Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୦ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ। ଆଜି କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ହିନ୍ଦୁ ନବ ବର୍ଷର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ସମ୍ମାନର ସହ ବଞ୍ଚିବାକୁ ଆଶା ଓ ଭରସା ଯୋଗାଇଦେବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୨୦୧୮ ମସିହାରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେଇ ଏହି ସମସ୍ୟାର ସମାଧାନ ପାଇଁ ଘୋଷଣା କରିଥିଲେ। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଓ ଗ୍ରାମୀଣ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି। ଏହାକୁ ଆହୁରି ଜୋରଦାର କରାଯାଇ ଓଡିଶାରେ ଆମେ ଆରମ୍ଭ କରିଛୁ ଅନ୍ତ୍ୟୋଦୟ ଗୃହ ଯୋଜନା। ଏହା ଦ୍ୱାରା ସମସ୍ତଙ୍କ ପାଇଁ ଘର ସୁନିଶ୍ଚିତ କରାଯାଇ ପାରିବ।

ଆଜି ପ୍ରଥମ ଦିନରେ  ଅନ୍ତ୍ୟୋଦୟ ଗୃହ ଯୋଜନାରେ ୬୦ ହଜାର ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଆଗାମୀ ୩ ବର୍ଷରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଏହି ଯୋଜନା ପାଇଁ ୨,୬୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ 3 ବର୍ଷରେ ଏଥିପାଇଁ ୭,୫୫୦ କୋଟି ଟଙ୍କା ବିନିଯୋଗ କରାଯିବ। ସୂଚନାଯୋଗ୍ୟ ଯେ, ବିଜୁ ପକ୍କା ଘର  ଯୋଜନାରେ ୧୦ ବର୍ଷରେ ବହୁତ କମ ଘର ନିର୍ମାଣ ହୋଇଛି।

ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବା ସହିତ ଏଥିରେ ଅନ୍ୟାନ୍ୟ ଯୋଜନାର ସମନ୍ୱୟ କରାଯାଇ ବିଭିନ୍ନ ଆବଶ୍ୟକୀୟ ସୁବିଧା ଦିଆଯିବ। ସ୍ୱଚ୍ଛ ଭାରତ ମିଶନରୁ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରୁ ରନ୍ଧନ ଗ୍ୟାସ, ଜଳ ଜୀବନ ମିଶନରୁ ସ୍ୱଚ୍ଛ ପାନୀୟ ଜଳ, ସୌଭାଗ୍ୟ ଯୋଜନାରୁ ବିଦ୍ୟୁତ ସଂଯୋଗ ଆଦି ଯୋଗାଇ ଦିଆଯିବ। ଜୀବନଯାପନ ପାଇଁ ସବୁ ଆବଶ୍ୟକୀୟ ସୁବିଧା ଦିଆଯିବ।

କେବଳ ସେତିକି ନୁହେଁ, ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୯୦ ରୁ ୯୫ ଦିନ ପର୍ଯ୍ୟନ୍ତ ଅଣକୁଶଳୀ ଶ୍ରମିକ ଭାବରେ ପାରିଶ୍ରମିକ ସହ କାମ ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ସମାଜରେ ସବୁଠାରୁ ଅଧିକ ଗରିବ ଓ ଅସହାୟ ଲୋକମାନେ ଉପକୃତ ହେବେ।  ଭିନ୍ନକ୍ଷମ, ବିଧବା, କର୍କଟ ଭଳି ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ପରିବାର, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ ତଥା ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବ। ଏହା ସହିତ କର୍କଟ, କୁଷ୍ଠ, କିଡ଼ନୀ ରୋଗ, ଲିଭର ସିରୋସିସ, ଥାଲାସେମିଆ ଅଥବା HIV ପରି ଦୁରାବ୍ୟାଧିରେ ପୀଡ଼ିତ ପରିବାର ଏବଂ ଅନାଥ, ନିରାଶ୍ରୟଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ତୁରନ୍ତ ଗୃହ ଯୋଗାଇ ଦିଆଯିବା ସହ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ମୁକ୍ତ ଗୋତି ଶ୍ରମିକ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର କ୍ରୀଡାବିତ୍ ମାନେ ମଧ୍ୟ ଏହି ଯୋଜନାରେ ଉପକୃତ ହୋଇପାରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଧିକ ଲୋକଙ୍କୁ ଘର ଦେବା ପାଇଁ ଏହି ଯୋଜନାରେ ‘ପରିବାର’ ଓ ‘ପକ୍କା ଘର’ର ସଂଜ୍ଞାକୁ ମଧ୍ୟ ସରଳ କରାଯାଇଛି। ଆଜବେସଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି। କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆର.ସି.ସି. ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି। ପରିବାରର ସଂଜ୍ଞାକୁ ମଧ୍ୟ ସରଳ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ଵାମୀ, ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି ବୋଲି ସେ କହିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ହୋଇଥିବା ଅଗ୍ରଗତି ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷରୁ ଅଧିକ ଘର ନିର୍ମାଣ ହୋଇସାରିଥିବା ବେଳେ ୪ ଲକ୍ଷ ଘର ନିର୍ମାଣାଧିନ ଅଛି। ଏହା ସହିତ ଜାନୁଆରୀ ୨୪ ତାରିଖରୁ ସର୍ଭେ ଆରମ୍ଭ ହେଇ ଏଥିରେ ଆହୁରି ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ତାଲିକାଭୁକ୍ତ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ ରାଜ୍ୟ ଯୋଜନାରେ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ପି.ଏମ୍. ଜନମନ ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ଯୋଜନାରେ ଯେଉଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇବାର ୪ ମାସ ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରୁଛନ୍ତି ସେମାନଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସରେ ଘର ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଛି।

କଳାହାଣ୍ଡିର ସମୃଦ୍ଧ ଇତିହାସ, ସଂସ୍କୃତି ଓ  ଉନ୍ନତ କୃଷି ପ୍ରଣାଳୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉତ୍କୃଷ୍ଟ କଳା ଓ ସ୍ୱଚ୍ଛ ହୃଦୟର ଅଞ୍ଚଳ ହେଉଛି କଳାହାଣ୍ଡି। କଳାହାଣ୍ଡି ଅଞ୍ଚଳବାସୀଙ୍କ ଦାବୀ ଅନୁଯାୟୀ ଇନ୍ଦ୍ରାବତୀ ବହୁମୁଖୀ ଜଳ ପ୍ରକଳ୍ପର ବାମ ପାର୍ଶ୍ୱ କେନାଲର କଂକ୍ରିଟ୍ ଲାଇନିଂ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ। ଭବିଷ୍ୟତରେ ଆଉ ଯେପରି କେହି ଦାନ ମାଝୀ ପରି ଅବହେଳାର ଶିକାର ନ ହୁଅନ୍ତି, ସେଥିପାଇଁ ଆମ ସରକାର ୧୦୯ ଆମ୍ବୁଲାନ୍ସ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆମ ସରକାର ହେଉଛି ଲୋକଙ୍କ ସରକାର। ଆଗାମୀ ଦିନରେ ସରକାର ଯିବେ ଲୋକଙ୍କ ପାଖକୁ।  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଭବାନୀପାଟଣାରେ ହେବ ଓ ସମ୍ବଲପୁରରେ ମଧ୍ୟ ହେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ୧୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ ୬୧୭.୫୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୨୨୩.୬୬ କୋଟି ଟଙ୍କାର ପ୍ରକଳ୍ପ ଉଦ୍‍ଘାଟିତ ହୋଇଥିବା ବେଳେ ୩୯୩.୮୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି।

ଉଦ୍‍ଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଜୁଲ୍‌କୋ ଇନ୍‍ଷ୍ଟ୍ରିମ ଷ୍ଟୋରେଜ୍‍ ଷ୍ଟ୍ରକ୍ଚର ଅନ୍ତର୍ଭୁକ୍ତ। ଭବାନୀପାଟଣା ନିର୍ବାଚନ ମଣ୍ଡଳୀର କେସିଙ୍ଗା ବ୍ଲକରେ ୬୮ କୋଟି ୩୫ ଲକ୍ଷ ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହାଦ୍ୱାରା କେସିଙ୍ଗା ବ୍ଲକର ପ୍ରାୟ ୯ ହଜାର ଲୋକଙ୍କୁ ପିଇବା ପାଣି ମିଳିବା ସହିତ ରବି ଫସଲ ପାଇଁ ମଧ୍ୟ ଜଳସେଚନରେ ସୁବିଧା ହେବ।
ଏହା ସହିତ ବୃନ୍ଦାବାହାଲ ଠାରେ ୫୨ କୋଟିରୁ ଅଧିକ ଟଙ୍କାରେ ଏକ ଗ୍ରୀଡ୍‍ ସବ୍‍ଷ୍ଟେସନ୍‍ ଓ କେ.ଭି. ଲାଇନର ବିକାଶ କରାଯାଇଛି। ଆହୁରି ମଧ୍ୟ ଅନେକ ପାନୀୟ ଜଳ ପ୍ରକଳ୍ପ, ଶିକ୍ଷା, କଲ୍ୟାଣ ମଣ୍ଡପ, ସ୍ୱାସ୍ଥ୍ୟକେନ୍ଦ୍ର, ରାସ୍ତା ଆଦି ଅନେକ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ଆରମ୍ଭ କରାଯାଇଛି। ଏହିସବୁ ପ୍ରକଳ୍ପ ଗୁଡ଼ିକ ଜିଲ୍ଲାର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ଗାଁରେ ରହୁଥିବା ଲୋକଙ୍କର ଦୀର୍ଘ ଦିନର ସମସ୍ୟା ସବୁ ରହିଥିଲା। ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ସମସ୍ତେ କାର୍ଯ୍ୟରତ ଅଛୁ। ଆମ ସରକାର ହେଉଛି ଲୋକଙ୍କ ସରକାର। ଅନ୍ତ୍ୟୋଦୟ ଗୃହ ଯୋଜନା ହେଉ, କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଆମର କୌଣସି ଥିରେ ପାତର ଅନ୍ତର ରହିବ ନାହିଁ, କିମ୍ବା କୌଣସି ବ୍ୟତିକ୍ରମ ଘଟିବ ନାହିଁ। ଗ୍ରାମାଞ୍ଚଳବାସୀଙ୍କ ଯାହା ବି ମୌଳିକ ଆବଶ୍ୟକତା ରହିଛି, ତାହା ନିଶ୍ଚୟ ପୂରଣ ହେବ। ଗରିବ ଲୋକଙ୍କ ପ୍ରତି ଅବହେଳା କଲେ ସରକାରୀ କର୍ମଚାରୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।

କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଜୋଶୀ ଓ କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।

ଆଭାଷୀ ଜରିଆରେ ସମସ୍ତ ୩୦ ଜିଲ୍ଲାର ସଦର ମହକୁମାରୁ ସାଂସଦ, ମନ୍ତ୍ରୀ, ବିଧାୟକଗଣ, ଏବଂ ସମସ୍ତ ୩୧୪ ବ୍ଲକରୁ ପଞ୍ଚାୟତିରାଜ ସଦସ୍ୟଗଣ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଗିରୀଶ ଏସ୍. ଏନ୍ ସ୍ୱାଗତ ଭାଷଣ ଦେଇଥିଲେ ଓ  କଳାହାଣ୍ଡି ଜିଲ୍ଲାପାଳ ସଚ୍ଚିନ ପାୱାର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରୁ “ଅନ୍ତୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ବିଜେପି ରାଜ୍ୟ ସରକାରଙ୍କ ସାତ ହଜାର ପାଞ୍ଚ ଶହ ପଚାଶ କୋଟି ଟଙ୍କାର ବ୍ୟୟ ଅନୁଦାନରେ ଚଳିତ ବଜେଟରେ ଏକ ନୂଆ ଯୋଜନା “ଅନ୍ତୋଦୟ ଗୃହ ଯୋଜନା”ର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟର ଏହି ବହୁ ପ୍ରତିକ୍ଷୀତ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ କଳାହାଣ୍ଡି ଭଳି ଏକ ଆକାଂକ୍ଷି ଜିଲ୍ଲାରେ ଆସନ୍ତା ୩୦ ମାର୍ଚ୍ଚ ରବିବାର ଦିନ ଭବାନୀପାଟଣା ଠାରେ ଶୁଭାରମ୍ଭ କରିବା ପାଇଁ କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ପାଇଁ ବିଜେପି ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭବାନୀପାଟଣା ସର୍କିଟ ହାଉସ ଠାରେ ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ବିଧାୟକ ସୁଧିର ପଟ୍ଟଯୋଷି, ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି, ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ ଓ ଜିଲ୍ଲା ଭାରତୀୟ ଜନତା ପାର୍ଟି ଆନ୍ତରିକ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

ଜିଲ୍ଲା ସଙ୍ଗଠନର ସମସ୍ତ କର୍ମକର୍ତ୍ତା, ସମସ୍ତ ମୋର୍ଚ୍ଚାର ସଭାପତି ଓ ଛାମୁଆ ସଂଗଠନର କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟ ସଦସ୍ୟା ମାନେ ସଂଘବଦ୍ଧ ଭାବେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ସଫଳ କରିବା ପାଇଁ ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଷି ସମସ୍ତଙ୍କୁ ଅନୁରୋଧ କରିଥିଲେ। ସମସ୍ତ କର୍ମକର୍ତ୍ତା ଓ ତୃଣମୂଳ ସ୍ତର କର୍ମୀ ଏଥିରେ ସକ୍ରିୟ ସହଯୋଗ ପାଇଁ ସହମତି ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା

ଭୁବନେଶ୍ଵର: ୨୦୨୩ ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ତୃଣମୂଳ ସ୍ତରର ଲୋକଙ୍କୁ ଲାଭାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟଗତ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଶକ୍ତିଶାଳୀ ମଞ୍ଚ ରେ ପରିଣତ ହୋଇଛି। ଯାତ୍ରାର ସଚେତନତା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ବାହନ ସେମାନଙ୍କ ନିକଟରେ ବିକାଶମୂଳକ ଯୋଜନାର ବାର୍ତ୍ତା ପହଞ୍ଚାଇବା ସହିତ ଗ୍ରାମ ପଞ୍ଚାୟତରେ ଆୟୋଜିତ ହେଉଥିବା ସ୍ୱାସ୍ଥ୍ୟ ଶିବିରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଲୋକମାନଙ୍କର ଯକ୍ଷ୍ମା, ଉଚ୍ଚ ରକ୍ତଚାପ, ମଧୁମେହ ଇତ୍ୟାଦି ପରୀକ୍ଷା କରାଯାଉଛି।

ବର୍ତ୍ତମାନ ସୁଦ୍ଧା ୬୩ ଲକ୍ଷରୁ ଅଧିକ ଲୋକ ସ୍ୱାସ୍ଥ୍ୟ ଶିବିରର ଲାଭ ନେଇସାରିଲେଣି। ଯାତ୍ରା ସମୟରେ୨୬,୭୫୨ରୁ ଅଧିକ ଗ୍ରାମ ପଞ୍ଚାୟତ ଆୟୁଷ୍ମାନ କାର୍ଡର ଶତ ପ୍ରତିଶତ (ଡିସେମ୍ବର ୧୨, ୨୦୨୩ ସୁଦ୍ଧା) ହାସଲ କରିଛନ୍ତି।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ସୁସ୍ଥ ଭାରତ ଅଭିଯାନର ଏକ ଅଂଶ ଭାବରେ ନିମ୍ନଲିଖିତ କାର୍ଯ୍ୟକଳାପ ହାତକୁ ନିଆଯାଉଛି –

ଆୟୁଷ୍ମାନ ଭାରତପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) କାର୍ଡ ପାଇଁ ପଞ୍ଜୀକରଣ:ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ସେବା ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ ଫିଜିକାଲ କାର୍ଡ ବଣ୍ଟନ କରାଯାଉଛି। ଡିସେମ୍ବର ୧୨, ୨୦୨୩ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ଶିବିରରେ .୬୯ ଲକ୍ଷରୁ ଅଧିକ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି। ଆୟୁଷ୍ମାନ କାର୍ଡ ଶିବିରରେ .୫୩ ଲକ୍ଷରୁ ଅଧିକ ଲୋକ ଏହି ସେବା ପାଇଛନ୍ତି।

ଯକ୍ଷ୍ମା ଯାଞ୍ଚ: ବିକଶିତ ଭାରତ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ଯକ୍ଷ୍ମା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଯକ୍ଷ୍ମା ଲକ୍ଷଣ ଥିବା ଲୋକଙ୍କୁ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି। ବର୍ତ୍ତମାନ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ଶିବିରରେ ୨୬.୪୧ ଲକ୍ଷ ଲୋକଙ୍କୁ ଯକ୍ଷ୍ମା ପରୀକ୍ଷା କରାଯାଇଛି।

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ଯକ୍ଷ୍ମା ରୋଗୀଙ୍କୁ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି ଏବଂ ଯକ୍ଷ୍ମା ରୋଗୀଙ୍କୁ ନିକ୍ଷୟ ମିତ୍ରଙ୍କ ଠାରୁ ସହାୟତା ପାଇବା ପାଇଁ ସହମତି ନିଆଯାଉଛି। ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ନିକ୍ଷୟ ମିତ୍ର ରୂପରେ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ଉପସ୍ଥିତ ଲୋକଙ୍କ ଉତ୍ସାହ ଏକ ଆନନ୍ଦଦାୟକ ଦୃଶ୍ୟ। ସେମାନଙ୍କୁ ଘଟଣାସ୍ଥଳରେ ପଞ୍ଜୀକରଣ କରାଇ ସୁବିଧା ଯୋଗାଇ ଦିଆଯାଉଛି। ଯକ୍ଷ୍ମା ରୋଗୀଙ୍କୁ ସହାୟତା କରିବା ପାଇଁ ଆଉ ଏକ ସରକାରୀ ପଦକ୍ଷେପ ହେଉଛି ନିକ୍ଷୟ ପୋଷଣ ଯୋଜନା (ଏନପିୱାଇ), ଯାହା ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

 ସିକଲ୍ସେଲ୍ରୋଗ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା: ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ୱାସ୍ଥ୍ୟ ଶିବିରରେ ଅଂଶଗ୍ରହଣକାରୀମାନେ ସିକଲ୍ ସେଲ୍ ରୋଗ ପାଇଁ ମଧ୍ୟ ନିଜକୁ ଯାଞ୍ଚ କରାଇ ପାରିବେ। ଏହି ରୋଗ ମୁଖ୍ୟତଃ ଆଦିବାସୀ ଜନସଂଖ୍ୟାକୁ ପ୍ରଭାବିତ କରୁଥିବାରୁ ଅଧିକ ଆଦିବାସୀ ଜନସଂଖ୍ୟା ଥିବା ଅଞ୍ଚଳରେ ସ୍କ୍ରିନିଂ କରାଯାଉଛି। ଯୋଗ୍ୟ ଲୋକମାନେ (ଅର୍ଥାତ୍, ଜନ୍ମରୁ ୪୦ ବର୍ଷ ପର୍ଯ୍ୟନ୍ତ ଲୋକ) ସିକଲ୍‌ ସେଲ୍‌ ରୋଗ ପାଇଁ ପଏଣ୍ଟ ଅଫ୍ କେୟାର (ପିଓସି) ପରୀକ୍ଷା ମାଧ୍ୟମରେ କିମ୍ବା ଦ୍ରବଣୀୟତା ପରୀକ୍ଷା ମାଧ୍ୟମରେ ସ୍ୱାସ୍ଥ୍ୟ ଯାଞ୍ଚ କରାଉଛନ୍ତି। ବର୍ତ୍ତମାନ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ  .୧୨ ଲକ୍ଷ ଅଂଶଗ୍ରହଣକାରୀଙ୍କୁ ଏସସିଡି ପାଇଁ ସ୍କ୍ରିନିଂ କରାଯାଇଛି।

ଅଣସଂକ୍ରାମକ ରୋଗ ପାଇଁ ସ୍କ୍ରିନିଂ: ଲୋକମାନେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ଅନ୍ୟ ନୀରବ ହତ୍ୟାକାରୀମାନଙ୍କ ପାଇଁ ମଧ୍ୟ ଯାଞ୍ଚ କରିପାରିବେ। ୩୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପରୀକ୍ଷା କରୁଛନ୍ତି। ପଜିଟିଭ୍ ଚିହ୍ନଟ ହେଲେ ସେମାନଙ୍କୁ ପ୍ରଭାବଶାଳୀ ଉପଚାର ପାଇଁ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି।