Categories
ଆଜିର ଖବର ରାଜ୍ୟ ଖବର

ଚୋରା ମାଦକ ଦ୍ରବ୍ୟ ଜବତ ସହ ୩ ଗିରଫ

କୁଜଙ୍ଗ: କୁଜଙ୍ଗ ପୁଲିସ ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ କରି ଛଅ କିଲୋ ଗଞ୍ଜେଇ ଓ ୧୦ ଲିଟରରୁ ଉର୍ଦ୍ଧ ବିଦେଶୀ ମଦ ଯବତ କରିଛି। କୁଜଙ୍ଗ ବଜାର ତାଳଦଣ୍ଡା କେନାଲ ବନ୍ଧରୁ କୁଜଙ୍ଗ ପୁଲିସ ୩କିଗ୍ରାର ବିପୁଳ ଗଞ୍ଜାଇ ଜବତ କରିବା ସହିତ ଜଣେ ବେପାରୀ ପ୍ରଦୀପ ପରିଡା (୪୫)ଙ୍କୁ ଗିରଫ କରିଛି। କୁଜଙ୍ଗ ଅଞ୍ଚଳର ଏହି ବ୍ୟକ୍ତି କନାଲ ପାଶ୍ୱର୍ରେ କାରବାର କରୁଥିବା ବେଳେ ଥାନା ଅଧିକାରୀ କୌଣସି ଉପାୟରୁ ସୂଚନା ପାଇଁ ଏଏସ୍‌ଆଇ ବିଶ୍ୱଜିତ୍ ଗଡନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ଚଢାଉ କରି ୩ କିଗ୍ରା ଗଞ୍ଜାଇ ଜବତ ସ ଅଭିଯୁକ୍ତକୁ ଗିରଫ କରିଥିଲେ।

ଅନୁରୂପ ଭାବେ ପନ୍ଦରନମ୍ବର ବଜାରରେ ଏକ ତେଜରାତି ଦୋକାନରୁ ଏସ୍ ଆଇ ବିବେକାନନଦ ସାହୁ ଚଢାଉ କରି ଅଜୟ ସାହୁ (୫୪)ଙ୍କୁ ଗିରଫ କରିବା ସହ ୩ କିଗ୍ରା ଗଞ୍ଜାଇ ଜବତ କରିଛି। ସେହିପରିଭାବେ ଅନ୍ୟ ଏକ ଘଟଣା କ୍ରମରେ ପଙ୍କପାଳ ଅଞ୍ଚଳରୁ ମନୋଜ ଦାସ ଓରଫ ଲିଟୁ ନାମକ ଏକ ଯୁବକଙ୍କ ନିକଟରୁ ୧୦.୫ ଲିଟର ବିଦେଶୀ ମଦ ଜବତ କରିବା ସହିତ ସମ୍ପୃକ୍ତ ଯୁବକ ଲିଟୁଙ୍କୁ ପୁଲିସ ଥାନାରେ ଅଟକ ରଖିଛି। କୁଜଙ୍ଗ ପୁଲିସ ଏହି ନେଇ ଛାନଭିନ୍ ଚଳାଇଥିବା ବେଳେ କୁଜଙ୍ଗରେ ଚୋରା ମାଦକ ଦ୍ରବ୍ୟ କାରବାର ଓ ଅନ୍ୟାନ ଘଟଣାରେ ବିଭିନ୍ନ ଟ୍ରାକ ରେକଡ ଥିବା ୧୦୪ ଜଣଙ୍କ ନାମର ଏକ ସୂଚୀ ପ୍ରସ୍ତୁତି କରି ତାଙ୍କ ଉପରେ କଡା ନଜର ରଖିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବଡ ଡାକ୍ତରଖାନାର କ୍ଲିନିକାଲ ବ୍ଲକର କାମ

ଭୁବନେଶ୍ବର: କଟକ ଶ୍ରୀରାମଚଂଦ୍ର ମେଡିକାଲ କଲେଜ କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନଙ୍କ ପାଇଁ ଭରସାଯୋଗ୍ୟ ଚିକିତ୍ସା କେନ୍ଦ୍ରର ସୁନାମ ଲାଭ କରିଛି। ତେଣୁ ୭୫ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବିରାଟ ଅନୁଷ୍ଠାନର ରୂପାନ୍ତରଣ ସହିତ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ବିକଶିତ କରିବାର ଆବଶ୍ୟକତା ଅନୁଭୂତ ହୋଇଥିଲା। ୧୭୫ ଏକର ଜମିରେ ୩୫୦୦ କୋଟି ଟଙ୍କାରେ ଏହି ମର୍ଯ୍ୟଦାଜନକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ୫-ଟି ଉପକ୍ରମରେ ରୂପାନ୍ତରଣ କରି ଏମସ ପ୍ଲସ ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି ।

କଟକ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦର୍ଶୀ ଯୋଜନା ବାସ୍ତବରୂପ ନେବାକୁ ଯାଉଛି। ଏହି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ବଡ ଡାକ୍ତରଖାନା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ବାରୋପ କରିଥିଲେ।

ନୂଆକରି ନିର୍ମାଣ ହେଉଥିବା କ୍ଲିନିକାଲ ବ୍ଲକ ୧ ଓ ୪ ର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ତାସହିତ ଅନ୍ୟ ବ୍ଲକ ଗୁଡିକର ନିର୍ମାଣ ଗୁଡିକ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ରୋଗୀଙ୍କ ସଂପର୍କୀୟ ମାନଙ୍କ ରହିବା ନିମନ୍ତେ ଧର୍ମଶାଳା ଓ ବଜେଟ ହୋଟେଲ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ରାଣୀହାଟ ଛକ ନିକଟରେ ବ୍ୟବସାୟିକ କଂପ୍ଲେକ୍ସ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବଡ ଡାକ୍ତରଖାନାର ଅଧ୍ୟାପକ, ଚିକିତ୍ସକ ଓ ଅନ୍ୟ କର୍ମଚାରୀମାନଙ୍କ ରହଣୀ ନିମନ୍ତେ ୧୩ଟି ଆବାସିକ ଗୃହ ନିର୍ମାଣ କରାଯିବ। ବର୍ତ୍ତମାନ ସୁଦ୍ଧା ମାତ୍ର ୫ଟି କାମ ଆରମ୍ଭ ହୋଇଛି। ତେଣୁ ତୁରନ୍ତ ସମସ୍ତ ଆବାସିକ ବ୍ଲକର କାମ ଆରମ୍ଭ କରି ଡିସେମ୍ବର ୨୦୨୩ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଏସସିବି ପବ୍ଲିକ ସ୍କୁଲର କାମ ମଧ୍ୟ ମାର୍ଚ୍ଚ ୨୦୨୩ ସୁଦ୍ଧା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ତାଳଦଣ୍ଡା କେନାଲ ପରିଦର୍ଶନ କରି ଏହାର ରୂପାନ୍ତର କାର୍ଯ୍ୟ ବୁଲି ଦେଇଥିଲେ। ଏହି ତାଳଦଣ୍ଡା କେନାଲ କୂଳରେ ବୁଲା ବିକାଳୀ ମାନେ ଯେଭଳି ନ ବସିବେ, ସେମାନଙ୍କ ପାଇଁ କଟକ ମ୍ୟୁନିସିପାଲଟି କର୍ପୋରେସନ ପକ୍ଷରୁ ଅର୍ବାନ ହାଟ ନିର୍ମାଣ କରାଯାଉଛି। ଏହି କାମ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଭବିଷ୍ୟତର ପାର୍କିଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଫର ଜୋନ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ମାଲପରିବହନ କରୁଥିବା ବଡ ବଡ ଯାନ ଗୁଡିକର ପାର୍କିଂ ପାଇଁ ରେଲୱେ ଠାରୁ ଅଧିକ ଜମି ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଲୋକ ତଥା ବୁଲା ବିକାଳୀ ମାନେ ଯେପରି ତାଳଦଣ୍ଡା କେନାଲରେ ଅଳିଆ ଆବର୍ଜନା ନ ପକାଇବେ, ସେଥିପାଇଁ ସେମାନଙ୍କୁ ସଚେତନ କରିବା ସହିତ କେନାଲ ରାସ୍ତାରେ ଥିବା ସମସ୍ତ ଇଲେକ୍ଟ୍ରି ସବ୍‌ଷ୍ଟେସନ, ପାଣି ପାଇପ ତଥା ନର୍ଦ୍ଦମାଜଳ ପାଇପ ସଂପୂର୍ଣ୍ଣ ଭାବରେ ତୁରନ୍ତ ସ୍ଥାନାନ୍ତକରଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

୩.୫ କିଲୋମିଟର ପରିବ୍ୟାପ୍ତ ତାଳଦଣ୍ଡା କେନାଲ ରାସ୍ତାର ବିକାଶ କାମକୁ ଜାତୀୟ ରାଜପଥ ୧୬ ଅତିକ୍ରମ କରି କଟକ ସହର ଶେଷ ସୀମା ପର୍ଯ୍ୟନ୍ତ ବିକଶିତ କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଥିଲେ। ସେହିପରି ବିଭିନ୍ନ ଜାଗାରେ ଥିବା ସେତୁ ନିକଟସ୍ଥ ସଂଯୋଗକାରୀ ରାସ୍ତା ପ୍ରଶସ୍ତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ରେଲୱେ ଜମି ନିକଟରେ ଥିବା ଜଳାଶୟର ସଂରକ୍ଷଣ ଓ ବିକାଶ ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଏତଦ୍‌ବ୍ୟତୀତ କେନାଲ ରୋଡର ଲ୍ୟାଣ୍ଡସ୍କେପିଂ, ତାର ରକ୍ଷଣାବେକ୍ଷଣ ଓ ପରିଚ୍ଛନ୍ନତା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ପାଣ୍ଡିଆନ ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ ଯେ ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର ଲ୍ୟାଣ୍ଡସ୍କେପିଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୦ ଅକ୍ଟୋବରରେ ଉଦ୍‌ଘାଟିତ କରିଥିଲେ।

ତାଳଦଣ୍ଡା କେନାଲ ଅତୀତରେ ଆମର ଜଳସେଚନ, ଜଳ ପରିବହନ ତଥା ଅର୍ଥନୈତିକ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୧୮୬୨ ଖ୍ରୀଷ୍ଟାଦ୍ଦରେ ଏହା ଇଷ୍ଟ ଇଣ୍ଡିଆ କଂପାନୀ ଦ୍ବାରା ଖନନ ହୋଇଥିଲା।, ତେଣୁ ତାଳଦଣ୍ଡା କେନାଲର ଐତିହାସିକ ଗୁରୁତ୍ବ ସଂପର୍କରେ ଭବିଷ୍ୟତ ପୀଢିକୁ ଅବଗତ କରିବା ପାଇଁ ଏକ ସଂଗ୍ରହାଳୟ ଓ ପ୍ରଦର୍ଶନୀ ସ୍ଥଳ ବିକଶିତ କରିବାପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ତାଳଦଣ୍ଡା କେନାଲର ଇତିହାସ ଓ ବର୍ତ୍ତମାନର ବିକାଶ କାମ ସଂପର୍କିତ ଫଟୋଚିତ୍ର ଏଥିରେ ସ୍ଥାନୀତ ହେବ।

୫-ଟି ସଚିବଙ୍କ ସହିତ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଦାୟିତ୍ବରେ ଥିବା ଶ୍ରୀ ବିଶାଳ ଦେବ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ, କଟକ ଜିଲ୍ଲାପାଳ, ସିଡିଏର ଅଧ୍ୟକ୍ଷ ଏବଂ କଟକ ମ୍ୟୁନିସିପାଲଟି କମିଶନର, ଏସସିବି କଲେଜର ଅଧ୍ୟକ୍ଷ, ଅଧୀକ୍ଷକ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଜଳସେଚନ ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକା, ତିର୍ତ୍ତୋଲ ୧୨ନଂ ଶାଖା କେନାଲ ସଫେଇ ନାଁରେ ହଡ଼ପ ଯୋଜନା

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ନୂଆପଡ଼ା ଠାରେ ତାଳଦଣ୍ଡା କେନାଲରୁ ବାହାରିଥିବା ଶାଖା ୧୨ନଂ କେନାଲ ଭିତର ସଫେଇ ନାଁରେ ଠିକାଦାର ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଏହି କେନାଲ ସଫେଇ କାର୍ଯ୍ୟ ଠିକ୍ ଭାବେ ହେଉନଥିବା ଯୋଗୁଁ କେନାଲରେ ପାଣି ତଳମୁଣ୍ଡକୁ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ ହେଉଛି। ଯାହାଫଳରେ ପାଣି ଅଭାବରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି।

ସୂଚନାନୁଯାୟୀ ମଣିଜଙ୍ଗା ଜଳସେଚନ କାର୍ଯ୍ୟାଳୟ ଅଧିନରେ ଥିବା ଏହି ଶାଖା କେନାଲରେ ପାଣି ଛଡାଯିବା ପୂର୍ବରୁ ପାଣିପଞ୍ଚାୟତ ମାଧ୍ୟମରେ ପ୍ରତିବର୍ଷ କେନାଲ ସଫା କରାଯାଇଥାଏ ବୋଲି ଜଣାପଡିଛି। କିନ୍ତୁ ଚଳିତବର୍ଷ ଏହି କେନାଲ ସଫେଇ କାର୍ଯ୍ୟ ଟେଣ୍ଡର ହୋଇଛି। ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ନେଇଥିବା ଠିକାଦାର କେନାଲ ଭିତର ସଫେଇ କରିବା ପରିବର୍ତ୍ତେ କେନାଲ ଭିତର କେତେକ ସ୍ଥାନରେ ଜେସିବି ମେସିନ୍ ଦ୍ୱାରା ଆମ୍ପୁଡା ଦାଗ ଚିହ୍ନ ଦେଖାଇ ବିଲ୍ କରିବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହେଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଉକ୍ତ କାର୍ଯ୍ୟର ତଦାରଖ କରିବା ତ ଦୂରର କଥା କାମ ହେବାଦିନୁ କାମ ପାଖରେ ତାଙ୍କୁ ଥରେବି ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।

ଆଉ କେଇଟା ଦିନ ଭିତରେ ଉକ୍ତ କେନାଲରେ ପାଣି ଛଡାଯିବ ବୋଲି କୁହାଯାଉଥିବା ବେଳେ କେନାଲରେ ପାଣି ଆସିଯିବା ପରେ ଏହି ନିମ୍ନମାନର ସଫେଇ କାର୍ଯ୍ୟର ପ୍ରମାଣ ଲୁଚିଯିବ ବୋଲି କୁହାଯାଉଛି। ଉକ୍ତ କେନାଲର ସଫେଇ କାର୍ଯ୍ୟ ଠିକାଦାର ମାନଙ୍କ ପାଇଁ ପାଲଟିଛି ଲେଉଟିଆ କିଆରୀ ବୋଲି ଚର୍ଚ୍ଚା ହେଉଛି। ଠିକାଦାରଙ୍କ ଠାରୁ ମୋଟା ଅଙ୍କର ପିସି ନେଇ ବିଭାଗ ଏପରି ନିମ୍ନମାନର କାର୍ଯ୍ୟକୁ ଆଖିବୁଜି ଦେଇଥିବା କୁହାଯାଉଛି। କେନାଲରେ ପାଣି ଆସିବା ପୂର୍ବରୁ ଉକ୍ତ କାର୍ଯ୍ୟକୁ ବିଭାଗୀୟ ଜିଲ୍ଲା ସ୍ତରୀୟ ଉଚ୍ଚପଦସ୍ଥ ଅଫିସରଙ୍କ ଦ୍ୱାରା ତଦନ୍ତ କରାଯିବା ନିମନ୍ତେ ସ୍ଥାନୀୟ ଚାଷୀମାନଙ୍କ ପକ୍ଷରୁ ଦାବୀ ହେଉଛି।