Categories
ଆଜିର ଖବର ଜାତୀୟ ଖବର

ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ସର ଟିଏମଟି ରିବାର୍‌ ମିଲକୁ ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ଅନୁଗୁଳ/ଭୁବନେଶ୍ବର: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର (ଜେଏସପି)ର ଅତ୍ୟାଧୁନିକ ଟିଏମଟି ରିବାର ମିଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। କମ୍ପାନୀର ୬ ଏମଟିପିଏ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କମ୍ପ୍ଲେକ୍ସ ପରିସରରେ ଏହି ମିଲ୍‌ ଉଦଘାଟିତ ହୋଇଛି। ବାର୍ଷିକ ୧୪ ଲକ୍ଷ ଟନ୍‌ କ୍ଷମତା ବିଶିଷ୍ଟ ଏହି ଟିଏମଟି ରିବାର ମିଲ ବିଶ୍ବର ସର୍ବବୃହତ ତଥା ଅତ୍ୟାଧୁନିକ ରିବାର ମିଲ୍‌ ମଧ୍ୟରୁ ଅନ୍ୟତମ। ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ, ପରିଚାଳନା ନିର୍ଦ୍ଦେଶକ ଭିଆର ଶର୍ମା ଏବଂ ଇସ୍ପାତ ମୁଖ୍ୟ କାର୍ଯ୍ୟନିର୍ବାହୀ ଡି. କେ. ରସ୍ତୋଗୀ ଏହି ଅବସରରେ ଉପସ୍ଥିତ ରହି ପ୍ଲାଣ୍ଟ ପରିସରରେ କେନ୍ଦ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରସିକା ଚୌବେ ମଧ୍ୟ ଉପସ୍ଥିତ ଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ଯେ, ବୃହତ ଅର୍ଥବ୍ୟବସ୍ଥାମାନଙ୍କୁ ପଛରେ ପକାଇ ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି। ଓଡ଼ିଶାରୁ ସର୍ବାଧିକ ପରିମାଣର ଇସ୍ପାତ ଉତ୍ପାଦନ କରାଯାଉଛି। ଓଡ଼ିଶାରେ ଏପରି ସୁଦୃଶ୍ୟ ବିଶାଳ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ନବୀନ ଜିନ୍ଦଲଙ୍କୁ ପ୍ରଶଂସା କରିଥିଲେ। ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନକୁ ବଢ଼ାଇବା ଲାଗି ଜେଏସପିର ଯୋଜନାକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ୨୦୩୦ ସୁଦ୍ଧା ଦେଶର ୧୦ ପ୍ରତିଶତ ଇସ୍ପାତ ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର ଦ୍ବାରା ଅନୁଗୁଳରୁ ଉତ୍ପାଦିତ ହେବ। କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧର ଅଂଶବିଶେଷ ସ୍ବରୂପ, କୋଭିଡ-୧୯ ମହାମାରୀ ସମୟରେ ଦେଶର ବିଭିନ୍ନ ସ୍ଥାନକୁ ତରଳ ଚିକିତ୍ସକୀୟ ଅକ୍ସିଜେନ ଯୋଗାଇ ଦେବାରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପ୍ରୟାସକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ।

ଇସ୍ପାତ ଉତ୍ପାଦନ ପାଇଁ ବ୍ୟବହୃତ ପ୍ରଥମ କୋଇଲା ବାଷ୍ପୀକରଣ କାରଖାନା (ସିଜିପି)କୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପରିଦର୍ଶନ କରିଥିଲେ। ଏହି ଅବସରରେ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଶ୍ବର ପ୍ରଥମ ସିନଗ୍ୟାସ ଆଧାରିତ ଡିଆରଆଇ ପ୍ଲାଣ୍ଟକୁ ସିନ୍ଥେଟିକ୍‌ ଗ୍ୟାସ ଯୋଗାଇ ଦେବା ପାଇଁ ଏହି କାରଖାନାରେ ହାଇ ଆଶ୍‌ ଏବଂ ସ୍ଥାନୀୟ ସ୍ତରରେ ଉପଲବ୍ଧ ନନ-କୋକିଂ କୋଇଲା ବ୍ୟବହାର କରାଯାଉଛି। ଏହି ଜ୍ଞାନକୌଶଳ ମାଧ୍ୟମରେ ଦେଶରେ ଥିବା ପ୍ରଚୁର କୋଇଲା ଭଣ୍ଡାରକୁ ଉପଯୋଗ କରାଯାଇପାରିବ ଏବଂ କୋଇଲା ଆବଶ୍ୟକତା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିବ। କୋକିଂ କୋଇଲା ଆମଦାନୀ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ।

ମେଗା ଷ୍ଟିଲ୍‌ କମ୍ପ୍ଲେକ୍ସ ପରିସରରେ ଥିବା ଦେଶର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ, ସବୁଠୁ ଚଉଡ଼ା ପ୍ଲେଟ୍‌ ଉତ୍ପାଦନ କରୁଥିବା ପ୍ଲେଟ୍‌ ମିଲ୍‌ ଏବଂ ଅନ୍ୟ ୟୁନିଟକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ବୁଲି ଦେଖିଥିଲେ।

ଏହି ଅବସରରେ ଶ୍ରୀ ନବୀନ ଜିନ୍ଦଲ କରିଥିଲେ ଯେ, ଅନୁଗୁଳ ଇସ୍ପାତ ଉତ୍ପାଦନ କାରଖାନା ଠାରେ ୧.୪ ଏମଟିପିଏ କ୍ଷମତା ବିଶିଷ୍ଟ ଟିଏମଟି ରିବାର ମିଲ୍‌ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବା ଖୁସିର ବିଷୟ। ଏହା ବିଶ୍ବର ସବୁଠୁ ଆଧୁନିକ ଓ ସର୍ବବୃହତ ରିବାର ମିଲ। ଏଠାରେ ଉଚ୍ଚ ଗୁଣବତ୍ତା ଏବଂ ଭିନ୍ନ ଭିନ୍ନ ବୈଶିଷ୍ଟ୍ୟର ଟିଏମଟି ରିବାର ଉତ୍ପାଦନ କରାଯାଇ ପାରିବ ଯାହାକି ଉଚ୍ଚମାନର ଭିତ୍ତିଭୂମି ନିର୍ମାଣରେ ଉପଯୋଗ ହେବ। ଏହାଦ୍ବାରା ଲକ୍ଷ ଲକ୍ଷ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କୋଇଲା ବାଷ୍ପୀକରଣ ଜ୍ଞାନକୌଶଳ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ଶ୍ରୀ ଜିନ୍ଦଲ ବିଶେଷ ଭାବେ ପ୍ରଶଂସା କରିଥିଲେ। ସେ କହିଥିଲେ ଏହି ଜ୍ଞାନକୌଶଳ ଆଜି ବାସ୍ତବ ରୂପ ନେଇପାରିଛି। ସହଯୋଗ ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ଜେଏସପିର ପରିଚାଳନା ନିର୍ଦ୍ଦେଶକ ଭିଆର ଶର୍ମା କହିଥିଲେ ଯେ, ଜେଏସପି ଭବିଷ୍ୟତକୁ ଆଖି ଆଗରେ ରଖି ଅଗ୍ରଗତି କରିଥାଏ। କମ୍ପାନୀ କୋଇଲା ବାଷ୍ପୀକରଣ ଜରିଆରେ ନିଜ କ୍ଷମତାର ପ୍ରାୟ ୫୦ ପ୍ରତିଶତ ଇସ୍ପାତ ଉତ୍ପାଦନ ଲାଗି ଲକ୍ଷ୍ୟ ରଖିଛି, କାରଣ ଏହାକୁ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ଇସ୍ପାତ ଉତ୍ପାଦନ ପ୍ରଣାଳୀ ଭାବେ ଗ୍ରହଣ କରାଯାଉଛି।

କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଲେଶ ଦେଓରେ, ଭାରତୀୟ ଇସ୍ପାତ ଗବେଷଣା ଓ ପ୍ରଯୁକ୍ତି ମିଶନର ନିର୍ଦ୍ଦେଶକ ଡକ୍ଟର ମୁକେଶ କୁମାର ପ୍ରମୁଖ ମନ୍ତ୍ରୀଙ୍କ ଗସ୍ତ ଅବସରରେ ଉପସ୍ଥିତ ଥିଲେ। ଜେଏସପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡି.କେ ରସ୍ତୋଗୀ ଗସ୍ତ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଜିନ୍ଦଳ ଷ୍ଟିଲ୍‌ ଆଣ୍ଡ ପାୱାର ଅନୁଗୁଳ ଠାରେ ଭାରତର ସବୁଠୁ ଆଧୁନିକ ୬ ଏମଟିପିଏ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ସହ ସଫଳତା ପୂର୍ବକ ପରିଚାଳନା କରୁଛି। ଏହା ହେଉଛି ଓଡ଼ିଶାର ସର୍ବବୃହତ ଇସ୍ପାତ କାରଖାନା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଉପରେ ଆଲୋକପାତ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟର ଖଣି ଏବଂ ଶିଳ୍ପ ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶାରେ  ଆୟୋଜିତ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଖଣି ସମୃଦ୍ଧ ରାଜ୍ୟମାନଙ୍କରେ ରହିଥିବା ସମ୍ଭାବନା ଉପରେ ବିଚାରବିମର୍ଶ କରାଯାଇଛି। ବିଶେଷ କରି ଖଣି ଲିଜ୍‌, ପରିବେଶ ମଞ୍ଜୁରି ଏବଂ ବର୍ତ୍ତମାନର ଏବଂ ନୂଆ ଖଣି ପ୍ରକଳ୍ପ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଛି।

ଏହି ସମ୍ମିଳନୀକୁ ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଉଦଘାଟନ କରିଥିବା ବେଳେ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମଧ୍ୟପ୍ରଦେଶ ଶିଳ୍ପ ଓ ନିବେଶ ପ୍ରୋତ୍ସାହନ ମନ୍ତ୍ରୀ ରାଜବର୍ଦ୍ଧନ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହାବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଇସ୍ପାତ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଧ୍ୟକ୍ଷମାନେ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

ଏହି ସମ୍ମିଳନୀରେ ଖଣି, ବିଶେଷ କରି ଇସ୍ପାତ କ୍ଷେତ୍ର ସହ ଜଡ଼ିତ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା ଏବଂ ଏହା ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା ଯାହାକୁ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ପ୍ରତିନିଧିମାନେ ସ୍ୱାଗତ କରିଥିଲେ।

ଖଣିଜ ଦ୍ରବ୍ୟ ଉତ୍ତୋଳନ ଏବଂ ଇସ୍ପାତ ଉତ୍ପାଦନ ପ୍ରସଙ୍ଗ ଉପସ୍ଥାପନ କରି ଇସ୍ପାତ ମନ୍ତ୍ରଣାଳୟ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ନୀତିଗତ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ। କାରବାରକୁ ଆଗକୁ ବଢ଼ାଇବା ଲାଗି ରାଜ୍ୟ ସରକାରମାନଙ୍କ ଠାରୁ ଆବଶ୍ୟକ ସହାୟତା ସମ୍ପର୍କରେ ମଧ୍ୟ ସେମାନେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟମାନେ ସେମାନଙ୍କ ମତ ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ଏବଂ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ଲାଗି ସେମାନେ ଆଗ୍ରହୀ ଥିବା ପ୍ରକାଶ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଏହି ଅବସରରେ ‘ବର୍ଜ୍ୟରୁ ସମ୍ପଦ ସୃଷ୍ଟି’ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ସମ୍ପର୍କରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଇସ୍ପାତ ଉତ୍ପାଦନରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ବ୍ୟବହାର ପାଇଁ ରହିଥିବା ସୁଯୋଗକୁ ସନ୍ଧାନ କରିବା ଲାଗି ବିଭିନ୍ନ କମ୍ପାନୀ ଗବେଷଣା କରୁଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରଭାବୀ ଥଇଥାନ ଏବଂ ପୁନର୍ବାସ ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ଯେଉଁ କମ୍ପାନୀମାନେ ସକାରାତ୍ମକ ଭାବେ ସାମାଜିକ ପୁଞ୍ଜିର ଲାଭ ଉଠାଇବାକୁ ସକ୍ଷମ ଏବଂ ସ୍ଥାନୀୟ ଲୋକଙ୍କ କଲ୍ୟାଣ ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି ସେମାନେ ଦୀର୍ଘକାଳୀନ ଭିତ୍ତିରେ ଅଧିକ ଲାଭ ପାଇଥାନ୍ତି। ଅନୁରୂପ ଭାବେ, ଏହି କ୍ଷେତ୍ରରେ ସମସ୍ତ ଅଂଶୀଦାରମାନଙ୍କୁ ସମାନ ସୁବିଧାସୁଯୋଗ ମିଳିପାରିଲେ ଭାରତ ଏହି କ୍ଷେତ୍ରରେ ଆଗକୁ ବଢ଼ିପାରିବ ବୋଲି ସେ କହିଥିଲେ। ଏହି ଲକ୍ଷ୍ୟ ଦିଗରେ ଅଗ୍ରସର ହେବାକୁ ହେଲେ ଦ୍ବିତୀୟକ ଇସ୍ପାତ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଏକ ନୀତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ସମ୍ମିଳନୀରେ ପ୍ରାୟ ୫ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସମସ୍ତ ପକ୍ଷ ସେମାନଙ୍କର ମତାମତ ଦେଇଥିଲେ ଏବଂ ଆଲୋଚନାରେ ଉପସ୍ଥାପନ ହୋଇଥିବା ବିଷୟବସ୍ତୁ ପ୍ରତି ଧ୍ୟାନ ଦିଆଯିବା ତଥା ସମସ୍ୟାର ଆବଶ୍ୟକ ସମାଧାନ ଉପରେ ସେମାନେ ଜୋର ଦେଇଥିଲେ। ଏହି ଆଲୋଚନାକୁ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ସ୍ୱାଗତ କରିଥିଲେ। ଆଲୋଚନା ଅବସରରେ ମଧ୍ୟପ୍ରଦେଶ ସରକାରଙ୍କ ଶିଳ୍ପ ଏବଂ ନିବେଶ ପ୍ରୋତ୍ସାହନ ମନ୍ତ୍ରୀ ରାଜବର୍ଦ୍ଧନ ସିଂ ତାଙ୍କ ସରକାର ନିବେଶ ପାଇଁ ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଶିଳ୍ପ ବିକାଶ ପାଇଁ ମଧ୍ୟପ୍ରଦେଶ ନିକଟରେ ଯଥେଷ୍ଟ ଜମି, କଞ୍ଚା ମାଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ ରହିଛି। ମଧ୍ୟପ୍ରଦେଶ ସରକାର ରାଜ୍ୟରେ ନିବେଶ ପାଇଁ ସଠିକ ଇକୋସିଷ୍ଟମର ବ୍ୟବସ୍ଥା କରିଥିବା ଶ୍ରୀ ସିଂ କହିଥିଲେ।

କୋଣାର୍କରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।  ସେ କହିଥିଲେ ଯେ, ରାଜ୍ୟରେ ଖଣିଜ ଉତ୍ତୋଳନ ପାଇଁ ପୂର୍ବରୁ ଅନୁକୂଳ ପରିବେଶ ରହିଛି।