Categories
ଆଜିର ଖବର ରାଜ୍ୟ ଖବର

୩୨୬ ଜାତୀୟ ରାଜପଥ ଅବରୋଧ କାଲେ କୃଷକ

ଭୁବନେଶ୍ଵର: ମଣ୍ଡିର ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦାବୀରେ ଚାଷୀମାନେ ମାଲକାନଗିରି ଜିଲ୍ଲାର ନାୟକଗୁଡାସ୍ଥିତ ୩୨୬ ଜାତୀୟ ରାଜପଥକୁ ଆଜି ଅବରୋଧ କରାଯାଇଥିଲା। ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡା ମଣ୍ଡିରେ ୧ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ବୃଦ୍ଧି କରି ୨ ହଜାର କୁଇଣ୍ଟାଲ କରିବାକୁ ଚାଷୀମାନେ ଦାବୀ କରି ଏହି ରାସ୍ତାରୋକ କରିଥିଲେ।

ଏହା ଫଳରେ ପ୍ରାୟ ୩ ଘଣ୍ଟା ଧରି ଜୟପୁର ରୁ ମାଲକାନଗିରି ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ନେତୃତ୍ୱରେ ମାଲକାନଗିରି ଅତିରିକ୍ତ ଯୋଗାଣ ଅଧିକାରୀ, ମାଲକାନଗିରି ଓ ମାଥିଲି ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଚାଷୀଙ୍କୁ ବୁଝାସୁଝା କରିବା ସହ ବଳକା ଧାନ କ୍ରୟ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଚାଉଳ ବଣ୍ଟନ ରାଜନୀତି: ଜାତୀୟ ରାଜପଥ ଅବରୋଧ କଲେ ବିଜେଡି ନେତା ଓ କର୍ମୀ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତରେ କିଛି ଦିନ ହେବ ଦେଖା ଦେଇଛି ଚାଉଳ ବଣ୍ଟନ ରାଜନୀତି। ଚାଉଳ ବାଣ୍ଟିବାପାଇଁ ଯୋଗାଣ ସହାୟକ ଥିବାବେଳେ ଅନ୍ୟ ଦୁଇଜଣଙ୍କୁ ସରପଞ୍ଚ ରଖିଛନ୍ତି। ବିଜେପିର କିଛି ଲୋକଙ୍କୁ ରଖିବାପାଇଁ ବିଜେପି କର୍ମୀ ଅନୁରୋଧ କରିଥିଲେ। କିଛି ଫଳପ୍ରଦ ନହେବାରୁ ଗତ ଛ ଦିନ ହେବ ପଞ୍ଚାୟତ ଅଫିସରେ ବିଜେପି କର୍ମୀ ତାଲା ପକାଇଥିବା ଅଭିଯୋଗ କରୁଛନ୍ତି ବିଜେଡି ନେତା।

ଏଥିରେ ପ୍ରଶାସନକୁ ଅବଗତ କରେଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।

ଆଜି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସମେତ ବିଜେଡି ନେତା ଓ କର୍ମୀ ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ କୁଶଡିହ ଛକ ଅବରୋଧ କରିଛନ୍ତି। ଦୀର୍ଘ ଏକଘଣ୍ଟା ଧରି ରାସ୍ତା ବନ୍ଦ ଥିବାରୁ ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା। ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।

ପୋଲିସ ପ୍ରଶାସନ ଓ ବିଡିଓ ଙ୍କ ହସ୍ତକ୍ଷେପ ପରେ ଜାତୀୟ ରାଜପଥରୁ ରାସ୍ତା ରୋକ୍ ପ୍ରତ୍ୟାହୃତ ହୋଇଥିଲା। ତାପରେ ସ୍ୱାଭାବିକ ଭାବେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିଲା।