Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୪ ରେ ରିଲାଏନ୍ସ ରିଟେଲ ଖୋଲିଛି ୭୭୯ ନୂଆ ଷ୍ଟୋର

ମୁମ୍ବାଇ: ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (ଆରଆରଭିଏଲ) ୨୦୨୪ ବର୍ଷରେ ମୋଟ ୭୭୯ ଟି ନୂଆ ଷ୍ଟୋର ଖୋଲିଛି। ଏହାର ଅର୍ଥ ହେଉଛି କମ୍ପାନୀ ଗତ ବର୍ଷରେ ପ୍ରତିଦିନ ୨ ରୁ ଅଧିକ ନୂଆ ଷ୍ଟୋର ଖୋଲିଥିଲା, ଯାହା ଏକ ରେକର୍ଡ ଅଟେ। ସାରା ଦେଶରେ ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା ବର୍ତ୍ତମାନ ୧୯,୧୦୨ କୁ ବୃଦ୍ଧି ପାଇଛି। ଯେଉଁଥିରେ ଗତ ବର୍ଷ ୨୯ କୋଟି ୬୦ ଲକ୍ଷ ଗ୍ରାହକ ସପିଂ ପାଇଁ ଆସିଥିଲେ। ଏହି ତଥ୍ୟ ରିଲାଏନ୍ସର ତ୍ରୈମାସିକ ଆର୍ଥିକ ଫଳାଫଳରେ ପ୍ରକାଶ ପାଇଛି।

ଅକ୍ଟୋବର ରୁ ଡିସେମ୍ବର ଯାଏଁ ରହିଥିବା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ ୯୦,୩୩୩ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି। ଏହା ଗତ ବର୍ଷ ସମାନ ସମୟ ତୁଳନାରେ ୮.୮% ଅଧିକ ରହିଛି।

ତୃତୀୟ ତ୍ରୈମାସିକ ଫଳାଫଳ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି, “ଖୁଚୁରା ବିଭାଗର ସମସ୍ତ ଫର୍ମାଟ୍ ମହତ୍ତ୍ୱପୂର୍ଣ୍ଣ ଅବଦାନ ସହିତ ଦୃଢ ପ୍ରଦର୍ଶନ କରିଛି। ରିଲାଏନ୍ସ ରିଟେଲ ଏହାର ବ୍ୟାପକ ସମ୍ପ୍ରସାରଣ ଏବଂ ବିବିଧ ଉତ୍ପାଦ ମାଧ୍ୟମରେ ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ଉନ୍ନତ କରିବାକୁ କ୍ରମାଗତ ଭାବରେ ଚେଷ୍ଟା ଜାରି ରଖିଛି।

ଏହି ପ୍ରଦର୍ଶନରେ ଖୁସି ବ୍ୟକ୍ତ କରି ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକା ଇଶା ଅମ୍ବାନୀ କହିଛନ୍ତି ଯେ ଉତ୍ସବର ସପିଂ ବଳରେ ରିଲାଏନ୍ସ ରିଟେଲ ଏହି ତ୍ରୟମାସରେ ଚମତ୍କାର ପ୍ରଦର୍ଶନ କରିଛି। ସୁଲଭ ମୂଲ୍ୟରେ ବିବିଧ ଏବଂ ଗୁଣାତ୍ମକ ଉତ୍ପାଦ ଉପରେ ଆମର ଧ୍ୟାନ ଗ୍ରାହକଙ୍କୁ ଆମର ଷ୍ଟୋର ଏବଂ ଡିଜିଟାଲ ପ୍ଲାଟଫର୍ମ ପ୍ରତି ଆକର୍ଷିତ କରିଛି।”

କମ୍ପାନୀ ପ୍ରତ୍ୟେକ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ବଜାରରେ ନିଜର ଅଗ୍ରଣୀ ସ୍ଥାନ ବଜାୟ ରଖିଛି ଗ୍ରସେରୀ ଓ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ବାର୍ଷିକ ୩୭% ଅଭିବୃଦ୍ଧି ହୋଇଥିବାବେଳେ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସରେ ବାର୍ଷିକ ୧୨% ଅଭିବୃଦ୍ଧି ହୋଇଛି। ଫ୍ୟାଶନ୍ ଏବଂ ଲାଇଫଷ୍ଟାଇଲ ବର୍ଗରେ ଗ୍ୟାପ ଏବଂ ଆଜିଓ ପରି ବ୍ରାଣ୍ଡ ରେକର୍ଡ ବିକ୍ରି ହାସଲ କରିଛନ୍ତି।

ଅନ୍ୟପକ୍ଷରେ, ଖେଳନା ବ୍ରାଣ୍ଡ ହାମଲେସ ମଧ୍ୟ ଇଟାଲୀରେ ୩ଟି ନୂଆ ଷ୍ଟୋର ଖୋଲିଛି। କ୍ୟାମ୍ପା ଏବଂ ଇଣ୍ଡିପେଣ୍ଡେନ୍ସ ପରି କମ୍ପାନୀର ନିଜସ୍ୱ ବ୍ରାଣ୍ଡର କାରବାର ମଧ୍ୟ ୨୦୨୫ ଆର୍ଥିକ ବର୍ଷରେ ୧୦୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି।