Categories
ଆଜିର ଖବର ଜାତୀୟ ଖବର

ଜୁନ୍ ୨ ରୁ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ରରେ ଆରମ୍ଭ ହେବ ନକ୍ସା କ୍ଷମତା ନିର୍ମାଣ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଭୂମି ସମ୍ପଦ ବିଭାଗ (ଡିଓଏଲଆର), ନକ୍ସା (ନ୍ୟାସନାଲ ଜିଓସ୍ପାଟିଆଲ୍ ନଲେଜ୍-ବେସ୍ଡ ଲ୍ୟାଣ୍ଡ ସର୍ଭେ ଅଫ୍ ଅର୍ବାନ୍ ହାବିଟେସନ୍ସ) କାର୍ଯ୍ୟକ୍ରମ ଅଧୀନରେ କ୍ଷମତା ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ ୨ ଜୁନ୍ ୨୦୨୫ ଠାରୁ ଦେଶର ପାଞ୍ଚଟି ଉତ୍କର୍ଷ କେନ୍ଦ୍ର (ସିଓଇ) ରେ ପରିଚାଳନା କରିବାକୁ ଯାଉଛି। ନକ୍ସା ଅଂଶଗ୍ରହଣକାରୀ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୧୬୦ ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ ଦେବା ପାଇଁ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ୨୦୨୫ ମେ ମାସରେ ସମାପ୍ତ ହୋଇଛି।

ଏହି ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମକୁ ୨ ଜୁନ୍ ୨୦୨୫ ସକାଳ ୧୦.୦୦ ଟାରେ ଭୂମି ସମ୍ପଦ ବିଭାଗର ସଚିବ ଶ୍ରୀ ମନୋଜ ଜୋଶୀ ଭର୍ଚୁଆଲ୍ ଭାବରେ ଉଦଘାଟନ କରିବେ। ଏହି ତାଲିମ କାର୍ଯ୍ୟକ୍ରମ ଅଧୀନରେ, ୧୫୭ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ରୁ ୩୦୪ ୟୁଏଲବି-ସ୍ତରୀୟ ଏବଂ ଜିଲ୍ଲା ଅଧିକାରୀଙ୍କୁ ମନୋନୀତ କରାଯାଇଛି। ଏହି ଅଧିକାରୀମାନେ ପ୍ରଭାବଶାଳୀ ସହରାଞ୍ଚଳ ସମ୍ପତ୍ତି ସର୍ବେକ୍ଷଣ ପାଇଁ ଆଧୁନିକ ଭୂସ୍ଥାନୀୟ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବା ପାଇଁ ତାଲିମ ପାଇବେ। ଏହି ତାଲିମ ୨ ଜୁନ ୨୦୨୫ ରୁ ନିମ୍ନଲିଖିତ ଉତ୍କର୍ଷତା କେନ୍ଦ୍ର ପ୍ରତିଷ୍ଠାନରେ ଏକ ସପ୍ତାହ ପାଇଁ ଅନୁଷ୍ଠିତ ହେବ:

୧. ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡେମୀ (ଏଲବିଏସଏନଏଏ), ମସୁରୀ, ଉତ୍ତରାଖଣ୍ଡ

୨. ଯଶୱନ୍ତରାଓ ଚଭନ ଆକାଡେମି ଅଫ୍‌ ଡେଭଲପମେଣ୍ଟ ଆଡମିନିଷ୍ଟ୍ରେସନ (ୱାଇଏଏସଏଚଏଡିଏ), ପୁଣେ, ମହାରାଷ୍ଟ୍ର

୩. ନର୍ଥଇଷ୍ଟ ରିଜିୟନ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ, ଗୌହାଟି, ଆସାମ

୪. ମହାତ୍ମା ଗାନ୍ଧୀ ଷ୍ଟେଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡିମିନିଷ୍ଟ୍ରେସନ (ଏମଜିଏସଆଇପିଏ), ଚଣ୍ଡିଗଡ଼, ପଞ୍ଜାବ

୫. ଆଡମିନିଷ୍ଟ୍ରେଟିଭ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ (ଏଟିଆଇ), ମସୁରୀ, କର୍ଣ୍ଣାଟକ

ନକ୍ସା କାର୍ଯ୍ୟକ୍ରମ ଅଧୀନରେ ଉଚ୍ଚ-ସଠିକତା ଭୂମି ସର୍ବେକ୍ଷଣ ତଦାରଖ କରିବା ପାଇଁ ଆବଶ୍ୟକୀୟ ବୈଷୟିକ ଏବଂ ବ୍ୟବହାରିକ ଦକ୍ଷତା ସହିତ ୟୁଏଲବି ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀମାନଙ୍କୁ ପ୍ରସ୍ତୁତ କରିବା ପାଇଁ ତାଲିମର ଲକ୍ଷ୍ୟ ରଖାଯାଇଛି। ମଡ୍ୟୁଲଗୁଡ଼ିକ କାର୍ଯ୍ୟକ୍ରମ ଢାଞ୍ଚା, ଜିଏନଏସଏସ ଏବଂ ଇଟିଏସ -ଆଧାରିତ ସର୍ବେକ୍ଷଣ, ୱେବ୍-ଜିଆଇଏସ ଆବେଦନ, ଭୂମି ପାର୍ସଲ ମ୍ୟାପିଂ ଏବଂ ଭୂମି ସର୍ବେକ୍ଷଣର ଆଇନଗତ-ପ୍ରଶାସନିକ ଦିଗଗୁଡ଼ିକୁ କଭର କରିଥାଏ।

ନକ୍ସା ବିଷୟରେ

୨୦୩୧ ସୁଦ୍ଧା ଭାରତର ସହରାଞ୍ଚଳ ଜନସଂଖ୍ୟା ୬୦୦ ନିୟୁତ ଅତିକ୍ରମ କରିବ ବୋଲି ଆଶା କରାଯାଉଥିବାରୁ, ଆଧୁନିକ, ଯାଞ୍ଚଯୋଗ୍ୟ ଏବଂ ସହଜରେ ଭୂମି ରେକର୍ଡର ଆବଶ୍ୟକତା ପୂର୍ବାପେକ୍ଷା ଅଧିକ ଜରୁରୀ ହୋଇପଡ଼ିଛି। ନକ୍ସା କାର୍ଯ୍ୟକ୍ରମ ଏକ ସାହସିକ, ପ୍ରଯୁକ୍ତିବିଦ୍ୟା-ଚାଳିତ ପଦ୍ଧତି ସହିତ ଏହି ଚ୍ୟାଲେଞ୍ଜର ମୁକାବିଲା କରେ। ନକ୍ସା କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ଭୂମି ସମ୍ପଦ ବିଭାଗ (ଡିଓଏଲଆର), ସର୍ଭେ ଅଫ୍‌ ଇଣ୍ଡିଆ, ଏନଆଇସିଏସଆଇ, ଏମପିଏସଇଡିସି ଏବଂ ପାଞ୍ଚଟି ଉତ୍କର୍ଷ କେନ୍ଦ୍ର ସହିତ ମିଳିତ ଭାବରେ ଏକ ପାଇଲଟ୍ କାର୍ଯ୍ୟକ୍ରମ ଭାବରେ କାର୍ଯ୍ୟକାରୀ କରାଯାଉଛି। ୨୭ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳର ୧୫୭ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ରେ ନକ୍ସା ଆରମ୍ଭ କରାଯାଇଛି।

BS

 

Categories
ଆଜିର ଖବର ଜାତୀୟ ଖବର

୫ଟି ଆଇଆଇଟି ଭିତ୍ତିଭୂମିର ସମ୍ପ୍ରସାରଣ ସହ ଆଇଟିଆଇର ବିକାଶ ନେଇ କ୍ୟାବିନେଟର ନିଷ୍ପତ୍ତିକୁ ସ୍ୱାଗତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତରେ ଧନ୍ଦାମୂଳକ ଶିକ୍ଷାରେ ପରିବର୍ତ୍ତନ ଆଣିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମୋଟ୍ ୬୦,୦୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ)ର ଉନ୍ନତିକରଣ ଯୋଜନା ଏବଂ ଦକ୍ଷତା ବୃଦ୍ଧି ପାଇଁ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଭାବରେ ଅନୁମୋଦନ ମିଳିଛି, ଯାହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି।

ଏହି ଯୋଜନାରେ ୧୦୦୦ ସରକାରୀ ଆଇଟିଆଇର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯିବ ଏବଂ ଏହି ଅନୁଷ୍ଠାନଗୁଡ଼ିକରେ ଦକ୍ଷତା ପାଇଁ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ସହିତ ଶିଳ୍ପ ସଂଯୁକ୍ତ ସଂଶୋଧିତ ଟ୍ରେଡ୍ (ପାଠ୍ୟକ୍ରମ) ଏବଂ ୫ଟି ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ଉପରେ ଆଲୋଚନା କରାଯିବ । ଏହି ଯୋଜନା ଅଧୀନରେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଓ ଲୁଧିଆନା ଭଳି ଜାତୀୟ ଦକ୍ଷତା  ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଶିକ୍ଷକଙ୍କ ଉନ୍ନତ ପ୍ରଶିକ୍ଷଣ ପାଇଁ ଭିତ୍ତିଭୂମି ଉନ୍ନତିକରଣ କରାଯିବ । ଏଥିସହ ୫୦ ହଜାର ପ୍ରଶିକ୍ଷକଙ୍କୁ ପ୍ରାକ୍ ସେବା ଓ ଚାକିରିକାଳୀନ ପ୍ରଶିକ୍ଷଣ ପ୍ରଦାନ କରାଯିବ।  ଏହି ନିଷ୍ପତି ଦକ୍ଷତା ବିକାଶ ପରିସଂସ୍ଥାନକୁ ପ୍ରୋତ୍ସାହିତ କରିବ । ଦୀର୍ଘଦିନର ଚ୍ୟାଲେଞ୍ଜର ସମାଧାନ ହେବ । ପାରମ୍ପରିକ ଏବଂ ନୂତନ ଯୁଗର ବାଣିଜ୍ୟରେ ଶିଳ୍ପ-କର୍ମଚାରୀ ବ୍ୟବଧାନ ଦୂର ହେବ । ଆମ ଆଇଟିଆଇଗୁଡ଼ିକୁ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଯୁବକଙ୍କୁ ଦକ୍ଷତା ଏବଂ ଉନ୍ନତ ଦକ୍ଷତା ପ୍ରଦାନ କରିବା ଦିଗରେ ବିଶେଷ ସହାୟକ ହେବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଦକ୍ଷତା ବିକାଶ ଏକ ବିକଳ୍ପ ନୁହେଁ- ବରଂ ଏକ ଜାତୀୟ ଆବଶ୍ୟକତା । ଏହି ଦୂରଦର୍ଶୀ ନିଷ୍ପତ୍ତି ଭବିଷ୍ୟତର କର୍ମଚାରୀଙ୍କ ପାଇଁ ଏକ ମଜଭୁତ୍ ରେଖା ଟାଣିବ ଏବଂ ବିଶ୍ୱର ଦକ୍ଷତା ରାଜଧାନୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ । ଦକ୍ଷତା ବିକାଶ ପରିଦୃଶ୍ୟରେ ପରିବର୍ତ୍ତନ ଆଣିବା, ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବସମ୍ବଳ ପ୍ରସ୍ତୁତ କରିବା ଦିଗରେ ଏହା ଏକ ବଡ ପଦକ୍ଷେପ ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୫ଟି  ଆଇଆଇଟି ତଥା ଆଇଆଇଟି ତିରୁପତି, ଆଇଆଇଟି ପଲକ୍କଡ, ଆଇଆଇଟି ଭିଲାଇ, ଆଇଆଇଟି ଜମ୍ମୁ ଏବଂ ଆଇଆଇଟି ଧାରଓ୍ୱାଡ଼ର ଶୈକ୍ଷିକ ଏବଂ ଭିତ୍ତିଭୂମି ସମ୍ପ୍ରସାରଣ ପାଇଁ ମୋଟ ୧୧ ହଜାର ୮୨୮.୭୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ବିଶ୍ୱସ୍ତରୀୟ ଶିକ୍ଷା, ନବସୃଜନ ଏବଂ ଗବେଷଣାର ଅଧିକ ସୁଯୋଗ ସହିତ ଭାରତର ଯୁବକମାନଙ୍କୁ ସଶକ୍ତ କରିବା ଦିଗରେ ଏହି ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ ଏକ୍ସରେ ଏହି ନିଷ୍ପତିକୁ ସ୍ୱାଗତ କରିବା ସହ କହିଛନ୍ତି ଯେ ଏହା ଦ୍ୱାରା ଏହି ଆଇଆଇଟିଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬,୫୦୦କୁ ବୃଦ୍ଧି ପାଇବ ।  ୫ଟି ନୂତନ ଅତ୍ୟାଧୁନିକ ଗବେଷଣା ପାର୍କ ପାଇଁ ରାସ୍ତା ପ୍ରଶସ୍ତ ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଉଦ୍ଭାବନ ଓ ପ୍ରଗତିକୁ ପ୍ରୋତ୍ସାହନ ମିଳିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ଗତି ମିଳିବ । ସେ ଆହୁରି କହିଛନ୍ତି ଯେ ବିଗତ ଏକ ଦଶନ୍ଧି ମଧ୍ୟରେ ମୋଦୀ ସରକାରରେ ୨୩ଟି ଆଇଆଇଟିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦ ପ୍ରତିଶତ ବୃଦ୍ଧି ହୋଇଛି । ସେତେବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୫,୦୦୦ ଥିବା ବେଳେ ଏବେ ତାହା ବଢି ୧ ଲକ୍ଷ ୩୫ ହଜାରରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଯୁବାକାଂକ୍ଷାକୁ ପୂରଣ କରିବା ସହ ସେମାନଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ପାଇଁ ଉପଯୁକ୍ତ ପ୍ଲାଟଫର୍ମ ପ୍ରଦାନ କରିଛନ୍ତି । ସେହିପରି ଶିକ୍ଷାଗତ ସାମଞ୍ଜସ୍ୟକୁ ଦୂର କରିବା, ଯୁବଶକ୍ତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ତଥା ନବସୃଜନ-ନେତୃତ୍ୱାଧୀନ ଅଭିବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ବଦ୍ଧ ପରିକର ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।

***

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ସମେତ ଦେଶର ୫ଟି ସ୍ଥାନରେ ଦକ୍ଷତା ବିକାଶ ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ଉନ୍ନତିକରଣ ପାଇଁ ଏକ ଜାତୀୟ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ସେହିପରି କେନ୍ଦ୍ର ପ୍ରାୟୋଜିତ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ ଗୋଟିଏ କେନ୍ଦ୍ର ପ୍ରତିଷ୍ଠା ହେବ।

ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ଉନ୍ନତିକରଣ ଏବଂ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ୨୦୨୪-୨୫ ଓ ୨୦୨୫-୨୬ ବଜେଟରେ କରାଯାଇଥିବା ଘୋଷଣା ଅନୁରୂପ ହେବ ଏବଂ ଏହାକୁ ୬୦ ହଜାର କୋଟି ଟଙ୍କାର ବଜେଟ୍‌ ସହିତ କେନ୍ଦ୍ର ପ୍ରାୟୋଜିତ ଯୋଜନା ରୂପେ କାର୍ଯ୍ୟକାରୀ କରାଯିବ। ଏଥିରେ କେନ୍ଦ୍ର ଅଂଶଧନ ୩୦ ହଜାର କୋଟି ଟଙ୍କା, ରାଜ୍ୟ ଭାଗ ୨୦ ହଜାର କୋଟି ଟଙ୍କା ଏବଂ ଶିଳ୍ପ ଭାଗ ୧୦ ହଜାର କୋଟି ଟଙ୍କା ରହିବ । କେନ୍ଦ୍ର ଭାଗ ପାଇଁ ଏସୀୟ ବିକାଶ ବ୍ୟାଙ୍କ ଏବଂ ବିଶ୍ୱ ବ୍ୟାଙ୍କ ୫୦ ପ୍ରତିଶତ ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବେ।

ଏହି ଯୋଜନା ହବ୍ ଏବଂ ସ୍ପୋକ୍ ବ୍ୟବସ୍ଥାରେ ଥିବା ୧ହଜାର ଟି ସରକାରୀ ଆଇଟିଆଇ ଗୁଡ଼ିକର ଉନ୍ନତିକରଣ ଉପରେ ଧ୍ୟାନ ଦେବ। ଏସବୁ ଆଇଟିଆଇରେ ଉଦ୍ୟୋଗ ସହ ଯୋଡ଼ି ହୋଇଥିବା ନୂତନ ବୃତ୍ତିଗତ (ପାଠ୍ୟକ୍ରମ) ଗୁଡ଼ିକ ଯୋଡ଼ାଯିବ। ଦକ୍ଷତା ବିକାଶ ପାଇଁ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ସମେତ ପାଞ୍ଚଟି ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ-ଏନଏସଟିଆଇର କ୍ଷମତା ବୃଦ୍ଧି ନିମନ୍ତେ ମଧ୍ୟ ଯୋଜନାକୁ କାର୍ଯ୍ୟକାରୀ କରାଯିବ।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାର ଏବଂ ଶିଳ୍ପ ସହଯୋଗରେ ବର୍ତ୍ତମାନର ଆଇଟିଆଇ ଗୁଡ଼ିକୁ ସରକାରୀ ମାଲିକାନାଧୀନ ଶିଳ୍ପ ପରିଚାଳିତ ଆକାଂକ୍ଷୀ ଦକ୍ଷତା ବିକାଶ ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠା କରିବା। ପାଞ୍ଚ ବର୍ଷର ଅବଧି ମଧ୍ୟରେ, ୨୦ ଲକ୍ଷ ଯୁବବର୍ଗ ଶିଳ୍ପ କ୍ଷେତ୍ରର ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରୁଥିବା ପାଠ୍ୟକ୍ରମ ତାଲିମ ପାଇ କୁଶଳୀ ହେବେ। ଏହି ଯୋଜନା ସ୍ଥାନୀୟ ଶ୍ରମଶକ୍ତି ଯୋଗାଣ ଏବଂ ଶିଳ୍ପ ଚାହିଦା ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବ, ଯାହାଦ୍ୱାରା ଏମ୍.ଏସ୍.ଏମ୍.ଇ. ସମେତ ଶିଳ୍ପାନୁଷ୍ଠାନଗୁଡ଼ିକୁ ନିଯୁକ୍ତି ପାଇଁ ପ୍ରସ୍ତୁତ ଶ୍ରମ ବଳ ମିଳିପାରିବ।

ଅତୀତରେ ବିଭିନ୍ନ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ଆଇ.ଟି.ଆଇ. ଗୁଡ଼ିକର ସମ୍ପୂର୍ଣ୍ଣ ଉନ୍ନତିକରଣ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅନୁକୂଳ ନଥିଲା। ବିଶେଷ କରି ନୂତନ ଯୁଗର ପାଠ୍ୟକ୍ରମ ପ୍ରବର୍ତ୍ତନ ପାଇଁ ଭିତ୍ତିଭୂମି ରକ୍ଷଣାବେକ୍ଷଣ, କ୍ଷମତା ସମ୍ପ୍ରସାରଣ ଏବଂ ପୁଞ୍ଜି ଯୋଗାଣର ବର୍ଦ୍ଧିତ ନିବେଶ ଆବଶ୍ୟକତାକୁ ସମାଧାନ କରିବା ପାଇଁ ଯଥେଷ୍ଟ ନଥିଲା। ଏହାକୁ ଦୂର କରିବା ପାଇଁ, ପ୍ରସ୍ତାବିତ ଯୋଜନା ଅଧୀନରେ ଏକ ଆବଶ୍ୟକତା ଆଧାରିତ ନିବେଶ ବ୍ୟବସ୍ଥା ରଖାଯାଇଛି, ଯାହା ପ୍ରତ୍ୟେକ ଅନୁଷ୍ଠାନର ନିର୍ଦ୍ଦିଷ୍ଟ ଭିତ୍ତିଭୂମି, କ୍ଷମତା ଏବଂ ବାଣିଜ୍ୟ ସମ୍ବନ୍ଧୀୟ ଆବଶ୍ୟକତା ଆଧାରରେ ପାଣ୍ଠି ଆବଣ୍ଟନରେ ନମନୀୟତାକୁ ଅନୁମତି ଦେଇଥାଏ। ପ୍ରଥମ ଥର ପାଇଁ, ଏହି ଯୋଜନା ନିରନ୍ତର ଭିତ୍ତିରେ ଆଇ.ଟି.ଆଇ. ଉନ୍ନତିକରଣର ଯୋଜନା ଏବଂ ପରିଚାଳନାରେ ଗଭୀର ଶିଳ୍ପ ସଂଯୋଗ ପ୍ରତିଷ୍ଠା କରିବାକୁ ଚାହୁଁଛି। ଏହି ଯୋଜନା ଏକ ଫଳାଫଳ-ପରିଚାଳିତ କାର୍ଯ୍ୟାନ୍ୱୟନ ରଣନୀତି ପାଇଁ ଏକ ଶିଳ୍ପ ନେତୃତ୍ୱାଧୀନ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସ.ପି.ଭି.) ମଡେଲ ଗ୍ରହଣ କରିବ, ଯାହା ଆଇ.ଟି.ଆଇ. ଇକୋସିଷ୍ଟମର ଉନ୍ନତି ପାଇଁ ପୂର୍ବ ପ୍ରୟାସଠାରୁ ଭିନ୍ନ ହେବ।

ଏହି ଯୋଜନା ଅଧୀନରେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଏବଂ ଲୁଧିଆନାରେ ପାଞ୍ଚଟି ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (ଏନ୍.ଏସ୍.ଟି.ଆଇ.) ରେ ପ୍ରଶିକ୍ଷକଙ୍କ ଉନ୍ନତ ତାଲିମ (ଟି.ଓ.ଟି.) ସୁବିଧା ପାଇଁ ଭିତ୍ତିଭୂମିର ଉନ୍ନତିକରଣ କରାଯିବ। ଏହାବ୍ୟତୀତ ୫୦,୦୦୦ ପ୍ରଶିକ୍ଷକଙ୍କୁ ପ୍ରି-ସର୍ଭିସ୍ ଏବଂ ଇନ୍-ସର୍ଭିସ୍ ତାଲିମ ପ୍ରଦାନ କରାଯିବ।

ଭିତ୍ତିଭୂମି, ପାଠ୍ୟକ୍ରମର ପ୍ରାସଙ୍ଗିକତା, ନିଯୁକ୍ତି ସାମର୍ଥ୍ୟ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ କ୍ଷେତ୍ରରେ ଦୀର୍ଘକାଳୀନ ଆହ୍ୱାନର ମୁକାବିଲା କରି, ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଆଇ.ଟି.ଆଇ. ଗୁଡ଼ିକୁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଗ୍ରଭାଗରେ ରଖିବା, ଯାହା ଏକ ବିଶ୍ୱସ୍ତରୀୟ ଉତ୍ପାଦନ ଏବଂ ନବସୃଜନ ଶକ୍ତି କେନ୍ଦ୍ର ହେବା ଦିଗରେ ଭାରତର ଯାତ୍ରା ସହିତ ଯୋଡ଼ି ହୋଇ ରହିଛି। ଏହା ଶିଳ୍ପ ଚାହିଦା ଅନୁଯାୟୀ କୁଶଳୀ ଶ୍ରମିକଙ୍କ ଏକ ଭଣ୍ଡାର ସୃଷ୍ଟି କରିବ, ଯାହାଦ୍ୱାରା ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ ଏବଂ ଅକ୍ଷୟ ଶକ୍ତି ଭଳି ଉଚ୍ଚ ଅଭିବୃଦ୍ଧି କ୍ଷେତ୍ରରେ ଦକ୍ଷତା ବିକାଶ ଅଭାବ ଦୂର ହେବ। ମୋଟାମୋଟି ଭାବେ ଏହି ପ୍ରସ୍ତାବିତ ଯୋଜନା ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ’ର ପରିକଳ୍ପନା ସହିତ ମେଳ ଖାଉଛି। ଏଥିରେ ଉଭୟ ବର୍ତ୍ତମାନର ଏବଂ ଭବିଷ୍ୟତର ଶିଳ୍ପ ଆବଶ୍ୟକତାକୁ ପୂରଣ କରିବା ପାଇଁ ଦକ୍ଷତା ବିକାଶ ଏକ ପ୍ରମୁଖ ସହାୟକ ଭାବେ କାର୍ଯ୍ୟ କରୁଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ପିପିପି ମୋଡରେ ପ୍ରତିଷ୍ଠା କରାଯିବ ଏଭିଜିସି ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗ କ୍ଷେତ୍ରରେ କାରବାର ୧୦୦ ବିଲିୟନ ଡଲାରରେ ପହଞ୍ଚିବା ଉଚିତ୍‌। ବର୍ତ୍ତମାନ ଠାରୁ ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୦ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗକୁ ଆମେ ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିବା ଉଚିତ୍‌। ଏହି କ୍ଷେତ୍ରକୁ ସହାୟତା କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନେବ ବୋଲି ଶ୍ରୀ ଚନ୍ଦ୍ର କହିଥିଲେ। ମଙ୍ଗଳବାର, ସେପ୍ଟେମ୍ବର ୨୭, ୨୦୨୨ରେ ମୁମ୍ବାଇ ଠାରେ ଅନୁଷ୍ଠିତ ଫିକ୍କି ଫ୍ରେମ୍ସ ଫାଷ୍ଟ ଟ୍ରାକ୍‌ ୨୦୨୨ ସମାରୋହର ଉଦଘାଟନୀ ଅଧିବେଶକୁ ସମ୍ବୋଧିତ କରି ସଚିବ ଏହା କହିଥିଲେ।

ଏହି ଅବସରରେ ସଚିବ ଘୋଷଣା କରିଥିଲେ ଯେ ଭାରତରେ ଚଳଚ୍ଚିତ୍ର କ୍ଷେତ୍ରରେ ଅଧିକ ବିଦେଶୀ ନିବେଶକୁ ଆକୃଷ୍ଟ କରିବା ଲାଗି ଇନଭେଷ୍ଟ ଇଣ୍ଡିଆରେ ରହିଥିବା ସମ୍ଭାବନାକୁ ଉଜାଗର କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଚଳଚ୍ଚିତ୍ର ୟୁନିଟଗୁଡ଼ିକୁ ଗୋଟିଏ ବ୍ୟବସ୍ଥା ମଧ୍ୟକୁ ଆଣିବା ଲାଗି ପଦକ୍ଷେପ ନିଆଯାଇଛି। ମୁମ୍ବାଇରେ ଥିବା ଏନଏଫଡିସି ସରକାରଙ୍କ ଚଳଚ୍ଚିତ୍ର ଶାଖାର ମୁଖ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ସେ କହିଥିଲେ ଯେ ଆମେ ଚଳଚ୍ଚିତ୍ର ସୁବିଧା ପ୍ରଦାନ କାର୍ଯ୍ୟାଳୟର ପୁନରୁଦ୍ଧାର କରିବା ଲାଗି ଚାହୁଁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ମୁଖ୍ୟ ନିବେଶ ଶାଖା, ଇନଭେଷ୍ଟ ଇଣ୍ଡିଆ ହାତରେ ଆମେ ଏହି ଦାୟିତ୍ବ ଦେବାକୁ ଚାହୁଁଛୁ । ଫଳରେ ଭାରତକୁ ବିଦେଶୀ ଉଦ୍ୟୋଗମାନେ ଆକର୍ଷିତ ହୋଇ ଆସିବେ । ବିଦେଶୀ ନିବେଶ ଆକୃଷ୍ଟ କରିବା ଲାଗି ଆମେ ଇନଭେଷ୍ଟ ଇଣ୍ଡିଆ ବ୍ୟବସ୍ଥାର ଉପଯୋଗ କରିବୁ ଏବଂ ଭାରତକୁ ଆସିବା ଲାଗି ବିଦେଶୀ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ସମ୍ପର୍କ ସ୍ଥାପନ କରିବୁ ବୋଲି ସଚିବ କହିଥିଲେ ।

ସଚିବ ଶ୍ରୀ ଚନ୍ଦ୍ର ଏହି ଅବସରରେ ସୂଚନା ଦେଇଥିଲେ ଯେ, ଭାରତରେ ଚଳଚ୍ଚିତ୍ର ଶୁଟିଂକୁ ପ୍ରୋତ୍ସାହନ ଦେବା ଏବଂ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର କାର୍ଯ୍ୟ କରିବେ। ନିକଟରେ ଅନୁଷ୍ଠିତ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଆମେ ଅଡିଓ-ଭିଜୁଆଲ କୋ ପ୍ରଡକ୍ସନ ଏବଂ ଭାରତରେ ବିଦେଶୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଥିଲୁ । ରାଜ୍ୟମାନଙ୍କ ପକ୍ଷରୁ ମଧ୍ୟ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଥିବାରୁ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏକ ଆକର୍ଷଣୀୟ ଏବଂ ଶସ୍ତା ପ୍ୟାକେଜ୍‌ ମିଳିପାରିବ ।

ସଚିବ ଏହି ଅବସରରେ ଘୋଷଣା କରିଥିଲେ ଯେ ଭାରତ ସରକାର ଏକ ଆଦର୍ଶ ଥିଏଟର ନୀତି ଗଠନ କରିବା ଲାଗି ରାଜ୍ୟମାନଙ୍କ ସହିତ କାର୍ଯ୍ୟ କରୁଛନ୍ତି । ଗତ ୫-୬ ବର୍ଷ ମଧ୍ୟରେ ଥିଏଟର ସଂଖ୍ୟା ହ୍ରାସ ପାଇଛି । ଆମେ ଏହି ଧାରାକୁ ବଦଳାଇବାକୁ ଚାହୁଁଛୁ । ଥିଏଟର ଖୋଲିବା ପାଇଁ ମଞ୍ଜୁରି ଦେବା ନିମନ୍ତେ ଆମେ ଏକ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ଖୋଲିବା ଲାଗି ଚଳଚ୍ଚିତ୍ର ସୁବିଧା ପ୍ରଦାନ କାର୍ଯ୍ୟାଳୟମାନଙ୍କୁ ଦାୟିତ୍ବ ଦେବୁ । ଯାହାଫଳରେ ଅଧିକରୁ ଅଧିକ ଥିଏଟର ଖୋଲିବ ଏବଂ ଲୋକମାନେ ଥିଏଟରରେ ଚଳଚ୍ଚିତ୍ରର ଚମତ୍କାର ଦିଗକୁ ଦେଖିବାର ସୁଯୋଗ ପାଇପାରିବେ। ରାଜ୍ୟମାନଙ୍କ ସହଭାଗିତାରେ ଆମେ ଏକ ଆଦର୍ଶ ଥିଏଟର ନୀତି ପ୍ରସ୍ତୁତ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବୁ ।

ସଚିବ କହିଥିଲେ ଯେ, କୋଭିଡ-୧୯ ମହାମାରୀ ଲୋକମାନଙ୍କ ଚଳଚ୍ଚିତ୍ର ଦେଖିବା ଅଭ୍ୟାସକୁ ବଦଳାଇ ଦେଇଛି । ତିନି ଦିନ ପୂର୍ବରୁ ଟିକେଟ ଦର ୭୫ ଟଙ୍କାକୁ କମିବା ପରେ ସବୁ ଶୋ’ ଫୁଲ ଯାଉଥିବା ଦେଖାଯାଇଥିଲା। ଏହା ଦର୍ଶାଉଛି ଯେ ଦର ଠିକ୍‌ ରହିଲେ ଲୋକମାନେ ଥିଏଟରରେ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇପାରିବେ । ଥିଏଟରକୁ ଯିବା ଲାଗି ଲୋକମାନଙ୍କ ମଧ୍ୟରେ ଆଗ୍ରହ ରହିଛି, ତେଣୁ ଆମେ ଲୋକମାନଙ୍କୁ କିଭଳି ପୁଣିଥରେ ଥିଏଟରକୁ ଫେରାଇ ଆଣିବୁ ସେ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ଏହି ଅବସରରେ ଚଳଚ୍ଚିତ୍ର ଜଗତକୁ ସୂଚନା ଦେଇ ସଚିବ କହିଥିଲେ ଯେ, ଗତକାଲି ଆମେ ଚଳଚ୍ଚିତ୍ର ଉଦ୍ୟୋଗର କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଏକ ଫଳପ୍ରଦ ବୈଠକରେ ଆଲୋଚନା କରିଛୁ । ସିନେମାଟୋଗ୍ରାଫ ଆଇନରେ ପ୍ରସ୍ତାବିତ ସଂଶୋଧନକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ପାଇରେସୀ ନିରୋଧୀ ବ୍ୟବସ୍ଥା ଏବଂ ୟୁଏ ବର୍ଗରେ ବୟସ ବର୍ଗୀକରଣକୁ ନେଇ ପ୍ରସ୍ତାବିତ ସଂଶୋଧନକୁ ସବୁ ଅଂଶୀଦାରମାନେ ସମର୍ଥନ କରିଛନ୍ତି। ଚଳଚ୍ଚିତ୍ର ଉଦ୍ୟୋଗର ସହାୟତା ସହିତ ସଂସଦର ଆସନ୍ତା ଶୀତ ଅଧିବେଶନରେ ଏହି ବିଲ ଉପସ୍ଥାପନ ହେବା ନେଇ ଆଶା କରାଯାଉଛି ବୋଲି ସଚିବ ସୂଚନା ଦେଇଥିଲେ ।

ସଚିବ ସୂଚନା ଦେଇଥିଲେ ଯେ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗଠନ କରାଯାଇଥିବା ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ ଓ କମିକ୍ସ (ଏଭିଜିସି) ପ୍ରମୋସନ ଟାସ୍କ ଫୋର୍ସ ଆସନ୍ତା ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ । ଉପ ଟାସ୍କ ଫୋର୍ସ ପକ୍ଷରୁ ଦିଆଯାଇଥିବା ରିପୋର୍ଟକୁ ଆମେ ତର୍ଜମା କରୁଛୁ । ଏହାପରେ ଆମେ ଆବଶ୍ୟକ ସୁପାରିସ କରିବୁ ଏବଂ ରିପୋର୍ଟକୁ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ କରିବୁ ବୋଲି ସଚିବ କହିଥିଲେ । ସେ ଆହୁରି କହିଥିଲେ ଯେ ଏଭିଜିସି କ୍ଷେତ୍ରରେ ଭବିଷ୍ୟତର ସମ୍ଭାବନା ରହିଛି । ଶ୍ରେଷ୍ଠ ହଲିଉଡ଼ ଚଳଚ୍ଚିତ୍ରଗୁଡ଼ିକ ଏବେ ବେଙ୍ଗାଲୁରୁ ଏବଂ ଅନ୍ୟ ସ୍ଥାନରେ ପ୍ରସ୍ତୁତ ହେଉଛି । ୨୦ ବର୍ଷ ତଳେ ଯେମିତି ଭାବେ ଆଇଟି ବିପ୍ଳବ ଆସିଥିଲା ଠିକ ସେହିପରି ଏଭିଜିସି କ୍ଷେତ୍ରରେ ଦେଶର ନୂଆ ବିପ୍ଳବ ଆସିବ ବୋଲି ସଚିବ ସୂଚନା ଦେଇଥିଲେ ।

ଘରୋଇ କ୍ଷେତ୍ରର ସହଭାଗିତା ଜରିଆରେ ଦେଶରେ ଏଭିଜିସି ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସଚିବ ସୂଚନା ଦେଇଥିଲେ । ସେ କହିଥିଲେ ଯେ ପିପିପି ମୋଡରେ ଏଭିଜିସି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି  ଆମେ ନୀତିଗତ ନିଷ୍ପତ୍ତି ନେଇଛୁ । ଏଥିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୪୮% ଅଂଶଧନ, ଫିକ୍କି ଏବଂ ସିଆଇଆଇର ୨୬% ଲେଖାଏଁ ଅଂଶଧନ ରହିବ ବୋଲି ପ୍ରସ୍ତାବ ରହିଛି। ତେଣୁ ସରକାର ନୁହନ୍ତି, ବରଂ ଘରୋଇ କ୍ଷେତ୍ର ଏଭିଜିସି କ୍ଷେତ୍ରରେ ନେତୃତ୍ବ ନେବେ । ସଚିବ କହିଥିଲେ ଯେ, ମିଡିଆ ଏବଂ ମନୋରଞ୍ଜନ ଉଦ୍ୟୋଗର ବିକାଶ କ୍ଷେତ୍ରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହାୟକ ସଂସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ ।

ଭାରତୀୟ ନାଗରିକମାନେ ଖୁବଶୀଘ୍ର ଉଚ୍ଚମାନର ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ବିଷୟବସ୍ତୁ ସେମାନଙ୍କର ମୋବାଇଲ ଫୋନରେ ପାଇପାରିବେ । ଏଥିପାଇଁ କୌଣସି ମୋବାଇଲ ଡାଟା ଖର୍ଚ୍ଚ ହେବ ନାହିଁ ବୋଲି ସଚିବ ସୂଚନା ଦେଇଥିଲେ। ଏହା ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଆଗକୁ ଦେଶରେ 5ଜି ସେବା ଉପଲବ୍ଧ ହେବ, ତେଣୁ ଡାଇରେକ୍ଟ ଟୁ ମୋବାଇଲ୍‌ ବ୍ରଡକାଷ୍ଟ ପାଇଁ ଆଉ ଏକ ସୁଯୋଗ ସୃଷ୍ଟି ହେବ । କାନପୁର ଆଇଆଇଟି ସହ ମିଶି ପ୍ରସାର ଭାରତୀ ଏକ ପ୍ରୁଫ୍‌ ଅଫ୍‌ କନସେପ୍ଟ ଉପରେ କାର୍ଯ୍ୟ କରୁଛି, ଏହା ସଫଳ ହେଲେ ମୋବାଇଲରେ ୨୦୦ରୁ ଅଧିକ ଚାନେଲ ଏବଂ ଉଚ୍ଚ ମାନର ଚଳଚ୍ଚିତ୍ର ଦେଖି ହେବ । ଏଥିପାଇଁ କୌଣସି ଡାଟା ଖର୍ଚ୍ଚ ହେବ ନାହିଁ । ଆସନ୍ତା ୩-୪ ବର୍ଷ ମଧ୍ୟରେ ଏପରି ଏକ ପରିକଳ୍ପନା ସାକାର ରୂପ ନେଇ ପାରିବ ବୋଲି ସଚିବ ଶ୍ରୀ ଚନ୍ଦ୍ର କହିଥିଲେ ।

ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମିଡିଆ ଓ ମନୋରଞ୍ଜନ କୌଶଳ ପରିଷଦର ଗୁରୁତ୍ବ ଉପରେ ସୂଚନା ଏବଂ ପ୍ରସାରଣ ସଚିବ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଅଧିକରୁ ଅଧିକ ସଂଖ୍ୟାରେ ଲୋକମାନେ ଏବେ ଓଟିଟି ପ୍ଲାଟଫର୍ମରେ ବିଭିନ୍ନ ବିଷୟବସ୍ତୁ ଦେଖୁଛନ୍ତି । କିନ୍ତୁ ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି ବଢ଼ିଛି ଏବଂ ଅଧିକ ସଂଖ୍ୟାରେ ଲୋକମାନେ ଏଥିରେ ନିଯୁକ୍ତ ହେଉଛନ୍ତି । ଚାକିରି ସୃଷ୍ଟି କରିବା କ୍ଷେତ୍ରରେ କୌଶଳ ବିକାଶ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏ କ୍ଷେତ୍ରରେ ମିଡିଆ ଓ ମନୋରଞ୍ଜନ କୌଶଳ ପରିଷଦର ପ୍ରମୁଖ ଭୂମିକା ରହିଛି ।

ଚଳଚ୍ଚିତ୍ର ପ୍ରଯୋଜକ ରମେଶ ସିପ୍ପୀ, ବ୍ରିଟେନର ୱେଷ୍ଟ ୟର୍କଶାୟର ମେୟର ଟ୍ରେସୀ ବ୍ରାବିନ, ବିଶିଷ୍ଟ ଅଭିନେତା ରଣବୀର ସିଂ, ଫିକ୍କି ଏଭିଜିସି ଫୋରମ ଏବଂ ପୁନରୟୁଗର ପ୍ରତିଷ୍ଠାତା ଆଶିଷ କୁଲକର୍ଣ୍ଣୀ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ଷ୍ଟାଣ୍ଡିଂ କମିଟି ସଦସ୍ୟା ତଥା ସାଂସଦ ସୁମଲତା ଅମ୍ବରୀଶ, ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ଷ୍ଟାଣ୍ଡିଂ କମିଟି ସଦସ୍ୟା ତଥା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ସାଂସଦ ସଞ୍ଜୟ ସେଠ, ଫିକ୍କିର ମହାନିର୍ଦ୍ଦେଶକ ଅରୁଣ ଚାୱଲା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ଫିକ୍କି ଫ୍ରେମ୍ସ ଫାଷ୍ଟ ଟ୍ରାକ୍‌ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର, ପ୍ରସାରଣ (ଟିଭି ଓ ରେଡିଓ), ଡିଜିଟାଲ ମନୋରଞ୍ଜନ, ଆନିମେସନ, ଗେମିଂ ଓ ଭିଜୁଆଲ ଇଫେକ୍ଟସ ଆଦି ବିଭିନ୍ନ କ୍ଷେତ୍ର ଉପରେ କର୍ମଶାଳା, ମାଷ୍ଟର କ୍ଲାସ୍‌ ସହିତ ସମାନ୍ତରାଳ ଆଲୋଚନା ଅଧିବେଶନ ଅନୁଷ୍ଠିତ ହେବ । ମିଡିଆ ଓ ମନୋରଞ୍ଜନ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣ, ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅନ୍ୟ ବ୍ୟବସାୟ ଓ ସୃଜନଶୀଳ ବ୍ୟକ୍ତିବିଶେଷଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧିମାନେ ପ୍ରତିବର୍ଷ ଆୟୋଜନ କରାଯାଉଥିବା ଏହି ସମାରୋହରେ ଅଂଶଗ୍ରହଣ କରିଥିଲେ ।