Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କୋଣାର୍କ ଉତ୍ସବର ଉଦଯାପନୀ ଦିବସ

କୋଣାର୍କ: ଆଜି କୋଣାର୍କ ଉତ୍ସବର ପଞ୍ଚମ ତଥା ଉଦଯାପନୀ ଦିବସ। କୋଣାର୍କ ଆଜି ପୃଥିବୀର ଶ୍ରେଷ୍ଠ କଳାକିର୍ତ୍ତୀ ଭାବରେ ବିଶ୍ଵ ବନ୍ଦିତ। “ବ୍ଲାକ ପାଗୋଡ଼ା”, “ସୂର୍ଯ୍ୟ ମନ୍ଦିର”, “ଅର୍କ କ୍ଷେତ୍ର” ସବୁର ମୂଳରେ କିନ୍ତୁ ପ୍ରତିଭାତ ହେଉଛି ଓଡିଶାର କଳା ସ୍ଥାପତ୍ୟର ଅପୂର୍ବ ଗାରିମା। ସିବେଇ ସାନ୍ତରାର ଶିଳ୍ପୀ କୂଳଙ୍କ କଳା ଚାତୁର୍ଯ୍ୟ, ଧରମାର ତ୍ୟାଗ, ପ୍ରସ୍ତର ଶିଳ୍ପର ଅପୂର୍ବ କାରୁକାର୍ଯ୍ୟ, ସର୍ବୋପରି ଗଙ୍ଗ ବଂଶର ରାଜା ନରସିଂହ ଦେବଙ୍କର କଳା, ସାହିତ୍ୟ ଓ ସୌନ୍ଦର୍ଯ୍ୟ ପ୍ରତି ପ୍ରତିବଦ୍ଧତା ପ୍ରକଟିତ ହୋଇଛି କୋଣାର୍କର ପ୍ରତିଟି ଶିଳା ଲିପିରେ।

ସେଇଥିପାଇଁ କୋଣାର୍କ ଆଜି ସାଜିଛି ବିଶ୍ଵ ଭାତୃତ୍ବ ର ମହାମନ୍ତ୍ର। ସବୁ ଜାତି ଧର୍ମ ବର୍ଣ୍ଣର ମହାର୍ଘ ଇତିହାସ। କୋଣାର୍କ ଚକ୍ର ହେଉ ବା କୋଣାର୍କର ଯୋଦ୍ଧା ଘୋଡା ହେଉ ବା କୋଣାର୍କର ଯୁଦ୍ଧ ପଟୁଆର ର ହାତୀ ହେଉ କି ପୁରୁଷ-ନାରୀର ମିଥୁନ ମୂର୍ତ୍ତୀ ହେଉ ସବୁଠି, ସବୁ ରୂପରେ,ସବୁ ରସରେ, ସବୁ ଛନ୍ଦରେ, ସେ ଚର୍ଚିତ,ବନ୍ଦିତ। ଓଡ଼ିଆ ପୁଅର ବୀରତ୍ୱ, ସାର୍ବଭୌମତ୍ୱ, ସୌନ୍ଦର୍ଯ୍ୟପ୍ରୀତି, କଳା ଆଉ ସଂସ୍କୃତି ମନସ୍କତା, ଜାତି ପ୍ରୀତି, ଭାଷାପ୍ରୀତି ସବୁଠି ତାର “ଅସ୍ମିତା” ର ପ୍ରତିଷ୍ଠା ହୋଇଛି। କୋଣାର୍କକୁ ନେଇ ଭାରତ ବର୍ଷର ବହୁ ସାହିତ୍ୟିକ,କବି ସେମାନଙ୍କ ଲେଖନୀ ଚାଳନା କରିଛନ୍ତି ବିଭିନ୍ନ ଭାଷାରେ ଓ ସାହିତ୍ୟରେ।

ଆଉ ସେ ସବୁ ସାହିତ୍ୟି ତ ବିଶ୍ଵ ଦରବାରରେ ପୁରସ୍କୃତ ହୋଇଛି, ସାହିତ୍ୟିକଙ୍କର ସମ୍ମାନ ପ୍ରତିଷ୍ଟିତ ହୋଇଛି ବିଶ୍ଵରେ। ଗତ ଦୁଇ ଦିନ ତଳେ ବିଶିଷ୍ଟ କଥା ଶିଳ୍ପୀ ତଥା ଶିଳାପଦ୍ମର ଉପନ୍ୟାସିକ ଡଃ. ପ୍ରତିଭା ରାୟଙ୍କର “କୋଣାର୍କ ସଙ୍ଗୀତ” କବିତା ପୁସ୍ତକ ଉନ୍ମୋଚିତ ହେବା ସହିତ ତାର ସଙ୍ଗୀତୟାନ୍ ମଧ୍ୟ ହୋଇଛି। ଓଡ଼ିଆ ସାହିତ୍ୟରେ ସଚ୍ଚି ରାଉତରାୟଙ୍କ “ଭଙ୍ଗା ମନ୍ଦିର”, “କୋଣାର୍କ” ଗୋପବନ୍ଧୁ ଦାସଙ୍କର “ଧର୍ମପଦ”, ମାୟାଧର ମାନସିଂହଙ୍କର “କୋଣାର୍କ”, “ପ୍ରେମିକ କବି”, “କୋଣାର୍କର ଲାସ୍ୟଲୀଳା “, “ମୂର୍ମୁଷୁ କୋଣାର୍କ”, ମନୋଜ୍ ଦାସଙ୍କ “କବିତା ଉତ୍କଳ” , “ଧର୍ମପଦ : ନିର୍ଭୁଲ ଠିକଣା”, ବୃନ୍ତହୀନ ଫୁଲ ସ୍ଥପତି: ସିବେଇ ସା’ନ୍ତରା”, “କୋଣାର୍କ ସନ୍ଧ୍ୟାରେ,” “କଳା ପାହାଡର ତୃଷ୍ଣା”, “ରାମଚଣ୍ଡୀ”, ପ୍ରତିଭା ରାୟଙ୍କର “ଶିଳାପଦ୍ମ” ଏହା ବ୍ୟତୀତ ବହୁ ତରୁଣ କବିଙ୍କ କବିତାରେ କୋଣାର୍କ ପ୍ରେମ ଓ ପ୍ରଣୟର, ବିରହ ଓ ବିଚ୍ଛେଦର ଭିନ୍ନ ଏକ ରୂପରେ ମନ୍ତ୍ରୀତ୍ୱ ହୋଇଛି।

ଆଜି ଅନ୍ତିମ ଦିନର ପ୍ରଥମ ପର୍ଯ୍ୟାୟରେ କଲିକତାରୁ ଆସିଥିବା ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଡ଼ୋନା ଗାଙ୍ଗୁଲୀ ଓ ତାଙ୍କ “ଦୀକ୍ଷା ମଞ୍ଜରି” ଅନୁଷ୍ଠାନର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଓଡିଶୀ ନୃତ୍ୟ। ନୃତ୍ୟ ଗୁରୁ ପଦ୍ମ ବିଭୂଷଣ ଶ୍ରୀଯୁକ୍ତ କେଳୁଚରଣ ମହାପାତ୍ରଙ୍କର ଶିଷ୍ୟା ଶ୍ରୀମତୀ ଗାଙ୍ଗୁଲୀ ଦୀର୍ଘ ପଚିଶ ବର୍ଷ ଧରି ଶିକ୍ଷାଲାଭ କରିବା ପରେ ନିଜର ପ୍ରତିଷ୍ଠାନ ଦୀକ୍ଷା ମଞ୍ଜରିକୁ ରୂପ ଦେଇଥିଲେ ପ୍ରଖ୍ୟାତ ଗାୟୀକା ଲତା ମଙ୍ଗେସକରଙ୍କର କର କମଳରେ। ବହୁ ସମ୍ମାନର ଅଧିକାରୀ ଡ଼ୋନା ତାଙ୍କ ଓଡ଼ିଶୀ ନୃତ୍ୟ ଶୈଳୀକୁ “ସୂର୍ଯ୍ୟବନ୍ଦନା”, ମଙ୍ଗଳା ଚରଣ – ଶାନ୍ତାକାରମ, ପଲ୍ଲବୀ- ସବେରି ଏବଂ ଦୁର୍ଗା ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟର ରୂପ, ରସ, ଛନ୍ଦ, ରାଗ ନୃତ୍ୟାଙ୍ଗନାମାନଙ୍କ ଅଙ୍ଗାରାଗ ଓ ରୂପ ଲାବଣ୍ୟରେ ଅତ୍ୟନ୍ତ ମନମୁଗ୍ଧକର ଭାବରେ ଫୁଟି ଉଠିଥିଲା। ନୃତ୍ୟ ନିର୍ଦ୍ଦେଶନାରେ ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ରତିକାନ୍ତ ମହାପାତ୍ର ଓ ଡ଼ୋନା ଗାଙ୍ଗୁଲୀ ଥିବା ବେଳେ ସଙ୍ଗୀତରେ ସହଯୋଗ କରିଥିଲେ ପଣ୍ଡିତ ଭୁବନେଶ୍ଵର ମିଶ୍ର ଓ ଗୁରୁ ଦେବାଶିଷ ସର୍କାର।

ଦ୍ୱିତୀୟରେ ତଥା କୋଣାର୍କ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ଭାରତନାଟ୍ୟମ୍ ନୃତ୍ୟ ପରିବେଷିତ ହୋଇଥିଲା। ସୁଦୂର ଦିଲ୍ଲୀରୁ ଆସିଥିବା ଗୁରୁ ଗୀତା ଚନ୍ଦ୍ରନ ଓ ତାଙ୍କ ନାଟ୍ୟ ବୃକ୍ଷ ଡାନ୍ସ କଲେକ୍ଟଟିଭ୍ ଅନୁଷ୍ଠାନର ଶିଳ୍ପୀ ବୃନ୍ଦଙ୍କ ଦ୍ଵାରା। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ପୁରସ୍କୃତ ଏବଂ ବହୁ ଅନୁଷ୍ଠାନ ଦ୍ଵାରା ସମ୍ମାନିତା ପଦ୍ମଶ୍ରୀ ଗୀତା ଚନ୍ଦ୍ରନଙ୍କର ଭାରତନାଟ୍ୟମ୍ ନୃତ୍ୟ ଦର୍ଶକଙ୍କର ଦେହ ମନ ପ୍ରାଣକୁ ଛୁଇଁ ଯାଇଥିଲା। ଦୀର୍ଘ ପଚାଶ ବର୍ଷର ଅଭିଜ୍ଞତା ତାଙ୍କୁ ଏବଂ ତାଙ୍କ ପ୍ରତିଷ୍ଠାନର ଭାରତନାଟ୍ୟମ୍ ନୃତ୍ୟ ଶୈଳୀ ପ୍ରତି ଗଭୀର ଅନୁରାଗ ପ୍ରମାଣ କରୁଥିଲା  ମଲ୍ଲାରି, ସକ୍ଷୀ- ସ୍ୱରମ ଓ “ରାସ” ମଧ୍ୟରେ “ପ୍ରଭାହତୀ” ନୃତ୍ୟ ଶୈଳୀ ଓ ନୃତ୍ୟ ସଂରଚନା ଭାରତନାଟ୍ୟମ୍ ନୃତ୍ୟରେ ଜୀବନ୍ୟାସ ଦେଉଥିଲା ଆଉ ଦର୍ଶକ ମାନଙ୍କୁ ଅଭିଭୂତ କରାଇଥିଲା।

ଅନ୍ତିମ ଦିନରେ ଆନ୍ତର୍ଜାତୀୟ ବାଲୁକା କଳାର ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟ ବସ୍ତୁ ଥିଲା ମାଣବସା ଗୁରୁବାର, ମହିଳାମାନଙ୍କ ପାଇଁ ଥିଲା ବୈଷୟିକ ଉତ୍ତାପ ଏବଂରାଜ୍ୟ ବାହାରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କ ପାଇଁ ବିଷୟ ବସ୍ତୁ ଥିଲା ମନ୍ଦିର ମାଲିନୀ ଓଡିଶା। ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ କୂଳଙ୍କର କଳା ନୈପୁଣ୍ୟତା, ପ୍ରକୃତି କୋଳରେ ତଲ୍ଲିନ ହେବା ପ୍ରକ୍ରିୟା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲା। ବାଲି ଘର ଭାଙ୍ଗି ଯିବାର ମରମି ଦୁଃଖରେ ସେମାନେ ଓ ସେମାନଙ୍କ ଅଗଣିତ ପ୍ରଶଂସକଙ୍କ ମନ ଉଣା ହୋଇଯାଇଥିଲା କଳାର ପୂଜାରୀମାନଙ୍କ ଦରଦୀ ହୃଦୟକୁ ଭେଟି। ପୁଣି ପାଇଁ ଗୋଟିଏ ବର୍ଷର ଅପେକ୍ଷା ଓ ପ୍ରତୀକ୍ଷା ରଖୁଥିଲା ଚନ୍ଦ୍ରଭାଗର ବାଲୁକା ବେଳାଭୂମି ଓ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ।
କୋଣାର୍କ ଉତ୍ସବର ଆଜି ଉଦ୍ଯଯାପନୀ ଦିବସର ମୁଖ୍ୟ ଅତିଥି ଭାବେ ଓଡିଶାର ପ୍ରମୁଖ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ରାହୁଲ କରନ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବିଶ୍ଵଜିତ ରାଉତରାୟ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳକ ଡ଼. ଲଲାଟେନ୍ଦୁ ସାହୁ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଭାଗ୍ୟଲିପି ମଲ୍ଲ ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଓ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ପର୍ଯ୍ୟଟନ ବିଭାଗର ଅଧିକାରୀଗଣ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀଗଣ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ଅଧିକାରୀଗଣ ଉତ୍ସବଟିକୁ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ। ଉତ୍ସବଟିକୁ ସଂଯୋଜନା କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଶୋଭନା ମିଶ୍ର।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

କୋଣାର୍କ ଉତ୍ସବର ଦ୍ବିତୀୟ ସଂଧ୍ୟାରେ ଓଡିଶୀ ସହିତ ପରିବେଷଣ ହେଲା ମଣିପୁରୀ

ଭୁବନେଶ୍ବର: କୋଣାର୍କ ଉତ୍ସବର ଦ୍ବିତୀୟ ସଂଧ୍ୟାରେ ପରିବେଷଣ ହୋଇଥିଲା ମଣିପୁରୀ ଏବଂ ଓଡିଶୀ ନୃତ୍ୟ। ପ୍ରଥମେ ଆରମ୍ଭ ହୋଇଥିଲା ମଣିପୁରୀ। ଭାରତର ପ୍ରସିଦ୍ଧ ମଣିପୁରୀ ନୃତ୍ୟାଙ୍ଗନା ଶ୍ରୀମତୀ ପ୍ରୀତି ପଟେଲ ଓ ତାଙ୍କ ସାଥିମାନେ ମଣିପୁରୀ ନୃତ୍ୟ ଶୈଳୀରେ “ନାଚେମଲେଇ” ନୃତ୍ୟ ପରିବେଷଣ କରିଥିଲେ।

ଫୁଲର ବିଭିନ୍ନ ରୂପ ଓ ବିଭବକୁ ମଣିପୁରୀ ନୃତ୍ୟ ଶୈଳୀରେ ପରିବେଷଣ କରି ଶିଳ୍ପୀମାନେ ସେମାନଙ୍କ କଳା ନୈପୁଣ୍ୟ ସହିତ ଭକ୍ତି ଭାବ,ପ୍ରେମ ଭାବ,ନିର୍ଭୟ ଭାବ ଓ ତ୍ୟାଗ ଭାବର ଏକ ନିର୍ମଳ ଛନ୍ଦ କୁ ତୋଳି ଧରିଥିଲେ। ଶ୍ରୀମତୀ ପ୍ରୀତି ପଟେଲଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାରେ ଏବଂ ଏସ କରୁଣା ଦେବୀ ଓ ଥ. ଇମୋଚା ସିଂହ ଙ୍କ ସହଯୋଗରେ ଏହି ଅପୂର୍ବ ନୃତ୍ୟ ଶୈଳୀଟି ପ୍ରସ୍ତୁତ ହୋଇଥିଲା।

ଦ୍ୱିତୀୟ ଭାଗରେ ପରିବେଷଣ ହୋଇଥିଲା କଲିକତାରୁ ଆସିଥିବା ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁମା ଆଲୋକା କାନୁନଗୋ ଙ୍କ ଶିଂଜନ ନୃତ୍ୟାଳୟର ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ। ସେମାନେ “ବନ୍ଦେ ମାତରମ୍”, “ତାରା ପଲ୍ଲବୀ” ଓ“ସୂର୍ଯ୍ୟଲାବଣ୍ୟ” ତିନୋଟି ନୃତ୍ୟ ବିଭବକୁ ଓଡ଼ିଶୀ ମାଧ୍ୟମରେ ପରିବେଷଣ କରିଥିଲେ।

ଓଡ଼ିଶୀ ନୃତ୍ୟର ଲାଳିତ୍ୟ, ମାଧୁର୍ଯ୍ୟ ଓ ଭଙ୍ଗିମା ଥିଲା ବେଶ୍ ଉଚ୍ଚକୋଟୀର। ନୃତ୍ୟ ନିର୍ଦ୍ଦେଶନା ଓ ପରିକଳ୍ପନାରେ ଶ୍ରୀମତୀ ଆଲୋକା କାନୁନଗୋ, ସଙ୍ଗୀତରେ ଲକ୍ଷ୍ମୀକାନ୍ତ ପାଲିତ୍, ହିମାଂଶୁ ସ୍ଵାଇଁ, ସୁଶ୍ରୀ ସଙ୍ଗୀତା ପଣ୍ଡା ଓ ଧନେଶ୍ୱର ସ୍ଵାଇଁ ସହଯୋଗ କରିଥିଲେ।

ଆଜି କୋଣାର୍କ ଉତ୍ସବର ତୃତୀୟ ଦିନ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ କଲିକତାର ଦର୍ପଣ ଅନୁଷ୍ଠାନର ଗୁରୁ ଅର୍ଣ୍ଣବ ବନ୍ଦୋପାଧ୍ୟାୟ ଓ ସାଥୀବୃନ୍ଦ । ଦ୍ୱିତୀୟ ପର୍ଯ୍ୟାୟରେ ମୋହିନୀୟାଟ୍ଟମ୍ ପରିବେଷଣ କରିବେ ସୁଦୂର ଆମେରିକାରୁ ଆସିଥିବା ଡ. ସୁନନ୍ଦା ନାୟାର ଓ ସାଥୀବୃନ୍ଦ।

ଦ୍ୱିତୀୟ ଦିନର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ ଉଦଘାଟନ କରିଛନ୍ତି ତାଙ୍କ ସହିତ ସୁପ୍ରିମ କୋର୍ଟର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ଓ ଓଡିଶାର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଚକ୍ରଧର ଶରଣ ସିଂହ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ବଳୱନ୍ତ ସିଂହ, ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ଶ୍ରୀଯୁକ୍ତ ପରମେଶ୍ଵର ଫଙ୍କ୍ଓ୍ୱାଲ୍ ଓ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କୋଣାର୍କ ଉତ୍ସବ ସହିତ ଆରମ୍ଭ ହେଲା ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଭୁବନେଶ୍ବର: ପ୍ରତିବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଉଛି ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ବିଗତ 14 ବର୍ଷ ଧରି । ଚନ୍ଦ୍ରଭାଗା କୂଳରେ ଓ କୋଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ। ଏ ବର୍ଷ ଆମ ଭାରତ ବର୍ଷରୁ ପ୍ରାୟ 121 ଜଣ ଶିଳ୍ପି ଯୋଗ ଦେଇଛନ୍ତି, ସେଥିରୁ 36 ଜଣ ମହିଳା ଓ 85 ଜଣ ପୁରୁଷ। ସ୍ପେନ୍, ଜର୍ମାନ୍, ରୁଷିଆ, ପର୍ତ୍ତୁଗାଲ, ଶ୍ରୀଲଙ୍କା, ମେକ୍ସିକୋ, ଜାପାନ ଓ ୟୁକେ ରୁ ପ୍ରାୟ 8 ଜଣ ବିଦେଶୀ ବାଲୁକା ଶିଳ୍ପି ଆସି ପହଞ୍ଚିଛନ୍ତି।

ଆଜି କୋଣାର୍କର ପ୍ରଥମ ଦିନରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ। ଜଗନ୍ନାଥ ଅଷ୍ଟକମ୍, ଭାବରଙ୍ଗ ଓ ଶକ୍ତି ଏହି ତିନୋଟି ନୃତ୍ୟ ଶୈଳୀକୁ ଏକ ଅପୂର୍ବ ଭାବା ବେଗରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟ ଶୈଳୀର ଲାସ୍ୟ, ଭଙ୍ଗି, ମୁଦ୍ରା ଓ ଲାଳିତ୍ୟର ପରିପ୍ରକାଶ ଘଟିଥିଲା ସମସ୍ତ ଶିଳ୍ପୀ ମାନଙ୍କ ପରିବେଷଣରେ ।

ସଙ୍ଗୀତରେ ସ୍ଵର ତୋଳିଥିଲେ ଗୁରୁ ଡ. ବିଜୟ କୁମାର ଜେନା ଓ ଗୁରୁ ବିଜୟ କୁମାର ବାରିକ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ। ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଦିଲ୍ଲୀ ରୁ ଆସିଥିବା ମାଳତୀ ଶ୍ୟାମ ଓ ସାଥୀ ବୃନ୍ଦଙ୍କ ଦ୍ଵାରା ପରିବେଷଣ ହୋଇଥିଲା ଲକ୍ଷ୍ନୋ ଘରନାର ନୃତ୍ୟ“ନର୍ତନ ମଞ୍ଜରୀ” ନୃତ୍ୟ ଶୈଳୀକୁ ପରିବେଷଣ କରି ଏକ ଆଧ୍ୟାତ୍ମିକ ଚେତନାର ସ୍ପର୍ଶ ଦେଇଥିଲେ।

ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀ ର କର୍ମକର୍ତ୍ତାବୃନ୍ଦ ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି l

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

୩୫ ତମ କୋଣାର୍କ ମହୋତ୍ସବ-୨୦୨୪ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ଵର: ୩୫ ତମ କୋଣାର୍କ ମହୋତ୍ସବ-୨୦୨୪ କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପିପିଲି ବିଧାୟକ, ସତ୍ୟବାଦୀ ବିଧାୟକ, ବ୍ରହ୍ମଗିରି ବିଧାୟକ, ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ଓଏସଏନଏ ସଚିବ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ୩୫ ତମ କୋଣାର୍କ ମହୋତ୍ସବ-୨୦୨୪ ର ଉଦଘାଟିତ ହୋଇଛି।

କାରୁକାର୍ଯ୍ୟ ଭରା କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ମୁକ୍ତାକାଶ ରଂଗମଞ୍ଚରେ ଏହି ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ ଆୟୋଜିତ ହେଉଛି। ଏହା ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ହୋଇଆସୁଛି। ଆଜି ସଂଧ୍ୟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଯାହା ପାଞ୍ଚଦିନ ଧରି ଚାଲିବ। ବିଭିନ୍ନ ଦିନରେ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହା ହେଲା..

ମୁଖ୍ୟତଃ ଓଡିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହିତ ଦେଶର ଶାସ୍ତ୍ରୀୟ ନୃତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଏହି ନୃତ୍ୟ ଉତ୍ସବ ସହିତ ଚନ୍ଦ୍ରଭାଗା କୂଳରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆୟୋଜିତ ହେବ। ଏହା ପାଞ୍ଚଦିନ ଧରି ଚାଲିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

Konark Festival: ଆଜିଠାରୁ ଆରମ୍ଭ ହେବ ପ୍ରସିଦ୍ଧ କୋଣାର୍କ ଉତ୍ସବ, ଜାଣନ୍ତୁ କେଉଁ ଦିନ କଣ ଅଛି କାର୍ଯ୍ୟକ୍ରମ

Konark Festival: ଆଜିଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ। କାରୁକାର୍ଯ୍ୟ ଭରା କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ମୁକ୍ତାକାଶ ରଂଗମଞ୍ଚରେ ଏହା ଆୟୋଜିତ ହେବ। ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ହୋଇଆସୁଛି। ଆଜି ସଂଧ୍ୟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ, ଯାହା ପାଞ୍ଚଦିନ ଧରି ଚାଲିବ। ବିଭିନ୍ନ ଦିନରେ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହା ହେଲା..

ମୁଖ୍ୟତଃ ଓଡିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହିତ ଦେଶର ଶାସ୍ତ୍ରୀୟ ନୃତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଏହି ନୃତ୍ୟ ଉତ୍ସବ ସହିତ ଚନ୍ଦ୍ରଭାଗା କୂଳରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆୟୋଜିତ ହେବ। ଏହା ପାଞ୍ଚଦିନ ଧରି ଚାଲିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜିଠାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ, ଜାଣନ୍ତୁ କେଉଁ ଦିନ କଣ ରହିଛି

ଭୁବନେଶ୍ବର: ଆଜିଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଂଗମଞ୍ଚରେ ଆରମ୍ଭ ହେବ କୋଣାର୍କ ଉତ୍ସବ। ଏହି ଉତ୍ସବ ପାଞ୍ଚ ଦିନ ଧରି ଚାଲିବ। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ଜାତୀୟ ସ୍ତରର ଖ୍ୟାତନାମ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ।

ଏହି ପାଞ୍ଚଦିନରେ ଯେଉଁ କାର୍ଯ୍ୟକ୍ରମ ରହିଛି ତାହା ହେଲା..

ମୁକ୍ତାକାଶ ରଂଗମଞ୍ଚରେ ନୃତ୍ୟ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଏଥିରେ ବିଭିନ୍ନ ଦେଶର ବାଲୁକା ଶିଳ୍ପୀ ଭାଗ ନେବେ। ପାଞ୍ଚଦିନ ଧରି କୋଣାର୍କ ପରିବେଶ ବେଶ ଚଳଚଞ୍ଚଳ ହୋଇ ଉଠିବ।

Categories
ଆଜିର ଖବର ଜାତୀୟ ଖବର

କୋଣାର୍କ ଚନ୍ଦ୍ରଭାଗା କୂଳରେ ଆଜିଠାରୁ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

କୋଣାର୍କ: ଆଜିଠାରୁ କୋଣାର୍କ ମୁକ୍ତାକାଶ ରଂଗମଞ୍ଚରେ ଆରମ୍ଭ ହେଉଛି କୋଣାର୍କ ଉତ୍ସବ। ଏହି ଉତ୍ସବ ସହିତ ଚନ୍ଦ୍ରଭାଗା କୂଳରେ ମଧ୍ୟ ଆରମ୍ଭ ହେଉଛି ବାଲୁକାକଳା ଉତ୍ସବ। ଏହି ଉତ୍ସବ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ ହେଉଛି। ପାଞ୍ଚଦିନ ଧରି ଆୟୋଜିତ ଏହି ଉତ୍ସବରେ ଦେଶ ବିଦେଶରୁ ବାଲୁକା ଶିଳ୍ପୀମାନେ ଯୋଗଦେଇଛନ୍ତି।

ମୁଖ୍ୟତଃ ବାଲୁକା କଳାର ପ୍ରଚାର ପ୍ରସାର ପାଇଁ ଏହି ଉତ୍ସବ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି। ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ଦେଶ ବିଦେଶରେ ନିଜର ବାଲୁକା କଳା ଦ୍ବାରା ପ୍ରଖ୍ୟାତ ହୋଇପାରିଛନ୍ତି। ସେହିପରି ବାଲୁକାକଳାକୁ ଉତ୍ସାହିତ କରି ବାଲୁକାଶିଳ୍ପୀଙ୍କୁ ସୃଷ୍ଟି କରିବା ଏହି ଉତ୍ସବର ଉଦ୍ଦେଶ୍ୟ ରହିଛି। ଏଥିରେ ଭାରତର ରାଜସ୍ଥାନ, ଝାଡଖଣ୍ଡ, ପଶ୍ଚିମବଂଗ, ଉତ୍ତରପ୍ରଦେଶ ଏବଂ ବିହାର ପରି ରାଜ୍ୟରୁ ବାଲୁକା ଶିଳ୍ପୀ ଯୋଗ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆଜିଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ, ଜାଣନ୍ତୁ ପାଞ୍ଚଦିନରେ କେଉଁମାନେ କରିବେ ନୃତ୍ୟ ପ୍ରଦର୍ଶନ

ଭୁବନେଶ୍ବର: ଆଜିଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କର ମୁକ୍ତାକାଶ ରଂଗମଞ୍ଚରେ ଆୟୋଜିତ ହେବ କୋଣାର୍କ ଉତ୍ସବ। କୋଭିଡ କଟକଣା ଭିତରେ ଏହି ଉତ୍ସବର ଆୟୋଜନ କରୁଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ। ପାଞ୍ଚଦିନ ଧରି ଆୟୋଜିତ ଏହି ଉତ୍ସବରେ ଜାତୀୟ ତଥା ଅନ୍ତର୍ଜାତୀୟ ନୃତ୍ୟଶିଳ୍ପି ଯୋଗଦେବେ। ଏହି ପାଞ୍ଚଦିନରେ ଯେଉଁମାନେ ନୃତ୍ୟ ପ୍ରଦର୍ଶନ କରିବେ ସେମାନେ ହେଲେ

ପ୍ରଥମ ସଂଧ୍ୟା- ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲ ଓଡିଶୀ ସହିତ ରହିଛି ଭାସ୍ବତୀ ମିଶ୍ରଙ୍କର କଥକ ନୃତ୍ୟ

ଦ୍ବିତୀୟ ସଂଧ୍ୟା- ପ୍ରଥମେ ଗୁରୁ ଅନିତା ଶର୍ମାଙ୍କ କଥକ ନୃତ୍ୟ ସହିତ ଦ୍ବିତୀୟ କାର୍ଯ୍ୟକ୍ରମରେ ପରିବେଷଣ ହେବ ଗୁରୁ ନିଂରଜନ ରାଉତଙ୍କ ଓଡିଶୀ ନୃତ୍ୟ।

ତୃତୀୟ ସଂଧ୍ୟା- ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଦେବମିତ୍ରା ସେନଗୁପ୍ତାଙ୍କ ଓଡିଶୀ ନୃତ୍ୟ ସହିତ ଗୋପିକା ବର୍ମାଙ୍କ ମୋହୀନଆଟ୍ଟନ ନୃତ୍ୟ ପରିବେଷଣ ହେବ।

ଚତୁର୍ଥ ସଂଧ୍ୟା- ନୃତ୍ୟଶିଳ୍ପୀ ଲୀଲା ସାମସନଙ୍କ ଭାରତନାଟ୍ୟମ ସହିତ ଶେଷ କାର୍ଯ୍ୟକ୍ରମରେ ରହିଛି ଗୁରୁ ପିତାମ୍ବର ବିଶ୍ବାଳଙ୍କ ଓଡିଶୀ ନୃତ୍ୟ ।

ପଞ୍ଚମ ସଂଧ୍ୟା- ଶେଷ ସଂଧ୍ୟାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ନୃତ୍ୟଶିଳ୍ପୀଙ୍କ ଓଡିଶୀ ସହିତ ଜୟକିଶୋର ମୁଶଳକାନ୍ତିଙ୍କ କୁଚୁପୁଡି ନୃତ୍ୟ ପରିବେଷଣ ହେବ।

ମୁଖ୍ୟତଃ ଭାରତୀୟ ଶାସ୍ତ୍ରୀୟ ନୃତ୍ୟକୁ ଏହି ମଞ୍ଚରେ ପ୍ରଧାନ୍ୟ ଦିଆଯାଇଥାଏ। ଏହି ଭାରତୀୟ ନୃତ୍ୟର ପ୍ରସାର କରାଇବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତିବର୍ଷ ଏହି ଉତ୍ସବର ଆୟୋଜନ କରାଯାଇ ଆସୁଛି।

Categories
ବିଶେଷ ଖବର

ଓଡିଶୀରେ ତ୍ରିବେଣୀ ଓ ମୋହିନୀ ଆଟ୍ଟମରେ ଜୀବନଉଛ୍ୱାସ ମନ ମୋହିଲା କୋଣାର୍କ ଉତ୍ସବ

ସମୀକ୍ଷା ବ୍ୟୁରୋ

କୋଣାର୍କ, ୪/୧୨: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ କରିଥିଲା । ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଂଚରୁ ଓଡିଶୀ ଏବଂ ମୋହିନୀ ଆଟ୍ଟମ୍ ନୃତ୍ୟାୟିତ ଛନ୍ଦ ସହ ନୂପୁରର ଝଙ୍କାର ଝରି ଆସିଥିଲା । ଗୁରୁ ସ୍ୱପ୍ନାରାଣୀ ସିହ୍ନା ଓ ନୃତ୍ୟନିଳୟ ଅନୁଷ୍ଠାନର ଶିଳ୍ପୀଗଣ ମଂଚ ପ୍ରବେଶ କରିଥିଲେ ବେଦର ଅଗ୍ନିସୁକ୍ତ ଆଧାରିତ ଅଗ୍ନିସ୍ତୁତିକୁ ନେଇ । ପରେ ପରେ ନୃତ୍ୟ ନାଟିକା ତ୍ରିବେଣୀ ସଂଗମ ପବିତ୍ର ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ମହିମା ସହ ଆଧ୍ୟାତ୍ମିକ ପୃଷ୍ଠଭୂମି ସମ୍ବଳିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ତୋଳି ଧରିଥିଲେ । ଗୁରୁ ରାମହରି ଦାସଙ୍କ ରଚନା ଓ ସଂଗୀତ ସଂଯୋଜନାକୁ ନେଇ ପ୍ରସ୍ତୁତ ତ୍ରିବେଣୀ ସଂଗମରେ ଗୀତ-ବାଦ୍ୟ ଓ ନୃତ୍ୟର ସଂଗମ ମଧ୍ୟ ପରିଲିକ୍ଷିତ ହୋଇଥିଲା ।


ଦ୍ୱିତୀୟ ଚରଣରେ ମୋହିନୀ ଆଟ୍ଟମର ସୁପ୍ରସିଦ୍ଧ ଗୁରୁ ଜୟପ୍ରଭା ମେନନ୍ ଓ ସାଥୀ ଶିଳ୍ପୀ ଶ୍ରୀଜୟଦେବ କୃତ ଗୀତ ଗୋବିନ୍ଦମର ଚର୍ଚ୍ଚିତ ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ର ଉପସ୍ଥାପନା କରିଥିଲେ । ଗୁରୁ ମେନନ୍ ଙ୍କ ଦ୍ୱିତୀୟ ଅର୍ଘ୍ୟରେ ଜୀବନର ଉଛ୍ୱାସ ଅତି ନିଖୁଣ ଭାବେ ମଚଂସ୍ଥ ହୋଇଥିଲା । ପ୍ରକୃତି ଓ ପୁରୁଷ ର ମିଳନ ରୁ ସଂଜାତି ସୃଷ୍ଟି ଜୀବନର ଆନନ୍ଦ ତତ୍ୱକୁ ପ୍ରକାଶ କରି ଆସିଛି ଓ ଏହି ଉପଲବ୍ଧି ହିଁ ଜୀବନ ଜିଜ୍ଞାସାର ମୂଳତତ୍ତ୍ବ ଯାହା ଶାସ୍ତ୍ରୀୟ ନୃତ୍ୟରେ ପ୍ରତିଭାତ ହୋଇଥିଲା । ମୋହିନୀ ଆଟ୍ଟମର ଅନ୍ତିମ ପ୍ରସ୍ତୁତିରେ ଜୀବ, ମୋକ୍ଷ ଓ ଉପସଂହାରର ଆବେଗକୁ ପ୍ରକାଶ କରିଥିଲା ।

ସଂଧ୍ୟାର ଅତିଥି ଭାବେ ପ୍ରିନ୍ସିପାଲ ଏ. ଜି. ଯଶୋଧାରା ରାୟ ଚୈଧୁରୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍, ସଂଗୀତ ନାଟକ ଏକାଡେମୀ ସଚିବ ଡ. ବିଜୟ କୁମାର ଜେନା, ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ଡ.ସଂଗୀତା ଗୋସାଇଁ ଯୋଗ ଦେଥ ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ, ମଂଚ ସଂଚାଳନା କରିଥିବା ବେଳେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ କୁମାର ପତି, ଡ. ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜ କାନ୍ତ ପ୍ରଧାନ ପ୍ରଭୁତି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ଏବଂ ଗଣ ମାଧ୍ୟମକୁ ତଥ୍ୟ ଯୋଗାଇବାରେ ସହଯୋଗ କରିଥିଲେ ସୁଶାନ୍ତ କୁମାର ପାଣିଗ୍ରାହୀ ଓ ବିଷ୍ଣୁ ପ୍ରସାଦ ସିଂହ ।