Categories
ଆଜିର ଖବର ଜାତୀୟ ଖବର

ଅପରେସନ ସିନ୍ଦୁର ଉପରେ ହୋଇ ନ ପାରେ କୌଣସି ସ୍ବତନ୍ତ୍ର ଅଧିବେସନ

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ଉପରେ ଏକ ସ୍ବତନ୍ତ୍ର ଅଧିବେସନ କରିବା ପାଇଁ ବିରୋଧୀ କଂଗ୍ରେସ ଯେଉଁ ଦାବି କରିଥିଲା ତାହା ପ୍ରତ୍ୟାଖାନ ହୋଇଛି। ଏହି ଅପରେସନ ସିନ୍ଦୁର ଉପରେ କୌଣସି ସ୍ବତନ୍ତ୍ର ଅଧିବେସନ କରାଯିବ ନାହିଁ ବୋଲି ସରକାରୀ ସୁତ୍ରରୁ ଜଣାପଡିଛି। ଏ ନେଇ ଜାତୀୟ ଗଣମାଧ୍ୟମ ଏନଡିଟିଭି ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଜୁଲାଇରେ ମୌସୁମୀ ଅଧିବେସ ଥିବାରୁ ସେଥିପାଇଁ ସରକାର ଏବେ ସ୍ବତନ୍ତ୍ର ଅଧିବେସନ ଡାକିବାର କୌଣସି ଆବଶ୍ୟକ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଏପରିକି ମୌସୁମୀ ଅଧିବେସନରେ ମଧ୍ୟ ଅପରେସନ ସିନ୍ଦୁର ଉପରେ ଆଲୋଚନା କରିବାର ସମ୍ଭାବନା ମଧ୍ୟ କମ ଅଛି। କାରଣ ସରକାର ସର୍ବଦଳୀୟ ବୈଠକ କରି ଏ ଘଟଣା ସଂପର୍କରେ ଅବଗତ କରାଇଥିବାରୁ ସେ ନେଇ ଅଧିକ ଆଲୋଚନା ସରକାର ନ କରିବା ପାଇଁ ମଧ୍ୟ ଚିନ୍ତା କରିଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଶାନ୍ତଙ୍କ ଶେଷକୃତ୍ୟ ସଂପର୍ଣ୍ଣ, ୨୦ ଲକ୍ଷ ଟଙ୍କା ସହାୟତା, ପତ୍ନୀଙ୍କୁ ନିଯୁକ୍ତି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ବାଲେଶ୍ୱର ଜିଲ୍ଲାର ଇସାଣି ଗାଁରେ ପହଞ୍ଚି ସ୍ୱର୍ଗତ ପ୍ରଶାନ୍ତ ଶତପଥିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କାଶ୍ମୀରର ପେହଲଗାମ ଠାରେ ଉଗ୍ରପନ୍ଥୀଙ୍କ ଗୁଳିର ଶିକାର ହୋଇ ମୃତ୍ୟୁବରଣ କରିଥିବା ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥିଙ୍କ ମରଶରୀର ତାଙ୍କ ଗାଁ ମାଟି ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ଇସାଣି ଗାଁରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ତାଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କ ସହିତ ୨୦ ମିନିଟ୍ ସମୟ ଅତିବାହିତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହାପରେ ସ୍ୱର୍ଗତ ପ୍ରଶାନ୍ତଙ୍କ ଶବାଧାର ସହ ଶ୍ମଶାନକୁ ମଧ୍ୟଯାଇ ଶେଷ ଦର୍ଶନ କରିଥିଲେ।

ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ପରିବାରର ଦୁଃଖ ଦେଖି ‘ମୁଁ ଗଭୀର ମର୍ମାହତ’। ପ୍ରଶାନ୍ତଙ୍କ ପରିବାର ପାଇଁ ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱର୍ଗତ ପ୍ରଶାନ୍ତଙ୍କ ନିକଟତମ ଆତ୍ମୀୟଙ୍କୁ ୨୦ ଲକ୍ଷ ଟଙ୍କା ସହାୟତା, ପତ୍ନୀଙ୍କ ପାଇଁ ନିଯୁକ୍ତି ଦିଆଯିବା ସହିତ ତାଙ୍କ ପୁଅର ପାଠପଢା ପାଇଁ ଆବଶ୍ୟକ ବ୍ୟବସ୍ଥା ରାଜ୍ୟ ସରକାର କରିବେ ।

ଏହି ଆତଙ୍କବାଦୀ ଘଟଣାର ତୀବ୍ରନିନ୍ଦା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଗ୍ରପନ୍ଥୀ ମାନଙ୍କ କାର୍ଯ୍ୟ ଅତ୍ୟନ୍ତ ଅମାନବୀୟ ଓ କାପୁରୁଷୋଚିତ। ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆତଙ୍କବାଦୀ ଆକ୍ରମଣରେ ମୃତ ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ଜାମ୍ମୁରେ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ

ନୂଆଦିଲ୍ଲୀ: ଆଜି ଜାମ୍ମୁରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେ ଜମ୍ମୁ ଗସ୍ତ କରି ପୋଲିସ କଣ୍ଟ୍ରୋଲ ରୁମରେ ଥିବା ଶବଧାରରେ ସେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏହି ସମୟରେ ସେଠାରେ ଥିବା ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ ସାଂସଦ ଅପରାଜିତା। ପ୍ରଶାନ୍ତ ନିଜ ପରିବାର ସହିତ ଜମ୍ମୁ କାଶ୍ମୀରର ପହଲଗାମ ବୁଲିବାକୁ ଯାଇଥିଲେ। ସେଠାରେ ଆତଙ୍କବାଦୀମାନେ ପ୍ରଶାନ୍ତଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଅଳ୍ପକେ ତାଙ୍କର ପତ୍ନୀ ଏବଂ ପୁଅ ରକ୍ଷା ପାଇଯାଇଛନ୍ତି।

ପୋଲିସ କଣ୍ଟ୍ରୋଲ ରୁମରେ ଥିବା ଶବ ଧାରରେ ପୁଷ୍ପମାଲ୍ୟ ଦେବା ପରେ ସେ ପ୍ରଶାନ୍ତଙ୍କ ପତ୍ନୀ ଏବଂ ପୁଅକୁ କୁଣ୍ଢାଇ ସାନ୍ତନ୍ବା ଦେଇଛନ୍ତି। ପ୍ରଶାନ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ରେମୁଣା ଇଶାନୀ ଗାଁର। ଆଜି ତାଙ୍କର ଶବ ପହଞ୍ଚିବା ବୋଲି ଜଣାପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀନଗରର ପୋଲିସ ନିୟନ୍ତ୍ରଣ କକ୍ଷକୁ ଯାଇ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି।

ଆଜି ସକାଳେ ପର୍ଯ୍ୟଟକଙ୍କ ମରଶରୀରକୁ ଶ୍ରୀନଗରକୁ ବିମାନ ମାଧ୍ୟମରେ ପଠାଯାଇଥିଲା। ପୋଲିସ ନିୟନ୍ତ୍ରଣ କକ୍ଷରେ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୃତଦେହଗୁଡ଼ିକୁ ସେମାନଙ୍କ ନିଜ ନିଜ ଜନ୍ମସ୍ଥାନକୁ ପଠାଇବା ପାଇଁ ବ୍ୟବସ୍ଥା ଚାଲିଛି। ଜମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୀଡିତଙ୍କ ଶୋକସନ୍ତପ୍ତ ପରିବାରକୁ ମଧ୍ୟ ଭେଟିଛନ୍ତି।

ସେମାନେ ସମସ୍ତ ଆବଶ୍ୟକୀୟ ସହାୟତାର ପ୍ରତିଶ୍ରୁତି ଦେଇଥିଲେ ଏବଂ ପ୍ରଭାବିତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ସଂକଳ୍ପକୁ ପୁନର୍ବାର ଦୋହରାଇଥିଲେ। ମୃତକ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନିଜ ଗନ୍ତବ୍ୟ ସ୍ଥାନକୁ ପଠାଇବା ପାଇଁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶ୍ରୀନଗରରୁ ଅତିରିକ୍ତ ଚାରୋଟି ବିମାନ ମୁତୟନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ରାତିରେ ଭାରତ ଫେରିବେ ପ୍ରଧାନମନ୍ତ୍ରୀ ମୋଦୀ: ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲା ବିଶ୍ଵ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ହେତୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାତିରେ ସାଉଦି ଆରବର ଜେଦ୍ଦାରୁ ଭାରତ ଫେରିବେ। ଏହି ଆକ୍ରମଣ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଗସ୍ତକୁ ଛୋଟ କରିଛନ୍ତି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମଧ୍ୟ ରାତ୍ରୀ ଭୋଜନରେ ଯୋଗ ଦେଇନଥିଲେ।

ପହଲଗାମ ଆକ୍ରମଣକୁ ନିନ୍ଦା କଲା ୟୁଏଇ:

ପାହଲଗାମ, ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣକୁ ୟୁଏଇ ତୀବ୍ର ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହା କହିଛି ଯେ, ୟୁଏଇ ଏହି ଅପରାଧିକ କାର୍ଯ୍ୟକୁ ଦୃଢ ନିନ୍ଦା କରୁଛି ଏବଂ ଆନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରି ସୁରକ୍ଷା ଏବଂ ସ୍ଥିରତାକୁ କ୍ଷୁର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଥିବା ସମସ୍ତ ପ୍ରକାର ହିଂସା ତଥା ଆତଙ୍କବାଦକୁ ସବୁଦିନ ପାଇଁ ପ୍ରତ୍ୟାଖ୍ୟାନ କରିଛି।

ଆତଙ୍କବାଦୀ ଆକ୍ରମଣକୁ ଇଟଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିନ୍ଦା:

ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଯେ, “ଆଜି ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଗଭୀର ଦୁଃଖ ପ୍ରକାଶ ପାଇଛି। ପ୍ରଭାବିତ ପରିବାର, ଆହତ, ସରକାର ଏବଂ ସମସ୍ତ ଭାରତୀୟ ଲୋକଙ୍କୁ ଇଟାଲୀ ସମବେଦନା ଜଣାଇଛନ୍ତି।”

ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହିତ ମଜବୁତ ଭାବେ ଠିଆ ହୋଇଛି- ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, “କାଶ୍ମୀରରୁ ବହୁତ ବିଚଳିତ ଖବର ଆସିଛି। ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହିତ ମଜବୁତ ଭାବେ ଠିଆ ହୋଇଛି। ଆମେ ମୃତକଙ୍କ ଆତ୍ମାର ଶାନ୍ତି ଏବଂ ଆହତମାନଙ୍କ ପୁନରୁଦ୍ଧାର ପାଇଁ ପ୍ରାର୍ଥନା କରୁଛୁ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତର ଲୋକଙ୍କ ପ୍ରତି ଆମର ପୂର୍ଣ୍ଣ ସମର୍ଥନ ଏବଂ ଗଭୀର ସମବେଦନା ଅଛି।