Categories
ବିଶେଷ ଖବର ରାଜ୍ୟ ଖବର

ପାଣି ପଞ୍ଚାୟତ ଗୁଡିକର ନିର୍ବାଚନ ଓ ଅଡିଟ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପନ ଅବସରରେ ପାଣି ପଞ୍ଚାୟତ ଗୁଡିକର ନିୟମ ଅନୁଯାୟୀ ନିର୍ବାଚନ ଓ କାଗଜ ପତ୍ର ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପାଣି ପଞ୍ଚାୟତ ଗୁଡିକୁ ସଶକ୍ତ କରି ଏଗୁଡିକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳସେଚନ ଏବଂ କୃଷି ବୈଜ୍ଞାନିକଙ୍କ ଗବେଷଣା ସହିତ ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆଜି ଆମେ ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁଛୁ ଏବଂ ବିଦେଶକୁ ମଧ୍ୟ ରପ୍ତାନୀ କରିପାରୁଛୁ। ଏଥିପାଇଁ ଚାଷୀର ଜମିକୁ ଜଳଯୋଗାଣ ଅତ୍ୟନ୍ତ ଆବଶ୍ୟକ। ତେଣୁ, ଜଳସେଚନର ସମସ୍ତ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟର କୃଷକମାନଙ୍କ ଜମିକୁ ପାଣି ଯୋଗାଇଦେବା ପାଇଁ ନୂଆ ଫିଲ୍ଡ ଚ୍ୟାନେଲ ନିର୍ମାଣ ସହିତ ପୁରୁଣା ଚ୍ୟାନେଲ ଗୁଡିକୁ କଂକ୍ରିଟ୍ ଚ୍ୟାନେଲରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୮୦ ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୨୪୦୦ କିଲୋମିଟର ନୂତନ କଂକ୍ରିଟ୍ କରନାଳୀ ନିର୍ମାଣ କରାଯିବ। ଏହା ସହିତ ୬୨ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୧୮୬୦ କିଲୋମିଟର ଅତି ପୁରୁଣା ଓ ଜରାଜୀର୍ଣ୍ଣ କ୍ଷେତ୍ରନାଳୀକୁ କଂକ୍ରିଟ ନାଳୀରେ ପୁନଃନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳର ସୁବ୍ୟବହାର, ଜଳ ବଣ୍ଟନରେ ସମତା ଏବଂ ଚାଷୀର ଜମିକୁ ପର୍ଯ୍ୟାପ୍ତ ଜଳ ସେଚନର ବ୍ୟବସ୍ଥା ସୁନିଶ୍ଚିତ କରିବା ଆମର ପ୍ରାଥମିକତା। ଏ ଦିଗରେ ପାଣି ପଞ୍ଚାୟତର ବଡ ଭୂମିକା ରହିଛି। ରାଜ୍ୟରେ ବର୍ତ୍ତମାନ ୩୯ ହଜାର ରୁ ଅଧିକ ପାଣି ପଞ୍ଚାୟତ ଜଳ ପରିଚାଳନାର ନେତୃତ୍ୱ ନେଉଛନ୍ତି। ଏହା ଦ୍ୱାରା ଜଳ ପରିଚାଳନାରେ ସମସ୍ତଙ୍କର ସହଭାଗିତା ରହିପାରୁଛି ଓ ଜଳର ଅପଚୟ ମଧ୍ୟ ରୋକା ଯାଇ ପାରୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଜଳ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷର ବଜେଟରେ ୧୩,୨୨୩ କୋଟି ରୁ ଅଧିକ ଟଙ୍କା ପ୍ରାବଧାନ କରାଯାଇଛି। ଚଳିତ ବଜେଟରେ ନୟାଗଡ ଜିଲ୍ଲାରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ, ଗଂଜାମ ଜିଲ୍ଲାର ପିପଳପଙ୍କ ପ୍ରକଳ୍ପ, ବଲାଙ୍ଗିର ଜିଲ୍ଲାର ଉପର ଲାନ୍ଥ ଜଳସେଚନ ପ୍ରକଳ୍ପ, ଅନୁଗୁଳ ଜିଲ୍ଲାର ସମାକୋଇ ବ୍ୟାରେଜ ପ୍ରକଳ୍ପ, ବରଗଡ ଜିଲ୍ଲାରେ ୩ଟି ଓ ନୂଆପଡା ଜିଲ୍ଲାର ୭ଟି ଉଠାଜଳସେଚନ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାରେ ୩ଟି ଓ ନୂଆପଡା ଜିଲ୍ଲାରେ ୨ଟି ଏମ.ଆଇ.ପି., କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ ନୂଆପଡା ଜିଲ୍ଲାରେ ୩୫୯ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଏବଂ ୧୧,୮୮୬ ଗଭୀର ନଳକୂପ ପ୍ରକଳ୍ପ ଆରମ୍ଭ କରିବା ପ୍ରକ୍ରିୟା ତ୍ୱାରାନ୍ୱିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଭାବେ ମୁଁ ବ୍ୟକ୍ତିଗତ ଭାବେ ଏହି ସବୁ ପ୍ରକଳ୍ପକୁ ସମୀକ୍ଷା କରୁଛି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ, କୃଷି କାର୍ଯ୍ୟରେ ବୈପବ୍ଳିକ ପରିବର୍ତ୍ତନର ଲକ୍ଷ୍ୟ ରଖି ଆମ ସରକାର ଜଳ ପରିଚାଳନା କ୍ଷେତ୍ରରେ ଟେକ୍‌ନୋଲୋଜିର ବ୍ୟାପକ ବ୍ୟବହାର ପାଇଁ ପଦକ୍ଷେପ ନେଇଛନ୍ତି। ଡିଜିଟାଲ ଟେକ୍‌ନୋଲୋଜିର ବ୍ୟବହାର କରି ମାଟିର ଆଦ୍ରତା ନିରୁପଣ ପ୍ରଣାଳୀ ବିକଶିତ କରାଯିବ। ଏଥିପାଇଁ ICAR ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ଅନୁବନ୍ଧିତ ହୋଇଛି। ପାଣି ପଞ୍ଚାୟତ ମାନଙ୍କର ଦକ୍ଷତା ବିକାଶ ପାଇଁ Xavier University ସହିତ ମଧ୍ୟ ଯୋଗାଯୋଗ ହୋଇଛି।

ଉପସ୍ଥିତ କୃଷକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷକମାନେ ହେଉଛନ୍ତି ରାଜ୍ୟ ବିକାଶର ମୂଳ ସୂତ୍ରଧର । ସେମାନେ ସମସ୍ତଙ୍କ ମୁହଁରେ ଆହାର ଯୋଗାଉଛନ୍ତି । ସେଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଆପଣମାନଙ୍କୁ ଅନ୍ନଦାତା ଭାବେ ସମ୍ମାନିତ କରି ଆସିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟରେ କୃଷିର ବିକାଶ ପାଇଁ ଚଳିତ ବର୍ଷ କୃଷି ବଜେଟରେ ୩୩ ହଜାର ୯୧୯ କୋଟି ଟଙ୍କା ପ୍ରାବଧାନ କରାଯାଇଛି। କୃଷକମାନଙ୍କ ସୁଖଦୁଃଖରେ ଆମ ସରକାର ଅଛନ୍ତି । ଅଦିନିଆ ବର୍ଷାକୁ ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରି  ଆମ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ୨୯୧ କୋଟି ରୁ ଅଧିକ ଟଙ୍କା ସହାୟତା ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୬.୬୬ ଲକ୍ଷ ଚାଷୀ ଏହି ସହାୟତା ପାଇବେ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଲେ ଯେ,  କୃଷକମାନେ ସମୃଦ୍ଧ ହେଲେ, ଓଡିଶା ସମୃଦ୍ଧ ହେବ। ତେଣୁ ରାଜ୍ୟର ବିକାଶ ପାଇଁ, କୃଷି କ୍ଷେତ୍ରର ବିକାଶ ପାଇଁ ଆମର ସବୁ କାର୍ଯ୍ୟକ୍ରମରେ ଚାଷୀ ଭାଇମାନଙ୍କୁ ସାମିଲ ହେବାକୁ ସେ ନିବେଦନ କରିଥିଲେ।

ଏହି ଅବସରରେ ନିଜର ଅଭିଭାଷଣ ରଖି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ ଯେ, ଓଡିଶା ସରକାର ଚାଷୀମାନଙ୍କ ସହ ଅଛନ୍ତି ଏବଂ ସେମାନଙ୍କୁ ଆଗକୁ ବଢିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରୁଛନ୍ତି । ଚାଷୀମାନଙ୍କ ଉତ୍ପାଦନ ପାଇଁ ମାର୍କେଟ ଲିଂକେଜ୍ ଦେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି। ସମସ୍ତେ ପାଣିର ଉଚିତ୍ ବ୍ୟବହାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଉନ୍ନୟନ କମିଶନର ଅନୁ ଗର୍ଗ କହିଥିଲେ ଯେ, ପାଣି ପଞ୍ଚାୟତରେ ଏବେ ବହୁ ସଂଖ୍ୟାରେ ମହିଳାମାନେ ନେତୃତ୍ୱ ନେଉଛନ୍ତି ଏବଂ ଖୁବ୍ ଭଲ କାମ କରୁଛନ୍ତି। ତେଣୁ, ଆମର ଫୋକସ୍ ହେଉଛି ପାଣି ପଞ୍ଚାୟତରେ ଅଧିକରୁ ଅଧିକ ମହିଳାମାନଙ୍କୁ ଯୋଡିବା। ଓଡିଶାର ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ରାଜ୍ୟର ଆଗ୍ରହ ବୃଦ୍ଧି ପାଇଛି। ତେଣୁ, ସମସ୍ତେ ମିଶି ଭଲ କାମ କଲେ ଜାତୀୟ ସ୍ତରରେ ଓଡିଶାର ପ୍ରସିଦ୍ଧି ଆହୁରି ବୃଦ୍ଧି ପାଇବ ବୋଲି ସେ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ଏବଂ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ  ଶ୍ରୀ ଚନ୍ଦ୍ର ଶେଖର ପାଢୀ ଅଭିଭାଷଣ ରଖିଥିଲେ।

ଏହି ଅବସରରେ ଢେଙ୍କାନାଳର ଗୋଟିଏ ପାଣି ପଞ୍ଚାୟତର ସଫଳ ମହିଳା ଚାଷୀ ସଶ୍ମିତା ନାୟକ ଏବଂ କେନ୍ଦୁଝର ଜିଲ୍ଲା ପାଣି ପଞ୍ଚାୟତର ସଫଳ ଚାଷୀ ବଗଲ ଚରଣ ବ୍ରହ୍ମା ପାଣି ପଞ୍ଚାୟତର ସଫଳତା ବିଷୟରେ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ।

ମୁଖ୍ୟମନ୍ତ୍ରୀ ସେଚ ସହଭାଗୀତା ୩.୦ ନାମକ ଏକ କଫି ଟେବଲ୍ ବହିର ଉନ୍ମୋଚନ କରିଥିଲେ। ଏହି ଅବସରରେ ସହଭାଗୀ ସେଚ ସମ୍ପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା। କୃତୀ ବିଦ୍ୟାର୍ଥୀ, ସଫଳ ଚାଷୀ, ସଫଳ ପାଣି ପଞ୍ଚାୟତ ଓ ଦକ୍ଷ ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରସ୍ତୁତ ହେଲା ମେଗା ଲିଫ୍ଟ ପ୍ରକଳ୍ପଗୁଡିକରେ ପାଣି ପଞ୍ଚାୟତ ଗଠନ ପାଇଁ ଆକ୍ସନ୍ ପ୍ଲାନ୍

ଭୁବନେଶ୍ବର: ବୃହତ୍ ଉଠା ଜଳସେଚନ(ମେଗା ଲିଫ୍ଟ) ପ୍ରକଳ୍ପମାନଙ୍କରେ ପାଣି ପଞ୍ଚାୟତ ଗଠନ ପାଇଁ ୨୦୨୩ ରେ ପାଣି ପଞ୍ଚାୟତ ଅଧିନିୟମର ସଂଶୋଧନ କରାଯାଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ଯନ୍ତ୍ରୀମାନଙ୍କ ପାଇଁ ପାଣି ପଞ୍ଚାୟତ ସମ୍ବନ୍ଧୀୟ କାର୍ଯ୍ୟାବଳୀ ସଂପର୍କରେ ଦକ୍ଷତା ବିକାଶ ନିମନ୍ତେ ଏକ ଦୁଇ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଓ୍ୱାଲମୀ,ଓଡିଶା  ନିର୍ଦ୍ଦେଶକ ଇଂ ବିଜୟ କୁମାର ସାମଲଙ୍କ ତତ୍ତ୍ୱାବଧାନରେଓ୍ୱାଲମୀ, ପ୍ରତାପନଗରୀ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମେଗା ଲିଫ୍ଟ  ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସଞ୍ଜୀବ କୁମାର ନାୟକ, ଉତ୍ତରାଞ୍ଚଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସନାତନ ସାହୁ, ଦକ୍ଷିଣାଞ୍ଚଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ଭିକାରୀ ଚରଣ ବେହେରାଙ୍କ  ସମେତ ନିର୍ବାହୀ ଯନ୍ତ୍ରୀ, ସହାୟକ ତଥା କନିଷ୍ଠ ଯନ୍ତ୍ରୀମାନେ ଯୋଗଦାନ କରିଥିଲେ। ଓ୍ୱାଲମୀ ର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର, ଏହି କର୍ମଶାଳାକୁ ଉଦ୍‌ଘାଟନ କରିବା ସହିତ ପରିଚାଳନା କରିଥିଲେ। ୱାଲମୀର ପ୍ରଫେସର ଇଂ ଅରୁଣ ସାମନ୍ତରାୟ, ସହଯୋଗୀ ପ୍ରଧ୍ୟାପିକା ଇଂ ଇତିଶ୍ରୀ ମିଶ୍ରପ୍ରମୁଖ ଉଦ୍‌ବୋଧନ ଦେବା ସହିତ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

ପ୍ରକାଶ ଥାଉକି, ଉକ୍ତ କର୍ମଶାଳା ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ମେଗା ଲିଫ୍ଟ ପ୍ରକଳ୍ପଗୁଡିକରେ ପାଣି ପଞ୍ଚାୟତ ଗଠନ ପାଇଁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ପାଣି ପଞ୍ଚାୟତ ଗଠନ ପ୍ରକ୍ରିୟା ସୂଚାରୁରୂପେ ସମ୍ପାଦନ କରିବା ପାଇଁ ସଂଗୃହିତ ପ୍ରସ୍ତାବ ଗୁଡିକ ମେଗା ଲିଫ୍ଟ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଇଁ ଚିନ୍ମୟ କୁମାର ରାଉତଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯିବା ନିମନ୍ତେ କର୍ମଶାଳାରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

Categories
ଆଞ୍ଚଳିକ

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ 

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜଳସେଚନ ବିଭାଗ ଆନୁକୂଲ୍ୟରେ ବାଣପୁର ଶାଳିଆ ଉପଖଣ୍ଡ ଜଳସେଚନ ବିଭାଗ ତରଫରୁଡ୍ୟାମ ଠାରେ ଏକ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଛି। ବିଭାଗୀୟ ସହକାରୀ ଯନ୍ତ୍ରୀ ମରଲୀଧର ବେହେରାଙ୍କ ସଭାପତିତ୍ୱରେ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା, ଅଧିକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ବେହେରା, ଶାଳିଆ ଶୀର୍ଷ କମିଟି ସଭାପତି ପ୍ରକାଶ ବେହେରା, ସମ୍ପାଦକ ଗିରିଜା ଶଙ୍କର ନାୟକ ବର୍ମା ଏବଂ କୃଷି ବିଭାଗର ବିଭିନ୍ନ ଅଧିକାରୀ ଚାଷୀ ମାନଙ୍କର ଚାଷ ଜମିକୁ ଜଳର ସୁଷମ ବଣ୍ଟନ ଓ ତାହାର ଉପକାରିତା ବିଷୟରେ ଆଲୋକପାତ କରିଥିଲେ।

କୃଷି ଅଧିକାରୀ ମାନେ ଚାଷୀମାନଙ୍କର ଉନ୍ନତି କଳ୍ପେ ଚାଷୀ ମାନଙ୍କ ପାଖରେ କିପରି ସରକାରୀ ଯୋଜନା ଗୁଡିକ ସୁବିଧାରେ ଉପଲବ୍ଧ ହୋଇ ସରକାରଙ୍କ ପ୍ରଦତ୍ତ ସବିସିଡ ପାଇପାରିବେ ଚାଷୀ ମାନଙ୍କୁ ବୁଝାଇଥିଲେ। ସରକାରଙ୍କ ଯୋଜନା ଗୁଡିକ ଚାଷୀମାନଙ୍କ ଅବଗତ ନିମନ୍ତେ ଏକ ସଚେତନତା ରଥ ପ୍ରତି ଗାଁକୁ ଯାଇ ଚାଷୀ ମାନଙ୍କୁ ସଚେତନ କରିବା ସହ ଚାଷୀ ମାନେ ସିଧାସଳଖ ଅଧିକାରୀ ମାନଙ୍କ ସହ ଯୋଡିହେବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ପାଣି ପଞ୍ଚାୟତ ତରଫରୁ ବିଭିନ୍ନ ସ୍କୁଲ ଗୁଡିକରେ ଆୟୋଜନ କରାଯାଇଥିବା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଆସନ୍ତା ୨୪ତାରିଖରେ ଜିଲ୍ଲା ସ୍ତରୀୟ ପକ୍ଷ ପାଳନ ହେବା ପାଇଁ ସ୍ଥିର ହୋଇଥିବା ସହକାରୀ ଯନ୍ତ୍ରୀ ଜଣାଇଛନ୍ତି।

Categories
ବିଶେଷ ଖବର

ଚାଷୀମାନଙ୍କ ନିଷ୍ଠା ଓ ସହଯୋଗ ଯୋଗୁଁ ପାଣି ପଞ୍ଚାୟତ ଆଜି ଆନ୍ଦୋଳନରେ ପରିଣତ ହୋଇପାରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୩ ଉଦଯାପନ ସମାରୋହ ଆଜି ଲୋକସେବା ଭବନ, କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପାଣି ପଞ୍ଚାୟତ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି। ଚାଷୀ ଭାଇ ଭଉଣୀ ମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାତ୍ର ୭୦୦ ପାଣି ପଞ୍ଚାୟତରୁ ଆରମ୍ଭ କରି ଆଜି ରାଜ୍ୟରେ ୩୭ ହଜାର ପାଣି ପଞ୍ଚାୟତ କାର୍ଯ୍ୟ କରୁଛି। ସେହିପରି ୩.୩୨ ଲକ୍ଷ ହେକ୍ଟର ଜମିରେ ଆରମ୍ଭ ହୋଇଥିବା ଏହି ପାଣି ପଞ୍ଚାୟତ ଆଜି ୨୩.୪୬ ଲକ୍ଷ ହେକ୍ଟର ଜମିରେ ପାଣିର ସୁବିଧା ଦେଇପାରୁଛି। ଏହା ବାସ୍ତବରେ ବହୁତ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଏଗୁଡିକ ସବୁ ବିଭିନ୍ନ ପ୍ରମୁଖ, ମଧ୍ୟମ, କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ପାଣି ପଞ୍ଚାୟତ କାର୍ଯ୍ୟକାରୀ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ଅମୂଲ୍ୟ। ଜଳବାୟୁ ପରିବର୍ତ୍ତନର ପ୍ରଥମ ପ୍ରଭାବ ପଡିବ ପାଣି ଉପରେ ଓ ଚାଷ ଉପରେ। ତେଣୁ ଜଳ ନଷ୍ଟ ନ କରି, ତାର ସୁବିନିଯୋଗ ଓ ସୁଷମ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ Conserve, Reuse ଓ Recycle ଆମର ଲକ୍ଷ୍ୟ ହେବା ଦରକାର।

ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ କହିଲେ ଯେ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଦୂରଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି। ଏଥିପାଇଁ ଜଳ ଭଳି ଅମୂଲ୍ୟ ସଂପଦ ଉପରେ ଗୁରୁତ୍ବ ଦେଇ ସେ ପାଣି ପଞ୍ଚାୟତ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଗତ କିଛି ବର୍ଷରେ କୋଭିଡ ପାଇଁ ସ୍ଥଗିତ ଥିବା ଏହି ପକ୍ଷ ପାଳନ ସମାରୋହ ଚଳିତ ବର୍ଷ ସେଚ ପରିଚାଳନରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ତୃଣମୂଳ ସ୍ତରରେ ଜଳ ବଣ୍ଟନରେ ସମାନତା ଆଣିବା ଉଦ୍ଧେଶ୍ୟରେ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଇଛି। ଏବେ ଅସମ୍ପୂର୍ଣ୍ଣ ଥିବା ବହୁ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହେବା ପରେ ପାଣି ପଞ୍ଚାୟତ ମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ କୋଭିଡ ପରବର୍ତ୍ତୀ ସମୟରେ ଏହି ପାଣି ପଞ୍ଚାୟତ ପକ୍ଷ ୧୧୭ ଟି ଜଳସେଚନ ବିଭାଜନରେ ଏବଂ ୩୦ ଟି ଜିଲ୍ଲାରେ ସହଭାଗୀ ସେଚ ପରିଚାଳନାରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ନେଇ ଏହା ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି।

ରାଜ୍ୟରେ ପାଣି ପଞ୍ଚାୟତର ପ୍ରଗତି ଯାତ୍ରାରେ ସେଚ ସହଭାଗିତା, ସେଚ ସହଭାଗିତା ପ୍ରଶିକ୍ଷଣ ସମ୍ବନ୍ଧୀୟ ପୁସ୍ତିକା “ସିଞ୍ଚିତା”, e-CAD ଅଧୀନରେ Infra ଏବଂ MIS Module ପରି application କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହି ମୋଡ୍ୟୁଲ ପ୍ରକଳ୍ପଗୁଡିକର ବାସ୍ତବ ଓ ଆର୍ଥିକ ପ୍ରଗତିର ସଠିକ ସମୟରେ ପର୍ଯ୍ୟାଲୋଚନା ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।

ଆଜିର ଏହି ସମାରୋହରେ ବିଭିନ୍ନ ପ୍ରକଳ୍ପର ୪୦ ଗୋଟି ଶ୍ରେଷ୍ଠ ପାଣି ପଞ୍ଚାୟତ (ବୃହତ, ମଧ୍ୟମ, କ୍ଷୁଦ୍ର ଓ ଉଠାଜଳସେଚନ), ୩୦ ଜଣ ପ୍ରଗତିଶୀଳ କୃଷକ, Essay/ Debate/ Quiz/Painting ପ୍ରତିଯୋଗିତାର ୧୨ ଜଣ ବିଜେତା ତଥା ୧୨ ଟି ଶ୍ରେଷ୍ଠ ପ୍ରକଳ୍ପ ଏବଂ ୧୫ ଜଣ ଶ୍ରେଷ୍ଠ ଅଧିକାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବ୍ରହ୍ମଗିରି ମା ଜାଗୁଳାଇ ପାଣି ପଞ୍ଚାୟତର ଗୀତାରାଣୀ ସାହୁ ଓ ଯାଜପୁର ବଡଚଣାର ମା ବ୍ରାହ୍ମଣୀଦେବୀ ପାଣି ପଞ୍ଚାୟତର ନଳିନୀକାନ୍ତ ପୃଷ୍ଟି ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି ପାଣି ପଞ୍ଚାୟତ ଜରିଆରେ ସେମାନେ କିପରି ସଫଳ ଜଳ ପରିଚାଳନା କରି ଚାଷରେ ଉନ୍ନତି ଆଣିପାରିଛନ୍ତି, ସେ ବିଷୟରେ ପ୍ରକାଶ କରିଥିଲେ।

ସ୍ବାଗତ ଭାଷଣ ଦେଇ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ମେଗାଲିଫ୍ଟ ପ୍ରକଳ୍ପ ମାନଙ୍କରେ ପାଣି ପଞ୍ଚାୟତ ଗଠନ କରିବା ପାଇଁ ପାଣି ପଞ୍ଚାୟତ ନିୟମରେ ସଂଶୋଧନ କରାଯିବା ସହିତ 5-T ମାଧ୍ୟମରେ ଅନେକ ସଂସ୍କାରମୂଳକ ପଦକ୍ଷେପ ମାନ ନିଆଯାଇଛି।

ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।