Categories
ଆଜିର ଖବର ଜାତୀୟ ଖବର

ଫସଫେଟିକ୍ ଏବଂ ପୋଟାସିକ୍ ସାର ଉପରେ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି ଦରକୁ କ୍ୟାବିନେଟ୍ ର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟିକ୍ ଏବଂ ପୋଟାସିକ୍ (ପିଆଣ୍ଡକେ ) ସାର ଉପରେ ରବି ଋତୁ, ୨୦୨୪ (୦୧.୧୦.୨୦୨୪ରୁ ୩୧.୦୩.୨୦୨୫) ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ହାର ନିର୍ଦ୍ଧାରଣ କରିବା ପାଇଁ ରାସାୟନିକ ଏବଂ ସାର ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

୨୦୨୪ ରବି ଋତୁ ପାଇଁ ସମ୍ଭାବ୍ୟ ବଜେଟ୍ ଆବଶ୍ୟକତା ପ୍ରାୟ ୨୪,୪୭୫.୫୩ କୋଟି ଟଙ୍କା ହେବ।

ଫାଇଦା:

ଚାଷୀଙ୍କୁ ରିହାତି, ସୁଲଭ ଓ ଉଚିତ ମୂଲ୍ୟରେ ସାର ଉପଲବ୍ଧ କରାଇବା ସୁନିଶ୍ଚିତ ହେବ।

ସାର ଏବଂ ଅନ୍ୟାନ୍ୟ ସାମଗ୍ରୀର ଅନ୍ତର୍ଜାତୀୟ ମୂଲ୍ୟରେ ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ପିଆଣ୍ଡକେ ସାର ଉପରେ ସବସିଡିର ଯୁକ୍ତିଯୁକ୍ତକରଣ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ଚାଷୀଙ୍କୁ ସୁଲଭ ମୂଲ୍ୟରେ ଏହି ସାର ସୁରୁଖୁରୁରେ ଉପଲବ୍ଧ କରାଇବା ପାଇଁ ରବି ୨୦୨୪ (୦୧.୧୦.୨୦୨୪ରୁ ୩୧.୦୩.୨୦୨୫ ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦର ଆଧାରରେ ପିଆଣ୍ଡକେ ସାର ଉପରେ ସବସିଡି ପ୍ରଦାନ କରାଯିବ।

ପୃଷ୍ଠଭୂମି

ସାର ଉତ୍ପାଦନକାରୀ/ଆମଦାନୀକାରୀଙ୍କ ଜରିଆରେ ସରକାର ଚାଷୀଙ୍କୁ ରିହାତି ମୂଲ୍ୟରେ ୨୮ ଗ୍ରେଡ୍ ର ପିଆଣ୍ଡକେ ସାର ଉପଲବ୍ଧ କରୁଛନ୍ତି। ପି ଆଣ୍ଡକେ ସାର ଉପରେ ସବସିଡି ଏନବିଏସ ଯୋଜନା ଦ୍ୱାରା ୦୧.୦୪.୨୦୧୦ ରୁ ନିୟନ୍ତ୍ରିତ ହୁଏ। କୃଷକ ଅନୁକୂଳ ଆଭିମୁଖ୍ୟ ଅନୁଯାୟୀ, କୃଷକମାନଙ୍କୁ ସୁଲଭ ମୂଲ୍ୟରେ ପିଆଣ୍ଡକେ ସାର ଉପଲବ୍ଧ କରାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୟୁରିଆ, ଡିଏପି, ଏମଓପି ଏବଂ ସଲଫର ଭଳି ସାର ଏବଂ ସାମଗ୍ରୀର ଆନ୍ତର୍ଜାତିକ ମୂଲ୍ୟରେ ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ସରକାର ରବି ୨୦୨୪ ପାଇଁ ଫସଫେଟିକ୍ ଏବଂ ପୋଟାସିକ୍ (ପିଆଣ୍ଡକେ) ସାର ଉପରେ ୦୧.୧୦.୨୪ରୁ ୩୧.୦୩.୨୫ ପର୍ଯ୍ୟନ୍ତ ଏନବିଏସ ଦର ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁମୋଦିତ ଓ ବିଜ୍ଞାପିତ ଦର ଅନୁଯାୟୀ ସାର କମ୍ପାନିଗୁଡ଼ିକୁ ସବସିଡି ପ୍ରଦାନ କରାଯିବ, ଯାହାଦ୍ୱାରା ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଉପଲବ୍ଧ ହେବ।

Categories
ଆଜିର ଖବର ଜାତୀୟ ଖବର

ସବୁ ଋତୁରେ ସଞ୍ଚାଳନ ଯୋଗ୍ୟ ଗ୍ରୀନଫିଲ୍ଡ ଡିପଡ୍ରାଫ୍ଟ ମୁଖ୍ୟ ବନ୍ଦରର ବିକାଶ’କୁ କ୍ୟାବିନେଟ୍ ର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାରାଷ୍ଟ୍ରର ଦହାନୁ ନିକଟବର୍ତ୍ତୀ ବଧାବନଠାରେ ଏକ ବୃହତ୍ ବନ୍ଦର ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି। ଜବାହରଲାଲ ନେହେରୁ ବନ୍ଦର କର୍ତ୍ତୃପକ୍ଷ (ଜେଏନ୍ ପି ଏ) ଏବଂ ମହାରାଷ୍ଟ୍ର ମେରିଟାଇମ୍ ବୋର୍ଡ (ଏମ୍ଏମ୍ ବି ) ଦ୍ୱାରା ଗଠିତ ଏସ ପି ଭି ବଧବନ ପୋର୍ଟ ପ୍ରୋଜେକ୍ଟ ଲିମିଟେଡ୍ (ଭିପିପିଏଲ୍) ଦ୍ୱାରା ଏହି ପ୍ରକଳ୍ପ ନିର୍ମାଣ କରାଯିବ। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବଧାବନଠାରେ ବଧାବନ ବନ୍ଦରକୁ ସର୍ବକାଳୀନ ଗ୍ରୀନଫିଲ୍ଡ ଡିପ୍ ଡ୍ରାଫ୍ଟ ପ୍ରମୁଖ ବନ୍ଦର ଭାବରେ ବିକଶିତ କରାଯିବ।

ଜମି ଅଧିଗ୍ରହଣ ଅଂଶକୁ ମିଶାଇ ମୋଟ ପ୍ରକଳ୍ପ ମୂଲ୍ୟ ୭୬,୨୨୦ କୋଟି ଟଙ୍କା ରହିଛି। ଏଥିରେ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମୋଡ୍ ରେ କୋର୍ ଭିତ୍ତିଭୂମି, ଟର୍ମିନାଲ୍ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଭିତ୍ତିଭୂମିର ବିକାଶ ଅନ୍ତର୍ଭୁକ୍ତ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ବନ୍ଦର ଏବଂ ଜାତୀୟ ରାଜପଥ ମଧ୍ୟରେ ସଡ଼କ ସଂଯୋଗ ସ୍ଥାପନ ଏବଂ ବର୍ତ୍ତମାନର ରେଳ ନେଟୱାର୍କକୁ ରେଳ ସଂଯୋଗ ଏବଂ ରେଳ ମନ୍ତ୍ରଣାଳୟ ଦ୍ୱାରା ଆଗାମୀ ଉତ୍ସର୍ଗୀକୃତ ରେଳ ମାଲ ପରିବହନ କରିଡରକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

ବନ୍ଦରରେ ୯ଟି କଣ୍ଟେନର ଟର୍ମିନାଲ ରହିବ, ପ୍ରତ୍ୟେକ ୧୦୦୦ ମିଟର ଲମ୍ବ, ଉପକୂଳ ବର୍ଥ ସମେତ ୪ଟି ବହୁମୁଖୀ ବର୍ଥ, ୪ଟି ତରଳ ମାଲବାହୀ ବର୍ଥ, ଗୋଟିଏ ରୋ-ରୋ ବର୍ଥ ଏବଂ ଗୋଟିଏ କୋଷ୍ଟଗାର୍ଡ ବର୍ଥ ରହିବ। ଏହି ପ୍ରକଳ୍ପ ରେ ସମୁଦ୍ରର ୧୪୪୮ ହେକ୍ଟର ଅଞ୍ଚଳର ପୁନରୁଦ୍ଧାର ଏବଂ ୧୦.୧୪ କିଲୋମିଟର ସମୁଦ୍ର କୂଳ ବ୍ରେକ ୱାଟର ଏବଂ କଣ୍ଟେନର/କାର୍ଗୋ ଷ୍ଟୋରେଜ୍ ଅଞ୍ଚଳ ନିର୍ମାଣ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ ବାର୍ଷିକ ୨୯୮ ନିୟୁତ ମେଟ୍ରିକ୍ ଟନ୍ (ଏମଏମଟି) କ୍ଷମତା ସୃଷ୍ଟି କରିବ, ଯେଉଁଥିରେ ପ୍ରାୟ ୨୩.୨ ନିୟୁତ ଟିଇୟୁ (୨୦ ଫୁଟ୍ ସମକକ୍ଷ) କଣ୍ଟେନର ପରିଚାଳନା କ୍ଷମତା ଅନ୍ତର୍ଭୁକ୍ତ।

ସୃଷ୍ଟି ହୋଇଥିବା କ୍ଷମତା ଆଇଏମଇଇସି (ଭାରତ ମଧ୍ୟ ପୂର୍ବ ୟୁରୋପ ଅର୍ଥନୈତିକ କରିଡର) ଏବଂ ଆଇଏନଏସଟିସି (ଅନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କରିଡର) ମାଧ୍ୟମରେ ଆମଦାନୀ-ରପ୍ତାନି ବାଣିଜ୍ୟ ପ୍ରବାହରେ ମଧ୍ୟ ସାହାଯ୍ୟ କରିବ। ବିଶ୍ୱସ୍ତରୀୟ ସାମୁଦ୍ରିକ ଟର୍ମିନାଲ ସୁବିଧାଗୁଡ଼ିକ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି)କୁ ପ୍ରୋତ୍ସାହିତ କରିବା ସହ ଦକ୍ଷତା ଏବଂ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ସୁଦୂର ପୂର୍ବ, ୟୁରୋପ, ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ଆମେରିକା ମଧ୍ୟରେ ଅନ୍ତର୍ଜାତୀୟ ଜାହାଜ ଚଳାଚଳ କରୁଥିବା ମେନ୍ ଲାଇନ୍ ମେଗା ଜାହାଜଗୁଡ଼ିକୁ ପରିଚାଳନା କରିବାରେ ସକ୍ଷମ ଏକ ଅତ୍ୟାଧୁନିକ ଟର୍ମିନାଲ୍ ନିର୍ମାଣ କରିବାରେ ସକ୍ଷମ। ସମ୍ପୂର୍ଣ୍ଣ ହେଲେ ବଧବନ ବନ୍ଦର ବିଶ୍ୱର ଶ୍ରେଷ୍ଠ ୧୦ ବନ୍ଦର ମଧ୍ୟରୁ ଅନ୍ୟତମ ହେବ।

ପିଏମ ଗତି ଶକ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସହିତ ସଂଯୁକ୍ତ ଏହି ପ୍ରକଳ୍ପ ଅଧିକ ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ଏବଂ ପାଖାପାଖି ୧୨ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ମଧ୍ୟ ରଖିବ, ଯାହା ସ୍ଥାନୀୟ ଅର୍ଥନୀତିରେ ଯୋଗଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଏବଂ ତାଞ୍ଜାନିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ କ୍ୟାବିନେଟ୍ ର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଜିଟାଲ ରୂପାନ୍ତରଣ ପାଇଁ ଜନସଂଖ୍ୟା ଆଧାରରେ କାର୍ଯ୍ୟକାରୀ ସଫଳ ଡିଜିଟାଲ ସମାଧାନ ର ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ତାଞ୍ଜାନିଆର ସୂଚନା, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ଅକ୍ଟୋବର ୦୯, ୨୦୨୩ରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା।

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଡିଜିଟାଲ ରୂପାନ୍ତରଣମୂଳକ ପଦକ୍ଷେପର କାର୍ଯ୍ୟକାରିତାରେ ଘନିଷ୍ଠ ସହଯୋଗ ଏବଂ ଅଭିଜ୍ଞତା, ଡିଜିଟାଲ ପ୍ରଯୁକ୍ତି ଭିତ୍ତିକ ସମାଧାନ ର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା।

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) କ୍ଷେତ୍ରରେ ଉଭୟ ଜି୨ଜି ଏବଂ ବି୨ବି ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରାଯିବ। ଏହି ବୁଝାମଣାପତ୍ରରେ ବିଚାର କରାଯାଇଥିବା କାର୍ଯ୍ୟକଳାପଗୁଡ଼ିକୁ ସେମାନଙ୍କ ପ୍ରଶାସନର ନିୟମିତ ପରିଚାଳନା ଆବଣ୍ଟନ ମାଧ୍ୟମରେ ଅର୍ଥ ପ୍ରଦାନ କରାଯିବ।

ଏହି ବୁଝାମଣାପତ୍ରରେ ଆଇଟି କ୍ଷେତ୍ରରେ ଉନ୍ନତ ସହଯୋଗ ର ପରିକଳ୍ପନା କରାଯାଇଛି ଯାହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ପୃଷ୍ଠଭୂମି:

ଆଇସିଟି କ୍ଷେତ୍ରରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏମଇଆଇଟିୱାଇ ଅନେକ ଦେଶ ଏବଂ ବହୁପକ୍ଷୀୟ ଏଜେନ୍ସି ସହିତ ସହଯୋଗ କରୁଛି। ଏହି ସମୟ ମଧ୍ୟରେ, ଏମଇଆଇଟିୱାଇ ଆଇସିଟି କ୍ଷେତ୍ରରେ ସହଯୋଗ ଏବଂ ସୂଚନା ର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଦେଶର ଏହାର ସମକକ୍ଷ ସଂଗଠନ / ଏଜେନ୍ସିସହିତ ବୁଝାମଣାପତ୍ର /ବୁଝାମଣା ସ୍ୱାକ୍ଷର କରିଛି। ଦେଶକୁ ଡିଜିଟାଲ ସଶକ୍ତିକରଣ କରିବା ସହିତ ଦୃଢ ଅର୍ଥନୀତିରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯଥା ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ ଇତ୍ୟାଦି ସହିତ ଏହା ସମାନ। ଏହି ପରିବର୍ତ୍ତିତ ପରିପ୍ରେକ୍ଷୀରେ ପାରସ୍ପରିକ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ବ୍ୟବସାୟିକ ସୁଯୋଗ ଖୋଜିବା, ସର୍ବୋତ୍ତମ ଅଭ୍ୟାସ ସେୟାର କରିବା ଏବଂ ଡିଜିଟାଲ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବାର ଆବଶ୍ୟକତା ରହିଛି।

ଗତ କିଛି ବର୍ଷ ମଧ୍ୟରେ ଭାରତ ସାର୍ବଜନିନ ଡିଜିଟାଲ ଭିତ୍ତିଭୂମି (ଡିପିଆଇ)ର କାର୍ଯ୍ୟକାରିତାରେ ନିଜର ନେତୃତ୍ୱ ପ୍ରଦର୍ଶନ କରିଛି ଏବଂ କୋଭିଡ ମହାମାରୀ ସମୟରେ ମଧ୍ୟ ଜନସାଧାରଣଙ୍କୁ ସଫଳତାର ସହ ସେବା ପ୍ରଦାନ କରିଛି। ଫଳରେ ଅନେକ ଦେଶ ଭାରତର ଅନୁଭୂତିରୁ ଶିକ୍ଷା ଗ୍ରହଣ କରିବା ପାଇଁ ଭାରତ ସହ ବୁଝାମଣାପତ୍ର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଇଣ୍ଡିଆ ଷ୍ଟେକ୍ ସଲ୍ୟୁସନ୍ ହେଉଛି ଜନସଂଖ୍ୟା ସ୍ତରରେ ଭାରତ ଦ୍ୱାରା ବିକଶିତ ଏବଂ କାର୍ଯ୍ୟକାରୀ ହେଉଥିବା ଡିପିଏଲ୍ ଯାହା ସର୍ବସାଧାରଣ ସେବାଗୁଡ଼ିକର କାର୍ଯ୍ୟକାରି ଏବଂ ବିତରଣ ପ୍ରଦାନ କରିଥାଏ । ଅର୍ଥପୂର୍ଣ୍ଣ ଯୋଗାଯୋଗ ପ୍ରଦାନ, ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ ସର୍ବସାଧାରଣ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଉପଲବ୍ଧ କରାଇବା ଏହାର ଲକ୍ଷ୍ୟ। ଏଗୁଡ଼ିକ ମୁକ୍ତ ଜ୍ଞାନକୌଶଳ ଉପରେ ପର୍ଯ୍ୟେବସିତ, ପରସ୍ପର ସହ ଜଡ଼ିତ ଏବଂ ଉଦ୍ୟୋଗ ଏବଂ ଗୋଷ୍ଠୀ ର ଅଂଶଗ୍ରହଣକୁ ଉପଯୋଗ କରିବା ପାଇଁ ଡିଜାଇନ୍ କରାଯାଇଛି ଯାହା ଉଦ୍ଭାବନକୁ ପ୍ରୋତ୍ସାହିତ କରେ। ତେବେ ଡିପିଆଇ ନିର୍ମାଣରେ ପ୍ରତ୍ୟେକ ଦେଶର ସ୍ୱତନ୍ତ୍ର ଆବଶ୍ୟକତା ଏବଂ ଆହ୍ୱାନ ରହିଛି, ଯଦିଓ ମୌଳିକ କାର୍ଯ୍ୟକାରିତା ସମାନ, ଯାହା ବିଶ୍ୱସ୍ତରୀୟ ସହଯୋଗକୁ ଅନୁମତି ଦେଇଥାଏ।

Categories
ଆଜିର ଖବର ଜାତୀୟ ଖବର

ସାର୍ବଜନୀନ ଡାକ ସଂଘର ଏକ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ୍ ର ଅନୁମୋଦନ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୟୁପିୟୁ ସହିତ ଏକ ରାଜିନାମା କରି ଏହି ଅଞ୍ଚଳରେ ୟୁପିୟୁର ବିକାଶମୂଳକ ସହଯୋଗ ଏବଂ ବୈଷୟିକ ସହାୟତା କାର୍ଯ୍ୟକଳାପ ଗୁଡ଼ିକ ହାତକୁ ନେବା ପାଇଁ ନୂଆଦିଲ୍ଲୀ, ଭାରତରେ ସାର୍ବଜନୀନ ଡାକ ସଂଘ (ୟୁପିୟୁ)ର ଏକ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ଏହି ଅନୁମୋଦନ ଡାକ କ୍ଷେତ୍ରରେ ଦକ୍ଷିଣ – ଦକ୍ଷିଣ ଏବଂ ତ୍ରିମୁଖୀ ସହଯୋଗ ଉପରେ ଗୁରୁତ୍ୱାରୋପ କରି ବହୁପକ୍ଷୀୟ ସଂଗଠନ ଗୁଡ଼ିକରେ ଭାରତକୁ ଏକ ସକ୍ରିୟ ଭୂମିକା ନିର୍ବାହ କରିବାକୁ ସକ୍ଷମ କରାଇବ। ୟୁପିୟୁର ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ଭାରତ ଜଣେ କ୍ଷେତ୍ରୀୟ ପ୍ରକଳ୍ପ ବିଶେଷଜ୍ଞ, କର୍ମଚାରୀ ଏବଂ କାର୍ଯ୍ୟାଳୟ ବ୍ୟବସ୍ଥା ପ୍ରଦାନ କରିବ। ସାମର୍ଥ୍ୟ ନିର୍ମାଣ ଏବଂ ପ୍ରଶିକ୍ଷଣ ସମୂହ, ଡାକ ସେବା ଗୁଡ଼ିକର ଦକ୍ଷତା ଏବଂ ଗୁଣାତ୍ମକମାନ ଉନ୍ନତିକରଣ, ଡାକ ପ୍ରଯୁକ୍ତିର ଅଭିବୃଦ୍ଧି, ଇ – ବାଣିଜ୍ୟ ଏବଂ ବ୍ୟବସାୟ ପ୍ରୋତ୍ସାହନ ଇତ୍ୟାଦି ଉପରେ ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ଅଞ୍ଚଳ ପାଇଁ ୟୁପିୟୁ ସହିତ ସଂଯୋଜନା କରି ଏହି କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏବଂ କାର୍ଯ୍ୟାନ୍ୱୟନ କରାଯିବ।

ଏହି ପଦକ୍ଷେପ ଭାରତର କୂଟନୀତିକ ପଦାଙ୍କକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିବ ଏବଂ ଅନ୍ୟ ଦେଶ ମାନଙ୍କ ସହିତ ସମ୍ପର୍କକୁ ସୁଦୃଢ଼ କରିବ, ବିଶେଷ କରି ଏସିଆ – ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହିତ ଏବଂ ବିଶ୍ୱ ଡାକ ମଞ୍ଚ ଗୁଡ଼ିକରେ ଭାରତର ଉପସ୍ଥିତିକୁ ଏହା ବୃଦ୍ଧି କରିବ।