Categories
ଆଜିର ଖବର ଜାତୀୟ ଖବର

ପୋଷଣଯୁକ୍ତ ଚାଉଳ: ସୂକ୍ଷ୍ମ ପୋଷକ ତତ୍ତ୍ୱ ଅଭାବ ଦୂର କରିବା ପାଇଁ କେନ୍ଦ୍ରର ମହତ୍ୱାକାଂକ୍ଷୀ ପଦକ୍ଷେପ

ନୂଆଦିଲ୍ଲୀ: ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ସମେତ ସରକାରଙ୍କ ସମସ୍ତ ଯୋଜନା ଅଧୀନରେ ଫର୍ଟିଫାଏଡ୍ ବା ପୋଷଣଯୁକ୍ତ ଚାଉଳ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ସହିତ ଦେଶରେ ପୋଷକ ତତ୍ତ୍ୱ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଭାବକୁ ଦୂର କରିବା ପାଇଁ ଏକ ପରିପୂରକ ରଣନୀତି ଭାବରେ କେନ୍ଦ୍ର ସରକାର ଏହି ମହତ୍ୱାକାଂକ୍ଷୀ ପଦକ୍ଷେପ ଜାରି ରଖିଛନ୍ତି।

ଏଠାରେ କହିବା ବାହୁଲ୍ୟ ଯେ, ପୋଷଣଯୁକ୍ତ ଚାଉଳ ସେବନ ସମସ୍ତଙ୍କ ପାଇଁ ସୁରକ୍ଷିତ ଅଟେ। ଥାଲାସେମିଆ ଏବଂ ସିକେଲ ସେଲ୍ ଆନିମିଆ ଭଳି ହେମୋଗ୍ଲୋବିନୋପାଥିରେ ପୀଡ଼ିତ ବ୍ୟକ୍ତି ମଧ୍ୟ ଏହାକୁ ଖାଇପାରିବେ ଯାକି ବୈଜ୍ଞାନିକ ପ୍ରମାଣ ଦ୍ୱାରା ସିଦ୍ଧ ହୋଇଛି।

ଖାଦ୍ୟ ନିରାପତ୍ତା ଏବଂ ମାନକ (ଫର୍ଟିଫିକେସନ୍ ଅଫ୍ ଫୁଡ୍ସ) ନିୟମାବଳୀ, ୨୦୧୮ ଅନୁଯାୟୀ ଭାରତରେ ପୋଷଣଯୁକ୍ତ ଚାଉଳ ପ୍ୟାକେଟରେ ପୂର୍ବରୁ ଥାଲାସେମିଆ ଏବଂ ସିକଲ୍ ସେଲ୍ ଆନିମିଆରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଉଲ୍ଲେଖ କରିବା ଆବଶ୍ୟକ ଥିଲା। ଏହି ପରାମର୍ଶର ଆବଶ୍ୟକତା ଉପରେ ଏକ ବୈଜ୍ଞାନିକ କମିଟି ପ୍ରଶ୍ନ ଉଠାଇ କହିଛି ଯେ ପ୍ୟାକେଜିଂ ଉପରେ ଅନ୍ୟ କୌଣସି ଦେଶ ଏଭଳି ମାର୍ଗଦର୍ଶିକା ଲେବଲ୍କୁ ବାଧ୍ୟତାମୂଳକ କରିନାହାନ୍ତି। ଏହାର ଜବାବରେ ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ୨୦୨୩ ମସିହାରେ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ଏହି ହିମୋଗ୍ଲୋବିନୋପାଥୀ ରୋଗ ଥିବା ଲୋକଙ୍କ ପାଇଁ ଲୌହ ସାରଯୁକ୍ତ ଫର୍ଟିଫାଇଡ୍ ଚାଉଳର ନିରାପତ୍ତା ଆକଳନ କରିଥିଲା।

କାର୍ଯ୍ୟକାରୀ ଗୋଷ୍ଠୀର ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନର ପ୍ରମାଣ ଏଭଳି ବ୍ୟକ୍ତିବିଶେଷଙ୍କ ପାଇଁ କୌଣସି ସୁରକ୍ଷା ଚିନ୍ତାକୁ ସମର୍ଥନ କରେ ନାହିଁ। ଥାଲାସେମିଆ ରୋଗୀଙ୍କ ରକ୍ତ ସଞ୍ଚାଳନ ସମୟରେ ଶୋଷିତ ଲୌହସାର ତୁଳନାରେ ପୋଷଣଯୁକ୍ତ ଚାଉଳରୁ ମିଳୁଥିବା ଲୌହସାର ସର୍ବନିମ୍ନ ଅଟେ ଏବଂ ଅତିରିକ୍ତ ଲୌହସାର ପ୍ରଭାବ ବା ଆଇରନ୍‌ ଓଭରଲୋଡ୍‌ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ କେଲେଶନ ଦ୍ୱାରା ଚିକିତ୍ସା କରାଯାଏ। ଏହାବ୍ୟତୀତ, ସିକଲ୍ ସେଲ୍ ଆନିମିଆରେ ପୀଡ଼ିତ ବ୍ୟକ୍ତିଙ୍କ ଠାରେ ସ୍ୱାଭାବିକ ରୂପେ ହେପସିଡିନ ନାମକ ହର୍ମୋନ ସ୍ତର ବଢ଼ିଥିବା ଥିବା କାରଣରୁ ଅତିରିକ୍ତ ଲୌହସାରକୁ ଅବଶୋଷିତ କରିବାର କ୍ଷମତା ରହିନଥାଏ। ହେପସିଡିନ୍‌ ଏପରି ଏକ ହର୍ମୋନ ଯାହା ଲୌହସାର ଅବଶୋଷଣକୁ ନିୟନ୍ତ୍ରିତ କରିଥାଏ।

ଏହି ଆକଳନ ପରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ବ୍ୟାପକ ସମୀକ୍ଷା କରାଯାଇଥିଲା। ହେମାଟୋଲୋଜି, ପୋଷଣ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି କମିଟି ଲୌହସାର ମେଟାବୋଲିଜିମ୍, ଫର୍ଟିଫାଇଡ୍ ଚାଉଳରୁ ଆଇରନ୍ ଡୋଜ୍ ର ନିରାପତ୍ତା ଏବଂ ବିଶ୍ୱସ୍ତରୀୟ ଲେବଲିଂ ଉପରେ ଏକ ଗଭୀର ବିଷୟଗତ ସମୀକ୍ଷା କରିଥିଲେ।

ଏହି ବିଶ୍ୱସ୍ତରୀୟ ବୈଜ୍ଞାନିକ ସମୀକ୍ଷା ଆଧାରରେ କମିଟି କୌଣସି ପ୍ରମାଣ ପାଇନାହିଁ ଯେ ଲୌହସାର ଥିବା ପୋଷଣଯୁକ୍ତ ଚାଉଳ ଏହି ହିମୋଗ୍ଲୋବିନୋପାଥି ଥିବା ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ। ଆଦିବାସୀ ଅଞ୍ଚଳର ୮,୦୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଭାରତରେ ହୋଇଥିବା ଏକ ବୃହତ ଗୋଷ୍ଠୀ ଅଧ୍ୟୟନରୁ ଜଣାପଡିଛି ଯେ ସିକଲ ସେଲ ରୋଗରେ ପୀଡ଼ିତ ପ୍ରାୟ ଦୁଇ ତୃତୀୟାଂଶ ରୋଗୀ ଆଇରନ୍ ଅଭାବ ଅନୁଭବ କରନ୍ତି। ସିକଲ୍ ସେଲ୍ ଆନିମିଆ ବା ଥାଲାସେମିଆ ପାଇଁ ଫର୍ଟିଫାଇଡ୍ ଚାଉଳ ଖାଇବା ଦ୍ୱାରା କ୍ଷତି ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ଉପଲବ୍ଧ ନାହିଁ।

ସୂଚନାଯୋଗ୍ୟ ଯେ ଡବ୍ଲ୍ୟୁଏଚଓ ଏବଂ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ଭଳି ସଂସ୍ଥା ମଧ୍ୟ ପ୍ୟାକେଜିଂ ଉପରେ ଏଭଳି ମାର୍ଗଦର୍ଶିକାକୁ ବାଧ୍ୟତାମୂଳକ କରନ୍ତି ନାହିଁ।

ଭାରତରେ, ଯେଉଁଠି ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ୨,୬୪,୦୦୦ରୁ ଅଧିକ ହିତାଧିକାରୀ ଅଛନ୍ତି, ସେଠାରେ ବିପୁଳ ପରିମାଣରେ ଫର୍ଟିଫାଇଡ୍ ଚାଉଳ ବଣ୍ଟନ ହୋଇସାରିଛି, ସେଠାରେ ଲୌହସାର ଓଭରଲୋଡ୍ ସମ୍ବନ୍ଧୀୟ କୌଣସି ପ୍ରତିକୂଳ ସ୍ୱାସ୍ଥ୍ୟ ଫଳାଫଳ ସମ୍ପର୍କରେ ଅଭିଯୋଗ ଆସିନାହିଁ। ମାର୍ଗଦର୍ଶିକାକୁ ବାଦ୍ ଦେବା ପାଇଁ କମିଟିର ସୁପାରିସକୁ ଏହା ଆହୁରି ପ୍ରମାଣିତ କରୁଛି।

ମାର୍ଗଦର୍ଶିକାକୁ ହଟାଇ ଦେବା ଲାଗି କମିଟି ସୁପାରିସ କରିଛି ଯାହାକୁ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ସ୍ୱୀକାର କରି ନେଇଛି। ଖାଦ୍ୟ ପ୍ରାଧିକରଣର ୪୪ତମ ବୈଠକରେ ଅନୁମୋଦନ ମିଳିବା ପରେ ଜୁଲାଇ ୨୦୨୪ରେ ଏହି ମାର୍ଗଦର୍ଶିକାକୁ ଆନୁଷ୍ଠାନିକ ଭାବେ ହଟାଇ ଦିଆଯାଇଥିଲା।

୨୦୧୯ ମସିହାରେ ଭାରତର ଚାଉଳ ଫୋର୍ଟିଫିକେସନ୍‌ କାର୍ଯ୍ୟକ୍ରମକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇ ପରେ ଏହାକୁ ୩ଟି ପର୍ଯ୍ୟାୟରେ ବୃଦ୍ଧି ପାଇଥିଲା। ଫୋର୍ଟିଫିକେସନ୍ ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଅଭ୍ୟାସ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସହିତ ସଂଯୁକ୍ତ ମାର୍ଗଦର୍ଶିକାକୁ ଭାରତ ଅନୁସରଣ କରେ। ଡବ୍ଲ୍ୟୁଏଚ୍ଓର ୨୦୧୮ ସୁପାରିସ ଅନୁଯାୟୀ, ଯେଉଁ ଦେଶରେ ଭାତ ଏକ ମୁଖ୍ୟ ଖାଦ୍ୟ ଅଟେ ସେଠାରେ ଲୌହସାର ସହିତ ଚାଉଳ ଫର୍ଟିଫିକେସନ୍ ଜରୁରୀ ଅଟେ। ଭାରତରେ ୬୫% ଲୋକ ଦୈନିକ ଚାଉଳ ଖାଉଥିବା ବେଳେ ଲୌହସାର ଯୁକ୍ତ ଚାଉଳ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅଧୀନରେ ବାର୍ଷିକ ୫୨୦ ଲକ୍ଷ ମେଟ୍ରିକ୍ ଟନ୍ ଫର୍ଟିଫାଏଡ୍ ଚାଉଳ କିଣାଯିବ। ବର୍ତ୍ତମାନ ସମଗ୍ର ଦେଶରେ ୧,୦୨୩ ଏଫଆରକେ ଉତ୍ପାଦନକାରୀ ଅଛନ୍ତି, ଯେଉଁମାନଙ୍କର ବାର୍ଷିକ ଉତ୍ପାଦନ କ୍ଷମତା ୧୧୧ ଏଲଏମଟି ରହିଛି, ଯାହା କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ୫.୨୦ ଏଲଏମଟି ଠାରୁ ଯଥେଷ୍ଟ ଅଧିକ। ଏହାବ୍ୟତୀତ ବାର୍ଷିକ ୭୫ ଏଲଏମଟି କ୍ଷମତା ବିଶିଷ୍ଟ ୨୩୨ ଜଣ ପ୍ରିମିକ୍ସ ଯୋଗାଣକାରୀ ଅଛନ୍ତି, ଯାହା କି ଆବଶ୍ୟକତା ଠାରୁ ୦.୧୦୪ ଏଲଏମଟି ଠାରୁ ଅଧିକ।

ଭାରତରେ ଚାଉଳ ଫର୍ଟିଫିକେସନ୍ ବା ପୋଷକ ତତ୍ତ୍ୱ ମିଶ୍ରଣ ପାଇଁ ଇକୋସିଷ୍ଟମ ଯଥେଷ୍ଟ ବିସ୍ତାରିତ ହୋଇଛି। ବର୍ତ୍ତମାନ କାର୍ଯ୍ୟକ୍ଷମ ୩୦,୦୦୦ ରାଇସ୍ ମିଲ୍ ମଧ୍ୟରୁ ୨୧,୦୦୦ରୁ ଅଧିକ ମିଶ୍ରଣ ପାଇଁ ଉପକରଣ ସ୍ଥାପନ କରିଛନ୍ତି, ଯେଉଁଥିରେ ମାସକୁ ମୋଟ ୨୨୩ ଏଲଏମଟି ଫର୍ଟିଫାଇଡ୍ ଚାଉଳ ପ୍ରସ୍ତୁତ ହୋଇପାରିବ। ପରୀକ୍ଷଣ ଭିତ୍ତିଭୂମି ମଧ୍ୟ ବୃଦ୍ଧି ପାଇଛି, ସମଗ୍ର ଭାରତରେ ଅନେକ ଏନଏବିଏଲ୍ ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାର ଫର୍ଟିଫାଇଡ୍ ଚାଉଳର ଗୁଣବତ୍ତା ଭଲ ଭାବେ ଯାଞ୍ଚ କରୁଛନ୍ତି।

ଚାଉଳ ଫର୍ଟିଫିକେସନ୍ ହେଉଛି ଏକ ସୁପ୍ରତିଷ୍ଠିତ ବୈଶ୍ୱିକ ପ୍ରଥା। ଗ୍ଲୋବାଲ ଫୋର୍ଟିଫିକେସନ୍ ଡାଟା ଏକ୍ସଚେଞ୍ଜ ଅନୁଯାୟୀ, ୧୮ଟି ଦେଶ ସକ୍ରିୟ ଭାବେ ଚାଉଳ ଫର୍ଟିଫିକେସନ୍, ୧୪୭ଟି ଲୁଣ ଫର୍ଟିଫିକେସନ୍, ୧୦୫ଟି ଗହମ ଅଟା ଫର୍ଟିଫିକେସନ୍, ୪୩ଟି ତୈଳ ଫର୍ଟିଫିକେସନ୍ ଏବଂ ୨୧ଟି ମକା ଅଟାର ଫର୍ଟିଫିକେସନକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ଦେଶମାନଙ୍କରେ ଥାଲାସେମିଆ କିମ୍ବା ସିକଲ୍ ସେଲ୍ ଆନିମିଆ ଥିବା ବ୍ୟକ୍ତିଙ୍କ ପାଇଁ ପ୍ୟାକେଟ୍‌ରେ କୌଣସି ମାର୍ଗଦର୍ଶିକା ଲେବଲ୍ ଲଗାଇବା ଆବଶ୍ୟକ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମାଗଣା ଚାଉଳ ଯୋଗାଣ ଯୋଜନା ଆଉ ଚାରି ବର୍ଷ ପାଇଁ ବୃଦ୍ଧି, କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ ସମେତ ସମସ୍ତ ସରକାରୀ ଯୋଜନା ଅଧୀନରେ ଚାଉଳର ଯୋଗାଣ ଜାରି ରଖିବାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତି କ୍ରମେ ଜୁଲାଇ ୨୦୨୪ ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ ଆଉ ଚାରି ବର୍ଷ ପାଇଁ ଲୋକେ ମାଗଣା ଚାଉଳ ପାଇପାରିବେ।

ଏହି ଚାଉଳ ଯୋଗାଣ ପଦକ୍ଷେପ ଏକ କେନ୍ଦ୍ରୀୟ ଯୋଜନା ହୋଇ ରହିବ, ଯାହା PMGKAY ର ଖାଦ୍ୟ ସବସିଡି କାର‌୍ୟ୍ୟକ୍ରମ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଯୋଜନା। ଟାର୍ଗେଟେଡ୍ ପବ୍ଲିକ୍ ବିତରଣ ସିଷ୍ଟମ୍ (ଟିପିଡିଏସ୍) ଏବଂ ସମନ୍ବିତ ଶିଶୁ ବିକାଶ ସେବା (ICDS) ଏବଂ PM POSHAN (ପୂର୍ବରୁ ମଧ୍ୟ-ଦିନ ଭୋଜନ) ପରି ସମୃଦ୍ଧ ଚାଉଳ ଯୋଗାଣକୁ ସୁନିଶ୍ଚିତ କରି ପୁଷ୍ଟିହୀନତା ଏବଂ ରକ୍ତହୀନତାର ମୁକାବିଲା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ କରାଯାଇଛି।

ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁଷ୍ଟିକର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ୭୫ ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରାଯାଇଥିଲା। ଏହି ଯୋଜନାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ପାଇଁ ଏପ୍ରିଲ୍ ୨୦୨୨ ରେ କ୍ୟାବିନେଟ୍ ଅର୍ଥନୈତିକ ବ୍ୟାପାର କମିଟି (CCEA) ର ନିଷ୍ପତ୍ତି ପରେ ଦେଶବ୍ୟାପୀ ଚାଉଳ ବଣ୍ଟନ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ସରକାରୀ ଯୋଜନା ମାଧ୍ୟମରେ ଚାଉଳ ଯୋଗାଣର ଲକ୍ଷ୍ୟ ସଫଳତାର ସହ ହାସଲ ହୋଇପାରିଛି।

ଭାରତ ଏକ ପୁଷ୍ଟିହୀନତା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ୨୦୧୯ ରୁ ୨୦୨୧ ପର‌୍ୟ୍ୟନ୍ତ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-5) ଅନୁଯାୟୀ, ବିଭିନ୍ନ ବୟସ ବର୍ଗ ଏବଂ ଆୟ ସ୍ତରରେ ବିଶେଷ କରି ଶିଶୁ ଏବଂ ମହିଳାଙ୍କ ମଧ୍ୟରେ ରକ୍ତହୀନତା ପରିଲକ୍ଷିତ ହୋଇଛି।

ଲୌହ ଅଭାବ ସହିତ, ସର୍ବେକ୍ଷଣରେ ଭିଟାମିନ୍ ବି ୧୨ ଏବଂ ଫୋଲିକ୍ ଏସିଡ୍ ଭଳି ଅତ୍ୟାବଶ୍ୟକ ଭିଟାମିନର ଅଭାବ ଦର୍ଶାଯାଇଛି। ଏହା ଜନସଂଖ୍ୟାର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଉତ୍ପାଦକତା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ଏହି ଚାଉଳ ବଣ୍ଟନ ପକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଆଉ ଚାରି ବର୍ଷ ପାଇଁ ବୃଦ୍ଧି କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ସରକାରଙ୍କ ଅନ୍ୟ ଯୋଜନା ପାଇଁ ଆବଶ୍ୟକ ଖାଦ୍ୟଶସ୍ୟ ସମେତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ରେ ବିତରଣ ପାଇଁ ଆବଶ୍ୟକ ଅତିରିକ୍ତ ଖାଦ୍ୟଶସ୍ୟର ଚାହିଦା ପୂରଣ କରିବା ଲାଗି କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ ହୋଇ ରହିଛି। ୧ ଅକ୍ଟୋବର, ୨୦୨୨ ସୁଦ୍ଧା ପ୍ରାୟ ୨୨୭ ଲକ୍ଷ ମେଟ୍ରିକ ଟନ ଗହମ ଏବଂ ୨୦୫ ଲକ୍ଷ ମେଟ୍ରିକ ଟନ ଚାଉଳ କେନ୍ଦ୍ରୀୟ ପୁଲରେ ଗଚ୍ଛିତ ରହିଛି। ଏହି ପରିମାଣ ବଫର ଷ୍ଟକ ସର୍ତ୍ତାବଳୀ/ପରିଚାଳନା ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ।

ଏନଏଫଏସଏ ଅଧୀନରେ ଆବଶ୍ୟକ ଚାହିଦାକୁ ପୂରଣ କରିବା ପରେ, ଅନ୍ୟ କଲ୍ୟାଣମୂଳକ ଯୋଜନା ଏବଂ ପିଏମଜିକେଏୱାଇର ସପ୍ତମ ପର୍ଯ୍ୟାୟ ପାଇଁ ଆବଶ୍ୟକ ଖାଦ୍ୟଶସ୍ୟ ବିତରଣ କରିବା ପରେ ମଧ୍ୟ ୧ ଏପ୍ରିଲ ୨୦୨୩ ସୁଦ୍ଧା କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ପରିମାଣରେ ଷ୍ଟକ ଉପଲବ୍ଧ ରହିବ ଯାହାକି ବଫର ସର୍ତ୍ତାବଳୀ ଠାରୁ ଅଧିକ ଏବଂ ଅତିରିକ୍ତ ହୋଇଥିବ। ସବୁ ଆବଶ୍ୟକତା ପୂରଣ କରିବା ପରେ ୧ ଏପ୍ରିଲ ୨୦୨୩ ସୁଦ୍ଧା ଆନୁମାନିକ ୧୧୩ ଲକ୍ଷ ମେଟ୍ରିକ ଟନ ଗହମ ଏବଂ ୨୩୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉପଲବ୍ଧ ରହିଥିବ। ଏହା ବଫର ସର୍ତ୍ତାବଳୀ/ପରିଚାଳନା ଆବଶ୍ୟକତା ଯଥାକ୍ରମେ ୭୫ ଲକ୍ଷ ମେଟ୍ରିକ ଟନ ଗହମ ଏବଂ ୧୩୬ ଲକ୍ଷ ମେଟ୍ରିକ ଟନ ଚାଉଳ ଠାରୁ ଯଥେଷ୍ଟ ଅଧିକ।

ଚଳିତ ୨୦୨୨-୨୩ ଖରିଫ ବିପଣନ ଋତୁରେ ଖରିଫ ଧାନ କ୍ରୟ ଆରମ୍ଭ ହୋଇସାରିଛି। ୧୬ ଅକ୍ଟୋବର ୨୦୨୨ ସୁଦ୍ଧା ପ୍ରାୟ ୫୮ ଲକ୍ଷ ମେଟ୍ରିକ ଟନ ଧାନ (୩୯ ଲକ୍ଷ ମେଟ୍ରିକ ଟନ ଚାଉଳ) କିଣାଯାଇ ସାରିଛି। ଏହି ପରିମାଣ ୨୦୨୧-୨୨ ଖରିଫ ବିପଣନ ଋତୁରେ କିଣାଯାଇଥିବା ଧାନ ତୁଳନାରେ ଯଥେଷ୍ଟ ଅଧିକ। ଦେଶରେ ଚଳିତ ବର୍ଷ ଭଲ ମୌସୁମୀ ବର୍ଷା ହୋଇଛି ଏବଂ ଧାନ ଫସଲ ଅମଳ ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି।

ଚଳିତ ୨୦୨୨-୨୩ ଖରିଫ ବିପଣନ ଋତୁରେ, ୭୭୧ ଲକ୍ଷ ମେଟ୍ରିକ ଟନ ଧାନ (୫୧୮ ଲକ୍ଷ ମେଟ୍ରିକ ଟନ ଚାଉଳ) କିଣାଯିବ ବୋଲି ଆକଳନ କରାଯାଇଛି। ରବି ଧାନକୁ ମିଶାଇଲେ, ସମ୍ପୂର୍ଣ୍ଣ ୨୦୨୨-୨୩ ଖରିଫ ବିପଣନ ଋତୁରେ ୯୦୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଏପ୍ରିଲ ୨୦୨୩ ପରଠାରୁ ଗହମ କ୍ରୟ ଆରମ୍ଭ ହେବ। ଦେଶରେ ଏ ବର୍ଷ ଭଲ ବୃଷ୍ଟିପାତ ହୋଇଥିବାରୁ ପରବର୍ତ୍ତୀ ରବି ଋତୁରେ ଗହମ ଉତ୍ପାଦନ ଏବଂ କ୍ରୟ ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି।

‘‘ନ୍ୟୁଟ୍ରି ସେରେଲ୍ସ’’ କୁହାଯାଉଥିବା ମୋଟା ଶସ୍ୟର ଉଚ୍ଚ ପୋଷକ ତତ୍ତ୍ୱକୁ ଦୃଷ୍ଟିରେ ରଖି ଭାରତ ସରକାର ୨୦୨୨-୨୩ ଖରିଫ ବିପଣନ ଋତୁରେ କେନ୍ଦ୍ରୀୟ ପୁଲ ଅଧୀନରେ  ୧୩.୭୨ ଲକ୍ଷ ମେଟ୍ରିକ ଟନ୍‌ ମୋଟା ଶସ୍ୟ କିଣିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୨୧-୨୨ ଖରିଫ ବିପଣନ ଋତୁରେ ସରକାର ୬.୩୦ ଲକ୍ଷ ମେଟ୍ରିକ ଟନ୍‌ ମୋଟା ଶସ୍ୟ କିଣିଥିଲେ।

କୋଭିଡ – ୧୯ କାରଣରୁ ଦେଶର ଗରିବ ଲୋକମାନଙ୍କୁ ବିଭିନ୍ନ ଆର୍ଥିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଗରିବଙ୍କ ଅନୁକୂଳ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପିଡିଏସ ଓ ଅନ୍ୟ କଲ୍ୟାଣମୂଳକ ଯୋଜନାରେ ମିଳୁଥିବା ଖାଦ୍ୟଶସ୍ୟ ବ୍ୟତୀତ ପିଏମଜିକେଏୱାଇ ଅଧୀନରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଏଥିପାଇଁ ମୋଟ୍‌ ୧୧୨୧ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ପିଏମଜିକେଏୱାଇ ଅଧୀନରେ ଆବଣ୍ଟନ କରାଯାଇଛି। କେନ୍ଦ୍ର ସରକାର ଏଥିପାଇଁ ମୋଟ୍‌ ୩.୯୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଅନୁମାନ କରାଯାଉଛି। ଏଭଳି ବିପୁଳ ପରିମାଣରେ ଖାଦ୍ୟଶସ୍ୟ ସାଧାରଣ ଲୋକଙ୍କ ଯୋଗାଇ ଦିଆଯିବା ସହିତ ରପ୍ତାନି ଉପରେ ନିୟନ୍ତ୍ରଣ ଲାଗୁ କରାଯାଇଛି, ଯାହାଫଳରେ ଏସବୁ ସାମଗ୍ରୀର ଅନ୍ତର୍ଜାତୀୟ ମୂଲ୍ୟ ତୁଳନାରେ ଘରୋଇ ବଜାରରେ ଦରଦାମ ବୃଦ୍ଧିକୁ ସ୍ଥିର ରଖାଯିବା ସମ୍ଭବ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବଢ଼ିଲା କୋଭିଡ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନାର ଅବଧି

ନୂଆଦିଲ୍ଲୀ: ‘‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମଜିକେପି) ଅନୁଯାୟୀ କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା’’ର ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଭିଡ -୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ନିର୍ଭରଶୀଳ ଆତ୍ମୀୟ ସ୍ବଜନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏହି ଯୋଜନାର ଅବଧି ସମ୍ପ୍ରସାରଣ ଲାଗି ନିଷ୍ପତ୍ତି ନିଆଯାଇଛି।

ଏ ସଂକ୍ରାନ୍ତରେ ୧୯ ଏପ୍ରିଲ ୨୦୨୨ରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ବାସ୍ଥ୍ୟ)/ ପ୍ରମୁଖ ସଚିବ (ସ୍ବାସ୍ଥ୍ୟ)/ ସଚିବ (ସ୍ବାସ୍ଥ୍ୟ)ମାନଙ୍କୁ ଏକ ପତ୍ର ଲେଖାଯାଇଛି। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ବୀମା ଯୋଜନାର ଅବଧି ସମ୍ପ୍ରସାରଣ ସମ୍ପର୍କରେ ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଏହି ପତ୍ରରେ ପରାମର୍ଶ ଦିଆଯାଇଛି।

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିଏମଜିକେପି ବୀମା ଯୋଜନା ୩୦ ମାର୍ଚ୍ଚ ୨୦୨୦ରେ ଆରମ୍ଭ କରାଯାଇଥିଲା। କୋଭିଡ-୧୯ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କୁ ଚିକିତ୍ସା କରୁଥିବା ସରକାରୀ ସ୍ବାସ୍ଥ୍ୟ କର୍ମୀ ଏବଂ ଘରୋଇ ସ୍ବାସ୍ଥ୍ୟ କର୍ମୀ ଏହି ରୋଗ ଦ୍ବାରା ପ୍ରଭାବିତ ହେଲେ ସେମାନଙ୍କୁ ବୀମା ଯୋଜନାର ଲାଭ ମିଳିପାରିବ। ଦେଶର ୨୨.୧୨ ଲକ୍ଷ ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ଯୋଜନାରେ ୫୦ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ଆହୁରି, ବିଶେଷ ପରିସ୍ଥିତିରେ, ରାଜ୍ୟ/କେନ୍ଦ୍ର ସରକାରଙ୍କ ଡାକ୍ତରଖାନା, ରାଜ୍ୟ/କେନ୍ଦ୍ର/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସ୍ବୟଂଶାସିତ ଡାକ୍ତରଖାନା/ ଏମ୍ସ ଓ ଜାତୀୟ ଗୁରୁତ୍ବ ବହନ କରୁଥିବା ସଂସ୍ଥାନ (ଆଇଏନଆଇ)/କେନ୍ଦ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଡାକ୍ତରଖାନା ଦ୍ବାରା କୋଭିଡ-୧୯ ଚିକିତ୍ସା ପାଇଁ ଆବଶ୍ୟକତା ଅନୁଯାୟୀ ନିୟୋଜିତ ହୋଇଥିବା ଘରୋଇ ଡାକ୍ତରଖାନାର କର୍ମଚାରୀ/ଅବସରପ୍ରାପ୍ତ/ସ୍ବେଚ୍ଛାସେବୀ/ସ୍ଥାନୀୟ ସହରାଞ୍ଚଳ ପ୍ରଶାସନ/ଚୁକ୍ତିଭିତ୍ତିକ/ଦିନ ମଜୁରି/ଆଡହକ/ଆଉଟସୋର୍ସରେ ରହିଥିବା କର୍ମଚାରୀଙ୍କୁ ମଧ୍ୟ ପିଏମଜିକେପି ବୀମା ଯୋଜନାର ଲାଭ ମିଳିପାରିବ।ଏହି ଯୋଜନା ଆରମ୍ଭ ହେବା ପରଠାରୁ, ଏବେ ସୁଦ୍ଧା ୧୯୦୫ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ବୀମା ସହାୟତା ଯୋଗାଇ ଦିଆଯାଇଛି। କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ପ୍ରାଣ ହରାଇଥିବା ଏହିସବୁ ସ୍ବାସ୍ଥ୍ୟକର୍ମୀଙ୍କ ପରିବାରଜନଙ୍କୁ ବୀମା ସୁରକ୍ଷା ଅର୍ଥ ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସମୟ ସୀମା ବୃଦ୍ଧି: ଆଉ ଚାରି ମାସ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟ ସୀମାକୁ ଚାରି ମାସ ପାଇଁ ବୃଦ୍ଧି କରାଯାଇଛି। କେନ୍ଦ୍ର କ୍ୟାବିନେଟ ଏହି ସମୟ ସୀମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି। ଯାହାଫଳରେ ଆସନ୍ତା ଚାରି ମାସ ପାଇଁ ଗରିବଙ୍କୁ ମାଗଣାରେ ରାସନ ମିଳିପାରିବ। ଗରିବଙ୍କୁ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ରାସନ ମିଳିପାରିବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଅଗ୍ରୀମ ରାସନ ଦେବା ପାଇଁ ନିବେଦନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟର ୩.୨୪ କୋଟି କୋଭିଡ ପ୍ରଭାବିତ ଲୋକଙ୍କୁ ମିଳିବ ମାଗଣା ଖାଦ୍ୟଶସ୍ୟ, ଏଫସିଆଇ ର ପ୍ରସ୍ତୁତି

ଭୁବନେଶ୍ବର : ବର୍ତ୍ତମାନର କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ସରକାର ଚତୁର୍ଥ ପଯ୍ୟାୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ କୋଭିଡ ପ୍ରଭାବିତ ଲୋକମାନଙ୍କୁ ଜୁଲାଇରୁ ନଭେମ୍ବର ୨୦୨୧ ପର‌୍ୟ୍ୟନ୍ତ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।

ଏହି ଯୋଜନାର ଅଂଶବିଶେଷ ସ୍ବରୂପ, ଯୋଗ୍ୟ ହିତାଧିକାରୀମାନଙ୍କୁ ମାସିକ ମୁଣ୍ଡପିଛା ୫ କିଗ୍ରା ଲେଖାଏଁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ। ଏହି ଖାଦ୍ୟ ସହାୟତା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ମିଳୁଥିବା ମାସିକ ରାସନକୁ ବାଦ୍ ଦେଇ ଏବଂ ଅଧିକ ଆକାରରେ ପ୍ରଦାନ କରାଯିବ।

ଭାରତ ସରକାରଙ୍କ ଘୋଷଣା ମୁତାବକ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରିତ ଚତୁର୍ଥ ପର‌୍ୟ୍ୟାୟକୁ ସଠିକ୍ ଢଙ୍ଗରେ କାର‌୍ୟ୍ୟକାରୀ କରିବା ଲାଗି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଓଡ଼ିଶା ଶାଖା ପକ୍ଷରୁ ଆବଶ୍ୟକ ସମ୍ବଳ ପ୍ରସ୍ତୁତ କରାଯାଉଛି। ଏହି ଯୋଜନା ଦ୍ବାରା ସାରା ଦେଶରେ ୮୦ କୋଟି ଲୋକ ଉପକୃତ ହେବାକୁ ଥିବା ବେଳେ ଏଥିରେ ଓଡ଼ିଶାର ୩.୨୪ କୋଟି ହିତାଧିକାରୀ ରହିଛନ୍ତି।

ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏଫସିଆଇ ଓଡ଼ିଶା କ୍ଷେତ୍ର ମହାପ୍ରବନ୍ଧକ ନିଶିଥ କୁମାର ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ଖାଦ୍ୟ ଶସ୍ୟ କ୍ରୟ, ଭଣ୍ଡାରଣ, ପରିବହନ ଏବଂ ବିତରଣ ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେ। ଏହି ପ୍ରକ୍ରିୟାରେ ଭାରତ ସରକାର ଚାଉଳ କିଲୋପ୍ରତି ୩୯ ଟଙ୍କା ଏବଂ ଗହମ କିଲୋ ପ୍ରତି ୨୮ ଟଙ୍କା ଖର୍ଚ୍ଚ କରିବେ।

ଏହି ଯୋଜନା ଅନ୍ତର୍ଗତ, ପାଖାପାଖି ୧୯୯ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଦେଶର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ବିତରଣ କରାଯିବ। ଏଥିପାଇଁ ଭାରତ ସରକାର ଆନୁମାନିକ ୬୭,୪୯୨ କୋଟି ଟଙ୍କା ବ୍ୟୟ କରିବେ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଖାଦ୍ୟ ଶସ୍ୟ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯୋଜନା ଅଧୀନରେ ଆନୁମାନିକ ୭.୦୩ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୧.୦୮ ଲକ୍ଷ ମେଟ୍ରିକ ଟନ୍ ଗହମ ଓଡ଼ିଶାକୁ ଆବଣ୍ଟନ କରାଯାଇଛି। ଏହି ଖାଦ୍ୟଶସ୍ୟ କେନ୍ଦ୍ରୀୟ ପୁଲ୍ ଷ୍ଟକ୍ ଓ ଏଫସିଆଇ ଗୋଦାମରୁ ଓଏସସିଏସି ଲିମିଟେଡ୍ ଦ୍ବାରା ଉଠାଣ କରାଯିବ ବୋଲି ସେ କହିଥିଲେ।

ଏହି ଯୋଜନା ଅନ୍ତର୍ଗତ, ଓଡ଼ିଶାରେ ଖାଦ୍ୟଶସ୍ୟ ବିତରଣ ପାଇଁ ପାଖାପାଖି ୩୦୪୪ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ଭାରତ ସରକାର ବହନ କରିବେ। ଏହାଫଳରେ ରାଜ୍ୟର ପାଖାପାଖି ୩.୨୪ କୋଟି ହିତାଧିକାରୀ ଲାଭବାନ ହେବେ ବୋଲି ପ୍ରଧାନ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ ଯେ ଏଫସିଆଇ ଓଡ଼ିଶା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର‌୍ୟ୍ୟାୟ ଅନ୍ତର୍ଗତ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି, ଏଥିପାଇଁ ଅକ୍ଟୋବର ୩୧, ୨୦୨୧ ସୁଦ୍ଧା ଖାଦ୍ୟଶସ୍ୟ ସମ୍ପୂର୍ଣ୍ଣ ଭାବେ ଉଠାଣ କରାଯିବ।

ପ୍ରଧାନ ଆହୁରି ସୂଚନା ଦେଇଥିଲେ ଯେ ଏହି ଯୋଜନାକୁ ସଫଳତା ପୂର୍ବକ କାର‌୍ୟ୍ୟକାରୀ କରିବା ଲାଗି ଏଫସିଆଇ ଓଡ଼ିଶା ନିଜର ସମସ୍ତ ଗୋଦାମରେ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରି ରଖିସାରିଲାଣି ଏବଂ ଉଠାଣ ପାଇଁ ରାଜ୍ୟ ଏଜେନ୍ସିଗୁଡ଼ିକୁ ଖାଦ୍ୟଶସ୍ୟ ଯୋଗାଣ ଆରମ୍ଭ କରିସାରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତୃତୀୟ ପର‌୍ୟ୍ୟାୟ ମେ-ଜୁନ ୨୦୨୧ରେ ଘୋଷଣା କରାଯାଇଥିଲା। ଏହା ଅଧୀନରେ ୭୯ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଦେଶର ପାଖାପାଖି ୮୦ କୋଟି ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତୃତୀୟ ପର‌୍ୟ୍ୟାୟ ଅନ୍ତର୍ଗତ ୨.୮୨ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୪୩୦୦୦ ମେଟ୍ରିକ ଟନ୍ ଗହମ ଓଡ଼ିଶାକୁ ଆବଣ୍ଟନ କରାଯାଇଥିଲା। ଏହି ଖାଦ୍ୟଶସ୍ୟ ବିତରଣ ପାଇଁ ମୋଟ ୧୨୨୦ କୋଟି ଟଙ୍କା ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୀପାବଳି ପର୍ଯ୍ୟନ୍ତ ମିଳିବ ମାଗଣା ରାସନ, କରୋନା ସ୍ଥିତି ଦେଖି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆସନ୍ତା ଦୀପାବଳି ବା ନଭେମ୍ବର ପର୍ଯ୍ୟନ୍ତା ଦେଶବାସୀଙ୍କୁ ମିଳିବ ମାଗଣା ରାସନ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କୁ ଏହି ମାଗଣ ରାସନ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଆଜି ଦେଶବାସୀଙ୍କୁ ଏକ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ବର୍ତ୍ତମାନ କରୋନା ସ୍ଥିତି ଏବଂ ବେରୋଜଗାରୀକୁ ନେଇ ଏହି ନିଷ୍ପତି ନିଆଯାଇଛି। ଏଥିରେ ପ୍ରାୟ 80 କୋଟି ହିତାଧିକାରୀ ଲାଭବାନ ହୋଇପାରିବେ।

ଗତବର୍ଷ କରୋନା ସମୟରେ ମଧ୍ୟ ଏହିପରି ନିଷ୍ପତି ଗ୍ରହଣ କରାଯାଇଥିଲା। କାରଣ ଅନେକ ସ୍ଥାନରେ ଲକଡାଉ, ସର୍ଟଡାଉନ ଲାଗୁ ହୋଇଥିବାରୁ ଅନେକ କିଛି କାମଧନ୍ଦା ପାଇପାରି ନାହାଁନ୍ତି। ଦେଶର କେହି ଜଣେ ଭୋକିଲା ରହୁ ତାହା କେନ୍ଦ୍ର ସରକାର କେବେ ଚାହାଁନ୍ତି ନାହିଁ। ସେଥିପାଇଁ ଏହି ଯୋଜନାକୁ ପୁଣି ଥରେ ବୃଦ୍ଧି କରାଗଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ-୧୯ ବିରୋଧରେ ଲଢ଼ୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ବୀମା ରାଶି ୪୮ ଘଣ୍ଟା ମଧ୍ୟରେ ମଞ୍ଜୁରି ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ସମ୍ମୁଖ ଭାଗରେ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କର ସୁରକ୍ଷାକୁ କେନ୍ଦ୍ର ସରକାର ଗୋଟିଏ ବର୍ଷର ଅବଧି ଲାଗି ଏହି ବୀମା ଯୋଜନାକୁ ସମ୍ପ୍ରସାରିତ କରିଛନ୍ତି। ଏହାଛଡ଼ା ଏଥିରେ ସେହି ସ୍ୱାସ୍ଥ୍ୟ କର୍ମୀମାନଙ୍କର ଆଶ୍ରିତମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଜାରି ରହିବ। ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(ପିଏମଜିକେପି) ଅନ୍ତର୍ଗତ କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ବୀମା ଯୋଜନା’କୁ ୩୦ ମାର୍ଚ୍ଚ, ୨୦୨୦ରେ ଆରମ୍ଭ କରଯାଇଥିଲା।

ଏହି ଯୋଜନାକୁ ପ୍ରାରମ୍ଭରେ ୯୦ ଦିନ ପର‌୍ୟ୍ୟନ୍ତ ଅବଧି ଲାଗି ୫୦ ଲକ୍ଷ ଟଙ୍କାର ବ୍ୟାପକ ବ୍ୟକ୍ତିଗତ ଦୁର୍ଘଟଣା କଭର ପ୍ରଦାନ କରିବା ନିମନ୍ତେ ଆରମ୍ଭ କରାଯାଇଥିଲା। ଏହାର ହିତାଧିକାରୀମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ଓ ଘରୋଇ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନଙ୍କୁ ସାମିଲ କରାଯାଇଥିଲା। ସରକାର ଏହି ଯୋଜନାକୁ କୋଭିଡ ରୋଗୀଙ୍କ ଯତ୍ନ ନେବା ଲାଗି ତଥା ସେହି ଲୋକମାନଙ୍କ ପାଇଁ ପ୍ରସ୍ତୁତ କରିଥିଲେ ଯେଉଁମାନେ କୋଭିଡ ୧୯ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଛନ୍ତି ଏବଂ ସେମାନେ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଥିଲା। ନ୍ୟୁ ଇଣ୍ଡିଆ ଆସ୍ୟୋରାନ୍ସ କମ୍ପାନୀ (ଏନଆଇଏସିଏଲ)ର ବୀମା ପଲିସି ଜରିଆରେ ଏହାକୁ କାର‌୍ୟ୍ୟକାରୀ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ବୀମା ପଲିସିକୁ ଦୁଇଥର ସମ୍ପ୍ରସାରଣ କରାଯାଇ ସାରିଲାଣି।
ରାଜ୍ୟ ଓ ଅନ୍ୟ ଅଂଶୀଦାରମାନେ ବୀମା ଦାବିରେ ବିଳମ୍ବ ହେଉଥିବା ଅଭିଯୋଗ ଆଣିଛନ୍ତି। ଏହି ବିଳମ୍ବକୁ ଦୂର କରିବା ଏବଂ ବୀମା ଦାବି ପୂରଣ କରିବା କାର‌୍ୟ୍ୟକୁ ସୁସଂଗତ ଓ ସରଳ କରିବାକୁ ନେଇ ଦାବି ଅନୁମୋଦନ ଲାଗି ଏକ ନୂଆ ପ୍ରଣାଳୀ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ଅନ୍ତର୍ଗତ ଜିଲ୍ଲାପାଳଙ୍କ ସ୍ତରରେ ରାଜ୍ୟ ସରକାର ଯଥାସମ୍ଭବ ତତ୍ପରତାର ସହିତ କାମ କରିପାରିବେ।

ଜିଲ୍ଲାପାଳ ପ୍ରତ୍ୟେକ ମାମଲାର ଯାଞ୍ଚ କରିବେ ଏବଂ ବୀମାର ଦାବି ଯୋଜନା ମାନକ ପରିଚାଳନା ପଦ୍ଧତି (ଏସଓପି) ଅନୁଯାୟୀ ହୋଇଛି କି ନାହିଁ ତାହା ପ୍ରମାଣିତ କରିବେ। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ପ୍ରମାଣପତ୍ର ଆଧାରରେ ବୀମା କମ୍ପାନୀ ୪୮ ଘଣ୍ଟାର ଅବଧି ମଧ୍ୟରେ ଦାବି ଅନୁମୋଦନ ଓ ଏହାକୁ ପୂରଣ କରିବେ। ଏହାବ୍ୟତୀତ, ବ୍ୟବସ୍ଥିତ ଓ ତ୍ୱରିତ ସମାଧାନ ଲାଗି ଜିଲ୍ଲାପାଳ ମଧ୍ୟ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବେ। କେନ୍ଦ୍ର ସରକାରଙ୍କ ଡାକ୍ତରଖାନା ଏମ୍ସ କିମ୍ବା ରେଳବାଇ ଆଦି ପକ୍ଷରୁ ଆସୁଥିବା ମାମଲାରେ ମଧ୍ୟ ଜିଲ୍ଲାପାଳ ବୀମା ଦାବିଗୁଡ଼ିକୁ ପ୍ରମାଣିତ କରିବେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହିତ ତୁରନ୍ତ ଏହାକୁ କାର‌୍ୟ୍ୟକାରୀ କରିବା ନିମନ୍ତେ କୁହାଯାଇଛି।