ଜନମତ ଆଉ ପ୍ରଭାବିତ ହେବାର ନାହିଁ। ଏବେ ଅନ୍ତତଃ ରାଜନୀତିରେ ମଣିଷପଣିଆ କିଛି ତ ରହୁ !

( ଆଶ୍ଚର୍ଯ୍ୟ, ମୋବାଇଲ ସ୍କ୍ରିନକୁ ଘଷି ଚାଲିଲେ ବାହାରୁଛି ଖବର ପରେ ଖବର, ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍ )

Categories
ବିଶେଷ ଖବର

କେନ୍ଦ୍ରାପଡା, ନିର୍ବାଚନର ଅନ୍ତିମ ସମୟରେ ଭୟ ଓ ଆଶଙ୍କାର ଅବାସ୍ତବ ରାଜନୀତି

ସମୀକ୍ଷା ବ୍ୟୁରୋ

ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି ଦଳ ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ଯେ କୁଆଡେ କେନ୍ଦ୍ରାପଡାର ୧୯୯୨ ଟି ଯାକ ବୁଥରେ ରିଗିଂ କରାଯିବ। ନବୀନ ସରକାରର ପୋଲିସ ଓ ସରକାରୀ କର୍ମଚାରୀ କୁଆଡେ ସବୁ ଭୋଟ ନିଜ ଆଡକୁ ନେଇଯିବେ। ଏହା ସହିତ ବିଜେପିର କୁହାଳିଆ ଉପ ସଭାପତି ପୀତାମ୍ବର ଆଚାର୍ୟ ଏୟା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ରୁ ୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟି ଫେରିଛନ୍ତି। ବିଜେପିର ଏ ପ୍ରକାର ଅଭିଯୋଗ ଶୁଣି ଯେ କେହି ବି ଚିନ୍ତାରେ ପଡିବ ଯେ, ସତରେ କଣ ବୈଜୟନ୍ତ ଜିତୁଛନ୍ତି! ନା ବୈଜୟନ୍ତ ହାରନ୍ତୁ ବୋଲି ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚକ୍ରାନ୍ତ କରି ଏ ପ୍ରକାର ମିଛ କାହାଣୀ ବୁଣୁଛନ୍ତି? କେନ୍ଦ୍ରାପଡା ନକ୍ସଲ ପୀଡିତ ଅଞ୍ଚଳ ନୁହେଁ କିମ୍ବା ସେଠି ନିର୍ବାଚନୀ ହିଂସା ଏତେ ବ୍ୟାପକ ହୋଇନାହିଁ ଯେ ନିର୍ବାଚନ କମିଶନ ପୂରା ନିର୍ବାଚନ ମଣ୍ଡଳୀରେ ପାରା ମିଲିଟାରୀ ବାହିନୀ ମୁତୟନ କରିବେ। ଜଣେ ତଥାକଥିତ ଜିତୁଥିବା ପ୍ରାର୍ଥୀ ଏତେ ଡରିବାର କାରଣ କଣ? ଲୋକେ ଯଦି ଆପଣଙ୍କୁ ସମର୍ଥନ କରୁଛନ୍ତି, ସେମାନେ କଣ ଏତେ ଭୟାଳୁ ଯେ ଡରରେ ବା ପ୍ରଲୋଭନରେ ବିଜେଡ଼ିକୁ ଭୋଟ ଦେଇଦେବେ ?

ସତ କହିବାକୁ ଗଲେ ବିଜେପିର ଏ ପ୍ରକାର ଉଦ୍ଦେଶ୍ୟ ପଛରେ କିଛି ଗୋଟେ ଭିତିରି ରହସ୍ୟ ରହିଛି। ଯଦି ମୁଖ୍ୟମନ୍ତ୍ରୀ ୪୫-୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟିକି ଚାଲି ଆସିଲେ, କେନ୍ଦ୍ରାପଡାରେ ବାବୁ ବୈଜୟନ୍ତ ଓ ତାଙ୍କ ଚୌକିଦାରମାନେ କରୁଥିଲେ କଣ? ତେବେ ମୁଖ୍ୟମନ୍ତ୍ରୀଙ୍କ ଆଗରୁ କେନ୍ଦ୍ରାପଡାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଯାଇଥିଲେ। ଆମେ କଣ କହିବା ଯେ ପ୍ରଧାନମନ୍ତ୍ରୀ ସେଠି ବୈଜୟନ୍ତଙ୍କୁ ଜିତାଇବାକୁ ୫୦-୬୦ କୋଟି ବାଣ୍ଟି ଦେଇ ଚାଲି ଆସିଛନ୍ତି! ଯଦି ସାରା ଦେଶର ନଜର ଥିବା ଓ ଏ ପର୍ୟନ୍ତ ନିର୍ବାଚନୀ ହିଂସାରୁ ବିରତ ରହିଥିବା ଏକ ନିର୍ବାଚନ ମଣ୍ଡଳୀ ବିଷୟରେ ଏତେ ଭୟ ଓ ଆଶଙ୍କା ବିଜେପି ତରଫରୁ ସୃଷ୍ଟି କରାଯାଉଛି କାହିଁକି? ହୁଏତ ବିଜେଡି କୁ ଚାପରେ ରଖିବାକୁ ଏହା ବିଜେପିର ଏକ କୌଶଳ ହୋଇଥାଇପାରେ। ହେଲେ ଏ ପ୍ରକାର ବାର୍ତ୍ତାକୁ ଭୋଟର ଭିନ୍ନ ବାଗରେ ଗ୍ରହଣ କରନ୍ତି ଯଦି, ତାହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇପାରେ।

ଭୋଟ ଗ୍ରହଣର ପୂର୍ବ ୨୪ ଘଣ୍ଟା ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବୁଥ ପରିଚାଳନା ଓ ପ୍ରତ୍ୟେକ ବୁଥରେ ନିଜର ବିଶ୍ଵସ୍ତ ଏଜେଣ୍ଟ ରଖିପାରିବା ପ୍ରାର୍ଥୀଙ୍କ ପାଇଁ ବଡ ଆହ୍ଵାନ। ବିଜେପି ଓ ବୈଜୟନ୍ତଙ୍କ ପାଖରେ ଏତେ ସଂଖ୍ୟକ ବିଶ୍ଵସ୍ତ ଏଜେଣ୍ଟ ନାହାନ୍ତି କି? ନଚେତ ୧୯୯୨ ଟି ଯାକ ବୁଥ ରିଗିଂ ହୋଇପାରେ ବୋଲି ଅଭିଯୋଗର କୌଣସି ଭିତ୍ତି ନାହିଁ। କାଳ୍ପନିକ ଅଭିଯୋଗ କରି ଗୁଡାଏ ଆଜେ ବାଜେ କଥା କହିଲେ ଲୋକ ଏବେ ଆଉ ଶୁଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି ବୋଲି କହିଲେ ସେକଥାର ମୂଲ୍ୟ ବା କଣ? ଏ ପ୍ରକାର ଅଭିଯୋଗ କରି ବିଜେପି ପରୋକ୍ଷରେ ବୈଜୟନ୍ତଙ୍କ ଦୁର୍ବଳତାକୁ ପଦାରେ ପକାଉଛି କି ?

ନିର୍ବାଚନରେ ଜିତିବା ହାରିବା ତ ଅନ୍ତିମ କଥା, ହେଲେ ନିର୍ବାଚନ ସମୟରେ ଦଳ ଓ ପ୍ରାର୍ଥୀଙ୍କ ପଦେ ପଦେ କଥାରେ ପାନରୁ ଚୂନ ଖସି ଯାଇପାରେ, ଏ କଥା ବିଜେପି ନିହାତି ବୁଝିବା ଉଚିତ !

(ମୋବାଇଲରେ ଫଟାଫଟ ଖବର ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଠେଲିଠେଲି ପଢି ଚାଲନ୍ତୁ ଖବର)

Categories
ବିଶେଷ ଖବର

ନିର୍ବାଚନ ପ୍ରଚାର, ସ୍ଲୋଗାନ ଯୁଦ୍ଧ ଓ ଓଡିଶାର ଆଗାମୀ ରାଜନୈତିକ ଚିତ୍ର- କେତୋଟି ଛୋଟ ଛୋଟ କାହାଣୀ

କେଦାର ମିଶ୍ର

ଆମ ରାଜ୍ୟରେ ନିର୍ବାଚନ ପ୍ରଚାର ସରିଛି। ନିର୍ବାଚନ ଘୋଷଣା ହେବା ପରର ଦେଢମାସ ଓ  ତା ପୂର୍ବର ତିନିମାସ, ଏମିତି ସାଢେ ଚାରି ମାସ ଧରି ରାଜନୈତିକ ଦଳମାନଙ୍କର ପ୍ରଚାର ସର୍କସ ଆମେ ଦେଖି ଆସିଛୁ। ଆଜିଠୁ ଆଉ ଆମ ଦାଣ୍ଡରେ ଜୋର ଜୋର ଚିତ୍କାର କରି ପ୍ରଚାର ଗାଡି ବୁଲିବାର ନାହିଁ। ସକାଳୁଆ ଖବର କାଗଜରେ ଲୋଭନୀୟ ପ୍ରତିଶୃତିର ମାୟାଜାଲ ଆଉ ବାହାରିବାର ନାଇଁ। ଲେଜର ବସ, ରୋଡ ସୋ, ଗାଳି ଗୁଲଜ, ଭାଇରାଲ ଭିଡିଓ, ଯୋଜନା ଘୋଷଣାର ଯୁଦ୍ଧ ଓ ପରସ୍ପରକୁ ନୀଚ କରି ଦେଖେଇବାର ରାଜନୀତି ଆଜିଠୁ କମିଯିବ। ଅନ୍ତତଃ ମେ ମାସ ୨୩ ତାରିଖ ଯାଏ ଟିକେ ଶାନ୍ତି। ଅନ୍ୟ  ରାଜ୍ୟମାନଙ୍କରେ ଆଉ ତିନୋଟି ଥାକରେ ନିର୍ବାଚନ ସରିବା ପର୍ୟନ୍ତ ଆମେ ଓଡିଶାରେ ଅନୁମାନ, ଆକଳନ ଓ ମିଶାଣ ଫେଡାଣ ଲାଗି ପ୍ରାୟ ୨୫ ଦିନ ସମୟ ପାଇବୁ। ଏବେ କୁହାଯାଇପାରେ, ରାଜନେତାଙ୍କ ଲାଗି ଏବେ ଛୁଟିର ସମୟ। ସେଇ ଛୁଟିର ସମୟ ଭିତରେ ନିର୍ବାଚନ ପ୍ରଚାରର କିଛି ଛୋଟ ଛୋଟ କାହାଣୀ ମନେ ପକେଇବା ଆସନ୍ତୁ।

କାହାଣୀ -୧ ; ପୋଡା ଟ୍ରାନ୍ସଫର୍ମର

ଏ ନିର୍ବାଚନରେ ସବୁଠୁ କଡା ଓ ବିଷାକ୍ତ ଭାଷା ଶୁଣିବାକୁ ମିଳିଥିଲା ବିଜେପି ସଭାପତି ଅମିତ ଶାହଙ୍କ ମୁହଁରୁ। ଶାହ ଯେତେଥର ଓଡିଶା ଆସିଲେ, ସେତେଥର କହିଲେ ଯେ ନବୀନ ସରକାର ଏକ ପୋଡା ଟ୍ରାନ୍ସଫର୍ମର ଓ ତାକୁ ଓପାଡି ସମୁଦ୍ରରେ ଫିଙ୍ଗିଦେବା ଦରକାର। ଶାହଙ୍କ କଥାରେ ତେଜ ଥିଲା, ହେଲେ ସରକାରକୁ ଓପାଡି ଫୋପାଡି ଦେବାକୁ ସେ ଯେଉଁ “ମିଶନ ୧୨୦+” ର ସ୍ଲୋଗାନ ଦେଇଥିଲେ, ସେଟା ଆଉ ନିର୍ବାଚନ ସମୟରେ ଶୁଣିବାକୁ ମିଳିନଥିଲା। ତେବେ କାହାଣୀ ରେ ସବୁଠୁ ବଡ ଟୁଇଷ୍ଟ ଆସିଥିଲା, ଯେତେବେଳେ ଖୋଦ ପ୍ରଧାନମନ୍ତ୍ରୀ ତାଙ୍କ ଅନୁଗତ ସଭାପତିଙ୍କୁ ଅନୁସରଣ କରି “ନବୀନ ସରକାର କା ଜାନା ତୟ ହୈ” ବୋଲି କହିଥିଲେ। ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ଓ ଶାସକ ଦଳର ସଭାପତିଙ୍କ ଭାଷଣରେ ମର୍ଯାଦାର ଅପମୃତ୍ୟୁ, ଏ କାହାଣୀର ସାରାଂଶ ବୋଲି ଆମେ କହି ପାରିବା।

କାହାଣୀ-୨; ଆପନ ମାନେ ଖୁସି ତ !

ପ୍ରଥମେ ପୁରୁଷ ବିଶ୍ଵ କପ ହକି ର ଉଦ୍ଘାଟନ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେତ ଜନତାଙ୍କୁ ପଚାରିଥିଲେ- ଆପନ ମାନେ ଖୁସି ତ! ବାସ, ସେଇଠୁ ସେ କଥା ପଦକ, ନିର୍ବାଚନୀ ସ୍ଲୋଗାନ ପାଲଟିଗଲା। ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡି ଓଡିଆରେ (ଆଜି ବି ୧୯ ବର୍ଷର ଶାସନ ପରେ ତାଙ୍କ ମୁହଁ ରେ ସେଇ ଖଣ୍ଡି ଓଡିଆ ରହିଛି) ସେ କଥା ପଦକ ନିର୍ବାଚନ ପରିବେଶର ସବୁଠୁ ବଡ ସ୍ଲୋଗାନ ହୋଇ ରହିଗଲା। କେହି କେହି ତାକୁ ବିଦୃପ କଲେ, ସୋସିଆଲ ମିଡିଆରେ ତାକୁ ନେଇ ଜୋକ୍ସ ତିଆରି ହେଲା, କିନ୍ତୁ ସବୁଠି ଶୁଣାଗଲା- ଆପନ ମାନେ ଖୁସି ତ! ଏ ଖୁସି ରେ ଟଙ୍କିକିଆ ଚାଉଳ, କାଳିଆ ଯୋଜନା, ମିଶନ ଶକ୍ତି ଓ ଆହୁରି ଅନେକ କାହାଣୀ ରହିଥିଲା। ତେବେ ସେ ଖୁସି ସତ କି ମିଛ, ତାହା ମେ ୨୩ ରେ ଜଣା ପଡିଯିବ।

କାହାଣୀ-୩; ବେଇମାନ ଓ ସ୍ବାଭିମାନ

ବିଜେଡ଼ିରୁ ବହିଷ୍କୃତ ହେବା ପରେ କେନ୍ଦ୍ରାପଡାର ଲୋକସଭା ସଦସ୍ୟ ବୈଜୟନ୍ତ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଯେଉଁ ବ୍ୟକ୍ତିଗତ କଟୁତା ଦେଖିବାକୁ ମିଳିଥିଲା, ତାହା ଥିଲା ଏ ନିର୍ବାଚନର ସବୁଠୁ ଅରୁଚିକର କାହାଣୀ। ନିର୍ବାଚନର ଅନ୍ତିମ ପର୍ଯାୟ ଆସିଲା ବେଳକୁ ବୈଜୟନ୍ତ ବାବୁ ନିଜର ସ୍ଵର୍ଗତ ପିତା ବଂଶୀଧର ପଣ୍ଡା ଓ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ଏଇ ଝଗଡା ଭିତରକୁ ଟାଣି ଆଣିଥିଲେ। ବିଜୁ ବାବୁ ବଂଶୀ ପଣ୍ଡାଙ୍କ ଦୟାରେ ନିଜ ଘର ବଞ୍ଚାଇଥିଲେ ବୋଲି କହି ବୈଜୟନ୍ତ ବହୁ ତଳ ସ୍ତରକୁ ଖସି ଆସିଥିଲେ। ସେହିପରି ନବୀନ ବାବୁ ଆଜି ପର୍ଯନ୍ତ ରାଜନୀତିରେ କେବେ କାହା ବିରୋଧରେ କହିନଥିବା ବେଳେ ପ୍ରଥମଥର ଲାଗି ସେ ଖୋଲାଖୋଲି ବୈଜୟନ୍ତଙ୍କୁ ବେଇମାନ ବୋଲି କହିଥିଲେ, ଯାହାକି ତାଙ୍କ ବ୍ୟକ୍ତିତ୍ବର ପରିପନ୍ଥୀ ବୋଲି କୁହାଯାଇପାରେ।

କାହାଣୀ-୪: ମେ ୨୬ ଲାଗି ନିମନ୍ତ୍ରଣ ପତ୍ର   

ନିର୍ବାଚନ ସରିନି, ଫଳ ବାହାରିବାକୁ ଆହୁରି ୨୫ ଦିନ ବାକି ଅଛି। ହେଲେ ବିଜେଡି ଓ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣକୁ ଆସିବା ଲାଗି ନିମନ୍ତ୍ରଣ ବଣ୍ଟା ସରିଲାଣି। ବିଜେପିର ତ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା ହୋଇନି। ହେଲେ ଧର୍ମେନ୍ଦ୍ର ପ୍ରଧାନ ମନେ ମନେ ମୁଖ୍ୟମନ୍ତ୍ରୀ ହୋଇ ସାରିଲେଣି। କେନ୍ଦ୍ରାପଡା ସଭାରେ ପ୍ରଧାନମନ୍ତ୍ରୀ ଯେତେବେଳେ କହିଲେ ଯେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଯିବା ନିଧାର୍ୟ, ତାରି ଉତ୍ତରରେ ଏକ ବିଦ୍ରୁପାତ୍ମକ ଉତ୍ତର ରଖି ନବୀନ ବାବୁ କହିଲେ ଯେ ମୁଁ ମୋର ଶପଥ ଗ୍ରହଣ ସମାରୋହକୁ ମୋଦୀଙ୍କୁ ନିମନ୍ତ୍ରଣ କରୁଛି। କଥାଟି ସେତିକି ମାତ୍ର। ସତ କହିବାକୁ ଗଲେ ମେ ୨୩ ପରେ ମୋଦୀ ଯେ ପ୍ରଧାନମନ୍ତ୍ରୀ ହୋଇ ରହିବେ ବା ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ, ତାର ଗ୍ୟାରେଣ୍ଟି କେହି ଦେଇ ପାରିବେ ନାଇଁ। ଏ ପ୍ରକାର ନିମନ୍ତ୍ରଣ ପତ୍ର ଦେଖିଲେ ଲାଗୁଛି, ସତରେ ଆମ ରାଜନୀତିର ସ୍ତର କେତେ ତଳକୁ ଖସି ସରିଲାଣି। ଏଠି ନିର୍ବାଚନ ପ୍ରକ୍ରିୟା ଓ ସମ୍ବିଧାନ ଉପରେ ବୋଧହୁଏ କାହାର ଆଉ ଭରସା ନାହିଁ।

ତେବେ ଏ ସବୁ କାହାଣୀ ଭିତରେ ଆମର କାହାଣୀ ହେଲା, ଯିଏ ବି ସରକାର ଗଢୁ, ଆମର କାମ ହେଲା ସେ ସରକାର ଉପରେ ସତର୍କ ପ୍ରହରୀର ନଜର ରଖିବା ଓ ଆମେ ସେଥିଲାଗି ବଦ୍ଧ ପରିକର।

(ମୋବାଇଲରେ ଚଟାପଟ୍ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ମୋବାଇଲ ଆପ, ଏହାପରେ ସ୍କ୍ରିନକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର)

Categories
ବିଶେଷ ଖବର

ଓଡିଶାରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ; ପରିବର୍ତ୍ତନ ନୁହଁ, ବରଂ ସ୍ଥିତାବସ୍ଥାଆଡକୁ ପୁନଶ୍ଚ ରାଜ୍ୟର ଜନମତ

କେଦାର ମିଶ୍ର

ଓଡିଶାରେ କ୍ଷମତା ପରିବର୍ତ୍ତନର ପାଦଶବ୍ଦ ଶୁଭୁଛି କି ? ବେଳେ ବେଳେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ଯେଉଁ ପରିବର୍ତ୍ତନର କଥା କହୁଛନ୍ତି ବା ଗୋଟେ ଅଧେ ଟେଲିଭିଜନ ଚାନେଲରେ ଯେଉଁ ପରିବର୍ତ୍ତନର ଆଲୋଚନା ଚାଲିଛି, ସାଧାରଣ ଲୋକ ତାକୁ କେମିତି ଦେଖୁଛନ୍ତି ? ଗତ ଏପ୍ରିଲ ୨ ତାରିଖରୁ ୨୬ ତାରିଖ ପର୍ୟନ୍ତ ଆମେ ପାଖାପାଖି ୩୦୦୦ କିଲୋମିଟର ଘୂରିଛୁ ଓ ଏଇ ଯାତ୍ରାରେ ଆମେ ୧୮ଟି ଲୋକସଭା ଓ ୮୪ ଟି ବିଧାନସଭା କ୍ଷେତ୍ର ବୁଲି ଦେଖିଛୁ। ରାସ୍ତାରେ, ଚା ଦୋକାନରେ, ଗାଁ ମୁଣ୍ଡ ବରଗଛ ତଳେ, ରାଲିରେ, ପେଟ୍ରୋଲ ପମ୍ପରେ ଓ ରାସ୍ତାରେ ଆମେ ଶହ ଶହ ଲୋକଙ୍କ ସହ ଭୋଟ ରାଜନୀତିକୁ ନେଇ ଚର୍ଚ୍ଚା କରିଛୁ। ଶେଷ ପର୍ୟାୟ ନିର୍ବାଚନ ହେବାକୁଥିବା କେନ୍ଦ୍ରାପଡା, ଭଦ୍ରଖ, ଜଗତସିଂପୁର, ଯାଜପୁର, ବାଲେଶ୍ଵର ଓ ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରାୟ ଅଧିକାଂଶ ବିଧାନସଭା କ୍ଷେତ୍ର ବୁଲି ବୁଲି ଆମେ ଜାଣିବାକୁ ଚାହିଁଛୁ ଯେ ବାସ୍ତବରେ ପରିବର୍ତ୍ତନର ସମ୍ଭାବନା ଦିଶୁଛି କି ? ଏତେ ବାଟ ବୁଲିଲା ପରେ ଗୋଟେ କଥା କହିବାକୁ ପଡିବ ଯେ, ପରିବର୍ତ୍ତନ ତ ଦୂରର କଥା ବର୍ତ୍ତମାନର ସରକାର ଉପରେ ସାମାନ୍ୟ ଆକ୍ରୋଶ କେଉଁଠି ନାହିଁ। ୧୯ ବର୍ଷ ଶାସନ କଲାପରେ ମଧ୍ୟ ନବୀନଙ୍କ ବିକଳ୍ପ ଖୋଜିବାକୁ ଲୋକେ ପ୍ରସ୍ତୁତ ନୁହନ୍ତି। ଯେମିତି ୨୦୧୪ ନିର୍ବାଚନରେ ବିଜେପିର ଚାବିକାଠି ଥିଲା “ଆଚ୍ଛେ ଦିନ” , ସେହିପରି ୨୦୧୯ ନିର୍ବାଚନରେ ଓଡିଶାର ଚାବିକାଠି ହେଉଛି “ନବୀନ ବାବୁ ଭଲଲୋକ”। ସୋସିଆଲ ମିଡିଆରେ କିମ୍ବା ଟେଲିଭିଜନରେ ନବୀନ ବାବୁଙ୍କୁ ଯେତେ ଗାଳି କଲେ ମଧ୍ୟ, ତାର ସାମାନ୍ୟ ପ୍ରଭାବ ଲୋକଙ୍କ ଉପରେ ପଡିନାହିଁ।

ନବୀନଙ୍କ ଭଲଲୋକ ହେବାର ଛବିଟି ଏତେ ବିରାଟ ହୋଇ ଯାଇଛି ଯେ, ତା ପାଖରେ ଠିଆ ହେବାଲାଗି ଆଉ କାହାର ସାହସ ହେବା ସହଜ କଥା ନୁହଁ। ତେବେ ନବୀନଙ୍କ ସହ ତୁଳନୀୟ ଆଉ ଜଣେ ନେତାଙ୍କ କଥା ଲୋକେ ଚର୍ଚ୍ଚା କରୁଛନ୍ତି, ସେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛୋଟ ଛୋଟ ସହରରେ ଓ ସହରକୁ ଲାଗିଥିବା ଗାଁମାନଙ୍କରେ ନରେନ୍ଦ୍ର ମୋଦୀଙ୍କ କଥା ଲୋକେ ଚର୍ଚ୍ଚା କରୁଛନ୍ତି। ତେବେ ସେଠି ମୋଦୀ ଚର୍ଚ୍ଚାର ପରିସର ଅଲଗା। “ରାଜ୍ୟରେ ନବୀନ ଓ କେନ୍ଦ୍ରରେ ମୋଦୀ” ଭଳି ଏକ ଚର୍ଚ୍ଚା ଶୁଣିବାକୁ ମିଳିଛି। ତେବେ ଏଇ ଚର୍ଚ୍ଚାର ଆରମ୍ଭ ମଧ୍ୟ ନବୀନଙ୍କ ପାଖରୁ। ନବୀନ ଯେହେତୁ ମୋଦୀଙ୍କୁ କେବେ ବିରୋଧ କରିନାହାନ୍ତି, ତାହାର ପ୍ରଭାବ ଲୋକଙ୍କ ଭିତରକୁ ଯାଇଛି। ଆଜି ଲୋକସଭା ପାଇଁ ବିଜେଡ଼ିକୁ ଯେଉଁ ସଂଘର୍ଷ କରିବାକୁ ପଡୁଛି, ତାହାର ଏକମାତ୍ର କାରଣ ହେଉଛି, ମୋଦୀ ସରକାରର ସବୁ ଜନବିରୋଧୀ ନୀତି ଉପରେ ବିଜେଡ଼ିର ନୀରବତା। ନବୀନଙ୍କ ପ୍ରତି ରାଜ୍ୟରେ ପ୍ରଚଣ୍ଡ ଜଣ ସମର୍ଥନ ସତ୍ତ୍ୱେ ଲୋକସଭା ପାଇଁ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆଗ୍ରହର ଏହା ଏକା ପ୍ରମୁଖ କାରଣ।

ତେବେ ପରିବର୍ତ୍ତନ ଅପେକ୍ଷା ସ୍ଥିତାବସ୍ଥା ସପକ୍ଷରେ ଆଜି ବି ଓଡିଶାରେ ପ୍ରବଳ ଜନମତ ରହିଛି। କେନ୍ଦ୍ରାପଡା ସମ୍ପର୍କରେ ଆଗରୁ ଆମେ ଆଲୋଚନା କରିଛୁ। ନବରଙ୍ଗପୁର ପରେ ଭଦ୍ରଖ ହେଉଛି ଆଉ ଏକ ଆସନ ଯେଉଁଠି କଂଗ୍ରେସ ସହିତ ବିଜେଡ଼ିର ତୀବ୍ର ମୁକାବିଲା ହେଉଛି। ସୋରୋ, ଭଣ୍ଡାରି ପୋଖରୀ ଓ ସିମୁଳିଆରେ କଂଗ୍ରେସର ସ୍ଥିତି ବେଶ ଭଲ ଜଣା ପଡୁଛି। ବାଲେଶ୍ଵର ଓ ଯାଜପୁରରେ ବିଜେଡ଼ିର ସ୍ଥିତି ଯଥା ପୂର୍ବ ରହିଥିବା ବେଳେ ମୟୂରଭଞ୍ଜରେ ବିଜେଡି ଲାଗି ବହୁ ସଙ୍କଟ ରହିଛି। ଅନେକ ଜାଗାରେ ସ୍ଥାନୀୟ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ରହିଛି। ହେଲେ ନବୀନ ଅଜାତଶତ୍ରୁ। ତାଙ୍କ ବିରୋଧରେ କହିବାର କିଛି ନାଇଁ।

ଏହାକୁ ଆମ ରାଜନୈତିକ ମନସ୍ତତ୍ତ୍ଵରେ କଣ ବୋଲି କହିପାରିବା? ସ୍ଥିତାବସ୍ଥା ସପକ୍ଷରେ ଜନମତର ଏକ ଲମ୍ବା  ଇତିହାସ ଆମ ଦେଶରେ ରହିଛି। ଜ୍ୟୋତି ବସୁ(୨୩ ବର୍ଷ), ପବନ କୁମାର ଚାମଲିଙ୍ଗ(୨୪ ବର୍ଷ), ମାଣିକ ସରକାର(୧୯ ବର୍ଷ) ଙ୍କ ପରି ନବୀନ ବାବୁ ମଧ୍ୟ ଦୀର୍ଘ ବର୍ଷ ଶାସନରେ ରହିଲେଣି। ଏଥର ନିର୍ବାଚିତ ହେଲେ ସେ ଜ୍ୟୋତି ବସୁଙ୍କ ରେକର୍ଡ ସହ ସମକକ୍ଷ ହେବେ। ଏତେ ଦିନ କ୍ଷମତାରେ ରହିବା ପରେ ସ୍ଵାଭାବିକ ଭାବରେ ନେତୃତ୍ୱ ପରିବର୍ତ୍ତନ ଲାଗି ଲୋକଙ୍କ ମନରେ ଉଦ୍ବେଳନ ତିଆର ହେବା କଥା। ସେଥିଲାଗି ବିଜେପି ଏଥର ନିଜର ମୁଖ୍ୟ ସ୍ଲୋଗାନ ରଖିଛି- “ଏ ସରକାର ବଦଳିବା ଦରକାର”। ହେଲେ ଲୋକ ବୋଧ ହୁଏ ଚାହୁଁଛନ୍ତି- “ଏ ସରକାର ରହିଥିବା ଦରକାର”।

( ମୋବାଇଲରେ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ତୃତୀୟ ପର୍ଯ୍ୟାୟ ନିର୍ବାଚନ; ବିଜୁ ଜନତା ଦଳ ପାଇଁ ସବୁଠୁ ବଡ ଅଗ୍ନି ପରୀକ୍ଷା- ୬ ରୁ ୬ ଆସନରେ ବିଜେଡି – ବିଜେପିର କଡା ମୁକାବିଲା

 କେଦାର ମିଶ୍ର

ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୨୦୧୪ ତୁଳନାରେ ଅଧିକ ଭଲ ଫଳ ପାଇବା ବୋଲି ଆଶା କରା ଯାଉଛି। ବିଭିନ୍ନ ଗୁଇନ୍ଦା ସୂତ୍ର ଓ କ୍ଷେତ୍ର ଅଧ୍ୟୟନରୁ ଯାହା ଜଣାପଡୁଛି, କେବଳ ବଲାଙ୍ଗୀର ଲୋକସଭା ଆସନକୁ ବାଦ ଦେଲେ ବାକି ସବୁ କ୍ଷେତ୍ରରେ ବିଜେଡ଼ିର ପଲା ଭାରି ରହିଥିବାର ସୂଚନା ମିଳୁଛି। ପ୍ରଥମଥର ଲାଗି ଓଡିଶାରେ ଭୋଟରଙ୍କ ମୁହଁରୁ “ରାଜ୍ୟରେ ଶଙ୍ଖ ଓ କେନ୍ଦ୍ରରେ ଫୁଲ’’ ର କଥା ଶୁଣି କେହି କେହି ଏହା ବିଜେପି ପାଇଁ ଲାଭଜନକ ହେବ ବୋଲି ବିଶ୍ଵାସ କରୁଛନ୍ତି। କିନ୍ତୁ ସମାନ୍ତରାଳ ବିଧାନସଭା ଓ ଲୋକସଭା ନିର୍ବାଚନରେ ଏ ପ୍ରକାର ଭୋଟ ବିଭାଜନ ଅତି ବେଶୀରେ ୧୦% ରୁ ଅଧିକ ହୁଏ ନାହିଁ। ଗୋଟିଏ ଚିହ୍ନ ଓ ଗୋଟିଏ ନେତା ର ଧାରା ଠୁ ଦୁଇ ଚିହ୍ନ ଓ ଦୁଇ ନେତାଙ୍କ ଆଡକୁ ସଚେତନ ଭାବରେ ଯାଇ ପାରିବାର ରାଜନୈତିକ ପରିପକ୍ଵତା ଆମର ଏଯାଏ ଆସିନାହିଁ। ତେବେ ବିଭିନ୍ନ ସୂତ୍ରର ଆଧାରରେ ପ୍ରଥମ ୯ ଟି ଲୋକସଭା ଓ ୬୩ ଟି ବିଧାନସଭା ଆସନରୁ ଦୁଇ ଭାଗରୁ ଅଧିକ ବିଜେଡି ଖାତାକୁ ଯାଇସାରିଛି। ଆହୁରି ଏକ ଚମକପ୍ରଦ ସତ୍ୟ ହେଉଛି, କଂଗ୍ରେସ ଦଳ ସବୁଠୁ ଖରାପ ପ୍ରଚାର କରିଥିଲେ ମଧ୍ୟ ବିଧାନସଭାରେ ଆଜି ମଧ୍ୟ ଏହା ବିଜେଡି ତଳକୁ ଦ୍ଵିତୀୟ ସ୍ଥାନରେ ରହିଛି। ପ୍ରଥମ ଦୁଇଟି ପର୍ୟାୟରେ ବିଜେପିର ବିଧାନସଭା ପ୍ରଦର୍ଶନ ଆଦୌ ଆଶାଜନକ ଲାଗୁନାହିଁ।

ଏବେ ବିଜେଡି ଲାଗି ଅସଲ ଅଗ୍ନି ପରୀକ୍ଷା ତୃତୀୟ ପର୍ଯ୍ୟାୟରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି ଏବେ ଉପକୂଳ ଓଡିଶାରେ ଏକ ବଡ ଶକ୍ତି ଭାବରେ ଉଭା ହୋଇଛି। ପ୍ରଥମଥର ଲାଗି ଭୁବନେଶ୍ୱର, ପୁରୀ, କଟକ, ଢେଙ୍କାନାଳ,ସମ୍ବଲପୁର ଓ କେନ୍ଦୁଝର ଆସନରେ ବିଜେଡ଼ିର ମୁଖ୍ୟ ମୁକାବିଲା କଂଗ୍ରେସ ବଦଳରେ ବିଜେପି ସହିତ ହେବ। ବିଜେପିର ସବୁଠୁ ଭଲ ସଂଗଠନ ଥିବା ପଶ୍ଚିମ ଓଡିଶାରେ ଦଳ ନିଜର ପ୍ରାର୍ଥୀ ଚୟନ ଓ ଦୁର୍ବଳ ରଣନୀତି କାରଣରୁ ହାରୁଥିବା ବେଳେ ଉପକୂଳ ଓଡିଶାରେ ଏହାର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଉଛି।

ପୁରୀ ଆସନରେ ବିଜେଡ଼ିର ପିନାକୀ ମିଶ୍ର, ବିଜେପିର ସଂବିତ ପାତ୍ର ଓ କଂଗ୍ରେସର ସତ୍ୟପ୍ରକାଶ ନାୟକଙ୍କ ଭିତରେ ତ୍ରିମୂଖୀ ଲଢେଇ ହେଉଥିଲେ ହେଁ, ବସ୍ତୁତଃ ଏଠାରେ କଂଗ୍ରେସ ଏକ ପ୍ରକାର ଅଦୃଶ୍ୟ ମାନେ ହେଉଛି। ବ୍ରହ୍ମଗିରି ଆସନରେ ଲୁଲୁ ମହାପାତ୍ରଙ୍କ ପରିବାର ବିଜେପିକୁ ଆସିବା ପରେ ସେଠିକାର କଂଗ୍ରେସ ସଂଗଠନ ଏବେ ଗେରୁଆ ହୋଇ ଯାଇଛି। ପୂର୍ବରୁ ରଣପୁର ଓ ଚିଲିକାରେ ବିଜେପିର ଭଲ ପ୍ରଦର୍ଶନ ରହିଥିଲା। ଏଥିରେ ବ୍ରହ୍ମଗିରି ଓ ସତ୍ୟବାଦୀ ଏଥର ସାମିଲ ହେବାକୁ ଯାଉଛି। ଏପରିକି ପିପିଲି ଆସନରେ ମଧ୍ୟ ବିଜେପି ବିଜେଡ଼ିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ରହିଛି। ସେ ଦୃଷ୍ଟିରୁ ବିଜେଡ଼ିକୁ ପୁରୀ ଆସନରେ ପ୍ରଥମଥର ଲାଗି କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିବ।

କଟକ ଆସନରେ ବିଜେଡ଼ିର ଭର୍ତ୍ତୃହରି ମହତାବ, ବିଜେପିର ପ୍ରକାଶ ମିଶ୍ର ଓ କଂଗ୍ରେସର ପଂଚାନନ କାନୁନଗୋଙ୍କ ମଧ୍ୟରେ ଲଢେଇ ହେଉଛି। ତେବେ ପୁରୁଖା କଂଗ୍ରେସ ନେତା ପଂଚାନନ କାନୁନଗୋଙ୍କ ସପକ୍ଷରେ ପ୍ରଚାର ଲାଗି କଂଗ୍ରେସ ଦଳ ସେମିତି ବିଶେଷ କିଛି ଉଦ୍ୟମ କଲା ଭଳି ଦିଶୁନାହିଁ। କଟକରେ ଦୃଶ୍ୟପଟ ବଡ ବିଚିତ୍ର। ଖଣ୍ଡପଡାରେ ସବୁକିଛି ଶାଗୁଆ ଦେଖା ଯାଉଥିବା ବେଳେ ବଡମ୍ବାରେ ସବୁକିଛି ଗୈରିକ ଦେଖାଯାଉଛି। ସେହିପରି ବାରବାଟୀ କଟକରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କ ସପକ୍ଷରେ ଜନମତ ବାରି ହୋଇପଡୁଛି। ବାକି ଚାରୋଟି ଆସନ- କଟକ ସଦର, ଚୌଦ୍ବାର କଟକ, ବାଙ୍କି ଓ ଆଠଗଡରେ ସ୍ଥିତି ବିଜେଡି ପାଇଁ ଅନୁକୂଳ ରହିଛି। ତେବେ ସବୁ ଅଞ୍ଚଳରେ ବିଜେଡ଼ିର ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବଙ୍କ ବିରୋଧରେ କ୍ରୋଧ ଓ ଆକ୍ରୋଶ ର ସ୍ଵର ସ୍ପଷ୍ଟ ବାରି ହୋଇ ପଡୁଛି। ଅପର ପକ୍ଷରେ  ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ପାଇଁ ଲୋକଙ୍କ ମନରେ ଆଗ୍ରହ ରହିଛି। ଏହି ଆଗ୍ରହ ଭୋଟରେ ରୂପାନ୍ତରିତ ହୋଇ ପାରିବ କି ନା, ତାହାରି ଉପରେ ସବୁକିଛି ନିର୍ଭର କରୁଛି।

ଭୁବନେଶ୍ବରରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ପାଇଁ ସ୍ଥିତି ଅନୁକୂଳ ମାନେ ହେଉଥିଲେ ମଧ୍ୟ, ତାଙ୍କ ପାଇଁ ସବୁଠୁ ବଡ ମୁଣ୍ଡ ବିନ୍ଧା ହେଉଛି, ବିଜେପି ଭିତରେ ରହିଥିବା ଗୋଷ୍ଠୀ କନ୍ଦଳ। ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଅପରାଜିତାଙ୍କ ପରାଜୟ ଲାଗି ଗୋପନ ଷଡଯନ୍ତ୍ର ରଚନା କରୁଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ବିଶେଷ ଲୋକ ସମ୍ପର୍କ ରଖିନାହାନ୍ତି। କେବଳ ନବୀନ ପଟ୍ଟନାୟକଙ୍କ ନାଁରେ ସେ ଯଦି ତରିଯିବେ, ହୁଏତ ତାହା ଏକ ଆଶ୍ଚର୍ୟ କାହାଣୀ ହେବ। ଅପରାଜିତାଙ୍କର ଆଉ ଏକ ଲାଭ ହେଉଛି ସେ ଭୁବନେଶ୍ଵର ମହାନଗର ନିଗମ ର ମୁଖ୍ୟ କାର୍ୟ ନିର୍ବାହୀ ଓ ଖୁର୍ଦ୍ଧା ଜିଲାପାଳ ଭାବରେ ନିଜ ନିର୍ବାଚନ ମଣ୍ଡଳିରେ ବେଶ ପରିଚିତ। ଅରୂପ ପଟ୍ଟନାୟକ କିନ୍ତୁ ଏବେବି ଅପରିଚିତ ବା ଅଳ୍ପ ପରିଚିତ। ଏଠି ବିଜେଡି ବିଧାୟକମାନଙ୍କ କାନ୍ଧରେ ସବାର ହୋଇ ବିଜେଡି ପ୍ରାର୍ଥୀଙ୍କ ଭାଗ୍ୟ ରହିଛି।

ସମ୍ବଲପୁର ଲୋକସଭା ଆସନ ପାଇଁ, କୁଚିଣ୍ଡା ଓ ଦେବଗଡରେ ବିଜେପି ଲୋକସଭା ପ୍ରାର୍ଥୀଙ୍କ ଲାଗି ଜନମତ ପ୍ରବଳ ଲାଗୁଥିବା ବେଳେ ଛେଣ୍ଡିପଦା ଓ ଆଠମଲ୍ଲିକରେ ବିଜେଡ଼ିର ସ୍ଥିତି ବେଶ ଟାଣ ରହିଛି। ସମ୍ବଲପୁର ଓ ରେଙ୍ଗାଲିରେ କଡା ମୁକାବିଲା ରହିଛି, କିନ୍ତୁ ରେଢାଖୋଲରେ କଂଗ୍ରେସର ପଲା ଭାରି ଲାଗୁଛି। ଏ ପ୍ରକାର ଗୋଳିଆମିଶା ପରିସ୍ଥିତିରେ ଫଳ ଯେ କାହା ସପକ୍ଷରେ ଯିବ ତାହାର ଆକଳନ ସହଜ ନୁହେଁ।

ଢେଙ୍କାନାଳ ଆସନରେ ବିଜେଡି ପ୍ରାର୍ଥୀ ମହେଶ ସାହୁ ଓ ବିଜେପି ପ୍ରାର୍ଥୀ ରୁଦ୍ର ପାଣି ଏକଦା ପରସ୍ପରର ବେଶ ଅନ୍ତରଙ୍ଗ ଥିଲେ।କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂ ଦେଓଙ୍କର ନିଜସ୍ଵ ପତିଆରା ରହିଛି। ତେବେ ବିଧାନସଭା ଆସନ ଗୁଡିକରେ ବିଜେଡିର ପ୍ରଭାବ ରହିଥିବାରୁ ଏହା ହୁଏତ ବିଜେଡିକୁ ସୁହାଇପାରେ।  କେନ୍ଦୁଝର ଆସନର ସ୍ଥିତି ପରଖିବାକୁ ଆମେ ପହଞ୍ଚି ପାରିନାହୁଁ। ତେଣୁ ସେ ବିଷୟରେ ମତାମତ ଦେବା ଠିକ ହେବନାହିଁ।

ଏହି ୬ ଟି ଲୋକସଭା ଆସନ ଓ ୪୨ ଟି ବିଧାନସଭା ଆସନ ବିଜେଡି ଲାଗିଏକ ପ୍ରକାର ଅଗ୍ନି ପରୀକ୍ଷା ହୋଇଥିବାବେଳେ, ବିଜେପି ଲାଗି ମଧ୍ୟ ଏହା ନୂଆ ଆହ୍ଵାନ। ଉପକୂଳ ଓଡିଶାରେ ବିଜେପି ର ପ୍ରଦର୍ଶନ ଉପରେ ଏହି ଦଳର ଭବିଷ୍ୟତ ନିର୍ଭର କରୁଛି।

(ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )