Categories
ଆଜିର ଖବର ଜାତୀୟ ଖବର

ସହରୀ କ୍ଷେତ୍ରରେ ପୁଞ୍ଜିନିବେଶ ୧୬ ଗୁଣ ବୃଦ୍ଧି: ସ୍ମାର୍ଟସିଟି ଯୋଜନାରେ ୭,୩୫୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ବିକଶିତ ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ସହରାଞ୍ଚଳ ଭିତ୍ତିଭୂମି ଓ ସେବା କ୍ଷେତ୍ରରେ ପ୍ରୟାସକୁ ତ୍ୱରାନ୍ୱିତ କରିଛି। ବିଶେଷ କରି ସହରୀ ଜୀବନଧାରଣ ମାନରେ ସୁଧାର ଆଣିବା ପାଇଁ ପୁଞ୍ଜି ନିବେଶ ୧୬ ଗୁଣରୁ ଅଧିକ ବୃଦ୍ଧି ପାଇଛି। ସ୍ମାର୍ଟ ସିଟି, ସ୍ୱଚ୍ଛ ଭାରତ ମିଶନ, ଅମୃତ, ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ, ସହରାଞ୍ଚଳ ଜୀବିକା ମିଶନ ଭଳି ଯୋଜନା ଜନସାଧାରଣଙ୍କ ଜୀବନଧାରଣ ମାନରେ ଯଥେଷ୍ଟ ସୁଧାର ଆଣିପାରିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ସଂଖ୍ୟାଧିକ ସହରୀ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।

୧୦୦ଟି ସ୍ମାର୍ଟ ସିଟି ମିଶନ (ଏସସିଏମ୍) ଅଧୀନରେ ୧୫.୧୧.୨୦୨୪ ସୁଦ୍ଧା ୧,୬୪,୬୬୯ କୋଟି ଟଙ୍କାର ୮,୦୬୬ଟି ପ୍ରକଳ୍ପରେ କାର୍ଯ୍ୟାଦେଶ ଜାରି କରାଯାଇଛି, ଯେଉଁଥିରୁ ୧,୪୭,୩୬୬ କୋଟି ଟଙ୍କାର ୭,୩୫୨ଟି ପ୍ରକଳ୍ପ (ଅର୍ଥାତ୍ ମୋଟ ପ୍ରକଳ୍ପର ୯୧%) କାମ ସମ୍ପୂର୍ଣ୍ଣ ହୋଇଛି। ସହରାଞ୍ଚଳ ଜୀବନଧାରଣ ମାନ, ନିରାପତ୍ତା ଏବଂ ଜନସେବାରେ ଉନ୍ନତି ଆଣିବାରେ ଏସସିଏମର କେତେକ ପ୍ରମୁଖ ସଫଳତା ମଧ୍ୟରେ ରହିଛି ସମସ୍ତ ୧୦୦ ସ୍ମାର୍ଟ ସିଟିରେ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ପ୍ରତିଷ୍ଠା, ୮୪,୦୦୦ ସିସିଟିଭି ସର୍ଭିଲାନ୍ସ କ୍ୟାମେରା ସଂଯୋଗ, ୧,୮୮୪ ଜରୁରୀକାଳୀନ କଲ୍ ବକ୍ସ, ୩,୦୦୦ରୁ ଅଧିକ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍, ୧,୭୪୦ କିଲୋମିଟରରୁ ଅଧିକ ସ୍ମାର୍ଟ ରୋଡ୍, ୭୧୩ କିଲୋମିଟର ସାଇକେଲ୍ ଟ୍ରାକ୍ ନିର୍ମାଣ ଆଦି। ସେହିପରି ସୁପରଭାଇଜରୀ କଣ୍ଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ୍ (ସ୍କାଡା) ବ୍ୟବସ୍ଥା ମାଧ୍ୟମରେ ୧୭,୦୨୬ କିଲୋମିଟର ଜଳ ଯୋଗାଣ ବ୍ୟବସ୍ଥା ଉପରେ ନଜର ରଖାଯାଉଛି। ୬୬ରୁ ଅଧିକ ସହର ପ୍ରଯୁକ୍ତିର ବର୍ଦ୍ଧିତ ବ୍ୟବହାର କରି କଠିନ ବର୍ଜ୍ୟବସ୍ତୁ ପରିଚାଳନା କରୁଛନ୍ତି। ପ୍ରାୟ ୯,୧୯୪ ଟି ଯାନ ସ୍ୱୟଂଚାଳିତ ଯାନ ଅବସ୍ଥାନ (ଏଭିଏଲ୍) ପାଇଁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (ଆର୍ଏଫ୍ଆଇଡି), ୯,୪୩୩ରୁ ଅଧିକ ସ୍ମାର୍ଟ କ୍ଲାସରୁମ୍ ଏବଂ ୪୧ଟି ଡିଜିଟାଲ ଲାଇବ୍ରେରୀ ବିକଶିତ କରାଯାଇଛି। ୧୭୨ଟି ଇ-ସ୍ୱାସ୍ଥ୍ୟ କେନ୍ଦ୍ର ଓ କ୍ଲିନିକ୍ ବିକଶିତ ହୋଇଥିବା ବେଳେ ୧୫୨ଟି ସ୍ୱାସ୍ଥ୍ୟ ଏଟିଏମ୍ ଲଗାଯାଇଛି।

ସେହିପରି ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ଅଧୀନରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କଠିନ ବର୍ଜ୍ୟବସ୍ତୁ ଏବଂ ବ୍ୟବହୃତ ଜଳ ପରିଚାଳନା, ଆଇଇସି ଏବଂ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ସରକାର ୯ଟି ରାଜ୍ୟ ଯଥା ଆସାମ, ବିହାର, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ମିଜୋରାମ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ପ୍ରକଳ୍ପ ପାଇଁ ୧,୧୨୩ କୋଟି ରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ଗୁଜରାଟର ଅହମ୍ମଦାବାଦସ୍ଥିତ ପିପଲାଜଠାରେ ୩୭୫ କୋଟି ଟଙ୍କା ମୂଲ୍ୟର ୧୫ ମେଗାଓ୍ଵାଟ୍ କ୍ଷମତା ବିଶିଷ୍ଟ ୧୦୦୦ ମେଟ୍ରିକ୍ ଟନର ବର୍ଜ୍ୟବସ୍ତୁରୁ ଶକ୍ତି ପ୍ଲାଣ୍ଟ୍ ର ଶୁଭାରମ୍ଭ କରାଯାଇଛି।

ଅହମ୍ମଦାବାଦ ଏବଂ ହାଇଦ୍ରାବାଦର ଦୁଇଟି ପ୍ରମୁଖ ଅଳିଆ ଗଦାକୁ ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର କରାଯାଇଛି, ଯାହାଦ୍ୱାରା ପ୍ରାୟ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରିବାରେ ସଫଳତା ମିଳିଛି। ଏଡିବି ଓ ବିଶ୍ବବ୍ୟାଙ୍କ ସହିତ ମିଶି କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟାଙ୍କେବଲ୍ ପ୍ରକଳ୍ପ ପାଇଁ ୧୦୦ଟି ସହର କାର୍ଯ୍ୟକ୍ରମ ଚାଲିଛି। ସ୍ୱାଭିମାନ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା (ଫୋର୍‌-ଏସ) ୨୦୨୪ ଅଭିଯାନ ଅଧୀନରେ  ସ୍ୱଚ୍ଛ ଭାରତ ପାଇଁ ଜନସାଧାରଣଙ୍କ ଅଂଶଗ୍ରହଣ, ସଚେତନତା ଏବଂ ସମର୍ଥନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କଠିନ ବର୍ଜ୍ୟ ଏବଂ ଅପରିଷ୍କାର ସ୍ଥାନ (ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍)କୁ ଲକ୍ଷ୍ୟ କରି ମେଗା ସଫେଇ ଅଭିଯାନ ଆୟୋଜନ କରାଯାଇଛି। ସଫେଇ କର୍ମଚାରୀଙ୍କ କଲ୍ୟାଣ ଓ ସ୍ୱାସ୍ଥ୍ୟ ପାଇଁ ସିଙ୍ଗଲ ୱିଣ୍ଡୋ ସେବା, ନିରାପତ୍ତା ଏବଂ ମାନ୍ୟତା ଶିବିର।

ସହରାଞ୍ଚଳ ପୁନରୁଦ୍ଧାର ଏବଂ ରୂପାନ୍ତରଣ ପାଇଁ ଅଟଳ ମିଶନ୍‌ ବା ଅମୃତ ଓ ଅମୃତ ୨.୦ ଅଭିଯାନ ଅଧୀନରେ ୪୬୪୯ ଜଳ ପରିଚାଳନା ଏବଂ ୪୪୨୯ଟି ବର୍ଜ୍ୟ ଜଳ ପରିଚାଳନା ପ୍ରକଳ୍ପ ନିର୍ମାଣ କରାଯାଇଛି।

ସହରାଞ୍ଚଳ ପରିବହନରେ ସୁଧାର ପାଇଁ କେନ୍ଦ୍ର ସରକାର ଅନେକ  ପଦକ୍ଷେପ ନେଇଛନ୍ତି। ୨୦୧୯ରେ ଦିଲ୍ଲୀ ଓ ମିରଟ ମଧ୍ୟରେ ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍)କୁ ମଞ୍ଜୁରୀ ମିଳିଥିଲା। ଅକ୍ଟୋବର ୨୦୨୩ରୁ ଏହି ରାସ୍ତାର ୪୨ କିଲୋମିଟର କାର୍ଯ୍ୟକ୍ଷମ ହୋଇଛି। ୨୦୨୫ ଜୁନ୍ ସୁଦ୍ଧା ଅବଶିଷ୍ଟ ଅଂଶ ମଧ୍ୟ କାର୍ଯ୍ୟକ୍ଷମ ହେବ। ପ୍ରଦୂଷଣ ହ୍ରାସ କରିବା ଏବଂ ପରିବେଶ ଜନିତ ସମସ୍ୟାର ସମାଧାନ ପାଇଁ ସହରଗୁଡ଼ିକରେ ଇ-ମୋବିଲିଟି ଏବଂ ଚାଲିବା ଯୋଗ୍ୟ ରାସ୍ତାକୁ ପ୍ରୋତ୍ସାହିତ କରାଯାଇଛି।

୨୦୧୪ ମେ ମାସ ସୁଦ୍ଧା ଦେଶରେ ପ୍ରାୟ ୨୪୮ କିଲୋମିଟର ମେଟ୍ରୋ ରେଳ ଲାଇନ୍ କାର୍ଯ୍ୟକ୍ଷମ ଥିଲା। ବର୍ତ୍ତମାନ ସୁଦ୍ଧା ଏହା ୭୪୫ କିଲୋମିଟର ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ପ୍ରାୟ ୯୯୩ କିଲୋମିଟର ମେଟ୍ରୋ ରେଳ ଲାଇନର କାର୍ଯ୍ୟକ୍ଷମ ରହିଛି । ଏହାବ୍ୟତୀତ ଦେଶର ବିଭିନ୍ନ ସହର ଯଥା ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ, କୋଚି, ମୁମ୍ବାଇ, ନାଗପୁର, ଅହମ୍ମଦାବାଦ, ଗାନ୍ଧୀନଗର, ପୁଣେ, କାନପୁର, ଆଗ୍ରା, ଭୋପାଳ, ଇନ୍ଦୋର, ପାଟନା, ସୁରଟ ଏବଂ ମିରଟରେ ପ୍ରାୟ ୯୯୮ କିଲୋମିଟର ମେଟ୍ରୋ ରେଳ ପ୍ରକଳ୍ପ (ଦିଲ୍ଲୀ-ମେରଠ ଆରଆରଟିଏସର ଅବଶିଷ୍ଟ ଅଂଶ କୁ ମିଶାଇ) ନିର୍ମାଣାଧୀନ ରହିଛି। ୨୦୧୩-୧୪ରେ ଦୈନିକ ହାରାହାରି ଯାତ୍ରୀ ସଂଖ୍ୟା ପ୍ରାୟ ୨୮ ଲକ୍ଷ ଥିଲା। ମେଟ୍ରୋ ରେଳ ନେଟୱର୍କର ଦ୍ରୁତ ସଂପ୍ରସାରଣ ସହିତ ହାରାହାରି ଦୈନିକ ଯାତ୍ରୀ ସଂଖ୍ୟା ଏବେ ୧ କୋଟି ଅତିକ୍ରମ କରିଛି। ୧୬ ଅଗଷ୍ଟ ୨୦୨୩ରେ ଆରମ୍ଭ ହୋଇଥିବା ‘‘ପିଏମ-ଇ-ବସ ସେବା’’ର ଲକ୍ଷ୍ୟ ହେଉଛି ଜିସିସି ମଡେଲ ଅଧୀନରେ ୧୦,୦୦୦ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଇଲେକ୍ଟ୍ରିକ୍ ବସ୍ ନିୟୋଜିତ କରିବା ପାଇଁ ୨୦,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା (ସିଏ) ସହ  ସହରାଞ୍ଚଳ ବସ୍ ଚଳାଚଳରେ ଉନ୍ନତି ଆଣିବା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ୨.୦ ଅଧୀନରେ ଏକ ନୂତନ ରେଣ୍ଟାଲ ହାଉସିଂ ଭର୍ଟିକାଲ୍ ଆରମ୍ଭ କରାଯାଇଛି, ଯାହା ପ୍ରବାସୀ ଜନସଂଖ୍ୟା/ କର୍ମଜୀବୀ ମହିଳା / ଶିଳ୍ପ ଶ୍ରମିକ / ବାସହୀନ / ଛାତ୍ର ଏବଂ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ଉପକୃତ କରିବ। ବର୍ତ୍ତମାନର ସରକାରୀ ଅନୁଦାନପ୍ରାପ୍ତ ଖାଲି ଥିବା ଘରଗୁଡ଼ିକୁ ପିପିପି ମୋଡ୍ ମାଧ୍ୟମରେ କିମ୍ବା ସାର୍ବଜନୀନ ଏଜେନ୍ସିଗୁଡିକ ଦ୍ୱାରା ଏଆରଏଚରେ ପରିଣତ କରିବାକୁ ପଦକ୍ଷେପ ନିଆଯାଇଛି। ପିଏମଏୱାଇ-ୟୁ ୨.୦ ଅଧୀନରେ ୬ ଲକ୍ଷରୁ ଅଧିକ ଘର ପାଇଁ ନୀତିଗତ ଅନୁମୋଦନ ଦିଆଯାଇଛି ଯାହା ଏହି ଯୋଜନାର କାର୍ଯ୍ୟକାରିତାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।

ଶିଳ୍ପ କେନ୍ଦ୍ର ଓ ପ୍ରବାସୀ କେନ୍ଦ୍ର ସମେତ ୨୫ଟି ସହରରେ ବର୍ତ୍ତମାନ ଚାଲିଥିବା ଏକ ପାଇଲଟ୍ ପ୍ରକଳ୍ପର ଫଳାଫଳରୁ ମିଳିଥିବା ସୂଚନା ଅନୁଯାୟୀ ଖୁବଶୀଘ୍ର ଏକ ନୂତନ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଏନୟୁଏଲଏମ୍) ଆରମ୍ଭ କରାଯିବ। ଏହି ମିଶନରେ ପ୍ରାୟ ୨.୫ କୋଟି ସହରାଞ୍ଚଳ ଗରିବ ପରିବାରକୁ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅଧୀନରେ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ହୋଇଥିବା ଅଗ୍ରଗତି ଅନୁଯାୟୀ, ୧ କୋଟିରୁ ଅଧିକ ସହରାଞ୍ଚଳ ଗରିବ ମହିଳାଙ୍କୁ ୯.୯୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ଏବଂ ସେମାନଙ୍କ ସଂଘ ଯଥା ଏରିଆ ଲେଭେଲ ଫେଡେରେସନ୍ (ଏଏଲ୍ଏଫ୍) ଏବଂ ସିଟି ଲେଭେଲ ଫେଡେରେସନ୍ (ସିଏଲ୍ଏଫ୍)ରେ ସାମିଲ କରାଯାଇଛି। ଦକ୍ଷତା ପ୍ରଶିକ୍ଷଣ ଓ ନିଯୁକ୍ତି, ବ୍ୟକ୍ତିଗତ ଏବଂ ଗୋଷ୍ଠୀକୁ ସବସିଡି ଋଣ ପ୍ରଦାନ, କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସହିତ କର୍ପସ ଭିତ୍ତିକ ବ୍ୟାଙ୍କ ସଂଯୋଗ ସଞ୍ଚୟ ମାଧ୍ୟମରେ ୩୯.୩୯ ଲକ୍ଷରୁ ଅଧିକ ଜୀବିକା ସୁଯୋଗ ସୃଷ୍ଟି ହୋଇଛି। ୧.୪୧ ଲକ୍ଷ ସହରାଞ୍ଚଳ ବାସହୀନଙ୍କ ପାଇଁ ୧୯୯୪ଟି ସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ୩୪୭୧ଟି ସହରରେ ସର୍ଭେ ମାଧ୍ୟମରେ ପ୍ରାୟ ୭୧.୬୫ ଲକ୍ଷ ଉଠାଦୋକାନୀଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ମଧ୍ୟରୁ ୩୮.୮୭ ଲକ୍ଷରୁ ଅଧିକଙ୍କୁ ଷ୍ଟ୍ରିଟ୍ ଭେଣ୍ଡର ସାର୍ଟିଫିକେଟ୍ ଅଫ୍ ଭେଣ୍ଡିଂ (ସିଓଭି) ଏବଂ ୩୨.୫୯ ଲକ୍ଷରୁ ଅଧିକ ପରିଚୟପତ୍ର ପ୍ରଦାନ କରାଯାଇଛି । ଡିଏୱାଇ-ଏନୟୁଏଲଏମ୍ ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା ବାବଦରେ ୫,୭୩୩.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସିଙ୍ଗଲ ଓ୍ୱିଣ୍ଡୋ ବୈଠକରେ ୧୧ଟି ପ୍ରକଳ୍ପକୁ ମଞ୍ଜୁରୀ, ୨୨୫୩ କୋଟି ଟଙ୍କାର ପୁଂଜି ନିବେଶ

ଭୁବନେଶ୍ବର: ଆଜି ସିଙ୍ଗଲ ଓ୍ୱିଣ୍ଡୋ ବୈଠକରେ ୧୧ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡିକରେ ମୋଟ ୨ ହଜାର ୨୫୩ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ।  ଏଥିରେ ମୋଟ ୩ ହଜାର ୮୧୭ ଜଣଙ୍କୁ ପ୍ରତ୍ୟେକ୍ଷ ନିଯୁକ୍ତି ସୁଯୋଗ ମିଳିବ। ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ଯେଉଁ ମୁଖ୍ୟ ପ୍ରକଳ୍ପଗୁଡିକୁ ମଞ୍ଜୁରୀ ମିଳିଛି ସେଗୁଡିକ ହେଲା

1- ସୁନ୍ଦରଗଡ଼ରେ ଇସ୍ପାତ ଓ ଫେରୋ ଆଲୟଜ ପ୍ଲାଣ୍ଟ ହେବ, ଏଥିରେ ୫୫୩.୨୫ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ।

2- ଖୋର୍ଦ୍ଧାରେ ଆଦାନୀ ଏଣ୍ଟରପ୍ରାଇଜ ଲିମିଟେଡ୍‌ କରିବ ଡାଟା ସେଣ୍ଟର। ଏହି ଡାଟା ସେଣ୍ଟରରେ ୫୦୦ କୋଟି ଟଙ୍କା ନିବେଶରେ ୨୦୦ ଜଣଙ୍କୁ ମିଳିବ ନିଯୁକ୍ତି।

3- କେନ୍ଦୁଝରରେ ହେବ ଲୁହାଛଡ଼ ତିଆରି କାରଖାନା। ଆର୍ଯ୍ୟ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ ୧୭୫.୭୫କୋଟି ନିବେଶ କରିବ। କାରଖାନାରେ ମୋଟ ୬୦୦ ଜଣଙ୍କୁ ସିଧାସଳଖ ନିଯୁକ୍ତି ମିଳିବ।

4- ଗଞ୍ଜାମରେ ହେବ ଟିଟାନିୟମ ସ୍ଲାଗ ଓ ପିଗ୍ ଆଇରନ୍ କାରଖାନା। ଆରଆରଏଲଟି ପ୍ରାଇଭେଟ୍‌ ଲିମିଟେଟ୍‌ କାରଖାନା ପାଇଁ ୧୫୦ କୋଟି ନିବେଶ କରିବ। କାରଖାନାରେ ୪୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

5- ସମ୍ବଲପୁରରେ ୧୦୧ କୋଟି ଟଙ୍କାରେ ହେବ ତରଳ ଆଲୁମିନିୟମ ଆଲୟଜ ପ୍ଲାଣ୍ଟ।

Categories
ବିଶେଷ ଖବର ବ୍ୟବସାୟ

ସିଙ୍ଗିଲ ୱିଣ୍ଡୋ ମାଧ୍ୟମରେ ୧୨ଟି ପ୍ରକଳ୍ପ ଅନୁମୋଦିତ, ୨୦୭୧ କୋଟି ଟଙ୍କା ବିନିଯୋଗ

ଭୁବନେଶ୍ୱର: ସୋମବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୨ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩,୫୩୫ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ଗତ ୧୧୦ ଦିନ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ କମିଟି ୪୦ ଟି ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଫଳରେ ରାଜ୍ୟରେ ୫୮୪୧.୪୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ପ୍ରାୟ ୨୦,୩୮୦ ଲୋକଙ୍କ ପାଇଁ ନୁତନ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଉପସ୍ଥାପନ ପୂର୍ବକ କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ପର‌୍ୟ୍ୟଟନ, ଆତିଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ପଶୁପାଳନ, ପଶୁଖାଦ୍ୟ ଉତ୍ପାଦନ, ଲଜିଷ୍ଟିକ୍ ପାର୍କ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର‌୍ୟ୍ୟକଳାପ ବୃଦ୍ଧିରେ ସହାୟକ ହେବ ।

ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ ଓଡ଼ିଶାରୁ କୌଶଳ ପ୍ରାପ୍ତ(ସ୍କିଲ୍ଡ୍ ଇନ୍ ଓଡିଶା) ଯୁବକଯୁବତୀମାନଙ୍କର ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ନିର୍ଦ୍ଧାରିତ ମାନକ ଅନୁସାରେ ଶିଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଅନୁଶୀଳନ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ଇପିକଲକୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ରିଟେଲ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ସର୍ବବୃହତ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟା ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ

ମୂମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆରଆର୍‌ଭିଏଲ୍‌ରେ ସହଯୋଗୀ ସାମିଲ କରିବା ଏବଂ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟାର ବର୍ତ୍ତମାନର ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ କରାଯାଇଛି।

ଆର୍‌ଆର୍‌ଭିଏଲ୍ ପକ୍ଷରୁ ଆର୍ଥିକ ସହଯୋଗୀମାନଙ୍କ ଠାରୁ ମୋଟ ୪୭,୨୬୫ କୋଟି ଟଙ୍କା ପୁଞ୍ଜି ହାସଲ କରାଯାଇଥିବା ବେଳେ ସେମାନଙ୍କୁ ୬୯,୨୭,୮୧,୨୩୪ ଇକ୍ୱିଟି ସେୟାର ଜାରି କରାଯାଇଛି। ସମ୍ପୂର୍ଣ୍ଣ ବିଘଟିତ ଭାବେ ଏହି ସେୟାର ଜାରି କରାଯାଇଛି। ଚଳିତ ପାଣ୍ଠି ହାସଲ ପର୍ଯ୍ୟାୟରେ ସିଲ୍‌ଭର୍ ଲେକ୍ ପାର୍ଟନର୍ସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୭୫୦୦ କୋଟି ଟଙ୍କା ଓ ୧୮୭୫ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ କେକେଆର୍ ୫୫୫୦ କୋଟି ଟଙ୍କା, ମୁବାଦଲା ୬୨୪୭.୫୦ କୋଟି ଟଙ୍କା, ଏଡିଆଇଏ ୫୫୧୨.୫୦ କୋଟି ଟଙ୍କା, ଜିଆଇସି ୫୫୧୨.୫୦ କୋଟି ଟଙ୍କା, ଟିପିଜି ୧୮୩୭.୫୦ କୋଟି ଟଙ୍କା, ଜେନେରାଲ୍ ଆଟ୍‌ଲାଟିଂକ୍ ୩୬୭୫ କୋଟି ଟଙ୍କା ଓ ପିଆଇଏଫ୍ ପକ୍ଷରୁ ୯୫୫୫ କୋଟି ଟଙ୍କା ନିବେଶ କରାଯାଇଛି। ପାଣ୍ଠି ହାସଲ ପ୍ରକ୍ରିୟା ୨୦୨୦ ସେପ୍ଟେମ୍ବର ୨୫ରୁ ଆରମ୍ଭ ହୋଇ ନଭେମ୍ବର ୯ରେ ଶେଷ ହୋଇଛି।

ଇଶା ମୁକେଶ ଅମ୍ବାନି, ନିର୍ଦ୍ଦେଶିକା, ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ କହିଛନ୍ତି ଯେ, “ଆର୍‌ଆର୍‌ଭିଏଲ୍‌ରେ ଏଭଳି ଦୃଢ଼ ଏବଂ ଖ୍ୟାତିସମ୍ପନ୍ନ ସହଯୋଗୀଙ୍କୁ ପାଇ ଆମେ ଗର୍ବିତ। ଆମ ବ୍ୟବସାୟ ପ୍ରତି ନିବେଶକମାନେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ଆଗ୍ରହକୁ ନେଇ ଆଗେ ଗର୍ବିତ ଅନୁଭବ କରୁଛୁ ଏବଂ ସେମାନଙ୍କ ସହ କାର୍ଯ୍ୟ କରି ସେମାନଙ୍କ ଅଭିଜ୍ଞତା ଏବଂ ବିଶ୍ୱସ୍ତରରେ ରହିଥିବା ସମ୍ପର୍କର ଲାଭନେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ନୂତନ ବାଣିଜ୍ୟ ଉପରେ ଆମେ ଗୁରୁତ୍ୱ ଦେବା ସହ ନିୟୁତାଧିକ ବ୍ୟବସାୟୀ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକୁ ସଶକ୍ତ କରି ଆମେ ଭାରତୀୟ ରିଟେଲ୍ କ୍ଷେତ୍ରରେ ପରିବର୍ତନକାରୀ ଭୂମିକା ନିର୍ବାହ କରିବାକୁ ପ୍ରତିବଦ୍ଧ ରହିଛୁ।’’

ଆର୍‌ଆର୍‌ଭିଏଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ପରାମର୍ଶଦାତା, ସିରିଲ୍ ଅମରଚାନ୍ଦ ମଙ୍ଗଳଦାସ ଓ ଡେଭିସ୍ ପୋଲକ୍ ଓ ୱାର୍ଡୱେଲ୍ ଆଇନଗତ ପରାମର୍ଶଦାତା ଏବଂ ବିଓଏଫ୍‌ଏ ସିକ୍ୟୁରିଟିଜ୍ ଅତିରିକ୍ତ ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ରେ ସାଉଦି ଆରବର ପିଆଇଏଫ୍‌ ପକ୍ଷରୁ ୯,୫୫୫ କୋଟି ଟଙ୍କାର ପୁଞ୍ଜିନିବେଶ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୨.୦୪ ପ୍ରତିଶତ ଇକ୍ୱିଟ ଅଂଶଧନ ପାଇଁ ସାଉଦି ଆରବର ଦି ପବ୍ଲିକ୍ ଇନଭେଷ୍ଟ୍‌ମେଂଟ୍ ଫଣ୍ଡ୍ (ପିଆଇଏଫ୍‌) ୯,୫୫୫ କୋଟି ଟଙ୍କାର (ପ୍ରାୟ ୧.୩ ବିଲିଅନ ଡଲାର) ପୁଞ୍ଜିନିବେଶ କରିବ। ଆର୍‌ଆର୍‌ଭିଏଲ୍‌ର ପ୍ରି-ମନି ଇକ୍ୱିଟି ମୂଲ୍ୟକୁ ୪.୫୮୭ ଲକ୍ଷ କୋଟି ଟଙ୍କା (ପ୍ରାୟ ୬୨.୪ ବିଲିଅନ ଡଲାର) ଆକଳନ କରି ଏହି ନିବେଶ କରାଯାଇଛି। ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ ସେବା ପ୍ରଦାନକାରୀ ସହଯୋଗୀ ସଂସ୍ଥା ଜିଓ ପ୍ଲାଟର୍ମର୍ସ୍‌ର ୨.୩୨ ପ୍ରତିଶତ ଅଂଶଧନ ହାସଲ କରିବା ପରେ ଏବେ ପିଆଇଏଫ୍ ପକ୍ଷରୁ ଆର୍‌ଆର୍‌ଭିଏଲ୍‌ରେ ପୁଞ୍ଜିନିବେଶ କରାଯାଇଛି। ଦୀର୍ଘମିଆଦୀ ବାଣିଜ୍ୟିକ ରିଟର୍ଣ୍ଣ ପ୍ରଦାନ କରୁଥିବା ଅଭିନବ ଓ ପରିବର୍ତନଶୀଳ ବ୍ୟବସାୟରେ ନିବେଶ କରିବା ଲାଗି ପିଆଇଏଫ୍‌ର ରହିଥିବା ରଣନୀତି ଓ ସିଦ୍ଧାନ୍ତ ଅନୁସାରେ ଏହି ପୁଞ୍ଜିନିବେଶ କରାଯାଇଛି। ଭାରତର ରିଟେଲ୍ କ୍ଷେତ୍ର ହେଉଛି ବିଶ୍ୱର ଅନ୍ୟତମ ଏବଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଏହାର ଅବଦାନ ୧୦ ପ୍ରତିଶତରୁ ଅଧିକ ରହିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ରିଲାଏନ୍ସରେ ଆମର ସାଉଦି ଆରବ ସାମ୍ରାଜ୍ୟ ସହିତ ଦୀର୍ଘ ଅବଧିର ସୁସମ୍ପର୍କ ରହିଛି। ସାଉଦି ଆରବ ସାମ୍ରାଜ୍ୟର ଅର୍ଥନୈତିକ ପୁନର୍ବିନ୍ୟାସ କ୍ଷେତ୍ରରେ ପିଆଇଏଫ୍ ଅଗ୍ରଦୂତ ସାଜିଛି। ରିଲାଏନ୍ସ ରିଟେଲ୍‌ରେ ପିଆଇଏଫ୍‌କୁ ଏକ ମୂଲ୍ୟବାନ ସହାଯୋଗୀ ଭାବେ ମୁଁ ସ୍ୱାଗତ କରୁଛି। ଆମେ ଭାରତର ଖୁଚୁରା କ୍ଷେତ୍ରରେ ପରିବର୍ତନ ଆଣି ୧୩୦ କୋଟି ଭାରତୀୟ ଓ ନିୟୁତାଧିକ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନକୁ ସମୃଦ୍ଧ କରିବା ଭଳି ମହତ୍ୱକାଂକ୍ଷୀ ଯାତ୍ରାରେ ଆଗକୁ ବଢୁଥିବା ବେଳେ ଏହାର ନିରନ୍ତର ସହାୟତା ଏବଂ ମାର୍ଗଦର୍ଶନ ଆଶା ରଖିଛୁୁ।’’

ପିଆଇଏଫ୍‌ର ଗଭର୍ଣ୍ଣର ୟାସିର ଅଲ୍‌-ରୁମାୟନ କହିଛନ୍ତି ଯେ, “ଭାରତରେ ଏକାଧିକ ଆକର୍ଷଣୀୟ ଓ ଉତ୍ସାହଜନକ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ଆମର ବିଶ୍ୱାସପୂର୍ଣ୍ଣ ସହଯୋଗିତାକୁ ଆହୁରି ସୁଦୃଢ଼ କରିଥିବାରୁ ଆମେ ଅତ୍ୟନ୍ତ ଖୁସି। ସାରା ବିଶ୍ୱର ଅଭିନବ ବ୍ୟବସାୟ ସହିତ ଦୀର୍ଘମିଆଦୀ ସହଯୋଗିତା ଏବଂ ନିବେଶ ପାଇଁ ପିଆଇଏଫ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ନିବେଶ ପ୍ରତିଫଳିତ କରୁଛି, ଯାହା ସେହି କ୍ଷେତ୍ରର ଅଗ୍ରଣୀ ହେବା ସହିତ ପରିବର୍ତନର ପଥ ସୁଗମ କରୁଛି। ସାଉଦି ଆରବର ଲୋକମାନଙ୍କ ପାଇଁ ଲାଭ ସୃଷ୍ଟି କରିବା ଏବଂ ସାଉଦି ଆରବରେ ଅର୍ଥନୈତିକ ବିବିଧତା ଆଣିବା ପାଇଁ ପିଆଇଏଫ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ସହଯୋଗିତା ପରିଦର୍ଶିତ କରୁଛି।”

ରିଟେଲ୍ କ୍ଷେତ୍ରରେ ଭାରତର ସର୍ବବୃହତ୍ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରିଲାଏନ୍ସ ରିଟେଲ୍ ଲିିମଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା, ଯାହାର ସାରା ଭାରତରେ ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି। ରିଲାଏନ୍ସ ରିଟେଲ୍‌ର ଲକ୍ଷ୍ୟ ହେଉଛି ନୂଆ ବାଣଜ୍ୟ ରଣନୀତି ଜରିଆରେ ଭାରତୀୟ ଖୁଚୁରା କ୍ଷେତ୍ରର ପୁନର୍ବିନ୍ୟାସକୁ ତ୍ୱରାନ୍ୱିତ କରି ଭାରତୀୟ ସମାଜକୁ ଲାଭ ପହଂଚାଇବା ଏବଂ ନିୟୁତାଧିକ ଲଘୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ (ଏମ୍‌ଏସ୍‌ଏମ୍‌ଇ) ଗୁଡିକୁ ସଶକ୍ତ କରିବା।