Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ମଝିରେ ଗୁଳି ମାଡ଼: ଜଣେ ଗୁରୁତର, ଡଙ୍ଗାରୁ ଡେଇଁ ଜୀବନ ବଞ୍ଚାଇଲେ ଦୁଇ ମତ୍ସଜୀବୀ

ବାଲୁଗାଁ: ବୁଧବାର ରାତିରେ ଚିଲିକାରେ ମାଛ ମାରୁଥିବା ସମୟରେ ମତ୍ସ୍ୟଜୀବୀ ଉପରକୁ ଗୁଳି ମାଡ଼ରେ ଜଣେ ଗୁରୁତର ହେଇଥିବା ବେଳେ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ମୁତାବକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ତିନି ଜଣ ମତ୍ସ୍ୟଜୀବୀ ଗତକାଲି ରାତିରେ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ଚିଲିକାରେ ମାଛ ଧରୁଥିବା ସମୟରେ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ତ୍ରିଛଣ ସିପିଆ ନିକଟରେ କିଛି ଅଣମତ୍ସ୍ୟଜୀବୀ ଅଚାନକ ସେମାନଙ୍କ ଉପରକୁ ଦେଶୀ ବନ୍ଧୁକରେ ଗୁଳି ମାଡ଼ କରିଥିବା ଅଭିଯୋଗ କରିଛନ୍ତି।

ଦୁଇ ଜଣ ଜୀବନ ବିକଳରେ ଡଙ୍ଗାରୁ ଚିଲିକାକୁ ଡେଇଁ ପଡିଥିବା ବେଳେ ଜଣଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା। ଏହାପରେ ଅନ୍ୟ ସହଯୋଗୀଙ୍କ ସହାୟତାରେ ଆହତ ମତ୍ସ୍ୟଜୀବୀକୁ ରକ୍ତାକ୍ତ ଅବସ୍ଥାରେ ସେହି ଡ଼ଙ୍ଗାରେ ଆଣି ଆଜି ସକାଳୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଜଣକ ଚନ୍ଦ୍ରାପୁଟ ଗ୍ରାମର ବୁଦ୍ଧିଆ ଜାଲିଙ୍କ ପୁଅ ବୀର ଜାଲି(୪୫) ବୋଲି ଜଣାପଡିଛି।

ଉକ୍ତ ଘଟଣା ନେଇ ପରିବାର ପକ୍ଷରୁ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମାଛ ଧରୁଥିବା ବେଳେ ଚିଲିକାରେ ବୁଡି ଯୁବକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ବାଲୁଗାଁ ଥାନା ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଛ ଧରିବା ପାଇଁ ଚିଲିକାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ମୁତାବକ ଚନ୍ଦ୍ରାପୁଟ ଗ୍ରାମର ଗୋଦାବରୀ ଦାସଙ୍କ ପୁଅ ପ୍ରମୋଦ ଦାସ (୩୪) ସବୁଦିନ ପରି ଆଜି ମଧ୍ୟ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ଅସାବଧାନତା ବଶତଃ ଚିଲିକା ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ଅନ୍ୟ ଧୀବରଙ୍କ ଦ୍ଵାରା ତାଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଲୁଗାଁ ପୋଲିସ ପହଞ୍ଚି କେଶ ନଂ ୧୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରୋଜଗାରିଆ ପୁଅର ଅକାଳ ବିୟୋଗରେ ପରିବାର ବର୍ଗ ଭାଙ୍ଗି ପଡିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।