Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ଆଉ ଭୁବନେଶ୍ବରର ଝାରପଡାରେ ରହିବନି ଜେଲ, ହେବ ସ୍ଥାନାନ୍ତରିତ

ଭୁବନେଶ୍ବର: ଦୀର୍ଘ ବର୍ଷ ଧରି ଭୁବନେଶ୍ବରରେ ଝାରପଡାରେ ଥିବା ମୁଖ୍ୟ ଜେଲକୁ ସ୍ଥାନାନ୍ତରିତ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ୧୯୬୪ ମସିହାରୁ ଏହି ଜେଲ ଝାରପଡା କାର୍ଯ୍ୟ କରୁଛି। ଏହି ଜେଲକୁ ନେଇ ଝାରପଡା ଅଞ୍ଚଳ ପରିଚିତ ହୋଇଛି।

ହେଲେ ବର୍ତ୍ତମାନ ଝାରପଡା ଜେଲରେ ବନ୍ଦୀମାନଙ୍କୁ ରଖିବାରେ ସ୍ଥାନ ଅଭାବ ମୁଖ୍ୟ ସମସ୍ୟା ରହିଛି। ଏଥିସହିତ ଏହା ବର୍ତ୍ତମାନ ସହରର ମୁଖ୍ୟ ସ୍ଥାନରେ ଥିବାରୁ ସୁରକ୍ଷା ନେଇ ଅସୁବିଧା ସୃଷ୍ଟି ହେଉଛି।ଏପରିକି ଏହି ଜେଲକୁ ଆଉ ବୃଦ୍ଧି କରିବା ମଧ୍ୟ ସମ୍ଭବ ହୋଇପାରୁ ନାହିଁ। ସେଥିପାଇଁ ସରକାର ଏହାକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି କରିଛନ୍ତି।

ସେହି ଅନୁସାରେ ଏହି ଝାରପଡା ଜେଲ ଭୁବନେଶ୍ବରର ଉପକଣ୍ଠରେ ଥିବା ଜାମୁଝରିକୁ ସ୍ଥାନାନ୍ତରିତ ହେବ। ସେଠାରେ ପୂର୍ବରୁ ଏକ ମୁକ୍ତାକାଶ ଜେଲ ରହିଛି। ସେହି ପାଖରେ ପ୍ରାୟ 50 ଏକର ସ୍ଥାନରେ ଏହି ଜେଲ ନିର୍ମାଣ ହେବ ବୋଲି ନିଷ୍ପତି ହୋଇଛି। ଏହି ଜେଲ ଏକ ଅତ୍ୟାଧୁନିକ ଜେଲ ହେବ।

ଏହି ସ୍ୱତନ୍ତ୍ର ଜେଲରେ ରହିବ ହସ୍ପିଟାଲ, ଆମ୍ଫି ଥିଏଟର, ଲାଇବ୍ରେରୀ, ଜିମ୍, ବେକରି ୟୁନିଟ୍, ଫୁଡ଼ ପ୍ରୋସେସିଂ ୟୁନିଟ୍, ମହିଳା କଏଦୀଙ୍କ ପାଇଁ ବଡ଼ ସ୍ଥାନ ନିର୍ମାଣ କରାଯିବ। ଝାରପଡା ଜେଲରେ ଏବେ ପାଖାପାଖି ୧୨୦୦ କଏଦୀ ରହିଛନ୍ତି । ଏହି ନୂଆ ଜେଲରେ ପ୍ରାୟ ୨୫୦୦ କଏଦୀ ରହିବା ପାଇଁ ବ୍ୟବସ୍ଥା କରାଯିବ।

ସେହିପରି ଯେଉଁମାନେ ଦୁର୍ଦ୍ଦାନ୍ତ କଏଦୀ ସେମାନଙ୍କ ପାଇଁ ରହିବ ସ୍ବତନ୍ତ୍ର ପ୍ରକୋଷ୍ଠ। ଏଥିରେ ଚବିଶ ଘଣ୍ଟିଆ ସିସିଟିଭି ସଂଯୋଗ ସହିତ ସ୍ବତନ୍ତ୍ର ସୁରକ୍ଷା ବଳୟ ଭିତରେ ରଖାଯିବ। ବର୍ତ୍ତମାନ ଭିଡିଓ କନଫ୍ରେସିଂ ମାଧ୍ୟମରେ କଏଦୀମାନେ ହାଜର ହେଉଥିବାରୁ ଏହି ଜେଲରେ ମଧ୍ୟ ସେହି ବ୍ୟବସ୍ଥା କରାଯିବ। ତେବେ ଏହି କାର୍ଯ୍ୟ ଶେଷ ହେବା ବେଳକୁ ପ୍ରାୟ ଦୁଇ ବର୍ଷ ଲାଗିଯିବ।