ଭୁବନେଶ୍ବର : ଆଜି ସାରା ଭାରତ ବର୍ଷ ଏପରିକି ବିଦେଶରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କରାଯାଉଛି। ସେ ୧୮୬୯ ମସିହା ଅକ୍ଟୋବର ଦୁଇ ତାରିଖରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଅହିଂସା ନୀତି ତଥା ଶିକ୍ଷା ଉପରେ ଯେଉଁ ପଦକ୍ଷେପ ତାହା ଆଜି ସମସ୍ତଙ୍କର ଆଦର୍ଶ ହୋଇ ରହିଛି।
ତେବେ ସାରା ଭାରତରେ ଅହିଂସା ଆନ୍ଦୋଳନର ପୁରଧା ସାଜିଥିବା ଜାତିର ପିତା ମହାତ୍ମା ଗାନ୍ଧୀ ବହୁଥର ଓଡିଶା ଆସିଛନ୍ତି। ପ୍ରଥମ ଓଡିଶା ଗସ୍ତ ୨୩ ମାର୍ଚ୍ଚ ୧୯୨୧ ଥିଲା। ଅର୍ଥାତ ଗାନ୍ଧୀଙ୍କ ଓଡିଶା ଆଗମନକୁ ୧୦୩ ବର୍ଷ ପୁରଣ ହୋଇସାରିଛି। ସେସବୁ ଗସ୍ତ ସଂପର୍କରେ ଆସନ୍ତୁ ଜାଣିବା।
ପ୍ରଥମ ଗସ୍ତ ୧୯୨୧: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିମନ୍ତ୍ରଣ କ୍ରମେ ମହାତ୍ମା ଗାନ୍ଧୀ ୨୩ ମାର୍ଚ୍ଚ ୧୯୨୧ ରେ ଓଡିଶା ଆସିଥିଲେ। ସାଥିରେ ପତ୍ନୀ କସ୍ତୁରବା ଏବଂ କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ସହ ସେ କଟକ ରେଳ ଷ୍ଟେସନରେ ପହଁଚିଥିଲେ। ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ୱରାଜ ଆଶ୍ରମକୁ ନେଇଥିଲେ।
ସେହିଦିନ ସନ୍ଧ୍ୟାରେ କଟକ କାଠଯୋଡି ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କୁ ଏକ ବିରାଟ ସାଧାରଣ ସଭାରେ ସ୍ବାଗତ କରାଯାଇଥିଲା। ଏହାପରେ ମାର୍ଚ୍ଚ ୨୬ ତାରିଖରେ ଗାନ୍ଧିଜୀ ପୁରୀ ଗସ୍ତ କରିଥିଲେ। ସେଠାରେ ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ସହିତ ସେ ଜିଲ୍ଲାର କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।ସେ ସାତଦିନ ଧରି ଓଡିଶାରେ ରହିଥିଲେ।
ଦ୍ୱିତୀୟ ଗସ୍ତ ୧୯୨୫: ମଧୁସୂଦନ ଦାସଙ୍କ ନିମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ତାରିଖରେ ଗାନ୍ଧୀଜୀ ପୁନର୍ବାର କଟକ ଆସିଥିଲେ । ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଜୋତା କାରଖାନା ପରିଦର୍ଶନ କରି ମୁଗ୍ଧ ହୋଇଥିଲେ ଓ ଅହମଦାବାଦ ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା କରିବା ପାଇଁ ମନସ୍ଥ କରିଥିଲେ । ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ ।
ତୃତୀୟ ଗସ୍ତ ୧୯୨୭: ତୃତୀୟ ଥର ନିମନ୍ତେ ଓଡ଼ିଶା ପରିଦର୍ଶନରେ ଆସି କଟକଠାରେ ଭାଷାକୋଶବିତ ଗୋପାଳ ଚନ୍ଦ୍ର ପ୍ରହରାଜ ଆମନ୍ତ୍ରଣ କ୍ରମେ ତାଙ୍କ ଘରେ କିଛି ସମୟ କଟାଇଥିଲେ। ପ୍ରହରାଜ ମହୋଦୟଙ୍କ ଅଧ୍ୟବସାୟ ତଥା ବ୍ୟକ୍ତିଗତ ପ୍ରଚେଷ୍ଟାରେ ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ ଭଳି ଏକ ବିରାଟ ଗ୍ରନ୍ଥ-ପ୍ରକଳ୍ପ ସଂକଳନକୁ ଗାନ୍ଧୀଜୀ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ପୂର୍ବୋକ୍ତ କୁଷ୍ଠାଶ୍ରମଟି ଦେଖି ଆଶ୍ରମବାସୀଙ୍କୁ ଗୋଟିଏ ସେବତୀଫୁଲ ତୋଡ଼ା ଓ ଏକ ଟୋକେଇ ପୂର୍ଣ୍ଣ କମଳାଲେମ୍ବୁ ଉପହାର ପ୍ରଦାନ କରିଥିଲେ।
ଚତୁର୍ଥ ଗସ୍ତ ୧୯୨୮: ୧୯୨୮ର ଦାରୁଣ ବନ୍ୟା ସମୟରେ ଗାନ୍ଧୀଜୀ ଚତୁର୍ଥ ଥର ନିମନ୍ତେ ଓଡ଼ିଶା ଆସିବା ବେଳକୁ ତାଙ୍କର ସହକର୍ମୀ ଗୋପବନ୍ଧୁଙ୍କର ଦେହାନ୍ତ ହୋଇସାରି ଥିଲା। ଗୋପବନ୍ଧୁଙ୍କର ନିଃସ୍ୱାର୍ଥ ଜନସେବା, ଦରିଦ୍ର-ନାରାୟଣଙ୍କ ପ୍ରତି ଗଭୀର ସମବେଦନାକୁ ସ୍ମରଣ କରି ସେହି ମହାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ଗାନ୍ଧୀଜୀ ତାଙ୍କର ୟଙ୍ଗ ଇଣ୍ଡିଆ ପତ୍ରିକାରେ ବର୍ଣ୍ଣନା କରିଥିଲେ। ବାଲେଶ୍ବର ଗସ୍ତକାଳରେ ଗାନ୍ଧୀଜୀ ବହୁ ବନ୍ୟାଞ୍ଚଳ ଗସ୍ତ କରିଥିଲେ।
ପଞ୍ଚମ ଗସ୍ତ: ୧୯୩୪: ମହାତ୍ମା ଗାନ୍ଧୀ୧୯୩୪ ମସିହା ମଇ ମାସ ୫ ତାରିଖରେ ସେ ଝାରସୁଗୁଡା ଆସିଥିଲେ। ସେଠାରେ ପହଞ୍ଚିବା ପରେ ଅନୁଗୋଳ ଦେଇ ପୁରୀରେ ପହଞ୍ଚିଥିଲେ। ୮ ତାରିଖରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ୯ ତାରିଖରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ।