Categories
ଆଞ୍ଚଳିକ

ଖୋର୍ଦ୍ଧା: ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ସଂଘ ବୈଠକ

ଖୋର୍ଦ୍ଧା: ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ଚ଼େଷ୍ଟିତ “ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ, ଖୋର୍ଦ୍ଧା ଜିଲ୍ଲା”ର ବୈଠକ ଆଜି ମା’ ବରୁଣେଈଙ୍କ ପୀଠରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଉପସଭାପତି ରୌପ୍ୟରଞ୍ଜନ ସାମନ୍ତରାୟଙ୍କ ଉପସ୍ଥିତିରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ, ଉପସଭାପତି ଦେବାଶିଷ ପତି, ସମ୍ପାଦିକା ଶୁଭ୍ରାଙ୍ଗୀ ପ୍ରିୟବାଦିନୀ, ସଂଯୋଜକ ବିଶ୍ବବିଜୟୀ ଦାଶ, ସହ ସଂଯୋଜକ ସୁଶିଲ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଶ୍ବିନୀ ମୁଦୁଲି, ଆଇଟି ସେଲ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ମନୋନୀତ କରାଗଲା।

ଜିଲ୍ଲାର ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀମାନେ ସଂଘର ସଦସ୍ୟତା ଗ୍ରହଣ କରିଥିଲେ।RPWD ଆଇନ ଓ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚ଼ିବ ଓ ବିଦ୍ୟାଳୟ ଗଣଶିକ୍ଷା ସଚ଼ିବଙ୍କୁ ସଂଘ ତରଫରୁ ବିନମ୍ର ଅନୁରୋଧ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କ ଗିରଫକୁ ଉକ୍ତଳ ସାମ୍ବାଦିକ ସଙ୍ଘର ତୀବ୍ର ନିନ୍ଦା

ଖୋର୍ଦ୍ଧା: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଆଇଆଇସିଙ୍କ ଜଣେ କାର୍ଯ୍ୟରତ ‘ସମ୍ବାଦ’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ଅମାନୁଷିକ ବ୍ୟବହାର ତଥା ବର୍ବରୋଚିତ କାଣ୍ଡକୁ ତୀବ୍ର ନିନ୍ଦାକରିଛି ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ। ଯଥା ଶୀଘ୍ର ଏପରି ଗଣତନ୍ତ୍ରକୁ ହତ୍ୟା କରିଥିବା ସମ୍ପୃକ୍ତ ଅଧିକାରୀଣିଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ସଂଘ ଦୃଢ଼ ଦାବିକରିଛି।

ପ୍ରକାଶ ଥାଉକି ନୀଳଗିରି ଥାନା ଅଞ୍ଚଳରେ ବେଆଇନ ଡ୍ରଗ୍ସ କାରବାର ବୃଦ୍ଧି ପାଇବା ଘଟଣା ତଥା ବିଭିନ୍ନ ବେଆଇନ କାର୍ଯ୍ୟରେ ପୋଲିସର ସମ୍ପୃକ୍ତି ଥିବାର ଘଟଣାକୁ ସାମ୍ବାଦିକ ଶ୍ରୀ ଦଳେଇ ‘ସମ୍ବାଦ’ ଖବରକାଗଜରେ ପ୍ରକାଶ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଥାନା ଅଧିକାରୀଣି ଏବଂ ତାଙ୍କ ସହଯୋଗୀ ଏକ ମିଥ୍ୟା ଅଭିଯୋଗରେ ଶ୍ରୀ ଦଳେଇଙ୍କୁ ଧକା ମାରିବା ସହ ଗିରଫ କରି ଡାକ୍ତରଖାନାରେ ଚିକିତ୍ସିତ ସମୟରେ ତାଙ୍କ ଗୋଡ଼ରେ ବେଡି ପକାଇବା କେତେଦୂର ସମୀଚିନ। ରାଜ୍ୟରେ ଏହାଠାରୁ ଅନେକ ଜଘନ୍ୟ କାଣ୍ଡ ଘଟିଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ବେଡି ପକାଯାଇ ନଥିବାବେଳେ ସାମ୍ବାଦିକଙ୍କ ପ୍ରତି ଏପ୍ରକାର ଅମାନୁଷିକ ବ୍ୟବହାର କାହିଁକି ଯାହା ଆଜି ସମାଜରେ ଆଲୋଚନାର ବିଷୟ ପାଲଟିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଶାସନପ୍ରତି ଆଙ୍ଗୁଳି ଉଠାଇଛି।

ସରକାର ଯଥାଶୀଘ୍ର ଘଟଣାରେ ସଂପୃକ୍ତ ଆଇଆଇସି ଏବଂ ତାଙ୍କ ସହଯୋଗୀଙ୍କୁ ସେମାନଙ୍କ ପଦରୁ ବହିଷ୍କୃତ କରିବା ପାଇଁ ସଂଘ ଦୃଢ଼ ଦାବି କରିବା ସହ ଆଜି ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ ମିଶ୍ରଙ୍କ ନେତୃତ୍ୱରେ ସଙ୍ଘର ସମ୍ପାଦକ ସତ୍ୟ ପାଇକରାୟ, ଯୁଗ୍ମ ସମ୍ପାଦକ ପ୍ରଦୀପ ବେହେରା, କୋଷାଧ୍ୟକ୍ଷ ଶରତ ବାରିକ, ଉପଦେଷ୍ଟା ଶୁଭ୍ରରଞ୍ଜନ ଦାସ, ମୁଖ୍ୟ ଉପଦେଷ୍ଟା ଉମାଶାଙ୍କର ପ୍ରସାଦ, କାଳନ୍ଦୀ ବ୍ରହ୍ମା, ଯୋଗେଶ ରାଉତ, ଅବ୍ୟକ୍ତ ହରିହର ଖାଡ଼ଙ୍ଗାଙ୍କ ସମେତ ବହୁ ସାମ୍ବାଦିକ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଚୋରୀ ସାମଗ୍ରୀ ଜବତ, ୫ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକାଧିକ ଥାନା ଅଞ୍ଚଳରେ ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ କରିଛି। ଏ ନେଇ ଆଜି ଅପରାହ୍ନରେ ସଦର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତ ମାସ ୧୭ ତାରିଖ ରାତିରେ ପିପିଲି ଥାନା ଅଞ୍ଚଳର ଛବି ପ୍ରଧାନ ଏକ ପିକଅପ ଗାଡ଼ିରେ ଫୋଟୋ ଏବଂ ଗିଫ୍ଟ ଜିନିଷ ନେଇ ପୁରିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ନିରାକାରପୁର ଥାନା ଅନ୍ତର୍ଗତ ରଟାମାଟି ଛକରେ ହଠାତ ୭ ଜଣ ଦୁର୍ବୁତ୍ତ ଛବିଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରାଇଥିଲେ। ଏବଂ ତାଙ୍କଠାରୁ ମୋବଇଲ ଓ ପିକଅପ ଭ୍ୟାନ ଲୁଟିନେଇଥିଲେ। ଏ ସଂକ୍ରାନ୍ତରେ ନିରାକାରପୁର ଥାନାରେ କେଶ ନମ୍ବର ୫୩/୨୨ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା।

ସେହିପରି ଭାବେ ଗତ ମାସ ୨୩ ତାରିଖ ରାତିରେ ଚାନ୍ଦପୁର ଥାନା ଅଞ୍ଚଳର ରାଇପଡ଼ା ଛକରୁ ସଂଯୁକ୍ତା ମାଝୀଙ୍କ କ୍ରସର ପରିସରରୁ ଏକ ନାଲି ରଙ୍ଗର ବୋଲେରୋ ଗାଡ଼ିକୁ ୬ ଜଣ ଦୁର୍ବୁତ୍ତ ଚୋରି କରି ନେଇଥିବାର ଅଭିଯୋଗ ହୋଇଥିଲା। ପୋଲିସ କେଶ ନମ୍ବର ୩୭/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ସେହିପରି ଭାବେ ଗତମାସ ୨୫ ଏବଂ ୨୬ ତାରିଖ ରାତିରେ ବେଗୁନିଆ ଥାନା ଅଞ୍ଚଳର ତିନି ଜଣ ଅଭିଯୋଗକାରୀଙ୍କ ଘରୁ ୬ ଜଣ ଦୁର୍ବୁତ୍ତ ୧୪ ଗୋଟି ଛେଳି, ୧୦ ଗୋଟି ମେଣ୍ଢା ଓ ଗୋଟେ ମୋବାଇଲ ଫୋନ ଲୁଟ କରିଥିଲେ। ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ କେଶ ନମ୍ବର ୭୭, ୭୮ ଓ ୭୯ ରେ ତିନି ଗୋଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା।

ଗତମାସ ୨୯ ତାରିଖ ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଏମ ସତ୍ୟନାରାୟଣ ନାମକ ଜଣେ ଅଭିଯୋଗକାରି ଏକ ପିକ ଅପ ଭ୍ୟାନରେ ୩ ଟନ ଉଚ୍ଚ କ୍ଷମତା ସମ୍ପନ୍ନ ତାର ନେଇ ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ ସଦର ଥାନା ଅନ୍ତର୍ଗତ ଓସିସି ଛକରେ ନାଲି ରଙ୍ଗ ବୋଲେରୋ ଗାଡ଼ିରେ ୭ ଜଣ ଦୁର୍ବୁତ୍ତ ସତ୍ୟଙ୍କୁ ଅଟକାଇ ଖଣ୍ଡା ଦେଖାଇ ତାଙ୍କ ତାର ବୋଝେଇ ପିକଅପ ଭ୍ୟାନ ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଏ ସଂକ୍ରାନ୍ତରେ ସଦର ଥାନାରେ କେଶ ନମ୍ବର ୫୦/୨୨ ରେ ମାମଲା ରୁଜୁ କରାଯାଇଥିଲା।

ତେବେ ମାତ୍ର ୧୨ ଦିନ ବ୍ୟବଧାନରେ ସମାନ ଧରଣର ଏକାଧିକ ଲୁଟ ଖୋର୍ଦ୍ଧା ଜିଲ୍ଲା ପୋଲିସର ନିଦ ହଜାଇଦେଇଥିଲା। ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ୱାର୍ଡ ସମେତ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଦୁଇ ଗୋଟି ଟିମ ଗଠିତ ହୋଇଥିଲା। ଉକ୍ତ ଟିମ ଜିଲ୍ଲାର ଏକାଧିକ ଅଞ୍ଚଳରେ ଚଢ଼ାଉ ଜାରିରଖିଥିବା ବେଳେ ଆଜି ସମସ୍ତ ଲୁଟ ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ତେବେ ଜିଲ୍ଲା ପୋଲିସ ଉକ୍ତ ଲୁଟରେ ସମୁଦାୟ ୫ ଜଣ ଆନ୍ତଃ ରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବେଣାପଞ୍ଜୁରୀ ଅଞ୍ଚଳର ଅମଜାଦ ଖାନ, ଶେଖ ଜୁମା, ମୋହମଦ ଅଖତାର, ବେଗୁନିଆ ଥାନା ଗଡ଼ମାଣିତ୍ରି ଅଞ୍ଚଳର ପୁରୁଷୋତ୍ତମ ବାରିକ ଏବଂ ଜଣେ ନାବାଳକ। ତେବେ ଗିରଫ ଅମଜାଦ ଖାନଙ୍କ ବିରୋଧରେ ଏକାଧିକ ଥାନାରେ ପୂର୍ବରୁ ୧୫ ଗୋଟି ମାମଲା ଥିବା ବେଳେ ଶେଖ ଜୁମାଙ୍କ ବିରୋଧରେ ୭ ଗୋଟି ମାମଲା ରହିଥିବାର ପୋଲିସ କହିଛି।

ଉକ୍ତ ଚଢ଼ାଉରେ ପୋଲିସ ପାଖାପାଖି ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଚୋରି ହୋଇଥିବା ଜିନିଷ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଜଙ୍କିଆ ଆଇଆଇସି ଦିଗବିଜୟ ବିଶ୍ୱାଳ, ସଦର ଆଇଆଇସି ଅନିତା ସାହୁ, ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ, ବେଗୁନିଆ ଆଇଆଇସି ଲକ୍ଷ୍ମୀନାରାୟଣ ଶତପଥୀ, ଏସଆଇ ରଶ୍ମିରଞ୍ଜନ ଦାସ, ଏସଆଇ ପିଏମ ପ୍ରଧାନ, ଏଏସଆଇ ତପନ ପ୍ରଧାନ, ଏଏସଆଇ ରାମ ଚନ୍ଦ୍ର ମିଶ୍ର, ସ୍ପେଶାଲ ସ୍କ୍ୱାର୍ଡ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଦୁଇଟି କାର ସମେତ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ୬ ଗିରଫ

ଖୋର୍ଦ୍ଧା: ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ରୋକ ଲଗାଇବାରେ ସଫଳ ହୋଇଛି ଖୋର୍ଦ୍ଧା ଅବକାରୀ ବିଭାଗ। ଗୋଡିପଡା ଟୋଲ ଗେଟ ନିକଟରେ ଚଢ଼ାଉ କରି ଦୁଇ ଗୋଟି କାରକୁ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଉକ୍ତ ଦୁଇ କାରରୁ ସମୁଦାୟ ୧୮୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ।  ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଉକ୍ତ କାର ଦ୍ବୟ ଗଜପତିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାର ଅବକାରୀ ବିଭାଗ ସୂଚନା ଦେଇଛି।

ପୁର୍ବରୁ ଉକ୍ତ ଖବର ପାଇ ଗୋଡିପଡ଼ା ଟୋଲଗେଟ ନିକଟରେ ସାଧା ପୋଷାକରେ ଅବକାରୀ ବିଭାଗ ଜଗି ରହିଥିଲା। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଖୋର୍ଦ୍ଧା ଅବକାରୀ ଥାନା ଅଧିକାରୀ ମନୋଜ ବାରିକ ଆଦି ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଶରଧାପୁରର ବେଆଇନ ଖଣି ଉପରେ ପୋଲିସର ଚଢ଼ାଉ: ୮ ଗାଡି ଜବତ, ୨ ଗିରଫ

ଖୋର୍ଦ୍ଧା: ଆଜି ଟାଉନ ଥାନା ଅନ୍ତର୍ଗତ ଶରଧାପୁର ଅଞ୍ଚଳର ବେଆଇନ ଖଣି ଉପରେ ପୋଲିସ ଚଢ଼ାଉ କରିଛି। ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି, ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଟାଉନ ଥାନା ଅନ୍ତର୍ଗତ ଶରଧାପୁର ଅଞ୍ଚଳରେ ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ପୋଲିସ ମାଙ୍କଡ଼ା ପଥର ବୋଝେଇ ଦୁଇ ଗୋଟି ହାଇୱା, ଦୁଇ ଗୋଟି ୪୦୭, ଦୁଇ ଗୋଟି ଟ୍ରକ ଓ ଦୁଇ ଗୋଟି ଟ୍ରାକ୍ଟରକୁ ମିଶାଇ ସମୁଦାୟ ୮ ଗୋଟି ଗାଡ଼ି ଜବତ କରିଛି। ଅନୁରୂପ ଭାବେ ଉକ୍ତ ବେଆଇନ ଖଣିରୁ ପୋଲିସ ସଦର ଥାନାର ଦୁଇ ଜଣ ଅଭିଯୁକ୍ତ ସତ୍ୟ ରଞ୍ଜନ ବରାଳ (୧୯) ଓ ସୁକାନ୍ତ ନାୟକ (୨୧) ଙ୍କୁ ଗିରଫ କରିଛି।

ତେବେ ଅନ୍ୟ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଟାଉନ ଥାନା ପୋଲିସ କେଶ ନମ୍ବର ୧୬୧/୨୨ ରେ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତମାନଙ୍କୁ ଖୋଜିବାରେ ଲାଗିପଡ଼ିଛି।

Categories
ଆଞ୍ଚଳିକ

ଉତ୍କଳ ଦିବସ: ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ସହର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ

ଖୋର୍ଦ୍ଧା: ଉତ୍କଳ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ସହର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଛି। ଖୋର୍ଦ୍ଧା କୋର୍ଟ ପରିସରସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂ, ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀଙ୍କ ସମେତ ଖୋର୍ଦ୍ଧା ଓକିଲ ସଂଘର କର୍ମକର୍ତ୍ତା, ବୁଦ୍ଧିଜିବୀମାନେ ପୁଷ୍ପମାଲ୍ୟାର୍ପଣ କରିଥିଲେ।

ପରେ ବିଜେବି ହାଇସ୍କୁଲ ପରିସର ବକ୍ସି ଜଗବନ୍ଧୁ, ସମବାୟ ବ୍ୟାଙ୍କ ଛକ ପ୍ରାଣନାଥ ପଟ୍ଟନାୟକ ଏବଂ ପଞ୍ଚ ପାଇକ ଛକ ସ୍ଥିତ ପଞ୍ଚ ପାଇକଙ୍କ ପୀଠରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଏଥିସହିତ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ଟାଉନହଲରେ ସଭା ଓ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପ୍ରତିଷ୍ଠା ଦିବସରେ ପୋଲିସ ସେବା ପାଇଁ ପାଞ୍ଚ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସପି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୭ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଏସପି ପହି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ।

ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ, ସଦର ଥାନା ଏଏସଆଇ ଦିଲ୍ଲୀପ କୁମାର ବିଶ୍ୱାଳ, ଜଙ୍କିଆ ଥାନା କନଷ୍ଟେବଳ ପ୍ରିତୀମୟୀ ବଡ଼ଜେନା, କନଷ୍ଟେବଳ ସୁଦାମ ବଳିୟାରସିଂହ ଏବଂ ଟ୍ରାଫିକ କନଷ୍ଟେବଳ ପ୍ରବୋଧ କୁମାର ସାହୁ ଆଦି ୫ଜଣ ପୋଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅତିରିକ୍ତ ଏସପି ସୁରେଶ କୁମାର ଦାଶ, ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ଖୋର୍ଦ୍ଧା ଏସଡିପିଓ ସୁଶିଲ କୁମାର ମିଶ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ସମସ୍ତ ଥାନାଧିକାରୀ, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଓ ସେନାଧିକାରୀମାନେ ମଧ୍ୟ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗୋପୀନାଥ ମହାରଣା

ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ଆଜି ଉପାଧ୍ୟକ୍ଷ ପାଇଁ ନିର୍ବାଚନ କରାଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ମୋଟ ୩୦ ଟି ଜୋନର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ଏହି ନିର୍ବାଚନ କରାଯାଇଛି। ମୋଟ ୩୦ ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ବିଜେଡ଼ି ଦଳର ୨୮ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ମାତ୍ର ୨ ଟି ଜୋନରେ ବିଜେପି ଜିତିପାରିଥିଲା।

ତେବେ ଆଜିର ଏହି ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଜେପିର ଉଭୟ ଜିଲ୍ଲାପରିଷଦ ସଭ୍ୟ ଅଂଶ ଗ୍ରହଣ କରିନଥିଲେ। କିନ୍ତୁ ବିଜେଡ଼ି ପକ୍ଷରୁ ସମସ୍ତ ୨୮ ଜିଲ୍ଲାପରିଷଦ ସଭ୍ୟ ଏଥିରେ ଭାଗ ନେଇଥିଲେ। ଏହି ୨୮ ଜଣଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବାଣପୁର ବ୍ଲକ ଅନ୍ତର୍ଗତ ୧୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାରଣାଙ୍କୁ ଉପାଧ୍ୟକ୍ଷ ପାଇଁ ମନୋନୀତ କରାଯାଇଥିଲା। ଗୋପୀନାଥଙ୍କ ନାମକୁ ବିଜେଡ଼ିର ଜିଲ୍ଲା ପଲିଟିକାଲ ଏଜେଣ୍ଟ ବିଭୁତି ଭୂଷଣ ବଳବନ୍ତରାୟ ଉପସ୍ଥାପନା କରିବା ପରେ ଗୋପୀନାଥ ଉକ୍ତ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ତେବେ ଗୋପୀନାଥଙ୍କୁ ଦଳର ବାକି ୨୭ ଜଣ ସଦସ୍ୟ ସମର୍ଥନ ଦେଇଥିଲେ। ଯାହାଫଳରେ ଗୋପୀନାଥ ନିର୍ଦ୍ଵନ୍ଦ୍ଵରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ଘୋଷଣା ହେବା ପରେ ଚିଲିକା ବିଜେଡ଼ି ପକ୍ଷରୁ ଆନନ୍ଦର ଲହରୀ ଖେଳିଯାଇଛି। ଏହା ସହିତ କମ ବୟସରେ ଗୋପୀନାଥ ରାଜନୀତି କ୍ଷେତ୍ରରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଥିବାରୁ ସମର୍ଥକମାନେ ତାଙ୍କୁ ଅଭିବାଦନ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର

ଖୋର୍ଦ୍ଧା: ବେଆଇନ ପଥର ଖଣି ଉପରେ ଚଢାଉ, ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ

ଖୋର୍ଦ୍ଧା: ବେଆଇନ ପଥର ଖଣି ଉପରେ ଆଜି ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ ଚଢାଉ କରିଛି। ଚଢାଉ ବେଳେ ଗୋଟେ ପଥର ବୋଝେଇ ଟ୍ରକ, ଦୁଇ ଗୋଟି ପାୱାର ଟିଲର ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଜି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କୁମାରବସ୍ତ ଅଞ୍ଚଳରେ ଚାଲୁଥିବା ଚୋରା ପଥର ଖଣି ଉପରେ ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ ଚଢାଉ କରିଥିଲା। ଚଢାଉ ସମୟରେ ମୁଖ୍ୟ ଅଭିଯୁକ୍ତ ଗଙ୍ଗପଡାର ଶ୍ରୀକାନ୍ତ ଯାଦବଙ୍କୁ ପୋଲିସ ଖଣିରୁ ଗିରଫ କରିଥିଲା।

ଏଥି ସହିତ ଉକ୍ତ ବେଆଇନ ପଥର ଖଣି ମଧ୍ୟରୁ ଗୋଟେ ମାଙ୍କଡା ପଥର ବୋଝେଇ ଟ୍ରକ (ଓଆର -୦୯ଇ -୯୫୩୩), ଦୁଇ ଗୋଟି ପାୱାର ଟିଲର ଏବଂ କିଛି ପଥର କାଟିବା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ପୋଲିସ ଜବତ କରିଥିଲା। ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଟାଉନ ଥାନାରେ କେସ ନମ୍ବର ୧୩୧/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Categories
ଅପରାଧ ଆଜିର ଖବର

ଖୋର୍ଦ୍ଧା: ଅବକାରୀ ଚଢ଼ାଉ, ବେଆଇନ କଫ ସିରପ ଓ ଗଞ୍ଜେଇ ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ଟାଉନ ଥାନା ଅନ୍ତର୍ଗତ ପୁବୁସାହି ଗ୍ରାମରେ ଚଢ଼ାଉ କରି ବେଆଇନ କଫ ସିରପ ଏବଂ ଗଞ୍ଜେଇ ଜବତ କରିଛି। ଏହା ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଣେଶ ପାତ୍ର (୩୧)। ତାଙ୍କ ନିକଟରୁ ୩୦୦ ବଟଲ ବେଆଇନ କୋଡିନ ଫସଫେଟ ମିଶ୍ରିତ କଫ ସିରପ ଏବଂ ୨ କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଅବକାରୀ ବିଭାଗ ୨୦ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୫୪ /୨୧-୨୨ ରେ ଏକ ମାମଲା ରୁଜୁ କରିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ , ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ବେଗୁନିଆ ଅବକାରୀ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତି, ଖୋର୍ଦ୍ଧା ଅବକାରୀ ଅଧିକାରୀ ମନୋଜ କୁମାର ବାରିକ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ୫ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଏହା ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପ୍ରଭାତ ସେଠି (୩୨)। ତାଙ୍କ ନିକଟରୁ ୫୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ୫ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଅବକାରୀ ବିଭାଗ ୨୧ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୬୦/୨୧-୨୨ ରେ ଏକ ମାମଲା ରୁଜୁ କରିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର, ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର, ବେଗୁନିଆ ଅବକାରୀ ଅଧିକାରୀ, ଖୋର୍ଦ୍ଧା ଅବକାରୀ ଅଧିକାରୀ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।

Categories
PanchayatElection ଆଞ୍ଚଳିକ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାଣପୁର ବ୍ଲକରେ ପୋଲିସର ଫ୍ଲାଗ ମାର୍ଚ୍ଚ

ରିପୋର୍ଟ-ସୀତାରାମ ଅଗ୍ରୱାଲା

ବାଣପୁର: ଖୋର୍ଦ୍ଧା ଏସପିଙ୍କ ନିର୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ଦାସଙ୍କ ତତ୍ୱାବଧାନରେ ଆଜି ସନ୍ଧ୍ୟାରେ ବାଣପୁର ଠାରେ କରାଯାଇଛି ପୋଲିସର ଶକ୍ତି ପ୍ରଦର୍ଶନ। ଆସନ୍ତାକାଲି ବାଣପୁରରେ ପଞ୍ଚାୟତ ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ବାଣପୁର ବ୍ଲକର ସମସ୍ତ ପଞ୍ଚାୟତରେ କରାଯାଇଛି ଫ୍ଲାଗ ମାର୍ଚ୍ଚ।

ଉକ୍ତ ଫ୍ଲାଗମାର୍ଚ୍ଚରେ ବାଣପୁର ତହସିଲଦାରଙ୍କ ସମେତ ବାଲୁଗାଁ ଏସଡିପିଓ, ୩ ଜଣ ଡ଼ିଏସପି, ଚାରି ଜଣ ଆଇଆଇସି ଏବଂ 20 ଗୋଟି ମୋବାଇଲ ଭ୍ୟାନରେ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ଅତିରିକ୍ତ ଏସପି ଶ୍ରୀ ଦାସ ସ୍ଥାନୀୟ ପଲଟନ ପଡିଆରେ ପୋଲିସ ବ୍ରିଫିଙ୍ଗ କଲା ପରେ ଆରମ୍ଭ ହୋଇଥିଲା ଫ୍ଲାଗମାର୍ଚ୍ଚ।

ପଞ୍ଚାୟତ ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାର କହିଛନ୍ତି ଅତରିକ୍ତ ଏସପି ଶ୍ରୀ ଦାସ। ନିର୍ବାଚନକୁ ନିରପେକ୍ଷ, ଅବାଧ ଏବଂ ଶାନ୍ତିପୂର୍ଣ କରିବାପାଇଁ ସଂକଳ୍ପବଧ ଖୋର୍ଦ୍ଧା ଜିଲ୍ଲା ପୋଲିସ ବୋଲି ଶ୍ରୀ ଦାସ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଲେଖ ଚନ୍ଦ୍ର ପହି ହେଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ: ଏହି ସବୁ କାର୍ଯ୍ୟ ଉପରେ ରହିବ ପ୍ରାଥମିକତା

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା/ଚିଲିକା: ଖୋର୍ଦ୍ଧା ଜିଲ୍ଲାର ନୂତନ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଭାବେ ବରିଷ୍ଠ ଓପିଏସ ଅଧିକାରୀ ଅଲେଖ ଚନ୍ଦ୍ର ପହି ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ପହି ଏହା ପୂର୍ବରୁ କଟକ ଜିଲ୍ଲାରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟରତ ଥିଲେ। ନିକଟରେ ପୂର୍ବତନ ଏସପି ରାଜକିଶୋର ଦୋରା ଅବସର ଗ୍ରହଣ କରିବା ପରେ ଜିଲ୍ଲା ପୋଲିସ ମୁଖିଆ ପଦବୀ ଖାଲି ପଡିଥିଲା।

ତେବେ ପଞ୍ଚାୟତ ନିର୍ବାଚନ ତାରିଖ ନିକଟ ଥିବାରୁ ଜିଲ୍ଲାରେ ଆଇନ ଶୃଙ୍ଖଳାର ସୁପରିଚାଳନା ନିମନ୍ତେ ନିର୍ବାଚନ କମିଶନରଙ୍କ ଅନୁମତି କ୍ରମେ ରାଜ୍ୟ ସରକାର ଶ୍ରୀ ପହିଙ୍କୁ ଖୋର୍ଦ୍ଧା ଜିଲ୍ଲାର ନୂତନ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଅବସ୍ଥାପିତ କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଚିଲିକା ପାଇଁ କଣ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ ଜିଲ୍ଲାରେ ନିର୍ବାଚନ କିପରି ସୁରୁଖୁରୁରେ ଅନୁଷ୍ଠିତ ହେବ ତାହା ପ୍ରଥମ ପ୍ରାଥମିକତା ରହିବ ବୋଲି ଭାରପ୍ରାପ୍ତ ଏସପି ଶ୍ରୀ ପହି କହିଛନ୍ତି।

ତତସହିତ ଜିଲ୍ଲାରେ ବଢୁଥିବା ଅପରାଧିକ ମାମଲା ଯେପରି ଗୋରୁ ଚାଲାଣ, ଖଣି ମାଫିଆ ଏବଂ ବ୍ରାଉନସୁଗାର ବେପାର ଆଦିକୁ ରୋକ ଲଗାଇବା ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ପହି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟରୁ ଅବସର ନେଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ, କରିଛନ୍ତି ଅନେକ ଉଲ୍ଲେଖନୀୟ କାର୍ଯ୍ୟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ଆଜି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଜଣେ ନିର୍ଭିକ, ସ୍ପଷ୍ଟବାଦୀ ଏବଂ ସଚ୍ଚାଟ ଅଧିକାରୀ ଭାବେ ଶ୍ରୀ ଦୋରା ଜିଲ୍ଲାରେ ଛାପ ଛାଡି ଚାଲି ଯାଇଛନ୍ତି। ପୂର୍ବରୁ ବହୁ ଏସପି ଖୋର୍ଦ୍ଧାକୁ ଆସିଥିଲେ ମଧ୍ୟ ଶ୍ରୀ ଦୋରାଙ୍କ କାର୍ଯ୍ୟକାଳ ସମୟରେ ଏକାଧିକ ସଫଳତା ହାସଲ କରିପାରିଛି ଖୋର୍ଦ୍ଧା ଜିଲ୍ଲା ପୋଲିସ।

ଗତବର୍ଷ ଫେବୃଆରୀ ୧୦ ତାରିଖରେ ଜିଲ୍ଲା ଅଧିକ୍ଷକ ଭାବେ ଦାଇତ୍ୱ ଗ୍ରହଣ କରିବା ଦିନଠାରୁ ଜିଲ୍ଲାକୁ କିପରି ଅପରାଧ ମୁକ୍ତ କରାଯିବ ସେ ନେଇ ଏକାଧିକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଶ୍ରୀ ଦୋରା। ମାତ୍ର ଏଗାର ମାସର କାର୍ଯ୍ୟକାଳ ମଧ୍ୟରେ ଆଶାତିତ ସଫଳତା ପାଇଛି ଖୋର୍ଦ୍ଧା ଜିଲ୍ଲା ପୋଲିସ। ବିଶେଷକରି ଅପରାଧୀମାନଙ୍କୁ ସହାନୁଭୂତି ନଦେଖାଇ ଦୃଢ଼ହସ୍ତରେ ଦମନ କରିବାରେ ବେଶ ସଫଳ ସାବ୍ୟସ୍ତ ହୋଇପାରିଛନ୍ତି ଏସପି ଶ୍ରୀ ଦୋରା।

ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଉପରେ ପ୍ରହାର ହେଉ ଅବା ନିଶା ବେପାରୀଙ୍କ ବିରୁଦ୍ଧରେ ଆର୍ଥିକ ଅନୁସନ୍ଧାନ କରି କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତ ହେଉ ଏପରି ଏକାଧିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଶ୍ରୀ ଦୋରା। ଅନୁରୂପ ଭାବେ ଜିଲ୍ଲାରେ ଚୋରା ଗୋ ଚାଲାଣକୁ ଲଗାମ, ବେଆଇନ ଖଣି ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ହାଇୱେ ଲୁଟ, ଛୀନତାଇ ଏବଂ ସାଇବର ଅପରାଧକୁ କମ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଶ୍ରୀ ଦୋରା।

ଏସପିଙ୍କ ତତ୍ୱାବଧାନରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଥାନା ଯଥା ବାଣପୁର, ଟାଙ୍ଗୀ ଏବଂ ଟାଉନ ଥାନାର ଏକାଧିକ ଜଟିଳ ଅପରାଧିକ ମାମଲା ଗୁଡ଼ିକର ସଠିକ ତଦନ୍ତ ହେବା ସହ ଅପରାଧୀଙ୍କୁ ଧରିବାରେ ସଫଳ ହୋଇପାରିଛି ଜିଲ୍ଲା ପୋଲିସ।

ସେହିପରି ଭାବେ ବାଲୁଗାଁ, ନିରାକାରପୁର, ଜଙ୍କିଆ, ବୋଲଗଡ଼, ବାଘମାରି, ବେଗୁନିଆ ଓ ସଦର ଥାନାର ମଧ୍ୟ ବିଭିନ୍ନ ଅପରାଧିକ ମାମଲା ସହ ଅନ୍ୟାନ୍ୟ ଜଟିଳ ମାମଲା ଗୁଡିକର ସମାଧାନ ଦିଗରେ ଜିଲ୍ଲା ପୋଲିସ ଉଲ୍ଲେଖନୀୟ ସଫଳତା ହାସିଲ କରିଛି।

ଜିଲ୍ଲାରେ ଅନବରତ ରାଜନୈତିକ ତିକ୍ତତା ଲାଗିରହିଥିଲେ ସୁଦ୍ଧା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିଛନ୍ତି ଶ୍ରୀ ଦୋରା। ବିଶେଷ କରି ଜିଲ୍ଲାରେ ଏସପିଙ୍କ ତତ୍ୱାବଧାନରେ ସଫଳ କୋଭିଡ ପରିଚାଳନା ନିମନ୍ତେ ଏକାଧିକ ପୋଲିସ ଅଧିକାରୀ ଡ଼ିଜିପିଙ୍କ ଠାରୁ ପ୍ରଶଂସାପତ୍ର ମଧ୍ୟ ପାଇଛନ୍ତି।

ଆଜି ସେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ବେଳେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ଅନ୍ୟାନ୍ୟ ସରକାରି କର୍ମଚାରୀମାନେ ତାଙ୍କୁ ଅବସର ଦେବା ସହ ଇଶ୍ୱରଙ୍କ ନିକଟରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଦୋରା ଦକ୍ଷ ପୋଲିସ ଅଧିକାରୀ ଭାବେ ସାରା ରାଜ୍ୟରେ ବେଶ୍ ଜଣାଶୁଣା। ଖୋର୍ଦ୍ଧା ଜିଲ୍ଲା ପୂର୍ବରୁ ଶ୍ରୀ ଦୋରା କ୍ରାଇମବ୍ରାଞ୍ଚ ଏସପି ଭାବେ ଅବସ୍ଥାପିତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ଶହିଦ ଦିବସ ପାଳିତ

ଖୋର୍ଦ୍ଧା: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ଆଜି ସକାଳେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଖୋର୍ଦ୍ଧା ସହରର ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଓ ଦୁଇ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଗାନ୍ଧୀଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ଗାନ୍ଧୀଙ୍କ ବିନା ଭାରତବର୍ଷ ଇଂରେଜମାନଙ୍କ ପରାଧୀନତାରୁ କେବେ ବି ମୁକ୍ତି ପାଇପାରିନଥାନ୍ତା। ଅହିଂସା, ସ୍ୱରାଜ ଓ ସତ୍ୟାଗ୍ରହ ଆଦର୍ଶକୁ ନେଇ ୩୦୦ ବର୍ଷର ପରାଧୀନତାରୁ ସ୍ୱାଧୀନ ପ୍ରାପ୍ତି ସାରା ବିଶ୍ୱରେ ବିରଳ। ସାରା ବିଶ୍ୱ ଏହାକୁ ସ୍ୱୀକାର କରି ତାଙ୍କ ଜନ୍ମଦିବସକୁ ମଧ୍ୟ ଆନ୍ତର୍ଜାତିକ ଅହିଂସା ଦିବସର ସମ୍ମାନ ଦେଇସାରିଛି।

ଏହି ଅବସରରେ ଶ୍ରୀ ମହାପାତ୍ର ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ଶହୀଦ ଓ ଖୋର୍ଦ୍ଧାର ବୀର ପାଇକ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ପ୍ରାଣନାଥ ମହାବିଦ୍ୟାଳୟର ଅଧ୍ୟାପକବୃନ୍ଦ, ସରକାରୀ ଅଧିକାରୀ ଓ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ମାନେ ଉପସ୍ଥିତି ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ନିଜ କମ୍ପାନୀରୁ ୫୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହେଲେ କର୍ମଚାରୀ

ଖୋର୍ଦ୍ଧା: ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ନିଜ କମ୍ପାନୀର ୫୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ବୋନ୍ଥ ଥାନା ଅନ୍ତର୍ଗତ ଦୋଳପଡ଼ି ଅଞ୍ଚଳର ରଜତ କୁମାର ମହାକୁଡ଼ (୩୫)।

ସୂଚନା ମୁତାବକ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ମୟୁର ଟ୍ରାନ୍ସପୋର୍ଟ କର୍ପୋରେସନ ନାମକ ଏକ ସଂସ୍ଥାରେ ରଜତ ଦୀର୍ଘ ବର୍ଷ ହେଲା ଆକାଉଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଉକ୍ତ ଟ୍ରାନ୍ସପୋର୍ଟ ଦ୍ୱାରା ବ୍ରିଟାନିଆ କମ୍ପାନୀର ବିସ୍କେଟ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା। ତେବେ ସମସ୍ତ ହିସାବ କିତାବ ଏବଂ ଟ୍ରାନ୍ସପୋର୍ଟ ଭଡ଼ା ପଇସା ଆଦି କଲେକ୍ସନ କରୁଥିଲେ ରଜତ। କିନ୍ତୁ ନିକଟରେ କମ୍ପାନୀ ଅଡିଟ ହେବାରୁ ବିଗତ ସାତ ମାସ ମଧ୍ୟରେ ରଜତ କମ୍ପାନୀର ୫୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବାର ଜଣାପଡିଥିଲା। ଏ ନେଇ ଗତ ୪ ତାରିଖରେ ମୟୁର ଟ୍ରାନ୍ସପୋର୍ଟ କମ୍ପାନୀର ମାନବ ସମ୍ବଳ ଅଧିକାରୀ ତରୁଣ କୁମାର ରାଉତ ଟାଉନ ଥାନାରେ ରଜତଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଉକ୍ତ ଦିନଠାରୁ ଗିରଫ ଭୟରେ ରଜତ ଫେରାର ଥିବା ବେଳେ ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କ ନିର୍ଦେଶ କ୍ରମେ ସ୍ପେସିଆଲ ସ୍କ୍ୱାର୍ଡ ର ସହଯୋଗରେ ଟାଉନ ଥାନା ପୋଲିସ କେଶ ନମ୍ବର ୪/୨୨ ରେ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ତେବେ ଗତକାଲି ବଡ଼ବିଲ ଅଞ୍ଚଳରୁ ରଜତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଉକ୍ତ ଘଟଣାର ଅଧିକ ତଦନ୍ତ ଜାରିରହିଥିବାର ଟାଉନ ଥାନା ଭାରପ୍ରାପ୍ତ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ରାଜ୍ୟ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ର ଚଢାଉ, ୨୭ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଓଡିଶା ଅବକାରୀ କମିଶନର ଆଇପିଏସ ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି କଟକସ୍ଥିତ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍, ଖୋର୍ଦ୍ଧା ଜିଲ୍ଲାରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସମନ୍ତରାପୁର ଅଞ୍ଚଳର ରାଜେନ୍ଦ୍ର ପୃଷ୍ଟି (୪୨)। ରାଜେନ୍ଦ୍ରଙ୍କ ନିକଟରୁ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ୨୭୦ ଗ୍ରାମ ବ୍ରାଉନ୍ ସୁଗାର ଯାହାର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ଏବଂ ନକଦ ୧ ଲକ୍ଷ ୧୩ ହଜାର ଟଙ୍କା ଜବତ କରିଛି। ରାଜେନ୍ଦ୍ର ଜିଲ୍ଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ପନିପରିବା ଦୋକାନରେ ବ୍ରାଉନ ସୁଗାର ବେପାର କରୁଥିଲେ। ସେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ସ୍ଥାନୀୟ ଅଞ୍ଚଳରେ ଛୋଟ ପାଉଚ ମାଧ୍ୟମରେ ବିକ୍ରି କରୁଥିଲେ।

ଏହି ପରିପ୍ରେକ୍ଷୀରେ, ଏନଡ଼ିପିଏସ ଆଇନ ଧାରା ୨୧ ଅନୁଯାୟୀ ପିଆର ନମ୍ବର ୨୩୭ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ଅବକାରୀ ବିଭାଗ।

ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିବାବେଳେ ଅବକାରୀ ଇନ୍ସପେକ୍ଟର ସରୋଜ କୁମାର ପରିଡ଼ା, ଉମାକାନ୍ତ ସ୍ୱାଇଁ, ଅବକାରୀ ସବ ଇନ୍ସପେକ୍ଟର ସଚିନ ବେହେରା ଏବଂ ଅନ୍ୟ ଅବକାରୀ ଅଧିକାରୀମାନେ ଉକ୍ତ ଚଢ଼ାଉରେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ପୋଲିଓ ପ୍ରତିଷେଧକ ଟିକାକରଣ ପାଇଁ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପଲସ ପୋଲିଓ ଟିକାକାରଣ ପାଇଁ ଜିଲ୍ଲା ଟାସ୍କଫୋର୍ସ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚ୍ଯୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି। ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଆର୍ତ୍ତବନ୍ଧୁ ନାୟକ ସ୍ୱାଗତ ଭାଷଣ ଦେବା ସହ ଜିଲ୍ଲାରେ ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଜାନୁଆରୀ ୨୩, ୨୪ ଓ ୨୫ ତାରିଖରେ ପିଲାମାନଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ।

ଜାନୁଆରୀ ୨୩ ତାରିଖରେ ପୋଲିଓ ବୁଥରେ ପିଲାମାନଙ୍କୁ ପଲସ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଯେଉଁ ପିଲାମାନେ ପୋଲିଓ ବୁଥରେ ପ୍ରତିଷେଧକ ନେଇ ନଥିବେ ସେମାନଙ୍କୁ ଜାନୁଆରୀ ୨୪ ଓ ୨୫ ତାରିଖରେ ଘରକୁ ଘର ବୁଲି ପୋଲିଓ ପ୍ରତିଷେଧକ ଦିଆଯିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୁବନେଶ୍ୱର ପ୍ରତିନିଧି ଡ଼ା. ସୁନୀଲ କୁମାର ଦାସ ପଲସ ପୋଲିଓ ଟିକାକାରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମଗ୍ର ଦେଶରେ ଜାନୁଆରୀ ୨୩, ୨୪ ଓ ୨୫ ତାରିଖରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ପଲସ ପୋଲିଓ ଟିକାକରଣ କରିବାକୁ ଲକ୍ଷ୍ୟରହିବ। ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ବିଶ୍ୱରେ ପୋଲିଓ ଦୂର ହେବା ଅବସ୍ଥାକୁ ଆସିଛି। ୨୦୨୩ ସୁଦ୍ଧା ବିଶ୍ୱକୁ ପୋଲିଓ ମୁକ୍ତ କରିବାକୁ ଲକ୍ଷ ରହିଛି। ଭାରତରେ ୨୦୧୧ ପରଠାରୁ ପୋଲିଓ ମାମଲା ସାମ୍ନାକୁ ଆସିନାହିଁ। ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯାଉଛି। ଖୋର୍ଦ୍ଧା ଜିଲ୍ଲାରେ ପଲସ ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ୧ ଲକ୍ଷ ୨୮ ହଜାର ୧୫୭ ଜଣ ପିଲାଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦେବା ପାଇଁ ଲକ୍ଷ ରହିଛି।  ଏଥିପାଇଁ ଜିଲ୍ଲାରେ ୬୨୦ ଟି ପୋଲିଓ ବୁଥରେ ପିଲାମାନଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ।

ପୋଲିଓ ପ୍ରତିଷେଧକ ଦେବା ପାଇଁ ୨ ହଜାର ୪୮୦ ଜଣ ଭାକସିନେଟର ନିୟୋଜିତ ହେବେ। ୪୦ ଟି ଟ୍ରାନଜିଟ ଟିମ ଓ ୨୨ ଟି ମୋବାଇଲ ଟିମ କାର୍ଯ୍ୟକରିବ।  ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଟ୍ରାନଜିଟ ଟିମ ରହିବ। ବାହାରୁ ଆସୁଥିବା ପିଲାମାନଙ୍କୁ ମଧ୍ୟ ପୋଲିଓ ପ୍ରତିଷେଧକ ଟିକା ଦେବାପାଇଁ ବ୍ୟବସ୍ଥା କରାଯିବ।  ପୋଲିଓ ପ୍ରତିଷେଧକ ଟିକାକରଣ ପାଇଁ ପ୍ରତି ବ୍ଲକରେ ବ୍ଲକ ଟାସ୍କଫୋର୍ସ ବୈଠକ କରାଯିବ।

କୋଭିଡ ସ୍ଥିତିକୁ ଲକ୍ଷ୍ୟ ରଖି ପୋଲିଓ ଟିକାକରଣ କରିବାକୁ ଆଲୋଚନା ହୋଇଥିଲା। ପୋଲିଓ ଟିକାକରଣ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ଓ ସ୍ଵେଚ୍ଛାସେବୀ ସଙ୍ଗଠନ ସହଯୋଗ କରିବାକୁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା. ରଘୁନାଥ ନାୟକ କହିଥିଲେ ଓ ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

ଖୋର୍ଦ୍ଧା: ଗତକାଲି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଏକାଧିକ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଖବର ମୁତାବକ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଏବଂ ଜିଲ୍ଲା ମୋବାଇଲ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକଙ୍କ ମିଳିତ ନେତୃତ୍ୱରେ ନୂଆ ବସଷ୍ଟାଣ୍ଡ ନିକଟରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୪.୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ସୁରଜ ମଣ୍ଡଳ ଏବଂ ସିମନ୍ତ ମଣ୍ଡଳ। ସେହିପରି ଭାବେ ଜଟଣୀ ଅବକାରୀ ବିଭାଗ ଯାଆଁଳା ରୁ ୪ କେଜି ଗଞ୍ଜେଇ ସହ କନ୍ଧମାଳ ଜିଲ୍ଲାର ଯଶୋଦା ଦିଗଲ ନାମକ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ଅନୁରୂପ ଭାବେ ଟାଙ୍ଗୀ ଅବକାରୀ ବିଭାଗ ରାମେଶ୍ୱର ଛକରୁ ୮ କେଜି ଗଞ୍ଜେଇ ସମେତ କନ୍ଧମାଳ ଜିଲ୍ଲାର ରସିକ ଦିଗଲ ନାମକ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମୁଦାୟ ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର

ଖୋର୍ଦ୍ଧା: ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କଲା ଅବକାରୀ ବିଭାଗ, ମହିଳା ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଜଣେ ମହିଳା ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କରିଛି ଅବକାରୀ ବିଭାଗ।

ସୂଚନା ମୁତାବକ ଖୋର୍ଦ୍ଧା ରେଞ୍ଜ ଅବକାରୀ ଅଧିକାରୀ ଭୈରବ ସାହୁଙ୍କ ନେତୃତ୍ୱରେ ଆଜି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳରେ ଚଢ଼ାଉ କରାଯାଇ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅଞ୍ଚଳର ସ୍ଵର୍ଣ୍ଣଲତା ବେହେରା (୪୦)। ତାଙ୍କ ନିକଟରୁ ଅବକାରୀ ବିଭାଗ ୨୧ ଗ୍ରାମ ବ୍ରାଉନ ସୁଗାର ସହ ନକଦ ୫ ହଜାର ୩୦୦ ଟଙ୍କା ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବା ବୋଲି ଅନୁମାନ କରାଯାଉଛି।

ଅଭିଯୁକ୍ତ ଜଣକ ବ୍ରାଉନ ସୁଗାର ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବାବେଳେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ତେବେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଅବକାରୀ ଥାନାରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୭୬/୨୧-୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା, ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ଉଦଘାଟିତ ହେଲା ବାଇକ ଆମ୍ବୁଲାନ୍ସ ସେବା

ଖୋର୍ଦ୍ଧା: ଆଜି ସମର୍ପଣ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ବାଇକ ଆମ୍ବୁଲାନ୍ସ ସେବା ଉଦଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଟ୍ରମା କେୟାର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଯୋଗଦେଇ ଏହି ଆମ୍ବୁଲାନ୍ସ ଲୋକାର୍ପିତ କରିଥିଲେ।

ଏଡିଏମଓ (ପିଏଚ) ଡା.ରଘୁନାଥ ନାୟକ, ଡିପିଏଚଓ ପ୍ରଦ୍ୟୁମ୍ନ ମିଶ୍ର, ଓକିଲ ସଂଘ ସଭାପତି ଅଜିତ ପଟ୍ଟନାୟକ, ଶିକ୍ଷାବିତ କିଶୋର ଚନ୍ଦ୍ର ବରାଳ, ଉଦ୍ୟୋଗପତି ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ସମର୍ପଣ ଟ୍ରଷ୍ଟ ଅଧ୍ୟକ୍ଷ ସାହୁ କହିଥିଲେ ଯେ, ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଏହି ଆମ୍ବୁଲାନ୍ସ ସେବା ତ୍ବରିତ ପ୍ରାଥମିକ ସେବା ଯୋଗାଇବା ସହ ନିକଟସ୍ଥ ମେଡିକାଲ ପହଞ୍ଚାଇବା କାର୍ଯ୍ୟ କରିବ। ଏହି ସେବା ସମ୍ପର୍ଣ୍ଣ ଭାବେ ନିଃଶୁଳ୍କ ରହିବ।

ତେବେ ଉକ୍ତ ସେବା ପାଇଁ ଆମ୍ବୁଲାନ୍ସରେ ଦିଆଯାଇଥିବା ନମ୍ବର ୭୦୦୮୦୯୨୮୭୮, ୬୩୭୧୦୮୬୯୧୬ ରେ ଯୋଗାଯୋଗ କରିପାରିବେ। ଯୋଗାଯୋଗ ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବ। ଯେଉଁ ସ୍ଥାନରେ ବଡ ଆମ୍ବୁଲାନ୍ସ ପହଞ୍ଚି ପାରୁନି, ସେହି ସ୍ଥାନରେ ଏହି ଆମ୍ବୁଲାନ୍ସ ପହଞ୍ଚିବ। ଏହି କାର୍ଯ୍ୟକ୍ରମରେ ଲଳିତ ମୋହନ ମହାପାତ୍ର, ଚନ୍ଦନ ସାହୁ, ପ୍ରଦୀପ ସ୍ବାଇଁ, ସରୋଜ ପାଲଟାସିଂହ ପ୍ରମୁଖ ସହଯୋଗ କରିଥିଲେ।