Categories
ଆଜିର ଖବର ରାଜ୍ୟ ଖବର

ନଭେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ଧାନ କିଣା: ତାରିଖ ନିର୍ଦ୍ଧାରଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଧାନ କ୍ରୟ କମିଟି ବୈଠକ ଗତ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡିଶା ଖାଦ୍ୟ ଓ ଯୋଗାଣ ନିଗମର ଅଧ୍ୟକ୍ଷ ବୀର ବିକ୍ରମ ଯାଦବ, ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍ ସାକ୍ସେନା, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଭାରତୀୟ ଖାଦ୍ୟ ନିଗମର ଆଂଚଳିକ କାର୍ଯ୍ୟାଳୟର ସାଧାରଣ ପରିଚାଳକଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ରାଜ୍ୟସ୍ତରୀୟ ଧାନ କ୍ରୟ କମିଟି ବୈଠକ ପୂର୍ବରୁ ପ୍ରଥମେ ଖରିଫ ୨୦୨୪-୨୫ ଧାନ କିଣା ପରିଚାଳନାକୁ ସୁବ୍ୟବସ୍ଥା କରାଯିବା ସଂପର୍କରେ ଜିଲ୍ଲାପାଳମାନଙ୍କ ସହିତ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ସମସ୍ତ ରାଜସ୍ୱ ଆୟୁକ୍ତ ଏବଂ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦାନ କରିଥିଲେ।

ବୈଠକରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡିଶା ଖାଦ୍ୟ ଓ ଯୋଗାଣ ନିଗମର ଅଧ୍ୟକ୍ଷ ଶ୍ରୀ ଯାଦବ ଖରିଫ ୨୦୨୪-୨୫ ଧାନ କିଣା ପରିଚାଳନା ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ। ଗତ ୨୩ ଅକ୍ଟୋବରରେ ରାଜ୍ୟ କ୍ୟାବିନେଟ୍ ଖରିଫ ୨୦୨୪-୨୫ ପାଇଁ ଖାଦ୍ୟ ଶସ୍ୟ କ୍ରୟ ନୀତି ଅନୁମୋଦନ କରିଛନ୍ତି। ଅନୁମୋଦିତ ନୀତି ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଏଥିପାଇଁ ବିକେନ୍ଦ୍ରୀକୃତ ପରିଚାଳନା ମାର୍ଗଦର୍ଶିକା ପଠାଯାଇଛିl ଖରିଫ୍ ମାର୍କେଟିଂ ଋତୁ(ଖରିଫ୍ ଓ ରବି )ରେ ମୋଟ ୭୯ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିମଧ୍ୟରୁ ଖରିଫ୍ ରେ ୬୫ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଧାର୍ଯ୍ୟ କରାଯାଇଛି। ଚଳିତ ନଭେମ୍ବର ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ଖରିଫ୍ ଧାନ ସଂଗ୍ରହ ହେବ।

ତେବେ ଜିଲ୍ଲାମାନଙ୍କରେ ଧାନ ଅମଳ ସ୍ଥିତିକୁ ଦେଖି ଜିଲ୍ଲାପାଳମାନଙ୍କୁ ଜିଲ୍ଲା ଧାନ କିଣା ଆରମ୍ଭର ତାରିଖ ନିଷ୍ପତ୍ତି କରିବାକୁ ପରାମର୍ଶ ଦିଆଯାଇଛି ଏବଂ ଧାନକ୍ରୟ ପରିଚାଳନା କାର୍ଯ୍ୟ ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନ୍‌ପୁଟ ସହାୟତା ୮୦୦ ଟଙ୍କା ମିଶାଇ ଚଳିତ ବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନକ୍ରୟ ପାଇଁ ଚାଷୀମାନଙ୍କ ପଂଜୀକରଣ କାର୍ଯ୍ୟ ସରିଥିବା ବେଳେ ଧାନ କ୍ରୟ ପରେ ୪୮ ଘଣ୍ଟା ଭିତରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରଣ କରାଯିବା ନେଇ ପ୍ରସ୍ତୁତି ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ଧାନ କ୍ରୟ ପ୍ରକ୍ରିୟା ପୂର୍ବରୁ ମଣ୍ଡି ନୋଡାଲ ଅଫିସର, ମଣ୍ଡି ସୁପରଭାଇଜର ଓ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଧାନ କ୍ରୟ ସୁବ୍ୟବସ୍ଥା ପାଇଁ ଜିଲ୍ଲାପାଳମାନେ ଜିଲ୍ଲାରେ ଜଣେ ଜଣେ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରିବେ, ଯେଉଁମାନଙ୍କର ତଥ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଳ୍ୟାଣ ବିଭାଗ ପୋର୍ଟାଲରେ ରହିବ।

ଚାଷୀମାନଙ୍କର ଅଭିଯୋଗକୁ ଜିଲ୍ଲା ନୋଡାଲ ଅଫିସରମାନେ ଗୁରୁତ୍ୱ ଦେଇ ସମାଧାନ ବ୍ୟବସ୍ଥା କରିବେ। ଜିଲ୍ଲାପାଳମାନେ ଧାନକ୍ରୟ ବ୍ୟବସ୍ଥାର ସୁପରିଚାଳନା ପାଇଁ ଆବଶ୍ୟକସ୍ଥଳେ ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀମାନଙ୍କୁ ନିୟୋଜିତ କରିପାରିବେ। ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବl ଜିଲ୍ଲାପାଳମାନେ ଖାଦ୍ୟ ନିଗମ ଅଧିକାରୀ, ସଡିପିଓ, ଯୋଗାଣ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ, ଜିଲ୍ଲା ସମବାୟ ନିବନ୍ଧକ, ସମବାୟ ନିରୀକ୍ଷକ ଆଦି ସଂପୃକ୍ତ ସମସ୍ତଙ୍କ ସହିତ ନିୟମିତ ବୈଠକ କରିବେ। ଜିଲ୍ଲାସ୍ତରୀୟ ବୈଠକରେ ମଧ୍ୟ ଆରକ୍ଷୀ ଅଧିକ୍ଷକ ମାନଙ୍କୁ ସାମିଲ କରାଯିବାକୁ ପରାମର୍ଶ ଦିଆଯାଇଛି। ଧାନ କ୍ରୟ ପୂର୍ବରୁ ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହେବା, ୭ ଦିନ ମଧ୍ୟରେ ମଣ୍ଡିର ଭିତ୍ତିଭୂମି ତଥ୍ୟ ପିସିଏସଏପି ପୋର୍ଟାଲରେ ଅଦ୍ୟତନ କରାଯିବା ପାଇଁ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଧାନ କିଣା ପୂର୍ବରୁ ସମସ୍ତ ମିଲରମାନେ ସେମାନଙ୍କ ଚୁକ୍ତିନାମା କାର୍ଯ୍ୟ ଶେଷ କରିବେ, ସିକ୍ୟୁରିଟି ଡିପୋଜିଟ ଏବଂ ଧାନ କ୍ରୟ କେନ୍ଦ୍ର ସହିତ ଯୋଡିହେବେ। ଧାନ କ୍ରୟ ପ୍ରକ୍ରିୟା ପୂର୍ବରୁ ସମସ୍ତ ମିଲରେ ସ୍ମାର୍ଟ ଇଲେକ୍ଟ୍ରିସିଟି ମିଟର ରହିବ। ମଣ୍ଡିରୁ ମିଲ, ମିଲ୍‌ରୁ ଡିପୋ ଓ ଡିପୋରୁ ଏଫ୍‌ପିଏସ୍‌ ପର୍ଯ୍ୟନ୍ତ ଭେହିକିଲ୍‌ ଟ୍ରାକିଂ ବ୍ୟବସ୍ଥା କାର୍ଯ୍ୟକାରିତାକୁ ସୁନିଶ୍ଚିତ କରାଯିବ। ଧାନକ୍ରୟ ବ୍ୟବସ୍ଥାରେ ନିୟମିତ ତନଖିକୁ ଦୃଷ୍ଟିରେ ରଖି ଧାନ ରଖିବା ବେଳେ ଯେପରି ଏହା ଯେପରି ଗଣିବାକୁ ସହଜ ହେଉଥିବ, ସେଥିପ୍ରତି ମିଲରମାନଙ୍କୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିବ।

ଅନ୍ୟ ପକ୍ଷରେ ଖରିଫ ଧାନ ସଂଗ୍ରହ ବ୍ୟବସ୍ଥାରେ ସୂଚନା, ଶିକ୍ଷା ଓ ଯୋଗାଯୋଗକୁ ଗୁରୁତ୍ୱ ଦିଆଯାଇଛି। କୃଷକମାନଙ୍କ ସହିତ ବୈଠକ କରାଯାଇ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ଅବଗତ କରାଯିବାକୁ ବୈଠକରେ ପରାମର୍ଶ ଦେଇଛନ୍ତି। ସବୁ ଧାନ କିଣା କେନ୍ଦ୍ରା ବା ମଣ୍ଡିରେ ଧାନର ଏମଏସପି ମୂଲ୍ୟ ସହିତ ସହଯୋଗ ମୂଲ୍ୟ ୮୦୦ ଟଙ୍କା ଏବଂ ଧାନର ଏଫଏକ୍ୟୁ ମାନ ସମ୍ପର୍କରେ ଉଲ୍ଲେଖ ରହିବ। ବୈଠକରେ ଉପସ୍ଥିତ ଏଡିଜି, ଆଇନ୍ ଶୃଙ୍ଖଳା ଯୋଗଦେଇ ଧାନ କ୍ରୟ ପଦ୍ଧତିରେ ଆବଶ୍ୟକ ସିସି ଟିଭି ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତିl କୌଣସି ସୀମା ବାହାର ରାଜ୍ୟରୁ ଯେପରି ଓଡ଼ିଶାକୁ ବେଆଇନ୍ ଧାନ ବିକ୍ରି ପାଇଁ ଚୋରାଚାଲାଣ ନହୁଏ, ଏଥିପାଇଁ ସିସିଟିଭି ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଛି। ଧାନ ଉଠାଇବା ବେଳେ କେଉଁଠି ମଣ୍ଡିରେ ଧାନ ପଡ଼ି ମିଲରମାନଙ୍କ ଦ୍ୱାରା ଉଠା ନଯାଇ ପଡ଼ିରହିଛି, ତାହା ପିପିସି ଡ୍ୟାସବୋର୍ଡରୁ ଜାଣି ହେବ।

ଚାଷୀମାନଙ୍କ ଠାରୁ ଧାନ କ୍ରୟ ସମୟରେ ଯେପରି ମୂଲ୍ୟ ୩୧୦୦ ରୁହେ, ତାହାକୁ ନିଶ୍ଚିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଚାଷୀମାନେ ଏମଏସପି ୨୩୦୦ ଟଙ୍କା ସହିତ ଇନପୁଟ ସହାୟକ ମୂଲ୍ୟ ୮୦୦ ଟଙ୍କା ଯେପରି ପାଇବେ, ଏଥି ପାଇଁ ଦୂରଦର୍ଶନ, ରେଡିଓ ତଥୀ ଅନ୍ୟ ଗଣମଧ୍ୟମରେ ପ୍ରଚାର ପ୍ରସାର ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଚାଷୀମାନଙ୍କୁ ଏଫଏକ୍ୟୁ ମାନର ଧାନ ଉପରେ ଗୁରୁତ୍ୱ ଦିଆଯାଇଛି।

ବୈଠକରେ ଯୋଗଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ଆଗାମୀ ଖରିଫ ଧାନ କ୍ରୟ ପରିଚାଳନାକୁ ଗୁରୁତ୍ୱ ଦେଉଛନ୍ତି। ଚାଷୀମାନେ ତାଙ୍କ କଷ୍ଟ ଉପାର୍ଜିତ ଧାନର ପ୍ରକୃତ ମୂଲ୍ୟ ଯେପରି ପାଇବେ, ତାହା ସରକାରଙ୍କ ପ୍ରତିବଦ୍ଧତା ରହିଛି। ସଂପୃକ୍ତ ସମସ୍ତଙ୍କ ସହଯୋଗରେ ଧାନ କ୍ରୟ ବ୍ୟବସ୍ଥା ଯେପରି ଏକ ଭଲ ବ୍ୟବସ୍ଥା ହେବ ଏବଂ ସବୁ ବ୍ୟବସ୍ଥିତ ଭାବରେ ପରିଚାଳିତ ହେବ, ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଧାନ କିଣା ନେଇ କୌଣସି ପ୍ରକାର ଦୁର୍ନୀତି ଓ ଅବ୍ୟବସ୍ଥାକୁ ବରଦାସ୍ତ କରାଯିବ ନାହିଁ। ଧାନ ସଂଗ୍ରହ ନୀତି ଅନୁଯାୟୀ କ୍ଷୁଦ୍ର ଚାଷୀ ଓ ନାମ ମାତ୍ର ଚାଷୀ ଏବଂ ପ୍ରକୃତ ଚାଷୀଙ୍କ ରେଜିଷ୍ଟେସନକୁ ଗୁରୁତ୍ତ୍ଵ ଦିଆଯିବ, ଯାହାଦ୍ୱାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ। ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଖରିଫ୍ ଧାନକ୍ରୟ ସଂପର୍କିତ ସମ୍ଭାବ୍ୟ ତାରିଖ ଓ ପ୍ରସ୍ତୁତି ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ହୋଟେଲ୍ ଏବଂ ରେଷ୍ଟୁରାଂଟରେ ସେବା କର ନିୟମକୁ ଲାଗୁ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଦିଲ୍ଲୀ: କେନ୍ଦ୍ର ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ଜିଲ୍ଲାପାଳ ମାନଙ୍କୁ ହୋଟେଲ୍ ଏବଂ ରେଷ୍ଟୁରାଂଟ ଦ୍ୱାରା ସେବା କର ସମ୍ପର୍କିତ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଗୁଡିକୁ ଲାଗୁ କରିବା ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପର୍କିତ ଅଭିଯୋଗ ମିଳିବା ପରେ ଜିଲ୍ଲାପାଳ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ସମ୍ପର୍କରେ ଯାଂଚ କରି ପାରିବେ ଏବଂ ୧୫ ଦିନ ଭିତରେ ପ୍ରାଧିକରଣକୁ ରିପୋର୍ଟ ପ୍ରଦାନ କରିବେ।

ସିସିପିଏ ସାରା ଭାରତରେ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବ ଏବଂ ଜିଲ୍ଲାପାଳ ମାନଙ୍କୁ ଉପଭୋକ୍ତା ମାନଙ୍କର ସ୍ୱାର୍ଥର ସୁରକ୍ଷା ନିମନ୍ତେ ଏହାର ତତ୍କାଳ କାର୍ଯ୍ୟାନ୍ୱୟନ ସହିତ ନିର୍ଦ୍ଦେଶାବଳୀର ବ୍ୟାପକ ପ୍ରଚାର- ପ୍ରସାର ବ୍ୟବସ୍ଥା କରିବା ନିମନ୍ତେ ଚିଠି ଲେଖିଛନ୍ତି। ଏହି ଚିଠିରେ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆ ଯାଇଛି ଯେ, ସେବା ଶୁଳ୍କ ଲଗାଇବା ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଟେ ଏବଂ ଏହା ଅନୁଚିତ ବ୍ୟବସାୟ ପ୍ରଥା ସୃଷ୍ଟି କରିଥାଏ, ଯେଉଁଥିରେ ଏକ ଶ୍ରେଣୀର ଉପଭୋକ୍ତା ମାନଙ୍କର ଅଧିକାର ଗୁଡିକୁ ପ୍ରଭାବିତ କରା ଯାଇଥାଏ ଏବଂ ଏଭଳି ଅଭିଯୋଗ ଗୁଡିକୁ ପ୍ରାଥମିକତା ଆଧାରରେ ଗ୍ରହଣ କରାଯିବ ଉଚିତ୍।

ସେବା ଶୁକ୍ଳ ଲାଗୁ କରିବା ସମ୍ପର୍କରେ ଅନେକ ଉପଭୋକ୍ତା ମାନେ ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ରେ ନିଜର ଅଭିଯୋଗ ଦାଖଲ କରିଛନ୍ତି। ୦୧.୦୪.୨୦୨୧ରୁ ୨୦.୦୬.୨୦୨୨ ପର୍ଯ୍ୟନ୍ତ ଉପଭୋକ୍ତା ମାନଙ୍କ ଦ୍ୱାରା ସେବା ଶୁଳ୍କ ଲାଗୁ କରିବା ଉପରେ ୫୩୭ ଅଭିଯୋଗ ଦାଖଲ କରା ଯାଇଛି। ପ୍ରମୁଖ ଅଭିଯୋଗ ଗୁଡିକ ମଧ୍ୟରେ ହୋଟେଲ୍/ ରେଷ୍ଟୁରାଂଟରେ ସେବା କରକୁ ବାଧ୍ୟତାମୂଳକ କରିବା, ସେବା ଶୁଳ୍କ ପ୍ରଦାନକୁ ବିରୋଧ କରିବା ଯୋଗୁଁ ଉପଭୋକ୍ତା ମାନଙ୍କୁ ଲଜ୍ଜିତ କରିବା, କୌଣସି ଅନ୍ୟ ନାମରେ ସେବା ଶୁଳ୍କକୁ ଯୋଡିବା ଏବଂ ଉପଭୋକ୍ତା ମାନଙ୍କ ଠାରୁ ସେବା ଶୁଳ୍କ ଦେୟ ପ୍ରଦାନ ବୈକଳ୍ପିକ ଏବଂ ସ୍ୱେଚ୍ଛାକୃତ ବୋଲି ଲୁଚାଇବା ଇତ୍ୟାଦି ସାମିଲ୍ ଅଟେ।

୦୫.୦୭.୨୦୨୨ରୁ ୦୮.୦୭.୨୦୨୨ ପର୍ଯ୍ୟନ୍ତ ଅର୍ଥାତ୍ ସିସିପିଏ ଦ୍ୱାରା ନିର୍ଦ୍ଦେଶାବଳୀ ଜାରି ହେବା ପରେ ଏନ୍ସିଏଚ୍ରେ ୮୫ଟି ଅଭିଯୋଗ ଦାଖଲ ହୋଇଛି। ସେବା ଶୁଳ୍କକୁ ନେଇ ଅଭିଯୋଗ ଆସିଥିବା ଶୀର୍ଷ ୫ଟି ସହର ଗୁଡିକ, ଯଥାକ୍ରମେ ନୂଆଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ, ପୁନେ ଏବଂ ଗାଜିଆବାଦରେ କ୍ରମଶଃ ୧୮, ୧୫, ୧୧, ୪ ଏବଂ ୩ ଟି ଅଭିଯୋଗ ଦାଖଲ ହୋଇଛି।

ସିସିପିଏର ମୁଖ୍ୟ ଆୟୁକ୍ତ ନିଧି ଖାରେ, ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଦେଶାବଳୀ ଗୁଡିକ ପରାମର୍ଶଭିତିକ ନୁହେଁ ଏବଂ ଆଇନ୍ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ଯୋଗ୍ୟ ଅଟେ। ଖାଉଟି ସୁରକ୍ଷା ଅଧିନିୟମ, ୨୦୧୯ର ଧାରା ୧୮ (୨) (୧) ଅଧିନରେ ନିର୍ଦ୍ଦେଶାବଳୀ ଜାରି କରା ଯାଇଛି, ଯାହା ସିସିପିଏକୁ ଅନୁଚିତ୍ ବ୍ୟବସାୟ ପ୍ରଥା ଗୁଡିକୁ ରୋକିବା ପାଇଁ ଉପଭୋକ୍ତା ମାନଙ୍କର ସ୍ୱାର୍ଥର ସୁରକ୍ଷା ନିମନ୍ତେ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିବା ପାଇଁ ଅଧିକାର ପ୍ରଦାନ କରିଥାଏ।

ଯଦି କୌଣସି ଉପଭୋକ୍ତା ଏହା ଜାଣିବାକୁ ପାଇଥାଏ ଯେ, କୌଣସି ହୋଟେଲ୍ କିମ୍ବା ରେଷ୍ଟୁରାଂଟ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରି ସେବା ଶୁଳ୍କ ଲଗାଉଛି, ତେବେ ଉପଭୋକ୍ତା ସେହି ହୋଟେଲ୍ କିମ୍ବା ରେଷ୍ଟୁରାଂଟକୁ ସେବା ଶୁଳ୍କକୁ ବିଲ୍ ଅର୍ଥରୁ ହଟେଇ ଦେବା ପାଇଁ ଅନୁରୋଧ କରି ପାରିବେ। କିମ୍ବା ଉପଭୋକ୍ତା ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ରେ ୧୯୧୫ରେ କଲ୍ କରି କିମ୍ବା ଏନ୍ସିଏଚ୍ ମୋବାଇଲ୍ ଆପ୍ ମାଧ୍ୟମରେ ଅଭିଯୋଗ ଦାଖଲ କରି ପାରିବେ, ଯାହା ପ୍ରାକ୍ ବିବାଦ ସ୍ତରରେ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିଥାଏ।

ଉପଭୋକ୍ତା ଅନୁଚିତ ବ୍ୟବସାୟ ବ୍ୟବହାରର ବିରୋଧ କରି ଉପଭୋକ୍ତା ଆୟୋଗରେ ଅଭିଯୋଗ ମଧ୍ୟ ଦାଖଲ କରି ପାରିବେ। ଏହାର ତ୍ୱରିତ ଏବଂ ପ୍ରଭାବୀ ନିବାରଣ ନିମନ୍ତେ ଇ – ଦାଖିଲ୍ ପୋର୍ଟାଲ୍ www.edaakhil.nic.in ମାଧ୍ୟମରେ ଇଲେକ୍ଟ୍ରୋନିକ୍ ରୂପରେ ମଧ୍ୟ ଅଭିଯୋଗ ଦାଖଲ କରା ଯାଇ ପାରିବ। ଏହା ସହିତ, ଉପଭୋକ୍ତା ସିସିପିଏ ଦ୍ୱାରା ଯାଂଚ ଏବଂ ଏହା ପରବର୍ତ୍ତୀ ପ୍ରକ୍ରିୟା ନିମନ୍ତେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଭିଯୋଗ ଦାଖଲ କରି ପାରିବ। ଅଭିଯୋଗ ସିସିପିଏକୁ [email protected] ମାଧ୍ୟମରେ ଇ- ମେଲ୍ ଦ୍ୱାରା ମଧ୍ୟ ପଠା ଯାଇ ପାରିବ।

ସିସିପିଏ ଦ୍ୱାରା ଜାରି କରା ଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଗୁଡିକ ଏବଂ ଖାଉଟି ବ୍ୟାପାର ବିଭାଗ ଦ୍ୱାରା ପୂର୍ବ ନିର୍ଦ୍ଦେଶାବଳୀ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ, ମଧ୍ୟବର୍ତ୍ତୀ ଅବଧିରେ ଖାଉଟି ସୁରକ୍ଷା ଅଧିନିୟମ, ୧୯୮୬କୁ ଉପଭୋକ୍ତା ସୁରକ୍ଷା ଅଧିନିୟମ ୨୦୧୯ରେ ପରିବର୍ତିତ କରି ଦିଆ ଯାଇଥିଲା, ଯାହା ଜୁଲାଇ ୨୦୨୦ରେ ଲାଗୁ ହୋଇ ଥିଲା। ଏହା ଏକ ନୂତନ ବିଧି ବ୍ୟବସ୍ଥା ସୃଷ୍ଟି କରିଛି, ଅର୍ଥାତ୍ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ ହୋଇଛି, ଯାହା ଅନୁଚିତ ବାଣିଜ୍ୟ ପ୍ରଥା ବିଷୟରେ ଜାଣିବା ପାଇଁ ସଂସଦ ଦ୍ୱାରା କ୍ଷମତା ପ୍ରାପ୍ତ ହୋଇଛି।

ଏଥିପାଇଁ, ନିର୍ଦ୍ଦେଶାବଳୀର କୌଣସି ପ୍ରକାରର ଉଲ୍ଲଂଘନକୁ ଗମ୍ଭୀରତାର ସହିତ ନିଆଯିବ ଏବଂ ଅନୁଚିତ ବ୍ୟବସାୟ ବ୍ୟବହାର ଏବଂ ଉପଭୋକ୍ତା ମାନଙ୍କର ଅଧିକାର ଗୁଡିକୁ ଉଲ୍ଲଂଘନ କରିବା କ୍ଷେତ୍ରରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।