Categories
ଆଜିର ଖବର ରାଜ୍ୟ ଖବର

‘ବିନା ଭୟ, ପକ୍ଷପାତରେ  ଗଠନମୂଳକ ସମାଲୋଚନା କରନ୍ତୁ’: ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହାର ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ରହିଛି। ତେଣୁ, ଗଣମାଧ୍ୟମ ବିନା ଭୟ ଓ ପକ୍ଷପାତରେ ଗଠନମୂଳକ ସମାଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଆଜି ସ୍ଥାନୀୟ ମେ ଫେୟାର’ରେ ସମ୍ୱାଦ ଗ୍ରୁପ୍‍ ପକ୍ଷରୁ ଆୟୋଜିତ କର୍ପୋରେଟ ଏକସେଲନ୍‍ସ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କ ସମସ୍ୟା ଓ ପ୍ରସଙ୍ଗକୁ ସରକାରଙ୍କ ନଜରକୁ ଆଣିଲେ, ସମାଧାନ କରିବା ପାଇଁ ସରକାରଙ୍କୁ ଏହା ସାହାଯ୍ୟ କରିବ। କିନ୍ତୁ ସମ୍ୱାଦ ପରିବେଷଣ ଓ ଅଭିସନ୍ଧିମୂଳକ କୁତ୍ସାରଟନା ଭିତରେ ଯେଉଁ ସୂକ୍ଷ୍ମ ଲକ୍ଷ୍ମଣରେଖା ରହିଛି, ତାକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ। ସାମ୍ୱାଦିକତାର ମୂଳମନ୍ତ୍ର ହେଉଛି ସତ୍ୟର ଜୟ ହେଉ (Let Truth Prevail) ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯେଉଁ ମହାପରିବର୍ତ୍ତନର ଯାତ୍ରା ଆରମ୍ଭ ହୋଇଛି ସେଥିରେ ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗ କାମନା କରିଥିଲେ। ଗଣମାଧ୍ୟମ ମଧ୍ୟ ଏ ଦିଗରେ ସହଯୋଗ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍‍ ଇଞ୍ଜିନ୍‍ ହେବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ଏହି ସମୟ ଭିତରେ ଓଡ଼ିଶାର ସମ୍ପୂର୍ଣ୍ଣ କାୟାକଳ୍ପ ହେବ। ଗତ କିଛି ମାସ ମଧ୍ୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସଫଳ ଆୟୋଜନ କରି ଓଡ଼ିଶା ଦେଶ ଓ ବିଶ୍ୱର ନଜରକୁ ଆସିପାରିଛି। ପ୍ରବାସୀ ଭାରତୀୟ ଓ ଓଡ଼ଆମାନଙ୍କ ସହ ଯୋଡ଼ି ହେବା ଯୋଗୁଁ ଓଡ଼ିଆ ଅସ୍ମିତା ଆଜି ବିଶ୍ୱ ଦରବାରରେ ପହଞ୍ଚି ପାରିଛି। ଉତ୍କର୍ଷ ଓଡ଼ିଶା – ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ – ୨୦୨୫ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଓଡ଼ିଶା ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି।

ତେଣୁ ନୂଆ ଓଡ଼ିଶା ଗଠନ ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ସବୁ ବର୍ଗର ଲୋକଙ୍କ ସହଯୋଗ ଓ ସହଭାଗିତାରେ ତାହା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖବର ପରିବେଷଣ  ସହିତ ଆଜିକାଲି ମେଡିଆ ହାଉସ୍‍ମାନେ ପରିବର୍ତ୍ତନର ସାରଥୀ (Change Agent) ଭାବରେ ଭୂମିକା ଗ୍ରହଣ କରୁଛନ୍ତି। ବିଭିନ୍ନ କନକ୍ଲେଭ ମାଧ୍ୟମରେ ଅନେକ ପ୍ରସଙ୍ଗ ଉପରେ ଖୋଲା ଆଲୋଚନା କରି ସମାଜର ବିଭିନ୍ନ ସ୍ତରରେ ଜାଗରଣ ସୃଷ୍ଟି କରୁଛନ୍ତି। ଏହାକୁ ଖୁବ୍‍ ପ୍ରଶଂସନୀୟ ଉଦ୍ୟମ ବୋଲି ସେ କହିଥିଲେ।

ସମ୍ୱାଦର କର୍ପୋରେଟ ଏକସେଲନ୍‍ସ ଆୱାର୍ଡ କାର୍ଯ୍ୟକ୍ରମର ପ୍ରଂଶସା  କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହାଦ୍ୱାରା ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ପ୍ରୋତ୍ସାହନ ମିଳିପାରୁଛି। ଏହିପରି କାର୍ଯ୍ୟକ୍ରମ ଓଡ଼ିଆ ଅସ୍ମିତାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ। ଓଡ଼ିଆ ସମାଜର ଅଭିବୃଦ୍ଧି ପାଇଁ ସମ୍ମାନିତ ବ୍ରାଣ୍ଡମାନଙ୍କର ବିଜେତା ଓ ଏହି ବ୍ରାଣ୍ଡ ପଛରେ ରହିଥିବା ଉଦଯୋଗର ବିଶେଷ ଭୁମିକା ଅଛି ବୋଲି ସେ କହିଥିଲେ।

ଇଷ୍ଟର୍ଣ୍ଣ ମେଡିଆର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶଂସା କରି ସେ କହିଥିଲେ ଆଜି ସୌମ୍ୟବାବୁ ଜଣେ ସାଧାରଣ ବ୍ୟକ୍ତି ନୁହେଁ ଗୋଟିଏ ଇନଷ୍ଟିଚ୍ୟୁସନରେ ପରିଣତ ହୋଇଛନ୍ତି। ଓଡ଼ିଶାର ଗଣମାଧ୍ୟମ ଦୁନିଆରେ ସେ ଏକ ମହାଦ୍ରୁମ। ଆଜି ଯଦି ଓଡ଼ିଶାର ଗଣମାଧ୍ୟମ ଏକ ସମ୍ମାନସ୍ପଦ ସ୍ଥାନରେ ଅଛି ତାହେଲେ ତାର ପ୍ରଥମ ଶ୍ରେୟ ନିଶ୍ଚିତ ଭାବରେ ସୌମ୍ୟବାବୁଙ୍କ ପାଖକୁ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ସାମ୍ୱାଦିକତା ଠାରୁ ଆରମ୍ଭ କରି ରାଜନୀତି, ସମାଜସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୌମ୍ୟବାବୁ ତାଙ୍କର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଥିଲେ ମଧ୍ୟ, ସମ୍ୱାଦର ସ୍ରଷ୍ଟା ଭାବରେ ସେ ସବୁଠାରୁ ଲୋକପ୍ରିୟ। ଓଡ଼ିଆ ଅସ୍ମିତାର ସଂଗ୍ରାମରେ ସୌମ୍ୟବାବୁ ଜଣେ ଅଗ୍ରଣୀ ସେନାପତି ଥିଲେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାଟି ଓ ପାର୍ଟି ମଧ୍ୟରେ ହୋଇଥିବା ଲଢ଼େଇରେ ସେ ମାଟିକୁ ହିଁ ବାଛିଥିଲେ।

ଏହି ଅବସରରେ ନିଜର ଅଭିଭାଷଣ ରଖି ଇଷ୍ଟର୍ଣ୍ଣ ମେଡ଼ିଆର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ଓଡ଼ିଶାରେ ଏବେ ଯେଉଁ ପରିବର୍ତ୍ତନ ହୋଇଛି, ତାହା ଏକ ନୂଆ ଯୁଗର ସଂକେତ ଦେଇଛି। ଏବେ ଆମେ ଓଡ଼ିଶାକୁ ଉତ୍କୃଷ୍ଟ କରିବା ପାଇଁ ଅଗ୍ରସର ହେଉଛୁ। ତେଣୁ ଓଡ଼ିଶାରେ ସବୁଲୋକ ଉତ୍କର୍ଷର ଉପାସକ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଏଥିରେ ସମସ୍ତେ ସମାଲୋଚକମାନଙ୍କୁ ପାଖରେ ରଖିବା ଉଚିତ ବୋଲି ମତ ଦେଇ ସେ କହିଥିଲେ ଯେ, ସମାଲୋଚନା ହିଁ ଆମକୁ ଆମର ଭୁଲ ସମ୍ପର୍କରେ ଅବଗତ କରାଇବା ସହ ଉଚିତ ମାର୍ଗ ଦର୍ଶନ କରିଥାଏ।

ଶିଳ୍ପପତିମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଓଡ଼ିଶାର ପିଲାମାନେ ଓଡ଼ିଶା ବାହାରେ ସାରା ବିଶ୍ୱରେ ବଡ଼ ବଡ଼ କର୍ପୋରେଟ ସେକ୍ଟରରେ କାମ କରି ସଫଳତା ଅର୍ଜନ କରୁଛନ୍ତି। ତେଣୁ ଓଡ଼ିଶାର କର୍ପୋରେଟ ସେକ୍ଟର ମଧ୍ୟ ଓଡ଼ିଆ ପିଲାମାନଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ୫ଟି ବର୍ଗରେ ୧୭ଟି ବ୍ରାଣ୍ଡକୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମେଡିଆର ନିର୍ଦ୍ଦେଶିକା ଡକ୍ଟର ମୋନିକା ପଟ୍ଟନାୟକ ସମ୍ୱାଦ ଓ କନକ ନ୍ୟୁଜର ସମ୍ପାଦିକା ଶ୍ରୀମତୀ ତନୟା ପଟ୍ଟନାୟକ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଚକ୍ରବ୍ୟୁହରେ ଚତୁର୍ଥ ସ୍ତମ୍ଭ

ସୁବାଷ କୁମାର ତାରଣିଆଁ

ଗଣତନ୍ତ୍ରକୁ ସୁଦୃଢ ଓ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଗଣମାଧ୍ୟମ। ଆଉ ଗଣମାଧ୍ୟମକୁ ସଠିକ୍ ଭାବରେ ପରିଚାଳନା କରିବାରେ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ ଭଳି ଉଭା ହୋଇଥାନ୍ତି। ଯେଉଁ ଦେଶରେ ଗଣତନ୍ତ୍ରର ସ୍ୱର ଯେତେ ପ୍ରଖର, ସେ ଦେଶ ସେତେ ଉନ୍ନତ ଓ ଦୁର୍ନୀତିମୁକ୍ତ। ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବାରେ ଗଣତନ୍ତ୍ର ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିଥାଏ। ସେଥିପାଇଁ ଗଣମାଧ୍ୟମକୁ ଚତୁର୍ଥସ୍ତମ୍ଭର ମାନ୍ୟତା ମିଳିଛି।

ଗଣମାଧ୍ୟମ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଘଟୁଥିବା ଘଟଣାବଳୀକୁ ନେଇ ସାଧାରଣ ଜନତାଙ୍କ ନିକଟରେ ଖବର ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ ଦ୍ୱାରା ହିଁ ଗଣମାଧ୍ୟମ ଉପରେ ବିଶ୍ୱାସନୀୟତା ବଢିଥାଏ। କଲମ ମୁନରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନର ସହ ବଞ୍ଚାଇ ରଖିବା ଓ ସାଧାରଣ ଜନତାଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଗଣମାଧ୍ୟମର ମୂଳ ଲକ୍ଷ୍ୟ।

୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ମାନ୍ୟତା ପାଇଥିଲା ଏବଂ ଗଣତନ୍ତ୍ର ରାଷ୍ଟ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ଗଣମାଧ୍ୟମକୁ ନେଇ ଚାରୋଟି ସ୍ତମ୍ଭ କାର୍ଯ୍ୟକାରୀ ହୋଇଥିଲା। ଦେଶର ସାମଗ୍ରିକ ବିକାଶ ଦିଗରେ ଗଣମାଧ୍ୟମର ଭୂମିକା ରହିଛି।

ସେହିପରି ଗଣତନ୍ତ୍ରକୁ ସୁପରିଚାଳନା କରିବା ଦିଗରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ସଂଗଠିତ ହେଉଥିବା ଘଟଣାବଳୀ ସମ୍ପର୍କରେ ସଠିକ୍ ତଥ୍ୟ ଉପସ୍ଥାପନ କରିବା ଗଣମାଧ୍ୟମର କର୍ତ୍ତବ୍ୟ। ସେହି ଦୃଷ୍ଟିରୁ ଚାରିସ୍ତମ୍ଭ ମଧ୍ୟରୁ ଗଣମାଧ୍ୟମକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ସମାଜର ପରଦା ପଛରେ ଲୁଚି ରହିଥିବା ଅବହେଳିତ, ନିଷ୍ପେସିତ ପ୍ରତିଭାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାରେ ମଧ୍ୟ ଗଣମାଧ୍ୟମର ଯଥେଷ୍ଟ ଅବଦାନ ରହିଛି। ଗଣମାଧ୍ୟମକୁ ସଠିକ୍ ଭାବେ ପରିଚାଳନା କରିବାକୁ ହେଲେ ସାମ୍ବାଦିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିନରାତି, ଶୀତ କାକର, ଖରା, ବର୍ଷା ଓ ଭୋକ ଉପାସକୁ ଖାତିର ନକରି ବର୍ଷକ ୩୬୫ ଦିନ ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଗଣମାଧ୍ୟମ ଓ ସାମ୍ବାଦିକ ସର୍ବଦା ସମାଜରେ ସୁନାମ କମାଇ ଥାଆନ୍ତି।

୨୦୦୩ ମସିହାରେ ଚାଇନା ଦେଶରେ ଏକ ଭୟଙ୍କର ରୋଗ ମହାମାରୀର ରୂପ ନେଇଛି ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ଖବର ଛାପି ଜଣେ ବ୍ୟକ୍ତି ସରକାରଙ୍କ ଦ୍ୱାରା ଗିରଫ ହେବା ଏବଂ ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଖବର ବିଭିନ୍ନ ଖବରକାଗଜରେ ପ୍ରକାଶନ କରି ମୁଖ୍ୟ ଶିରୋନମା ପାଲଟିଥିଲେ ଜଣେ ସାମ୍ବାଦିକ । ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାମ୍ବାଦିକ ଜଣକ ରୋଶର ଶିକାର ହୋଇଥିଲେ ଏବଂ ଜେଲ୍ ମଧ୍ୟ ଯାଇଥିଲେ।

ତତ୍କାଳୀନ ସମୟରେ ଚାଇନାରେ ଖବରକାଗଜଗୁଡ଼ିକର ମାଲିକ ଥିଲେ ଖୋଦ୍ ଶାସକ ଦଳ। ହେଲେ ସାମ୍ବାଦିକ ଜଣକ ଏସବୁକୁ ଭ୍ରୁକ୍ଷେପ ନକରି ବା ଶାସକ ଦଳକୁ ଭୟ ନକରି ନିଜର ଚିରାଚରିତ ଭାବେ ନିରପେକ୍ଷ ଖବର ପରିବେଷଣ କରିଚାଲିଥିଲେ। ସରକାରଙ୍କ ନାଲିଆଖି ଓ ଜେଲ୍‌ର ଭୟ ସାମ୍ବାଦିକ ଜଣଙ୍କୁ ପ୍ରଭାବିତ କରିନଥିଲା। ଅଶୀ ଠାରୁ ମସିର ବଳ ବେଶି ଉକ୍ତିକୁ ପ୍ରତିପାଦନ କରି ଉକ୍ତ ସାମ୍ବାଦିକ ଜଣକ ଆଗକୁ ଆଗକୁ ମାଡ଼ି ଚାଲିଥିଲେ।

ଚାଇନାରେ ଚାଲୁଥିବା ଏକଛତ୍ରବାଦ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାମ୍ବାଦିକତାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ ଉକ୍ତ ସାମ୍ବାଦିକ ଜଣକ। ନିଜର ନିଷ୍ଠାପର ଉଦ୍ୟମ ଯୋଗୁ ପରବର୍ତ୍ତୀ ସମୟରେ ସାମ୍ବାଦିକ ଜଣକ ୨୫ ହଜାର ଡଲାର ପୁରସ୍କାର ପାଇଥିଲେ। ସେହିବର୍ଷ ଠାରୁ ସେଠାରେ ଜଣେ ନିର୍ଭୀକ ଓ ସଚ୍ଚୋଟ ସାମ୍ବଦିକଙ୍କୁ ପୁରସ୍କାର ବାବଦରେ ଏହି ଅର୍ଥରାଶି ପ୍ରଦାନ କରାଯାଇ ଆସୁଅଛି।

ଦେଶ ସ୍ୱାଧୀନତାପ୍ରାପ୍ତିର ୧୯ ବର୍ଷ ପରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ ଓ ସଫଳ କରିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରେସ୍ କାଉନ୍‌ସିଲ୍ ଗଠନ କରାଯାଇ କାର୍ଯ୍ୟ ଆରମ୍ଭ କରିଥିଲା ଓ ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍ ବୋଲି କୁହାଗଲା। ଏକ ନିର୍ଭୀକ, ନିରପେକ୍ଷ, ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍‌ର ପ୍ରତୀକ ଭାବରେ ଏହି ଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି।

ପ୍ରେସ୍ କାଉନ୍‌ସିଲ୍ ଏକ ନୈତିକ ପ୍ରହରୀ। ଦୁଇଟି ମୁଖ୍ୟ ଉଦ୍ଦେଶ୍ୟରେ ଏହା ଗଠିତ ହୋଇଥିଲା। ପ୍ରଥମ ସମ୍ବାଦବାହୀ ଗଣମାଧ୍ୟମର ମାନ, ସମ୍ମାନ, ପରମ୍ପରା, ମୂଲ୍ୟବୋଧକୁ ବଜାୟ ରଖିବା ସହ ଏହାର ମୌଳିକ ଅଧିକାର, କର୍ତ୍ତବ୍ୟ ଏବଂ ଗୁରୁଦାୟିତ୍ୱ ସମ୍ପନ୍ନ ଅଟେ। ଦ୍ୱିତୀୟଟି ଏହାକୁ ଚାପ ଓ ପ୍ରଭାବରୁ ମୁକ୍ତ ରଖିବା ମୌଳିକ କର୍ତ୍ତବ୍ୟ। କାହାକୁ ଭ୍ରୁକ୍ଷେପ ନକରି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱ ଭାବରେ ସଠିକ୍ କଲମ ପରିଚାଳନା କରିବାରେ ଅବହେଳା ନ କରିବା ଏହାର ପ୍ରାଥମିକତା ଅଟେ। ଗଣମାଧ୍ୟମ ହେଉଛି ସମ୍ବିଧାନର ହର୍ତ୍ତା, କର୍ତ୍ତା, ଦଇବ ବିଧାତା, ତାହା ପୁଣି ରକ୍ଷାକବଚ।

ଦୁର୍ନୀତିରେ ସମ୍ପୃକ୍ତ ଥିବା ରାଜନେତା ଓ ପୋଲିସ୍ ପ୍ରଶାସନମାନଙ୍କ କଳା କାରନାମା ଖୋଲି ଦେବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଯଥେଷ୍ଟ ଅବଦାନ ରହିଛି। ମହାମାରୀ କରୋନା ସମୟରେ ସାରା ବିଶ୍ୱରେ ଗଣମାଧ୍ୟମ ବିଶେଷକରି ସମ୍ବାଦପତ୍ର ପ୍ରକାଶନ ଓ ପ୍ରସାରଣ କ୍ଷେତ୍ରରେ ଘୋର ସଙ୍କଟ ସୃଷ୍ଟି ହୋଇଥିଲା। ସେ ସବୁ ସଙ୍କଟ ଧୀରେ ଧୀରେ ଦୂର ହେଉଥିବା ବେଳେ, ମୁଦ୍ରିତ ଗଣମାଧ୍ୟମ ସହିତ ପ୍ରତିଯୋଗିତାର ସମ୍ମୁଖୀନ ହୋଇଛନ୍ତି କିଛି ଘରୋଇ ଟିଭି ଓ ୱେବ୍ ଚାନେଲ। ଯେଉଁଥିପାଇଁ ପୁରୁଣା ତଥା ପ୍ରତିଷ୍ଠିତ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ମାଲିକ ଓ ସାମ୍ବାଦିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ତଥା ସମ୍ବାଦପତ୍ରର ମାଲିକମାନେ ଏଥିପ୍ରତି ସଚେତନ ନହେଲେ, ଏହି ବିବାଦ ଆହୁରି ତୀବ୍ରତର ହେବ। ଯେଉଁ ସମ୍ବାଦିକମାନେ ସାମ୍ବାଦିକ ସଂଘ ଗଠନ କରିଛନ୍ତି, ସେମାନେ ସାମ୍ବାଦିକ ବା ସମ୍ବାଦପତ୍ର କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ଲାଗି ସେଭଳି କୌଣସି ସକ୍ରିୟ ଭୂମିକା ନେଇଥିବା ମନେ ହେଉନାହିଁ।

ବର୍ତ୍ତମାନ ଗଣମାଧ୍ୟମ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି। ଯେଉଁ ଗଣମାଧ୍ୟମ ଦିନେ ସତ୍ୟ ଓ ନିର୍ଭୀକ ଖବର ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଉଥିଲା, ଆଜି ତାର କଣ୍ଠରୋଧ କରିଦିଆଯାଉଛି ଯାହା ଏକ ଉଦ୍‌ବେଗଜନକ ବିଷୟ। ଏହାର ସୁଯୋଗ ନେଇ ଛତୁ ଫୁଟିଲା ଭଳି ନୂଆ ନୂଆ ଖବର କାଗଜ ଓ ୱେବପୋର୍ଟାଲ ଗଢିଉଠୁଛି। ଏହିସବୁ ୱେବ୍‌ପୋର୍ଟାଲ, ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ କିଛି ରାଜନୈତିକ ଓ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣରେ ରହୁଥିବାରୁ, ଏ ଗଣମାଧ୍ୟମ ଏ ଦଳର, ସେ ଗଣମାଧ୍ୟମ ସେ ଦଳର ବୋଲି କୁହାଯାଉଛି। ଏଥିରେ କାର୍ଯ୍ୟରତ ସାମ୍ବାଦିକମାନେ ଗଣମାଧ୍ୟମର ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ବିଭିନ୍ନ ଅନୁଷ୍ଠାନ, ସାଧାରଣ ଜନତାଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିବାର ଖବର ଏବେ ପ୍ରତିଦିନ ଦେଖିବାକୁ ମିଳୁଛି ଯାହା ଗଣମାଧ୍ୟମ ପ୍ରତି ଏକ ଶକ୍ତ ଆଘାତ। ଚତୁର୍ଥ ସ୍ତମ୍ଭର ମାନ୍ୟତା ପାଇଥିବା ଗଣମାଧ୍ୟମ ଏବେ ନିଜ ନିଜ ଭିତରେ କାଦୁଆ ଫିଙ୍ଗାଫିଙ୍ଗିରେ ଜଡ଼ିତ ରହୁଛନ୍ତି।

ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଦଳୀୟ ସାମ୍ବାଦିକ ବୋଲି କୁତ୍ସାରଟନା କରାଯାଉଛି ଯାହା ସାମ୍ବାଦିକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି। ଜଣେ ସାମ୍ବାଦିକ କାଉ କଳା ବୋଲି କହୁଥିବା ବେଳେ ଅନ୍ୟଜଣେ ସାମ୍ବାଦିକ କାଉକୁ ଧଳା ବୋଲି ପ୍ରମାଣିତ କରିବାକୁ ତତ୍ପର ହୋଇପଡ଼ୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ଅନାମଧେୟ ଓ ଅସାମାଜିକ ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ ପାଇଁ ନିଜକୁ ସାମ୍ବାଦିକତାର ପରିଚୟ ଦେଇ ଗରିବ ଓ ସାଧାରଣ ଜନତାଙ୍କୁ ବ୍ଲାକ ମେଲିଂ କରି ଅର୍ଥ ଉପାର୍ଜନ କରୁଛନ୍ତି ଯାହା ସାମ୍ବାଦିକ ଓ ଗଣମାଧ୍ୟମ ନାମରେ କଳଙ୍କ।

ସେହିପରି ସମ୍ବାଦିକମାନଙ୍କ ମଧ୍ୟରେ ଏକତାର ଅଭାବ ଯୋଗୁଁ ସେମାନଙ୍କ ଉପରେ ଅକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲେ, ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରୁଛନ୍ତି।

ଯେଉଁଥି ପାଇଁ ଗଣମାଧ୍ୟମ ଆଜି ଗଣତାନ୍ତ୍ରିକ ଶାସନ କଳର ବ୍ୟବସ୍ଥା ମଧ୍ୟରେ ପେଶି ହୋଇଯାଇଛି। ଦେଶ ସ୍ୱାଧୀନ ହେଲା, ଅଥଚ ପରାଧୀନତାର ଆଢୁଆଳରେ, ସ୍ଥିତି ମଧ୍ୟରେ ଛନ୍ଦିହୋଇ ରହିଗଲା ଗଣମାଧ୍ୟମ, ଯାହା ନିଶ୍ଚିତରୂପେ ଏହା ଅଶୁଭ ସଙ୍କେତ ଅଟେ। ଗଣମାଧ୍ୟମକୁ ଅଣନିଶ୍ୱାସୀ କରି ରଖାଯାଇଛି, କଣ୍ଠରୋଧ କରାଯାଉଛି। କହିବାକୁ ଗଲେ, ଗଣମାଧ୍ୟମ ତାର ସ୍ୱାଧୀନତା ହରାଇ ବସିଛି।

ଗଣମାଧ୍ୟମକୁ ଆହୁରି ଦୃଢତାର ସହିତ ଶକ୍ତିଶାଳୀ କରିବାକୁ ହେଲେ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ। ସାମ୍ବାଦିକ ବୃତ୍ତି ପ୍ରତି ସାମାନ୍ୟତମ ଜ୍ଞାନ ନଥାଇ, ସାମ୍ବାଦିକତାର ପରିଚୟ ଦେଇ ସାଧାରଣ ଜନତାଙ୍କୁ ଠକୁଥିବା ନକଲି ସାମ୍ବାଦିକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। କଥାରେ ଅଛି ଗୋଟିଏ ହାତରେ ପାଞ୍ଚୋଟି ଆଙ୍ଗୁଳି କେହି ନୁହେଁ କାହା ଭଳି, ପାଞ୍ଚଜଣ ଯାକ ଏକାଠି ହୋଇଲେ ପରବତ ଦେବେ ଟାଳି। ତେଣୁ ସମୟ ଆସିଛି ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଏକାଠି ହେବାକୁ ପଡ଼ିବ।

ଗଣମାଧ୍ୟମର କଣ୍ଠରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହେଲେ ସଭିଏଁ ଏକତ୍ରିତ ଭାବେ ପ୍ରତିରୋଧ କରିବାକୁ ପଡ଼ିବ। ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେବା ନିହାତି ଜରୁରୀ, ଏଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର। ପ୍ରତ୍ୟେକ ସାମ୍ବାଦିକ ଓ ଗଣମାଧ୍ୟମଗୁଡ଼ିକ ନିର୍ଭୀକ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବା ସହିତ ଦଳମତରୁ ଉର୍ଦ୍ଧ୍ୱରେ ରହି କୌଣସି ପ୍ରଶାସନିକ ଅଧିକାରୀଙ୍କ ଚାପର ବଶବର୍ତ୍ତୀ ନହୋଇ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଆଗେଇ ଆସିବାକୁ ପଡ଼ିବ। ତେବେ ଯାଇ ଏକ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମ ନିଜର ମୂଲ୍ୟବୋଧକୁ ବଜାୟ ରଖିପାରିବ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪