ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ @୨୦୪୭ ଅନ୍ତର୍ଗତ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଲାଗି ଦେଶରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରଣାଳୀକୁ ଆହୁରି ମଜବୁତ କରିବା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ସହିତ ମିଶି ବିପର୍ଯ୍ୟୟ ପ୍ରଶମନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା।
ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦେଶରେ ବିପର୍ଯ୍ୟୟ ପରିଚାଳନା ପାଇଁ ୮ହଜାର କୋଟି ଟଙ୍କାରୁ ଅଧିକ ସହାୟତା ରାଶି ସହିତ ତିନୋଟି ପ୍ରମୁଖ ଯୋଜନାର ଘୋଷଣା କରିଛନ୍ତି –
୧- ରାଜ୍ୟରେ ଅଗ୍ନିଶମ ସେବାର ବିସ୍ତାର ଏବଂ ଆଧୁନିକୀକରଣ ପାଇଁ ୫ ହଜାର କୋଟି ଟଙ୍କାର ପ୍ରକଳ୍ପ
୨- ସହରରେ ବନ୍ୟାର ବିପଦକୁ ହ୍ରାସ କରିବା ଲାଗି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସାତଟି ମହାନଗର- ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ ଏବଂ ପୁଣେ ପାଇଁ ୨୫୦୦ କୋଟି ଟଙ୍କାର ପରିଯୋଜନା ଏବଂ
୩- ଭୂ-ସ୍ଖଳନ ପ୍ରଶମନ ଲାଗି ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୮୨୫ କୋଟି ଟଙ୍କାର ଜାତୀୟ ଭୂ-ସ୍ଖଳନ ବିପଦ ପ୍ରଶମନ ପ୍ରକଳ୍ପ
ସେ କହିଥିଲେ ଯେ, ବିପର୍ଯ୍ୟୟ କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବନହାନି ଯେପରି ନହୁଏ ସେଥିପାଇଁ ଆମର ପ୍ରୟାସ ହେବା ଉଚିତ୍, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗତ ୫ ବର୍ଷ ମଧ୍ୟରେ ସବୁ ରାଜ୍ୟ ଏହି ଲକ୍ଷ୍ୟ ପ୍ରାପ୍ତି ଦିଗରେ ପ୍ରୟାସ କରିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଆଜିର ବୈଠକରେ ହୋଇଥିବା ଆଲୋଚନା ଜାତୀୟ ସ୍ତରରେ ନୀତି ପ୍ରସ୍ତୁତ କରିବା ଏବଂ ସେଥିରେ ପରିବର୍ତ୍ତନ ଆଣିବା ଲାଗି ମହତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ବିଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଯଥେଷ୍ଟ ସଫଳତା ହାସଲ କରିଛନ୍ତି, କିନ୍ତୁ ଆମେ ଏଥିରେ ସନ୍ତୁଷ୍ଟ ହୋଇ ବସିଯିବା ଉଚିତ୍ ନୁହେଁ। ସେ ଆହୁରି କହିଥିଲେ ଯେ, ‘‘ବିପର୍ଯ୍ୟୟର ସ୍ୱରୂପ ବଦଳିଛି, ସେଗୁଡ଼ିକୁ ଫ୍ରିକୁଏନ୍ସି ଏବଂ ତୀବ୍ରତା ମଧ୍ୟ ବଢ଼ିଛି, ସେଥିପାଇଁ ଆମକୁ ନିଜ ପ୍ରସ୍ତୁତିକୁ ଅଧିକ ଦକ୍ଷ ଏବଂ ବ୍ୟାପକ କରିବାକୁ ହେବ। ଏବେ ଅନେକ ସ୍ଥାନରେ ନୂଆ ବିପର୍ଯ୍ୟୟ ଆସୁଛି, ସେଥିପାଇଁ ମଧ୍ୟ ଆମେ ନିଜକୁ ପ୍ରସ୍ତୁତ କରିବା ଉଚିତ୍।
ଶ୍ରୀ ଶାହା କହିଥିଲେ ଯେ ୨୦୦୪ ପରେ ଭାରତରେ ବିପର୍ଯ୍ୟୟ ପ୍ରଶମନ ଉପରେ ରାଷ୍ଟ୍ରୀୟ ସ୍ତରରେ ବ୍ୟାପକ ବିଚାରବିମର୍ଶ ପରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏହା ଉପରେ ଏକ ସାମୂହିକ ଉତ୍ତରଦାୟିତ୍ୱ ଏବଂ ପ୍ରତିକ୍ରିୟା ନିର୍ଦ୍ଧାରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ କୋଭିଡ ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଏକ ସଙ୍ଗେ ମିଶି ଶତାବ୍ଦୀର ସବୁଠୁ ଭୀଷଣ ମହାମାରୀକୁ ସଫଳତା ପୂର୍ବକ ମୁକାବିଲା କରିଥିଲେ। ଏହି କଠିନ ସମୟରେ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ସରକାର, ରାଜ୍ୟ ଓ ଜନସାଧାରଣ ମିଶି ମୁକାବିଲା କରିବାର ଏକ ଉତ୍କୃଷ୍ଟ ଉଦାହରଣ ବିଶ୍ୱ ସମ୍ମୁଖରେ ରଖିଥିଲେ। ଶ୍ରୀ ଶାହା କହିଥିଲେ ଯେ, ମୋଦୀ ସରକାର ୨୨୦ କୋଟିରୁ ଅଧିକ ମାଗଣା କରୋନା ଟିକା ଦେଇଥିଲେ, କୋଟି କୋଟି ଗରିବ ଲୋକଙ୍କ ଖାଦ୍ୟ ବ୍ୟବସ୍ଥା କରିଥିଲେ, ଲକ୍ଷାଧିକ ଶ୍ରମିକମାନଙ୍କୁ ସେମାନଙ୍କ ବାସସ୍ଥାନକୁ ଫେରିବାରେ ସହଯୋଗ କରିଥିଲେ ଏବଂ ଡିବିଟି ଜରିଆରେ ସେମାନଙ୍କ ଚିନ୍ତା ଦୂର କରିବାର ବ୍ୟବସ୍ଥା କରିଥିଲେ।
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, କିଛି ବର୍ଷ ପୂର୍ବରୁ ବିପର୍ଯ୍ୟୟ ପ୍ରତି ଆମର ଦୃଷ୍ଟିକୋଣ ସହାୟତା କୈନ୍ଦ୍ରିକ ଏବଂ ପ୍ରତିକ୍ରିୟାଶୀଳ ରହୁଥିଲା, ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ନେତୃତ୍ୱରେ ୯ ବର୍ଷରେ ଆଗୁଆ ଚେତାବନୀ ପ୍ରଣାଳୀ, ନିରାକରଣ, ପ୍ରଶମନ ଏବଂ ପୂର୍ବ ପ୍ରସ୍ତୁତି ଆଧାରିତ ବିପର୍ଯ୍ୟୟ ପ୍ରଶମନକୁ ଆମେ ସାମୂହିକ ପରିଶ୍ରମ ଏବଂ ପ୍ରୟାସ ସହିତ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିଛୁ। ସେ କହିଥିଲେ, ମୋଦୀ ସରକାର ୩୫୦ ରୁ ଅଧିକ ଉଚ୍ଚ ବିପଦ ସମ୍ଭାବ୍ୟ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ଯୁବ ସ୍ୱେଚ୍ଛାସେବୀଙ୍କୁ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି, ଏହାଦ୍ୱାରା ବିପର୍ଯ୍ୟୟ ସମୟରେ ଆମକୁ ବହୁତ ଭଲ ପରିଣାମ ମିଳୁଛି।
ଶ୍ରୀ ଶାହା କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସକ୍ରିୟ ଭାବେ ବିଗତ ଚାରି ବର୍ଷ ମଧ୍ୟରେ ମାତ୍ର ୧୦ ଦିନ ଭିତରେ ୭୩ ଥର ଆଇଏମସିଟିର ଦଳ ପଠାଇ ରାଜ୍ୟମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ପ୍ରୟାସ କରିଛନ୍ତି। ସେ କହିଥିଲେ ଯେ, ୨୦୦୫ରୁ ୨୦୦୬ ଠାରୁ ୨୦୧୩-୧୪ ପର୍ଯ୍ୟନ୍ତ ଏବଂ ୨୦୧୪-୧୫ ଠାରୁ ୨୦୨୨-୨୩ ପର୍ଯ୍ୟନ୍ତ ୯ ବର୍ଷ ମଧ୍ୟରେ ତୁଳନା କଲେ ଏସଡିଆରଏଫକୁ ଜାରି ହେଉଥିବା ୩୫,୮୫୮ କୋଟି ଟଙ୍କା ଏବେ ପ୍ରାୟ ତିନି ଗୁଣା ବୃଦ୍ଧି ପାଇ ୧,୦୪,୭୦୪ କୋଟି ଟଙ୍କାରେ ପହଞ୍ଚିଛି।
ଏହାବ୍ୟତୀତ ଏନଡିଆରଏଫରୁ ଜାରି ହେଉଥିବା ଅର୍ଥରାଶି ୨୫,୦୦୦ କୋଟି ଟଙ୍କାରୁ ପ୍ରାୟ ତିନି ଗୁଣ ବୃଦ୍ଧି ପାଇ ୭୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଏହି ସକ୍ରିୟ ଆଭିମୁଖ୍ୟ କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରେ ସହାୟତା ଓ ଥଇଥାନ କ୍ଷେତ୍ରରେ ବଜେଟ୍ ପରିମାଣକୁ ବଢ଼ାଇଛନ୍ତି। ୨୦୨୧ରେ କେନ୍ଦ୍ର ସରକାର ୧୬ ହଜାର ୭୦୦ କୋଟି ଟଙ୍କାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଗଠନ କରିଥିଲେ ଏବଂ ଏସଡିଆରଏଫ ଅଧୀନରେ ୩୨ ହଜାର କୋଟି ଟଙ୍କା ପ୍ରଶମନ ଗତିବିଧି ପାଇଁ ସଂରକ୍ଷିତ ରଖିଥିଲେ।
ଶ୍ରୀ ଶାହା କହିଥିଲେ ଯେ ଇଣ୍ଡିଆ ଡିଜାଷ୍ଟର ରିସୋର୍ସ ନେଟୱର୍କର ଦେଶବ୍ୟାପୀ ତାଲିକା ପ୍ରସ୍ତୁତ ହୋଇଛି ଏବଂ ଏଥିରେ ଏକ ଲକ୍ଷ ନୂଆ ରେକର୍ଡ ଦାଖଲ କରାଯାଇଛି । ୩୫୪ କୋଟି ଟଙ୍କାରେ ସାଧାରଣ ଚେତାବନୀ ପ୍ରୋଟୋକଲକୁ ଏସଏମଏସ ଜରିଆରେ ଲାଗୁ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ସୂଚନା ପ୍ରଣାଳୀ ପୋର୍ଟାଲ, ୧୧୨ ଜରୁରିକାଳୀନ ମୁକାବିଲା ସହାୟତା ପ୍ରଣାଳୀ ଭଳି ପଦକ୍ଷେପ ଅତ୍ୟନ୍ତ ଉପଯୋଗୀ ହୋଇପାରିଛି।
ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପ୍ରଶମନ ପୁରସ୍କାର ମାଧ୍ୟମରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଯୋଗଦାନ ଦେଉଥିବା ବ୍ୟକ୍ତି ଓ ସଂସ୍ଥାକୁ ପୁରସ୍କୃତ କରିବାର ପରମ୍ପରା ଆରମ୍ଭ କରିଛନ୍ତି। ଏହାଦ୍ୱାରା ନିଶ୍ଚିତ ଭାବେ ଏହି କ୍ଷେତ୍ରରେ କାମ କରୁଥିବା ଲୋକ ଏବଂ ସଂସ୍ଥାର ଉତ୍ସାହ ବୃଦ୍ଧି ପାଇଛି।
କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଦେଶରେ ବନ୍ୟା ପରିଚାଳନା ଲାଗି ଇସ୍ରୋ ଦ୍ୱାରା ଉତ୍ତର ପୂର୍ବାଞ୍ଚଳରେ ୨୭୧ଟି ଆର୍ଦ୍ରଭୂମି ଚିହ୍ନଟ କରାଯାଇଛି। ଆଇଏମଡି ଦ୍ୱାରା ବର୍ଷାର ସମ୍ଭାବନା ଏବଂ ଏହାର ଆଧାରରେ ହେଉଥିବା ବନ୍ୟାର ସୂଚନା ପୂର୍ବରୁ ତିନି ଦିନ ଆଗରୁ ପଠାଯାଉଥିଲା, ତାହା ଏବେ ୫ ଦିନ ପୂର୍ବରୁ ଦିଆଯାଉଛି। ଯାହାଫଳରେ ସୁରକ୍ଷା ପାଇଁ ଅତିରିକ୍ତ ସମୟ ମିଳୁଛି। ଏହାକୁ ଆସନ୍ତା ବର୍ଷ ସୁଦ୍ଧା ୭ଦିନ ପର୍ଯ୍ୟନ୍ତ ବଢ଼ାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ କହିଥିଲେ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ବନ୍ୟା ଆସୁଥିବା ୧୩ଟି ପ୍ରମୁଖ ନଦୀ କୂଳରେ ଗଛ ଲଗାଇ ବନ୍ୟା ନିୟନ୍ତ୍ରଣ କରାଯାଇଛି।
ଅମିତ ଶାହା କହିଥିଲେ, ଦେଶର ଯେଉଁସବୁ ରାଜ୍ୟରେ ଆଣବିକ ଶକ୍ତି କେନ୍ଦ୍ର ତିଆରି ହେଉଛି ସେଠାରେ ଏନଡିଆରଏଫ ଦ୍ୱାରା ୭ ପାୱାର ପ୍ଲାଣ୍ଟ ସାଇଟ୍ ଗସ୍ତ ଆୟୋଜନ କରାଯାଇଛି ଏବଂ ଯେକୌଣସି ପ୍ରକାର ବିପର୍ଯ୍ୟୟ ସ୍ଥିତିରେ ଲୋକମାନଙ୍କ ସୁରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ଲାଗି ରାଜ୍ୟମାନଙ୍କୁ ପଠାଯାଇଛି। ଶ୍ରୀ ଶାହା ରାଜ୍ୟର ମନ୍ତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ଏହାକୁ ନିଜର ପ୍ରାଥମିକତା ଭାବେ ଗ୍ରହଣ କରନ୍ତୁ ଏବଂ ସେଠାରେ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରନ୍ତୁ।
ସେ କହିଥିଲେ ଯେ ଗ୍ରୀଷ୍ମ ଋତୁ ସ୍ଥିତି ପାଇଁ ୨୩ଟି ରାଜ୍ୟରେ କର୍ମଶାଳା ଆୟୋଜନ କରାଯାଉଛି। ଶ୍ରୀ ଶାହା ଏହା ମଧ୍ୟ କହିଥିଲେ ଯେ କିଛି ରାଜ୍ୟମାନଙ୍କ ଦ୍ୱାରା କୃଷକମାନଙ୍କୁ କ୍ଷତିପୂରଣ ଦେବା ପାଇଁ ପରାମର୍ଶ ଦିଆଯାଇଛି, ସରକାର ଏହାକୁ ନିଶ୍ଚିତ ଭାବେ ଗମ୍ଭୀରତା ପୂର୍ବକ ବିଚାର କରିବେ। ଏଥିସହିତ ରାଜ୍ୟମାନେ ମଧ୍ୟ ନିଜ ବଜେଟ୍ ବ୍ୟବସ୍ଥା ବଢ଼ାଇବା ଉଚିତ୍ । ସବୁ ରାଜ୍ୟ ଆଦର୍ଶ ଅଗ୍ନିଶମ ବିଧେୟକକୁ ଆପଣାଇବା ଏବଂ ରାଜ୍ୟମାନଙ୍କରେ ଏକ ସମାନ ଆଇନ ଆଣିବା ପାଇଁ ଶ୍ରୀ ଶାହା ପରାମର୍ଶ ଦେଇଥିଲେ।
ସେ କହିଥିଲେ ଯେ ୮ଟି ରାଜ୍ୟର ୮୭ ଜିଲ୍ଲାରେ ଏବେ ସୁଦ୍ଧା ଜିଲ୍ଲା ବିପର୍ଯ୍ୟୟ ପ୍ରଶମ ଯୋଜନା ପ୍ରସ୍ତୁତ ହୋଇପାରି ନାହିଁ। ଏହାକୁ ଶୀଘ୍ର ପୂରଣ କରାଯିବା ଉଚିତ୍। ସେ କହିଥିଲେ ଯେ କାଳବୈଶାଖୀ ଏବଂ ବଜ୍ରପାତ ମୁକାବିଲା ପାଇଁ ରାଜ୍ୟସ୍ତରୀୟ କାର୍ଯ୍ୟ ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ପଠାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇନାହାନ୍ତି। ସବୁ ରାଜ୍ୟ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ଶାହା କହିଥିଲେ। କେହି ଜଣେ ଲୋକ ଯେମିତି ବଜ୍ରପାତ ଯୋଗୁ ପ୍ରାଣ ହରାଇବେ ନାହିଁ ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ହେବ ସେଥିପାଇଁ ସବୁ ରାଜ୍ୟ ଏ ଦିଗରେ ଧ୍ୟାନ ଦେବା ଉଚିତ୍।
ସେହିପରି ଶୀତ ଲହରୀ ଏବଂ ତୁଷାରପାତ ମୁକାବିଲା ପାଇଁ ରାଜ୍ୟସ୍ତରୀୟ କାର୍ଯ୍ୟ ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ପଠାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୬ରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇନାହାନ୍ତି। ଏସବୁ ରାଜ୍ୟ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ଶାହା କହିଥିଲେ।
ବୈଠକ ଅବସରରେ ବିପର୍ଯ୍ୟୟ ପ୍ରାକ୍ପ୍ରସ୍ତୁତି, ପ୍ରଶମନ, ପ୍ରତିକ୍ରିୟା, ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ନିରାପତ୍ତା, ପ୍ରାରମ୍ଭିକ ଚେତାବନୀ ଏବଂ ବିସ୍ତାର ପ୍ରଣାଳୀ, ପ୍ରଶମନ ପାଣ୍ଠିର ବ୍ୟବହାର, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏସଡିଏମଏ) ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ଦ୍ୱାରା ଗୋଷ୍ଠୀ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା, ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ପ୍ରଶମନ ସମ୍ବନ୍ଧୀୟ ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ମନ୍ତ୍ରୀ ଓ ପ୍ରତିନିଧିମାନେ ବୈଠକ ଅବସରରେ ହୋଇଥିବା ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଥିଲେ। ନିଜ ରାଜ୍ୟର ସର୍ବୋତ୍ତମ ପ୍ରଥା ଏବଂ ଆହ୍ୱାନ ବିଷୟରେ ମଧ୍ୟ ସେମାନେ ବିଚାର ରଖିଥିଲେ।
ବୈଠକରେ ସହମତି ହୋଇଥିଲା ଯେ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଗତ ନଅ ବର୍ଷ ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ବୈଠକରେ ବାଧାମୁକ୍ତ କାର୍ଯ୍ୟକାରିତା ଏବଂ ସହଯୋଗୀ ଭାବନା ନେଇ ବିପର୍ଯ୍ୟୟ ମୁକାବିଲା କରିବା ଏବଂ ଜୀବନଜୀବିକା ହାନିକୁ ସର୍ବନିମ୍ନ ସ୍ତରରେ ପହଞ୍ଚାଇବା ନେଇ ନିଷ୍ପତ୍ତି ହୋଇଥିଲା।
ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ/ମନ୍ତ୍ରୀ, ଉପରାଜ୍ୟପାଳ/କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସକମାନଙ୍କ ସହିତ ରାଜ୍ୟ ସରକାର/କେନ୍ଦ୍ର ଶାସିତ ପ୍ରଦେଶର ବିପର୍ଯ୍ୟୟ ପ୍ରଶମନ ବିଭାଗର ବରିଷ୍ଠ ଅଧିକାରୀ, ଏନଡିଏମଏ ସଦସ୍ୟ, ଏନଡିଆରଏଫ ମହାନିର୍ଦ୍ଦେଶକ, ଏନଆଇଡିଏମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।