Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଡକ୍ଟର ଫକୀର ମୋହନ ନାହାକଙ୍କ ରଚିତ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ତିନି ଦିନିଆ ନ୍ୟାସନାଲ ମିଡିଆ କନକ୍ଳେଭର ଉଦଘାଟନୀ ସମାରୋହରେ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି।

ପୁସ୍ତକ ଦୁଇଟି ହେଉଛି ହେଲଥ କମ୍ୟୁନିକେସନ ଏବଂ ଗାଁ କଥା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ,ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବି. ପି. ସଞ୍ଜୟ ଏବଂ ନ୍ୟାସନାଲ ମିଡିଆ କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଉଭୟ ପୁସ୍ତକକୁ ଉନ୍ମୋଚନ କରିଛନ୍ତି।

ଇଂରାଜୀ ପୁସ୍ତକ ହେଲଥ କମ୍ୟୁନିକେସନ ସ୍ୱାସ୍ଥ୍ୟ ସଂଚାର ବିଷୟ ଉପରେ ଏକ ନୂଆ ବହି। ସଂପ୍ରତି ରାଜସ୍ଥାନର ମଣିପାଲ ୟୁନିଭରସିଟି ଜୟପୁରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ପ୍ରଫେସର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର କମଲଜିତ୍ କୌର ମିଳିତ ଭାବେ ଏହି ପୁସ୍ତକକୁ ରଚନା କରିଛନ୍ତି। ଏହା ସ୍ୱାସ୍ଥ୍ୟ ସଂଚାର କ୍ଷେତ୍ରରେ କାମ କରୁଥିବା ଛାତ୍ରାଛାତ୍ରୀ, ଗବେଷକ ଏବଂ କର୍ମଚାରୀଙ୍କ ପାଇଁ ଏକ ଉପାଦେୟ ପୁସ୍ତକ।

ସେହିଭଳି ଭାବେ ଗାଁ ସମ୍ପର୍କୀୟ ବିଭିନ୍ନ ଅଙ୍ଗେନିଭା କଥାର ଏକ ସଂକଳନ ହେଉଛି “ଗାଁ କଥା”। ଏହା ଫକୀର ମୋହନ ନାହାକଙ୍କ ଚତୁର୍ଥ ଗଳ୍ପ ସଂକଳନ। ହେଲଥ କମ୍ୟୁନିକେସନ୍ ପୁସ୍ତକକୁ ନୂଆଦିଲ୍ଲୀ ସ୍ଥିତ ଜଗରନଟ୍ ପବ୍ଲେକସନ୍ ପ୍ରକାଶ କରିଥିବା ବେଳେ ଗାଁ କଥା ପୁସ୍ତକଟି ପ୍ରକାଶ କରିଛନ୍ତି ଭୁବନେଶ୍ୱରର ପଶ୍ଚିମା ପବ୍ଲିକେସନ୍।

Categories
ଆଜିର ଖବର ଧର୍ମ

ଶ୍ରୀଜଗନ୍ନାଥ ଏକ ଅନୁଭବ

ଡକ୍ଟର ଫକୀର ମୋହନ ନାହାକ

ନବମ ଭାରତୀୟ ବିଜ୍ଞାନ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ ଦାୟିତ୍ୱ ଥାଏ ଆମରି ଉପରେ। ମୋର କର୍ମସ୍ଥଳୀ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟକୁ ଏହି ଦାୟିତ୍ୱ ଦିଆଯାଇଥିବାରୁ, ଏହାକୁ କିଭଳି ସୁଚାରୁ ରୂପେ ଆୟୋଜନ କରାଯାଇପାରିବ, ତାହା ଥିଲା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। କାର୍ଯ୍ୟକ୍ରମରେ ଦେଶର ସମସ୍ତ ରାଜ୍ୟରୁ ପ୍ରତିନିଧି ଓ ପ୍ରତିଯୋଗୀମାନେ ସାମିଲ ହୋଇଥାନ୍ତି। ଚୂଡ଼ାନ୍ତ ଚୟନକାରୀ ବିଶେଷଜ୍ଞମାନଙ୍କ ସହିତ ମୋତେ ସଂଯୋଗ କରାଯାଇଥିଲା। କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ ମୋତେ ସଅଳ ଘରୁ ବାହାରିବାକୁ ପଡ଼ିଲା।

ଘରୁ ଯାଇ ପ୍ରଥମ ଟ୍ରାଫିକ୍ ଛକ ପାର ହେବା ପାଇଁ ମୁଁ ସବୁଜ ସଂକେତକୁ ଅପେକ୍ଷା କରି ରହିଥାଏ ଏବଂ ନିଜ ସ୍ଥାନରେ ଠିଆ ହୋଇଥାଏ, ଏତିକିବେଳେ ଡାହାଣପଟୁ ଏକ କାର୍ ମୋତେ ଧକ୍କା ଦେଲା ଏବଂ ସେଠାରେ ହିଁ ମୁଁ ପଡ଼ିଯାଇଥିଲି। ତେବେ ସଂପୃକ୍ତ କାରର ଡ୍ରାଇଭର ମୋତେ ଉଠାଇବା ପରିବର୍ତ୍ତେ ନିଜ ରାସ୍ତାରେ ଦ୍ରୁତଗତିରେ ଚାଲିଗଲା। ଏପଟେ ମୋ ବାମ ହାତଟି ଯେ କଚଟି ପାଖରୁ ଭାଙ୍ଗି ଯାଇଥିଲା, ତାହା ମୁଁ ହଠାତ୍ ଅନୁଭବ କରିପାରିଲି ନାହିଁ। ସେପଟେ କାର୍ଯ୍ୟକ୍ରମରେ ଯେଭଳି କୌଣସି ବ୍ୟାଘାତ ନଘଟେ ସେଥିପାଇଁ ମୁଁ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ପହଞ୍ଚି ଯାଇଥିଲି। ଏଣେ ମୋ ହାତର ଯନ୍ତ୍ରଣା ବଢୁଥାଏ।

ଏତିକିବେଳେ ହଠାତ୍ ଭାରତୀୟ ବିଜ୍ଞାନ ପ୍ରସାରର ଅଧ୍ୟକ୍ଷ ପ୍ରଫେସର ନକୁଳ ପରାଶରଙ୍କ ସହ ଆମ୍ନାସାମ୍ନା ହେଲା। ସେ ଥିଲେ ଏହି ଚଳଚ୍ଚିତ୍ର ମହୋତ୍ସବର ଉଦ୍ୟୋକ୍ତା। ପୂର୍ବରୁ ତାଙ୍କ ସହିତ କେବେ ଦେଖା ହୋଇନଥିଲା କି ପରିଚୟ ନଥିଲା। ତେବେ ସେ କଣ ଭାବିଲେ କେଜାଣି, ମୋତେ ଦେଖିବା ପରେ ହଠାତ୍ କହିଲେ ଜୟ ଜଗନ୍ନାଥ। ବାସ୍, ତା ପରେ ମନେ ହେଲା ସତେ ଯେମିତି ଆମେ ପରସ୍ପରକୁ ବର୍ଷ ବର୍ଷ ଧରି ଜାଣିଛୁ। ସେ ମୋତେ କହିଲେ, ଆପଣ ବ୍ୟସ୍ତ ହୁଅନ୍ତୁନି, ଜଗନ୍ନାଥଙ୍କ କୃପାରୁ ସବୁ ଠିକ୍ ହୋଇଯିବ।

ସେଦିନର କାର୍ଯ୍ୟକ୍ରମ ସୁରୁଖୁରୁରେ ସରିଗଲା। ବିଳମ୍ବିତ ରାତିରେ ଘରକୁ ଫେରିଲି। ଘରେ ମୋର ସାଢ଼େ ତିନି ବର୍ଷର ଝିଅ ନ ଶୋଇ ମୋ ଅପେକ୍ଷାରେ ରହିଥିଲା। ଯେତେବେଳେ ଶୁଣିଲା, ମୋର ଦୁର୍ଘଟଣାରେ ହାତଟି ଭାଙ୍ଗିଯାଇଛି, ସେ ମୋ ପାଖକୁ ଦୌଡ଼ି ଆସିଲା।  କହିଲା, ବାବା, ତମ ହାତ ଭଲ ହୋଇଯିବ। ଦଦନାଥ (ଜଗନ୍ନାଥ) ଭଲ କରିଦେବେ। ତା ପରେ ଦେଖିଲା ବେଳକୁ, ସିଏ କୁଆଡ଼େ ଗାଏବ। ମୁଁ ଖୋଜିଲା ବେଳକୁ ମୋ ଝିଅ ଥିଲା ପୂଜା ଘରେ। ସେଇଠିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କରୁଛି। ତା ଦରୋଟି ଓଠରେ ସେ କହୁଛି, ଦଦନାଥ (ଜଗନ୍ନାଥ) ମୋ ବାବାର ହାତ ଭଲ କରିଦିଅ।

ମୁଁ ମୋ ଲୁହକୁ ନିୟନ୍ତ୍ରଣ କରିପାରିଲି ନାହିଁ। ଦୌଡ଼ି ଯାଇ କୋଳେଇ ଧରିଲି ମୋ ଝିଅକୁ। ସେ ମୋ ଆଖିରୁ ଲୁହ ପୋଛିଦେଇ କହୁଥିଲା, ବାବା ଦଦନାଥ (ଜଗନ୍ନାଥ) ଦେଖୁଛନ୍ତି, କାନ୍ଦନି। ହାତରେ ପ୍ଲାଷ୍ଟର ପଡ଼ିଲା। ତିନି ସପ୍ତାହ ପରେ ମୋ ହାତ ବି ଠିକ୍ ହୋଇଗଲା। କିନ୍ତୁ ସେବେଠାରୁ ମୋ ଝିଅ ଭିତରେ ଗୋଟିଏ ବିଶ୍ୱାସ ଆହୁରି ଅଧିକ ଦୃଢ଼ ହୋଇଗଲା ଯେ, ଯଦି କେବେବି ଆମେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାହେଲେ ଜଗନ୍ନାଥ ଅଛନ୍ତି ଆମକୁ ସେହି ବିପତ୍ତିରୁ ଉଦ୍ଧାର କରିବା ପାଇଁ।

କହିବାର କଥା ହେଲା, ଜଗନ୍ନାଥ କେବଳ ଏକ ଶବ୍ଦ, ଏକ ବିଗ୍ରହ, ବା ଏକ ଧର୍ମୀୟ ଧାରଣା ନୁହେଁ। ଜଗନ୍ନାଥ ଏକ ଅନୁଭବ। ସେହି ଅନୁଭବ ହିଁ ତ କହେ, ପ୍ରଭୁ ଭାବକୁ ନିକଟ ଅଭାବକୁ ଦୂର। ଥରେ ମନ ଖୋଲି ନିଜ ମନକୁ ତାଙ୍କ ପାଖରେ ଅଜାଡ଼ି ଦେଇ ଦେଖ, କଣ ପ୍ରତ୍ୟୁତ୍ତର ଦେଉଛନ୍ତି ସେ। ଆମେ ସମୟର ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅଛନ୍ତି ଯେ, ଯେଉଁଠି ଅଧିକାଂଶ ସମୟରେ ଆମେ ସ୍ଥିର କରିପାରୁନାହାନ୍ତି ପ୍ରକୃତ ଠିକ୍ କଣ? ବିଭିନ୍ନ ମାଧ୍ୟମରେ ପ୍ରତିଦିନ ଆମ ସାମ୍ନାକୁ ଆସୁଥିବା ତଥ୍ୟ ଆମକୁ ବିଭ୍ରାନ୍ତ କରେ। ଯାହା ଫଳରେ ଆମେ ଆମ ମୂଳଠୁ ଦୂରେଇ ଯାଉଛୁ।

କିନ୍ତୁ ଏହା ପ୍ରକୃଷ୍ଟ ସମୟ, ଆମ ଭିତରେ ପୁଣି ଥରେ ସେହି ଜଗନ୍ନାଥ ଚେତନା ଏବଂ ଅନୁଭବକୁ ଜାଗ୍ରତ କରିବା। ବିଶେଷକରି ଉତ୍ତର ପିଢ଼ିର ଆମ ଦାୟାଦମାନେ ଯଦି ସେହି ଚେତନାକୁ ମୂଳରୁ ହିଁ ଆପଣେଇ ନପାରିବେ, ତାହେଲେ ହୁଏତ ସେମାନଙ୍କ ଭିତରେ ସେହି ବିଶ୍ୱାସକୁ ଜାଗ୍ରତ କରାଇବା ଆମ ପକ୍ଷେ କଷ୍ଟକର ହୋଇପଡ଼ିବ। ପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଭିତରେ ସେହି ଦିବ୍ୟ ଚେତନାକୁ ଜାଗ୍ରତ କରନ୍ତୁ। ଏତିକି ହିଁ ପ୍ରାର୍ଥନା।

(ଲେଖକ ହେଉଛନ୍ତି ବିଭାଗୀୟ ମୁଖ୍ୟ , ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ , ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Digital Art By – SuryaKanta

Categories
ଧର୍ମ ବିଶେଷ ଖବର

ଉତ୍କଳୀୟ ଭୂଖଣ୍ଡରେ ବସନ୍ତ ପର୍ବ

  

ଡକ୍ଟର ଫକୀର ମୋହନ ନାହାକ

 

ଉତ୍କଳୀୟ ଭୂଖଣ୍ଡରେ ବସନ୍ତର ବିଭା ହିଁ ବିଚିତ୍ର। ଆମ ଜନଜୀବନ ସହିତ ସହସ୍ର ବର୍ଷରୁ ସଂଯୁକ୍ତ ହୋଇ ରହିଛି ଏହି ବସନ୍ତ ଉତ୍ସବ। ଉତ୍କଳର ମଉଡ଼ମଣି ସ୍ୱୟଂ ଶ୍ରୀଜଗନ୍ନାଥ ଖେଳନ୍ତି ହୋଲି। ଦୋଳବେଦୀରେ ଦୋଳଗୋବିନ୍ଦ ରୂପରେ ଦର୍ଶନ ଦେଇ ଦୀନ ଦୁଃଖୀ ଦରିଦ୍ରଙ୍କ ଦୂରକରନ୍ତି ଦୁଃଖ। ସେହି ଦୋଳଗୋବିନ୍ଦଙ୍କ ଦର୍ଶନରେ ଜନ୍ମମୃତ୍ୟୁର ଚିରଘୂର୍ଣ୍ଣାୟମାନ ଚକ୍ରରୁ ମୁକ୍ତିମିଳେ ବୋଲି ଶାସ୍ତ୍ର କହେ।

ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍, ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମଂ ନବିଦ୍ୟତେ ।।    

ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନରୂପୀ ତ୍ରିବିକ୍ରମଙ୍କ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳିଥାଏ । ଏହି ବିଶ୍ୱାସ ଟିକକ ନେଇ କାଳ କାଳରୁ ରାଧାଗୋବିନ୍ଦଙ୍କୁ ନେଇ ଦୋଳବିମାନରେ ନଗର ପରିକ୍ରମା କରାଉଛି ଉତ୍କଳୀୟ ଜୀବନ । ଆଜି ବି ଓଡ଼ିଶାର ପଲ୍ଲୀ ଜୀବନରେ ପ୍ରଚଳିତ ଲୋକଗୀତରେ କୁଆଁରୀ ଓ ଯୁବତୀମାନେ କହନ୍ତି,

ଆଦ୍ୟମାର୍ଗଶିର ଶିଶିର ଶୀତ, ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ ।।

ପୌଷେ ଚନ୍ଦ୍ରାବଳୀ ଜପଇ ବସି, ହସ୍ତେ ବନମାଳା ଗଳେ ତୁଳସୀ ।।

ଆସିବେ ମାଧୋଇ ମାଘରେ ବୋଲି, ସଜାଇଥିଲି ମୁଁ କାନନ ମଲ୍ଲୀ ।।

ଫଗୁଣ ମାସରେ ରାଧାଗୋବିନ୍ଦ, ଫଗୁ ଖେଳନ୍ତି ହୋଇଣ ଆନନ୍ଦ ।।  

ଫାଲଗୁନ ଶୁକ୍ଳ ଦଶମୀ ବା ଫଗୁ ଦଶମୀରୁ ଗାଁ ଗାଁରେ ଆରମ୍ଭ ହୁଏ ଦୋଳଯାତ୍ରା। ଠାକୁର ବିମାନରେ ବସି ନଗର ପରିକ୍ରମା କରିବା ସହ ଦ୍ୱାରେ ଦ୍ୱାରେ ଭୋଗ ଖାଆନ୍ତି। ପୁଣି ଦୋଳପୂର୍ଣ୍ଣିମାରୁ ଚୈତ୍ର କୃଷ୍ଣ ପଞ୍ଚମୀ ଯାଏଁ ଏହି ନୀତି ସମ୍ପନ୍ନ ହୁଏ ଏବଂ ଶେଷରେ ହୁଏ ପଞ୍ଚଦୋଳ।

ସେହିପରି କେତେକ ସ୍ଥାନରେ ଚୈତ୍ର କୃଷ୍ଣ ଦଶମୀ ଯାଏଁ ଦୋଳଯାତ୍ରା ଆୟୋଜନ ହେବାର ପରମ୍ପରା ରହିଛି। ଯାହାକୁ ମିଳିଛି ଦଶଦୋଳର ମାନ୍ୟତା। ଦୋଳ ଉତ୍ସବର ଏକ ବିଚିତ୍ର ପରମ୍ପରା ହେଉଛି ଯେ, ଏଠାରେ ମଣିଷ ଓ ଦେବତା ଏକା ସାଙ୍ଗରେ ରଙ୍ଗ ଅବିର ଖେଳନ୍ତି। ରାଧା-କୃଷ୍ଣଙ୍କ ପରମ ପ୍ରେମରେ ପ୍ରେମମୟ ହୋଇଉଠେ ପରିବେଶ। ସମାଜିକ ଜନଜୀବନରେ ସଦଭାବ, ସହୃଦୟତା, ଆପଣାପଣର ଚରମ ନିଦର୍ଶନ ଦୋଳଉତ୍ସବ।

ଯେତେବେଳେ ମେଳଣ ପଡ଼ିଆରେ ଆଖ ପାଖ ଗାଁର ମନ୍ଦିରରୁ ବାହାରି ରାଧାଗୋବିନ୍ଦ ଦୋଳବିମାନରେ କାନ୍ଧରେ ବୁହାହୋଇ ଗୋଟିଏ ଯାଗାରେ ଏକାଠି ହୁଅନ୍ତି, ସେଇଠି ମିଳେଇ ଯାଏ ସବୁ ମାନ ଅଭିମାନ। ଘଣ୍ଟ, ଘଣ୍ଟା, କାହାଳୀ, ଖୋଳ କରତାଳ ଓ ମୃଦଙ୍ଗର ତାଳରେ ଉଦଣ୍ଡ କୀର୍ତ୍ତନ କରନ୍ତି ସମସ୍ତେ।

ଠାକୁର, ମଣିଷ ଏବଂ ପ୍ରକୃତି ସମସ୍ତେ ଏକାକାର ହୋଇ ଯାଆନ୍ତି ରଙ୍ଗରେ, ଅବିରରେ, ଫଗୁରେ, ଫଗୁଣର ମିଠା ମିଠା ଛୁଆଁରେ ଏବଂ ପ୍ରକୃତିର ପରଶରେ। ଗାଁ ଗାଁ ପାଲଟିଯାଏ ବୃନ୍ଦାବନ। ରାଧାଗୋବିନ୍ଦଙ୍କ ସାଙ୍ଗରେ ଗାଁଲୋକେ ପାଲଟିଯାଆନ୍ତି ଗୋପାଳ ଗୋପାଙ୍ଗନା। ମଧୁ ମଳୟରେ ରାଧାଗୋବିନ୍ଦଙ୍କ ସାନ୍ନିଧ୍ୟର ଏ ମଧୁର ଅନୁଭବ ପିଣ୍ଡିକ ଶ୍ରୀଚନ୍ଦନଙ୍କ ବସନ୍ତରାସରେ ବିସ୍ତରିଯାଏ ବହୁଦିଗ ।

ମଳୟ ଅଚଳ ସମ୍ପ୍ରତି ପ୍ରଚଳ ଦକ୍ଷିଣା ପବନ ବହିଲା । ତରୁ ଲତା ସବୁ ନୂତନ ପଲ୍ଲବ ରସାଳ ମୁକୁଳ ଧଇଲା ।।

ନବ ବସନ୍ତ ସମୟ .. ନବ ବୃନ୍ଦାବନ ରସମୟ ହେ .. ନବ ବସନ୍ତ ସମୟ ।।

ପ୍ରକୃତି ସହିତ ନିବିଡ଼ ଭାବେ ଜଡ଼ିତ ଦୋଳ ଉତ୍ସବରେ ବୃନ୍ଦାବନବିହାରୀ ରାଧାଗୋବିନ୍ଦଙ୍କୁ କଞ୍ଚାଆମ୍ବ, ଗୁଡ଼, ଚଣା, ଅବିର, କ୍ଷୀର ଏବଂ ଅକ୍ଷତକୁ ନୈବେଦ୍ୟ ରୂପରେ ବାଢ଼ିଦେଇ ପୂଜା କରିବା ପରମ୍ପରା ଉତ୍କଳର ।  ମୂଳତଃ ଦୋଳ ଉତ୍ସବ, ବସନ୍ତ ଉତ୍ସବ ବା ରଙ୍ଗ ଉତ୍ସବ ପନ୍ଦର ଦିନ ଧରି ସମସ୍ତଙ୍କୁ ବିମୋହିତ କରି ରଖେ ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Categories
ଧର୍ମ ବିଶେଷ ଖବର

ପ୍ରିୟାର ପ୍ରୀତି ପୀୟୂଷ ପାଇଁ ପୁଲକିତ ପ୍ରାଣ

    

ଡକ୍ଟର ଫକୀର ମୋହନ ନାହାକ

 

ପ୍ରିୟାର ପ୍ରୀତି ପୀୟୂଷ ପାଇଁ ପୁଲକିତ ପ୍ରାଣକୁ, ପ୍ରେମର ପରଶରେ, ପ୍ରଣୟର ପୂଜାରେ ପ୍ରଫୁଲ୍ଲିତ କରିବା ପାଇଁ ପ୍ରକୃତି ପରଷି ଦେଇଛି ଏକ ପ୍ରୀତିମୟ ଉପହାର, ଯାହାର ନାଁ ବସନ୍ତ। ବସନ୍ତ କେବଳ ଏକ ଋତୁ ନୁହେଁ, କି ନୁହେଁ କୌଣସି କାଳଖଣ୍ଡର ଖତିୟାନ । ବସନ୍ତ ଏକ ମଧୁବୋଳା ଅନୁଭବ, ଯେଉଁଠିମିଠା ମିଠା ମଳୟର ମାଦକତାରେ ମାତିଯାଆନ୍ତି ମନ, ମଣିଷ ଆଉ ମାଧବ ।ମଣିଷରୁ ଦେବତା ଯାଏଁ ସମସ୍ତଙ୍କ ପାଇଁ ବସନ୍ତ ଆଣେ ଏକ ଅଭୂତ ଶିହରଣ। କବି ଅନ୍ୟମନସ୍କ ହୁଏ, ସୃଜନର ଅମୃତଧାରା ବହିଯାଏ ଶିଳ୍ପୀ, କଳାକାର, ଚିତ୍ରକରର ସୃଜନୀରେ । ନିଜେ ସମଗ୍ର ସୃଷ୍ଟିର ସ୍ରଷ୍ଟା ସଜେଇ ଦିଅନ୍ତି ନିଜ ସୃଷ୍ଟିକୁ ସଜଫୁଟା ଫୁଲର ତୋରଣରେ, ଆଉ ସମସ୍ତଙ୍କୁ ସମ୍ମୋହିତ କରନ୍ତି ସୁମଧୁର ମଧୁଗନ୍ଧରେ ।

ଶୈଶବର ଶିଶୁଶ୍ରେଣୀରେ ପଢ଼ିଥିବା ମଧୁସୂଦନ ରାଓଙ୍କ ଶିଶୁକବିତାର ଦୁଇ ଧାଡ଼ି – ଫାଲଗୁନ ଚୈତ୍ର ବସନ୍ତରେ .. ମୃଦୁମଳୟ ମନୋହରେ .. .. ଆମ ମନରେ ଆଙ୍କି ଦେଇପାରିଥିଲା ବସନ୍ତର ବିମୋହକ ଚିତ୍ରକୁ । ଠିକ୍ ସେମିତି ଆଦ୍ୟ ଯୌବନରେ ପାଦଥାପିଲା ବେଳକୁ ମହାକବି କାଳିଦାସଙ୍କ ଋତୁସଂହାରରେ ବର୍ଣ୍ଣିତ ବସନ୍ତ ଋତୁର ଚିତ୍ର ସୃଷ୍ଟି କରିଥିଲା ଭିନ୍ନ ଏକ ଛବି ।

ଦ୍ରୁମା ସପୁଷ୍ପାଃ ସଲିଳଂ ସପଦମ୍ , ସ୍ତ୍ରୀୟ ସକାମାଃ ପବନଃ ସୁଗନ୍ଧିଃ

ସୁଖାଃ ପ୍ରଦୋଷାଃ ଦିବସାଶ୍ଚ ରମ୍ୟାଃ, ସର୍ବ ପ୍ରିୟେ ଚାରୁତରଂ ବସନ୍ତେ ।। 

ପୁଷ୍ପମୟ ବୃକ୍ଷରାଜି, ପ୍ରେମମଗ୍ନା ପ୍ରିୟା, ସୁଗନ୍ଧିତ ପବନ, ସୁଖପ୍ରଦ ସନ୍ଧ୍ୟା, ରମଣୀୟ ଦିବସ ଏବଂ ସର୍ବପ୍ରିୟ ପ୍ରକୃତି କେବଳ ବସନ୍ତ ହିଁ ଦେଇପାରେ। ଶସ୍ୟ ଶ୍ୟାମଳା ଧରିତ୍ରୀ ଦେହରେ ସୁନାର ସୋରିଷ, ଅଳସୀର କ୍ଷେତ, ଆମ୍ରବନରେ କୋକିଳର କୂଜନ, ଫୁଲଙ୍କ ପସରାରେ ଭ୍ରମରଙ୍କ ଗୁଞ୍ଜରଣ ଏବଂ ତାହାରି ଉପରେ ସୂର୍ଯ୍ୟଙ୍କ ସୁନେଲି କିରଣ, କାମଦେବଙ୍କଠୁ ବାମଦେବଙ୍କ ଯାଏଁ ସମସ୍ତଙ୍କ ମନରେ ସୃଷ୍ଟିକରେ ଏକ ପ୍ରଲୁବ୍ଧ ଶିହରଣ।  କେବଳ ସେଥିପାଇଁ ତ ବସନ୍ତଙ୍କୁ ମନଭରି ଉପଭୋଗ କରେ ଆକୁମାରୀହିମାଚଳ ଅଖଣ୍ଡ ଭାରତ।  କେଉଁଠି ରଙ୍ଗ ଅବିରର ପର୍ବ ହୋଲି ରୂପରେ ତ ଆଉ କେଉଁଠି ବସନ୍ତରାସ ଭାବେ ଦୋଳଉତ୍ସବ ରୂପରେ। ବସନ୍ତରେ ବିରହ, ବିରହୀ-ବିରହିଣୀଙ୍କୁ ବ୍ୟଥିତ କରେ। ଯେଉଁଥି ପାଇଁ ବସନ୍ତକୁ ବିରହ ନୁହେଁ ବରଂ ମିଳନ ଓ ମେଳଣର ପର୍ବ ଭାବେ ପାଳନ କରାଯାଏ।

ମାଘ ପୂର୍ଣ୍ଣିମା ବା ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମାରେ ଧରାପୃଷ୍ଠରୁ ଶୀତ ଅପସରି ଯାଇଥାଏ ଏବଂ ଗ୍ରୀଷ୍ମଋତୁର ପ୍ରଚଣ୍ଡ ରୌଦ୍ରର ପ୍ରକାଶ ଘଟିନଥାଏ, ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ନାତିଶୀତୋଷ୍ଣ ଅନୁଭବ ଦେଇ ଆତ୍ମପ୍ରକାଶ କରେ ବସନ୍ତ। ବାତାବରଣ ବିଭୋର କରିଦିଏ ସମସ୍ତଙ୍କୁ। ବସନ୍ତ ପ୍ରଭାବିତ କରେ ଜନଜୀବନକୁ, ସୃଜନଶୀଳତାକୁ ଏବଂ ସର୍ବୋପରି ସାମାଜିକ ସଂସ୍କାର ଓ ସଂସ୍କୃତିକୁ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Categories
ଧର୍ମ ବିଶେଷ ଖବର

ଶ୍ରୀଜଗନ୍ନାଥ ଏକ ଅନୁଭବ

   

ଡକ୍ଟର ଫକୀର ମୋହନ ନାହାକ

 

ନବମ ଭାରତୀୟ ବିଜ୍ଞାନ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ ଦାୟିତ୍ୱ ଥାଏ ଆମରି ଉପରେ। ମୋର କର୍ମସ୍ଥଳୀ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟକୁ ଏହି ଦାୟିତ୍ୱ ଦିଆଯାଇଥିବାରୁ, ଏହାକୁ କିଭଳି ସୁଚାରୁ ରୂପେ ଆୟୋଜନ କରାଯାଇପାରିବ, ତାହା ଥିଲା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। କାର୍ଯ୍ୟକ୍ରମରେ ଦେଶର ସମସ୍ତ ରାଜ୍ୟରୁ ପ୍ରତିନିଧି ଓ ପ୍ରତିଯୋଗୀମାନେ ସାମିଲ ହୋଇଥାନ୍ତି। ଚୂଡ଼ାନ୍ତ ଚୟନକାରୀ ବିଶେଷଜ୍ଞମାନଙ୍କ ସହିତ ମୋତେ ସଂଯୋଗ କରାଯାଇଥିଲା। କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ ମୋତେ ସଅଳ ଘରୁ ବାହାରିବାକୁ ପଡ଼ିଲା।

ଘରୁ ଯାଇ ପ୍ରଥମ ଟ୍ରାଫିକ୍ ଛକ ପାର ହେବା ପାଇଁ ମୁଁ ସବୁଜ ସଂକେତକୁ ଅପେକ୍ଷା କରି ରହିଥାଏ ଏବଂ ନିଜ ସ୍ଥାନରେ ଠିଆ ହୋଇଥାଏ, ଏତିକିବେଳେ ଡାହାଣପଟୁ ଏକ କାର୍ ମୋତେ ଧକ୍କା ଦେଲା ଏବଂ ସେଠାରେ ହିଁ ମୁଁ ପଡ଼ିଯାଇଥିଲି। ତେବେ ସଂପୃକ୍ତ କାରର ଡ୍ରାଇଭର ମୋତେ ଉଠାଇବା ପରିବର୍ତ୍ତେ ନିଜ ରାସ୍ତାରେ ଦ୍ରୁତଗତିରେ ଚାଲିଗଲା। ଏପଟେ ମୋ ବାମ ହାତଟି ଯେ କଚଟି ପାଖରୁ ଭାଙ୍ଗି ଯାଇଥିଲା, ତାହା ମୁଁ ହଠାତ୍ ଅନୁଭବ କରିପାରିଲି ନାହିଁ। ସେପଟେ କାର୍ଯ୍ୟକ୍ରମରେ ଯେଭଳି କୌଣସି ବ୍ୟାଘାତ ନଘଟେ ସେଥିପାଇଁ ମୁଁ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ପହଞ୍ଚି ଯାଇଥିଲି। ଏଣେ ମୋ ହାତର ଯନ୍ତ୍ରଣା ବଢୁଥାଏ।

ଏତିକିବେଳେ ହଠାତ୍ ଭାରତୀୟ ବିଜ୍ଞାନ ପ୍ରସାରର ଅଧ୍ୟକ୍ଷ ପ୍ରଫେସର ନକୁଳ ପରାଶରଙ୍କ ସହ ଆମ୍ନାସାମ୍ନା ହେଲା। ସେ ଥିଲେ ଏହି ଚଳଚ୍ଚିତ୍ର ମହୋତ୍ସବର ଉଦ୍ୟୋକ୍ତା। ପୂର୍ବରୁ ତାଙ୍କ ସହିତ କେବେ ଦେଖା ହୋଇନଥିଲା କି ପରିଚୟ ନଥିଲା। ତେବେ ସେ କଣ ଭାବିଲେ କେଜାଣି, ମୋତେ ଦେଖିବା ପରେ ହଠାତ୍ କହିଲେ ଜୟ ଜଗନ୍ନାଥ। ବାସ୍, ତା ପରେ ମନେ ହେଲା ସତେ ଯେମିତି ଆମେ ପରସ୍ପରକୁ ବର୍ଷ ବର୍ଷ ଧରି ଜାଣିଛୁ। ସେ ମୋତେ କହିଲେ, ଆପଣ ବ୍ୟସ୍ତ ହୁଅନ୍ତୁନି, ଜଗନ୍ନାଥଙ୍କ କୃପାରୁ ସବୁ ଠିକ୍ ହୋଇଯିବ।

ସେଦିନର କାର୍ଯ୍ୟକ୍ରମ ସୁରୁଖୁରୁରେ ସରିଗଲା। ବିଳମ୍ବିତ ରାତିରେ ଘରକୁ ଫେରିଲି। ଘରେ ମୋର ସାଢ଼େ ତିନି ବର୍ଷର ଝିଅ ନ ଶୋଇ ମୋ ଅପେକ୍ଷାରେ ରହିଥିଲା। ଯେତେବେଳେ ଶୁଣିଲା, ମୋର ଦୁର୍ଘଟଣାରେ ହାତଟି ଭାଙ୍ଗିଯାଇଛି, ସେ ମୋ ପାଖକୁ ଦୌଡ଼ି ଆସିଲା।  କହିଲା, ବାବା, ତମ ହାତ ଭଲ ହୋଇଯିବ। ଦଦନାଥ (ଜଗନ୍ନାଥ) ଭଲ କରିଦେବେ। ତା ପରେ ଦେଖିଲା ବେଳକୁ, ସିଏ କୁଆଡ଼େ ଗାଏବ। ମୁଁ ଖୋଜିଲା ବେଳକୁ ମୋ ଝିଅ ଥିଲା ପୂଜା ଘରେ। ସେଇଠିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କରୁଛି। ତା ଦରୋଟି ଓଠରେ ସେ କହୁଛି, ଦଦନାଥ (ଜଗନ୍ନାଥ) ମୋ ବାବାର ହାତ ଭଲ କରିଦିଅ।

ମୁଁ ମୋ ଲୁହକୁ ନିୟନ୍ତ୍ରଣ କରିପାରିଲି ନାହିଁ। ଦୌଡ଼ି ଯାଇ କୋଳେଇ ଧରିଲି ମୋ ଝିଅକୁ। ସେ ମୋ ଆଖିରୁ ଲୁହ ପୋଛିଦେଇ କହୁଥିଲା, ବାବା ଦଦନାଥ (ଜଗନ୍ନାଥ) ଦେଖୁଛନ୍ତି, କାନ୍ଦନି। ହାତରେ ପ୍ଲାଷ୍ଟର ପଡ଼ିଲା। ତିନି ସପ୍ତାହ ପରେ ମୋ ହାତ ବି ଠିକ୍ ହୋଇଗଲା। କିନ୍ତୁ ସେବେଠାରୁ ମୋ ଝିଅ ଭିତରେ ଗୋଟିଏ ବିଶ୍ୱାସ ଆହୁରି ଅଧିକ ଦୃଢ଼ ହୋଇଗଲା ଯେ, ଯଦି କେବେବି ଆମେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାହେଲେ ଜଗନ୍ନାଥ ଅଛନ୍ତି ଆମକୁ ସେହି ବିପତ୍ତିରୁ ଉଦ୍ଧାର କରିବା ପାଇଁ।

କହିବାର କଥା ହେଲା, ଜଗନ୍ନାଥ କେବଳ ଏକ ଶବ୍ଦ, ଏକ ବିଗ୍ରହ, ବା ଏକ ଧର୍ମୀୟ ଧାରଣା ନୁହେଁ। ଜଗନ୍ନାଥ ଏକ ଅନୁଭବ। ସେହି ଅନୁଭବ ହିଁ ତ କହେ, ପ୍ରଭୁ ଭାବକୁ ନିକଟ ଅଭାବକୁ ଦୂର। ଥରେ ମନ ଖୋଲି ନିଜ ମନକୁ ତାଙ୍କ ପାଖରେ ଅଜାଡ଼ି ଦେଇ ଦେଖ, କଣ ପ୍ରତ୍ୟୁତ୍ତର ଦେଉଛନ୍ତି ସେ। ଆମେ ସମୟର ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅଛନ୍ତି ଯେ, ଯେଉଁଠି ଅଧିକାଂଶ ସମୟରେ ଆମେ ସ୍ଥିର କରିପାରୁନାହାନ୍ତି ପ୍ରକୃତ ଠିକ୍ କଣ? ବିଭିନ୍ନ ମାଧ୍ୟମରେ ପ୍ରତିଦିନ ଆମ ସାମ୍ନାକୁ ଆସୁଥିବା ତଥ୍ୟ ଆମକୁ ବିଭ୍ରାନ୍ତ କରେ। ଯାହା ଫଳରେ ଆମେ ଆମ ମୂଳଠୁ ଦୂରେଇ ଯାଉଛୁ।

କିନ୍ତୁ ଏହା ପ୍ରକୃଷ୍ଟ ସମୟ, ଆମ ଭିତରେ ପୁଣି ଥରେ ସେହି ଜଗନ୍ନାଥ ଚେତନା ଏବଂ ଅନୁଭବକୁ ଜାଗ୍ରତ କରିବା। ବିଶେଷକରି ଉତ୍ତର ପିଢ଼ିର ଆମ ଦାୟାଦମାନେ ଯଦି ସେହି ଚେତନାକୁ ମୂଳରୁ ହିଁ ଆପଣେଇ ନପାରିବେ, ତାହେଲେ ହୁଏତ ସେମାନଙ୍କ ଭିତରେ ସେହି ବିଶ୍ୱାସକୁ ଜାଗ୍ରତ କରାଇବା ଆମ ପକ୍ଷେ କଷ୍ଟକର ହୋଇପଡ଼ିବ। ପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଭିତରେ ସେହି ଦିବ୍ୟ ଚେତନାକୁ ଜାଗ୍ରତ କରନ୍ତୁ। ଏତିକି ହିଁ ପ୍ରାର୍ଥନା।

( ଲେଖକ ହେଉଛନ୍ତି ବିଭାଗୀୟ ମୁଖ୍ୟ , ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ , ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Digital Art By – SuryaKanta