Categories
ଆଜିର ଖବର ରାଜ୍ୟ ଖବର

ଭାଲୁ ଆକ୍ରମଣରେ ଦୁଇ ଚାଷୀ ଗୁରୁତର

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ରାଇଲ ଫରେଷ୍ଟ ସେକ୍ସନର ରାଇଲ ଗ୍ରାମରେ ବୁଧବାର ସକାଳୁ ଏକ ଭାଲୁ ଆକ୍ରମଣରେ ୨ ଜଣ ଗ୍ରାମବାସୀ ଆହତ ହୋଇଥିବା ଜଣାପଡିଛି।

ତେବେ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଭାଲୁ ଆକ୍ରମଣରେ ଆହତ ଦୁଇ ଜଣ ହେଲେ ରାଇଲ ଗ୍ରାମର ଶତ୍ରୁ ମାଝୀ (୫୦) ଏବଂ ଅରୁଣ ଦେହୁରୀ (୪୫)।

ପ୍ରାପ୍ତ ସୂଚନା ଅନୁସାରେ ବୁଧବାର ସକାଳ ପ୍ରାୟ ୬ଟା ସମୟରେ ଗ୍ରାମର ଶତ୍ରୁ ମାଝୀ ଏବଂ ଅରୁଣ ଦେହୁରୀ ପୃଥକ ଭାବେ ଶୌଚ ପାଇଁ ଯାଇଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ଗାଁ ମୁଣ୍ଡକୁ ଚାଲି ଆସି ପ୍ରଥମେ ଶତ୍ରୁ ମାଝୀକୁ ଆକ୍ରମଣ କରିଥିଲା। ଶତ୍ରୁ ମାଝୀର ଚିତ୍କାର ଶୁଣି ପାଖ ଘରେ ଥିବା ପରିବାର ଲୋକେ ସେଠାରେ ପହଞ୍ଚି ଯିବାରୁ ଭାଲୁ ତାଙ୍କୁ ଛାଡି ଚାଲି ଯାଇଥିଲା। ତେବେ ଭାଲୁ ପଳାଇ ଯାଉଥିବା ବେଳେ ନିକଟ ପଡିଆରେ ଗ୍ରାମର ଅରୁଣ ଦେହୁରୀ ଭାଲୁ ହାବୁଡ଼ରେ ପଡିଥିଲେ। ଭାଲୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲା। ଏହି ଭାଲୁ ଆକ୍ରମଣରେ ଶତ୍ରୁ ମାଝୀଙ୍କର ବାମ ପାର୍ଶ୍ୱ ଜଙ୍ଘ ଏବଂ ଅରୁଣ ଦେହୁରୀଙ୍କର ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ଖବର ପାଇ ରାଇଲ ଫରେଷ୍ଟର ସ୍ୱପ୍ନେଶ୍ଵର ଦେହୁରୀ ସଦଳବଳେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭାଲୁ ଆକ୍ରମଣରେ ଆହତ ମାନଙ୍କୁ ଉଦ୍ଧାର କରି ନିଜ ବିଭାଗୀୟ ଗାଡ଼ିରେ ରେଢ଼ାଖୋଲ ଡାକ୍ତରଖାନାକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶତ୍ରୁ ମାଝୀ ଘରକୁ ଯାଇଥିବା ବେଳେ ଅରୁଣ ଦେହୁରୀଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ଘଟଣାର ତଦନ୍ତ ପରେ ଭାଲୁ ଆକ୍ରମଣରେ ଆହତ ମାନଙ୍କୁ ସରକାରୀ ନିୟମାନୁସାରେ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଜାମୁଯୋରୀ ଗାଁ ରେ ନିଜ ଜମିକୁ ଯାଇଥିବା ବେଳେ ଜଣେ ଚାଷୀକୁ ଭାଲୁ କାମୁଡିବାରୁ ଗୁରୁତର ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବନଖଣ୍ଡ ଜାମୁଜୋରୀ ଗ୍ରାମର ଗୋବିନ୍ଦ ଓରାମ(୪୫) ନିଜ ଜମିକୁ ଚାଷକାମରେ ଯାଇଥିବା ବେଳେ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କର ବାମ ଗୋଡ ଜଙ୍ଘରେ କାମୁଡି ଦେଇଥିଲା। ଗ୍ରାମବାସୀ ଖବର ପାଇ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନସ୍‌ରେ ରେଢାଖୋଲ ଡାକ୍ତରଖାନାକୁ ପଠାଇ ସେଠାରେ ଚିକିତ୍ସିତ କରାଇଥିଲେ। ଜଙ୍ଘରେ ଗଭୀର କ୍ଷତ ହୋଇଥିବା ଜଣା ପଡିଛି।

ବର୍ତ୍ତମାନ ତାଙ୍କର ଅବସ୍ଥା ଠିକ୍ ଥିବା ଜଣା ପଡିଛି। ସରକାରଙ୍କ ବନବିଭାଗ ତରଫରୁ ଆବଶ୍ୟକୀୟ ଆର୍ଥିକ ସହଯୋଗ ଆହତ ଗୋବିନ୍ଦଙ୍କୁ ଦିଆଯିବ ବୋଲି ବାଟଗାଁ ଫରେଷ୍ଟର ଅନିଲ କିସାନ୍ ପ୍ରକାଶ କରିଛନ୍ତି।