Categories
ଆଜିର ଖବର ଜାତୀୟ ଖବର

ଗଗନାୟନ ଅଭିଯାନ ହେଉଛି ମାନବଯୁକ୍ତ ମହାକାଶଯାନ ଉତକ୍ଷେପଣ ପାଇଁ ଇସ୍ରୋ ଯାତ୍ରାର ପ୍ରଥମ ପଦକ୍ଷେପ: କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଆଜି ସକାଳେ ଆବର୍ଟ ମିଶନ -୧ (ଟିଭି – ଡି୧) ର ପରୀକ୍ଷାମୂଳକ ଉଡ଼ାଣର ସଫଳତା ଚୂଡ଼ାନ୍ତ ‘ଗଗନାୟନ’ ଉତକ୍ଷେପଣ ପୂର୍ବରୁ କ୍ରମାଗତ ଉଡାଣ ପରୀକ୍ଷଣର ଆରମ୍ଭ କରିଛି। ସମଗ୍ର ଅଭ୍ୟାସ ଆଶାନୁରୂପ ଭାବେ ଶେଷ ହେବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଗୋଟିଏ ଇଞ୍ଜିନ ରକେଟ୍ “ଗଗନାୟନ” କ୍ରୁ ମଡ୍ୟୁଲ୍ (ସିଏମ)ର ପ୍ରାରମ୍ଭିକ ଡିପ୍ରେସରାଇଜ୍ଡ ସଂସ୍କରଣକୁ ପ୍ରାୟ ୧୭ କିଲୋମିଟର ଉଚ୍ଚତାକୁ ନେଇ ଯାଇଥିଲା ଏବଂ ଏହା ପରେ ପାରାଚୁଟ୍ ବ୍ୟବହାର କରି ଚୂଡ଼ାନ୍ତ ଅବତରଣ କରିଥିଲା।

ମହାକାଶ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, “ଗଗନାୟନ” ଅଭିଯାନ ମାଧ୍ୟମରେ ମାନବଯୁକ୍ତ ମହାକାଶଯାନ ଉତକ୍ଷେପଣ କରିବା ପାଇଁ ଇସ୍ରୋ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ଅଭ୍ୟାସ ଗଗନାୟନ ମିଶନର କ୍ରୁ ମଡ୍ୟୁଲରେ କ୍ରୁ ଏସ୍କେପ୍ ସିଷ୍ଟମର କାର୍ଯ୍ୟଦକ୍ଷତା ପରୀକ୍ଷା କରିଛି। ମୂଳତଃ ଏହା ନିରାପତ୍ତା ବ୍ୟବସ୍ଥାର ପରୀକ୍ଷଣ କରିଛି , ଯାହା ” ଗଗନାୟନ” ମିଶନର ଚାଳକ ମାନଙ୍କୁ କୌଣସି ତ୍ରୁଟି କାରଣରୁ ମିଶନ ରଦ୍ଦ ହେବା ସ୍ଥିତିରେ ମହାକାଶଯାନରୁ ନିରାପଦରେ ବାହାରି ଯିବା ପାଇଁ ଅନୁମତି ଦେବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଚନ୍ଦ୍ରାୟନ – ୩ ଦ୍ୱାରା ସଫଳ ଚନ୍ଦ୍ର ଅବତରଣର ଦୁଇ ମାସରୁ କମ୍ ସମୟ ପରେ ଆଜିର କାର୍ଯ୍ୟକ୍ରମ ୨୦୨୫ ମସିହାରେ ମହାକାଶକୁ ଜଣେ ଭାରତୀୟ ମହାକାଶଚାରୀଙ୍କୁ ପ୍ରେରଣ କରିବା ଉଦ୍ଦେଶ୍ୟରେ ବ୍ୟବସ୍ଥା ଏବଂ ପ୍ରକ୍ରିୟାର ଅନେକ ପରୀକ୍ଷଣ ପାଇଁ ପଥ ପ୍ରଶସ୍ତ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାକାଶ କ୍ଷେତ୍ରକୁ ଅତୀତର ସ୍ୱୟଂ ନିର୍ଦ୍ଧାରିତ ନିୟମ ଓ ଶୃଙ୍ଖଳାରୁ ମୁକ୍ତ କରିବା ପର ଠାରୁ ଇସ୍ରୋ ଏବଂ ଶିଳ୍ପ ତଥା ଘରୋଇ ଅଂଶଗ୍ରହଣକାରୀମାନେ ମହାକାଶ ପ୍ରକଳ୍ପରେ ସହଯୋଗ କରିବା ପାଇଁ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି ଡଃ ଜିତେନ୍ଦ୍ର ସିଂହ କହିଛନ୍ତି। ଏହା କେବଳ ଉତ୍ସାହ ସୃଷ୍ଟି କରିନାହିଁ ବରଂ ଉଭୟ ଜ୍ଞାନ ଏବଂ ଆର୍ôଥକ ଦୃଷ୍ଟିରୁ ବିପୁଳ ମୂଲ୍ୟ ବୃଦ୍ଧି କରିଛି ଏବଂ ଏହାର ପ୍ରମାଣ ହେଉଛି ଯେ ତିନି ବର୍ଷର ଅଳ୍ପ ସମୟ ମଧ୍ୟରେ ସଫଳ ଷ୍ଟାର୍ଟଅପ୍ ଗୁଡିକର ସଂଖ୍ୟା ୫ ରୁ କମ୍ ଥିବା ବେଳେ ୧୫୦ରୁ ଅଧିକ ହୋଇଛି।

‘ୱେଲ୍ ବିଗିନ୍ ଇଜ୍ ହାଫ୍ ଡନ୍’ / କାର୍ଯ୍ୟର ସଫଳ ଆରମ୍ଭ ହେଲା, ଅର୍ଥାତ୍ କାର୍ଯ୍ୟ ଅଧା ହୋଇଗଲା’ ଶୀର୍ଷକ ଏହି କଥାକୁ ଉଦାହରଣ ଦେଇ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଆଜି ସଫଳ ହୋଇଥିବା ଟେଷ୍ଟ ଭେଇକିଲ୍ ଆବର୍ଟ ମିଶନ-୧ (ଟିଭି – ଡି – ୧) ‘ଗଗନାୟନ’ ପ୍ରକଳ୍ପର କ୍ରୁ ନିରାପଦରେ ବାହାରିଯିବାକୁ ଦର୍ଶାଉଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଏହି ପରୀକ୍ଷଣ ଉଡ଼ାଣ ଅବଶିଷ୍ଟ ଯୋଗ୍ୟତା ପରୀକ୍ଷା ଏବଂ ମାନବବିହୀନ ଅଭିଯାନ ପାଇଁ ମଞ୍ଚ ପ୍ରସ୍ତୁତ କରିବ, ଯାହା ଭାରତୀୟ ମହାକାଶଚାରୀ ମାନଙ୍କ ସହିତ ପ୍ରଥମ ‘ଗଗନାୟନ’ ଅଭିଯାନରେ ପରିଣତ ହେବ।

ଗଗନାୟନ ମିଶନରେ ମାନବ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି। କ୍ରୁ ମଡ୍ୟୁଲ୍ (ସିଏମ୍) ଚାଳକ ଦଳ ପାଇଁ ମହାକାଶରେ ପୃଥିବୀ ପରି ପରିବେଶ ସହିତ ବାସଯୋଗ୍ୟ ସ୍ଥାନ ଅଟେ , ଯେତେବେଳେ ସର୍ଭିସ୍ ମଡ୍ୟୁଲ୍ (ଏସ୍ଏମ୍)ର ଉପଯୋଗ କକ୍ଷପଥରେ ଥିବା ସମୟରେ ସିଏମ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବହୃତ ହେବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦକ୍ଷ ମାର୍ଗଦର୍ଶନରେ ଭାରତର ମହାକାଶ କାର୍ଯ୍ୟକ୍ରମ ପ୍ରଥମ ମାନବୀୟ ମହାକାଶ ଅଭିଯାନ ଏବଂ ପରେ ପ୍ରଥମ ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ନିକଟରେ ଚନ୍ଦ୍ରାୟନ – ୩ ଏବଂ ଆଦିତ୍ୟ ଏଲ୍ -୧ ମିଶନ ସମେତ ଗତ ୪ ରୁ ୫ ବର୍ଷ ମଧ୍ୟରେ ଭାରତୀୟ ମହାକାଶ ଅଭିଯାନର ସଫଳତାକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଭାରତକୁ ଏବେ ନୂତନ ଏବଂ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିବା ଉଚିତ୍, ଯେଉଁଥିରେ ୨୦୩୫ ସୁଦ୍ଧା ‘ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍’ (ଭାରତୀୟ ମହାକାଶ ଷ୍ଟେସନ) ପ୍ରତିଷ୍ଠା ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବା ସମେତ ନୂତନ ଏବଂ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସାମିଲ୍ ହୋଇଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି କ୍ଷେତ୍ରକୁ ଉନ୍ମୁକ୍ତ କରାଯିବା ଫଳରେ ଉତ୍ସାହିତ ଭାରତର ମହାକାଶ ଦକ୍ଷତା କ୍ଷେତ୍ରରେ ଭାରତର ବ୍ୟାପକ ଅଗ୍ରଗତିକୁ ବିଶ୍ୱ ଆଜି ସ୍ୱୀକାର କରୁଛି।