Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିଜେବି ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା ଆନୁଷ୍ଠାନିକ ଭାବେ ସଭାକୁ ଉଦ୍‌ଘାଟନ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଯୁବପିଢିଙ୍କୁ ନିଜର କର୍ମ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ ଓ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।

ଅନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା କ୍ରୀଡ଼ା ଅଧୂକାରୀ ଅଜୟ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ।

ମୁଖ୍ୟ ଅତିଥି ଯୁବ ଉତ୍ସବ ମାଧ୍ୟମରେ ଯୁବକ ଯୁବତୀମାନଙ୍କର ପ୍ରତିଭା ବିକଶିତ ହୋଇପାରିବ ବୋଲି କହିଥିଲେ ଓ ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରୀୟ ଯୁବ ଉତ୍ସବରେ କୃତିତ୍ୱ ହାସଲ କରି ଖୋରଧା ଜିଲ୍ଲାକୁ ଗୌରବାନ୍ବିତ କରିବାକୁ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଯଥା ଦଳଗତ ଲୋକ ନୃତ୍ୟ, ଏକକ ଲୋକନୃତ୍ୟ, ଏକକ ଲୋକ ଗୀତ, ଦଳଗତ ଲୋକ ଗୀତ, ଔପଚାରିକ ବକ୍ତୃତା ହିନ୍ଦୀ ଓ ଇଂରାଜୀ, ଚିତ୍ରାଙ୍କନ, ଗଳ୍ପ ଲିଖନ ଇଂରାଜୀ ଓ ହିନ୍ଦୀ, ପଦ୍ୟ ଲିଖନ ଇଂରାଜୀ ଓ ହିନ୍ଦୀ ଅନୁଷ୍ଠିତ ହୋଇଥିଲା। ଯୁବ ଉତ୍ସବରେ କେବଳ ଜିଲ୍ଲାର ୧୫ ରୁ ୨୯ ବର୍ଷୀୟ ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ୧୧ ଟି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଆର୍ଥିକ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।