Categories
ଆଜିର ଖବର ରାଜ୍ୟ ଖବର

ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ, ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ସ୍ଥଳ ଜୁନାଗଡ ଠାରେ ଥିବା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି କର୍ମଚାରୀ ନିଯୁକ୍ତିରେ ପ୍ରିୟାପ୍ରୀତିପୋଷଣ କାରବାର ହେଉଥିବା ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଥିବା ଦେଖାଯାଉଛି। ଦୀର୍ଘ ଦିନରୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ କର୍ମଚାରୀଙ୍କୁ ବିଗତ ସାତ ବର୍ଷ ହେବ ବାର୍ଷିକ ଚୁକ୍ତି ଅନୁସାରେ ଚୁକ୍ତିଭିତ୍ତିକ କର୍ମଚାରି ଭାବେ ରଖାଯାଇଥିବା ବେଳେ ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ନିଷ୍ଠାପରତା ଅନୁସାରେ ଆର ଏମ ସି ର ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ରେ ଗତ ୨୦.୦୩.୨୦୧୮ ଦିନ ରେଜୁଲେସନ ହୋଇଥିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଥର ରେଜୁଲେସନ କରାଯାଇଥିବା ଜଣାପଡିଛି। ହେଲେ ସେମାନଙ୍କ ମଧ୍ୟରୁ କେବଳ ତିନି ଜଣଙ୍କୁ ଗତ ୨୩.୦୫.୨୦୨୩ ଦିନ ମଜୁରି ବୃଦ୍ଧି କରାଯାଇଥିବା ବେଳେ ବାକି ଦୁଇ ଜଣଙ୍କ ପ୍ରତି ଅଣଦେଖା କରାଯାଇଥିବା କୁହଯାଉଛି। ନେଇ ଆଣି ଥୋଇ ଜାଣିବା ବିଦ୍ୟାରେ ଧୁରନ୍ଧର ଜନୈକ ଅଧସ୍ତନ କର୍ମଚାରୀ ସମ୍ପାଦକ ଓ ଅଧ୍ୟକ୍ଷ ଙ୍କୁ ଭୁଲ ତଥ୍ୟ ଉପସ୍ଥାପନ କରି ନିଜ ହାତ ମୁଠାରେ ଆର ଏମ ସି ର ପରିଚାଳନା କରିବାରେ ସଫଳ ହୋଇ ଯାଉଥିବା ଯୋଗୁ ଏଭଳି ଅବ୍ୟବସ୍ଥା ହେଉଥିବା ଚର୍ଚ୍ଚା ହେଉଛି।

ଅନ୍ୟ ପକ୍ଷରେ ଅସ୍ଥାୟୀ ଭାବେ କମ କରୁଥିବା ନଅ ଜଣ କର୍ମଚାରୀଙ୍କୁ ଗତ ୨୫.୧୧.୨୦୨୦ ଦିନ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ରେଜୁଲେସନ କରାଯାଇ ଏବଂ ଓସାମା ବୋର୍ଡ ପତ୍ର ସଂଖ୍ୟା ୧୩୧୬ ତା.୧୭.୦୫.୨୦୧୬ ଅନୁସାରେ ସମ୍ପୂର୍ଣ୍ଣ ଭାବେ ବହିଷ୍କାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କୁ ସ୍ଵତନ୍ତ୍ର ଅନୁକମ୍ପା ଦେଖାଇ ପୁନର୍ବାର ଗତ ୦୨.୦୫.୨୦୨୩ ଦିନ ଠାରୁ ବାର୍ଷିକ ଚୁକ୍ତି ଭିତ୍ତିରେ ଚୁକ୍ତିଭିତ୍ତିକ କର୍ମଚାରି ଭାବେ ରଖାଯାଇଥିବା ଜଣାପଡିଛି। ଇତି ମଧ୍ୟରେ ଏହି ଛଅ ଜଣ ଙ୍କ ମଜୁରିବୃଦ୍ଧି କରାଇବା ପାଇଁ ସମ୍ପୃକ୍ତ କର୍ମଚାରୀ ଦୃଢ ପ୍ରତିଶୃତି ଦେଇଥିବା ଚର୍ଚ୍ଚା ହେଉଛି। ଏହା ଯଦି ସତ୍ୟ ହୋଇଥାଏ ତେବେ ଯେଉ ପାଞ୍ଚ ଜଣ ଚୁକ୍ତି ଭିତ୍ତିକ କର୍ମଚାରୀ ଦୀର୍ଘ ସାତ ବର୍ଷ ଖଟିବା ପରେ ବହୁ କଷ୍ଟରେ ସେମାନଙ୍କ ମଧ୍ୟରୁ କେବଳ ତିନି ଜଣଙ୍କ ମଜୁର ବୃଦ୍ଧି କରାଗଲା ଏବଂ ଅଦ୍ୟାବଧି ଦୁଇ ଜଣଙ୍କ ମଜୁରି ବୃଦ୍ଧି କରାଯାଇ ନାହି ସେମାନେ କେଉ ପ୍ରକାର ଦୋଷ କରିଥିଲେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଯେଉ ପାଞ୍ଚ ଜଣ ଚୁକ୍ତି ଭିତ୍ତିକ କର୍ମଚାରୀ ଦୀର୍ଘ ସାତ ବର୍ଷ ହେବ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମଜୁରି ବୃଦ୍ଧି କରାଯାଇ ନ ଥିବା ବେଳେ ମାତ୍ର ଚାରି ମାସ ତଳେ ଚୁକ୍ତି ଭିତ୍ତିକ କର୍ମଚାରୀ ଭାବେ ଯୋଗ ଦେଇଥିବା କର୍ମଚାରୀ ମାନଙ୍କ ମଜୁରି କେଉ ନିୟମ ଅନୁସାରେ ବୃଦ୍ଧି କରାଯିବ ତାହା ସର୍ବ ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି। ଗୋଦାମ ଭଡା, ଦୋକାନ ଭଡା ଦେବାରେ ବ୍ୟାପକ ଜାଲିଆତି କରାଯାଇଥିବା ଓ ସବ ଲେଟ ଦିଆ ଯାଇ ଭଡାଧାରି ଲାଭବାନ ହେଉଥିବା ବେଳେ ଆରଏମସି କ୍ଷତି ସହୁଥିବା ଅଭିଯୋଗ ହେଉଛି ଆର ଏମ ସି ର ଉପାଧ୍ୟକ୍ଷ ଙ୍କୁ ଦୀର୍ଘ ଦିନ ହେବ ସାମିଲ କରାଯାଉ ନ ଥିବା ବେଳେ ଆଉ ଜଣଙ୍କ ପ୍ରତି କୋହଳ ନୀତି କରାଯାଇଥିବା ଅଭିଯୋଗ ହେଉଛି। ସଭ୍ୟମାନେ ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇଲେ ସେମାନଙ୍କୁ ଅଣଦେଖା କରାଯାଉଥିବା ଏବଂ ନିଜକୁ ଶୁହାଇବା ଭଳି ଭୁଲ ଚିତ୍ରଣ କରାଯାଉଥିବା ଅଭିଯୋଗ ହେଉଛି। ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଙ୍କୁ ସମ୍ମାନ ଜଣାଇ ସଭ୍ଯ ମାନେ ନୀରବ ରହୁଥିବା ସୁଯୋଗ ନେଇ କିଛି ସୁବିଧାବାଦୀ ଙ୍କ ସହାୟତାରେ ସମ୍ପୃକ୍ତ କର୍ମଚାରୀ ମାନେ ସ୍ବର ଉଠାଉଥିବା ସଭ୍ୟ ସବୁ କଥାରେ ବିରୋଧ କରନ୍ତି ବୋଲି ଭୁଲ ତଥ୍ୟ ଉପସ୍ଥାପନ କରି ନିଜ ଫାଇଦା ଉଠାଉଥିବା ଚର୍ଚ୍ଚା ହେଉଛି।

ଜୁନାଗଡ ଆର ଏମ ସି ର ବିଭିନ୍ନ କାରବାର ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ସାଙ୍ଗକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଅର୍ଥ ନୈତିକ ଅପରାଧ ଶାଖା ତରଫରୁ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି। ସ୍ଥାୟୀ ଉପଜିଲ୍ଲାପାଳ ଯୋଗ ଦେଲେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ବର୍ତ୍ତମାନ ର ଭରପ୍ରାପ୍ତ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ କହୁଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ନୀତିର ଗନ୍ତା ଘର ପାଲିଟିଛି ଜୁନାଗଡ ଆରଏମସି, ଚୁଟକା ପ୍ରଭାବରେ ହାତୀ ପାଲଟୁଛି ମୂଷା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ସ୍ଥଳ ଜୁନାଗଡ ଠାରେ ସ୍ଥାନୀୟ କୃଷିଜାତ ସାମଗ୍ରୀ ଗୁଡିକର ଉଚିତ ବଜାର ବ୍ୟବସ୍ଥା ପାଇଁ ଓ ଏପିଏମ ଆଇନ ଆଧାରରେ ସତୁରୀ ଦଶକରେ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଗଠନ କରାଯାଇଥିଲା ଏବଂ ରାଜ୍ୟ ସମବାୟ ବିଭାଗ ଅଧୀନରେ ରଖା ଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ( ଓସାମା ବୋର୍ଡ ) ଗଠନ କରାଯାଇ ସମଗ୍ର ରାଜ୍ୟର ଆରଏମସି ଗୁଡିକୁ ନିୟନ୍ତ୍ରିତ କରିବା ଦାୟିତ୍ବ ଦିଆଯାଇଥିଲା। କୃଷକ ମାନଙ୍କର କଷ୍ଟ ଲବ୍ଧ କୃଷି ସାମଗ୍ରୀ ବିକ୍ରି କରିବା ପରେ ସେଥିରୁ ଶତକଡା ଅଢେଇ ଭାଗ ଟଙ୍କା କମିଶନ ମାଧ୍ୟମରେ ଆରଏମସି ଗୁଡିକୁ ଦିଆଯାଉଥିବା ବେଳେ ଆୟ ଅନୁସାରେ ଆର ଏମ ସି ଗୁଡିକୁ ଏ, ବି, ସି ଗ୍ରେଡେସନ କରା ଯାଇ ଥିବା ଜଣା ପଡିଛି। ସେହି କ୍ରମରେ ଜୁନାଗଡ ଆରଏମସିକୁ ଏ ଗ୍ରେଡ ତାଲିକାରେ ଥିବା କୁହା ଯାଉଥିବା ବେଳେ ଏଠାରେ ଦୁର୍ନୀତି ଘର କରି ରହିଯାଇଥିବା ଅଭିଯୋଗ ହେଉଛି।

କେତେକ ଦୁର୍ନୀତିଖୋର କର୍ମଚାରୀ ବିଭିନ୍ନ ଉପାୟରେ ଏହି ଆର ଏମ ସି ରୁ ହରି ଲୁଟ କରୁଥିବା ଅନେକ ଅଭିଯୋଗ ହେଉଛି। କେତେକାଂଶରେ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଗୁଡିକ ଫାଇଲ ତଳେ ଚାପି ହୋଇ ଯାଇଥିବା କୁହାଯାଉଛି। ମାନ୍ୟବର ସମବାୟ ସଚିବଙ୍କ ନିର୍ଦ୍ଦେଶରେ ଆର ଏମ ଓ ତଦନ୍ତ କରି ରିପୋର୍ଟ ଦେଇଥିବା ବେଳେ ତାକୁ ଚାପି ଦେବାକୁ ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ସଫଳ ହୋଇଥିବା ପ୍ରକାଶ। ଏପରିକି ମାନ୍ୟବର ହାଇ କୋର୍ଟ କଳାହାଣ୍ଡି ଜିଲ୍ଲପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ମଧ୍ୟ ବୁଢିଆଣୀ ଜାଲ ମଧ୍ୟରେ ଛନ୍ଦି ହୋଇ ଯାଇଥିବା କୁହାଯାଉଛି। କର୍ମଚାରୀ ନିଯୁକ୍ତି, ଗ୍ରେଡିଂ ଇକ୍ୟୁପମେଣ୍ଟ କିଣା, ରିଫ୍ରେଶ ମେଣ୍ଟନାମରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଆସୁଛି।

ବିଗତ ବର୍ଷ ମାନଙ୍କରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏହାର ସତ୍ୟା ସତ୍ୟ ପଦାକୁ ଆସି ପାରିବ ବୋଳି ଦାବୀ ହେଉଛି।

ଓଏପିଏମ ଆଇନ ଅନୁସାରେ ଆର ଏମ ସି ର ପରିଚାଳନା କମିଟିରେ ରେଜୁଲେସନ୍ କରାଯାଇ ପ୍ରତ୍ୟେକ କାର୍ଯ୍ୟ କ୍ରମ ତଥା ଖର୍ଚ୍ଚ କରାଯିବା ବ୍ୟବସ୍ଥା ଥିବା ବେଲେ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୧୫ ଜଣିଆ କମିଟି ରହିଛି। ହେଲେ ଉପଜିଲ୍ଲାପାଳଙ୍କୁ ସମ୍ମାନ ଜଣାଇ ସଭ୍ୟମାନେ କୌଣସି ପ୍ରତିବାଦ କରୁ ନ ଥିବା ବେଳେ ଏହାରି ସୁଯୋଗ ନେଇ ଆର ଏମ ସି ର ଦୁର୍ନୀତି ଗ୍ରସ୍ତ ଧୂର୍ତ୍ତ କର୍ମଚାରୀ ନିଜକୁ ସୁହାଇବା ଭଳି ଏବଂ ଫାଇଦା ଉଠାଇ ପରିବା ଭଳି ରେଜୁଲେଶନ ଲେଖି ଦେଉଥିବା ପ୍ରକାଶ।

ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଅତୀତରେ ଓସାମା ବୋର୍ଡ ର ପତ୍ର ସଂଖ୍ୟା ୨୯୬୮ତା ୧୨.୦୯.୨୦୧୭ କୁ ଖୋଲା ଖୋଲି ଉଲ୍ଲଂଘନ କରି ଫାଇଦା ଉଠାଇବା ପାଇଁ ତରବରିଆ ଭାବେ ସରକାରୀ ଜମି ଜବଦଖଲ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଇ ଥିବା ହେତୁ ଆର ଏମ ସି ଅଧ୍ୟକ୍ଷ ପତ୍ର ସଂଖ୍ୟା ୫୬୧ତା ୨୩.୦୬.୨୦୨୧ ଯୋଗେ ଚାରି କୋଟି ଟଙ୍କା ଭରଣା କରିବାକୁ ଜବାବ ତଲବ କରିଥିବା ବେଳେ ତାହା ମଧ୍ୟ ଏବେ ଫାଇଲ ତଳେ ଚାପି ହୋଇ ଯାଇଥିବା ଜଣା ପଡିଛି।

ଅନ୍ୟ ପକ୍ଷରେ କେତେକ ଦିନ ମଜୁରିଆ ମାନଙ୍କୁ ସ୍ଥାୟୀ କରିଦେବା ପାଇଁ ବ୍ୟାପକ କିକ ବେକ କରିଥିବା ଅଡିଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଚର୍ଚ୍ଚା ହେଉଥିଲା। ସେହି ନଅ ଦିନ ମଜୁରିଆ ମାନଙ୍କୁ ଓସାମା ବୋର୍ଡର ପତ୍ର ସଂଖ୍ୟା ୧୩୧୬ତା ୧୭.୦୫.୨୦୧୬ ଏବଂ ସେପ୍ଟେମ୍ବର ୨୦ କମିଟି ରେଜୁଲେଶନ ଅନୁସାରେ ବାହାର କରିଦିଆଯଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଛଅ ଜଣଙ୍କୁ ପୁନଃ ନିଯୁକ୍ତି ଦେବା ସହ ସ୍ଥାୟୀ କରିଦେବାକୁ ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ପୁରା ଦମ୍ ରେ ଲାଗି ପଡ଼ିଥିବା କୁହାଯାଉଛି।

ଅନ୍ୟ ପକ୍ଷରେ ଦୀର୍ଘ ଛଅ ସାତ ବର୍ଷ ହେବ ନିୟମିତ ଭାବେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ ଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଅନେକ ଥର କମିଟି ରେଜୁଲେଶନ କରାଯାଇ ଥିବା ବେଳେ ତାହା କାର୍ଯ୍ଯକାରୀ କରାଯାଉନଥିବା ଅଭିଯୋଗ ହେଉଛି। ଆଇନ ଅନୁସାରେ ସଂପାଦକ ସମସ୍ତ ଫାଇଲ ପତ୍ର କାଗଜ ପତ୍ର ଦାୟିତ୍ଵ ରେ ରହିବା ଉଲ୍ଲେଖ ଥିବା ବେଳେ ଜୁନାଗଡ ଆରଏମସି ରେ ବ୍ୟତିକ୍ରମ ଦେଖାଯାଏ।ବିଭିନ୍ନ ସାମଗ୍ରୀ କିଣା ରେ ବ୍ୟାପକ ହେରା ଫେରି ହେଇଥିବା ଏଵଂ ଫଲ୍ସ ବିଲ୍ କରାଉଥିବା ଅଭିଯୋଗ ହେଲେ ମଧ୍ୟ ସେସବୁ ର ତଦନ୍ତ ହୁଏ ନାହିଁ। ଜନୈକ ମାନବାଧିକାର କର୍ମୀ ଅନେକ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଥିବାବେଳେ ସେସବୁ ଶୀତଳ ଭଣ୍ଡାର ରେ ଥିବା କୁହା ଯାଉଛି।

ଏଭଳି ଅନେକ ଦୁର୍ନୀତି ହେଉ ଥିବା ବେଳେ ସେସବୁର ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। କମିଟି ସଭ୍ୟ ମାନେ ବିରୋଧ କଲେ ମଧ୍ୟ ତାହା ଚାପି ହୋଇ ଯାଉଥିବା ଚର୍ଚ୍ଚା ହେଉଛି। ଅନେକ ସଭ୍ୟଙ୍କ ଅଗୋଚରରେ ମିଟିଂ ହେବା ସହ ଯେଉଁମାନେ ଦୁର୍ନିତି ବିରୁଦ୍ଧରେ ସ୍ଵର ଉଠାଉଛନ୍ତି ସେମାନଂକୁ ନ ଜଣାଇ ମଧ୍ୟ କୋରମ୍ ଅନୁସାରେ ମିଟିଂ ସିଟିଂ ସହ ଆନୁସାଙ୍ଗିକ ବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି। ଯେଉଁମାନେ ସ୍ବର ଉଠାଉଛନ୍ତି ସେମାନଂକୁ ବିଭିନ୍ନ ଉପାୟ ରେ ବଦନାମ କରି ଉପ ଜିଲ୍ଲପାଳଙ୍କ ଠାରେ ଉପସ୍ଥାପନ କରିଦେଉଥିବା କୁହାଯାଉଛି, ଏପରିକି ଚାକିରି ଆଶାୟୀ ମାନଙ୍କୁ ଉସୁକାଇ ସେମାନଙ୍କ ସହ ଝଗଡା କରିବାକୁ ପ୍ରବତ୍ତାଉ ଥିବାର ମଧ୍ୟ ଚର୍ଚ୍ଚା ହେଉଛି।

ଯେତେ ଦକ୍ଷ ଅଧିକାରୀ, ସଚ୍ଚୋଟ ସଂପାଦକ ଓ ସଭ୍ୟ ହେଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ବିଭିନ୍ନ ଔଷଧ ଚୁଟୁକା ପ୍ରୟୋଗ କରି ବଶୀଭୂତ କରି ଦେଉଥିବା ଚର୍ଚ୍ଚା ହେଉଛି ଏଵଂ ସମ୍ପୃକ୍ତ ନିଜସ୍ଵ ଶୈଳୀରେ କାରବାର ଚଳାଉଥିବା ହେତୁ ଏହି ଚୁଟୁକା ପ୍ରଭାବରେ ହାତୀ ମଧ୍ୟ ମୂଷା ପାଲଟି ଯାଉଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି।