Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜିଠାରୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଲା ମାସିକ ୩୫୦୦ ଟଙ୍କା ପେନସନ, ମୁଖ୍ୟମନ୍ତ୍ରୀ କଲେ ପ୍ରଦାନ

ନୂଆଦିଲ୍ଲୀ: ରାଜ୍ୟର ୮୦ ବର୍ଷ ବା ତା’ଠାରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ। ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ ଟଙ୍କା ବୃଦ୍ଧି କରାଯାଇ ୩୫୦୦ ଟଙ୍କା କରାଯାଇଛି । ଏହା ଦ୍ୱାରା ରାଜ୍ୟର ୪,୧୭,୪୯୬ ଜଣ ବ୍ୟକ୍ତି ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଠାରେ ଏହି ବର୍ଦ୍ଧିତ ଭତ୍ତା ବିତରଣ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ସମାଜରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ ଓ ଆଦର ଦିଆଯାଏ, ସେହି ସମାଜ ହେଉଛି ଏକ ଆଦର୍ଶ ସମାଜ। ଏ ମାନଙ୍କ ପ୍ରତି ସମାଜ ସମ୍ବେଦନଶୀଳ ହେବା ଆବଶ୍ୟକ । ବରିଷ୍ଠ ନାଗରିକ ମାନେ ହେଉଛନ୍ତି ଆମ ଆସ୍ଥା ଓ ବିଶ୍ୱାସର ମନ୍ଦିର । ସେମାନଙ୍କ ହସ, ଖୁସି ଏବଂ ଯୁବ ସମାଜ ଉପରେ ସେମାନଙ୍କ ଅଖଣ୍ଡ ଆସ୍ଥା ହିଁ ଆମ ବିରଳ ସମ୍ପତ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରୀୟ ସାମାଜିକ କାର‌୍ୟ୍ୟକ୍ରମର ହିତାଧିକାରୀ ହୁଅନ୍ତୁ ବା ମଧୁବାବୁ ପେନସନ ହିତାଧିକାରୀ, ସମସ୍ତେ ଏହି ବର୍ଦ୍ଧିତ ପେନସନ ପାଇବେ। କେନ୍ଦୁଝର ଜିଲ୍ଲାର ମଧ୍ୟ ୯,୯୧୩ ଜଣ ବ୍ୟକ୍ତି ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି। ଆଜିର ଏହି କାର‌୍ୟ୍ୟକ୍ରମ ଏକ ଆଦର୍ଶ ସମାଜ ଆଡକୁ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ। ନୂଆ ସରକାର ଆପଣ ମାନଙ୍କୁ କଥା ଦେଇଥିଲେ, କଥା ରଖିଛନ୍ତି । ଆପଣ ମାନଙ୍କ ପାଇଁ ଏହି ବର୍ଦ୍ଧିତ ପେନସନର ଶୁଭାରମ୍ଭ କରି ମୁଁ ବ୍ୟକ୍ତିଗତ ଭାବରେ ବହୁତ ଖୁସି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଜଣେ ମଣିଷ ଭାବରେ ଆପଣ ଯଦି, ବୟସ୍କ ଓ ଭିନ୍ନକ୍ଷମଙ୍କୁ କିଛି ସହାୟତା ବା ସହଯୋଗ କରିପାରନ୍ତି, ତାହା ବାସ୍ତବିକ ମନକୁ ଖୁସି ଦିଏ ଏବଂ ପୁଣ୍ୟ ଅର୍ଜନ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବୟସ୍କ, ଭିନ୍ନକ୍ଷମ ମାନେ ସେମାନଙ୍କର ସମସ୍ୟା ନେଇ ଆସିଥାନ୍ତି । ମୁଁ ଆଗ ପ୍ରାଧାନ୍ୟ ଦେଇ ସେମାନଙ୍କ ସମସ୍ୟା ଶୁଣେ ଓ ତା’ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥାଏ । ଗରିବ, ଭିନ୍ନକ୍ଷମ ଓ ଅସହାୟଙ୍କୁ ସାହାଯ୍ୟ କରି ମୁଁ ଯେଉଁ ସନ୍ତୋଷ ପାଉଛି, ତାହା ହେଉଛି ମୋ ଜୀବନର ସବୁଠାରୁ ଶ୍ରେଷ୍ଠ ପୁଞ୍ଜି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଆମ ସରକାର ଆସିବାକୁ ମାତ୍ର ୭ ମାସ ହୋଇଛି । ଏହି ୭ ମାସ ମଧ୍ୟରେ ଆମ ସରକାର ଲୋକଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଗତ ଦୁଇ ଦିନ ତଳେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ କାର‌୍ୟ୍ୟକାରୀ କରିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି । ଏହା ମାଧ୍ୟମରେ ରାଜ୍ୟର ଗରିବ ଓ ଅସହାୟ ଲୋକଙ୍କୁ ଉନ୍ନତ ଚିକିତ୍ସା ସୁବିଧା ମିଳିବ । ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏହି ଯୋଜନାରେ ୭୦ ବର୍ଷରୁ ଅଧିକ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଯୋଡିଛନ୍ତି । ଗାଁ ଗଣ୍ଡାର ଲୋକମାନେ ସହରର ଭଲ ଭଲ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇ ପାରିବେ ।

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାର ସମୃଦ୍ଧି ତଥା ରାଜ୍ୟର ଚାଷୀ, ମହିଳା, ଶ୍ରମିକ, ଯୁବଗୋଷ୍ଠୀ ଇତ୍ୟାଦି ସମସ୍ତ ବର୍ଗର କଲ୍ୟାଣ ପାଇଁ ଆମ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଆଦିବାସୀ, ଗରିବ, ପଛୁଆ ଲୋକଙ୍କ ବିକାଶକୁ ଆମ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ସବୁ ବର୍ଗର ଲୋକଙ୍କୁ ସମାନ ଖୁସି ଦେବାପାଇଁ ଆମ ସରକାର କାମ କରୁଛନ୍ତି। ରାଜ୍ୟର ଜନ ସାଧାରଣ ଚାହୁଁଥିବା ଅନୁଯାୟୀ କାମ ହେବ ଓ ରାଜ୍ୟର ବିକାଶ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁଝରରେ ଖୁବ ଶୀଘ୍ର ମେଗା ଇସ୍ପାତ କାରଖାନା ନିର୍ମାଣ ହେବ, ଚଳିତ ମାସ ଶେଷ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଉତ୍କର୍ଷ ଓଡିଶା କାର‌୍ୟ୍ୟକ୍ରମରେ ଏହି ଇସ୍ପାତ କାରଖାନା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର ହେବ। କେବଳ କେନ୍ଦୁଝର ନୁହେଁ, ରାଜ୍ୟର ସବୁ ଜିଲ୍ଲାରେ ଶିଳ୍ପାନୁଷ୍ଠାନ ଓ କଳ କାରଖାନ ସ୍ଥାପନ ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦୁଝର ଜିଲ୍ଲା ତଥା ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ସେ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ରକ୍ଷାକର ଜେନା, ଯୋଗେନ୍ଦ୍ର ନାୟକ, ରଜନୀ ମହାନ୍ତିଙ୍କୁ ବର୍ଦ୍ଧିତ ବୟସ୍କ ଭତ୍ତା ଏବଂ ସତ୍ୟଭାମା ସେଠୀ, ଅନିରୁଦ୍ଧ ଦାସ ଏବଂ ଜୟକୃଷ୍ଣ ମହନ୍ତଙ୍କୁ ବର୍ଦ୍ଧିତ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ମଣ୍ଡଳର ସଦସ୍ୟ ବୃନ୍ଦ, ସାଂସଦ, ବିଧାୟକ ଓ ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଘସିପୁରା ବିଧାୟକ ଶ୍ରୀ ବଦ୍ରୀ ନାରୟଣ ପାତ୍ର, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡଃ ଫକିର ମୋହନ ନାୟକ ଏବଂ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ ପ୍ରମୁଖ ଏହି ବର୍ଦ୍ଧିତ ଭତ୍ତା ବୟସ୍କ ଓ ଭିନ୍ନକ୍ଷମଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ସହିତ ସେମାନଙ୍କ ଦୈନନ୍ଦିନ ଜୀବନ ନିର୍ବାହ କରିବାରେ ବେଶ୍ ସହାୟକ ହେବ ବୋଲି ବକ୍ତବ୍ୟ ରଖି କେନ୍ଦୁଝର ଓ ରାଜ୍ୟର ବିକାଶ ଦିଗରେ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ।

କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଜରୁରୀ ପରିସ୍ଥିତିରେ ବନ୍ଦୀ ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ପେନସନ, ଜାଣନ୍ତୁ କେମିତି ହେବ ଆବେଦନ

ଭୁବନେଶ୍ବର:  ଆଜି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ଯକ୍ଷତାରେ ଏକ ଉଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବା ସମୟରେ ଯେଉଁମାନେ MISA, DIR ଓ DISIR ଆଇନ ବଳରେ ରାଜ୍ୟର ବିଭିନ୍ନ ଜେଲ ରେ କାରାବରଣ କରିଥିଲେ ସେମାନଙ୍କ ଏକ ନିର୍ଭୁଲ ତାଲିକା ଜିଲ୍ଲା ସ୍ତରରେ ପ୍ରସ୍ତୁତ କରାଯିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଆଭାସି ଯୋଗେ ସମସ୍ତ ଜିଲ୍ଲାପାଳ ଓ ଏସ ପି ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଆବେଦନକାରୀଙ୍କୁ ନିର୍ଦ୍ଧାରିତ ଫର୍ମାଟରେ ସମ୍ପୃକ୍ତ ଜିଲ୍ଲାର କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଏକ ଆବେଦନପତ୍ର ସହିତ ପ୍ରାସଙ୍ଗିକ ଡକ୍ୟୁମେଣ୍ଟ ଏବଂ ତିନି ଜଣ ପ୍ରମୁଖ ସହ-ବନ୍ଦୀଙ୍କ ନାମ ଏବଂ ଓଡ଼ିଶା ରାଜ୍ୟରେ ଉକ୍ତ ସମୟ ମଧ୍ୟରେ MISA କିମ୍ବା DIR କିମ୍ବା DISIR ଅଧୀନରେ ତାଙ୍କ ଅଟକର ସମର୍ଥନରେ ଏକ ଶପଥପତ୍ର ଦାଖଲ କରିବାକୁ ପଡିବ ।

ଆବେଦନ ଫର୍ମରେ ନାମ, ପିତା/ସ୍ୱାମୀଙ୍କ ନାମ, ଜନ୍ମ ତାରିଖ, ଠିକଣା (ସ୍ଥାୟୀ ଏବଂ ଚିଠିପତ୍ର ଉଭୟ), ଆଧାର ନମ୍ବର (ଆଧାର କାର୍ଡର କପି ସହିତ), ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଅଟକ ଅବଧି ଏବଂ ଅଟକ ସ୍ଥାନ, ପାସପୋର୍ଟ ଆକାର ଫଟୋଗ୍ରାଫ ପାଇଁ ସ୍ଥାନ, ଆବେଦନକାରୀଙ୍କ ପରିଚୟ ଚିହ୍ନ, ନିର୍ଦ୍ଧାରିତ ଫର୍ମାଟରେ ପେନସନ ଏବଂ ପ୍ରତିଶ୍ରୁତି ପାଇବାକୁ ଇଚ୍ଛୁକ ଟ୍ରେଜେରୀର ନାମ ରହିବ ।

ଆବେଦନ ପାଇବା ପରେ, ଏହାକୁ କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲା ସ୍ତରୀୟ କମିଟି ସମ୍ମୁଖରେ ରଖାଯିବ, ଯେଉଁଥିରେ ଜିଲ୍ଲାର ପୋଲିସ ଅଧୀକ୍ଷକ ଏବଂ ଜିଲ୍ଲା/ସ୍ୱତନ୍ତ୍ର ଜେଲ/ସବଜେଲର ଜେଲ ଅଧୀକ୍ଷକ (ମାନେ) ଆବେଦନଗୁଡ଼ିକର ଯାଞ୍ଚ ପାଇଁ ସଦସ୍ୟ ଭାବରେ ରହିବେ। ଉକ୍ତ କମିଟି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବେ। ସମ୍ପୃକ୍ତ କଲେକ୍ଟର ଏବଂ ଡି.ଏମ୍. କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଯୋଗ୍ୟ ଆବେଦନକାରୀଙ୍କ ତାଲିକା ସହିତ ସହାୟକ ଡକ୍ୟୁମେଣ୍ଟଗୁଡ଼ିକୁ ସରକାରଙ୍କ ଗୃହ ବିଭାଗକୁ ବିଚାର ପାଇଁ ପ୍ରଦାନ କରିବେ ।

ସମ୍ପୃକ୍ତ ଜିଲ୍ଲା କଲେକ୍ଟରଙ୍କଠାରୁ ପ୍ରାପ୍ତ ସୁପାରିଶଗୁଡ଼ିକୁ ବିଚାର କରିବା ପାଇଁ ସଚିବ (ସ୍ୱରାଷ୍ଟ୍ର ବିଭାଗ), ସଚିବ (ଅର୍ଥ ବିଭାଗ), ସଚିବ (ଆଇନ ବିଭାଗ), ଆର୍ଥିକ ପରାମର୍ଶଦାତା (ସ୍ୱରାଷ୍ଟ୍ର), ମହାନିର୍ଦ୍ଦେଶକ (ପୋଲିସ) ଏବଂ ମହାନିର୍ଦ୍ଦେଶକ (କାରାଗାର)ଙ୍କୁ ନେଇ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯିବ । ଗୃହ ବିଭାଗ ଉପରୋକ୍ତ ରାଜ୍ୟ ସ୍ତରୀୟ କମିଟିର ସୁପାରିଶ ଆଧାରରେ ଯୋଗ୍ୟ ଆବେଦନକାରୀଙ୍କ ସପକ୍ଷରେ ଲାଭ ବୃଦ୍ଧି ପାଇଁ ସରକାରୀ ନିର୍ଦ୍ଦେଶ ପାଇବ ଏବଂ ପେନସନ ଆଦାୟ ପାଇଁ ଯୋଗ୍ୟ ଆବେଦନକାରୀଙ୍କ ସପକ୍ଷରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଜାରି କରିବ ।

ଉକ୍ତ ଆଦେଶଟି A.G. (A&E), ଓଡ଼ିଶା, ଭୁବନେଶ୍ୱରକୁ ପ୍ରେରଣ କରାଯିବ ଏବଂ ଏହାର ଏକ କପି ଜିଲ୍ଲାପାଳ, ଜିଲ୍ଲା- /DTI (0) / ପୋଲିସ ଡିଜି / SP, ଜିଲ୍ଲା- / ସମ୍ପୃକ୍ତ ଜିଲ୍ଲା କୋଷାଗାର / ସମ୍ପୃକ୍ତ ବ୍ୟକ୍ତି ଇତ୍ୟାଦିଙ୍କୁ ପଠାଯିବ । ଉକ୍ତ ଆଦେଶ ପାଇବା ପରେ, A.G (A &E), ଓଡ଼ିଶା, ଭୁବନେଶ୍ୱର ସମସ୍ତ ସମ୍ପୃକ୍ତ (ସ୍ୱରାଷ୍ଟ୍ର ବିଭାଗ ଏବଂ ସମ୍ପୃକ୍ତ ବ୍ୟକ୍ତି)ଙ୍କୁ ସୂଚନା ଦେଇ ସମ୍ପୃକ୍ତ କୋଷାଗାରକୁ କ୍ଷମତା ପ୍ରଦାନ କରିବେ। ଉକ୍ତ କୋଷାଗାର ସେମାନଙ୍କ ସ୍ତରରେ ଉପଯୁକ୍ତ ଅନୁଧ୍ୟାନ ପରେ ଆବେଦନକାରୀଙ୍କ ସପକ୍ଷରେ ପେନସନ ଆଦାୟ ପାଇଁ ପଦକ୍ଷେପ ନେବ।

ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ୨୫.୦୬.୧୯୭୫ ରୁ ୨୧.୦୩.୧୯୭୭ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ସୁରକ୍ଷା ରକ୍ଷଣାବେକ୍ଷଣ ଆଇନ, ୧୯୭୧ (MISA) କିମ୍ବା ଭାରତର ପ୍ରତିରକ୍ଷା ନିୟମ (DIR) କିମ୍ବା (ଭାରତର ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ନିୟମ (DISIR) ଅନୁଯାୟୀ ଓଡ଼ିଶା ରାଜ୍ୟର ଜେଲରେ ବନ୍ଦୀ ଥିବା ବ୍ୟକ୍ତିମାନଙ୍କୁ ନିମ୍ନରେ ସୂଚିତ କରାଯାଇଥିବା ପରି ପେନସନ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ଜେଲରେ ବନ୍ଦୀ ଥିବା ଅବଧି ନିର୍ବିଶେଷରେ ଜୀବିତ ବ୍ୟକ୍ତିମାନଙ୍କ (ଅର୍ଥାତ୍ ଯେଉଁମାନେ ୦୧.୦୧.୨୦୨୫ ପର୍ଯ୍ୟନ୍ତ ଜୀବିତ ଥିଲେ) ପକ୍ଷରେ ମାସିକ ୨୦,୦୦୦/- ଟଙ୍କା ପେନସନ ମଞ୍ଜୁର କରାଯିବ; ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଂକଳ୍ପ ନଂ.୨୪୭୮୬/ତାରିଖ୨୧.୧୦.୨୦୦୯ ଏବଂ ଚିଠି ନଂ.୯୯୯୦/  ୨୪.୦୪.୨୦୧୦ ରେ ଥିବା ବ୍ୟବସ୍ଥା ଅନୁଯାୟୀ ମାଗଣା ଚିକିତ୍ସା ଉପଲବ୍ଧ ହୋଇପାରିବ ।

ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ଏହି ସୁବିଧାଗୁଡ଼ିକ ୧ ଜାନୁଆରୀ, ୨୦୨୫ ରୁ ଆରମ୍ଭ ହେଉଥିବା ଅବଧି ପାଇଁ ପ୍ରଦାନ କରାଯିବ। ୧ ଜାନୁଆରୀ, ୨୦୨୫ ପୂର୍ବ ଅବଧି ପାଇଁ କୌଣସି ସୁବିଧା ପ୍ରଦାନ କରାଯିବ ନାହିଁ । ଏହା ଅର୍ଥ ବିଭାଗ ଦ୍ୱାରା ସେମାନଙ୍କର OSWAS ଫାଇଲ୍ ନଂ.FIN-GS1-PEN-0040-2024 ମାଧ୍ୟମରେ ମଞ୍ଜୁର ହୋଇଛି । ଏହି ପେନସନ ଓଡ଼ିଶା ରାଜ୍ୟରେ ୨୫/୦୬/୧୯୭୫ ରୁ ୨୧/୦୩/୧୯୭୭ ପର୍ଯ୍ୟନ୍ତ MISA କିମ୍ବା DIR କିମ୍ବା DISIR ଅଧୀନରେ ବନ୍ଦୀ (ଯେଉଁମାନେ: ୦୧.୦୧.୨୦୨୫ ପର୍ଯ୍ୟନ୍ତ ଜୀବିତ ଥିଲେ)ଙ୍କ ସପକ୍ଷରେ ଦିଆଯିବ।

ଅର୍ଥ ବିଭାଗ/ସ୍ୱରାଷ୍ଟ୍ର ବିଭାଗ ଦ୍ୱାରା ଜାରି ନିର୍ଦ୍ଦେଶ ପାଳନ କରି ସମ୍ପୃକ୍ତ ଟ୍ରେଜେରୀ ଦ୍ୱାରା ପ୍ରତି ମାସରେ ମାସିକ ଆର୍ଥିକ ଲାଭ ଯୋଗ୍ୟ ଆବେଦନକାରୀଙ୍କୁ ବଣ୍ଟନ କରାଯିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।

ବୈଠକରେ ବିଧି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ଜେଲ ବିଭାଗର ମହାନିର୍ଦେଶକ ଶ୍ରୀ ଅରୁଣ ରାୟ, ଗୃହ ବିଭାଗର ସ୍ଵତନ୍ତ୍ର ସଚିବ ଶ୍ରୀ ଆର କେ ଶର୍ମା, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସୌମେନ୍ଦ୍ର ପାତ୍ର, ବିଧି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଏସ ମହାପାତ୍ର, ଗୃହ ବିଭାଗର ଏ ଏଫ ଏ ଶ୍ରୀ ଗଙ୍ଗାଧର ମଲ୍ଲିକ, ଅର୍ଥ ବିଭାଗର ଉପଶାସନ ସଚିବ ଅଶୋକ କୁମାର ଦୀକ୍ଷିତ ଉପସ୍ଥିତ ରହି ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୁଣା ପେନ୍‌ସନ୍ ପାଇଁ ନଭେମ୍ବରରେ ମହାଆନ୍ଦୋଳନ ଡାକରା

ଭୁବନେଶ୍ବର: ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ଲାଗୁ କରିବା ନିମନ୍ତେ ଅଦ୍ୟ ତା୧୫.୧୦.୨୦୨୩ରିଖ ରବିବାର ଦିବା ୨ ଘଟିକା ସମୟରେ “ଉତ୍କଳ ମଣ୍ଡପ”ଭୁବନେଶ୍ୱର ଠାରେ “ପୁରୁଣା ପେନ୍‌ସନ୍ ପାଇଁ ଜାତୀୟ ଆନ୍ଦୋଳନ” (ଏନ୍‌.ଏମ୍‌.ଓ.ପି.ଏସ୍‌.), ଓଡ଼ିଶା ରାଜ୍ୟଶାଖା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରୁଣା ପେନସନ୍ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ କର୍ମଚାରୀ ନେତା ଶ୍ରୀ ପ୍ରଭାତ ମହାନ୍ତି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ମାନୀୟ ଅତିଥି ଭାବେ ବାସୁଦେବ ଭଟ୍ଟ ଓ ପ୍ରସନ୍ନ ବିଶୋଇ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ସରକାର ପୁରୁଣା ପେନ୍‌ସନ୍ ତୁରନ୍ତ ଲାଗୁ କରନ୍ତୁ ବୋଲି ମତ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏନ୍‌.ଏମ୍‌.ଓ.ପି.ଏସ୍‌. ଓଡ଼ିଶାର ସମସ୍ତ କର୍ମକର୍ତ୍ତା ତଥା ରାଜ୍ୟର ସମସ୍ତ ସଂଗଠନର ସଭାପତି, ସମ୍ପାଦକ ତଥା ଜିଲ୍ଲା, ବ୍ଲକ ନେତୃତ୍ୱ ଓ ବିଭାଗର ମୁଖ୍ୟମାନେ ଯୋଗଦେଇ ସରକାରଙ୍କର ନୂତନ ପେନ୍‌ସନ୍ ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଥିଲେ ଏବଂ ଏଠାରେ ସୂଚନାଯୋଗ୍ୟ ଯେ କର୍ମଚାରୀମାନଙ୍କର ଅଂଶଧନକୁ ସରକାର ଅସ୍ଥିର ସେୟାର ମାର୍କେଟ୍‌ରେ ବିନିଯୋଗ କରି କର୍ମଚାରୀଙ୍କ ଶେଷ ଜୀବନକୁ ଦୁର୍ବିସହ ଅବସ୍ଥାକୁ ଠେଲି ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ଅବିକଳ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରେଇବା ପାଇଁ ସରକାରଙ୍କ ନିକଟରେ ଦାବିପତ୍ର ଉପସ୍ଥାପନ କରିଥିଲେ ।

କେନ୍ଦ୍ର ସରକାର ୧.୧.୨୦୦୪ ମସିହାରେ ଓ ରାଜ୍ୟ ସରକାର ୧.୧.୨୦୦୫ ମସିହାରେ ପୁରୁଣା ପେନ୍‌ସନ୍ ଉଚ୍ଛେଦ କରି ନୂତନ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିଥିଲେ । ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୨୫ ରୁ ୩୦ ବର୍ଷ ଚାକିରୀ କରି ଅବସର ପରେ ମାତ୍ର ୧୦୦୦ ଟଙ୍କା ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍ ପାଇ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍‌ସନ୍ ପୂର୍ବପରି ପାଉଛନ୍ତି ।

ସୂଚନାଯୋଗ୍ୟ କି କେନ୍ଦ୍ର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ନୂତନ ପେନ୍‌ସନ୍ ଉପରେ ଅନୁଧ୍ୟାନ କରାଯାଉଛି, ଏହାକୁ ସଂଗଠନ ତରଫରୁ ଦୃଢ ବିରୋଧ କରିବା ସହ ନୂତନ ପେନ୍‌ସନ୍ ପରିବର୍ତ୍ତେ ଅବିକଳ ପୁରୁଣା ପେନ୍‌ସନ୍ ଲାଗୁ କରାଇବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏଥିମଧ୍ୟରେ ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ ରାଜ୍ୟ କର୍ମଚାରୀମାନଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁରୁଣା ପେନ୍‌ସନ୍ ଲାଗୁ କରିଛନ୍ତି ।

ଏଠାରେ ସୂଚନାଯୋଗ ଯେ, ତା୧.୧.୨୦୦୪ରିଖରେ କେନ୍ଦ୍ର ସରକାର ପୁରୁଣା ପେନ୍‌ସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ଜାତୀୟ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରାଇବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ପଶ୍ଚିମବଙ୍ଗ ସରକାର ଏହାକୁ ଭୃକ୍ଷେପ ନକରି ପୂର୍ବଭଳି ଏପର୍ଯ୍ୟନ୍ତ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଚାଲୁ ରଖିଛନ୍ତି ।

ଗତ ଅକ୍ଟୋବର ୧ରେ ଦିଲ୍ଲୀର ରାମଲୀଳା ମଇଦାନଠାରେ ସବୁ ରାଜ୍ୟର ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀମାନେ ଏକତ୍ର ହୋଇ କେନ୍ଦ୍ର ସରକାରଙ୍କୁ ପୁରୁଣା ପେନସନ୍ ଲାଗୁ କରିବାକୁ ଅନୁରୋଧ କରିଥିଲେ । ଏନ୍‌.ଏମ୍‌.ଓ.ପି.ଏସ୍‌. ଓଡ଼ିଶା ରାଜ୍ୟ ଶାଖା ତରଫରୁ ମୁଖ୍ୟମନ୍ତ୍ରୀ ଓ ୫-ଟି’ ସଚିବଙ୍କୁ ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ୍ ୪୦ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ଅବିକଳ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିବାକୁ ସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ ଓ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଆଉ ୪ ଲକ୍ଷ ୧୩ ହଜାର ଜଣଙ୍କୁ ଦିଆଯିବ ପେନସନ

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବାଣ ମାରିଛନ୍ତି। ତାହା ହେଲା ରାଜ୍ୟରେ ଆଉ ନୂଆ ୪ ଲକ୍ଷ ୧୩ ହଜାର ଜଣଙ୍କୁ ମଧୁବାବୁ ପେନସନ ଦେବା ପାଇଁ ଘୋଷଣା କରିଛନ୍ତି। ସାମାଜିକ ସୁରକ୍ଷା ପେନ୍‌ସନ୍ ଅଧିନରେ ଏହି ଅତିରିକ୍ତ ସଂଖ୍ୟାକୁ ନବୀନ ଅନୁମୋଦନ କରିଛନ୍ତି।

ପୂର୍ବରୁ ଏହି ଯୋଜନା ଅଧିନରେ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଲାଭ ପାଉଥିଲେ। ବର୍ତ୍ତମାନ ଏହା ବୃଦ୍ଧି ପାଇ ୩୨ ଲକ୍ଷ ୭୫ ହଜାର ହିତାଧିକାରୀ ହେଲେ।

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୫ଟି ସଚିବ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ଅଭିଯୋଗ ଏବଂ ମୋ ସରକାରଙ୍କଠାରୁ ମିଳିଥିବା ମତାମତକୁ ବିଚାରକୁ ନେଇ ଏହି ଯୋଜନାରେ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ୫ ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଏବଂ ସିଏମଓର ଅନ୍ୟ ବରିଷ୍ଠ ଅଧିକାରୀମାନେ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ତୃଣମୂଳ ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ଗସ୍ତ କରୁଛନ୍ତି। ତାହାକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ଏହି ଅନୁମୋଦନ କରିଛନ୍ତି।

ସମସ୍ତ ନୂତନ ଅନୁମୋଦିତ ହିତାଧିକାରୀମାନେ ସେମାନଙ୍କର ପ୍ରଥମ ପେନସନ ରାଶି ଆସନ୍ତା ୧୫ ଅଗଷ୍ଟରେ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ କିମ୍ବା ୱାର୍ଡ ଅଫିସରେ ନିର୍ବାଚିତ ପ୍ରତିନିଧୀଙ୍କ ଉପସ୍ଥିତିରେ ପାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହିତାଧିକାରୀଙ୍କୁ ପେନ୍‌ସନ୍ ସୁଗମ ଏୂବଂ ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି।

ମଧୁ ବାବୁ ପେନ୍ସନ୍ ଯୋଜନା ଅଧୀନରେ ୨୮.୬୧ ଲକ୍ଷ ବା ୨୮,୬୧,୧୯୫ ଜଣ ହିତାଧିକାରୀଙ୍କୁ ଓଡ଼ିଶା ସରକାର ସାମାଜିକ ସୁରକ୍ଷା ପେନସନ ପ୍ରଦାନ କରୁଛନ୍ତି। ଏଥିରେ ମାସିକ ୫୦୦ ଟଙ୍କା, ୭୦୦ ଟଙ୍କା କିମ୍ବା  ୯୦୦ ଟଙ୍କା ପ୍ରଦାନ କରାଯାଉଛି।

ହିତାଧିକାରୀ ଯେପରିକି ବୟସ୍କ ବ୍ୟକ୍ତି, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, କୁଷ୍ଠରୋଗୀ, ଏଡସ୍ ରୋଗୀ, ଛାଡପତ୍ର / ଗରିବ, ଟ୍ରାନ୍ସଜେଣ୍ଡର ବ୍ୟକ୍ତି, କୋଭିଡ ପ୍ରଭାବିତ ପରିବାରର ଅନାଥ ପିଲା ଏବଂ ଅନ୍ୟାନ୍ୟ ଅସୁରକ୍ଷିତ ବ୍ୟକ୍ତି ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ମଧୁବାବୁ ପେନସନ ଯୋଜନାରେ ୦-୭୯ ବର୍ଷ ବୟସ ମଧ୍ୟରେ, ବିଭିନ୍ନ ବର୍ଗର ହିତାଧିକାରୀମାନେ ମାସକୁ  ୫୦୦ ଟଙ୍କା ପାଆନ୍ତି, ଯେତେବେଳେ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀମାନେ ମାସକୁ ୭୦୦ ଟଙ୍କା ପାଇଥାନ୍ତି।

ସେହିଭଳି, ଏହି ଯୋଜନା ଅଧୀନରେ ୪୦-୫୯ ପ୍ରତିଶତ ଅକ୍ଷମତା ଥିବା ହିତାଧିକାରୀମାନେ ମାସକୁ ୫୦୦ ଟଙ୍କା ଏବଂ ୬୦ ପ୍ରତିଶତ  ତଦୁର୍ଦ୍ଧ୍ୱ ଅକ୍ଷମତା ଥିବା ହିତାଧିକାରୀମାନେ ମାସକୁ ୭୦୦ ଟଙ୍କା ପାଇଥାନ୍ତି। ତେବେ ଯେଉଁଠାରେ ୬୦ ପ୍ରତିଶତ କିମ୍ବା ତାହାଠାରୁ ତଦୁର୍ଦ୍ଧ୍ୱ ଅକ୍ଷମତା ଏବଂ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀମାନେ ମାସିକ ୯୦୦ ଟଙ୍କା ପାଇଥାନ୍ତି।

ଏହି ୪ ଲକ୍ଷ ୧୩ ହଜାର ନୂତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ସହାୟକ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର

ଭୁବନେଶ୍ୱର : ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଏ. ଜି ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ହୋଇଯାଇଛି।

ଉପ -ମହାଲେଖାକାର ଶ୍ରୀରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ ମହାଲେଖାକାର ଶ୍ରୀ ଅନନ୍ତ କିଶୋର ବେହେରା ଯୋଗଦେଇ ଏ. ଜି କାର୍ଯ୍ୟଳୟରେ ପେନସନ ଓ ଭବିଷ୍ୟନିଧି କାଗଜପତ୍ର ପହଞ୍ଚିବାର ୩୦ ଦିନ ମଧ୍ୟରେ ପେନସନ ମଞ୍ଜୁରୀପତ୍ର ତତ୍କାଳ ପେନସନରମାନଙ୍କ ନିକଟକୁ ପଠାଇବାକୁ ନିର୍ଦେଶ ଦିଆ ଯାଇଅଛି ବୋଲି ପ୍ରକାଶ କରିଥିଲେ।

ବହୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ କାଗଜ ଜିଲ୍ଲା ସ୍ତରରେ ଥିବା ପେନସନ ମଂଜୁରକର୍ତ୍ତା ମାନଙ୍କ ନିକଟରେ ପଡି ରହିବା ଯୋଗୁଁ ପେନସନ ମଂଜୁର ବିଳମ୍ବିତ ହେଉଥିବାରୁ ଆସନ୍ତା ମାସରୁ ଜିଲ୍ଲାସ୍ତରୀୟ ପେନସନ ଅଦାଲତମାନ ଆୟୋଜନ କରାଯିବା ସହ ସେହିଠାରେ ସେମାନଙ୍କର ମଞ୍ଜୁରୀପତ୍ର ପ୍ରଦାନ କରାଯିବ। ଏହା ପୂର୍ବରୁ ପରୀକ୍ଷା ମୂଳକଭାବେ ମୟୁରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଦାଲତରେ ବହୁତ ପେନସନ ଅଭିଯୋଗ ଶୁଣାଣି କରାଯାଇ ସେହିଠାରେ ପେନସନ ମଂଜୁର କରାଯାଇଥିଲା।

ଉଭୟ ଜିଲ୍ଲାର ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗ ଯୋଗୁଁ ବହୁ ପେନସନର ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇ ପାରିଥିଲେ। ଏଥି ପାଇଁ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗ, ଜିଲ୍ଲାସ୍ତରୀୟ ପେନସନ ମଞ୍ଜୁରକର୍ତ୍ତା ଓ ପେନସନରମାନଙ୍କ ସକ୍ରିୟ ସହଯୋଗ ରହିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ପେନସନ କାଗଜ ପତ୍ର ଅବସରର ୬ ମାସ ପୂର୍ବରୁ ଏ. ଜି କାର‌୍ୟ୍ୟାଳୟକୁ ପଠାଇବାକୁ ନିୟମଥିଲେ ମଧ୍ୟ ଏହି ସମୟ ମଧ୍ୟରେ କେହି ପଠାଉ ନାହାନ୍ତି ଯାହା ଫଳରେ ସରକାରୀଙ୍କ ଅବସର ପୁର୍ବରୁ ସେମାନେ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ଅବସର ପୁର୍ବରୁ ପାଇ ପାରୁନାହାନ୍ତି।

ଏହି ଅଦାଲତରେ ଉପ -ମହାଲେଖାକାର (ପ୍ରଶାସନ ) କିଶୋର ରେଡ୍ଡୀ ପୋଲୁ,ପ୍ରଧାନ ମହାଲେଖାକାରଙ୍କ ସଚିବ ସୁଚିତ୍ରା ଭଟ୍ଟ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ, ଚାର ଓରାମ, ଅକ୍ଷୟ ମହାନ୍ତି, ପ୍ରଦୀପ ସେଠୀ ଗୌର ଚନ୍ଦ୍ର ସାହୁ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଅଦାଲତରେ ୮୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ଆବେଦନ ଉପରେ ଶୁଣାଣି କରାଯାଇ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀପତ୍ର ପଠାଇବାକୁ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନ ମହାଲେଖାକାର ନିର୍ଦେଶ ଦେଇଥିଲେ। ଏହି କାର‌୍ୟ୍ୟକ୍ରମକୁ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପୁରୁଷୋତ୍ତମ ବଳ, ସହକାରୀ ଲେଖା ଅଧିକାରୀ କଲ୍ୟାଣ କୁମାର ପଣ୍ଡା, ଶରତ ନାୟକ, ବିଜୟ କୁମାର ନାୟକ, ଚନ୍ଦ୍ର ଶେଖର ବେହେରା ଓ ବବିତା ସେଠୀ ସଂଯୋଜନା କରିଥିଲେ।