Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

“ପ୍ରେମରେ ଭୋଗ ନୁହେଁ ତ୍ୟାଗ ହେଉଛି ମୁଖ୍ୟ”, ପଢନ୍ତୁ ଜଣେ ରାଜକୁମାରଙ୍କ ଏକ ସୁନ୍ଦର ପ୍ରେମ କାହାଣୀ

ଉପେନ୍ଦ୍ର ବଳିୟାରସିଂହ

ବୃକ୍ଷର ଶାଖାରେ ହସୁଥିବା ସୁନ୍ଦର ପୁଷ୍ପକୁ ଦେଖି ରାଜକୁମାର ଜଣଙ୍କ କହିଲେ, “ତୁମେ ମୋ ନିକଟକୁ ଚାଲି ଆସୁନ?” ପୁଷ୍ପ ଉତ୍ତର ଦେଲା, ”କାହିଁକି?” ରାଜକୁମାର କହିଲେ, “କାରଣ, ମୁଁ ତୁମକୁ ପ୍ରେମ କରେ।” ପୁଷ୍ପ ଉତ୍ତର ଦେଲା, “ପ୍ରେମ କାହାକୁ କୁହନ୍ତି?”

ରାଜକୁମାର ଉତ୍ତର ଦେଲେ, “ଯେଉଁଠାରେ ପ୍ରମାଦ ନଥାଏ।” ପୁଷ୍ପଟି କହିଲା, ”ତୁମେ ସେହି ପକ୍ଷୀମାନଙ୍କ କଳରବ ଶୁଣି ପାରୁଛ?” ରାଜକୁମାର କହିଲେ, “ଅବଶ୍ୟ!” ପୁଷ୍ପ ପଚାରିଲା ସେମାନଙ୍କର ପ୍ରେମ କେମିତି?” ରାଜକୁମାର ଉତ୍ତର ଦେଲେ, “ମୂର୍ଖ ପକ୍ଷୀମାନେ ପ୍ରେମର ମହତ୍ତ୍ଵ କଣ ବୁଝିବେ?” ପୁଷ୍ପଟି ଗର୍ଜ୍ଜନ କରି କହିଲା, “ସେ ଯଦି ପ୍ରେମ ଜାଣିନଥାନ୍ତେ, ତାହେଲେ ଆତ୍ମ ବିଜୟର ଏ ଆନନ୍ଦ କେଉଁଠୁ ଆସନ୍ତା?” ରାଜକୁମାର କହିଲେ, “ସେମାନେ ସେମାନଙ୍କର କଳରବ ଦ୍ଵାରା ଭଗବାନ ଭୁବନ ଭାସ୍କରଙ୍କୁ ସ୍ଵାଗତ କରୁଛନ୍ତି। ପୁଷ୍ପଟି କହିଲା, “ସେ ତାଙ୍କ ଠାରୁ କେତେ ଦୂରରେ ଅଛନ୍ତି?” ରାଜାକୁମାର କହିଲେ ପ୍ରାୟ ୯ କୋଟି ମାଇଲ।”

ପୁଷ୍ପ ପୁଣି ପଚାରିଲା, “ତୁମେ ମୋଠୁ କେତେ ଦୂରରେ ଅଛ?” ରାଜକୁମାର କହିଲେ, “ଏଇ ପନ୍ଦର କୋଡିଏ ହାତ।” ପୁଷ୍ପଟି କହିଲା, “ପକ୍ଷୀମାନେ ଏତେ ଦୂରରେ ଥାଇ ସଚ୍ଚା ଆନନ୍ଦ ଉପଭୋଗ କରୁଛନ୍ତି। ତୁମେ ନିକଟରେ ଥାଇ ଏତେ ବ୍ୟଗ୍ର କାହିଁକି ହେଉଛ?” ରାଜକୁମାର ଲଜ୍ଜିତ ହୋଇ କହିଲେ, “ମୁଁ ତୁମକୁ ହୃଦୟରେ ଲଗାଇବା ପାଇଁ ଚାହେଁ।” ପୁଷ୍ପ କହିଲା, “ପ୍ରକୃତରେ ତୁମେ ମୋତେ ପ୍ରେମ କରୁଛ?” ରାଜକୁମାର କହିଲେ, “ମୁଁ ଆଗରୁ କହିସାରିଛି।” ପୁଷ୍ପଟି କହିଲା, “ପ୍ରେମରେ ବ୍ୟବଧାନ ନଥାଏ।” ରାଜକୁମାର ଅସନ୍ତୋଷ ପ୍ରକାଶ କରି କହିଲେ, “ତୁମର କଳେବର କେବଳ କୋମଳ ଅଟେ, କିନ୍ତୁ ହୃଦୟ ଅତ୍ୟନ୍ତ କଠୋର।”

ପୁଷ୍ପ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ରାଜକୁମାରଙ୍କ ଆଡକୁ ଅନାଇ କହିଲା, “ବହୁତ ଦୂରରେ ଥିବା ମରୀଚିମାଳି ଭୁବନ ଭାସ୍କରଙ୍କୁ ରାତ୍ରୀକାଳୀନ ଦୁଃଖରେ ସଙ୍କୁଚିତ ହୋଇଥିବା କମଳ ଦୁଃଖ ଜଣାଇବାକୁ ତାଙ୍କ ନିକଟକୁ ଯାଏ ନାହିଁ। ବିନା କୁହାରେ କମଳ ବନ୍ଧୁ ଦିବାକର ତା’ ଦୁଃଖ ଦୂର କରି ପ୍ରଭାତରେ ବିକଶିତ କରିଦିଅନ୍ତି।

କୁମୁଦୁନିର ଅବଗୁଣ୍ଠିତ କଳିକାକୁ କଳାନାଥ ଶଶଧର ସ୍ଵୟଂ ପ୍ରସ୍ଫୁଟିତ କରିଦିଅନ୍ତି। ବିନା ଯାଚନାରେ ମେଘ ନିଜର ସଂପୂର୍ଣ୍ଣ ଜଳକୁ ପ୍ରାଣୀମାନଙ୍କର କଲ୍ୟାଣାର୍ଥେ ବର୍ଷା ରୂପରେ ଅଜାଡି ଦିଅନ୍ତି। ଏଥିରେ ଦୂରତା ତ ବାଧା ଦିଏ ନାହିଁ। ତୁମ ଠାରେ ଭୋଗ ଲିପ୍ସା ନିହିତ ଅଛି। ତାହାହିଁ ହେଉଛି, ତୁମ ଅଧଃ ପତନର କାରଣ।”

ରାଜକୁମାର ଶୀତଳ ଶ୍ଵାସ ନେଇ ପ୍ରସ୍ଥାନ କଲେ।

ପ୍ରେମରେ ଭୋଗ ନୁହେଁ ତ୍ୟାଗ ହେଉଛି ମୁଖ୍ୟ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା। 

ଯୋଗାଯୋଗ ସଂଖ୍ୟା- ୯୩୩ ୭୨୫୮ ୩୯୮

Categories
ଆଜିର ଖବର ଜୀବନ ଶୈଳୀ

ମାଟିରୁ ଆକାଶ ଯାଏଁ ପରିବ୍ୟାପ୍ତ ଯାହାର ତ୍ୟାଗ, ସେହି ହିଁ ମା’: ତାହାର ପଣତ ପିଲାର ସବୁଠୁ ସୁରକ୍ଷିତ ଆଶ୍ରୟ

ବିଶ୍ବବିଜୟୀ ଦାଶ

ମା’ ଦୁନିଆର ସବୁଠୁ ମଧୁର ଶବ୍ଦ, ପୁଣି ସବୁଠାରୁ ସୁନ୍ଦର। ସ୍ନେହ, ମମତାରେ ଭରପୂର ମା’ର ପଣତ ପିଲାର ସବୁଠୁ ସୁରକ୍ଷିତ ଆଶ୍ରୟ। ମା’ କୋଳ ଠାରୁ ଆରାମଦାୟକ, ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ। ମାଟିରୁ ଆକାଶ ଯାଏଁ ପରିବ୍ୟାପ୍ତ ଯାହାର ତ୍ୟାଗ, ସହିଷ୍ଣୁତା, ଭଲପାଇବା, ସେହି ହିଁ ମା, ଜନନୀ, ଜନ୍ମଦାତ୍ରୀ।

ମା’ ର କଥା ଅମୃତ,ମା’ ର ରନ୍ଧା ଅମୃତ,ମା’ ର କାମ ଅମୃତ, ମା’ ର ଗୀତ ଅମୃତ। ମା’ ତ ପିଲାଟିର ପ୍ରଥମ ଗୁରୁ, ଅନ୍ତରଙ୍ଗ ବନ୍ଧୁ,ଦାର୍ଶନିକ,ଅଭିଭାବକ। ପିଲା ପାଇଁ ମା’ ହେଉଛି ସର୍ବଶ୍ରେଷ୍ଠ। ମା’ ପିଲାଟିର ପ୍ରାଣ, ଜୀବନ, ନିଃଶ୍ବାସ, ପ୍ରଶ୍ବାସ, ସିଏ ହିଁ ସାକ୍ଷାତ ଈଶ୍ବରୀ।
ମା, ମାଆ, ବୋଉ ବା ଜନନୀ ଜଣେ ସନ୍ତାନକୁ ଜନ୍ମ ଦେଇଥିବା, ଏକ ଶିଶୁକୁ ବଢ଼ାଇକୁଢ଼ାଇ ବଡ଼ କରିଥିବା ଓ ମାଆର ଭୂମିକା ନିଭାଥିବା ନାରୀକୁ କୁହାଯାଇଥାଏ। ମାଆର ଭୂମିକାରେ ଜଟିଳପଣ ଓ ନିଆରାପଣ ସାମାଜିକତା, ଚଳଣିର ପ୍ରଭାବରୁ ଏହି “ମା” ପାଇଁ ସଜ୍ଞା ତିଆରି କରିବା କଷ୍ଟକର। “ମା”ର ପରିପୂରକ ବାପା।ମା’ ଶିଶୁର ପ୍ରଥମ ଗୁରୁ ଓ ଶିକ୍ଷକ।ମା’ ଶିଶୁକୁ ଚରିତ୍ରବାନ ବନାଇଥାଏ।

ମା’ ଶିଶୁକୁ ଶକ୍ତିଶାଳୀ ବନାଇ ଥାଏ। ମା’ ନିଜ ଶିଶୁକୁ ସବୁ ବିପଦ ରୁ ରକ୍ଷା କରିଥାଏ। ଶିଶୁ ପାଇଁ ସେ ମମତା ଓ ପ୍ରେମର ମୂର୍ତ୍ତି ହୁଏ।

ଦୁନିଆରେ ଅନେକ ପ୍ରକାରର ଭଲ ପାଇବା ଅଛି, କିନ୍ତୁ ମା’ ପୁଅ/ଝିଅ ର ଭଲପାଇବା ଅନନ୍ୟ। ସବୁ ଭଲପାଇବା ମଧୁର କିନ୍ତୁ ମା’ ଆଉ ପୁଅ/ଝିଅ ମଧ୍ୟରେ ଥିବା ଭଲପାଇବାକୁ ସଂସାରରେ ସର୍ବଶ୍ରେଷ୍ଠ କୁହାଯାଏ। ମା’ ଆଉ ପୁଅ/ଝିଅ ମଧ୍ୟରେ ଥିବା ଭଲ ପାଇବାରେ ଟିକିଏ ହେଲେ ବି ସ୍ବାର୍ଥ ନଥାଏ। ମା’ ନିଜେ ନଖାଇ ଆମ ପାଇଁ ସାଇତି ରଖିଥାଏ ଖାଇବାକୁ, ମା’ ନିଜେ ଉପାସରେ ଶୋଇପଡ଼େ ହେଲେ କିନ୍ତୁ ତା’ ସନ୍ତାନ କୁ ଉପାସରେ ଶୋଇବାକୁ ଦିଏନି। ମା ନିଜର ଖୁସିକୁ ପଛରେ ପକାଇ ଆମ ଖୁସିରେ ସାଉଁଟିଥାଏ ଅଜସ୍ର ଖୁସି।

ଆମ ଆଖିରେ ଭରିଥାଏ ସେ ସ୍ବପ୍ନ ଓ ମନରେ ବୁଣିଦିଏ ମାନବୀୟ ରଙ୍ଗ।ଆମ ଭିତରେ ଦୁଃଖ ର ସ୍ରୋତ କୁ ଦେଖିପାରୁଥିବା ବ୍ୟକ୍ତିତ୍ବ ଟି ହେଉଛି କେବଳ ମା’। ମା’ ର ମନ ପବିତ୍ର ଗଙ୍ଗା
ମା’ ଏହା ଏଭଳି ଏକ ଶବ୍ଦ ଯାହାର ବିକଳ୍ପ ନାହିଁ। ମା’ର ମମତା ନିକଟରେ ସବୁକିଛି ମୂଲ୍ୟହୀନ ବୋଲି କହିଲେ ଆଦୌ ଭୁଲ ହେବ ନାହିଁ। ଏହି ମହୀୟସୀ ମହିଳା ପିଲାଟିକୁ ଗର୍ଭରେ ଧାରଣ କରେ। ଜନ୍ମ ଦିଏ। ଆଉ ତାହାର ଲଲାନପାଳନ କରେ। ତେଣୁ ତା’ର ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମେ’ ଦ୍ଵିତୀୟ ରବିବାରକୁ ‘ବିଶ୍ଵ ମାତୃ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି।

ଆଧୁନିକ ମାତୃ ଦିବସର ଜନ୍ମଦାତ୍ରୀ ଭାବରେ ଆମେରିକାର ଆନ୍ନା ଜାର୍ଭିସଙ୍କୁ ଗ୍ରହଣ କରାଯାଏ। ଆମେରିକାର ପଶ୍ଚିମ ଭର୍ଜିନିୟାସ୍ଥିତ ସେଣ୍ଟ ଆଣ୍ଟ୍ର୍ୟୁସ ମେଥୋଡିଷ୍ଟ ଚର୍ଚ୍ଚରେ ସେ ୧୯୦୮ରେ ନିଜ ମା’ଙ୍କ ସ୍ମରଣରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ‘ଜଣକ ଜୀବନରେ ମା’ର ଭୂମିକା’ ସମ୍ପର୍କରେ ସ୍ମୃତିଚାରଣ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମଗ୍ର ବିଶ୍ଵରେ ବିସ୍ତାର କରିବା ପାଇଁ ଜାର୍ଭିସଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କରାଯିବ ତାହା ସେତେ କମ୍ ହେବ। ୧୯୦୮ରୁ ପ୍ରତିବର୍ଷ ମେ’ ଦ୍ଵିତୀୟ ରବିବାରକୁ ‘ବିଶ୍ଵ ମାତୃ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି।

ଯିଏ ପର ଆପଣା କେବେ ଜାଣି ନାହିଁ ସେ ହିଁ ଆମ ମାଆ। ସମସ୍ତଙ୍କୁ ଯିଏ ନିଜର ବୋଲି ଭାବେ ସେ ହିଁ ଆମ ମାଆ। ଆଜି ମାତୃ ଦିବସ ଅବସରରେ ସମସ୍ତ ମାତୃଶକ୍ତିକୁ ପ୍ରଣାମ କରୁଛି।

ଲେଖକ- ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ପିନ୍ ନଂ- ୭୫୨୦୩୫
ମୋବାଇଲ୍ ନଂ- ୬୩୭୦୨୦୮୪୨୮