Categories
ଆଜିର ଖବର ଜାତୀୟ ଖବର

କୃଷକମାନଙ୍କୁ ସବୁ ପରିସ୍ଥିତିରେ ଉନ୍ନତ ମାନର ସାର, ବିହନ ଏବଂ କୀଟନାଶକ ମିଳିବା ଉଚିତ୍: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଦେଶର କୃଷକମାନଙ୍କୁ ସମସ୍ତ ପରିସ୍ଥିତିରେ ଉନ୍ନତ ମାନର ସାର, ବିହନ ଏବଂ କୀଟନାଶକ ମିଳିବା ସୁନିଶ୍ଚିତ କରାଯିବା ଉଚିତ୍। ଏହି ପରିପ୍ରେକ୍ଷୀରେ ଶ୍ରୀ ଚୌହାନ ତାଙ୍କ ମନ୍ତ୍ରଣାଳୟର ବିଭାଗୀୟ ସମୀକ୍ଷା ସମୟରେ କୃଷକଙ୍କ ବୃହତ୍ତର କଲ୍ୟାଣ ପାଇଁ ଦୋଷୀଙ୍କ ବିରୋଧରେ କଠୋର ଓ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ରାଜ୍ୟରେ ଏଭଳି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରଭାବଶାଳୀ ନୁହେଁ ଏବଂ ସେମାନଙ୍କୁ ମୁକ୍ତ ରଖାଯାଇଛି, ସେ ନିଜେ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ସହ ଏ ବିଷୟରେ କଥା ହେବେ, ଯାହାଦ୍ୱାରା ରାଜ୍ୟ ସ୍ତରରେ ଲଗାତାର ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯେଉଁମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ସେମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ଯାହା ଦ୍ୱାରା ଏଭଳି ଜଘନ୍ୟ କାର୍ଯ୍ୟ ବନ୍ଦ ହୋଇପାରିବ। ଦେଶର ସାଧାରଣ କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯେକୌଣସି ପରିସ୍ଥିତିରେ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଚାହୁଁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।

ନୂଆଦିଲ୍ଲୀସ୍ଥିତ କୃଷି ଭବନରେ କୃଷି ମନ୍ତ୍ରଣାଳୟର ବିଭାଗୀୟ ସମୀକ୍ଷା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କୃଷକମାନଙ୍କୁ ସବୁବେଳେ ଉନ୍ନତମାନର କୀଟନାଶକ, ବିହନ ଏବଂ ସାର ଉପଲବ୍ଧ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଲୋକପାତ କରିଥିଲେ ଯେ କୃଷକମାନେ ଅନେକ ସମୟରେ ନିମ୍ନମାନର ସାମଗ୍ରୀ ପାଇବା ବିଷୟରେ ଅଭିଯୋଗ କରନ୍ତି, ଯାହା ଫଳରେ ଯଥେଷ୍ଟ କ୍ଷତି ହୋଇଥାଏ । ଶ୍ରୀ ଚୌହାନ କହିଛନ୍ତି ଯେ ଜଣେ ଦାୟିତ୍ୱବାନ ଜନପ୍ରତିନିଧି ହିସାବରେ ଏସବୁ ସମସ୍ୟାର ସମାଧାନ କରିବା ଜରୁରୀ। ନକଲି କିମ୍ବା ନିମ୍ନମାନର କୀଟନାଶକ, ସାର ଓ ବିହନ ବଣ୍ଟନକୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ ଆଗାମୀ ଫସଲ ଋତୁକୁ ଦୃଷ୍ଟିରେ ରଖି କୃଷକମାନଙ୍କୁ ଏ ଦିଗରେ ଆଶ୍ୱସ୍ତି ମିଳିବା ଦରକାର, ଏଥିପାଇଁ ସେ ଖୁବଶୀଘ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ, କାରଣ ମୁଖ୍ୟତଃ ରାଜ୍ୟସ୍ତରରେ ପ୍ରଭାବଶାଳୀ ପଦକ୍ଷେପ ନିଆଯାଏ । ସମୀକ୍ଷା ବେଳେ ଶ୍ରୀ ଶିବରାଜ ସିଂହ ଚୌହାନ ପ୍ରଶ୍ନ କରିଥିଲେ ଯେ ଯେଉଁମାନେ ଏଭଳି ନକଲି ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହି ସମୟରେ ଅନେକ ରାଜ୍ୟରେ ତଦନ୍ତ ଓ ଅଭିଯାନ ସ୍ତରରେ ମଧ୍ୟ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଜଣାପଡ଼ିଥିଲା। ଅଧିକାଂଶ ଦୋଷୀ ଦୋଷମୁକ୍ତ ହୁଅନ୍ତି କିମ୍ବା ଖୁବ୍ କମ୍ ଦଣ୍ଡ ପାଇଥାନ୍ତି। ଯାହା ଉପରେ ଶ୍ରୀ ଚୌହାନ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରି ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ, ଯେ କୌଣସି ପରିସ୍ଥିତିରେ ରାଜ୍ୟରେ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉ। ନିମ୍ନମାନର ସାର, ବିହନ ଓ କୀଟନାଶକ କ୍ଷେତ୍ରରେ ବଡ଼ ବିକ୍ରେତା ଓ ଉତ୍ପାଦକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପ୍ରଚଳିତ ଆଇନ, ନିୟମ ଓ ପଦ୍ଧତିକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରାଯିବା ଉଚିତ୍।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ସଂପୃକ୍ତ ବିଭାଗ ମିଳିତ ଭାବେ ଉନ୍ନତ ମାନର କୀଟନାଶକ ଏବଂ ସାର ସୁନିଶ୍ଚିତ କରିବା ପାଇଁ ଏକ ଅଭିଯାନ ଚଳାଇବା ଉଚିତ୍ । ବୈଠକରେ କେନ୍ଦ୍ରମନ୍ତ୍ରୀ ସାର, ବିହନ ଓ କୀଟନାଶକ ସମ୍ପର୍କରେ ମିଳିତ ଅଭିଯାନ ଚଳାଇବା ପାଇଁ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରି ଯଥାଶୀଘ୍ର ଦାଖଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ୱାରା କୋଟି କୋଟି କୃଷକଙ୍କ ସ୍ୱାର୍ଥରେ କୌଣସି ବିଳମ୍ବ ନକରି ସାରା ଦେଶରେ ରାଜ୍ୟ ସରକାରମାନେ ଏହି ଅଭିଯାନକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିପାରିବେ । ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ, ଏ ସଂକ୍ରାନ୍ତରେ କୃଷକମାନଙ୍କଠାରୁ ମଧ୍ୟ ମତାମତ ନିଆଯିବା ଉଚିତ, କାରଣ ବାସ୍ତବରେ ନିମ୍ନମାନର ସାମଗ୍ରୀ ଯୋଗୁଁ ଚାଷୀ ପ୍ରଭାବିତ ହେଉଛନ୍ତି ଏବଂ ଫସଲ ନଷ୍ଟ ହେଉଛି।

Categories
ଆଜିର ଖବର ଜାତୀୟ ଖବର

୨୦୨୪-୨୫ରେ ଖାଦ୍ୟଶସ୍ୟ ଉତ୍ପାଦନର ଜାତୀୟ ଲକ୍ଷ୍ୟ ୩୪୧.୫୫ ନିୟୁତ ଟନ୍ ହେବ: କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବ ଫସଲ ଋତୁରେ ଫସଲ ପ୍ରଦର୍ଶନର ସମୀକ୍ଷା ଏବଂ ଆକଳନ କରିବା ତଥା ରବି ଋତୁ ପାଇଁ ଫସଲ ଭିତ୍ତିକ ଲକ୍ଷ୍ୟ ଧାର୍ଯ୍ୟ କରିବା ଉଦ୍ଦେଶ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆଦିଲ୍ଲୀର ଏନଏଏସସି କମ୍ପ୍ଲେକ୍ସରେ ରବି ଅଭିଯାନ 2024 ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଥିଲେ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଅଭିନବ କୃଷି ପ୍ରଣାଳୀ ଏବଂ ଅତ୍ୟାବଶ୍ୟକ କୃଷି-ସାମଗ୍ରୀର ସୁରୁଖୁରୁରେ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଡିଜିଟାଲ ପଦକ୍ଷେପ ବିଷୟରେ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଗ୍ରହଣ କରିବାରେ ସହାୟତା କରିବା, ଯାହା ଦ୍ୱାରା ଫସଲ ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି ପାଇବ।

ସମ୍ମିଳନୀକୁ ସମ୍ବୋଧିତ କରି ଶିବରାଜ ସିଂହ ଚୌହାନ କହିଛନ୍ତି, ଉତ୍ପାଦକତା ବୃଦ୍ଧି ଏବଂ ରାସାୟନିକ ଓ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଆମକୁ ଜୈବିକ ଓ ପ୍ରାକୃତିକ ଚାଷ ଦିଗରେ ଅଗ୍ରସର ହେବାକୁ ପଡ଼ିବ। ହେକ୍ଟର ପିଛା ଅମଳ ବୃଦ୍ଧି କରିବା ସହ ଉତ୍ପାଦନ ଖର୍ଚ୍ଚ କମାଇବା ସହ ଚାଷୀଙ୍କୁ ପ୍ରକୃତ ମୂଲ୍ୟ ପ୍ରଦାନ କରିବା ଏହାର ଲକ୍ଷ୍ୟ। କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ବ୍ୟବଧାନ ହ୍ରାସ କରିବା ପାଇଁ ପରିବହନ ଖର୍ଚ୍ଚ ହ୍ରାସ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଭାରତକୁ ବିଶ୍ୱର ସର୍ବବୃହତ ଖାଦ୍ୟ ବାସ୍କେଟ୍ ରେ ପରିଣତ କରିବା ପାଇଁ ରାଜ୍ୟଗୁଡ଼ିକ କେନ୍ଦ୍ରର ସହଯୋଗରେ କୃଷି ଜଳବାୟୁ ପରିସ୍ଥିତି ଉପରେ ଆଧାରିତ ଉତ୍ପାଦନ ବୃଦ୍ଧି ଉପରେ କାର୍ଯ୍ୟ କରିବା ଆବଶ୍ୟକ। ୨୦୨୪-୨୫ରେ ଖାଦ୍ୟଶସ୍ୟ ଉତ୍ପାଦନର ଜାତୀୟ ଲକ୍ଷ୍ୟ ୩୪୧.୫୫ ନିୟୁତ ଟନ୍ ହେବ। ମନ୍ତ୍ରୀ ଓ ରାଜ୍ୟ ପ୍ରତିନିଧିଙ୍କ ପ୍ରତ୍ୟେକ ପରାମର୍ଶ ଉପରେ ଭାରତ ସରକାର ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଏହି ସମ୍ମିଳନୀରେ କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ବନ୍ୟା ଓ ବାତ୍ୟାରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ସହାୟତା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ। ବରିଷ୍ଠ ଅଧିକାରୀ ଓ ଗବେଷକମାନେ ବଜାରରେ ଉପଲବ୍ଧ  ହେଉଥିବା କୃଷି ସାମଗ୍ରୀର ଗୁଣବତ୍ତା ଆକଳନ କରିବା ଆବଶ୍ୟକ।

ଡାଲି ଓ ତୈଳବୀଜ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଥିବାରୁ କୃଷି ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ ଗବେଷଣା ସଂସ୍ଥାଗୁଡ଼ିକୁ କୃତଜ୍ଞତା ଜଣାଇଛନ୍ତି।

ତୈଳବୀଜ ଏବଂ ଡାଲିର ଉତ୍ପାଦକତା ବୃଦ୍ଧି, କ୍ଲିନ୍ ପ୍ଲାଣ୍ଟ କାର୍ଯ୍ୟକ୍ରମ, ଜାତୀୟ କୀଟ ନିରୀକ୍ଷଣ ବ୍ୟବସ୍ଥା (ଏନପିଏସଏସ), ସମନ୍ବିତ କୀଟନାଶକ ପରିଚାଳନା ବ୍ୟବସ୍ଥା (ଆଇପିଏମ୍ଏସ୍), ଡିଜିଟାଲ କୃଷି ମିଶନ ଅଧୀନରେ ଡିପିଆଇ ଏବଂ ବିହନ ପ୍ରମାଣୀକରଣ, ଟ୍ରେସେବିଲିଟି ଏବଂ ହୋଲିଷ୍ଟିକ୍ ଇନ୍ଭେଣ୍ଟରୀ (ସାଥି) ପୋର୍ଟାଲ ପରି ଡିଜିଟାଲ ପ୍ଲାଟଫର୍ମ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଚକ୍ର ପାଇଁ ରାଜ୍ୟ ସରକାରଙ୍କ ସମ୍ମାନିତ ପ୍ୟାନେଲିଷ୍ଟମାନଙ୍କୁ ଏହି ସମ୍ମିଳନୀରେ ସ୍ୱାଗତ କରାଯାଇଥିଲା

ଦେଶରେ ବଢୁଥିବା ଖାଇବା ତେଲର ଚାହିଦାକୁ ପୂରଣ କରିବା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାର ତୈଳବୀଜ ଉତ୍ପାଦନକୁ ୨୦୨୨-୨୩ ରେ ୩୯.୨ ଏମଏମଟିରୁ ୨୦୩୦-୩୧ ରେ ୬୯.୭ ଏମଏମଟିକୁ ବୃଦ୍ଧି କରିବା, ଚାଷ ଅଧୀନ କ୍ଷେତ୍ରକୁ ବର୍ତ୍ତମାନର ୨୯ ଏମଏଚଏ ରୁ ୩୩ ଏମଏଚଏ କୁ ବୃଦ୍ଧି କରିବା ଏବଂ ୨୦୩୦-୩୧ ସୁଦ୍ଧା ହେକ୍ଟର ପିଛା ୧୩୫୩ କେଜି ରୁ ୨୧୧୨ କେଜି ପର୍ଯ୍ୟନ୍ତ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଡାଲି ଓ ତୈଳବୀଜ ଚାଷ ପାଇଁ ସ୍ୱଳ୍ପ କାଳୀନ, ଅଧିକ ଅମଳକ୍ଷମ ବିହନ ପ୍ରଜାତି ଉପରେ ଗବେଷଣା କରିବା ଏବଂ ବ୍ୟାପକ ଯାନ୍ତ୍ରିକୀକରଣ କାର୍ଯ୍ୟକାରୀ କରିବା ଉପରେ ପ୍ୟାନେଲିଷ୍ଟମାନେ ଗୁରୁତ୍ୱାରୋପ କରିଥିଲେ।

ଏହି ସମ୍ମିଳନୀରେ କୃଷି ସାମଗ୍ରୀର ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ସକ୍ରିୟ କୀଟ ପରିଚାଳନା ରଣନୀତି ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟର ସାମ୍ପ୍ରତିକ କୃଷି-ଟେକ୍ ପଦକ୍ଷେପଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା। ଏନପିଏସଏସ କୀଟ ଓ ରୋଗ ସଂକ୍ରମଣର ପୂର୍ବାନୁମାନ, ଯୋଜନା ଏବଂ ପରିଚାଳନା ପାଇଁ ଏକ ଦେଶବ୍ୟାପୀ ଦୃଷ୍ଟିକୋଣ ପ୍ରଦାନ କରେ ଏବଂ କୃଷି ଅମଳର ସୁରକ୍ଷା ତଥା ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହାବ୍ୟତୀତ, ଯୋଗାଣ ଅଭାବ ଏବଂ କୀଟନାଶକର ଭୁଲ ବ୍ରାଣ୍ଡିଂ, ଲାଇସେନ୍ସ ପ୍ରଦାନର ରିଅଲ ଟାଇମ୍ ମନିଟରିଂ, ସ୍ୱତନ୍ତ୍ର କ୍ୟୁଆର କୋଡ୍ ବ୍ୟବହାର କରି ଫେସଲେସ୍ ଏବଂ ଟ୍ରେସଲେସ କ୍ୱାଲିଟି ଆସ୍ୟୁରାନ୍ସ ସିଷ୍ଟମ ସମ୍ପର୍କିତ ଅଭିଯୋଗ/ସମସ୍ୟାର ସମାଧାନ ପାଇଁ ଆଇପିଏମଏସର ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ସେହିପରି ବ୍ରିଡର, ଫାଉଣ୍ଡେସନ, ସାର୍ଟିଫାଏଡ, ଟିଏଲ ବିହନ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବିହନର ଉତ୍ପାଦନ, ଯାଞ୍ଚ, ପ୍ରକ୍ରିୟାକରଣ, ପ୍ୟାକିଂ, ଟ୍ୟାଗିଂ ଏବଂ ନିଷ୍କାସନ ରେ ସମ୍ପୃକ୍ତ ସମସ୍ତ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରିବା ପାଇଁ ସାଥି ପୋର୍ଟାଲ ଏକ ସମ୍ପୂର୍ଣ୍ଣ ଏବଂ ସମନ୍ୱିତ ସମାଧାନ ଅଟେ ।

ଡିଜିଟାଲ କୃଷି ଉପରେ ଅଧିବେଶନରେ ପ୍ୟାନେଲିଷ୍ଟମାନେ କୃଷି ପାଇଁ ବିଭିନ୍ନ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ପଦକ୍ଷେପକୁ ସମର୍ଥନ କରିବା ପାଇଁ ନିକଟରେ ଅନୁମୋଦିତ ଡିଜିଟାଲ କୃଷି ମିଶନ ଏବଂ ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର କେନ୍ଦ୍ର ସହାୟତା ଉପରେ ଆଲୋଚନା କରିଥିଲେ। ଏହି ଅଭିଯାନ ଏକ ସମନ୍ୱିତ ଡିପିଆଇ ଇକୋସିଷ୍ଟମକୁ ସକ୍ଷମ କରିବା ଉପରେ ଗୁରୁତ୍ୱାରୋପ କରେ ଯାହା ଏଗ୍ରିଷ୍ଟାକ୍ ମାଧ୍ୟମରେ ସମନ୍ୱିତ ପଞ୍ଜୀକରଣ ବ୍ୟବହାର କରି କୃଷକ-କେନ୍ଦ୍ରୀତ ସମାଧାନକୁ ସକ୍ଷମ କରେ ଏବଂ କୃଷି ନିଷ୍ପତ୍ତି ସମର୍ଥନ ପ୍ରଣାଳୀ ମାଧ୍ୟମରେ ବିଭିନ୍ନ ପରାମର୍ଶ ପ୍ରଦାନ କରେ।

ଫଳ ଓ ଅର୍କିଡ୍ କ୍ଷେତ୍ରରେ ରୋଗମୁକ୍ତ ବୃକ୍ଷରୋପଣ ସାମଗ୍ରୀ ଆମଦାନୀ ସୁନିଶ୍ଚିତ କରିବା ପାଇଁ ନିୟମର ଆବଶ୍ୟକତା ଉପରେ ମଧ୍ୟ ପ୍ୟାନେଲିଷ୍ଟମାନେ ଆଲୋଚନା କରିଥିଲେ। କ୍ଲିନ୍ ପ୍ଲାଣ୍ଟ୍ କାର୍ଯ୍ୟକ୍ରମ ଏଭଳି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ଏବଂ ଉନ୍ନତ ଉଦ୍ଭିଦ ଗୁଣବତ୍ତା ପାଇଁ ଉପଚାର ପ୍ରକ୍ରିୟା ବ୍ୟବହାର କରି ଜୀବାଣୁ-ପରୀକ୍ଷିତ ସାମଗ୍ରୀ ଉତ୍ପାଦନ, ରକ୍ଷଣାବେକ୍ଷଣ ଏବଂ ବିତରଣ କରିବ।

ସମ୍ମିଳନୀର ବିଭିନ୍ନ ଅଧିବେଶନରେ ପ୍ରତିକ୍ରିୟା ଦେଇ ରାଜ୍ୟ ପ୍ରତିନିଧିମାନେ ଏହିସବୁ ବିଷୟରେ ସୂଚନା ପ୍ରଦାନ କରିଥିଲେ। (କ) କୃଷି ପାଇଁ, ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ, (ଖ) ତୈଳବୀଜ ଏବଂ ଡାଲି ପାଇଁ ଯାନ୍ତ୍ରିକୀକରଣ  ଆବଶ୍ୟକ, ଉତ୍ତମ ଗୁଣବତ୍ତା ବିହନ ଆବଶ୍ୟକ, (ଗ) ଘରୋଇ କ୍ଷେତ୍ରକୁ ଗବେଷଣା ପାଇଁ  ପ୍ରୋତ୍ସାହିତ କରିବା (ଘ) ଆଇସିଏଆରରୁ ସ୍ୱତନ୍ତ୍ର ପ୍ରକଳ୍ପ (ଙ) ସିପିପି ପାଇଁ ମାଟି ଉପରେ ଧ୍ୟାନ ଦେବା ଆବଶ୍ୟକ ଏବଂ ଘରୋଇ କ୍ଷେତ୍ରକୁ ସମର୍ଥନ ସ୍ୱାଗତଯୋଗ୍ୟ (ଚ) ଆଇପିଏମଏସ ପାଇଁ, ଏଆଇ ଚାଟବଟ୍/ ଆଡଭାଇଜରୀ ଯଦି ଏହା ଅଡିଓ ଫର୍ମରେ ଥାଏ ତେବେ ଏହା ଅଧିକ ଦକ୍ଷ ହେବ।

ସମ୍ମିଳନୀକୁ ସମ୍ବୋଧିତ କରି କୃଷି ସଚିବ ଡ. ଦେବେଶ ଚତୁର୍ବେଦୀ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ଯେ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କ ପାଇଁ କ୍ୟାମ୍ପ ମୋଡରେ କୃଷକ ପଞ୍ଜୀକରଣ ସମ୍ପୂର୍ଣ୍ଣ କରିବା ସୁନିଶ୍ଚିତ କରନ୍ତୁ ଯାହା ଦ୍ୱାରା କୃଷକମାନେ ପିଏମ-କିଷାନର ଲାଭ ଉଠାଇପାରିବେ। ତୈଳବୀଜ ଏବଂ ଡାଲିର ଉତ୍ପାଦକତା ବୃଦ୍ଧିର ଆବଶ୍ୟକତା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ବଜାରରେ କୀଟନାଶକର ଅତ୍ୟଧିକ ମାତ୍ରା, ନକଲି କୀଟନାଶକ ଓ ବିହନର ପ୍ରଚଳନ ଉପରେ ନଜର ରଖାଯିବା ଆବଶ୍ୟକ। ଏନପିଏସ୍ଏସ୍, ଆଇପିଏମ୍ଏସ୍ ଓ ସାଥି ଭଳି ଆପ୍ଲିକେସନ୍ ର ବ୍ୟବହାର ସୁନିଶ୍ଚିତ କରିବା ସହ ନିଜ ନିଜ ରାଜ୍ୟରେ ସଚେତନତା ସୃଷ୍ଟି କରିବାକୁ ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ।

ସାର ସଚିବ ରଜତ କୁମାର ମିଶ୍ର ନାନୋ ୟୁରିଆ ଓ ଫସଲ ମନିଟରିଂ ପାଇଁ ଡ୍ରୋନ୍ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସଚିବ (ଡିଏଆରଇ) ତଥା ଡିଜି (ଆଇସିଏଆର) ଡ. ହିମାଂଶୁ ପାଠକ ରାଜ୍ୟ ଗୁଡ଼ିକୁ ଜୈବ-ସମୃଦ୍ଧ ବିହନର ବ୍ୟବହାର ବୃଦ୍ଧି, ନୂତନ ପ୍ରଜାତିର ବିହନର ବ୍ୟବହାର ଏବଂ ଜଳବାୟୁ ସହନଶୀଳ ବିହନର ବ୍ୟବହାର ବୃଦ୍ଧି କରିବା ଏବଂ ଉତ୍ପାଦକତା ବୃଦ୍ଧି ପାଇଁ ବିହନ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ।

ଏହାପରେ ମାନ୍ୟବର ମନ୍ତ୍ରୀ ଓ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ କ୍ଷେତ୍ର, ଅମଳ, ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି ନିମନ୍ତେ ସେମାନଙ୍କ ରାଜ୍ୟ ସମ୍ପର୍କିତ ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟର କୃଷି ମନ୍ତ୍ରୀମାନେ କୃଷକଙ୍କ ସମ୍ପର୍କରେ ସେମାନଙ୍କର ସମସ୍ୟା ଉଠାଇଥିଲେ ଏବଂ ସମାଧାନ ପାଇଁ କାର୍ଯ୍ୟ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ। କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସେମାନେ କିଛି ପରାମର୍ଶ ମଧ୍ୟ ଦେଇଥିଲେ।

ଏହି ସମ୍ମିଳନୀରେ ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର/କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ଏବଂ ଅନ୍ୟାନ୍ୟ ସଂଗଠନର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ଇଣ୍ଟରଆକ୍ଟିଭ ଅଧିବେଶନ ମାଧ୍ୟମରେ ଏହି ସମ୍ମିଳନୀ ଏକ ବିସ୍ତୃତ ଆଲୋଚନାକୁ ସୁଗମ କରିଥିଲା ଯାହା ଆଗାମୀ ରବି ଋତୁ ପାଇଁ କାର୍ଯ୍ୟକ୍ଷମ ରଣନୀତି ପ୍ରସ୍ତୁତ କରିବ।

Categories
ବିଶେଷ ଖବର

ଜାତୀୟ କୃଷି ସମ୍ମିଳନୀ: ଖରିଫ ଅଭିଯାନ- ୨୦୨୨ ଉଦ୍‌ଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

ଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଦିଲ୍ଲୀରେ ଏନ୍‌ଏଏସ୍‌ସି ପରିସରରେ ଖରିଫ୍ ଅଭିଯାନ ୨୦୨୨ – ୨୩ ନିମନ୍ତେ ଜାତୀୟ କୃଷି ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରି କହିିଥିଲେ ଯେ, ଦ୍ୱିତୀୟ ଅଗ୍ରୀମ ଅନୁମାନ (୨୦୨୧ – ୨୨) ଅନୁସାରେ, ଦେଶରେ ସମୁଦାୟ ଖାଦ୍ୟଶସ୍ୟର ଉତ୍ପାଦନ ୩୧୬୦ ଲକ୍ଷ ଟନ୍ ହେବ ବୋଲି ଅନୁମାନ ଲଗାଯାଇଛି, ଯାହା ଏକ ସର୍ବକାଳୀନ ରେକର୍ଡ ହେବ। ଡାଲି ଏବଂ ତୈଳବୀଜର ଉତ୍ପାଦନ ଯଥାକ୍ରମେ ୨୬୯.୫ ଏବଂ ୩୭୧.୫ ଲକ୍ଷ ଟନ୍ ହେବ। ତୃତୀୟ ଅଗ୍ରୀମ ଅନୁମାନ ଅନୁସାରେ, ୨୦୨୦ – ୨୧ରେ ଉଦ୍ୟାନ କୃଷି ଉତ୍ପାଦନ ୩୩୧୦. ୫ ଲକ୍ଷ ଟନ୍ ରହିଛି, ଯାହା ଭାରତୀୟ ଉଦ୍ୟାନ କୃଷି ନିମନ୍ତେ ଏବେ ପର୍ଯ୍ୟନ୍ତ ସର୍ବାଧିକ ଅଟେ। ମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷକ ମାନଙ୍କ ନିମନ୍ତେ ଖର୍ଚ୍ଚ କମ୍ କରିବା ପାଇଁ କୀଟନାଶକ ଏବଂ ମଞ୍ଜିର ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବେ। ସେ ଅନୁରୋଧ କରିଥିଲେ ଯେ, ୟୁରିଆକୁ ନାନୋ – ୟୁରିଆରେ ପରିବର୍ତନ କରିବା ଉଚିତ୍।  ସେ ଘୋଷଣା କରିଥିଲେ ଯେ, ପୂର୍ବ ଭଳି ସରକାର ପ୍ରାକୃତିକ ଏବଂ ଜୈବିକ କୃଷି ଉପରେ ଗୁରୁତ୍ୱ ଦେବା ଜାରି ରଖିବେ । ରପ୍ତାନି ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ, କୃଷି ରପ୍ତାନିରେ ଅଭିବୃଦ୍ଧି ଘଟିଛି, ଗୁଣବତା ସମ୍ପନ୍ନ ଉତ୍ପାଦ ଉପରେ ଧ୍ୟାନ ଦେବା ଉଚିତ୍‌, ଫଳରେ ତାହା ଅନ୍ତର୍ଜାତୀୟ ବଜାର ମାନଙ୍କରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ରପ୍ତାନିକାରୀ ଏବଂ କୃଷକ ଉଭୟଙ୍କର ଲାଭ ହେବା ଉଚିତ୍।

ଏହି ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ପୂର୍ବବର୍ତ୍ତୀ ଫସଲ ଋତୁ ସମୟରେ ଫସଲର ପ୍ରଦର୍ଶନର ସମୀକ୍ଷା ଏବଂ ମୂଲ୍ୟାଙ୍କନ କରିବା ଏବଂ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଖରିଫ୍ ଋତୁ ନିମନ୍ତେ ଫସଲର ଲକ୍ଷ୍ୟ ନିର୍ଦ୍ଧାରିତ କରିବା, ମହତ୍ୱପୂର୍ଣ୍ଣ ଇନ୍‌ପୁଟର ଯୋଗାଣକୁ ସୁନିଶ୍ଚିତ କରିବା ଏବଂ ଉତ୍ପାଦନ ବୃଦ୍ଧି ଏବଂ ଏବଂ ଫସଲର ଉତ୍ପାଦକତା ବଢ଼ାଇବା ଦୃଷ୍ଟିରୁ ନୂତନ ଟେକ୍ନୋଲୋଜିକୁ ବ୍ୟବହାର କରିବା ପାଇଁ ସୁବିଧା ପ୍ରଦାନ କରିବା। ସରକାରଙ୍କ ପ୍ରାଥମିକତା ହେଉଛି କୃଷି- ପରିବେଶ ଭିତିକ ଫସଲ ଯୋଜନା, ଯାହା ଚାଉଳ ଏବଂ ଗହମ ପରି ଅତିରିକ୍ତ ଦ୍ରବ୍ୟରୁ ଡାଲି ଏବଂ ତୈଳବୀଜ ଭଳି ଉଚ୍ଚ ମୂଲ୍ୟରେ ରପ୍ତାନି ହେଉଥିବା ଫସଲ ପାଇଁ ଜମିକୁ ପ୍ରସ୍ତୁତ କରିବା। ସରକାର ଡାଲି  ଏବଂ ତୈଳବୀଜ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ପାମ୍ ତେଲର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରି ଫସଲର ବିବିଧକରଣ ଉପରେ ଉଚ୍ଚ ପ୍ରାଥମିକତା ଦେଉଛନ୍ତି। ଦେଶରେ ଫସଲର ବିବିଧକରଣର କାର୍ଯ୍ୟକ୍ରମ ନିମନ୍ତେ ଏକ ଜାତୀୟ ନୀତିର ରୂପରେଖକୁ ଅନ୍ତିମ ରୂପ ଦେବା ନିମନ୍ତେ ପ୍ରମୁଖ ରାଜ୍ୟ ସମୂହ, ଗବେଷକ, ଶିଳ୍ପ ଏବଂ ନୀତି ନିର୍ମାତାମାନଙ୍କ ଭଳି ସମସ୍ତ ଅଂଶଧାରକ ମାନଙ୍କ ସହିତ ବିଚାର – ବିମର୍ଶ କରା ଯାଇଛି। କୃଷିକୁ ସ୍ଥାୟୀ, ଲାଭଦାୟକ ଏବଂ ନିଅଂଟ ଦ୍ରବ୍ୟରେ ଆତ୍ମନିର୍ଭର କରାଇବା ନିମନ୍ତେ ସମସ୍ତ ରାଜ୍ୟମାନଙ୍କୁ ଫସଲ ବିବିଧକରଣ ଦିଗରେ କାର୍ଯ୍ୟ କରିବା ଉଚିତ୍।

ସମ୍ମିଳନୀରେ ଚଳିତ ବର୍ଷରେ ୩୧୬୦ ଟନ୍‌ର ଆନୁମାନିକ ଉତ୍ପାଦନ ତୁଳନାରେ ୨୦୨୨ -୨୩ ବର୍ଷ ନିମନ୍ତେ ସମୁଦାୟ ଖାଦ୍ୟଶସ୍ୟ ଉତ୍ପାଦନ ନିମନ୍ତେ ଜାତୀୟ ଲକ୍ଷ୍ୟ ୩୨୮୦ ଲକ୍ଷ ଟନ୍ ନିର୍ଦ୍ଧାରିତ କରାଯାଇଛି। ୨୦୨୨- ୨୩ ରେ ଡାଲି ଏବଂ ତୈଳବୀଜର ଉତ୍ପାଦନ ଲକ୍ଷ୍ୟ ଯଥାକ୍ରମେ ୨୯୫.୫ ଏବଂ ୪୧୩.୪ ଲକ୍ଷ ଟନ୍ ନିର୍ଦ୍ଧାରିତ କରାଯାଇଛି। ପୁଷ୍ଟିକର – ଶସ୍ୟ ଉତ୍ପାଦନ ୨୦୨୧ -୨୨ରେ ୧୧୫. ୩ରୁ ବୃଦ୍ଧି କରାଯାଇ ୨୦୨୨ – ୨୩ରେ ୨୦୫ .୦ ଲକ୍ଷ ଟନ୍‌କୁ ବୃଦ୍ଧି କରିବାକୁ ପଡିବ। ଆନ୍ତ – ଫସଲ ଅମଳ ଏବଂ ଫସଲର ବିବିଧକରଣ ଏବଂ ଏଚ୍‌ୱାଇଭିର ପ୍ରବର୍ତନ ମାଧ୍ୟମରେ ଉତ୍ପାଦକତା ବୃଦ୍ଧି ଏବଂ କମ୍ ଉତ୍ପାଦନକ୍ଷମ କ୍ଷେତ୍ର ଗୁଡିକରେ ଉପଯୁକ୍ତ କୃଷି ପଦ୍ଧତି ଗୁଡିକୁ ଆପଣେଇବା ପଡିବ।

କୃଷି ଏବଂ କୃଷକ କଲ୍ୟାଣ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ୨୦୧୫ -୧୬ରୁ ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନରେ କ୍ରମାଗତ ଭାବେ ବୃଦ୍ଧି ଘଟିଛି। ଗତ ୬ ବର୍ଷରେ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୨୫% ବୃଦ୍ଧି ପାଇ ୨୫୧.୫୪ରୁ ୩୧୬.୦୧ ମିଲିୟନ ଟନ୍ ହୋଇଛି। ତୈଳବୀଜ ସମାନ ଧାରାକୁ ଅନୁସରଣ କରିଛି ଏବଂ ୨୦୧୫- ୧୬ରେ ୨୫.୨୫ ନିୟୁତ ଟନ୍‌ରୁ ୨୦୨୧ – ୨୨ରେ ୩୭.୧୫ ନିୟୁତ ଟନ୍‌କୁ ୪୨% ଅଭିବୃଦ୍ଧି ଦେଖାଇଛି। ୨୦୨୧- ୨୨ ମସିହାରେ ଭାରତର କୃଷିଜାତ ଦ୍ରବ୍ୟ ରପ୍ତାନି ୧୯.୯୨% ବୃଦ୍ଧି ପାଇ ୫୦.୨୧ ବିଲିୟନ୍ ଡଲାର (୩୭୬୫୭୫ କୋଟି ଟଙ୍କା)କୁ ଛୁଇଁଛି। ଗହମ, ଅନ୍ୟାନ୍ୟ ଶସ୍ୟ, ଚାଉଳ (ବାସମତି ବ୍ୟତୀତ), ସୋୟା ମିଲ୍‌, ତାଜା ପନିପରିବା ଏବଂ ପ୍ରକିୃୟାକୃତ ପନିପରିବା ଇତ୍ୟାଦି ଅଧିକାଂଶ ସକାରାତ୍ମକ ଅଭିବୃଦ୍ଧି ପଞ୍ଜିକୃତ କରିଛି।

ସେ କହିଥିଲେ ଯେ, “ଗ୍ରାମାଂଚଳରେ ଖାଦ୍ୟ ଏବଂ ପୁଷ୍ଟିର ନିରାପତା ସୁନିଶ୍ଚିତ କରିବା ପାଇଁ ଆମକୁ କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ରର ଅମଳ ଏବଂ ଉତ୍ପାଦନକୁ ତ୍ୱରାନ୍ୱିତ କରିବାକୁ ହେବ। ସରକାର ଅନେକ ବିକାଶମୂଳକ କାର୍ଯ୍ୟକ୍ରମ, ଯୋଜନା, ସଂସ୍କାର ଏବଂ ନୀତି ଗ୍ରହଣ କରିଛନ୍ତି ଯାହା ଚାଷୀଙ୍କ ପାଇଁ ଅଧିକ ଆୟ ଉପରେ ଧ୍ୟାନ ଦେଇଥାଏ। ୩୮୧. ୯୫ କୋଟି ଟଙ୍କା ଆବଂଟନ ସହିତ ସମସ୍ତ ତୈଳବୀଜ ପାଇଁ ୩ ବର୍ଷ ନିମନ୍ତେ ସିଡ୍ ରୋଲିଂ ଯୋଜନା (୨୦୨୧- ୨୨ ରୁ ୨୦୨୩- ୨୪) ପାଇଁ ଆକ୍ସନ୍ ପ୍ଲାନ୍ ହୋଇଛି, ଯାହା ମାଧ୍ୟମରେ ଆଗାମୀ ୩ ବର୍ଷରେ ମୋଟ ୧୪. ୭ ଲକ୍ଷ କ୍ୱିଂଟାଲ୍ ଗୁଣାତ୍ମକ ବିହନ ଉତ୍ପାଦନ କରାଯିବ”।

ଖରିଫ୍ ଋତୁରେ ଫସଲ ପରିଚାଳନା ପାଇଁ ରଣନୀତି ଉପରେ ବିସ୍ତୃତ ଉପସ୍ଥାପନା କରି କୃଷି କମିଶନର ଡକ୍ଟର  ଏ. କେ, ସିଂହ  କହିଛନ୍ତି ଯେ, ସରକାରଙ୍କର ସମୟପୋଯୋଗୀ ହସ୍ତକ୍ଷେପ ଯୋଗୁଁ ଦେଶରେ ଏବେ ସୁଦ୍ଧା ସର୍ବାଧିକ ଖାଦ୍ୟଶସ୍ୟ, ତୈଳବୀଜ ଏବଂ ଉଦ୍ୟାନ କୃଷି ଉତ୍ପାଦନ କରାଯାଇ ପାରିଛି। ବର୍ତମାନ ତୈଳବୀଜ, ଡାଲି ଏବଂ ପୁଷ୍ଟିକର – ଶସ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ମୌସୁମୀ ଯୋଗୁଁ ବର୍ଷା ସ୍ୱାଭାବିକ ଠାରୁ ଅଧିକ ହୋଇଛି ଏବଂ ଗ୍ରୀଷ୍ମ ସମୟରେ ପ୍ରାୟ ୫୫.୭୬ ଲକ୍ଷ ହେକ୍ଟର ଚାଷ କରାଯାଉଥିଲା। ସରକାରୀ ନୀତି ଅନୁସରଣ କରି ଡାଲି ଏବଂ ତୈଳବୀଜ ଚାଷରେ ଅନୁରୂପ ବୃଦ୍ଧି ସହିତ ଧାନ ଚାଷ ହେଉଥିବା ଅଂଚଳର ପରିମାଣ ହ୍ରାସ ପାଇଛି। ବିହନ ଏବଂ ସାରର ଆବଶ୍ୟକତା ଅନୁସାରେ ସରକାର କାର୍ଯ୍ୟ  କରିଛନ୍ତି ଏବଂ ଠିକ୍ ସମୟରେ ଯୋଗାଣ ନିଶ୍ଚିତ କରିବେ। (ବିସ୍ତୃତ ଉପସ୍ଥାପନା ପାଇଁ ଏଠାରେ କ୍ଲିକ୍ କରନ୍ତୁ)

ସଚିବ (ସାର) ଆଗାମୀ ଋତୁ ନିମନ୍ତେ ସାର ଆମଦାନୀର ସ୍ଥିତି ଉପରେ ବିଚାର – ବିମର୍ଶ କରାଯାଇଛି ବୋଲି କହିଥିଲେ । ୨୦୨୩ରେ ପୁଷ୍ଟିକର – ଶସ୍ୟର ଉତ୍ପାଦନର ବୃଦ୍ଧି ଏବଂ ମାଣ୍ଡିଆ ଅନ୍ତର୍ଜାତୀୟ ବର୍ଷ ପାଳନ କରିବା ନିମନ୍ତେ କରାଯାଇଥିବା ପଦକ୍ଷେପ ନିମନ୍ତେ ବିସ୍ତୃତ ରେ କହିଥିଲେ। ଆର୍‌କେଭିିୱାଇର କ୍ୟାଫେଟେରିଆ ଦୃଷ୍ଟିକୋଣ ଏବଂ କୃଷି ଯନ୍ତ୍ରାଂଶକରଣ ନିମନ୍ତେ ଉପ ଯୋଜନା ଗୁଡିକୁ ରାଜ୍ୟ ଗୁଡିକର ଲାଭ ନିମନ୍ତେ ଆବଂଟନ କରାଯାଇଛି । ଡିଜିଟାଲ୍ କୃଷି, ପିଏମ୍ – କିଷାନ ଏବଂ ପ୍ରାକୃତିକ କୃଷି ଉପରେ ମଧ୍ୟ ସେ କହିଥିଲେ।

ଅତିରିକ୍ତ ସଚିବ (କୃଷି) ଏବଂ ଡିଏ ଆଣ୍ଡ ଏଫ୍‌ଡବ୍ଲ୍ୟୁ, ଆଇସିଏଆର୍‌ର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ରାଜ୍ୟର ସରକାରୀ ଅଧିକାରୀମାନେ ଜାତୀୟ ସମ୍ମିଳନୀରେ ଭାଗ ନେଇଥିଲେ। ଗୁଜରାଟ, ଆସାମ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଉତର ପ୍ରଦେଶ ରାଜ୍ୟ ଗୁଡିକରେ ନିଜର ପ୍ରଗତି ସମ୍ପର୍କରେ କହିଥିଲେ। ଏହା ପରେ ସମସ୍ତ ରାଜ୍ୟର କୃଷି ଉତ୍ପାଦନ ଆୟୁକ୍ତ ଏବଂ ପ୍ରଧାନ ସଚିବଙ୍କ ସହିତ କଥାବାର୍ତା ଅଧିବେଶନ ଆୟୋଜନା କରାଯାଇଥିଲା, ଯାହ ଫଳରେ ଖରିଫ ଋତୁ ସମୟରେ କ୍ଷେତ୍ରର କଭରେଜ୍‌, ଉତ୍ପାଦନ ଏବଂ ଉତ୍ପାଦକତାରେ ବୃଦ୍ଧି ନିମନ୍ତେ ନିଜ ରାଜ୍ୟ ସମ୍ବନ୍ଧିତ ପ୍ରସଙ୍ଗକୁ ଉଠା ଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର

ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା କୃଷକଙ୍କ କୌଣସି ତଥ୍ୟ ନାହିଁ, ମିଳିବନି କ୍ଷତିପୂରଣ: କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସମ୍ପର୍କରେ ଏବଂ ସେମାନଙ୍କ ବିରୋଧରେ ପଞ୍ଜୀକୃତ ମାମଲା ସମ୍ପର୍କରେ ସୂଚନା ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏପରି ପରିସ୍ଥିତିରେ ଆର୍ଥିକ ସହାୟତା ଅର୍ଥାତ୍ କାହାକୁ କ୍ଷତିପୂରଣ ଦେବା ପ୍ରଶ୍ନ ଉଠେ ନାହିଁ। ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲୋକସଭାରେ ଏହି ଲିଖିତ ଉତ୍ତର ଦେଇଛନ୍ତି।

ସଂସଦରେ ପ୍ରଶ୍ନ ଉଠିଥିଲା ​​ଯେ, ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପାଖରେ ସରକାରଙ୍କର କୌଣସି ତଥ୍ୟ ଅଛି କି ନାହିଁ ଏବଂ ସରକାର ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଚିନ୍ତା କରୁଛନ୍ତି କି? ଏହାର ଜବାବରେ କୃଷି ମନ୍ତ୍ରୀଙ୍କ ଏହି ଉତ୍ତର ଆସିଛି। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର କୃଷକ ନେତାଙ୍କ ସହ ୧୧ ପର୍ଯ୍ୟାୟ ଆଲୋଚନା କରିଥିଲେ। କିନ୍ତୁ ସମାଧାନ ହୋଇପାରିନଥିଲା।

Categories
ଆଜିର ଖବର ଜାତୀୟ ଖବର

କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ କଣ କହିଲେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, “ପ୍ରଧାନମନ୍ତ୍ରୀ ସଂସଦରେ ୩ ଟି ବିଲ୍ ଆଣିଥିଲେ। ଏହା କୃଷକମାନଙ୍କୁ ଉପକୃତ କରିଥାନ୍ତା। କିନ୍ତୁ ମୁଁ ଦୁଃଖିତ ଯେ, ଏହି ନୂତନ ଆଇନର ଲାଭ ଦେଶର କିଛି କୃଷକଙ୍କ ନିକଟରେ ପହଞ୍ଚାଇବାରେ ବିଫଳ ହୋଇଛୁ।

କୃଷି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “୨୦୧୪ ମସିହାରୁ କୃଷକ ଏବଂ କୃଷି ପାଇଁ ତାଙ୍କ ସରକାରର ପ୍ରତିବଦ୍ଧତା ରହିଛି। ଗତ ୭ ବର୍ଷ ମଧ୍ୟରେ କୃଷିକୁ ଉପକୃତ କରୁଥିବା ଅନେକ ନୂତନ ଯୋଜନା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଚାଷୀଙ୍କ କଲ୍ୟାଣ ପାଇଁ ସର୍ବଦା କାର୍ଯ୍ୟ କରିଆସୁଛି। ଏହାର ସୁବିଧା ଅନେକ ସ୍ଥାନରେ ଦେଖିବାକୁ ମିଳିଛି।

ସେ କହିଛନ୍ତି ଯେ, ଅନେକ ଚାଷୀ ମଧ୍ୟ ଏହାର ଲାଭ ପାଇଛନ୍ତି। ଆମ ଦେଶର ଚାଷୀଙ୍କ ପାଇଁ ଯେଉଁ ପ୍ରତିବନ୍ଧକ ରହିଛି ତାହା ହଟାଇବାକୁ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି। ସେଥିପାଇଁ ଆମେ ନୂଆ କୃଷି ଆଇନ ଆଣିଥିଲୁ। କିନ୍ତୁ ଆମେ କିଛି କୃଷକଙ୍କୁ ଏହି ନିୟମ ବ୍ୟାଖ୍ୟା କରିବାରେ ସଫଳ ହୋଇପାରିଲୁ ନାହିଁ। ଯାହାଫଳରେ ଏହି ଆଇନକୁ ରଦ୍ଦ କରିବାକୁ ପଡିଲା।