Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସଚେତନତା ରଥର ଶୁଭାରମ୍ଭ

ଭୁବନେଶ୍ଵର: ଜାନୁଆରୀ ୧ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ଜିଲ୍ଲା ପରିକ୍ରମା କରିବାର ବ୍ୟବସ୍ତା କରାଯାଇଛି। ଗୁରୁବାର ସକାଳ ୧୦.୩୦ ମିନିଟ ସମୟରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସଡ଼କ ସୁରକ୍ଷାର ବାର୍ତ୍ତା ଲୋକମାନଙ୍କୁ ବାଣ୍ଟିବ। ରଥରେ ସଡ଼କ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ଏଲଇଡି ମାଧ୍ୟମରେ ପ୍ରଦର୍ଶନ ହେଉଛି।  ଜିଲ୍ଲାର ସମସ୍ତ ଗାଡି ଚାଳକ, ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନଙ୍କୁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଦୁଇ ଚକିଆ ଗାଡି ଚଳାଇବା ବେଳେ ହେଲମେଟ ପରିଧାନ କରିବା, ଦ୍ରୁତ ଗତିରେ ଗାଡି ନଚଳାଇବା, ମଦ୍ୟ ପାନ କରି ଗାଡି ନଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବା, ୧୮ ବର୍ଷରୁ କମ ବୟସ୍କ ପିଲାମାନଙ୍କୁ ଗାଡି ଚଳାଇବାକୁ ନଦେବା, ଗାଡି ଚଳାଇବା ପୂର୍ବରୁ ବ୍ରେକ, ହର୍ଣ୍ଣ୍, ଇଣ୍ଡିକେଟର, ଟାୟାର ପ୍ରେସର ଯାଞ୍ଚ କରିବା ସହ ଗାଡିର କାଗଜପତ୍ର ସାଙ୍ଗରେ ରଖିବା, କ୍ଷମତା ଠାରୁ ଅଧିକ ଓଜନର ମାଲ୍ ପରିବହନ ନକରିବା ଏବଂ ମାଲ ବୁହା ଯାନରେ ଯାତ୍ରୀ ପରିବହନ ନକରିବା ବିଷୟ ପ୍ରତି ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି। “ସଡ଼କ ସୁରକ୍ଷା ଜୀବନ ରକ୍ଷା” ପ୍ରତି ସମସ୍ତେ ସଚେତନ ହେଲେ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ ପାଇବ।  ନିୟମ ଗୁଡିକୁ ନମାନିଲେ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥାର ପ୍ରାବଧାନ ଅଛି।

ଉଦ୍ଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଟିଆରଓ (ଓଏଏସ / ଓଆରଏସ), ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ୱାକଥନ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ କିଟ ପରିସରରୁ ଏକ ୱାକଥନ ବାହାରି ଚନ୍ଦ୍ରଶେଖରପୁରସ୍ଥିତ ଡ୍ରାଇଭିଂ ଟେଷ୍ଟ ଟ୍ରାକ ପର୍ଯ୍ୟନ୍ତ ଯାଇଥିଲା। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସର୍ବଦା ଟ୍ରାଫିକ ନୀୟମ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏଥି ନିମନ୍ତେ ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ସଚେତନ ଓ ସତର୍କ ରହିଲେ ଦୁର୍ଘଟଣାକୁ ଅନେକାଂଶରେ ରୋକା ଯାଇପାରିବ ବୋଲି ସେ କହିଥିଲେ। ସେହିଭଳି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଯୋଗଦେଇ ଜୀବନର ପ୍ରତ୍ୟେକଟି ସ୍ତରରେ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହାଦ୍ୱାରା ଅନେକ ବିପତ୍ତିରୁ ଜଣେ ବର୍ତ୍ତି ଯାଇପାରିବ ବୋଲି ସେ କହିଥିଲେ। ସେହିଭଳି ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳନର ଆବଶ୍ୟକତା ଉପରେ ମତ ଦେଇଥିଲେ।

‘ସଡ଼କ ସୁରକ୍ଷା, ପରିବାର ରକ୍ଷା’ ଶୀର୍ଷକ ଉପରେ ପାଳିତ ଚଳିତବର୍ଷର ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଏକ ସଚେତନତା ରଥର ମଧ୍ୟ ଅତିଥି ମାନେ ଶୁଭରମ୍ଭ କରିଥିଲେ। ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସୂଚନା ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ରାମ ମନ୍ଦିର ଓ ଧଉଳି ନିକଟରେ ପଥପ୍ରାନ୍ତ ନାଟକ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପରିବହନ ଅତିରିକ୍ତ କମିଶନର ଶ୍ରୀ ଲାଲମୋହନ ସେଠୀ, ଯୁଗ୍ମ କମିଶନର ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିକାଶ ଚୌଧୁରୀ, ସନତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଜାତୀୟ ସଡକ ସୁରକ୍ଷା ମାସ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ୩୨ତମ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ହୋଇଥିବା ସଚେତନତା ରଥ ପରିକ୍ରମା ଏବଂ ସଚେତନତା ନୃତ୍ୟ ପରିବେଷଣର ଶୁଭାରମ୍ଭ ହୋଇଯାଇଅଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ପ୍ରମୋଦ କୁମାର ପାଢୀ, ଏନ ସି ସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ ଗୁରୁ କିଶୋର ନାୟକ, ରୋଭର ଲିଡର୍ ଡ଼ ଆଦିତ୍ୟ ସାରଥୀ ବେଦମତା ଓ ରେଞ୍ଜର ଲିଡର୍ ନିହାର ବାଳା ରାଉତ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ସହରର ଅଚ୍ୟୁତରାଜପୁର, ପୋଡା ସାହି, ଥାନା, ତହସିଲ, ପଲଟନ ପଡ଼ିଆ ଓ ବାଣପୁର ବଜାର ମଧ୍ୟ ଦେଇ ସଚେତନତା ରଥ ପରିକ୍ରମା କରାଯିବା ସହ ନୃତ୍ୟ ପରିବେଷଣ ମାଧ୍ୟମରେ ଜନ ସଚେତନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ଲୋଗାନ ଓ କୁଇଜ ପ୍ରତିଯୋଗୀତା କାର୍ଯ୍ୟକ୍ରମ କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବୀମା ଉପଦେଷ୍ଟା ବିନୋଦ କୁମାର ପ୍ରଧାନ, ଆର ଟି ଓ ଆଡ଼ଭାଇଜର ସର୍ବେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ଉକ୍ତ ଜାତୀୟ ସଡକ ସୁରକ୍ଷା ଅଭିଯାନ କୁ ଖୋର୍ଦ୍ଧା ଆଞ୍ଚଳିକ ସହକାରୀ ଅଧିକାରୀ ବୃନ୍ଦାବନ ସାହୁ,ଏମ ଭି ଆଇ ଅମିତ କୁମାର ରଣା, ବାଣପୁର ଆଇ ଆଇ ସି ସଞ୍ଜୟ କୁମାର ପଟ୍ଟନାୟକ, ଏବଂ ଏସ ଆଇ ଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଆଦି ପରିଚାଳନା କରିଥିଲେ।

ପରିଶେଷରେ ବାଣପୁର ବ୍ଲକ ଛକ ଭୀମପୁର ରୋଡ଼ଠାରେ ଆଇ ଆଇ ସି ସଞ୍ଜୟ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ ଅଭିଯାନ କୁ ସାର୍ଥକ କରିବା ସହ ଉକ୍ତ ରାଲିକୁ ସଫଳ କରିଥିବା ହେତୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିଥିଲେ।