ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରାମଚନ୍ଦ୍ରପୁର ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଲରେ ମୁଗ ବୁଣିବା ପାଇଁ ହଳ କରୁଥିବା ବେଳେ ଜଣେ ଛାତ୍ରଙ୍କର ଗୋଡଟି ଦୁଇ ଖଣ୍ଡ ହୋଇଯାଇଛି।
ସୂଚନା ଅନୁଯାୟୀ, ରାମଚନ୍ଦ୍ର ପୁର ପଂଚାୟତ ପଣସପୁର ଗ୍ରାମର ଶରତ ସାହୁଙ୍କ କଲେଜ୍ ପଢୁଆ ପୁଅ ରାଜା ସାହୁ (୧୮) ବିଲକୁ ମୁଗ ବୁଣିବା ପାଇଁ ଯାଇଥିଲେ। ସେ ଟ୍ରାକ୍ଟରର ରୋଟରରେ ହଳ କରୁଥିବା ବେଳେ ଏକ ବଡ ଅଘଟଣ ଘଟିଯାଇଥିଲା। ହଠାତ ରୋଟର ମେସିନ୍ ଉପରେ ରାଜା ପଡି ଯାଇଥିଲେ। ଫଳରେ ରୋଟର ମେସିନ୍ ରେ ତାଙ୍କର ବାମ ଗୋଡଟି ପଶି ଯାଇଥିଲା। ରାଜା ସାହୁଙ୍କର ଵିତ୍କାର ଶୁଣି ନିକଟରେ ହଳ କରୁଥିବା ଅନ୍ୟ ଚାଷୀମାନେ ଦଉଡି ଆସିଥିଲେ। ବହୁ ଚେଷ୍ଟା କରିବା ପରେ ରୋଟର ମଧ୍ୟରୁ ରାଜା ସାହୁଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ରାଜାଙ୍କ ଗୋଡ ଛିଣ୍ଡି ଯାଇଥିଲା। ପରେ ଛିଣ୍ଡି ଯାଇଥିବା ଗୋଡକୁ ଏକ ବ୍ୟାଗରେ ଭର୍ତ୍ତି କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଗୁରୁତର ରାଜାଙ୍କୁ କଟା ଗୋଡ ସହ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।
ରାଜା ସାହୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେ +୩ ର ୨ୟ ବର୍ଷର ଛାତ୍ର ବୋଲି ଜଣା ପଡିଛି। ସେ ଭୁବନେଶ୍ୱରରେ ପାଠ ପଢୁଥିଲେ। ଗାଁକୁ ଆସିଲେ ସେ ନିଜ ଜମିରେ ଚାଷ କାମକରିବାକୁ ଭଲ ପାଉଥିଲେ। ତେଣୁ ଗୁରୁତର ଛାତ୍ରଙ୍କୁ ସରକାରୀ ସହାୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।