କୋଲକାତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଂଗ ଗସ୍ତ କରି ୪ ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେଗୁଡିକ ମଧ୍ୟରେ ୩ଟି ପ୍ରକଳ୍ପ ୨୪୩୩ କୋଟି ବ୍ୟୟରେ ନିର୍ମିତ ୩୪୭ କିଲୋମିଟର ଲମ୍ବ ଢୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପ ଲାଇନ,୧୦୦୦ କୋଟିର ଭାରତ ପେଟ୍ରୋଲିୟମ କର୍ପୋରେସନ(ବିପିସିଏଲ)ଦ୍ୱାରା ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ ରହିଛି।
ସେହିପରି ୧୯୦ କୋଟିର ଜାତୀୟ ରାଜପଥ-୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍-ଫ୍ଲାଏଓଭରର ଲୋକାର୍ପଣ କରିବା ସହ ୧୦୨୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଭାରତୀୟ ତୈଳ ନିଗମର(ଆଇଓସିଏଲ) ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଢୋବି-ଦୁର୍ଗାପୁର ଗ୍ୟାସ୍ ପାଇପ ଲାଇନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ପାଇପ ଲାଇନ ୨୪୩୩ କୋଟି ବ୍ୟୟରେ ଗେଲ୍ ଦ୍ୱାରା ନିର୍ମାଣ କରାଯାଇଛି। ଏହି ପାଇପ ଲାଇନ ଝାଡ଼ଖଣ୍ଡର ହର୍ଲ ସିନ୍ଦରି ସାର କାରଖାନାର ପନଃଉଦ୍ଧାର କରିବା ସହ ଏହି ପ୍ଲାଣ୍ଟ ସମେତ ଶିଳ୍ପ, ବାଣିଜ୍ୟିକ ଏବଂ ଅଟୋମୋବାଇଲ କ୍ଷେତ୍ର ତଥା ଆଖପାଖର ପ୍ରମୁଖ ସହରକୁ ଗ୍ୟାସ ଯୋଗାଇବ ।
ପଶ୍ଚିମବଙ୍ଗ ଏବଂ ପୂର୍ବ ଭାରତର ଏଲପିଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ପଶ୍ଚିମବଙ୍ଗରୁ ବିପିସିଏଲ ଦ୍ୱାରା ହଳଦିଆ ଠାରେ ୧୦୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲପିଜିଇମ୍ପୋର୍ଟ ଟର୍ମିନାଲର ପୂର୍ବାଂଚଳରେ ଏଲପିଜିର ବଢ଼ୁଥିବା ଚାହିଦାକୁ ପୂରଣ କରିବ ଏବଂ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ରନ୍ଧନ ଏଲପିଜି ଯୋଗାଇବା ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବ ।
ଏହାବ୍ୟତିତ ଜାତୀୟ ରାଜପଥ-୪୧ର ହଳଦିଆସ୍ଥିତ ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍-ଫ୍ଲାଏଓଭରପାଇଁ ୧୯୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଫ୍ଲାଏ ଓଭରର କାର୍ଯ୍ୟକ୍ଷମ ହେବା ଦ୍ୱାରା କୋଲାଘାଟରୁ ହଳଦିଆ ଡକ୍ କମ୍ପେ୍ଲକ୍ସ ଏବଂ ଅନ୍ୟାନ୍ୟ ଆଖପାଖ ଅଂଚଳରେ ଟ୍ରାଫିକ୍ ଭିଡ ନିୟନ୍ତ୍ରଣ ସହ ଯାତାୟାତ ସହଜ ହେବ ।
ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।ଏହା ଦ୍ୱାରା ଏହି ରିଫାଇନାରୀରେ ୧ହଜାର ୨୦ଲକ୍ଷ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୨୭୦ମିଲିୟନ ମେଟ୍ରିକ୍ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଗ୍ରୁପ ୩ ଲ୍ୟୁବ୍ ଅଏଲ୍ ବେସ୍ ଷ୍ଟକ୍ (ଏଲଓବିଏସ) ଉତ୍ପାଦନ କରାଯିବ । ଭାରତରେ ଏଭଳି ତୈଳ ଉତ୍ପାଦନ କରାଯିବାର ପ୍ରଥମ ହେବ।