Categories
ଆଜିର ଖବର ରାଜ୍ୟ ଖବର

ଆଗାମୀକାଲିର ଶିଳ୍ପ ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ପ୍ରସ୍ତୁତ କରୁଛି ଓଡ଼ିଶା: ଡକ୍ଟର ବିନୋଦ ଆର୍ ରାଓ

ଭୁବନେଶ୍ୱର: ଗୁଜରାଟ ସରକାରଙ୍କ ଶ୍ରମ, କୌଶଳ ବିକାଶ ଓ ନିୟୋଜନ ବିଭାଗର ସଚିବ ଡକ୍ଟର ବିନୋଦ ଆର୍ ରାଓ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ସୋମବାର ଦିନ ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ଏହି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ଉପଯୋଗୀ ତାଲିମ ଦେବା ପାଇଁ ୭ଟି ଅତ୍ୟାଧୁନିକ ପାଠ୍ୟକ୍ରମ ରହିଛି। ତା\’ସହ ହ୍ୟାଣ୍ଡ୍ସ ଅନ୍ ପ୍ରାକ୍ଟିସ୍ ସୁବିଧା ପାଇଁ ଅନ୍ତର୍ଜାତୀୟ ମାନର ଲାବୋରେଟୋରି ସ୍ଥାପନ କରାଯାଇଛି। ଏହି ଗସ୍ତ ବେଳେ ଡକ୍ଟର ରାଓ ବିଶ୍ୱ ଦକ୍ଷତା କେନ୍ଦ୍ରର ବିଭିନ୍ନ ଲାବୋରେଟୋରି ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ସହ କଥା ହୋଇଥିଲେ। ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ନୂଆ ଉଚ୍ଚତାକୁ ନେବାରେ ଏହି କେନ୍ଦ୍ର ବିଶେଷ ସହାୟକ ହେଉଥିବା ଜାଣି ସେ ଖୁସି ହୋଇଥିଲେ।

“ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ତାଲିମ ନେଇ ଛାତ୍ରଛାତ୍ରୀମାନେ ସେମାନଙ୍କ ଦକ୍ଷତାକୁ ଆହୁରି ବ୍ୟାପକ କରିବାର ସୁଯୋଗ ପାଉଛନ୍ତି। ଫଳରେ ଆଗାମୀକାଲିର ଶିଳ୍ପ ପାଇଁ ଆବଶ୍ୟକ ହେଉଥିବା ଦକ୍ଷ ଯୁବ ମାନବ ସମ୍ବଳ ପ୍ରସ୍ତୁତି ଦିଗରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। “ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ଯୁବପିଢ଼ିଙ୍କ ଦକ୍ଷତାକୁ ସଶକ୍ତ କରିବା ଲାଗି ରାଜ୍ୟ ସରକାରଙ୍କର ଯେଉଁ ପ୍ରତିବଦ୍ଧତା ରହିଛି ତାହା ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତିଫଳିତ ହେଉଛି,” କହିଛନ୍ତି ସଚିବ ଡକ୍ଟର ବିନୋଦ ଆର୍ ରାଓ।

ଏହି ଅବସରରେ ଡକ୍ଟର ରାଓ ବିଶ୍ୱ ଦକ୍ଷତା କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ଶେଷ କରିବା ପରେ ଛାତ୍ରଛାତ୍ରୀମାନେ ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଉଥିବାରୁ ସେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ଟି ଥମ୍ବିରାଜା ଏବଂ ଉପାଧ୍ୟକ୍ଷ ଜିତାମିତ୍ର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଅଧୀନରେ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଏବେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦିଆଯାଇ ଦେଶ ବିଦେଶର ବିଭିନ୍ନ ଶିଳ୍ପ ଓ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଉପହାର, CNG-PNG ର ହ୍ରାସ କଲେ ଭାଟ୍, ମାଗଣାରେ ୨ ଟି ସିଲିଣ୍ଡର

ନୂଆଦିଲ୍ଲୀ: ଦୀପାବଳି ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ ସରକାର ଜନସାଧାରଣଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆଜି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ହିତାଧିକାରୀଙ୍କୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ସରକାର ସିଏନଜି ଗାଡି ମାଲିକମାନଙ୍କୁ ମଧ୍ୟ ଖୁସି କରିଛନ୍ତି। ସରକାର CNG ଏବଂ PNG ଉପରେ ଭାଟ୍ ୧୦ ପ୍ରତିଶତ ହ୍ରାସ କରିଛନ୍ତି।

ବର୍ତ୍ତମାନ, CNG ଉପରେ ଭାଟ୍ ହ୍ରାସ ଯୋଗୁଁ ଗ୍ରାହକମାନେ କିଲୋଗ୍ରାମରେ ୬ ରୁ ୭ ଟଙ୍କା ଲାଭ କରୁଥିବାବେଳେ PNG ଗ୍ରାହକମାନେ କିଲୋଗ୍ରାମରେ ୫ ରୁ ୬ ଟଙ୍କା ଲାଭ କରିବେ। CNG ଏବଂ PNG ରେ ରିଲିଫ୍ ପ୍ରଦାନ କଲେ ସରକାରଙ୍କ ଉପରେ ୩୦୦ କୋଟି ବୋଝ ହେବ। ଏହା ବ୍ୟତୀତ ଏଲପିଜିରେ ରିଲିଫ୍ ହେତୁ ସରକାରଙ୍କ ମୋଟ ୧୬୫୦ କୋଟି ଟଙ୍କା ଭାର ମଧ୍ୟ ରହିବ।

ସରକାରଙ୍କ ଏହି ଘୋଷଣା ୩୫ ଲକ୍ଷ ଏଲପିଜି ଧାରକଙ୍କୁ ଉପକୃତ କରିବ। ଏହି ନିଷ୍ପତ୍ତି ସିଧାସଳଖ ଗୃହିଣୀ ଏବଂ ଡ୍ରାଇଭରମାନଙ୍କୁ ଉପକୃତ କରିବ। ପ୍ରକାଶ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ହିମାଚଳ ପ୍ରଦେଶ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି ଏବଂ ଗୁଜୁରାଟ ନିର୍ବାଚନ ପାଇଁ ଯେକୌଣସି ଦିନ ଘୋଷଣା କରାଯାଇପାରେ।