Categories
ଆଜିର ଖବର ରାଜ୍ୟ ଖବର

ପିକ୍ଅପ୍ ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅର୍ନ୍ତଗତ ପିତଳ କଲେଜ୍ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ୍ ଚାଳକ ରାମଚନ୍ଦ୍ର ଯେନା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ରେବତୀ ଯେନା ଓ ଝିଅ ଗୁଡୁଲି ଯେନା ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ଘଟଣାରୁ ଜଣାପଡିଛି ଯେ, ଗତକାଲି ସନ୍ଧ୍ୟାରେ ମୃତ ରାମଚନ୍ଦ୍ର କୌଣସି କାମରେ ବ୍ରହ୍ମପୁର ଆସି ନିଜ ଗ୍ରାମ ଆସ୍କା ଥାନା ଅର୍ନ୍ତଗତ ଚନ୍ଦନ ପେଢୀ ଫେରୁଥିବା ବେଳେ ଆସ୍କାରୁ ବ୍ରହ୍ମପୁର ଆସୁଥିବା ପିକ୍ଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ଫଳରେ ରାସ୍ତା କଡ଼ରେ ଛିଟିକି ପଡ଼ି ଯାଇଥିଲେ ଘଟଣାସ୍ଥଳରେ ହିଁ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ମାଁ ଓ ଝିଅ ଉଭୟ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଆସ୍କାରୁ ବ୍ରହ୍ମପୁର ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସକୁ ଅଟକାଇ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ।

ଖବର ପାଇ ଆସ୍କା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ଓ ପିକ୍ଅପ୍ ଭ୍ୟାନ ଜବତ କରିବା ସହ ମୃତ ରାମଚନ୍ଦ୍ରଙ୍କ ଶବକୁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି।