Categories
ଆଜିର ଖବର

ଓଡିଶାର ନୂଆ ରେଳପଥ ପାଇଁ ଖର୍ଚ୍ଚ ହେବ ୪୦୦୦ କୋଟି

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ (ଡିପିଆଇଆଇଟି) ତଥା ଲଜିଷ୍ଟିକ୍ସ ବିଭାଗର ସ୍ୱତନ୍ତ୍ର ସଚିବ ସୁମିତା ଦୱାରାଙ୍କ ଅଧ୍ୟକ୍ଷତାରେ ୫୮ତମ ନେଟୱାର୍କ ପ୍ଳାନିଙ୍ଗ ଗ୍ରୁପ (ଏନ୍‌ପିଜି) ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଏହି ନେଟୱାର୍କ ପ୍ଲାନିଂ ଗ୍ରୁପ ବୈଠକରେ ସଡକ ପରିବହନ ଓ ରାଜମାର୍ଗ, ରେଳବାଇ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ଶକ୍ତି ଓ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ଟେଲି ଯୋଗାଯୋଗ ବିଭାଗ ଓ ନୀତି ଆୟୋଗର ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏଥିରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ରାଜ୍ୟମାନଙ୍କର  ନୋଡାଲ ଅଧିକାରୀଗଣ  ଭାଗ ନେଇ ନିଜର ମତାମତ ଉପସ୍ଥାପନ କରିଥିଲେ।

ଏହି ବୈଠକରେ ଓଡିଶାରେ ସମ୍ପୂର୍ଣ୍ଣ  ନୂଆ ରେଳପଥ ନିର୍ମାଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହି ରେଳପଥ  ନିର୍ମାଣ ପାଇଁ ୪୦୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚହେବ । ଏହି ରେଳପଥ ନିର୍ମାଣ ଦ୍ୱାରା ଓଡିଶାର ବନ୍ଦରଗୁଡିକୁ ରେଳ ସଂଯୋଗ ସୁବିଧା ବଢିବା ସହ ମାଲ ପରିବହନ ବ୍ୟବସ୍ଥା ସୁଗମ ହେବ । ଏହାଛଡା ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଖଣି ଅଞ୍ଚଳରୁ ବନ୍ଦରକୁୁ ସୁବିଧାରେ ପରିବହନ କରିବାରେ ଏହି ନୂଆ ରେଳପଥ ସହାୟକ ହେବ । ଏହା ଦ୍ୱାରା ଓଡିଶାରେ ମଲ୍ଟିମୋଡାଲ କନେକ୍ଟିଭିଟି ବଢିବା ସହିତ ଶିଳ୍ପାୟନ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ ।

ଆଜିର ବୈଠକରେ ମଧ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଉତ୍ତର ପ୍ରଦେଶ ଓ କେରଳରେ ନିର୍ମିତ ହେବାକୁ ଥିବା ବୃହତ୍ ସଡକ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ସେହି ସଡକ ପ୍ରକଳ୍ପ ଏସବୁ ରାଜ୍ୟର ଖଣି, କୃଷି ଓ ଶିଳ୍ପାଞ୍ଚଳ ସହିତ ଅନଗ୍ରସର ଇଲାକାକୁ ଯୋଡି ନିର୍ମିତ ହେବାକୁ ଥିବାରୁ ସମ୍ପୃକ୍ତ ଅଞ୍ଚଳର ଶିଳ୍ପାୟନ ଓ ଅର୍ଥନୀତିକ ବିକାଶ ପ୍ରକ୍ରିୟାରେ ଏହା ସହାୟକ ହେବ । ଏହି ସଡକ ପ୍ରକଳ୍ପ ମଧ୍ୟ ପରିବହନ ବ୍ୟବସ୍ଥାକୁ  ସେହି ଅଞ୍ଚଳରେ ସୁବ୍ୟବସ୍ଥିତ କରିବା ସହିତ ସ୍ୱାସ୍ଥ୍ୟସେବା ଶିକ୍ଷାବିକାଶ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । ବିଶେଷକରି ଏହି ସଡକ ପ୍ରକଳ୍ପ ଦ୍ୱାରା ଅନେକ ଗ୍ରାମାଞ୍ଚଳକୁ ସଂଯୋଗ ବ୍ୟବସ୍ଥା ସୁଗମ ହୋଇ ସେ ଅଞ୍ଚଳର ଭାଗ୍ୟୋଦୟ ହେବ । ଲୋକେ ଅଳ୍ପ ସମୟରେ ସହଜେରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ  ଏବଂ ସେମାନଙ୍କ ଅର୍ଥନୀତିକ ପ୍ରକ୍ରିୟା ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡିବ । ସେ ଅଞ୍ଚଳରେ ନୂଆ ନୂଆ ଶିଳ୍ପଦ୍ୟୋଗ ସ୍ଥାପନ ସହ ନିଯୁକ୍ତି ସୁଯୋଗ ବଢିବ।

ଏସବୁ ଅଞ୍ଚଳରେ ଆଞ୍ଚଳିକ ବିକାଶ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଏହି ବୈଠକରେ ସ୍ୱତନ୍ତ୍ର ସଚିବ ସମ୍ପୃକ୍ତ ମନ୍ତ୍ରଣାଳଗୁଡିକ ଅନୁରୋଧ କରିଥିଲେ । ସମ୍ପୃକ୍ତ  ରାଜ୍ୟ ସରକାରମାନେ ମଧ୍ୟ ଆବଶ୍ୟକ ସାହାଯ୍ୟ ସହଯୋଗ ଏଥିପାଇଁ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ଯେଉଁ ଅଞ୍ଚଳର ଭିତ୍ତିଭୂମିର ଅଭାବ ରହିଚି ତାହାକୁ ଚିହ୍ନଟ କରି ସେଥି ପାଇଁ ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ କହିବା ସହିତ ଏକ୍ଷେତ୍ରରେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଆବଶ୍ୟକ ସହଯୋଗ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଥିଲେ ।

ପିଏମ୍ ଗତିଶକ୍ତି ଯୋଜନାରେ ସମନ୍ୱିତ ଯୋଜନାକୁ ଅଗ୍ରାଧିକାର ଦିଆଯାଉଛି । ଏଥିରେ ମଲ୍ଟି ମୋଡାଲ କନେକ୍ଟିଭିଟି ଅଗ୍ରାଧିକାର ପାଇଛି । ଏହି ମଲ୍ଟି ମୋଡାଲ ବ୍ୟବସ୍ଥାରେ ରେଳ, ସଡକ,ବନ୍ଦର ଓ ଅନ୍ୟାନ୍ୟ ପରିବହନ ଭିତ୍ତିଭୂମି ଅନ୍ତର୍ଭୁକ୍ତ । ଯେଉଁ ଅଞ୍ଚଳ ଅବିକଶିତ ଓ ଯେଉଁଠି ସଂଯୋଗ ଓ ଭିତ୍ତିଭୂମି ବ୍ୟବସ୍ଥା ନାହିଁ ତାହାକୁ ଚିହ୍ନଟ  କରି ମୋଡାଲ କନେକ୍ଟିଭିଟି ସୁବିଧା ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତଭାବେ କାର୍ଯ୍ୟ କରାଯାଉଛି । ଡାଟାକୁ ଆଧାର କରି ସକ୍ରିୟ ସହଯୋଗ  ଭିତ୍ତିରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଏହାର ପ୍ରଗତି ସନ୍ତୋଷଜନକ ରହିଛି ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନ ଏନ୍‌ପିିଜି ପକ୍ଷରୁ ଛ’ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ସୁପାରିସ

ନୂଆଦିଲ୍ଲୀ: ଡିପିଆଇଆଇଟିର ସ୍ୱତନ୍ତ୍ର ସଚିବ ସୁମିତ୍ରା ଦୱରାଙ୍କ ଅଧ୍ୟକ୍ଷତାରେ ଚଳିତମାସ ୧୨ତାରିଖରେ ନୂଆଦିଲ୍ଲୀଠାରେ ୫୫ତମ ନେଟୱାର୍କର୍ ପ୍ଲାନିଂ ଗ୍ରୁପ (ଏନ୍‌ପିିଜି)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଡକ ପରିବହନ, ବେସାମରିକ ଉଡାଣ, ରେଳବାଇ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ଶକ୍ତି ଓ ଅକ୍ଷୟ ଶକ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଟେଲିଯୋଗାଯୋଗ ବିଭାଗ ଓ ନୀତି ଆୟୋଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏଥିରେ ଶ୍ରୀମତୀ ଦୱରା କହିଥିଲେ ଯେ ପ୍ରକଳ୍ପ ଯୋଜନା ପ୍ରସ୍ତୁତିରେ ସରକାର ସାମୁହିକ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ଏଥିରେ ସବୁ ମନ୍ତ୍ରଣାଳୟ ଓ ବିଭାଗ ସବୁମନ୍ତେ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି । ଏହା ଫଳରେ ପ୍ରକଳ୍ପ ପ୍ରସ୍ତୁତି ବା ପ୍ରୋଜେକ୍ଟ ପ୍ଲାନିଂ ଏବଂ ଏହାର କାର୍ଯ୍ୟକାରିତାରେ ନୂଆ ଦିଶା ମିଳିଛି। ସବୁ ମନ୍ତ୍ରଣାଳୟ ଓ ବିଭାଗର ସହଯୋଗରେ ପିଏମ୍ ଗତିଶକ୍ତି ଯୋଜନାର କାର୍ଯ୍ୟକାରିତା ତ୍ୱରାନ୍ୱିତ ହେଉଛି । ଏହି ବୈଠକ ଅବସରରେ ପିଏମ୍ ଗତିଶକ୍ତି ଯୋଜନାର ବିଭିନ୍ନ ଲାଭ ସମ୍ପର୍କରେ ତଥ୍ୟାବଳୀ ଉପସ୍ଥାପିତ ହୋଇଥିଲା। ଏଥିରେ ଏନ୍‌ଏସ୍‌ପିର ଡିଜିଟାଲ ସର୍ଭେ, ଡିପିଆର ପ୍ରସ୍ତୁତି ବାବଦ ସମୟ ହ୍ରାସ, ଟେକ୍‌ନୋଲୋଜି ସହାୟତାରେ ଦକ୍ଷ ପ୍ରକଳ୍ପର ପ୍ରଶାସନ ବ୍ୟବସ୍ଥା ତଥା ସାମାଜିକ କ୍ଷେତ୍ର ପାଇଁ ସୃଷ୍ଟି ହୋଇଥିବା ସମ୍ବଳ ଆଦି ସ୍ଥାନ ପାଇଥିଲା।

ବୈଠକରେ ଛ’ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇ ତାହାର କାର୍ଯ୍ୟକାରିତା ନିମନ୍ତେ ସରକାରଙ୍କୁ ସୁପାରିସ କରାଯାଇଛି । ଏଥିରେ ରହିଛି ତିନିଟି ରେଳବାଇ ଓ ତିନିଟି ସଡକ ପ୍ରକଳ୍ପ । ଏଥିରେ ଓଡିଶାରେ ଏକ ନୂଆ ରେଳପଥ ନିର୍ମାଣ ସହିତ ଓଡିଶା ଦେଇ ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ସଂଯୁକ୍ତ କରିବା ପାଇଁ ଏକ ନୂଆ ରେଳପଥ ନିର୍ମାଣ ହେବ ।  ଏହାକୁ ମିଶାଇ ଏନ୍‌ପିଜି ଦ୍ୱାରା ଏଯାଏ ମୋଟ ୧୦୬ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ସୁପାରିସ କରାଯାଇଥିବାବେଳେ ଏ ବାବଦରେ ମୋଟ ଖର୍ଚ୍ଚ ଆକଳନ ହୋଇଛି ୧୧ଲକ୍ଷ କୋଟି ଟଙ୍କା ।

ଯେଉଁ ତିନିଟି ରେଳ ପ୍ରକଳ୍ପକୁ ଏନ୍‌ପିଜି ସୁପାରିସ କରିଛି ସେଗୁଡିକ ହେଲା ଓଡିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ଏକ ସମ୍ପୂର୍ଣ୍ଣ ନୂଆ ରେଳପଥ ନିର୍ମାଣ, କେବଳ ଓଡିଶାରେ ଏକ ସ୍ୱତନ୍ତ୍ର ରେଳପ୍ରକଳ୍ପ ନିର୍ମାଣ ଯାହା ବର୍ତ୍ତମାନର ରେଳପଥର ଭିଡ ହ୍ରାସ କରିବାକୁ ଉଦ୍ଧିଷ୍ଟ ଏବଂ ତୃତୀୟଟି ଗୁଜରାଟରେ ନିର୍ମିତ ହେବାକୁ ଥିବା ଏକ ରେଳ ପ୍ରକଳ୍ପ । ଏସବୁ ନୂଆ ରେଳପ୍ରକଳ୍ପ ଇସ୍ପାତ, ସିମେଣ୍ଟ ଓ ଶକ୍ତି ଉଦ୍ୟୋଗକୁ ଲାଭନ୍ୱିତ କରିବ । ଏହା ଦ୍ୱାରା କୋଇଲା, ଚୂନପଥର, ଲୁହାପଥର ଓ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀ ପରିବହନ ସୁଗମ ହେବ । ଏହାଛଡା ଏହି ନୂଆ ରେଳପଥ ଯାତ୍ରୀ ପରିବହନ ବ୍ୟବସ୍ଥାରେ ମଧ୍ୟ ସହାୟକ ହେବ । ଏସବୁ ରେଳପ୍ରକଳ୍ପ ଖଣି ଓ ଶିଳ୍ପାଞ୍ଚଳ ମଧ୍ୟରେ ଦୂରତ୍ୱ ହ୍ରାସ କରିବା ସହ ବର୍ତ୍ତମାନର ରେଳପଥ ଉପରୁ ଚାପ କମାଇବ । ଏହି ତିନି ପ୍ରକଳ୍ପ ପାଇଁ ୫୩୭୪.୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ହିସାବ କରାଯାଇଛି । ରେଳବାଇ ଏହି ଅର୍ଥ ଖର୍ଚ୍ଚ କରିବ ।

ସେହିଭଳି ତିନିଟି ସଡକ ପ୍ରକଳ୍ପ ପାଇଁ ୮୭୦୬କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସଡକ ଓ ରାଜମାର୍ଗ ମନ୍ତ୍ରଣାଳୟ ଏହାକୁ କାର୍ଯ୍ୟକାରୀ କରିବ । ଏହି ତିନିଟି ପ୍ରକଳ୍ପ ହେଲା ଧ୍ରୁବୀ ବ୍ରିଜ-ଗୋଏରାଗ୍ରେ, ଖଡଗପୁର-ମୋରେଗ୍ରାମ୍ ଓ ଦେଓଘର ବାଇପାସ୍ । ପ୍ରଥମ ପ୍ରକଳ୍ପଟି  ଏହା ଏବେ ନିର୍ମାଣଧୀନ ୪ଲେନ ବିଶିଷ୍ଟ ଧ୍ରୁବ୍ରୀ-ଫୁଲବାଡି ସେତୁକୁ ସଂଯୋଗ କରି  ପୂର୍ବ-ପଶ୍ଚିମ ରୋଡ କରିଡର ସହିତ ସଂଯୁକ୍ତ ହେବ । ଏହା ଫଳରେ ଉତ୍ତର ପୂର୍ବାଞ୍ଚଳ ସହିତ ଦେଶର ମୁକ୍ୟ ଭୂଖଣ୍ଡକୁ ଉତ୍ତମ ସଡ ସଂଯୋଗ ସ୍ଥାପିତ ହୋଇପାରିବ । ଭାରତ ସରକାର ଏହା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି । ଏହା ମଧ୍ୟ ଭାରତ-ବାଂଲାଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ସୁଗମ କରିବ । ଦୁଇ ଦେଶର ସୀମାବର୍ତ୍ତୀ ଅଞ୍ଚଳର ଲୋକେ ଏହା ଦ୍ୱାରା ବିଶେଷ ଉପକୃତ ହେବେ।

ସେହିଭଳି ଖଡଗପୁର ଓ ମୋରେଗ୍ରାମ ମଧ୍ୟରେ ଏକ ନୂଆ ରାଜପଥ ନିର୍ମାଣ ହେବ  ।ଏହା ଖଡଗପୁର-ସିଲିଗୁଡି ରାଜପଥର ଅଂଶ ବିଶେଷ ପାଲଟିବ । ଏହାଫଳରେ ଖଡଗପୁର ଓ ସିଲିଗୁଡି ମଧ୍ୟରେ ଦୂରତ୍ୱ ୧୧୨କିଲୋମିଟର ଓ ଯାତ୍ରା ସମୟ ସାତଘଣ୍ଟା ହ୍ରାସ ପାଇବ । ଏହି ପ୍ରକଳ୍ପ ଦ୍ୱାରା ଏକାଧିକ ଆକାଂକ୍ଷୀ ଜିଲ୍ଲା  ଏବଂ ମାସ ଅଧୁଷିତ ପଶ୍ଚିମ ମେଦିନୀପୁର ଜିଲ୍ଲାକୁ ଲାଭ ମିଳିବ । ଏହି ନୂଆ ସଡକପଥ ମଧ୍ୟ କୋଲକାତା- ହଳଦିଆ ମଧ୍ୟରେ ଆର୍ନ୍ତଜାତିକ ବାଣିଜ୍ୟ କାରବାରକୁ ସୁଗମ ହେବ । ଏହି ସଡକ ପ୍ରକଳ୍ପ ଦ୍ୱାରା ଏକାଧିକ ଅ

ତୃତୀୟ ସଡକ ପ୍ରକଳ୍ପଟି ଝାଡଖଣ୍ଡର ଦେଓଘର ଦେଇ ନିର୍ମିତ ହେବ । ଏହା ମୁଖ୍ୟତଃ ଏକ ବାଇପାସ୍ ସଡକ ହେବ  ଏବଂ ଦେଓଘର ସହର ନିକଟ ଦେଇ ଯିବ । ଏହା ଦ୍ୱାରା ସେହି ସହରର ଟ୍ରାଫିକ ବୋଝ ହ୍ରାସ ପାଇବା ସହ ସ୍ଥାନୀୟ ଶିଳ୍ପ ସଂସ୍ଥା ଓ ଉଦ୍ୟୋଗ ଲାଭ ପାଇବେ ।

ଏସବୁ ପ୍ରକଳ୍ପ ସମ୍ପୃକ୍ତ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶ ପାଇଁ ମଲ୍‌ଟି ମୋଡାଲ ସଂଯୋଗ ବ୍ୟବସ୍ଥା ଯୋଗାଇବ ।