Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଏକ ଛୋଟିଆ ପକ୍ଷୀଟିକୁ ଦେଖି ଯମ ରାଜା କାହାଁକି ନାଲି ଆଖିରେ ଚାହିଁଲେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପୁରାଣ ଗପ: ଥରେ ଇନ୍ଦ୍ର ଦେବ ଏକ ସଭା କରିବା ପାଇଁ ସମସ୍ତ ଦେବତାଙ୍କୁ ନିମନ୍ତ୍ରଣ ପଠାଇଲେ। ସେହି ନମନ୍ତ୍ରଣ ପତ୍ର ପାଇବା ପରେ ନିର୍ଦ୍ଧାରିତ ସମୟରେ ସବୁ ଦେବତାମାନେ ଧିରେ ଧିରେ ଇନ୍ଦ୍ର ସଭାକୁ ଆଗମନ କଲେ।

ଇନ୍ଦ୍ରସଭାକୁ କେଉଁମାନେ ଆସୁଛନ୍ତି ତାହା ଦେଖିବା ପାଇଁ କାହିଁକି କେଜାଣି ଜଟାୟୁ ପକ୍ଷୀଙ୍କର ଇଚ୍ଛା ପ୍ରକଟ ହେଲା। ସେଥିପାଇଁ ସେ ଇନ୍ଦ୍ରସଭାର ଅଳ୍ପ ଦୂରରେ ଥିବା ଏକ ଗଛରେ ବସି ରହିଲେ। ଜଣଙ୍କ ପରେ ଜଣେ ଇନ୍ଦ୍ର ସଭାକୁ ଗମନ କରୁଥାନ୍ତି, ତାହା ସବୁ ନିରୀକ୍ଷଣ କରୁଥିଲେ ଜଟାୟୁ ପକ୍ଷୀ।

ଶେଷରେ ଆସିଲେ ଯମ ରାଜା ବା ଯମ ଦେବ। ସେ ମଧ୍ୟ ସେହି ସଭାକୁ ନିମନ୍ତ୍ରିତ ହୋଇଥାନ୍ତି। ଯମ ଦେବ ତାଙ୍କ ମଇଁଷି ପିଠିରୁ ଓହ୍ଲାଇ ସଭା ଆଡକୁ ଗତି କଲେ। ହେଲ ହଠାତ ସେ ଏକ ଛୋଟିଆ ପକ୍ଷୀକୁ ଦେଖି ଅଟକିଗଲେ। କାହିଁକି ଅଟକିଲେ ବୋଲି ଜଟାୟୁ ଆଶ୍ଚର୍ଯ୍ୟ ହୋଇଗଲେ।

ଜଟାୟୁ ନିରୀକ୍ଷଣ କରି ଦେଖିଲେ ଯେ, ଯମଦେବ ସେହି ପକ୍ଷୀକୁ ଦେଖି ନାଲି ନାଲି ଆଖିରେ ଅନାଇ ରହିଲେ। ଜଟାୟୁ ଏହାକୁ ଦେଖି ଭୟଭୀତ ହୋଇଗଲେ। ପକ୍ଷୀଟି ନିଶ୍ଚିତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହେବେ ବୋଲି ଜଟାୟୁ ଜାଣି ପାରିଲେ। ସେ ସେହିଠାରେ ମରିଯିବ ବୋଲି ଜଟାୟୁ ଅନୁମାନ କଲେ।

ହେଲେ ଜଟାୟୁ ଦେଖିଲେ ଯେ, ଯମଦେବ ଭିତରକୁ ଯିବା ପରେ ମଧ୍ୟ ପକ୍ଷୀଟି ସେମିତି ବୁଲୁଥିଲା। ହେଲେ କଣ ହେଲା କେଜାଣି ଜଟାୟୁ ଜାଣିପାରିଲେ ଯେ ଯମ ଦେବ ସଭାରୁ ଫେରିବା ପରେ ଏହି ପକ୍ଷୀଟିକୁ ନିଶ୍ଚିତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବେ। ସେଥିପାଇଁ ସେ ପକ୍ଷୀଟିର ଜୀବନ ରକ୍ଷା କରିବା ପାଇଁ ତାକୁ ସାତ ଯୋଜନ ଦୂରରେ ଥିବା ଏକ ଗଛ କୋରଡରେ ନେଇ ରଖି ଫେରି ଆସିଲେ।

ସଭା ସରିଲା। ଜଣଙ୍କ ପରେ ଜଣେ ଇନ୍ଦ୍ରଭୁବନରୁ ବିଦାୟ ନେବାକୁ ଲାଗିଲେ। ଜଟାୟୁ ସେହିଠାରେ ବଡ ଉତ୍କଣ୍ଠିତ ଭାବେ ଅନେଇ ରହିଥିଲେ। ଶେଷରେ ଯମ ଦେବ ଆସିଲେ, ବାହାରେ ସେହି ପକ୍ଷୀଟି ଯେଉଁଠି ବୁଲୁଥିଲା ସେହି ସ୍ଥାନକୁ ସେ ଅନାଇଲେ। ହେଲେ ପକ୍ଷୀଟିକୁ ନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପୁଣି ଚାରିଆଡେ ଅନାଇଲେ ହେଲେ କେଉଁଠି ସେ ପକ୍ଷୀକୁ ନ ଦେଖିବାରୁ ସେଠାରେ ସେ ଯିବାକୁ ବାହାରିଲେ।

ଏହି ସମୟରେ ଜଟାୟୁ ପକ୍ଷୀ ଖୁସିରେ ଯମଦେବଙ୍କ ପାଖକୁ ଆସିଲେ। କହିଲେ, ‘ଯମରାଜ କାହାକୁ ଖୋଜୁଛନ୍ତି କି? ଯମଦେବ କହିଲେ ହଁ, ଏହିଠାରେ ଏକ ପକ୍ଷୀ ବୁଲୁଥିଲା, ସେ କୁଆଡେ ଗଲା ବୋଲି ଦେଖୁଥିଲି। ଜଟାୟୁ କହିଲେ, କାହିଁକି ପ୍ରଭୃ।

ତାପରେ ଯମ ଦେବ କହିଲେ ଯେ, ସେ ପକ୍ଷୀଟିର ମୃତ୍ୟୁ ଯୋଗ ରହିଛି। ଏଠାରୁ ପ୍ରାୟ ସାତ ଯୋଜନ ଦୂରରେ ଥିବା ଏକ ଗଛ କୋରଡରେ ତାର ମୃତ୍ୟୁ ହେବା କଥା। ହେଲେ ଏତେ ଛୋଟ ପକ୍ଷୀଟିଏ ଏତେ ଦୂରକୁ ସେ କିପରି ଯିବ ଏବଂ କିପରି ତାହାର ମୃତ୍ୟୁ ହେବ ସେ ନେଇ ମୁଁ ଆଶ୍ଚର୍ଯ୍ୟ ହେଉଛି। ଏହା କହି ଯମଦେବ ଚାଲିଗଲେ।

ଏହା ଶୁଣିବା ପରେ ଜଟାୟୁ ପକ୍ଷୀ ସବୁକିଛି ବୁଝିପାରି ଦୁଇ ଟୋପା ଲୁହ ନିଗାଡି ଦେଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଆଜି ଉଦ୍‌ଘାଟନ କରିଛନ୍ତି। ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀମାନଙ୍କ ବିଚରଣସ୍ଥଳୀ। ଏହି ମହୋତ୍ସବ ପକ୍ଷୀପ୍ରେମୀମାନଙ୍କୁ ଅତି ନିକଟରୁ ଚିଲିକା ଓ ବିଦେଶାଗତ ପକ୍ଷୀମାନଙ୍କୁ ଜାଣିବାର ସୁଯୋଗ ଆଣିଦେବ।

ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିବା ସହ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂଆ ଦିଗନ୍ତ ଆଣିଦେବ ବୋଲି ଉଲ୍ଲେଖ କରିଛନ୍ତି।

ଏହି ଅବସରରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ଏଥିରେ ଫଟୋଗ୍ରାଫର ଶକ୍ତି ନନ୍ଦ, ଉମାକାନ୍ତ ବିଶ୍ୱାଳ, ଧୃତିମାନ୍‌ ମୁଖାର୍ଜୀ ଏବଂ ଅନ୍ୟ ପ୍ରସିଦ୍ଧ ଫଟୋଗ୍ରାଫରଙ୍କ କୃତିକୁ ସ୍ଥାନିତ କରାଯାଇଛି। ଚିଲିକାରେ ନୌବିହାର କରୁଥିବା ବିଦେଶାଗତ ପକ୍ଷୀମାନଙ୍କ ବିଚରଣ ଓ ବିଭିନ୍ନ ସମୟର ମନମୁUକର ଫଟୋଚିତ୍ର ଏଥିରେ ପ୍ରଦର୍ଶିତ ହୋଇଛି।

ଏଥିରେ ଫଟୋଗ୍ରାଫରଙ୍କର କେବଳ କଳାକୃତି ନୁହେଁ ବରଂ ଚିଲିକାର ଜୈବବିବିଧତାକୁ ନିଖୁଣ ଭାବେ ସ୍ଥାନିତ କରାଯାଇଛି। ଏହି ତିନିଦିନିଆ ଉତ୍ସବରେ ଦେଶର ବଛା ବଛା ୫୨ ଜଣ ପକ୍ଷୀପ୍ରେମୀ ଭାଗ ନେଇଥିଲେ। ଏଥି ସହ ବିଭିନ୍ନ କର୍ମଶାଳା ଏବଂ ପକ୍ଷୀ ବିଶେଷଜ୍ଞମାନଙ୍କ ସହ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେ ଯେ ରାଜ୍ୟର ଅର୍ଦ୍ରଭୂମିର ସୁରକ୍ଷା ଓ ପକ୍ଷୀ ସଂରକ୍ଷଣ ଦିଗରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାରୁ ଆଜି ଏହି ଉତ୍ସବ ତା’ର ଏକ ସଫଳତାର ନିଦର୍ଶନ ବହନ କରୁଛି। ଚଳିତ ବର୍ଷ ପକ୍ଷୀ ଗଣନା ଅନୁଯାୟୀ ୧୮୭ ପ୍ରଜାତିର ପ୍ରାୟ ୧୧ ଲକ୍ଷ ୩୭ ହଜାର ପକ୍ଷୀ ଆସିଥିବା ଗଣନା କରାଯାଇଛି। ମଙ୍ଗଳାଯୋଡ଼ି ଓ ନଳବଣକୁ ଏହି ଯାତ୍ରାରେ ସାମିଲ ହୋଇଥିବା ଅଂଶଗ୍ରହଣକାରୀ, ପକ୍ଷୀପ୍ରେମୀ, ଫଟୋଗ୍ରାଫର ଏବଂ ପ୍ରତିନିଧି ମଣ୍ଡଳୀକୁ ସେ ସ୍ୱାଗତ କରୁଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି କହିଲେ ଯେ ଚିଲିକାର ମଙ୍ଗଳାଯୋଡ଼ି ହେଉଛି ଗୋଷ୍ଠୀଭିତ୍ତିକ ଜେବðବିବିଧତାର ସୁରକ୍ଷା ଓ ପକ୍ଷୀମାନଙ୍କୁ ଦେଖିବାର ଏକ ଉତ୍କୃଷ୍ଟ ସ୍ଥାନ। ଚିଲିକାରେ ଥିବା ଅବରୋଧକୁ ହଟାଯାଇ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପକ୍ଷୀ-ପର୍ଯ୍ୟଟନ ନିମନ୍ତେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ଡ. ମହାନ୍ତି ଉଲ୍ଲେଖ କରିଥିଲେ।

ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପରିବେଶ ସଂରକ୍ଷଣ ଓ ପର୍ଯ୍ୟଟନ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ଚିଲିକା ବିହଙ୍ଗ ଉତ୍ସବ ଏକ ଭିନ୍ନ ବାର୍ତ୍ତା ଦେଉଥିବା କହିଥିଲେ । ଚଳିତ ବର୍ଷ ଏହି ଅଭିଯାନରେ ଡଙ୍ଗାଚାଳକମାନଙ୍କୁ ସାମିଲ କରାଯାଇ ଜୈବବିବିଧତାର ସୁରକ୍ଷା କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଯାଇଛି। ଏଥି ସହ ସମାନ୍ତରାଳ ଭାବେ ନନ୍ଦନକାନନ, ଏକାମ୍ର ଆଦି ଅଞ୍ଚଳରେ ବିହଙ୍ଗ ଉତ୍ସବ ମଧ୍ୟ ପାଳନ କରାଯାଉଥିବା ସେ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନନ୍ଦନକାନନ ନିର୍ଦ୍ଦେଶକ ଡ. ମନୋଜ ନାୟାର ଧନ୍ୟବାଦ ଅର୍ପଣ କରିଥିଲେ। ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ବୈଜ୍ଞାନିକ ଡ. ସୁରେଶ କୁମାର, ପ୍ରସିଦ୍ଧ ଲେଖକ ଓ ପକ୍ଷୀପ୍ରେମୀ ପଞ୍ଚମୀ ମନୁ ଉକିଲ୍‌ ପ୍ରମୁଖ ଯୋଗଦେଇ ଚିଲିକାର ଜୈବବିବିଧତା, ବୈଜ୍ଞାନିକ ଗବେଷଣା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପକ୍ଷୀ ପର୍ଯ୍ୟଟନ ଅନୁଭୂତି ନିଆରା ବୋଲି ମତବ୍ୟକ୍ତ କରିଥିଲେ। ଏହି ଉତ୍ସବ ଅବସରେରେ ଆସନ୍ତା ଦୁଇଦିନ ଧରି ଅଂଶଗ୍ରହଣକାରୀ ଓ ପ୍ରତିନିଧି ମଣ୍ଡଳୀ ମଙ୍ଗଳାଯୋଡ଼ି ଓ ନଳବଣରେ ପକ୍ଷୀ-ପର୍ଯ୍ୟଟନରେ ଅଂଶଗ୍ରହଣ କରିବେ।

ଆଜିର ଉଦ୍‌ଘାଟନୀ ଉତ୍ସବରେ ଦ ଷ୍ଟେଟ୍‌ ଅଫ୍‌ ଇଣ୍ଡିଆଜ୍‌ ବାର୍ଡ ପୋଷ୍ଟର ଓ ଭିଡ଼ିଓ ଉନ୍ମୋଚିତ ହୋଇଛି। ଏଥିରେ ଭାରତରେ ଦେଖାଯାଉଥିବା ବିଭିନ୍ନ ପକ୍ଷୀମାନଙ୍କ ସଂପର୍କରେ ଏଥିରେ ଉଲ୍ଲେଖ ରହିଛି। ପ୍ରାୟ ୧୩ ହଜାର ପକ୍ଷୀପ୍ରେମୀ ଏହି ପ୍ରକି୍ରୟାରେ ଅଂଶଗ୍ରହଣ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଭାରତର ପକ୍ଷୀ ଏବଂ ସେମାନଙ୍କ ସଂରକ୍ଷଣ ପ୍ରୟାସ, ଏକ ଡେଣାଯୁକ୍ତ ଐତିହ୍ୟ

ଶ୍ରୀ ବିଭାସ ରଞ୍ଜନ

ପକ୍ଷୀମାନଙ୍କ ଦୃଷ୍ଟିରୁ ଭାରତ ଏକ ଅନନ୍ୟ ବିବିଧତାର ଦେଶ। ଏଠାକାର ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ବହୁରଙ୍ଗୀ ପ୍ରଜାତିର ପକ୍ଷୀ ବସବାସ କରନ୍ତି। ଉତ୍ତରରେ ବରଫାବୃତ୍ତ ହିମାଳୟଠାରୁ ଆରମ୍ଭ କରି ଦକ୍ଷିଣରେ ପଶ୍ଚିମ ଘାଟର ଆକର୍ଷଣୀୟ ଜଙ୍ଗଲ ଏବଂ ପଶ୍ଚିମରେ ରାଜସ୍ଥାନର ଶୁଖିଲା ମରୁଭୂମିଠାରୁ ଆରମ୍ଭ କରି ଉତ୍ତରପୂର୍ବର ସବୁଜ ଆର୍ଦ୍ରଭୂମି ପର୍ଯ୍ୟନ୍ତ ଭାରତର ପକ୍ଷୀ ଜଗତ ଏହାର ଭୂଗୋଳ ଭଳି ବିବିଧ।

ଷ୍ଟେଟ୍ ଅଫ୍ ଇଣ୍ଡିଆଜ୍ ବର୍ଡସ (ଏସ୍ଓଆଇବି୨୦୨୩ ରିପୋର୍ଟରୁ ଜଣାପଡିଛି ଯେ ଦେଶରେ ୧୩୦୦ରୁ ଅଧିକ ପ୍ରଜାତିର ପକ୍ଷୀ ଅଛନ୍ତି ଏବଂ ବିଶ୍ୱର ପ୍ରାୟ ୧୨.୪୦ ପ୍ରତିଶତ ପକ୍ଷୀ ଅଛନ୍ତି। ଏହି ୧୩୫୩ ପ୍ରଜାତିର ପକ୍ଷୀଙ୍କ ମଧ୍ୟରୁ ୭୮ ପ୍ରଜାତିର ( ପ୍ରତିଶତଏହି ଦେଶର ସ୍ଥାନୀୟ ଅଟନ୍ତି। ତେବେ ବାସସ୍ଥଳୀ ନଷ୍ଟ, ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସେମାନଙ୍କ ବଞ୍ଚିବା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହି ଜୀବନ୍ତ ଦଳର ଅସ୍ଥିତ୍ୱ ଦିନକୁ ଦିନ ବିପଦପୂର୍ଣ୍ଣ ହେବାରେ ଲାଗିଛି।

ଏହି ଅଞ୍ଚଳର ପକ୍ଷୀମାନେ ଏବେ ବିଭିନ୍ନ ପ୍ରକାର ବିପଦର ସମ୍ମୁଖୀନ ହେଉଛନ୍ତି। ଏହି ବିପଦ ଗୁଡ଼ିକ ମଧ୍ୟରୁ ସବୁଠାରୁ ଗମ୍ଭୀର ହେଉଛି ବାସସ୍ଥଳୀ ନଷ୍ଟ ଏବଂ ଅବକ୍ଷୟ । ତା’ଛଡ଼ା ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ବଢ଼ି ଚାଲିଛି। ବାସସ୍ଥଳୀ କ୍ଷୟ ଏବଂ ନଷ୍ଟରର ମୂଳ କାରଣ ଗୁଡ଼ିକ ଜଟିଳ ଏବଂ ପରସ୍ପର ସହ ଜଡ଼ିତ। ଏହି କାରଣଗୁଡ଼ିକ ମଧ୍ୟରେ ସହରୀକରଣ, ଭିତ୍ତିଭୂମି ବିକାଶ, ସାମ୍ପ୍ରତିକ କୃଷି ପ୍ରଣାଳୀ, ଅତ୍ୟଧିକ ଶୋଷଣ ଯୋଗୁଁ ପ୍ରାକୃତିକ ଜଙ୍ଗଲ ପ୍ରତି ବିପଦ, ସମ୍ବଳର ଉଚ୍ଚ ବିଦେଶୀ ଚାହିଦା ଏବଂ ସଂରକ୍ଷଣସମର୍ଥକ ନୀତିର ଅପର୍ଯ୍ୟାପ୍ତ ଆଇନଗତ ପ୍ରୟୋଗ ଅନ୍ତର୍ଭୁକ୍ତ।

ଜଳବାୟୁ ପରିବର୍ତ୍ତନ ହେଉଛି ଅନ୍ୟ ଏକ ବିପଦ – ପରିବର୍ତ୍ତିତ ପାଣିପାଗ ଢାଞ୍ଚା, ପରିବର୍ତ୍ତିତ ସ୍ଥାନାନ୍ତର ମାର୍ଗ ଏବଂ ଖାଦ୍ୟ ଉପଲବ୍ଧତାରେ ବାଧା ଆଦି ଅନେକ ପ୍ରଜାତିର ପକ୍ଷୀଙ୍କ ବଞ୍ଚିବା ଉପରେ ପ୍ରଭାବ ପକାଉଛି। ବଢୁଥିବା ତାପମାତ୍ରା ପକ୍ଷୀମାନଙ୍କ ପ୍ରଜନନ ଓ ବାସସ୍ଥଳୀକୁ ପ୍ରଭାବିତ କରୁଛି। ଫଳରେ ଅନେକ ପକ୍ଷୀଙ୍କ ପାଇଁ ଏହାକୁ ଗ୍ରହଣ କରିବା ଆହ୍ୱାନପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଆକ୍ରମଣାତ୍ମକ ପ୍ରଜାତିର ସମାବେଶନ ଏବଂ ବିସ୍ତାର ମଧ୍ୟ ସମ୍ବଳ ପାଇଁ ପ୍ରତିଯୋଗିତା ବୃଦ୍ଧି କରିବା ସହ ପରିବେଶ ବ୍ୟବସ୍ଥାରେ ପରିବର୍ତ୍ତନ କରି ଦେଶୀ ପକ୍ଷୀଙ୍କ ଜନସଂଖ୍ୟା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।

ଏହି ବିପଦର ମୁକାବିଲା ପାଇଁ ଭାରତ ପକ୍ଷୀଙ୍କ ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୧୦ ବର୍ଷିଆ ଯୋଜନା – “ଦେଶରେ ପକ୍ଷୀମାନଙ୍କର ବିବିଧତା, ସେମାନଙ୍କର ଇକୋସିଷ୍ଟମ, ବାସସ୍ଥାନ ଏବଂ ଭୌଗୋଳିକ ପରିଦୃଶ୍ୟ ସଂରକ୍ଷଣ ପାଇଁ ଦୂରଦର୍ଶୀ ପରିପ୍ରେକ୍ଷୀ ଯୋଜନା (୨୦୨୦-୨୦୩୦)” –ର ଉଦ୍ଦେଶ୍ୟ ହେଉଛି ଭାରତରେ ପକ୍ଷୀ ଏବଂ ସେମାନଙ୍କ ବାସସ୍ଥାନ ସଂରକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକୁ ଆଗକୁ ବଢ଼ାଇବା। ଭାରତର ଜାତୀୟ ବନ୍ୟପ୍ରାଣୀ ଆକ୍ସନ ପ୍ଲାନ୍ (୨୦୧୭ରୁ ୨୦୩୧) ବ୍ୟତୀତ ଏହି ପଦକ୍ଷେପ ନିଆଯାଇଛି। ଏହି ଆକ୍ସନ ପ୍ଲାନରେ ପକ୍ଷୀ ଓ ସେମାନଙ୍କ ବାସସ୍ଥଳୀ ସୁରକ୍ଷା ସହ ଜଡିତ ଅନେକ ସଂରକ୍ଷଣ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ।

ଏହି ଯୋଜନାରେ ବିରଳ ଓ ବିପନ୍ନ ପ୍ରଜାତିର ପକ୍ଷୀଙ୍କ ସୁରକ୍ଷା ପାଇଁ ଅନେକ କ୍ଷୁଦ୍ର, ମଧ୍ୟମ ଓ ଦୀର୍ଘମିଆଦୀ ଯୋଜନା, ଗୁରୁତର ବିପନ୍ନ ପ୍ରଜାତିର ପୁନରୁଦ୍ଧାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିବା, ଭୌଗୋଳିକ ପରିବେଶ ସମ୍ବନ୍ଧୀୟ ପଦ୍ଧତି ପ୍ରଣୟନ କରି ସେମାନଙ୍କ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ (ଜିଏଚଜି) ନିର୍ଗମନ ସ୍ତର ବୃଦ୍ଧି କରୁଥିବା ମାନବୀୟ କାର୍ଯ୍ୟକଳାପ ମଧ୍ୟ ବିଶ୍ୱସ୍ତରରେ ପରିବେଶକୁ ପ୍ରଭାବିତ କରୁଛି ବୋଲି ଏହି ଯୋଜନାରେ ଦର୍ଶାଯାଇଛି। ଆଉ ସେଥିପାଇଁ ଏହା ବୈଜ୍ଞାନିକ ଉପାୟ ଅବଲମ୍ବନ କରି ଆଭିଫୋନ (ପକ୍ଷୀଜାତି) ଉପରେ ଏଭଳି ପ୍ରଭାବକୁ ନିୟନ୍ତ୍ରଣ କରିବାକୁ ଆହ୍ୱାନ ଦେଇଛି।

ପକ୍ଷୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଆବାସସ୍ଥଳୀର ସୁରକ୍ଷା ପାଇଁ ପ୍ରୟାସକୁ ଭାରତ ସର୍ବଦା ପ୍ରାଥମିକତା ଦେଇ ଆସିଛି। ଆର୍ଦ୍ରଭୂମିର ପୁନରୁଦ୍ଧାର, ପୁନଃବନୀକରଣ ପଦକ୍ଷେପ ଏବଂ ଜୈବିକ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ଭଳି କିଛି ରଣନୀତି ବ୍ୟବହାର କରାଯାଉଛି। ଏହାବ୍ୟତୀତ ଭାରତରେ ପକ୍ଷୀଙ୍କ ସୁରକ୍ଷା ପାଇଁ ଶିକାର ଓ ବେଆଇନ ବନ୍ୟଜନ୍ତୁ ବେପାର ବିରୋଧରେ କଠୋର ଆଇନର ଆବଶ୍ୟକତା ରହିଛି।

ଭାରତ ୨୦୧୬ରେ ୨୦୧୭-୨୦୩୧ ଅବଧି ପାଇଁ ତୃତୀୟ ଜାତୀୟ ବନ୍ୟପ୍ରାଣୀ ଆକ୍ସନ ପ୍ଲାନ୍ ଉନ୍ମୋଚନ କରିଥିଲା, ଯେଉଁଥିରେ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଏକ ଭବିଷ୍ୟ ଉନ୍ମୁଖୀ ରୋଡମ୍ୟାପ୍ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଥିଲା। ଏହି ଆକ୍ସନ ପ୍ଲାନ ଆଉ ଗୋଟିଏ ଦୃଷ୍ଟିରୁ ଅନନ୍ୟ ଯେ, ପ୍ରଥମ ଥର ପାଇଁ ଭାରତ ବନ୍ୟଜନ୍ତୁଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ବନ୍ଧୀୟ ଚିନ୍ତାକୁ ସ୍ୱୀକାର କରିଛି ଏବଂ ବନ୍ୟପ୍ରାଣୀ ପରିଚାଳନା ଯୋଜନା ପ୍ରକ୍ରିୟାରେ ପ୍ରତିରୋଧ ଏବଂ ଅନୁକୂଳନ ପାଇଁ ଆବଶ୍ୟକ କାର୍ଯ୍ୟଗୁଡ଼ିକୁ ସମନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛି। ପରିବେଶ ଦୃଷ୍ଟିରୁ ମୂଲ୍ୟବାନ ବନ୍ୟଜନ୍ତୁଙ୍କ ସଂରକ୍ଷଣ ପାଇଁ ଆକ୍ସନ ପ୍ଲାନ “ଭୌଗୋଳିକ ପରିଦୃଶ୍ୟ ସମ୍ବନ୍ଧୀୟ ଆଭିମୁଖ୍ୟ” ଗ୍ରହଣ କରିଥାଏ।

ଭାରତର ବିବିଧ ପକ୍ଷୀ ସଂଖ୍ୟା ଏହି ଦେଶର ପ୍ରାକୃତିକ ସମୃଦ୍ଧିର ପ୍ରମାଣ। ତେବେଏହି ସୁନ୍ଦର ପକ୍ଷୀମାନେ ବାସସ୍ଥାନ ନଷ୍ଟ ଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ପର୍ଯ୍ୟନ୍ତ ଅନେକ ବିପଦର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସଂରକ୍ଷଣ ପ୍ରୟାସ ଜରୁରୀ। ସଂରକ୍ଷିତ ଅଞ୍ଚଳ, ଆଇନଗତ ପଦକ୍ଷେପ, ବାସସ୍ଥାନ ପୁନରୁଦ୍ଧାର ଏବଂ ଜନସଚେତନତାମାଧ୍ୟମରେ ଭାରତ ତା’ର ଐତିହ୍ୟର ସୁରକ୍ଷା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛି। ମୂଲ୍ୟବାନ ରଙ୍ଗୀନ ପକ୍ଷୀ ଏବଂ ସେମାନଙ୍କର କଳରବ ଯେପରି ଆଗାମୀ ପିଢ଼ି ପାଇଁ ଭାରତର ଆକାଶରେ ରହିବ ସେଥିପାଇଁ ସମସ୍ତେ ଏହି ପ୍ରୟାସକୁ ସମର୍ଥନ କରିବା ଏବଂ ଏଥିରେ ସାମିଲ ହୋଇ ଯୋଗଦାନ କରିବା ଉଚିତ୍‌।

( ଲେଖକ ହେଉଛନ୍ତି ଜଙ୍ଗଲ (ବନ୍ୟପ୍ରାଣୀ) ଅତିରିକ୍ତ ବନ ମହାନିର୍ଦ୍ଦେଶକ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ନୂଆଦିଲ୍ଲୀ)